spot_img
Home Blog Page 7035

ରାଜ୍ୟରେ ସୁସ୍ଥ ହେଲେ ୮୦ କରୋନା ସଂକ୍ରମିତ, ୧୫ଟି ଜିଲ୍ଲାରେ ସୁସ୍ଥ ହାର ବଢ଼ିଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂଖ୍ୟା ବାରମ୍ବାର ବଢ଼ିବାରେ  ଲାଗିଛି । ଏବେ ଦୈନିକ ଏକ ଶହରୁ ଅଧିକ କରୋନା ସଂକ୍ରମିତି ଚିହ୍ନଟ ହେଉଛନ୍ତି । ଏଇ ଭିତରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ମଙ୍ଗଳବାର ପୁଣି ୮୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ୍‌ ସୁସ୍ଥ ସଂଖ୍ୟା ୧୩୨୫ ରେ ପହଞ୍ଚିଛି । ୧୫ଟି ଜିଲ୍ଲାରୁ ୮୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହି ୮୦ ଜଣଙ୍କ ମଧ୍ୟରୁ ପୁରୀରେ ୧୭ ଜଣ, କଟକରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୨ଶହ ପାର

ସେହିଭଳି କେନ୍ଦ୍ରାପଡ଼ା ଓ ମାଲକାନଗିରିରୁ ୧୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ନୟାଗଡ଼, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି । ସେପଟେ ଗଞ୍ଜାମ, କନ୍ଧମାଳ ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗିର, ଜଗତସିଂହପୁର, ନବରଙ୍ଗପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ସଂଖ୍ୟା ଏବେ ୨୨୪୫ ରେ ପହଞ୍ଚିଥିବା ବେଳେ ସକ୍ରିୟ ରହିଛନ୍ତି ୯୧୧ ଜଣ । ଏହାସହ ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୩୨୫ ଏବଂ ୭ ଜଣଙ୍କର ମୃତ୍ୟୁ ହୋଇଛି ।

ବିନା ଭକ୍ତରେ ହେବ ସ୍ନାନଯାତ୍ରା, ଯାତ୍ରା ଦିନ ୧୪୪ ଧାରା

File Pic

ପୁରୀ: ବିନା ଭକ୍ତରେ ହେବ ସ୍ନାନ ଯାତ୍ରା । ଭକ୍ତଙ୍କୁ ପରୀକ୍ଷା କରିବାକୁ ମହାପ୍ରଭୁଙ୍କ ମହାଲୀଳା ।  କୋଭିଡ ୧୯ ଗାଇଡଲାଇନକୁ ସମ୍ମାନ ଜଣାଇ କିଭଳି ସ୍ନାନ ଯାତ୍ରା ଅନୁଷ୍ଠିତ ହେବ ସେନେଇ ଆଜି ବୈଠକ ବସିଥିଲା  । ବୈଠକରେ ସେବାୟତଙ୍କ ସହ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଏବଂ ପୁରୀ ଜିଲ୍ଲାପାଳ ଏନେଇ ଆଲୋଚନା କରିଥିଲେ ।

ବିନା ଭକ୍ତରେ ସ୍ନାନ ଯାତ୍ରା ହେବ ନେଇ ନିଷ୍ପତ୍ତି ନିଆଯାଇଛି । କେବଳ ସେତି ନୁହେଁ ସ୍ନାନଯାତ୍ରା ଦିନ ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ୧୪୪ଧାରା ଲାଗୁହେବ । ସ୍ନାନ ଯାତ୍ରା ନେଇ ସେବାୟତଙ୍କ ସହ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ନାନ ଯାତ୍ରା ନେଇ ପୁରୀ ଜିଲ୍ଲାପାଳଙ୍କ ସୂଚନା ।  ସେହିପରି ଚମ୍ପକ ଦ୍ୱାଦଶୀ, ଶ୍ରୀମନ୍ଦିର ଭିତରେ କରିବା ନେଇ ନିଷ୍ପତ୍ତି ହୋଇଛି । କୋଭିଡ଼-୧୯ ଭଳି ସଙ୍କଟ ପରିସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତି ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଇଥିଲା । ଏବଂ  ପରାମର୍ଶ କ୍ରମେ ହିଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ଜାଣନ୍ତୁ କଣ ପାଇଁ ହ୍ୟୁଷ୍ଟନ ପୋଲିସ ମୁଖ୍ୟ ଦେଶର ରାଷ୍ଟ୍ରପତିଙ୍କୁ କହିଲେ,ପାଟି ବନ୍ଦ କର ?

