କୃଷିରୁ ଶିଳ୍ପ, ୬ଟି ବଡ଼ ପ୍ରସ୍ତାବ ଉପରେ ମୋହର ମାରିଲା କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ: ଆତ୍ମ ନିର୍ଭର ଭାରତ ପ୍ୟାକେଜରେ ଚାଷ ଓ କୃଷକଙ୍କ ପାଇଁ ହୋଇଥିବା ଘୋଷଣା ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍ । ପ୍ରେସମିଟରେ ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ତାଲିକାରୁ କେତକ କୃଷି ସାମଗ୍ରୀକୁ ବାହାର କରିବାକୁ କେନ୍ଦ୍ର କ୍ୟାବିନେଟ୍ ସ୍ୱୀକୃତି ଦେଇଛି । କୃଷି ସମ୍ପର୍କିତ ୩ଟି ବଡ଼ ନିଷ୍ପତ୍ତି ନିଆଯାଇଥିବା ବେଳେ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମରୁ ଖାଦ୍ୟ ଶସ୍ୟ, ତେଲ, ଡାଲି, ପିଆଜ ଓ ଆଳୁ ଆଦିକୁ ବାଦ୍ ଦିଆଯାଇଛି । ଚାଷୀ ଏଣିକି ଏସବୁ ଖାଦ୍ୟ ସାମଗ୍ରୀ ନିଜ ଇଚ୍ଛା ଅନୁସାରେ ମହଜୁଦ୍ ରଖିବା ସହ ବିକ୍ରି କରିପାରିବେ । ଏଥିଯୋଗୁ ଚାଷୀଙ୍କୁ ଫାଇଦା ହେବ ବୋଲି ସରକାର ଆଶା ରଖିଛନ୍ତି । ଜାଭେଦକର କହିଛନ୍ତି କୃଷକଙ୍କ ୫୦ ବର୍ଷର ଦାବି ଆଜି ପୂରଣ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

୧) କୃଷକ ଉତ୍ପାଦିତ ସାମଗ୍ରୀକୁ କେଉଁଠି ବି ନିଜ ଇଚ୍ଛା ମୁତାବକ ଦରରେ ବିକ୍ରି କରିପାରିବେ ।

୨) ୱାନ୍ ନେସନ୍, ୱାନ୍ ମାର୍କେଟ ଆଡ଼କୁ ଭାରତ ବଢ଼ୁଛି । ଏଥିପାଇଁ ଆଇନ୍ ଆସିବ ।

୩) ଅଧିକ ଦରର ଗ୍ୟାରେଣ୍ଟି । ଯଦି କୌଣସି ରପ୍ତାନିକାରୀ, ପ୍ରୋସେସର କେହି ଅନ୍ୟ ପଦାର୍ଥର ଉତ୍ପାଦକ ଅଟନ୍ତି । ସେଥିପାଇଁ ପରସ୍ପର ମଧ୍ୟରେ ଚୁକ୍ତି ଅନୁଯାୟୀ ବିକ୍ରି କରିପାରିବେ । ଏହାଦ୍ୱାରା ସପ୍ଲାଏ ଚେନ୍ ସୃଷ୍ଟି ହେବ ।

୪) ବାଣିଜ୍ୟ ଓ ଉଦ୍ୟୋଗ ଜଗତ ପାଇଁ ପ୍ରତି ମନ୍ତ୍ରାଳୟ ପ୍ରୋଜେକ୍ଟ ଡେଭଲପମେଣ୍ଟ ସେଲ୍ ତିଆରି ହେବ । ଏହାଦ୍ୱାରା ଦେଶକୁ ନିବେଶକ ଆକୃଷ୍ଟ ହୋଇ ଆସିବେ ।

୫) କୋଲକାତା ବନ୍ଦରକୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରାଯିବ ।

୬) ଫାର୍ମାକୋପିଆ କମିଶନ ସ୍ଥାପନ କରାଯିବ । ଏହା ଭାରତୀୟ ଔଷଧ ଓ ହୋମିଓପାଥି ଲାଗି କାମ କରିବ । ଗାଜିଆବାଦରେ ଥିବା ଆୟୁଷ ମନ୍ତ୍ରାଳୟର ୨ଟି ଲ୍ୟାବକୁ ଏହା ସହିତ ମିଶାଇ ଦିଆଯିବ ।

ମୋଦି କ୍ୟାବିନେଟ୍ ପାସ କଲା ଦୁଇ ଅଧ୍ୟାଦେଶ,କୃଷକଙ୍କ ପାଇଁ ‘ଗୋଟିଏ ଦେଶ ଗୋଟିଏ ବଜାର’ ନୀତି

Leave a Reply