spot_img
Home Blog Page 7068

ଚଳନ୍ତା ଟ୍ରେନ୍‌ରେ କନ୍ୟା ସନ୍ତାନକୁ ଜନ୍ମ ଦେଲା ମାଆ, ଦୁହେଁ ସୁସ୍ଥ

ଟିଟଲାଗଡ଼: ଲକ୍‌ଡାଉନ ପାଇଁ ସାରା ଦେଶରେ ତାଲା ପଡ଼ିଛି । ଏହି ଭିତରେ ଗାଡ଼ି ଚଳାଚଳ ଦେଶରେ ବନ୍ଦ ରହିଥିବାରୁ ଅନ୍ୟ ରାଜ୍ୟରେ ଫଶି ରହିଛନ୍ତି ପ୍ରବାସୀ ଶ୍ରମିକ । ତେବେ ଏମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ଦେଶରେ ଶ୍ରମିକ ଟ୍ରେନ ସେବା ଆରମ୍ଭ ହୋଇଛି । କିନ୍ତୁ ଏହି ଟ୍ରେନ ଚାଲିଥିବା ବେଳେ କେତେ ଘଟଣା ମାନ ଘଟିଯାଉଛି । କିଏ ଟ୍ରନ୍‌ ଚେନ ଟାଣି ଅଧା ରାସ୍ତାରୁ ଓହ୍ଲାଇ ଲାଣିତ ପୁଣି କେଉଁଠି ଷ୍ଟେସରେ ଖାଦ୍ୟ ପାଇଁ ମାଡ଼ ପିଟ ହେଲେଣି ପ୍ରବାସୀ । କିନ୍ତୁ ଆଜି ଟ୍ରେନରେ ଶ୍ରମିକଙ୍କର କୋଳାହଳ ଭିତରେ ସୁଭିଛି କୁଆଁ କୁଆଁ ଶବ୍ଦ । କାରଣ ଶ୍ରମୀକ ଟ୍ରେନରେ ହୋଇଛି ସନ୍ତାନ ପ୍ରସବ । ପ୍ରସବ ପରେ ଉଭୟ ପ୍ରସୂତି ଓ ନବଜାତକୁ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ତେଲେଙ୍ଗାନାର କାଜୁପେଟାରୁ ବଲାଙ୍ଗୀର ଆସୁଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଜଣେ ଗର୍ଭବତୀ ମହିଳା ହେମକାନ୍ତି ବିଶ୍ୱକର୍ମା ଏକ କନ୍ୟା ସନ୍ତାନ ଜନ୍ମ କରିଛନ୍ତି । ମହିଳାଙ୍କ ଘର ଛତିଶଗଡ ଗାଜିଆବାନ୍ଧ ଜିଲ୍ଲା ଛୁରା ଥାନା ଅନ୍ତର୍ଗତ କାତେଲପରା ଗଁ।ର ହୋଇଥିବା ବେଳେ ଦୁଇ ସନ୍ତାନ ଏବଂ ସ୍ୱାମୀଙ୍କ ସହ କାଜିପେଟରୁ ବଲାଙ୍ଗିର ଷ୍ଟେସନ ଅଭିମୁଖେ ଆସୁଥିବା ବେଳେ ଟିଟଲାଗଡ ଷ୍ଟେସନରେ ମହିଳା ଜଣକ ପ୍ରସବ କରିଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାରେ ସ୍ୱତନ୍ତ୍ର ଭାବେ କ୍ୱାରେଣ୍ଟାଇନ ରେ ରଖାଯାଇ ଚିକିତ୍ସା କରାଯାଉଛି । ଉଭୟ ପ୍ରସୂତୀ ମହିଳା ଓ ନବଜାତ ଶିଶୁକନ୍ୟା ସୁସ୍ଥ ରହିଥିବା କହିଛନ୍ତି ବଲାଙ୍ଗିର ସିଡିଏମଓ ।

କରୋନା ପାଇଁ ପିଏମ୍‌ କେୟାର ଫଣ୍ଡକୁ ବର୍ଷେ ଯାଏଁ ମାସକୁ ୫୦,୦୦୦ ଟଙ୍କା ଦେବେ ସିଡିଏସ୍‌ ଚିଫ୍‌

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ କରୋନା ସଂକ୍ରମଣ ବୃଦ୍ଧିରେ ନୂଆ ରେକର୍ଡ ସୃଷ୍ଟି ହେଉଛି । ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ପାର୍‌ ହୋଇସାରିଛି । କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାର୍ଚ୍ଚ ମାସରେ ହିଁ ପିଏମ୍‌ କେୟାର ପାଣ୍ଠି ଗଠନ କରିବାକୁ ଘୋଷଣା କରିଥିଲେ । ଏହା ପରେ ଦେଶର ସୈନିକମାନେ ଏହି ଫଣ୍ଡରେ ନିଜର ଗୋଟିଏ ଦିନର ଦରମା ଦେବାକୁ ଘୋଷଣା କରିଥିଲେ ।