ନ୍ୟୁୟର୍କ: ଏମିତି ଆମେରିକାରେ ହିଁ ହୋଇପାରେ । ଆମେରିକାରେ ହିଁ ଜଣେ ପୋଲିସ ମୁଖ୍ୟ ତାଙ୍କ ରାଷ୍ଟ୍ରପତିଙ୍କୁ କହିପାରିବେ,ବହୁତ ଗପୁଛ,ଏବେ ଚୁପ ହୁଅ । ଆଉ ଆମେରିକାରେ ହିଁ ପୋଲିସ ଆଣ୍ଢେଇ ନିଜ ଭୁଲ ପାଇଁ କ୍ଷମା ମାଗିପାରେ । କଳ୍ପନାରେ ବି ଆପଣ ଏମିତି କଳ୍ପନା ଭାରତରେ କରି ପାରିବେ ନାହିଁ । ରାଷ୍ଟ୍ରପତି ଛାଡନ୍ତୁ ବିଧାୟକଙ୍କୁ ବି ତାଗିଦ୍ କରିବା ଆଗରୁ ଶହେଥର ଭାବିବେ ଆମ ପୋଲିସ । ଆଉ ରହିଲା ଆଣ୍ଢେଇବା କଥା,ଭାରତ ଇତିହାସରେ ଏମିତି ଅନେକ ଫେକ୍ ଏନକାଉଣ୍ଟର ଘଟିଛି ଯେଉଁଥିପାଇଁ ପୋଲିସ ‘ସରି’ ଟିକେ ବି କହିନି । କିନ୍ତୁ ଆମେରିକାରେ ସବୁ ସମ୍ଭବ । ସେଠି ପୋଲିସ ଆଣ୍ଢେଇବି ପାରେ ଏବଂ ରାଷ୍ଟ୍ରପତିଙ୍କୁ ଚୁପ ରହିବାକୁ ମଧ୍ୟ ତାଗିଦ କରିପାରେ । ଆସନ୍ତୁ ଜାଣିବା କଣ ପାଇଁ ଜଣେ ପୋଲିସ ମୁଖ୍ୟ ନିଜ ରାଷ୍ଟ୍ରପତିଙ୍କୁ ଏତେବଡ କଥା କହିଲେ

ରାଷ୍ଟ୍ରପତି ପାଟି ବନ୍ଦ କରନ୍ତୁ

ଆମେରିକାର ମିନିୟାପୋଲିସରେ ପୋଲିସ ହେପାଜତରେ ଜଣେ ଅଶ୍ୱେତ ବିଚାରପତିଙ୍କ ମୃତ୍ୟୁକୁ ନେଇ ହିଂସା ଓ ପ୍ରତିବାଦ ଜାରି ରହିଛି । କରୋନା ମାଡରୁ ଉବୁରି ନଥିବା ଆମେରିକାରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ଦେଶରେ ସେନା ମୁତୟନ ପାଇଁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟପାଳ ମାନେ ଦୁର୍ବଳତା ଦେଖାଉଛନ୍ତି । ଟ୍ରମ୍ପଙ୍କ ଏହି ବୟାନକୁ ସମାଲୋଚନା କରିଛନ୍ତି ହ୍ୟୁଷ୍ଟନ ପୋଲିସ ମୁଖ୍ୟ ଆର୍ଟ ଏକବେଡୋ । କେବଳ ବିରୋଧ ନୁହେଁ ସେ ରାଷ୍ଟ୍ରପତିଙ୍କୁ ପାଟି ବନ୍ଦ ରଖିବାକୁ କହିଛନ୍ତି ।

ହ୍ୟୁଷ୍ଟନର ପୋଲିସ ମୁଖ୍ୟ କହିଛନ୍ତି ଯେ, ‘‘ ମୁଁ ଦେଶର ପୋଲିସ ମୁଖ୍ୟଙ୍କ ତରଫରୁ ଆମେରିକା ରାଷ୍ଟ୍ରପତିଙ୍କ ଏହା କହିବାକୁ ଚାହିଁବି ଯେ, ଯଦି ଆପଣଙ୍କ ପାଖରେ କହିବା ପାଇଁ  କିଛି ଗଠନାତ୍ମକ ପ୍ରସଙ୍ଗ ନାହିଁ ତେବେ ଦୟାକରି ନିଜ ମୁହଁ ବନ୍ଦ ରଖନ୍ତୁ । ଏହାପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ରାଜ୍ୟର ଗଭର୍ଣ୍ଣରଙ୍କ ସହ ଆଲୋଚନା କାଳରେ କହିଥିଲେ ଯେ, ଆପଣମାନେ ପ୍ରଦର୍ଶନକାରୀଙ୍କ ଉପରେ ନିଜ ପ୍ରଭୂତ୍ୱ ବିସ୍ତାର  କରନ୍ତୁ । ଯଦି ଏପରି କରୁନାହାନ୍ତି ତେବେ ଆପଣ ନିଜ ସମୟ ନଷ୍ଟ କରୁଛନ୍ତି ।

