spot_img
Home Blog Page 7031

କୃଷିରୁ ଶିଳ୍ପ, ୬ଟି ବଡ଼ ପ୍ରସ୍ତାବ ଉପରେ ମୋହର ମାରିଲା କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ: ଆତ୍ମ ନିର୍ଭର ଭାରତ ପ୍ୟାକେଜରେ ଚାଷ ଓ କୃଷକଙ୍କ ପାଇଁ ହୋଇଥିବା ଘୋଷଣା ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍ । ପ୍ରେସମିଟରେ ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ତାଲିକାରୁ କେତକ କୃଷି ସାମଗ୍ରୀକୁ ବାହାର କରିବାକୁ କେନ୍ଦ୍ର କ୍ୟାବିନେଟ୍ ସ୍ୱୀକୃତି ଦେଇଛି । କୃଷି ସମ୍ପର୍କିତ ୩ଟି ବଡ଼ ନିଷ୍ପତ୍ତି ନିଆଯାଇଥିବା ବେଳେ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମରୁ ଖାଦ୍ୟ ଶସ୍ୟ, ତେଲ, ଡାଲି, ପିଆଜ ଓ ଆଳୁ ଆଦିକୁ ବାଦ୍ ଦିଆଯାଇଛି । ଚାଷୀ ଏଣିକି ଏସବୁ ଖାଦ୍ୟ ସାମଗ୍ରୀ ନିଜ ଇଚ୍ଛା ଅନୁସାରେ ମହଜୁଦ୍ ରଖିବା ସହ ବିକ୍ରି କରିପାରିବେ । ଏଥିଯୋଗୁ ଚାଷୀଙ୍କୁ ଫାଇଦା ହେବ ବୋଲି ସରକାର ଆଶା ରଖିଛନ୍ତି । ଜାଭେଦକର କହିଛନ୍ତି କୃଷକଙ୍କ ୫୦ ବର୍ଷର ଦାବି ଆଜି ପୂରଣ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

୧) କୃଷକ ଉତ୍ପାଦିତ ସାମଗ୍ରୀକୁ କେଉଁଠି ବି ନିଜ ଇଚ୍ଛା ମୁତାବକ ଦରରେ ବିକ୍ରି କରିପାରିବେ ।

୨) ୱାନ୍ ନେସନ୍, ୱାନ୍ ମାର୍କେଟ ଆଡ଼କୁ ଭାରତ ବଢ଼ୁଛି । ଏଥିପାଇଁ ଆଇନ୍ ଆସିବ ।

୩) ଅଧିକ ଦରର ଗ୍ୟାରେଣ୍ଟି । ଯଦି କୌଣସି ରପ୍ତାନିକାରୀ, ପ୍ରୋସେସର କେହି ଅନ୍ୟ ପଦାର୍ଥର ଉତ୍ପାଦକ ଅଟନ୍ତି । ସେଥିପାଇଁ ପରସ୍ପର ମଧ୍ୟରେ ଚୁକ୍ତି ଅନୁଯାୟୀ ବିକ୍ରି କରିପାରିବେ । ଏହାଦ୍ୱାରା ସପ୍ଲାଏ ଚେନ୍ ସୃଷ୍ଟି ହେବ ।

୪) ବାଣିଜ୍ୟ ଓ ଉଦ୍ୟୋଗ ଜଗତ ପାଇଁ ପ୍ରତି ମନ୍ତ୍ରାଳୟ ପ୍ରୋଜେକ୍ଟ ଡେଭଲପମେଣ୍ଟ ସେଲ୍ ତିଆରି ହେବ । ଏହାଦ୍ୱାରା ଦେଶକୁ ନିବେଶକ ଆକୃଷ୍ଟ ହୋଇ ଆସିବେ ।

୫) କୋଲକାତା ବନ୍ଦରକୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରାଯିବ ।

୬) ଫାର୍ମାକୋପିଆ କମିଶନ ସ୍ଥାପନ କରାଯିବ । ଏହା ଭାରତୀୟ ଔଷଧ ଓ ହୋମିଓପାଥି ଲାଗି କାମ କରିବ । ଗାଜିଆବାଦରେ ଥିବା ଆୟୁଷ ମନ୍ତ୍ରାଳୟର ୨ଟି ଲ୍ୟାବକୁ ଏହା ସହିତ ମିଶାଇ ଦିଆଯିବ ।