ତେବେ ବର୍ତ୍ତମାନ ଚିଫ୍‌ ଅଫ୍‌ ଡିଫେନ୍ସ ଜେନେରାଲ୍ ବିପିନ ରାୱତ୍‌ ଏକ ବଡ଼ ଘୋଷଣାକ କରିଛନ୍ତି । ସେ କହିଛନ୍ତି, ନିଜ ଦରମାରୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରତି ମାସରେ ଏକ ବର୍ଷ ପର୍ଯ୍ୟନ୍ତ ପିଏମ୍‌ କେୟାର ଫଣ୍ଡକୁ ଦାନ କରିବେ । ଜେନେରାଲ ରାୱତ ଏଥିପାଇଁ ବେତନ ଓ ଆକାଉଣ୍ଟସ ବିଭାଗକୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜେନେରାଲ୍‌ ରାୱତଙ୍କ ଏହି ଅନୁରୋଧକୁ ଗ୍ରହଣ କରାଯାଇଛି । ତେବେ ଏପ୍ରିଲ୍‌ ମାସର ପ୍ରଥମ କିସ୍ତି ୫୦ ହଜାର ଟଙ୍କା ତାଙ୍କ ବେତନରୁ କଟାଯାଇଛି ।

ଜେନେରାଲ ରାୱତ ଏହି ଟଙ୍କା ସ୍ୱଇଚ୍ଛାରେ ଦାନ କରିଛନ୍ତି । ସୈନ୍ୟମାନେ ଦେଇଥିବା ଗୋଟିଏ ଦିନର ଦରମାଠାରୁ ଏହା ଭିନ୍ନ ଅଟେ । ସେ ଏହା ମଧ୍ୟ କହିଛନ୍ତି ଯେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ତଥା ଭାରତୀୟ ତଟରକ୍ଷୀ ବାହିନୀର ପୂର୍ବତନ ମହାନିର୍ଦ୍ଦେଶକ ରାଜେନ୍ଦ୍ର ସିଂ ମଧ୍ୟ ନିଜ ବେତନର ୩୦ ପ୍ରତିଶତ କରୋନା ସହ ଲଢ଼ିବା ପାଇଁ ପିଏମ୍‌ କେୟାର ପାଣ୍ଠିରେ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେଲା ସାହାରୁଖ୍‌ ଖାନ୍‌ଙ୍କ ବେତାଲ…

ଶାହରୁଖ ଖାନ୍‌ ହୁଏତ କିଛି ସମୟ ପାଇଁ ଅଭିନେତା ଭାବେ ସକ୍ରିୟ ନାହାନ୍ତି । କିନ୍ତୁ ଜଣେ ପ୍ରଡ୍ୟୁସର ଭାବେ ସେ ଲୋକଙ୍କୁ ବେଶ୍‌ ମନରୋଞ୍ଜନର ଖୋରକ ଯୋଗାଉଛନ୍ତି । ଶାରୁଖ୍‌ଙ୍କ ରେଡ୍ ଚିଲିଜ୍‌ କମ୍ପାନୀ ଏବେ ଆଉ ଏକ ନୂଆ ଓ୍ୱେବ୍‌ ସିରିଜ୍ ‘ବେତାଲ’‌ ରିଲିଜ୍‌ କରିସାରିଛି । ଏହି ୱେବ୍ ସିରିଜ୍ ନେଟଫ୍ଲିକ୍ସରେ ଏବେ ଉପଲବ୍ଧ ରହିଛି । ୨୦୧୯ରେ, ଶାହାରୁଖ ଖାନ ବାର୍ଡ ଅଫ୍ ବ୍ଲଡ୍‌ ଓ୍ୱେବ୍‌ ସିରିଜ୍‌ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ଇମ୍ରାନ୍‌ ହାସ୍‌ମି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତେବେ ଏଥର ସେ ଏକ ହରର ୱେବ୍ ସିରିଜ୍ ରିଲିଜ୍‌ କରିଛନ୍ତି । ଯାହାର ନାଁ ବେତାଳ ରଖାଯାଇଛି ।

ଶାହରୁଖ ଖାନଙ୍କ ରେଡ୍‌ ଚିଲିଜ୍‌, ଆମେରିକୀୟ ପ୍ରଯୋଜକ ଜେସନ୍‌ ବ୍ଲମ୍‌ଙ୍କ କମ୍ପାନୀ ବ୍ଲମ୍‌ହାଉସ୍‌ ପ୍ରଡକ୍ସନ୍‌ ହାଉସ ସହିତ ମିଶି ନେଟଫ୍ଲିକ୍‌ସ୍‌ ଅରିଜିନାଲ ୱେବ୍‌ ସିରିଜ୍‌ ବେତାଲ ପ୍ରସ୍ତୁତ କରିଛନ୍ତି । ଏହାର ପ୍ରସାରଣ ୨୪ ମେ’ରୁ ଷ୍ଟ୍ରିମିଂ ଆରମ୍ଭ ହୋଇସାରିଛି । ଏହି ୱେବ୍ ସିରିଜରେ ବିନୀତ୍‌ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ସରିଜ୍‌ରେ ସେ ଜୁମ୍ବିଜ୍‌ ମାନଙ୍କ ସହ ଲଢ଼େଇ କରୁଥିବା ନଜର ଆସିବେ ।

https://www.instagram.com/p/CAj8YigJnjR/?utm_source=ig_embed

ଏହି ୱେବ୍ ସିରିଜରେ ଏକ ଗାଁର କାହାଣୀ ପ୍ରଦର୍ଶିତ କରାଯାଇଛି । ବ୍ରିଟିଶ୍‌ ଇଣ୍ଡିଆନ୍‌ ସେନା ଅଧିକାରୀ ବେତାଳ ଏବଂ ତାଙ୍କ ରେଡକୋଟ୍ ଜୁମ୍ବିଜ୍‌ ବାଟାଲିୟନ୍‌ ଗାଁରେ ଆତଙ୍କ ଖେଳାଇଛନ୍ତି । ଏହି ସମୟରେ ଭାରତୀୟ ପୋଲିସ ଫୋର୍ସ ଏବଂ ସେନା, ଗ୍ରାମବାସୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସେମାନେ ଜୁମ୍ବିଜ୍‌ ମାନଙ୍କ ସହ ଲଢ଼େଇ କରୁଥିବା ସିରିଜ୍‌ରେ ଦେଖିବାକୁ ମିଳିଛି ।

