ଜାଣନ୍ତୁ କଣ ପାଇଁ ହ୍ୟୁଷ୍ଟନ ପୋଲିସ ମୁଖ୍ୟ ଦେଶର ରାଷ୍ଟ୍ରପତିଙ୍କୁ କହିଲେ,ପାଟି ବନ୍ଦ କର ?

ନ୍ୟୁୟର୍କ: ଏମିତି ଆମେରିକାରେ ହିଁ ହୋଇପାରେ । ଆମେରିକାରେ ହିଁ ଜଣେ ପୋଲିସ ମୁଖ୍ୟ ତାଙ୍କ ରାଷ୍ଟ୍ରପତିଙ୍କୁ କହିପାରିବେ,ବହୁତ ଗପୁଛ,ଏବେ ଚୁପ ହୁଅ । ଆଉ ଆମେରିକାରେ ହିଁ ପୋଲିସ ଆଣ୍ଢେଇ ନିଜ ଭୁଲ ପାଇଁ କ୍ଷମା ମାଗିପାରେ । କଳ୍ପନାରେ ବି ଆପଣ ଏମିତି କଳ୍ପନା ଭାରତରେ କରି ପାରିବେ ନାହିଁ । ରାଷ୍ଟ୍ରପତି ଛାଡନ୍ତୁ ବିଧାୟକଙ୍କୁ ବି ତାଗିଦ୍ କରିବା ଆଗରୁ ଶହେଥର ଭାବିବେ ଆମ ପୋଲିସ । ଆଉ ରହିଲା ଆଣ୍ଢେଇବା କଥା,ଭାରତ ଇତିହାସରେ ଏମିତି ଅନେକ ଫେକ୍ ଏନକାଉଣ୍ଟର ଘଟିଛି ଯେଉଁଥିପାଇଁ ପୋଲିସ ‘ସରି’ ଟିକେ ବି କହିନି । କିନ୍ତୁ ଆମେରିକାରେ ସବୁ ସମ୍ଭବ । ସେଠି ପୋଲିସ ଆଣ୍ଢେଇବି ପାରେ ଏବଂ ରାଷ୍ଟ୍ରପତିଙ୍କୁ ଚୁପ ରହିବାକୁ ମଧ୍ୟ ତାଗିଦ କରିପାରେ । ଆସନ୍ତୁ ଜାଣିବା କଣ ପାଇଁ ଜଣେ ପୋଲିସ ମୁଖ୍ୟ ନିଜ ରାଷ୍ଟ୍ରପତିଙ୍କୁ ଏତେବଡ କଥା କହିଲେ

ରାଷ୍ଟ୍ରପତି ପାଟି ବନ୍ଦ କରନ୍ତୁ

ଆମେରିକାର ମିନିୟାପୋଲିସରେ ପୋଲିସ ହେପାଜତରେ ଜଣେ ଅଶ୍ୱେତ ବିଚାରପତିଙ୍କ ମୃତ୍ୟୁକୁ ନେଇ ହିଂସା ଓ ପ୍ରତିବାଦ ଜାରି ରହିଛି । କରୋନା ମାଡରୁ ଉବୁରି ନଥିବା ଆମେରିକାରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ଦେଶରେ ସେନା ମୁତୟନ ପାଇଁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟପାଳ ମାନେ ଦୁର୍ବଳତା ଦେଖାଉଛନ୍ତି । ଟ୍ରମ୍ପଙ୍କ ଏହି ବୟାନକୁ ସମାଲୋଚନା କରିଛନ୍ତି ହ୍ୟୁଷ୍ଟନ ପୋଲିସ ମୁଖ୍ୟ ଆର୍ଟ ଏକବେଡୋ । କେବଳ ବିରୋଧ ନୁହେଁ ସେ ରାଷ୍ଟ୍ରପତିଙ୍କୁ ପାଟି ବନ୍ଦ ରଖିବାକୁ କହିଛନ୍ତି ।

ହ୍ୟୁଷ୍ଟନର ପୋଲିସ ମୁଖ୍ୟ କହିଛନ୍ତି ଯେ, ‘‘ ମୁଁ ଦେଶର ପୋଲିସ ମୁଖ୍ୟଙ୍କ ତରଫରୁ ଆମେରିକା ରାଷ୍ଟ୍ରପତିଙ୍କ ଏହା କହିବାକୁ ଚାହିଁବି ଯେ, ଯଦି ଆପଣଙ୍କ ପାଖରେ କହିବା ପାଇଁ  କିଛି ଗଠନାତ୍ମକ ପ୍ରସଙ୍ଗ ନାହିଁ ତେବେ ଦୟାକରି ନିଜ ମୁହଁ ବନ୍ଦ ରଖନ୍ତୁ । ଏହାପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ରାଜ୍ୟର ଗଭର୍ଣ୍ଣରଙ୍କ ସହ ଆଲୋଚନା କାଳରେ କହିଥିଲେ ଯେ, ଆପଣମାନେ ପ୍ରଦର୍ଶନକାରୀଙ୍କ ଉପରେ ନିଜ ପ୍ରଭୂତ୍ୱ ବିସ୍ତାର  କରନ୍ତୁ । ଯଦି ଏପରି କରୁନାହାନ୍ତି ତେବେ ଆପଣ ନିଜ ସମୟ ନଷ୍ଟ କରୁଛନ୍ତି ।

୨୪ ରାଜ୍ୟରେ ନ୍ୟାସନାଲ ଗାର୍ଡର ୧୭ ହଜାର ସୈନିକ ମୁତ୍ତୟନ

ଉତ୍ତରରେ ନ୍ୟୁୟର୍କଠାରୁ ଦକ୍ଷୀଣରେ ଅଷ୍ଟିନ ପର୍ଯ୍ୟନ୍ତ ଓ ପୂର୍ବରେ ୱାସିଂଟନରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ହିଂସା ଉପରେ କାବୁ ପାଇଁ ଆମେରିକାର ୫୦ ରାଜ୍ୟ ମଧ୍ୟରୁ ୨୪ ରାଜ୍ୟରେ ୧୭ ହଜାର ସୈନିକଙ୍କୁ ମୁତ୍ତୟନ କରାଯାଇଛି ।

Leave a Reply