ମୋଦି କ୍ୟାବିନେଟ୍ ପାସ କଲା ଦୁଇ ଅଧ୍ୟାଦେଶ,କୃଷକଙ୍କ ପାଇଁ ‘ଗୋଟିଏ ଦେଶ ଗୋଟିଏ ବଜାର’ ନୀତି

ବାତ୍ୟା ନିସର୍ଗ ମୁମ୍ବାଇରେ ଦେଖାଇଲା ରୌଦ୍ର ରୂପ, ମାୟନଗରୀ ଜଳବନ୍ଦୀ

ମୁମ୍ବାଇ ଡବଲ ଫ୍ରଣ୍ଟରେ ଲଢାଇ ଲଢିଛି ଆଜି । ଗୋଟିଏ ପଟେ କରୋନା, ଅନ୍ୟପଟେ ବାତ୍ୟା ନିସର୍ଗ । ନିସର୍ଗ ଆଜି ମୁମ୍ବାଇ ତଟରେ ମାଡ଼ ହୋଇ ଦେଖାଇଛି ରୌଦ୍ର ରୂପ । ମୁମ୍ବାଇର ଅଲ୍ଲୀବାଗରେ ନିସର୍ଗ ବାତ୍ୟା ଲ୍ୟାଣ୍ଡଫଲ କରିଥିଲା । ଲ୍ୟାଣ୍ଡଫଲ ପରେ ସମୁଦ୍ର ଅଶାନ୍ତ ହୋଇ ପଡିଥିଲା । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ ଥିଲା । ଫଳରେ ଗଛ ଉପୁଡି ପଡିବା ସହ କଚ୍ଚା ଘର ମଧ୍ୟ ଭାଙ୍ଗି ଯାଇଛି ।

ବାତ୍ୟା ରାଜଧାନୀ ମୁମ୍ବାଇରେ ପହଂଚିବା ସହ ଆରମ୍ଭ ହୋଇଯାଇଥିଲା ତାଣ୍ଡବ । ଗେଟୱେ ଅଫ୍ ଇଣ୍ଡିଆରେ ଥିବା ପୋଲିସ ବ୍ୟାରିକେଡ୍ ପବନ ମାଡରେ ଉଡିଯାଇଥିଲା । ସତର୍କତା ସ୍ୱରୁପ ବାନ୍ଦ୍ରା ୱର୍ଲି ସି-ଲିଙ୍କକୁ ବନ୍ଦ କରିଦିଆଯାଇଥିଲା । ବ୍ରିଜ୍ ଉପରେ ଗାଡି ଚଳାଚଳ ବନ୍ଦ ରହିଥିଲା ।

ଲୋକଙ୍କୁ ଏହି ପ୍ରାକୃତିକ ଆପଦରୁ ରକ୍ଷା କରିବା ପାଇଁ ସମୁଦ୍ର ତଟରେ ମୁମ୍ବାଇ ପୋଲିସ ଓ ଏନଡିଆରଏଫ ଯବାନ ମୂତୟନ ଥିଲେ । ଲୋକଙ୍କୁ ସମୁଦ୍ର କୁଳରୁ ଦୁରେଇ ରହିବାକୁ କୁହାଯାଇଥିଲା ।

ବାତ୍ୟା କାରଣରୁ ପାଣିପାଗ ବିଭାଗ ସମୁଦ୍ରରେ ହାଇ ଟାଇଡ୍ ଆସିବା ଆଶଙ୍କା କରିଛି । ସମୁଦ୍ରରେ ୬ ଫୁଟ ଉଚ୍ଚତାର ଲହଡି ଆସିବାର ଆଶଙ୍କା କରାଯାଉଛି । ହାଇଟାଇଡ୍ କାରଣରୁ ମୁମ୍ବାଇ ଜଳମଗ୍ନ ହେବା ଆଶଙ୍କା ରହିଛି ।

ନିସର୍ଗ କାରଣରୁ କେବଳ ମହାରାଷ୍ଟ୍ର ନୁହେଁ ଗୁଜରାଟ ଓ ଅନ୍ୟକିଛି ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ଏନଡିଆରଏଫର ଯବାନ ମଙ୍ଗଳବାର ଦିନ କିଛି ଗାଁକୁ ଯାଇ ଲୋକଙ୍କୁ ବାତ୍ୟା ବେଳେ କଣ କରିବା ଉଚିତ୍ କଣ କରିବା ଅନୁଚିତ ସେ ବାବଦରେ ବୁଝାଇଥିଲେ ।