ଏହି ଚଳଚ୍ଚିତ୍ରରେ ବିନୀତ୍‌ କୁମାରଙ୍କ ସହ ଆହାନା କୁମାରା ମଧ୍ୟ ଅଭିନୟ କରିଛନ୍ତି । ଏନେଇ ଅହାନା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ସେ ୱେବ୍ ସିରିଜର କିଛି ଫଟୋ ସେ ସେୟାର କରିଛନ୍ତି ।

ବିହାର ବିଧାନସଭା ନିର୍ବାଚନ: ପ୍ରସ୍ତୁତି ଆରମ୍ଭ କଲାଣି ଭାଜପା

୨୦୧୫ ମସିହାରେ ହୋଇଥିବା ବିହାର ବିଧାନସଭା ନିର୍ବାଚନର କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ଆଡକୁ ସମାପ୍ତ ହେବାକୁ ଯାଉଛି । ସାରା ଦେଶ ଏବେ ବିଶ୍ୱ ମହାମାରୀ କରୋନାର ମୁକାବିଲା କରୁଛି । ତେଣୁ ବିହାର ବିଧାନସଭା ନିର୍ବାଚନ ଧାର୍ଯ୍ୟ ସମୟରେ ହେବ କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ହେଲେ ନିର୍ବାଚନକୁ ନେଇ ଭାଗୁଆଳିରେ ଶାସନ କ୍ଷମତା ପାଇଥିବା ଭାଜପା ପ୍ରସ୍ତୁତି ଆରମ୍ଭ କରିଛି । ଦିଲ୍ଲୀସ୍ତରୀୟ ଶୀର୍ଷ ନେତୃତ୍ୱଠାରୁ ଆରମ୍ଭ କରି ବିହାର ଗ୍ରାମାଞ୍ଚଳର ବୁଥସ୍ତର ପର୍ଯ୍ୟନ୍ତ ଏହି ପ୍ରସ୍ତୁତି ଜାରି ରହିଛି । କିଛିଦିନ ହେବ କେତେକ ଜାତୀୟ ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରକାଶ ପାଇବା ସହ ରାଜନୈତିକ ଚର୍ଚ୍ଚା ଆରମ୍ଭ ହେଲାଣି ।

ଜାତୀୟ ଗଣମାଧ୍ୟମରେ ଆରମ୍ଭ ହେଲାଣି ଚର୍ଚ୍ଚା

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ଭାଜପା ବିହାରରେ ନିଜର ନିଜସ୍ୱ ସଙ୍ଗଠନ ବୃଦ୍ଧି କରିବାକୁ ଚାହୁଁଛି । ବିହାର ରାଜନୈତିକ ପରିସ୍ଥିତି ଏପରି ଯେ, କୌଣସି ଦଳ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିପାରୁ ନାହାନ୍ତି । ଏକାଧିକ ଦଳ ମିଶିଲେ ହିଁ ସରକାର ଗଠନ ହେଉଛି । ଅତୀତରେ ଜେଡିୟୁ-ଭାଜପା-ଏଲ୍ ଜି ପି କ୍ଷମତାରେ ରହିଥିଲେ । ପରବର୍ତ୍ତୀ ସମୟରେ ଜେଡିୟୁ-ଆରଜେଡି-କଂଗ୍ରେସ ମଧ୍ୟ ଏକାଠି ହୋଇଥିଲେ । ଏକ ବିଶେଷ ପରିସ୍ଥିତିରେ ନିର୍ବାଚନୀ ମିତ୍ର ଆରଜେଡିକୁ ତ୍ୟାଗ କରି ଜେଡିୟୁ ଭାଜପା ସହ ହାତ ମିଳାଇଥିଲା । ହେଲେ ନୀତିଶଙ୍କ ବ୍ୟକ୍ତିତ୍ୱ ଏବଂ ରାଜନୈତିକ ଚତୁରତା ଭାଜପାକୁ ଅଡୁଆ ହେଉଛି । ଅନେକ କଥା ନୀତିଶ କୁମାର ଭାଜପାକୁ ଅଡୁଆରେ ପକାଉଛନ୍ତି । ତେଣୁ ଦଳ ଯେପରି ସହଯୋଗୀ ଉପରେ ଅଧିକ ନିର୍ଭରଶୀଳ ନ ହେବ, ସେଥି ପ୍ରତି ଯଥାସମ୍ଭବ ଧ୍ୟାନ ଦିଆଯାଉଛି । ଏବେ ବି ଭାଜପା ବିହାରରେ ଜେଡିୟୁ ଏବଂ ଏଲଜିପି ସହ ନିର୍ବାଚନ ଲଢ଼ିବା ପାଇଁ ମନ ସ୍ଥିର କରିଛି । ହେଲେ ଟିକେ ଅଧିକ ସାଙ୍ଗଠନିକ ଶକ୍ତି ସହ ।

