spot_img
Home Blog Page 7025

ଜୁନ୍ ମାସ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ, ସତର୍କ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ଦେଶବ୍ୟାପୀ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭିଡିଓ ସନ୍ଦେଶ ଦେଇଛନ୍ତି । ସେ କରୋନା ବିରୋଧୀ ଲଢ଼େଇକୁ ଜାରି ରଖିବା ପାଇଁ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟବାସୀଙ୍କୁ ମୁଖ୍ୟତଃ ୫ଟି ବିଷୟ ପ୍ରତି ଦୃଷ୍ଟିଦେବାକୁ ସେ ଅନୁରୋଧ କରିଛନ୍ତି । ଲକଡାଉନ୍ କୋହଳ ହୋଇଯାଇଛି, ତାର ଅର୍ଥ ନୁହେଁ କରୋନା ଚାଲିଗଲା । ଜୁନ୍ ମାସ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ମୌସୁମୀ ବର୍ଷା ଆରମ୍ଭ ହେଉଥିବାରୁ ଥଣ୍ଡା, କାଶ, ଜ୍ୱର ବୃଦ୍ଧି ପାଇବ । ଏହାସହ ୫ ଲକ୍ଷ ପ୍ରବାସୀ ଘରକୁ ଫେରୁଛନ୍ତି । ଏହି ୨ଟି କାରଣ ପାଇଁ ଆଗାମୀ ୨୫ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ, ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁ ନାହିଁ । ସଟଡାଉନ୍ ଓ ଲକଡାଉନକୁ ପାଳନ କରନ୍ତୁ ।

୫ ପରାମର୍ଶ

୧) ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁ ନାହିଁ ।

୨) ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ମାସ୍କ ପିନ୍ଧିଲେ କରୋନା ସଂକ୍ରମଣ ୯୦ ପ୍ରତିଶତ କମିବ ।

୩) ହାଟ, ବଜାର, ଅଫିସ୍, ଟ୍ରାଫିକ୍ ସବୁଠାରେ ସାମାଜିକ ଦୂରତା ରକ୍ଷା କରନ୍ତୁ ।

୪) ଘରକୁ ଫେରିବା ପରେ ଭଲଭାବେ ସାବୁନରେ ୨୦ ସେକେଣ୍ଡ ଯାଏଁ ହାତ ଧୁଅନ୍ତୁ । କାରଣ ନିଜ ଲୋକ କୋଭିଡ୍ ହସ୍ପିଟାଲକୁ ଯାଆନ୍ତୁ । ଏହା କେହି ଚାହିଁବେ ନାହିଁ ।

୫) ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଗୁରୁତର ରୋଗୀ, ଗର୍ଭବତୀ ମହିଳା ଓ ୧୦ ବର୍ଷର କମ୍ ବୟସର ପିଲାଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ ।

ଜୀବନ ଓ ଜୀବିକା ଗୁରୁତ୍ୱପୂର୍ଣ୍ଣ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୀବନ ଓ ଜୀବିକା ୨ଟି ଯାକ ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ରହିଲେ ଜୀବିକା ଆଗକୁ ବଢ଼ିବ । ଲକଡାଉନକୁ ଜୀବିକା ପାଇଁ କୋହଳ କରାଯାଇଛି । କିନ୍ତୁ, ଏହା ଯେମିତି ଜୀବନ ପ୍ରତି ବିପଦ ସୃଷ୍ଟି ନକରେ ସେଥିପାଇଁ ଆମକୁ ସାବଧାନ ରହିବାକୁ ପଡ଼ିବ । ବର୍ତ୍ତମାନ ପରିସ୍ଥିତିରେ ଆତ୍ମ ସଂଯମ ହିଁ ଏକମାତ୍ର ବିକଳ୍ପ ।

 

କଣ ପାଇଁ ଅଦାଲତକୁ ଟଣା ହେଲା ଗୁଗୁଲ୍ ? ଜାଣନ୍ତୁ..