ପାଲଘର ଓ ପଡୋଶୀ ଜିଲ୍ଲା ଠାଣେର ଆଗରୁ କର୍ଫ୍ୟୁ ଲାଗୁ କରାଯାଇଛି । କର୍ଫ୍ୟୁ ଗୁରୁବାର ପର୍ଯ୍ୟନ୍ତ ଲାଗୁ ରହିବ । ମତ୍ସ୍ୟଜୀବୀଙ୍କ ସମେତ କାହାରିକୁ ମଧ୍ୟ ସମୁଦ୍ରକୁ ଯିବା ପାଇଁ ଅନୁମତି ନାହିଁ ।

ବାତ୍ୟା କାରଣରୁ ରାସ୍ତାକଡର ଉଠାଦୋକାନ ଗୁଡିକ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ପାଲଘର, ବସାଇ ଓ ତଲାସରୀ ତହସିଲରେ ଅନେକ କଚ୍ଚା ଘର ଭାଙ୍ଗି ଯାଇଛି । କଚ୍ଚା ଘରେ ରହୁଥିବା ୧୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ପବନ ମାଡରେ ସଡକ କଡରେ ଥିବା ଅନେକ ଗଛ ଉପୁଡି ପଡିଛି । ଗଛ ମାଡି ବସି ଅନେକ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅନୁସାରେ ବାତ୍ୟା ମୁକାବିଲା ପାଇଁ ତାଙ୍କ ସରକାର ବିଭିନ୍ନ ତଟବର୍ତ୍ତୀ ଅଂଚଳରେ ଏନଡିଆରଏଫର ୧୫ ଓ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବଳର ୪ଟି ଟିମକୁ ମୂତୟନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ନିସର୍ଗ ମୁମ୍ବାଇ ନିକଟରେ ଥିବା ଅଲିବାଗ ତଟରେ ଗୁରୁବାର ଦିପହରରେ ଲ୍ୟାଣ୍ଡଫଲ କରିଥିଲା । ପାଣିପାଗ ବିଭାଗ ଅନୁସାରେ ସେ ସମୟରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୨୦କିମି ଥିଲା । ପାଣିପାଗ ବିଭାଗ ଅନୁସାରେ ଲ୍ୟାଣ୍ଡଫାଲ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ।

ଭାରତ-ଚୀନ୍‌ ସୀମା ବିବାଦ, ଜୁନ୍‌ ୬ରେ ବାହାରିପାରେ ସମାଧାନର ବାଟ…

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୁଧୁରି ପାରେ ସମ୍ପର୍କ । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ଅନ୍ତ ଘଟିପାରେ । ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସୀମା ବିବାଦର ସମାଧନ ହୋଇପାରେ । ଆସନ୍ତା ୬ ତାରିଖରେ ଏହି ସୀମା ବିବାଦକୁ ନେଇ, ଦୁଇ ଦେଶ ମଧ୍ୟରେ ଏକ ଗରୁତ୍ୱ ପୂର୍ଣ୍ଣ ବେଠକ ଅନୁଷ୍ଠିତ ହେବାକୁ ଯାଉଛି ।

ଦୁଇ ଦେଶ ନିଜର ସମ୍ମତି ପ୍ରକାଶ କରିବା ପରେ ଜୁନ୍‌ ୬ରେ ଏହି ବୈଠକର ଆୟୋଜନ ହୋଇଛି । ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ବୈଠକରେ ସମାଧାନର ବାଟ ଫିଟିବ ବୋଲି ଦୁଇ ଦେଶ ଆଶା ରଖିଥିବା କୁହାଯାଉଛି । ତେବେ ଏହି ବୈଠକରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି, ୧୪ କୋର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ । ଏନେଇ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଲଦାଖର LACରେ ଗତ କିଛି ଦିନ ହେବ ଭାରତ ଓ ଚୀନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ପୁଣି ଥରେ ଆରମ୍ଭ ହୋଇଛି । ଏହି ସମସ୍ୟାର ସମାଧାନ ପାଇଁ ଆସନ୍ତା ୬ ତାରିଖରେ ଉଭୟ ଦେଶ ମଧ୍ୟରେ ହେବାକୁ ଯାଉଛି ଗୁରୁତ୍ବପୂର୍ଣ୍ଣ ବୈଠକ ।