ତୃଣମୂଳ ସଙ୍ଗଠନକୁ ଗୁରୁତ୍ୱ

ନାମ ଗୋପନ ରଖି ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ମତାମତ ଦେଇଥିବା ବିହାର ଭାଜପା ନେତାଙ୍କ କହିବାନୁଯାୟୀ, ବୁଥସ୍ତରୀୟ ସଙ୍ଗଠନକୁ ହିଁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି । କରୋନା ପ୍ରଭାବିତଙ୍କୁ ରିଲିଫ୍ ପ୍ରଦାନ କାର୍ଯ୍ୟ ସହ ସମାନ୍ତରାଳ ଭାବେ ନିର୍ବାଚନ ପ୍ରସ୍ତୁତି ମଧ୍ୟ ଚାଲିଛି । ରାଜ୍ୟର ସମସ୍ତ ସଙ୍ଗଠନକୁ ୭୨,୭୨୭ ବୁଥରେ ବିଭକ୍ତ କରାଯାଇଛି । ଏହି ବୁଥ୍ ସ୍ତରୀୟ ସାଙ୍ଗଠନିକ କାର୍ଯ୍ୟ ପାଇଁ ସପ୍ତର୍ଷି ସୂତ୍ର ପ୍ରୟୋଗ କରାଯାଉଛି । ଏହି ସୂତ୍ର ଅନୁଯାୟୀ, ପ୍ରତି ବୁଥରେ ୭ ଜଣ ଦଳୀୟ କାର୍ଯ୍ୟକର୍ତ୍ତା ରହିବେ । ସେଥିରେ ଜଣେ ମୁଖ୍ୟ, ଜଣେ ଉପମୁଖ୍ୟଙ୍କ ସହ ମହିଳା, ଅନୁସୂଚିତ ଜାତି ଏବଂ ଅତିପଛୁଆ ବର୍ଗର ଜଣେ ଜଣେ ପ୍ରତିନିଧି ରହିବେ ବୋଲି ଜଣାପଡିଛି । ସେହିପରି ୧୦୯୯ ମଣ୍ଡଳସ୍ତରୀୟ ସଙ୍ଗଠନ ନିର୍ବାଚନ ପାଇଁ ପ୍ରସ୍ତୁତି ହୋଇଥିବା ଜଣାପଡିଛି । ଏହା ପରେ ୯୫୪୭ ସଙ୍ଗଠନ ଶକ୍ତି କେନ୍ଦ୍ର ରୂପେ ତୃଣମୂଳରେ କାର୍ଯ୍ୟ କରିବ ବୋଲି ଜଣାପଡିଛି । ପ୍ରତି ବିଧାନସଭାରେ ଜଣେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି ।

ବଳ କଷୁଛି ଶୀର୍ଷ ନେତୃତ୍ୱ

କିଛିଦିନ ତଳେ  ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଭାଜପାର ରାଜ୍ୟ ସଭାପତି ଡକ୍ଟର ସଞ୍ଜୟ ଯଶୱାଲ, ଭାଜପାର ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଏବଂ ଭୂପେନ୍ଦ୍ର ଯାଦବ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିରେ ନିର୍ବାଚନ ସମୟକୁ ନେଇ ଦ୍ୱନ୍ଦ୍ୱ ନ ରହି ସାଙ୍ଗଠନିକ କାର୍ଯ୍ୟ ଯଥାରୀତି ଜାରି ରଖିବାକୁ ନିର୍ଦ୍ଦେଶ ରହିଛି । ଗତ ଏପ୍ରିଲ ୨୯ରେ ଦଳ ଏକ ବିଶେଷ ବୈଠକରେ ଭିଡିଓ କନଫରେନ୍ସିରେ ଭାଜପାର କେତେକ ସାଂସଦ ଭାଗୁଆଳି ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଦିଲ୍ଲୀ ନିର୍ବାଚନରେ ପରାଜୟ ପରେ ଝାଡଖଣ୍ଡରେ କ୍ଷମତା ଯିବା ପରେ ଭାଜପା ବାରଗେନ୍ ରାଜନୀତିରେ ପଛୁଆ ପଡି ଯିବାର ଆଶଙ୍କା ରହୁଛି ।