୨୪ ରାଜ୍ୟରେ ନ୍ୟାସନାଲ ଗାର୍ଡର ୧୭ ହଜାର ସୈନିକ ମୁତ୍ତୟନ

ଉତ୍ତରରେ ନ୍ୟୁୟର୍କଠାରୁ ଦକ୍ଷୀଣରେ ଅଷ୍ଟିନ ପର୍ଯ୍ୟନ୍ତ ଓ ପୂର୍ବରେ ୱାସିଂଟନରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ହିଂସା ଉପରେ କାବୁ ପାଇଁ ଆମେରିକାର ୫୦ ରାଜ୍ୟ ମଧ୍ୟରୁ ୨୪ ରାଜ୍ୟରେ ୧୭ ହଜାର ସୈନିକଙ୍କୁ ମୁତ୍ତୟନ କରାଯାଇଛି ।

ପୁଣି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ, ରେଟିଂରେ ସବା ଆଗରେ

ନୂଆଦିଲ୍ଲୀ: ୨୦ ବର୍ଷ ଧରି ଓଡ଼ିଶାର ମଙ୍ଗ ଧରିଥିବା ନବୀନ ପଟ୍ଟନାୟକ ପୁଣିଥରେ ଲୋକପ୍ରିୟତାରେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଛନ୍ତି । ସି-ଭୋଟର ଦ୍ୱାରା କରାଯାଇଥିବ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ସର୍ଭେ ଅନୁସାରେ ୮୨.୯୬ ପ୍ରତିଶତ ଲୋକ ନବୀନ ପଟ୍ଟନାୟକଙ୍କୁ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ।

ଷ୍ଟେଟ୍ ଅଫ୍ ନେସନ୍: ମେ’ ୨୦୨୦ ନାମରେ କରାଯାଇଥିବା ଏହି ସର୍ଭେର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ସଭା ଉପରେ ଥିବା ବେଳେ ତାଙ୍କ ତଳେ ଅଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ଭାଗେଲ । ଏହି ତାଲିକାରେ ବିଜେପିର ଦୁଇ ଜଣ ମୁଖ୍ୟମନ୍ତ୍ରୀ ଥିବା ବେଳେ କଂଗ୍ରେସର ଜଣେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ନମ୍ବରରେ ଅଛନ୍ତି । ତାଙ୍କୁ ୭୪ ପ୍ରତିଶତ ମତ ମିଳିଛି ।

ଅନ୍ୟପକ୍ଷରେ କମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ,ହରିୟାଣାର ମନୋହର ଖଟ୍ଟର ଓ ପଞ୍ଜାବର ଅମରିନ୍ଦର ସିଂହ ରହିଛନ୍ତି ।

ମୋଦିଙ୍କ ଲୋକପ୍ରିୟତା ବଜାୟ

ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଏବେ ମଧ୍ୟ ବଜାୟ ରହିଛି । ମୋଦିଙ୍କୁ ୬୫.୬୯ ପ୍ରତିଶତ ଜନସମର୍ଥନ ମିଳିଛି । ଓଡ଼ିଶା ମୋଦିଙ୍କୁ ୯୫ ପ୍ରତିଶତ ରେଟିଂ ଦେଇଥିବା ବେଳେ ହିମାଚଳ ପ୍ରଦେଶ ୯୩.୯୫ ଓ ଛତିଶଗଡର ୯୨.୭୩ ପ୍ରତିଶତ ମୋଦିଙ୍କୁ ସମର୍ଥନ କରନ୍ତି ।

ସର୍ଭେରେ ଭାଗ ନେଇଥିଲେ ୩ ହଜାର ମତଦାତା

ସି-ଭୋଟର ଦ୍ୱାରା କରାଯାଇଥିବା ଏହି ସର୍ଭେରେ ୩ ହଜାର ମତଦାତା ଭାଗ ନେଇଥିଲେ । ଉତ୍ତର,ପୂର୍ବ ଓ ପଶ୍ଚିମ ଭାଗରେ ମୋଦି ଲୋକପ୍ରିୟତା ବଜାୟ ରଖିଛନ୍ତି ସତ କିନ୍ତୁ ଦକ୍ଷୀଣ ଭାରତରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଲୋକପ୍ରିୟତା କମ ରହିଛି । ତାମିଲନାଡୁରେ ମୋଦିଙ୍କୁ ନେଇ ଭୋଟର ସନ୍ତୁଷ୍ଠ ନାହାନ୍ତି । ସେଠାରେ ମାତ୍ର ୩୨ ପ୍ରତିଶତ ମୋଦିଙ୍କୁ ପସନ୍ଦ କରନ୍ତି । ସେହିଭଳି ବିହାରରେ ୫୮ ପ୍ରତିଶତଙ୍କ ପସନ୍ଦ ହେଉଛନ୍ତି ମୋଦି ।