ଖୁସି ଖବର, ସୁସ୍ଥ ହେଲେ ୯୧ କରୋନା ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୯୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ସୁସ୍ଥ ସଂଖ୍ୟା ୧୦୫୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଦେବଗଡ଼ରୁ ୨୨, ପୁରୀରୁ ୧୬, ନୟାଗଡ଼ରୁ ୧୫, ବଲାଙ୍ଗିରରୁ ୯ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ ଓ ବାଲେଶ୍ୱରରୁ ୫ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି । ଭଦ୍ରକ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ ଏବଂ କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି ଓ ବରଗଡ଼ରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଢେଙ୍କାନାଳ, ଗଜପତି, ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ୨୩୮୮ଟି ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ୧୪୧୬ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୯୬୩ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୨ଶହ ପାର

ସପୁରୀରେ ବିସ୍ଫୋରକ, ଚାଲିଗଲା ନିରୀହ ହାତୀର ଜୀବନ…

ମଲ୍ଲପୁରମ୍: ଉତ୍ତର କେରଳର ମଲ୍ଲପୁରମ୍ ଜିଲ୍ଲାରୁ ମନୁଷ୍ୟ ଜାତିକୁ ଲଜ୍ଜିତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ କିଛି ଲୋକ ମିଳିତ ଭାବେ ଏକ ସପୁରୀରେ ବିସ୍ଫୋରକ ଭର୍ତ୍ତି କରି ଗୋଟିଏ ଗର୍ଭବତୀ ହାତୀକୁ ଖୁଆଇ ଦେଇଥିଲେ । ଯାହାଫଳରେ ହାତୀର ଅବସ୍ଥା ଖରାପ ହୋଇଥିଲା । ଆଉ ତାହା ଏତେ ଭୟଙ୍କର ହୋଇଥିଲା ଯେ, ହାତୀଟି ଏକ ନଦୀ ଭିତରେ ଯାଇ ଠିଆ ହୋଇଥିଲା । ପରେ ସେଠାରେ ସେ ମୃତ୍ୟୁ ବରଣ କରିଥିଲା । ଗୁରୁବାର ଦିନ ଏଭଳି ଘଟଣା ଘଟିଥିଲା । ଏହି ବିସ୍ଫୋରଣରେ ହାତୀଟି ଗୁୁରୁତର ହେବା ପରେ ଶନିବାର ତାର ମୃତ୍ୟୁ ଘଟିଛି । ପଶୁମାନେ ମଣିଷକୁ ଖୁବ୍ ଶୀଘ୍ର ବିଶ୍ୱାସ କରିନିଅନ୍ତି । ହେଲେ ମଣିଷ ତାଙ୍କ ସହ ଏଭଳି ବ୍ୟବହାର କରିଥାଏ । ତେବେ ଏହି ଘଟଣା ପରେ ପଶୁମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ହାତୀଟି ଖାଦ୍ୟ ସନ୍ଧାନରେ ବୁଲିବୁଲି ଗତ ମେ’ ୨୫ରେ ଜଙ୍ଗଲ ପାଖ ଗାଁ ନିକଟକୁ ଚାଲିଆସିଥିଲା । ସେ ଗର୍ଭବତୀ ଥିବାରୁ ତା‘ ପିଲା ପାଇଁ ଖାଦ୍ୟ ନିତ୍ୟାନ୍ତ ଜରୁରୀ ଥିଲା । ଏହି ସମୟରେ ଗାଁର କିଛି ଲୋକ ତାକୁ ସପୁରୀରେ ବିସ୍ଫୋରକ ଭର୍ତ୍ତି କରି ଖାଇବାକୁ ଦେଇଥିଲେ । ଆଉ ହାତୀଟି ତାହା ଖାଇବା ବେଳେ ପାଟିରେ ବିସ୍ଫୋରଣ ଘଟିଥିଲା । ଫଳରେ ହାତୀର ପାଟି ଓ ଥୋଡ଼ ଫାଟି ଯାଇଥିଲା । ଏହାସହ ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ହାତୀଟି କିଛି ବୁଝିପାରି ନଥିଲା ଏବଂ ପାଖରେ ଥିବା ଏକ ନଦୀରେ ଯାଇ ଠିଆ ହୋଇଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ହାତୀଟି, କଷ୍ଟରୁ ମୁକ୍ତି ପାଇଁ ବାରମ୍ବାର ପାଣି ପିଉଥିଲା । ହେଲେ ତାହା ଯଥେଷ୍ଟ ନଥିଲା । ହାତୀର ଯନ୍ତ୍ରଣା ଏତେ ପରିମାଣର ଥିଲା ଯେ, ସେ ତିନି ଦିନ ପର୍ଯ୍ୟନ୍ତ ସେହି ପାଣି ଭିତରେ ହିଁ ସୁଣ୍ଢକୁ ରଖି ଠିଆ ହୋଇଥିଲା । ହେଲେ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଯାଇ ମୃତ୍ୟୁ ବରଣ କରିଥିଲା ।