ରାଜ୍ୟସ୍ତରୀୟ ଚେହେରାର ଅଭାବ

ଏତେ ସବୁ ପରେ ବି ଭାଜପାର ଆଉ ଏକ ଅସୁବିଧା ରହିଛି । ତାହା ହେଉଛି ରାଜ୍ୟସ୍ତରୀୟ ଚେହେରା । ଜେଡିୟୁରେ ନୀତିଶ, ଆରଜେଡିରେ ତେଜସ୍ୱୀ ଯାଦବଙ୍କ ପରି ଭାଜପାର କୌଣସି ନିର୍ଦ୍ଦିଷ୍ଟ ଚେହେରା ନାହିଁ । ଯାହାକୁ ଆଗକୁ ରଖି ଭାଜପା ନିର୍ବାଚନ ବୈତରଣୀ ପାର ହେବ । ସୁଶୀଲ ମୋଦି ବିହାର ଉପମୁଖ୍ୟମନ୍ତ୍ରୀ ରହିଛନ୍ତି, ହେଲେ ସାରା ରାଜ୍ୟ ସଙ୍ଗଠନରେ ଗ୍ରହଣୀନୟତା ନାହିଁ । ରାଜ୍ୟ ସଭାପତି ଯଶୱାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା ସପକ୍ଷରେ ଦଳ ଗୋଟିଏ ଗୋଷ୍ଠୀ ଚାହୁଁ ନାହାନ୍ତି । କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ବିବାଦୀୟ ଚେହେରା  ହୋଇଥିବା ବେଳେ ନିତ୍ୟାନନ୍ଦ ରାୟ ଏବଂ ରବିଶଙ୍କର ପ୍ରସାଦଙ୍କୁ ନେଇ ମଧ୍ୟ ଦଳରେ ଦ୍ୱନୱଦ୍  ରହିଛି । ତେଣୁ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଡୋଶୀ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଉପରେ ଦଳ ନିର୍ଭର ରହିବାକୁ ହେବ । ଆଉ ଯଦି ଜେଡିୟୁ ସହ ମେଣ୍ଟ ଯଥସମ୍ଭାବ ରହିଲା, ତେବେ ବିହାର ବିଧାନସଭାରେ ନୀତିଶ କୁମାରଙ୍କ ପ୍ରଚାର ଉପରେ ମଧ୍ୟ ନିର୍ଭର କରିବାକୁ ପଡିବ ବୋଲି ସମୀକ୍ଷକମାନେ କହିଛନ୍ତି ।

ସୁସ୍ଥ ହେଲେ ୫୩ କରୋନା ସଂକ୍ରମିତ, ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର: କରୋନା କାଳରେ ଖୁସି ଖବର । ଆଜି ରାଜ୍ୟରେ ୫୩ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗଞ୍ଜାମରୁ ସର୍ବାଧିକ ୩୦ ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ୧୮, ଖୋର୍ଦ୍ଧାରୁ ୩ ଓ କେନ୍ଦୁଝରରୁ ୨ ଜଣ ଆରୋଗ୍ୟ ହୋଇଛନ୍ତି । ୫୩ ଜଣ ସୁସ୍ଥ ହେବା ପରେ ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୭୦କୁ ଖସିଛି । ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାଲିକାର ଦ୍ୱିତୀୟରେ ରହିଛି ଯାଜପୁର ଜିଲ୍ଲା । ଏବେ ଯାଏଁ ରାୟଗଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଆଜି କୋଭିଡ୍ ନିୟମରେ ପରିବର୍ତ୍ତନ ଆଣିଛନ୍ତି । ଆସନ୍ତାକାଲିଠୁ ବସ୍, ଟ୍ୟାକ୍ସି ସହ ଅଟୋ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏଥିସହ କ୍ୱାରେଣ୍ଟାଇନ୍ ଅବଧିକୁ ୧୪ ଦିନକୁ ହ୍ରାସ କରାଯାଇଛି ।

ସ୍ଥିତି ବିଗାଡ଼ିବେ କି ପଞ୍ଜିକରଣ କରିନଥିବା ପ୍ରବାସୀ ? ଆଶଙ୍କା ବ୍ୟକ୍ତ କଲେ SRC

କରୋନା ରୋଗୀ ମୋବାଇଲ ବ୍ୟବହାର କରିବେ ନାହିଁ: ମେଡିକାଲ ଡିଜି

ଉତ୍ତରପ୍ରଦେଶ: କରୋନା ଆକ୍ରାନ୍ତଙ୍କୁ ମୋବାଇଲ ମନା । ୟୁପିର ମେଡିକାଲ୍ ଡିଜି କେ.କେ ଗୁପ୍ତା ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେ କହିଛନ୍ତି, କରୋନା ଆକ୍ରାନ୍ତମାନେ ମେଡିକାଲ ଭିତରେ ମୋବାଇଲ୍‌ ବ୍ୟବହାର କରିପାରବେ ନାହିଁ । ରାଜ୍ୟର ସବୁ ମେଡିକାଲ ଏବଂ ମେଡିକାଲ କଲେଜଗୁଡ଼ିକୁ ସେ ଏଭଳି ଏକ ଚିଠି ଲେଖିଛନ୍ତି । ଏହି ମେଡିକାଲ ଡିଜି କେକେ ଗୁପ୍ତା ହେଉଛନ୍ତି, ସେହି ଡାକ୍ତର ଯିଏ କି PPE କିଟ୍‌ରେ ସମସ୍ୟା ଥିବା କଥା ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ପିପିଇ କିଟ୍‌ ବ୍ୟବହାର ଉପରେ ରୋକ ଲାଗିଥିଲା ।

ଏହି ନିର୍ଦ୍ଦେଶ ପରେ କୋଭିଡ୍‌ ହସ୍ପିଟାଲ ଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ପାଇଁ ମୋବାଇଲ ବ୍ୟବହାର ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଡିଜିଙ୍କ ଅନୁଯାୟୀ, ମୋବାଇଲ ଯୋଗୁଁ କରୋନା ସଂକ୍ରମଣ ଅଧିକ ମାତ୍ରାରେ ବ୍ୟାପିଥାଏ । ତେବେ ମେଡିକାଲ ଗୁଡ଼ିକରେ ନୂତନ ବ୍ୟବସ୍ଥା ଅନୁଯାୟୀ ଓ୍ୱାର୍ଡ ଇନ୍‌ଚାର୍ଜଙ୍କ ପାଖରେ ଦୁଇ ମୋବାଇଲ ଫୋନ୍‌ ରହିବ । ସେହି ମୋବାଇଲ ମାଧ୍ୟମରେ ରୋଗୀମାନେ ନିଜ ପରିଜନଙ୍କ ସହ ଆବଶ୍ୟକ ଥିଲେ କଥା ହେବ ।