କାର୍ଲିଫର୍ଣ୍ଣିଆ: ଆମେରିକାରେ ଅଦାଲତକୁ ଭିଡା ହେଲା ସର୍ଚ୍ଚ ଇଂଜିନ୍ ଗୁଗୁଲ୍ । କାର୍ଲିଫର୍ଣ୍ଣିଆର ଏକ ଅଦାଲତରେ ଗୁଗୁଲ୍ ବିରୋଧରେ ୫ ବିଲିୟନ ଡଲାରର କ୍ଷତିପୂରଣ ମାମଲା ଦାଏର ହୋଇଛି । ଅଭିଯୋଗ ହେଉଛି ଯେ, ଗୁଗୁଲ୍ ତା’ର ଗ୍ରାହକଙ୍କ ଗୋପନୀୟତାର ଉଲ୍ଲଂଘନ କରୁଛି । ଗ୍ରାହକ ଇନକଗନିଟୋ ମୋଡରେ ୱେବ୍ ବ୍ରାଉଜ୍ କରିଲେ ମଧ୍ୟ ଗୁଗୁଲ୍ସେ ମାନଙ୍କ ଗୋପନୀୟ ତଥ୍ୟ ଚୋରି କରୁଛି ବୋଲି ବ୍ୟବହାରକାରୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଗତ ସପ୍ତାହରେ ଗୁଗୁଲ୍ ବିରୋଧରେ ସମାନ ଅଭିଯୋଗ ଆସିଥିଲା । ତେବେ ଗୁଗୁଲର ଭୂଲ କେଉଁଠି ରହିଛି ?

ଆପଣଙ୍କ ଉପରେ ନଜର ରଖୁଛି ଗୁଗୁଲ୍ ?

ଆବେଦନକାରୀ ମାନଙ୍କ  ଅନୁସାରେ ଜଣେ ୟୁଜର ଯେମିତି ମଧ୍ୟ ବ୍ରାଉଜ୍ କରନ୍ତୁ, ତେଣିକି ସେ ଇନକଗନିଟୋ ମୋଡରେ ଥାନ୍ତୁ କି ନଥାନ୍ତୁ ଗୁଗୁଲ ୟୁଜର୍ସଙ୍କ ଗୋପନୀୟ ତଥ୍ୟ ସଂଗ୍ରହ କରିଥାଏ । ଗୁଗୁଲ ସବୁବେଳେ ଗ୍ରାହକଙ୍କ ବ୍ରାଉଜିଂ ଡାଟା ସଂଗ୍ରହ କରିଥାଏ ବୋଲି ସେ ଅଭିଯୋଗ କରିଛନ୍ତି । ଏହା ସହ ସେ ଅଭିଯୋଗ କରିଛନ୍ତି ଯେ, ଗୁଗୁଲ ୟୁଜରଙ୍କ ବିନା ଅନୁମତିରେ ତାଙ୍କ ବ୍ରାଉଜିଂ ହିଷ୍ଟ୍ରି, ଆଇପି ଆଡ୍ରେସ, ଡିଭାଇସ  ଓ ଗ୍ରାହକ କେଉଁ କଣ୍ଟେଣ୍ଟ୍ ଦେଖୁଛନ୍ତି ତାହାର ତଥ୍ୟ ମଧ୍ୟ ସଂଗ୍ରହ କରୁଛି ।

ଇନକଗନିଟୋ ମୋଡ୍ କଣ ?

ଇନକଗନିଟୋ ମୋଡରେ ଦ୍ୱାରା ଜଣେ ଗ୍ରାହକ ନିଜ ବ୍ରାଉଜିଂ ହିଷ୍ଟ୍ରିକୁ ଗୋପନୀୟ ରଖିଥାନ୍ତି । ସେ ଅନଲାଇନରେ କ’ଣ ସର୍ଚ୍ଚ କରୁଛନ୍ତି, କଣ ପଢୁଛନ୍ତି ତାହା ଅନ୍ୟ କେହି ଜାଣି ପାରନ୍ତି ନାହିଁ । ତେବେ ଗୁଗୁଲ ଅନୁସାରେ ଇନକଗନିଟୋ ମୋଡରେ ମଧ୍ୟ ଜଣଙ୍କର ବ୍ରାଉଜିଂ ହିଷ୍ଟ୍ରିକୁ ପଢି ହେବ । ଯେଉଁ ୱେବସାଇଟକୁ ଆପଣ ଯାନ୍ତି ସେହି ୱେବସାଇଟ୍ ଆପଣଙ୍କ ଡାଟା ସଂଗ୍ରହ କରିପାରିବ ବୋଲି ଗୁଗୁଲ କହୁଛି ।