ପଙ୍ଗପାଳ ବାଟ ବଦଳାଇ ମଧ୍ୟପ୍ରଦେଶ ଫେରିଲେ, ତଥାପି ସତର୍କ ଓଡ଼ିଶା ସରକାର

ଭୁବନେଶ୍ୱର: ସାମୟିକ ଭାବେ ପଙ୍ଗପାଳ ଆତଙ୍କରୁ ଓଡ଼ିଶାକୁ ମିଳିଛି ମୁକ୍ତି । ଓଡ଼ିଶା ମୁହାଁ ହେଉଥିବା ପଙ୍ଗପାଳ ରାସ୍ତା ବଦଳାଇ ମଧ୍ୟପ୍ରଦେଶ ମୁହାଁ ହୋଇଛନ୍ତି । ଛତିଶଗଡରୁ ସେମାନେ ପୁଣି ଥରେ ମଧ୍ୟପ୍ରଦେଶ ଉଡି ଯାଇଛନ୍ତି । ମଧ୍ୟପ୍ରଦେଶ କୃଷି ବିଭାଗ ତରଫରୁ ମିଳିଥିବା ଏହି ସୂଚନା ଓଡ଼ିଶା ଚାଷୀଙ୍କୁ ଆଶ୍ୱସ୍ତି ଦେଇଛି । କାରଣ ଅନୁମାନ କରାଯାଉଥିଲା ଯେ, ପଶ୍ଚିମ ଓଡ଼ିଶାରୁ ୬ ଶହ କିଲୋମିଟର ଦୂରରେ ଛତିଶଗଡରେ ଆତଙ୍କ ସୃଷ୍ଟି କରିଥିବା ପଙ୍ଗପାଳ ଗୁରୁବାର ରାତି ବେଳକୁ ଓଡ଼ିଶା ଆସିବେ  । ପଙ୍ଗପାଳ ଓଡ଼ିଶା ଆସୁଥିବା ଖବର ବ୍ୟାପିବା ପରେ ଚାଷୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଅଦିନିଆ ବର୍ଷା ଓ ବାତ୍ୟା ମାଡ ସହିଥିବା ଓଡ଼ିଶା ଚାଷୀ ସେମାନଙ୍କ ବର୍ଷକର ପରିଶ୍ରମକୁ ପଙ୍ଗପାଳ ଶେଷ କରିଦେବେ ବୋଲି ଆତଙ୍କିତ ହୋଇ ପଡିଥିଲେ ।

ରାଜ୍ୟ ସରକାର ମଧ୍ୟ ପଙ୍ଗପାଳ ମୁକାବିଲା ପାଇଁ ପ୍ରୋଆକ୍ଟିଭ୍ ହୋଇଥିଲେ । ସବୁ ଜିଲ୍ଲାରେ ଏଥିପାଇଁ ବିଶେଷ ପଦକ୍ଷେପ ନିଆଯାଇଥିଲା । ମଙ୍ଗଳବାର ଦିନ ପଙ୍ଗପାଳ ମୁ୍କାବିଲା ନେଇ ମୁ୍ଖ୍ୟମୃନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ କୃଷି ସଚିବ, ନିର୍ଦ୍ଦେଶକ ଓ ସ୍ବତନ୍ତ୍ର ସଚିବ ଯ଼ୋଗ ଦେଇଥିଲେ। ପଙ୍ଗପାଳ ମୁ୍କାବିଲା କରିବା ନେଇ ମୁ୍ଖ୍ୟମୃନ୍ତ୍ରୀ ସମୀକ୍ଷା କରିଥିଲେ। ସୋମବାର ଦିନ  ଛତିଶଗଡ଼ କୃଷି ସଚିବଙ୍କ ସହ ଓଡିଶା କୃଷି ନିର୍ଦ୍ଦେଶକ ଆଲୋଚନା କରିଥିଲେ।