ବନ ବିଭାଗର ଅଧିକାରୀଙ୍କ ଅନୁଯାୟୀ, ହାତୀର ବୟସ ୧୪ରୁ ୧୫ ହେବ । ସଠିକ୍‌ ସମୟରେ ହାତୀକୁ ଚିକିତ୍ସା ମିଳିପାରି ନ ଥିଲା ତେଣୁ ସେ ମୃତ୍ୟୁ ବରଣ କରିଛି । ବନ ବିଭାଗ ପାଖରେ ଖବର ପହଞ୍ଚିବା ବେଳକୁ ତାହା ବିଳମ୍ବ ହୋଇଯାଇଥିଲା । ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ପ୍ରଥମେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲା । ହେଲେ ସେ ପାଣି ଭିତରୁ ବାହାରି ନ ଥିଲା । ଏଭଳି ଅବସ୍ଥାରେ ରହି ଶେଷରେ ତାର ମୃତ୍ୟୁ ହୋଇଥିଲା ।

ଆଜି ବିଶ୍ୱ ସାଇକେଲ ଦିବସ : କଣ ପାଇଁ ଆପଣ ସାଇକେଲ ଚଲାଇବା ଜରୁରୀ ?

ଆଜି ବିଶ୍ୱ ସାଇକେଲ ଦିବସ । କରୋନା କାଳରେ ରାସ୍ତାଘାଟରୁ ଗାଡି ଉଭାନ ହୋଇଯାଇଛି । ଏମିତିରେ ଲୋକ ପୁଣି ଥରେ ସାଇକେଲ ପାଖକୁ ଫେରିଛନ୍ତି । ଆମେରିକା ଭଳି ଦେଶରେ ସାଇକେଲ ବିକ୍ରି ଗଲା ଦୁଇ ମାସ ଭିତରେ ଦୁଇଗୁଣ ବଢିଛି । ଭାରତରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ସାଇକେଲରେ ଘରମୁହାଁ ହୋଇଛନ୍ତି । ବିହାରର ଜ୍ୟୋତି କଥା ନିଶ୍ଚିୟ ଶୁଣିଥିବେ । ସେଇ ଜ୍ୟୋତି ଯିଏ ନିଜ ରୋଗୀଣା ବାପାଙ୍କୁ ଧରି ନୂଆଦିଲ୍ଲୀରୁ ବିହାରରେ ନିଜ ଗାଁକୁ ଘରକୁ ଫେରିଥିଲା । ତା’ପୁଣି ସାଇକେଲରେ ।