ବିଲିୟନ ଡଲାରର ପ୍ରଶ୍ନ

ଆବେଦନକାରୀ ମାନଙ୍କ ଅଭିଯୋଗ ଯେ, ଗୁଗୁଲ କେବଳ ନିଜ ଗ୍ରାହକଙ୍କ ଡାଟା ସଂଗ୍ରହ କରୁଛି ଅଧିକିନ୍ତୁ ଏହା ସେହି ତଥ୍ୟକୁ ତୃତୀୟ ପକ୍ଷକୁ ବିକ୍ରି କରୁଛି । ଆବେଦନକାରୀଙ୍କ ଯୁକ୍ତି ହେଉଛି ଗୁଗୁଲ ଯେହେତୁ ଲକ୍ଷାଧିକ ୟୁଜର୍ସଙ୍କ ଡାଟା ବିକ୍ରି କରିଛି ତେଣୁ କଂପାନୀ ପ୍ରତ୍ୟକଙ୍କୁ ୫ ହଜାର ଡଲାର କ୍ଷତିପୂରଣ ଭାବେ ଦେଉ । ଯାହାର ଅର୍ଥ ହେଉଛି ଗୁଗୁଲ ହାରିଲେ ତାକୁ ୫ ବିଲିୟନ ଡଲାର କ୍ଷତିପୂରଣ ଭାବେ ଦେବାକୁ ପଡିବ । ସୂଚନାଯୋଗ୍ୟ ଯେ, ପୃଥିବୀରେ ଦେଢଶହ କୋଟି ଗୁଗୁଲ ଆକାଉଣ୍ଟ୍ ବ୍ୟବହାର କରନ୍ତି ।

ମଧ୍ୟରାତ୍ରୀରେ ଶ୍ରୀଜୀଉ ଛାଡ଼ିବେ ରତ୍ନ ସିଂହାସନ, ସ୍ନ।ନଯାତ୍ରା ପାଇଁ ପୁରୀରେ ୧୧୪ ଧାରା ଜାରି

ପୁରୀ: ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା । ପୁରୀରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ସୀମିତ ସେବାୟତ ଓ ବିନା ଭକ୍ତରେ ହେବ ସ୍ନାନଯାତ୍ରା । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ବାହୁଟ କଣ୍ଟ ଓ ସେନାପଟା ଲାଗି ସରିଛି । ଆଜି ରାତିରେ ଚତୁର୍ଦ୍ଧା ମୂର୍ତ୍ତି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିବେ । କେବଳ ବିଧି ଅନୁଯାୟୀ ସ୍ନାନନୀତି ଓ ହାତୀବେଶ ସମ୍ପନ୍ନ ହେବ । କୋଭିଡ୍‌ କଟକଣା ଯୋଗୁଁ ଭକ୍ତ ଆସିବାକୁ ମନା ହୋଇଛି ।

ସଜେଇ ହୋଇ ରହିଛି ସ୍ନାନବେଦୀ । ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ରାତି ଗୋଟାଏରୁ ୪ଟା ମଧ୍ୟରେ ପହଣ୍ଡି ଶେଷ ହେବ । ଧାଡ଼ି ପହଣ୍ଡିରେ ମହାପ୍ରଭୁ ବିଜେ କରିବା ପରେ ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ସ୍ନାନନୀତି ସମ୍ପନ୍ନ ହେବ । ସକାଳ ୧୦ଟା ୩୦ସୁଦ୍ଧା ଛେରା ପହଁରା ପରେ ୧୧ଟାରୁ ୧୨ଟା ମଧ୍ୟରେ ଶ୍ରୀଜିଉଙ୍କ ହାତୀବେଶ ପାଇଁ ନୀତି ନିର୍ଘଣ୍ଟ ହୋଇଛି ।

