ପୁଣି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ, ରେଟିଂରେ ସବା ଆଗରେ

1 min read

ନୂଆଦିଲ୍ଲୀ: ୨୦ ବର୍ଷ ଧରି ଓଡ଼ିଶାର ମଙ୍ଗ ଧରିଥିବା ନବୀନ ପଟ୍ଟନାୟକ ପୁଣିଥରେ ଲୋକପ୍ରିୟତାରେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଛନ୍ତି । ସି-ଭୋଟର ଦ୍ୱାରା କରାଯାଇଥିବ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ସର୍ଭେ ଅନୁସାରେ ୮୨.୯୬ ପ୍ରତିଶତ ଲୋକ ନବୀନ ପଟ୍ଟନାୟକଙ୍କୁ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ।

ଷ୍ଟେଟ୍ ଅଫ୍ ନେସନ୍: ମେ’ ୨୦୨୦ ନାମରେ କରାଯାଇଥିବା ଏହି ସର୍ଭେର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ସଭା ଉପରେ ଥିବା ବେଳେ ତାଙ୍କ ତଳେ ଅଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ଭାଗେଲ । ଏହି ତାଲିକାରେ ବିଜେପିର ଦୁଇ ଜଣ ମୁଖ୍ୟମନ୍ତ୍ରୀ ଥିବା ବେଳେ କଂଗ୍ରେସର ଜଣେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ନମ୍ବରରେ ଅଛନ୍ତି । ତାଙ୍କୁ ୭୪ ପ୍ରତିଶତ ମତ ମିଳିଛି ।

ଅନ୍ୟପକ୍ଷରେ କମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ,ହରିୟାଣାର ମନୋହର ଖଟ୍ଟର ଓ ପଞ୍ଜାବର ଅମରିନ୍ଦର ସିଂହ ରହିଛନ୍ତି ।

ମୋଦିଙ୍କ ଲୋକପ୍ରିୟତା ବଜାୟ

ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଏବେ ମଧ୍ୟ ବଜାୟ ରହିଛି । ମୋଦିଙ୍କୁ ୬୫.୬୯ ପ୍ରତିଶତ ଜନସମର୍ଥନ ମିଳିଛି । ଓଡ଼ିଶା ମୋଦିଙ୍କୁ ୯୫ ପ୍ରତିଶତ ରେଟିଂ ଦେଇଥିବା ବେଳେ ହିମାଚଳ ପ୍ରଦେଶ ୯୩.୯୫ ଓ ଛତିଶଗଡର ୯୨.୭୩ ପ୍ରତିଶତ ମୋଦିଙ୍କୁ ସମର୍ଥନ କରନ୍ତି ।

ସର୍ଭେରେ ଭାଗ ନେଇଥିଲେ ୩ ହଜାର ମତଦାତା

ସି-ଭୋଟର ଦ୍ୱାରା କରାଯାଇଥିବା ଏହି ସର୍ଭେରେ ୩ ହଜାର ମତଦାତା ଭାଗ ନେଇଥିଲେ । ଉତ୍ତର,ପୂର୍ବ ଓ ପଶ୍ଚିମ ଭାଗରେ ମୋଦି ଲୋକପ୍ରିୟତା ବଜାୟ ରଖିଛନ୍ତି ସତ କିନ୍ତୁ ଦକ୍ଷୀଣ ଭାରତରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଲୋକପ୍ରିୟତା କମ ରହିଛି । ତାମିଲନାଡୁରେ ମୋଦିଙ୍କୁ ନେଇ ଭୋଟର ସନ୍ତୁଷ୍ଠ ନାହାନ୍ତି । ସେଠାରେ ମାତ୍ର ୩୨ ପ୍ରତିଶତ ମୋଦିଙ୍କୁ ପସନ୍ଦ କରନ୍ତି । ସେହିଭଳି ବିହାରରେ ୫୮ ପ୍ରତିଶତଙ୍କ ପସନ୍ଦ ହେଉଛନ୍ତି ମୋଦି ।

Leave a Reply