ସାଇକେଲକୁ ୨୨୩ ବର୍ଷ

ସାଇକେଲର ଯାତ୍ରା ୨୨୩ ବର୍ଷ ପୁରୁଣା । ସାଇକେଲ ତିଆରି ପଛରେ ସେତେବେଳେ ଭାବନା ଥିଲା କେମିତି ଜଣେ ସୁବିଧାରେ ଯାତ୍ରା କରିପାରିବେ । ଏବେ ସାଇକେଲକୁ ସ୍ୱାସ୍ଥ୍ୟ ସହ ଯୋଡା ଯାଉଛି । ଅଷ୍ଟାଦଶ ଶତାବ୍ଦୀରେ ଜର୍ମାନର ଜଣେ ଶାସକ ଡ୍ୟୁକଙ୍କ ପାଖରେ କାମ କରୁଥିବା ଅଧିକାରି କାର୍ଲ ୱାନ୍ ଡୈସ୍ ପ୍ରଥମେ ସାଇକେଲ ତିଆରି କରିଥିଲେ । ଡୈସଙ୍କ ତିଆରି ଦୁଇ ଚକିଆ ଗାଡି ଆଗକୁ ଚାଲି ସାଇକେଲ ବା ବାଇସାଇକେଲ ନାମରେ ପରିଚିତ ହେଲା । ତେବେ ସେତେବେଳେ ମାନେ ୨୨୩ ବର୍ଷ ତଳେ ସାଇକେଲକୁ କୁହାଯାଉଥିଲା ଡୈସନି  । ଡୈସନୀର ଅର୍ଥ ଥିଲା ଏଭଳି ଗୋଟିଏ ଯାନ ଯାହା ବିନା ମୋଟରରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇଥାଏ ।

ସାଇକେଲ ଚଳାଇବାର ଫାଇଦା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ବାବଦରେ ଆଗରୁ ସତର୍କ କରାଇବାରେ ବିଫଳ ହୋଇଥିଲା । ସେଥିପାଇଁ ଟ୍ରମ୍ପ ମହାଶୟ ଏହା ଉପରେ ଖପ୍ପା ଅଛନ୍ତି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ  ସାଇକେଲ ଚଳାଇବାର ସ୍ୱାସ୍ଥ୍ୟଗତ ଫାଇଦା ବାବଦରେ କହିଛି ।

୧. ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେବନାହିଁ

ନିୟମିତ ସାଇକେଲ ଚଲାଇଲେ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେବ ନାହିଁ । ତେବେ ଏଥିପାଇଁ ସାଇକେଲିଂ କଲାବେଳେ ଏହା ଧ୍ୟାନରେ ରଖିବାକୁ ପଡିବ ଯେ, ଆପଣଙ୍କ ଆଣ୍ଠୁ ୯୦ ଡିଗ୍ରୀରେ ଘୁରୁଛି ।

୨.ଚିନ୍ତାରୁ ମୁକ୍ତି

ସାଇକେଲିଂ ଦ୍ୱାରା କେବଳ ଶାରିରିକ ଫାଇଦା ମିଳେ ନାହିଁ । ଏହାମଧ୍ୟ ଡିପ୍ରେସନ୍ ବା ଏଂଜାଇଟି ଦୁର କରିଥାଏ । ତେଣୁ ଯଦି ଆପଣ ମାନସିକ ଚାପ ଭିତରେ ରହୁଛନ୍ତି ତେବେ ସାଇକେଲ ଧରି ବାହାରି ପଡନ୍ତୁ ।

୩. ହୃଦରୋଗର ଆଶଙ୍କା କମ କରିଥାଏ

ନିୟମିତ ସାଇକେଲିଂ ଦ୍ୱାରା ହୃଦରୋଗ,ଅସ୍ୱାଭବିକ ହୃଦ ସ୍ପନ୍ଦନ,ହାର୍ଟ ଫେଲ୍ୟୁର ଭଳି କାର୍ଡିଓଭସ୍କ୍ୟୁଲାର ରୋଗର ଆଶଙ୍କା ପ୍ରାୟତଃ ରହିନଥାଏ ।

୪. ସାଇକେଲିଂ ଇମ୍ୟୁନିଟି ବଢାଇଥାଏ ?

କରୋନା କାଳରେ ସମସ୍ତେ ଇମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧକ ଶକ୍ତି କଥା କହୁଛନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନିୟମିତ ସାଇକେଲ ଚଳାଇଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।  ୨୦୧୮ରେ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ଆପଣ ସକାଳେ ଯେତେବେଳେ ସାଇକେଲିଂ କରନ୍ତି ସେତେବେଳ ଶରିର ଥଣ୍ଡାର ସମ୍ମୁଖୀନ ହୋଇଥାଏ । କିଛି ସମୟ ପରେ ଶରିର ଗରମ ହୁଏ ଓ ପରେ ଅତ୍ୟଧିକ ଗରମକୁ ସହିଥାଏ । ଥଣ୍ଡା ଓ ଗରମକୁ ସମ୍ମୁଖୀନ ହେବାର ଏହି ପ୍ରକ୍ରିୟା ଶରିରର ଟିସେଲ୍ସକୁ ଶକ୍ତି ଦେଇଥାଏ  । ଯାହା ଆମ ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ.