FILE

ଅପରାହ୍ଣ ୫ଟାରୁ ରାତି ୮ଟା ସୁଦ୍ଧା ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବାହୁଡ଼ି ଯିବେ । ଏବର୍ଷ କଟକଣା ଯୋଗୁଁ ସ୍ନାନଯାତ୍ରାରେ ସାହାଣମେଲା ଦର୍ଶନ ହେବ ନାହିଁ । ଏପରିକି ବଡ଼ଦାଣ୍ଡକୁ ମଧ୍ୟ ଭକ୍ତ ଆସିବା ପାଇଁ ମନା । ଦୀର୍ଘଦିନ ହେଲା ଶ୍ରୀଜିଉଙ୍କ ଦର୍ଶନ ପାଇ ନଥିବା ଭକ୍ତ ସ୍ନାନଯାତ୍ରାରେ ମଧ୍ୟ ଦର୍ଶନ ପାଇବେ ନାହିଁ ବୋଲି ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଣବସର ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ଅଲାରନାଥଙ୍କ ଦର୍ଶନ କରିଥାନ୍ତି । କିନ୍ତୁ ଏବର୍ଷ ପୁରୀରେ ଶ୍ରୀଜିଉଙ୍କ ଅଣବସର ସମୟରେ ଅଲାରନାଥଙ୍କର କେବଳ ସ୍ୱତନ୍ତ୍ର ନୀତି ସମ୍ପନ୍ନ ହେବ । କରୋନା କଟକଣା ଯୋଗୁଁ ବ୍ରହ୍ମଗିରିରରେ ମଧ୍ୟ ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ନାହିଁ ।

ବଡ଼ଦାଣ୍ଡରେ ରହିବନି ଭକ୍ତଙ୍କ ଭିଡ, ସେବକଙ୍କ ଗହଣରେ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନଯାତ୍ରା

କେତେ କ୍ଷତି କରିଛି ଅମ୍ଫାନ୍ ? ବାତ୍ୟାର ୧୫ ଦିନ ପରେ ଆକଳନ ପାଇଁ ଗ୍ରାଉଣ୍ଡ ଜିରୋରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର: ମୋଦି ଦେଖିଥିଲେ, ଏବେ ଆସିଛି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ । ବାତ୍ୟା ଅମ୍ଫାନ ରଚିଥିବା ତାଣ୍ଡବର ଗ୍ରାଉଣ୍ଡଜିରୋର ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ୍ । ଓଡ଼ିଶା ପାଇଁ ଅଗ୍ରୀମ ୫ ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୋଦି । କେନ୍ଦ୍ରୀୟ ଟିମର ରିପୋର୍ଟ ପରେ ଓଡ଼ିଶା ପାଇଁ ଅତିରିକ୍ତ ପ୍ୟାକେଜ ଘୋଷଣା କରିପାରେ କେନ୍ଦ୍ର ।