ୱାର୍ଡ ଇନଚାର୍ଜ ନିକଟରେ ରଖାଯାଇଥିବା ସେହି ଦୁଇଟି ଫୋନ୍‌ ନମ୍ବର ରୋଗୀଙ୍କ ପରିବାର ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟକୁ ଉପଲବ୍ଧ କରାଯିବା ।

ପୁଣି ଜଣେ ସାଧୁଙ୍କୁ ହତ୍ୟା, କାର୍‌ ଭିତରେ ପୁରାଇ ନେଉଥିଲା ଅଭିଯୁକ୍ତ…

ମହାରାଷ୍ଟ୍ରର ପାଲଘରରେ ସାଧୁଙ୍କୁ ହତ୍ୟା ପରେ ଏବେ ଆଉ ଜଣେ ସାଧୁଙ୍କୁ ହତ୍ୟା କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ପାଲ୍‌ଘରରେ ମବ୍‌ ଲିଞ୍ଚିଂରେ ଦୁଇ ସାଧୁଙ୍କୁ ହତ୍ୟା ପରେ ଏବେ ନନ୍ଦେଡରେ ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ସାଧୁଙ୍କୁ ହତ୍ୟା କରାଯାଇଛି । ଯାହାକି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଛି । ସାଧୁଙ୍କ ନାଁ ରୁଦ୍ର ପାଶୁପତି ମହାରାଜ ବୋଲି ଜଣାପଡ଼ିଛି । ପୋଲିସର କହିବାନୁଯାୟୀ, ଲିଙ୍ଗାୟତ ସମାଜର ଜଣେ ବ୍ୟକ୍ତି ସାଇନାଥ ରାମ ଏହି ସାଧୁଙ୍କୁ ହତ୍ୟା କରିଛି । ସାଧୁଙ୍କ ବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ସେହି ଅଞ୍ଚଳରେ ହତ୍ୟା କରାଯାଇଛି । ସେହି ଅଭିଯୁକ୍ତ ସାଇନାଥଙ୍କ ସହଯୋଗୀ ବୋଲି ପୋଲିସ ଅନୁମାନ କରୁଛି ।

ରାତି ପ୍ରାୟ ୧୨ ଟାରୁ ୧୨.୩୦ ମଧ୍ୟରେ ସାଧୁଙ୍କୁ ହତ୍ୟା କରାଯାଇଛି । ଅଭିଯୁକ୍ତ ଆଶ୍ରମରେ ସାଧାରଣ ଭାବେ ଫାକଟ ଏବଂ କବାଟ ଦେଇ ପ୍ରବେଶ କରିଥିଲା । ସାଧୁଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସାଇନାଥଙ୍କ ମୃତଦେହକୁ ଲୁଚାଇବାକୁ ମଧ୍ୟ ଚେଷ୍ଟା କରିଥିଲା । ସେ ସାଧୁଙ୍କ ମୃତଦେହକୁ ତାଙ୍କ କାରରେ ଲୁଚାଇ ନେବାକୁ ଚେଷ୍ଟା କରିଥିଲା, ହେଲେ କାର୍‌ଟି ଫାଟକ ନିକଟରେ ହିଁ ଫସି ଯାଇଥିଲା । ଫଳରେ ଆଶ୍ରମ ଛାତ ଉପରେ ଶୋଇଥିବା ଦୁଇ ସେବକଙ୍କ ନିଦ ଭାଙ୍ଗିଯାଇଥିଲା । ସେମାନେ ଦୌଡ଼ି ଆସି ଅଭିଯୁକ୍ତକୁ କାବୁ କରିବାକୁ ଚେଷ୍ଟା କରିଥିଲେ । ହେଲେ ଅଭିଯୁକ୍ତ ଖସି ପଳାଇବାରେ ସକ୍ଷମ ହୋଇଥିଲା । ଏହା ମଧ୍ୟରେ ରବିବାର ସକାଳେ ଜିଲ୍ଲା ପରିଷଦ ସ୍କୁଲ ନିକଟରେ ଆଉ ଏକ ମୃତଦେହ ମିଳିଥିଲା ।