୫. କେତେ ସମୟ ପର୍ଯ୍ୟନ୍ତ ଜଣେ ସାଇକେଲ ଚଳାଇବେ ?

ଏହା ଆପଣଙ୍କ ରୁଟିନ୍ ଉପରେ ନିର୍ଭର କରିଥାଏ । ଯଦି ଆପଣ କୌଣସି ଫିଜିକାଲ ଏକ୍ସରସାଇଜ୍ କରୁନାହାନ୍ତି ତେବେ ଆପଣଙ୍କୁ ସପ୍ତାହକୁ ଅତିକମରେ ୫ ଦିନ (ପ୍ରତିଦିନ ୪୫ ମିନିଟ୍) ସାଇକେଲିଂ କରିବାକୁ ପଡିବ । ଯଦି ଆପଣ ଜିମ୍ ଯାଉଛନ୍ତି କିମ୍ବା ଅଲଗା ୱାର୍କଆଉଟ୍ କରୁଛନ୍ତି ତେବେ ୧୫ ମିନିଟ୍ ସାଇକେଲିଂ ଯଥେଷ୍ଟ ।

 

ମୋଦି କ୍ୟାବିନେଟ୍ ପାସ କଲା ଦୁଇ ଅଧ୍ୟାଦେଶ,କୃଷକଙ୍କ ପାଇଁ ‘ଗୋଟିଏ ଦେଶ ଗୋଟିଏ ବଜାର’ ନୀତି

ନୂଆଦିଲ୍ଲୀ: କରୋନା ଭାଇରସ ସଂକଟ ଭିତରେ ଆଜି ପୁଣିଥରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ସକାଳ ୧୧ଟାରେ ଆରମ୍ଭ ହୋଇଥିବା ବୈଠକ ଦୁଇ ଘଣ୍ଟା ଧରି ଚାଲିଥିଲା । ବୈଠକରେ ଦୁଇଟି ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଥିଲା ।

ଏବେ କୃଷକ ନିଜ ଫସଲକୁ ସିଧା ବିକ୍ରି କରି ପାରିବେ । ଦେଶରେ କୃଷକଙ୍କ ପାଇଁ ଗୋଟିଏ ଦେଶ,ଗୋଟିଏ ବଜାର ବ୍ୟବସ୍ଥା ରହିବ । ଏହି ସମସ୍ତ ନିଷ୍ପତ୍ତି ବାବଦରେ ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତବିବରଣୀ ଦିଆଯିବ । ଏହା ଦ୍ୱାରା କୃଷକ ଦେଶର ଯେକୌଣସି ସ୍ଥାନରେ ନିଜ ଫସଲ ବିକ୍ରି କରିପାରିବେ । 

ଏହା ବ୍ୟତିତ କ୍ୟାବିନେଟ୍ କୃଷି ଉତ୍ପାଦ ଷ୍ଟକ ସୀମାକୁ ଶେଷ କରି ଦେଇଛନ୍ତି । କେବଳ ଅତି ଜରୁରୀ ପରିସ୍ଥିତିରେ ଏଭଳି କରାଯାଇ ପାରିବ । ସୂଚନାଯୋଗ୍ୟ ଯେ, ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜରେ ଏସମ୍ପର୍କରେ ଘୋଷଣା କରାଯାଇଥିଲା ।

ଚଳିତ ସପ୍ତାହରେ ଏହା ହେଉଛି ମୋଦି କ୍ୟାବିନେଟରେ ଦ୍ୱିତୀୟ ବୈଠକ । ମୋଦି ସରକାର ନିକଟରେ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୁରଣ କରିଛି । ସୋମବାର ଦିନ ହୋଇଥିବା କ୍ୟାବିନେଟ୍ ବୈଠକରେ ଏମଏସଏମଇ ସେକ୍ଟର ଓ କୃଷକଙ୍କୁ ନେଇ କିଛି ବଡ ନିଷ୍ପତ୍ତି ନିଆଯାଇଥିଲା ।