ରାଜ୍ୟ ସରକାର ସତର୍କ

ବର୍ତ୍ତମାନ ପାଇଁ ପଙ୍ଗପାଳ ଓଡ଼ିଶା ସୀମାରୁ ଦୂରେଇ ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏନେଇ ସତର୍କ ରହିଛନ୍ତି । ସୀମାବର୍ତ୍ତି ଜିଲ୍ଲାଗୁଡିକଙ୍କୁ ଏନେଇ ସତର୍କ କରି ଦିଆଯାଇଛି । ଫସଲକୁ ପଙ୍ଗପାଳଙ୍କଠାରୁ ରକ୍ଷା କରିବା ପାଇଁ କେମିକାଲ ଆଦି ଷ୍ଟକ୍ କରିବା ପାଇଁ କୁହାଯାଇଛି । ଏନେଇ ଆଜି ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ପଙ୍ଗପାଳ ମଧ୍ୟପ୍ରଦେଶ ଫେରିଯାଇଛି। ହେଲେ ଓଡ଼ିଶା ପାଇଁ ବିପଦ ନାହିଁ ବୋଲି କହି ହେବନି। ଓଡ଼ିଶା ଆସିବାର ସମ୍ଭାବନା ଅଛି। ଆମେ ଛତିଶଗଡ଼ ସରକାରଙ୍କ ସହ ଯୋଜଯୋଗରେ ଅଛୁ ବୋଲି କହିଛନ୍ତି କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଏକ କେ ବଶିଷ୍ଟ ।  ଅନ୍ୟପକ୍ଷରେ କୃଷି ନିର୍ଦ୍ଦେଶକ ଏମ ମୁଥୁ କୁମାରଙ୍କ ଅନୁସାରେ  ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ ସୀମାନ୍ତରେ ଥିବା ଓଡ଼ିଶାର ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡା କଳାହାଣ୍ଡି, କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୁରଭଞ୍ଜ ପାଇଁ ଜାରି ହୋଇଛି ଆଲର୍ଟ। ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ସଜାଗ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।
ପାକିସ୍ତାନ ପଟୁ ଭାରତକୁ କରିଛନ୍ତି ପ୍ରବେଶ

ପଙ୍ଗପାଳ ଦଳ ପାକିସ୍ତାନ ପଟୁ ଭାରତ ମଧ୍ୟକୁ ପ୍ରବେଶ କରିଛନ୍ତି । ଗୋଟିଏ ଗୋଟିଏ ପଙ୍ଗପାଳ ଦଳରେ ୪ କୋଟି ଝିଣ୍ଟିକା ପ୍ରଜାତିର କୀଟ ରହିଥାନ୍ତି । ଗୋଟିଏ ଦଳ ଦିନକୁ ୧୫୦ କିଲୋମିଟର ବାଟ ଅତିକ୍ରମ କରିଥାନ୍ତି । ଗୋଟିଏ ଛୋଟ ପଙ୍ଗପାଳ ଦଳ ୩୫ ହଜାର ଲୋକଙ୍କ ଖାଦ୍ୟ ଖାଇ ଦେଇଥାନ୍ତି । ୨ ଗ୍ରାମ ଓଜନର ଗୋଟିଏ ପଙ୍ଗପାଳ ନିଜ ଓଜନ ଯେତିକି ଖାଦ୍ୟ ଖାଇଥାଏ । ପଙ୍ଗପାଳ ପବନ ସହ ଗତି କରିଥାନ୍ତି । ଯେଉଁ ଦୀଗକୁ ପବନ ବହିଥାଏ ସେମାନେ ସେହି ଦୀଗକୁ ଅଗ୍ରସର ହୋଇଥାନ୍ତି । ଭାରତରେ ପ୍ରଥମେ ପଙ୍ଗପାଳ ରାଜସ୍ଥାନ ମଧ୍ୟକୁ ପ୍ରବେଶ କରିଥିଲେ । ଏହାପରେ ସେମାନେ ମଧ୍ୟପ୍ରଦେଶ ଓ ସେଠାରୁ ଛଡିଶଗଡକୁ ଯାଇଥିଲେ । ଛଡିଶଗଡରୁ ପଙ୍ଗପାଳଙ୍କ ଦଳ ଓଡ଼ିଶା ଆସିବେ ବୋଲି ଆଶଙ୍କା କରାଯାଉଛି । କୁହାଯାଉଛି ଯେ, ମୌସୂମୀ ବର୍ଷା ହିଁ ପଙ୍ଗପାଳ ଆତଙ୍କରୁ ମୁକ୍ତି ଦେଇପାରିବ ।

 

ରକ୍ତ ସମ୍ପର୍କରେ ରକ୍ତ ଛିଟା : ପୁଅକୁ ଶାବଳରେ ପିଟି ପିଟି ହତ୍ୟାକଲା ବାପା

ନବରଙ୍ଗପୁର: ରକ୍ତ ସମ୍ପର୍କରେ ରକ୍ତ ଛିଟା। ନୃଂଶସ ବାପାର ଅମାନୁଷିକ କାଣ୍ଡ। ପୁଅକୁ ନିର୍ମମ ଭାବେ ହତ୍ୟା କଲା ବାପା । ନବରଙ୍ଗପୁର ରାଇଘର କୁମୁଲିରେ ଜମିଜମାକୁ ନେଇ ବାପ ପୁଅ ମଧ୍ୟରେ ବିବାଦ ଦେଖିବାକୁ ମିଲିଥିଲା। ଉତ୍ତ୍ୟକ୍ତ ହୋଇ ବାପା ପୁଅକୁ ଶାବଳ ଓ କୁରାଢୀରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ରାଇଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି।