ଅନ୍ୟ ମୃତ ବ୍ୟକ୍ତି ହେଉଛନ୍ତି ଅଭିଯୁକ୍ତର ସହଯୋଗୀ
ଦ୍ୱିତୀୟ ମୃତକ ଜଣକ ହେଉଛନ୍ତ ଭଗବାନ ରାମ ସିନ୍ଦେ । ପୋଲିସର କହିବାନୁଯାୟୀ ଅଭିଯୁକ୍ତ ସାଇନାଥର ସହଯୋଗୀ  ଏବଂ ସ୍କୁଲ ନିକଟରେ ତାର ମୃତଦେହ ଉଦ୍ଧାର କରାଯାଇଛି । ଅଭିଯୁକ୍ତ ମଧ୍ୟ ଲିଙ୍ଗାୟତ ସମାଜର ବୋଲି ଜଣାପଡ଼ିଛି । ତେବେ ଅଭିଯୁକ୍ତ କାହିଁକି ସାଧୁଙ୍କୁ ହତ୍ୟା କଲା ଏବଂ ଏହା ପରେ ସେ ତାଙ୍କ ସାଥୀକୁ ମଧ୍ୟ ହତ୍ୟା କଲା କି ? ଏନେଇ ପୋଲିସ ତଦନ୍ତ ଚଳାଇଛି । ସାଧୁ ମହାରାଜ ୨୦୦୮ରେ ନିର୍ବାଣୀ ମଠ ପ୍ରତିଷ୍ଠାନକୁ ଆସିଥିଲେ । ଏହି ମଠ ପ୍ରାୟ ଶହେ ବର୍ଷ ପୁରୁଣା ମଠ ଅଟେ ।

ରାଜ୍ୟ ବାହାରୁ ଆସୁଥିଲେ ବି ଦରକାର ନାହିଁ ସଂଘରୋଧରେ ରହିବା, କରିବାକୁ ପଡ଼ିବ ଏମିତି…

ଭୁବନେଶ୍ୱର: ସଂଘରୋଧ ନିୟମରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର । ଏଣିକି ବାହାରୁ ଫେରୁଥିବା ପ୍ରବାସୀ ୨୧ ଦିନ ବଦଳରେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ । ଗ୍ରାମାଞ୍ଚଳକୁ ଫେରୁଥିବା ପ୍ରବାସୀ ଅତି କମରେ ପଞ୍ଚାୟତରେ ୭ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ । ଲକ୍ଷଣ ନଥିଲେ ଘରେ ଆଉ ୭ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ଅନୁମତି ଦିଆଯିବ । ଯଦି, ଘରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ନଥିବ ତେବେ ତାଙ୍କୁ ସେଇଠି ହିଁ ୧୪ ଦିନ ରଖାଯିବ । ଏନେଇ ପଞ୍ଚାୟତ ସ୍ତରରେ ଅଧିକାରୀ ନିଷ୍ପତ୍ତି ନେବେ ।

ସେହିଭଳି ସହରାଞ୍ଚଳକୁ ଫେରୁଥିବା ବ୍ୟକ୍ତି ମଧ୍ୟ କ୍ୱାରେଣ୍ଟାଇନରେ ରହିବେ । ସେମାନେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ । ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ସ୍ଥାନୀୟ ଅଧିକାରୀ କହିବେ । ତା ଛଡ଼ା ପେଡ୍ କ୍ୱାରେଣ୍ଟାଇନରେ ରହିପାରିବେ । ହୋଟେଲରେ ରହିବା ପାଇଁ ପେଡ୍ କ୍ୱାରେଣ୍ଟାଇନ୍ ଖର୍ଚ୍ଚ ବ୍ୟକ୍ତି ଜଣଙ୍କ ବହନ କରିବେ । ତା’ଛଡ଼ା ଗୋଷ୍ଠୀ ସଂଘରୋଧରେ ମଧ୍ୟ ରହିବାର ବ୍ୟବସ୍ଥା ରହିଛି ।

କିଛି ସରକାରୀ କର୍ମଚାରୀ, ବ୍ୟବସାୟୀ ଓ ବୃତ୍ତିଗତ ଲୋକ ବାହାର ରାଜ୍ୟରୁ ୩ ଦିନ ପାଇଁ ଓଡ଼ିଶା ଆସୁଥିଲେ କ୍ୱାରେଣ୍ଟାଇନରେ ରହିବାର ଆବଶ୍ୟକତା ନାହିଁ । ୭୨ ଘଣ୍ଟାରୁ ଅଧିକ ସମୟ ରହିଲେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ସେହିଭଳି ରାଜ୍ୟ ବାହାରକୁ ଯାଉଥିବା ଓଡ଼ିଆ ୩ ଦିନ ମଧ୍ୟରେ ଫେରିଲେ କ୍ୱାରେଣ୍ଟାଇନରେ ରହିବା ଦରକାର ନାହିଁ । ସେହିଭଳି ଅନ୍ୟ ରାଜ୍ୟରେ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତି ଓଡ଼ିଶା ଫେରିବା ପରେ ପ୍ରମାଣପତ୍ର ଦେଖାଇଲେ ସଂଘରୋଧରେ ରହିବା ଆବଶ୍ୟକ ନାହିଁ ।

