ରାଜଧାନୀରେ ଖୋଲିଲା ପାର୍କ, ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର: ଆଜିଠୁ ଖୋଲିଲା ପାର୍କ । ଭବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ପାର୍କ ଗୁଡ଼ିକ ରବିବାରଠାରୁ ପୁଣି ଖୋଲାଯାଇଛି । ଲକ୍‌ଡାଉନ୍‌ ଯୋଗୁଁ ପାଖାପାଖି ୬୦ ଦିନ ବନ୍ଦ ଥିବା ପାର୍କ ଗୁଡ଼ିକୁ ଆଜି ଜନସାଧାରଣଙ୍କ ପାଇଁ ଖୋଲାଯାଇଛି ।  ତେବେ ପାର୍କ ଖୋଲିଲା ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସକାଳୁ ସକାଳୁ ପାର୍କ ଖୋଲିବା ପରେ ଲୋକମାନେ ସେଠାରେ ପହଞ୍ଚି ଯୋଗ, ବ୍ୟାୟାମ କରିବା ସହ ଜଗିଂ କରୁଥିବା ଦେଖାଯାଇଛି । ତେବେ ପାର୍କ ଭିତରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମଜିକ ଦୂରତା ନିୟମକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ଏବେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଛି । ଗତ ମାର୍ଚ୍ଚ ୨୪ରୁ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିଲା । ସେବେଠାରୁ ସବୁ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକୁ ଲକ୍‌ କରାଯାଇଥିଲା । ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ମଧ୍ୟ ଏହି ନିୟମ କାନୁନ୍‌ କଡ଼ା କଡ଼ି ପାଳନ କରାଯାଇଥିଲା । ହେଲେ ତୃତିୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳେ କିଛି ମାତ୍ରାରେ ନିମୟ କୋହଳ କରାଯାଇଥିଲା ଏବଂ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳେ ଅର୍ଥାତ୍‌ ମେ’ ୧୮ ତାରିଖଠାରୁ ଅଧିକାଂଶ କ୍ଷେତ୍ରରେ କୋହଳ କରାଯାଇଛି । ତେବେ ସବୁ ସ୍ଥାନରେ ସାମାଜିକ ଦୂରତା ନିୟମ ମାନିବାକୁ ଗୁରୁତ୍ୱ ଦିଆଯିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Leave a Reply