ହତ୍ୟାକାରୀ ବାପା ଥାନାରେ ଆତ୍ମସମର୍ପଣ କରିଛି । ଦୀର୍ଘ ଦିନ ଧରି ଜମି ଭାଗବଣ୍ଟାକୁ ନେଇ ଅମଲ ବସୁ ଓ ପୁଅ ଅସିତ ବସୁଙ୍କ ମଧ୍ୟରେ ବିବାଦ ଥିଲା । ଗତକାଲି ବିଳମ୍ବିତ ରାତିରେ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଗିଯାଇ ଅମଲ  ପୁଅ ଅସିତକୁ ଶାବଳ କୁରାଢୀରେ ପିଟିପିଟି ମାରିଦେଇଥିଲେ। ଘଟଣାସ୍ଥଳରେ ପୁଅର ମୃତ୍ୟୁ ପରେ ଅସିତଙ୍କ ଭାଇ ଥାନାରେ ଏତଲା ଦେଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରିଥିବା ବେଳେ ପୋଲିସ ପାଖରେ ଆତ୍ମସମର୍ପଣ କରିଛି ଅମଲ। ପୂର୍ବରୁ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଜେଲରେ ସଜା କାଟି ସାରିଛନ୍ତି ଅମଲ।

କରୋନା କାଳରୁ ଉବୁରିବ ଦେଶ,ସୁଧୁରିବ ଆର୍ଥିକ ସ୍ଥିତି

ନୂଆଦିଲ୍ଲୀ : କରୋନା କାରଣରୁ ଦେଶ ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ଶିଳ୍ପପତିମାନଙ୍କୁ ସରକାର ସେମାନଙ୍କ ସହ ଥିବା ଭରସା ଦେଇଛନ୍ତି । ଭାରତୀୟ ଶିଳ୍ପ ସଂଘ(ସିଆଇଆଇ)ର ବାର୍ଷିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆପଣ ମାନେ ଗୋଟିଏ ପାଦ ବଢାନ୍ତୁ, ସରକାର ଚାରି ପାଦ ଆଗକୁ ବଢାଇବେ ।

ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି ଆତ୍ମନିର୍ଭର ଭାରତ ନିର୍ମାଣ ଉପରେ ସରକାରଙ୍କ ଆଭିମୁଖ୍ୟକୁ ରଖିଥିଲେ । ସେ କହିଛନ୍ତି ଯେ,ଦେଶ ଲକଡାଉନକୁ ପଛରେ ଛାଡି ଆସି ସାରିଲାଣି । ତିନି ମାସ ତଳେ ଦେଶରେ ଗୋଟିଏ ମଧ୍ୟ ପିପିଇ କିଟ୍ ତିଆରି ହେଉନଥିଲା,ଏବେ କିନ୍ତୁ ଦୈନିକ ୩ ଲକ୍ଷ ପିପିଇ କିଟ୍ ତିଆରି ହେଉଛି । ସିଆଇଆଇକୁ ପ୍ରତି ସେକ୍ଟର ପାଇଁ ରିସର୍ଚ୍ଚ କରିବା ପାଇଁ ସେ କହିଛନ୍ତି ।

କରୋନା ଭାଇରସ ବିରୋଧରେ ଯୁଦ୍ଧ ସହ ଦେଶକୁ ଅର୍ଥନୀତି ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ,ଆମେ ଆମ ଅର୍ଥବ୍ୟବସ୍ଥାର ଗତିକୁ ପୁଣି ନିଶ୍ଚୟ ଫେରି ପାଇବା । ମୋର ଦେଶର ଦକ୍ଷତା ଓ ଟେକ୍ନୋଲୋଜି ଉପରେ ପୁର୍ଣ୍ଣବିଶ୍ୱାସ ରହିଛି । ତେଣୁ ଆମ ଅର୍ଥବ୍ୟବସ୍ଥା ପୁଣି ଦ୍ରୁତଗତିରେ ଦୌଡିବ ବୋଲି ମୋର ବିଶ୍ୱାସ । ଆମ ଗତି ମନ୍ଥର ହେଲେ ମଧ୍ୟ ଆମେ ଲକଡାଉନକୁ ପଛରେ ଛାଡି ଅନଲକ୍ ଫେଜ ମଧ୍ୟକୁ ପ୍ରବେଶ କରିଛୁ ।

 

ଭାରତ ପାଇଁ ଭଲ ଖବର : ଖୁବଶୀଘ୍ର ସଂକ୍ରମିତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢିବ

ନୂଆଦିଲ୍ଲୀ: କରୋନା ବିରୋଧରେ ଦେଶ ଯୁଦ୍ଧ ଘୋଷଣା କରିଛି ।  କରୋନା ବିରୋଧରେ ସବୁ ରାଜ୍ୟ ବଡଧରଣର ପ୍ରସ୍ତୁତି କରିଛନ୍ତି । ଅତ୍ୟଧିକ ସଂକ୍ରାମକ ହୋଇଥିବାରୁ ପ୍ରତିଦିନ ଅଧିକ ସଂଖ୍ୟାରେ ଲୋକ ଏହାଦ୍ୱାର ସଂକ୍ରମିତ ହେଉଛନ୍ତି । ତେବେ ଭଲ ଖବର ହେଉଛି ଦେଶରେ ମୃତ୍ୟୁ ପ୍ରତିଶତ ହ୍ରାସ ପାଇବା ସହ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ମୃତ୍ୟୁସଂଖ୍ୟା କମୁଛି

୪୫ ଦିନ ତଳେ କୋଭିଡ୍-୧୯ରେ ସଂକ୍ରମିତଙ୍କ ମଧ୍ୟରେ ମୃତ୍ୟୁହାର ୩.୩ ପ୍ରତିଶତ ଥିଲା  । ବର୍ତ୍ତମାନ ଏହି ସଂଖ୍ୟା ହ୍ରାସ ପାଇଁ ୨.୮୩ ପ୍ରତିଶତ ହୋଇଛି । ୧୮ ମେ’ରେ ମୃତ୍ୟୁହାର ୩.୧୫ ପ୍ରତିଶତ ଥିଲା ଯେତେବେଳେକି ମେ ୩ ତାରିଖରେ ଏହା ୩.୨୫ ପ୍ରତିଶତ ଥିଲା । ଭାରତରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁସଂଖ୍ୟା ଥିଲା ୨୩୦ । ଦେଶରେ ମୋଟ ୫୫୯୮ ଜଣ କରୋନା କାରଣରୁ ପ୍ରାଣ ହରାଇଛନ୍ତି ।

ଡିସଚାର୍ଜ୍ ସଂଖ୍ୟା ବଢିବାରେ ଲାଗିଛି

ଦେଶରେ ଏବେ ୯୩ ହଜାର ୩୨୨ ଆକ୍ଟିଭ୍ କେସ୍ ରହିଛି । ୯୧ ହଜାର ୮୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଣ୍ଟା ଭିତରେ ୪ ହଜାର ୮୩୫ ଜଣ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ର ସରକାରଙ୍କ ୮ ମେ’ ଗାଇଡଲାଇନ୍ ଅନୁସାରେ ସାମାନ୍ୟ ଓ ମଧ୍ୟମ କରୋନା ପୀଡିତଙ୍କଠାରେ ଯଦି ଲକ୍ଷଣ ବଢେ ନାହିଁ ତେବେ ସେମାନଙ୍କୁ ୧୦ ଦିନରେ ଘରକୁ ଛାଡି ଦିଆଯାଉଛି ।

ରିକଭରି ରେଟରେ ମଧ୍ୟ ସୁଧାର

କୋଭିଡ୍-୧୯ ରିକଭରି ରେଟରେ ମଧ୍ୟ ସୁଧାର ଦେଖିବାକୁ ମିଳିଛି । ଏବେ ଏହା ୪୮.୧୯ ପ୍ରତିଶତ ପର୍ଯ୍ୟନ୍ତ ପହଂଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡାଟା ଅନୁସାରେ ୧୮ ମେ’ରେ ରିକଭରି ରେଟ୍ ୩୮.୨୯ ପ୍ରତିଶତ ଥିଲା । ଯେତେବେଳେ କି ମେ’ ୩ରେ ଏହା ୨୫.୫୯ ପ୍ରତିଶତ ଥିଲା । ଏପ୍ରିଲ ୧୫ରେ ରିକଭରି ରେଟ୍ ୧୧.୪୨ ପ୍ରତିଶତ ଥିଲା ।

ଏଇଥିପାଇଁ କମିଛି ମୃତ୍ୟୁ ସଂଖ୍ୟା

ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଅନୁସାରେ ଦେଶରେ ମୃତ୍ୟୁ ସଂଖ୍ୟା କମିବାର ମୁଖ୍ୟ କାରଣ ହେଉଛି ରୋଗର ସଠିକ ସମୟରେ ନିରୁପଣ ଓ ତୁରନ୍ତ ଚିକିତ୍ସା ।

ଆଗକୁ ବଢିବ ସଂକ୍ରମିତଙ୍କ ସଂଖ୍ୟା କିନ୍ତୁ..

ଆଗକୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବ । ଏହାର କାରଣ ହେଉଛି ପ୍ରବାସୀ ଶ୍ରମିକଙ୍କ ନିଜ ରାଜ୍ୟକୁ ପଳାୟନ  ଓ ଲକଡାଉନରେ ରିହାତି । ସରକାରଙ୍କ ଲକ୍ଷ୍ୟ ହେଉଛି ଅଧିକର ଅଧିକ ଟେଷ୍ଟିଂ ଓ ରୋଗୀଙ୍କ ଶୀଘ୍ର ଚିକିତ୍ସା ।

ଅନ୍ୟ ଦେଶଙ୍କ ତୁଳନରା ଭାରତର ସ୍ଥିତି ଭଲ

ମୃତ୍ୟୁହାରକୁ ଦେଖିଲେ ଭାରତର ସ୍ଥିତି ଅନ୍ୟ ଦେଶ ତୁଳନାରେ ଭଲ ରହିଛି । ବିଶ୍ୱସ୍ତରରେ କୋଭିଡ୍-୧୯ କାରଣରୁ ମୃତ୍ୟୁ ପ୍ରତିଶତ ୬.୧୯ ଥିବାବେଳେ ଭାରତରେ ଏହା ୨.୮୩ ପ୍ରତିଶତ । ଫ୍ରାନ୍ସରେ ଏହା ୧୯.୩୫ ପ୍ରତିଶତ । ଫ୍ରାନ୍ସ ପରେ ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ବେଲଜିୟମ ଦ୍ୱିତୀୟ ସ୍ଥାନରେ ଅଛି । ବେଲଜିୟମରେ ଏହା ୧୬.୨୫ ପ୍ରତିଶତ ।

ରାଜଧାନୀରେ ଧଳାଜହର ଜାଲ । ଖଣ୍ଡଗିରିରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କଲା କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ । ଘଟଣାରେ ୨ ଗିରଫ । କେତେବାଟ ଲମ୍ବିଛି ଚେର, ଚାଲିଛି ତନାଘନା ।

ରାଜଧାନୀରେ ଧଳାଜହର ଜାଲ । ଖଣ୍ଡଗିରିରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କଲା କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ । ଘଟଣାରେ ୨ ଗିରଫ । କେତେବାଟ ଲମ୍ବିଛି ଚେର, ଚାଲିଛି ତନାଘନା ।

ଦେଶକୁ ‘ନିସର୍ଗ’ ଭୟ: ଦ୍ରୁତ ଗତିରେ ସ୍ଥଳଭାଗ ମୁହାଁ ହେଉଛି ସାମୁଦ୍ରିକ ଝଡ଼ ‘ନିସର୍ଗ’

ନୂଆଦିଲ୍ଲୀ: ଅମ୍ଫାନ ପରେ ମାଡ଼ି ଆସୁଛି ଆଉ ଏକ ସାମୂଦ୍ରିକ ବାତ୍ୟା । ସ୍ଥଳଭାଗ ମୁହାଁ ବାତ୍ୟା ‘ନିସର୍ଗ’। ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆସନ୍ତା ଆସନ୍ତାକାଲି ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ସୀମାରେ ଲ୍ୟାଣ୍ଡଫଲ କରିବ । ପ୍ରଭାବରେ ମହାରାଷ୍ଟ୍ର ଓ ଗୁଜୁରାଟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି ।

ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିପାରେ ବୋଲି କହିଛି ଆଇଏମ୍‌ଡି । ଦମ୍‌ନ୍‌ ଠାରୁ ଏହି ସାମୁ୍ଦ୍ରକି ଝଡ ପାଖାପାଖି ୩୫୦ କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି । ଏନେଇ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଉଭୟ ଗୁଜୁରାଟ ଓ ମହାରାଷ୍ଟ ସରକାର ତଟବର୍ତ୍ତୀ ଅଞ୍ଚଳରେ ଏନ୍‌ଡିଆରଏଫ୍‌ ଟିମ୍‌ ମୂତୟନ କରିଥିବା ସୂଚନା ମିଳିଛି । ଗୁଜୁରାଟରେ ୧୦ଟି ଏନଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି ।

ବାତ୍ୟା ନିସର୍ଗକୁ ନେଇ ଏନ୍‌ଡିଏମ୍‌ଏ, ଏନ୍‌ଡିଆରଏଫ୍‌ ଓ ଆଇଏମ୍‌ଡି ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ମହାରାଷ୍ଟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ଗୁଜୁରାଟ ମୁଖ୍ୟମୃନ୍ତ୍ରୀ ବିଜୟ ରୂପାନୀଙ୍କ ସହ ମଧ୍ୟ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଗୁଆ ସତର୍କତା ନେଇ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।