ସ୍ଥିତି ବିଗାଡ଼ିବେ କି ପଞ୍ଜିକରଣ କରିନଥିବା ପ୍ରବାସୀ ? ଆଶଙ୍କା ବ୍ୟକ୍ତ କଲେ SRC

ରାଜଧାନୀରେ ଖୋଲିଲା ପାର୍କ, ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର: ଆଜିଠୁ ଖୋଲିଲା ପାର୍କ । ଭବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ପାର୍କ ଗୁଡ଼ିକ ରବିବାରଠାରୁ ପୁଣି ଖୋଲାଯାଇଛି । ଲକ୍‌ଡାଉନ୍‌ ଯୋଗୁଁ ପାଖାପାଖି ୬୦ ଦିନ ବନ୍ଦ ଥିବା ପାର୍କ ଗୁଡ଼ିକୁ ଆଜି ଜନସାଧାରଣଙ୍କ ପାଇଁ ଖୋଲାଯାଇଛି ।  ତେବେ ପାର୍କ ଖୋଲିଲା ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସକାଳୁ ସକାଳୁ ପାର୍କ ଖୋଲିବା ପରେ ଲୋକମାନେ ସେଠାରେ ପହଞ୍ଚି ଯୋଗ, ବ୍ୟାୟାମ କରିବା ସହ ଜଗିଂ କରୁଥିବା ଦେଖାଯାଇଛି । ତେବେ ପାର୍କ ଭିତରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମଜିକ ଦୂରତା ନିୟମକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ଏବେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଛି । ଗତ ମାର୍ଚ୍ଚ ୨୪ରୁ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିଲା । ସେବେଠାରୁ ସବୁ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକୁ ଲକ୍‌ କରାଯାଇଥିଲା । ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ମଧ୍ୟ ଏହି ନିୟମ କାନୁନ୍‌ କଡ଼ା କଡ଼ି ପାଳନ କରାଯାଇଥିଲା । ହେଲେ ତୃତିୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳେ କିଛି ମାତ୍ରାରେ ନିମୟ କୋହଳ କରାଯାଇଥିଲା ଏବଂ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳେ ଅର୍ଥାତ୍‌ ମେ’ ୧୮ ତାରିଖଠାରୁ ଅଧିକାଂଶ କ୍ଷେତ୍ରରେ କୋହଳ କରାଯାଇଛି । ତେବେ ସବୁ ସ୍ଥାନରେ ସାମାଜିକ ଦୂରତା ନିୟମ ମାନିବାକୁ ଗୁରୁତ୍ୱ ଦିଆଯିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

କଟକଣା ସହ କୋହଳ ହେଲା ନିୟମ, କାଲିଠୁ ଗଡ଼ିବ ବସ୍ ଓ ଅଟୋ

ଭୁବନେଶ୍ୱର: ଟ୍ରେନ୍ ଓ ବିମାନ ସେବା ଆରମ୍ଭ ହୋଇଥିବାରୁ କୋଭିଡ୍ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଲକଡାଉନ୍ ୪.୦ରେ ରାତ୍ରୀ କର୍ଫ୍ୟୁ ଲାଗୁ ରହିଥିବା ବେଳେ ରାତିରେ ବି ଟ୍ରେନ୍ ଓ ବିମାନ ପହଞ୍ଚୁଛି । ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟରେ ଓଲା, ଉବେର ସମେତ ଅଟୋ ରିକ୍ସା ଚାଲିବ । ଏସବୁ ଗାଡ଼ିରେ ଡ୍ରାଇଭର ବ୍ୟତୀତ ୨ ଜଣ ଯାତ୍ରୀ ଯାଇପାରିବେ । ଆସନ୍ତାକାଲି ଠାରୁ ସିଟି ବସ୍ ସହ ଆନ୍ତଃ ଜିଲ୍ଲା ବସ୍ ଚଳାଚଳ କରିବେ ।

ତେବେ ବସରେ ସିଟ୍ କ୍ଷମତା ଠାରୁ ଅଧିକ ଯାତ୍ରୀ ଯାଇପାରିବେ ନାହିଁ । ଏହା ଉପରେ ପରିବହନ ବିଭାଗ ତୀକ୍ଷଣ ନଜର ରଖିବ । ଆନ୍ତଃରାଜ୍ୟ ଟ୍ରେନ୍ ମଧ୍ୟ ଚଳାଚଳ କରିବ । କେନ୍ଦ୍ର ସରକାର ଓ ରେଲୱେ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ ଯାତ୍ରୀ ଯାତ୍ରା କରିବେ । ରାତ୍ରୀକାଳୀନ କର୍ଫ୍ୟୁ ଥିଲେ ବି ଯାତ୍ରୀଙ୍କୁ ନେବା ଆଣିବା ପାଇଁ ଟ୍ୟାକ୍ସି ଓ ଅଟୋ ୨୪ ଘଣ୍ଟା ବିମାନବନ୍ଦର, ବସ ଷ୍ଟପ୍ ଓ ରେଲୱେ ଷ୍ଟେସନକୁ ଚଳାଚଳ କରିପାରିବେ ।

ତେବେ, ଯାତ୍ରୀମାନେ ସବୁବେଳେ ମାସ୍କ ପିନ୍ଧିବେ । ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । କାହାଠାରେ କୋଭିଡର ଲକ୍ଷଣ ଥିଲେ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ । ସଙ୍ଗେ ସଙ୍ଗେ ୧୦୪ ନମ୍ବରକୁ ଜଣାଇଲେ ତାଙ୍କୁ କଣ କରିବେ ଜଣାଇ ଦିଆଯିବ । ଆବଶ୍ୟକ ପଡ଼ିଲେ ମେଡିକାଲ ସହାୟତା ଯୋଗାଇ ଦିଆଯିବ । ବସ୍, ଟ୍ରେନରେ ଗଲାବେଳେ ସାମାଜିକ ଦୂରତା ରକ୍ଷା ସହ ସାନିଟାଇଜର ବ୍ୟବହାର କରିବେ ।

ସ୍ଥିତି ବିଗାଡ଼ିବେ କି ପଞ୍ଜିକରଣ କରିନଥିବା ପ୍ରବାସୀ ? ଆଶଙ୍କା ବ୍ୟକ୍ତ କଲେ SRC