ସ୍ଥିତି ବିଗାଡ଼ିବେ କି ପଞ୍ଜିକରଣ କରିନଥିବା ପ୍ରବାସୀ ? ଆଶଙ୍କା ବ୍ୟକ୍ତ କଲେ SRC

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ୨ ସପ୍ତାହ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ଏହା ଚିନ୍ତାଜନକ ନୁହେଁ । ଫେରୁଥିବା ପ୍ରବାସୀମାନଙ୍କୁ ଠିକ୍ ଭାବେ କ୍ୱାରେଣ୍ଟାଇନରେ ରଖାଯାଉଥିବାରୁ ସ୍ଥିତି ଭଲ ଅଛି । ଗ୍ରାମାଞ୍ଚଳରେ ସରପଞ୍ଚ ଓ ସ୍ୱୟଂ ସହାୟକ ଗୋଷ୍ଠୀ କ୍ୱାରେଣ୍ଟାଇନକୁ ସଫଳ କରିଛନ୍ତି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି । ବସ୍, ଟ୍ରେନ୍, ବିମାନରେ ଫେରୁଥିବା ପ୍ରବାସୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି ।

ଇତିମଧ୍ୟରେ କେନ୍ଦ୍ର ସରକାର ନିୟମରେ କିଛି ପରିବର୍ତ୍ତନ ଆଣିଛନ୍ତି । ଆସନ୍ତାକାଲି ଠାରୁ ବିମାନ ଚଳାଚଳ ଆରମ୍ଭ ହେବ । ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରର କାର୍ଯ୍ୟକ୍ଷମ ହେବ । ଟ୍ରେନ୍ ମଧ୍ୟ ଚାଲିବ । ଫଳରେ କ୍ୱାରେଣ୍ଟାଇନ୍ ପଞ୍ଜିକରଣରେ ଅସୁବିଧା ହେବ । ତେଣୁ, ଜନସାଧାରଣ ଏଥିପ୍ରତି ସତର୍କ ରହି ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହନ୍ତି ।

ରାଜ୍ୟର ସହମତି ବିନା ଏବେ ଶ୍ରମିକ ଟ୍ରେନ୍ ରାଜ୍ୟକୁ ଆସିପାରୁଛି । ଫଳରେ କେତେ ଯାତ୍ରୀ, କେଉଁ ଷ୍ଟେସନରେ ଓହ୍ଲାଇବେ ଜଣାପଡ଼ୁନାହିଁ । ନିର୍ଦ୍ଦିଷ୍ଟ ବ୍ୟବସ୍ଥା କରିବା ସମ୍ଭବ ନୁହେଁ, ଏତେ ସହଜ ନୁହେଁ । ଗତକାଲି ରାତିରେ ତେଲଙ୍ଗାନାରୁ ୧୨ଟି ସ୍ୱତନ୍ତ୍ର ଟ୍ରେନ୍ ବାହାରିଛି । ଏନେଇ ତେଲଙ୍ଗାନା କିଛି ସୂଚନା ଦେଇନଥିବା ବେଳେ ରେଲବାଇ ସୂଚନା ଦେଇଛନ୍ତି ।

୧୨ଟି ଟ୍ରେନରେ ପ୍ରାୟ ୧୨ ହଜାରରୁ ଅଧିକ ପ୍ରବାସୀ ଫେରିବେ । ସୂଚନା ନଥିବାରୁ ପ୍ରବାସୀଙ୍କ ପାଇଁ ବ୍ୟବସ୍ଥା କରିବାରେ ଅସୁବିଧା ହେବ । ସେମାନେ କେଉଁ ଜିଲ୍ଲାକୁ ଯିବେ, କେଉଁ ଷ୍ଟେସନରେ ଓହ୍ଲାଇବେ ଜଣାନଥିବାରୁ ସାମାନ୍ୟ ଅସୁବିଧା ହେବ । ଆସୁଥିବା ପ୍ରବାସୀଙ୍କୁ ଅନୁରୋଧ ସେମାନେ ଆଗୁଆ ସୂଚନା ଦିଅନ୍ତୁ । ଫଳରେ ଆସୁଥିବା ପ୍ରବାସୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିହେବ । ବିନା ସୂଚନାରେ ଆସୁଥିବା ପ୍ରବାସୀଙ୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ସୁବିଧା ଲାଗୁ ହୋଇନପାରେ । ଏପରିକି ସେମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

Leave a Reply