ଅମ୍ଫାନକୁ ପୂରିଲା ୧୫ ଦିନ । ଶୋଇ ପଡ଼ିଥିବା ବିଦ୍ୟୁତ୍ ଖୁଣ୍ଟ ଛିଡ଼ା ହୋଇଗଲାଣି । ଭାଙ୍ଗିଥିବା ଘର ବି ମରାମତି ଚାଲିଛି, ରାସ୍ତାରୁ ହଟିଗଲାଣି ଭଙ୍ଗା ଗଛ । ଏଭିତରେ ଗ୍ରାଉଣ୍ଡଜିରୋରେ ପହଞ୍ଚିଚି କେନ୍ଦ୍ରର ଆନ୍ତଃ ମନ୍ତ୍ରୀସ୍ତରୀୟ ଟିମ୍‌ । ବୁଲିଲା ଓଡ଼ିଶାର ପ୍ରଭାବିତ ଅଞ୍ଚଳ । ଦେଖିଲା ଲୋକଙ୍କ ଦୁର୍ଦ୍ଦଶା, କ୍ଷୟକ୍ଷତିର ଆକଳନ କଲା । ମେ’ ମାସରେ ବାତ୍ୟା ଅମ୍ଫାନ ଛାଡିଯାଇଥିବା କ୍ଷତିର ଉପଶମ ପାଇଁ ଜୁନରେ ଓଡ଼ିଶା ଆସିଛି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ । ପ୍ରଥମ ଦିନରେ ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି କରିଛି କ୍ଷୟକ୍ଷତିର ଆକଳନ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ବାଲେଶ୍ୱର ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲା । ପରେ ସର୍ବାଧିକ କ୍ଷତିଗ୍ରସ୍ତ ବାଲିଆପାଳ ଓ ଭୋଗରାଇର ପ୍ରଭାବିତ ଅଞ୍ଚଳ ବୁଲିଛି କେନ୍ଦ୍ରୀୟ ଟିମ୍‌ । ବାତ୍ୟା ଅମ୍ଫାନରେ ଜିଲ୍ଲାର ୭ଟି ବ୍ଲକର ୩୬୭ ଗାଁ କ୍ଷତିଗ୍ରସ୍ତ ହୋଇଥିଲା । ୪୭ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଥିବା ଆକଳନ କରିଛି ଜିଲ୍ଲା ପ୍ରଶାସନ । ସେପଟେ ବାତ୍ୟାରେ ଉଜୁଡ଼ି ଯାଇଥିବା ଚାଷବାସ, ବିଦ୍ୟୁତ୍ ସରବରାହ ଓ ମାଛଧରା ଡଙ୍ଗାର କ୍ଷୟକ୍ଷତି ଉପରେ ଗୁରୁତ୍ୱ ଦେଇଛି କେନ୍ଦ୍ରୀୟ ଟିମ୍‌ ।

ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରୀୟ ଟିମ୍‌ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ କ୍ଷୟକ୍ଷତିର ଅନୁଧ୍ୟାନ କରିଛି । ୩ ଜଣିଆ ଟିମ୍ ପ୍ରଥମେ ଜିଲ୍ଲାପାଳଙ୍କ ସହ ବୈଠକ କରିବା ପରେ ରାଜନଗରର ପେଣ୍ଠ ଅଞ୍ଚଳ ଗସ୍ତ କରି ବାତ୍ୟା ରଚିଥିବା ତାଣ୍ଡବ ଦେଖିଥିଲେ । ଖୁବଶୀଘ୍ର କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛି କେନ୍ଦ୍ରୀୟ ଟିମ୍‌ ।

ମେ ୨୦ରେ ବାତ୍ୟା ଅମ୍ଫାନ ବଙ୍ଗ ଗଲା ବେଳେ ଓଡ଼ିଶାରେ ଘସି ହୋଇ ଯାଇଥିଲା । ଯାହାଦ୍ଵାରା ଉପକୂଳ ସମେତ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଛାରଖାର କରିଥିଲା । ପ୍ରଥମ ଦିନରେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ବାଲେଶ୍ୱର ଓ କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳ ବୁଲିଥିବା ବେଳେ, ଶୁକ୍ରବାର ଭଦ୍ରକ ଓ ଜଗତସିଂହପୁରର ପ୍ରଭାବିତ ଅଞ୍ଚଳ ବୁଲିବାର କାର୍ଯ୍ୟକ୍ରମ ରହିଛି ।

ଜୀବିତ ବ୍ୟକ୍ତିଙ୍କ ଅଙ୍ଗ ବିକ୍ରି କରୁଛି ଚୀନ୍,କରୋନା କାଳରେ ବି ଚାଲିଛି କଳା ବେପାର

ଚୀନ୍ । ବାକି ଦୁନିଆ ପାଇଁ ମଡେଲ । ଆର୍ଥିକ ପ୍ରଗତିର ଯେଉଁ କାହାଣୀ ଚୀନ୍ ଗଲା ତିନି ଦଶକ ଭିତରେ ଲେଖିଛି ତାହା ଅନ୍ୟ ଦେଶଙ୍କ ପାଇଁ ଅନୂକରଣୀୟ । କିନ୍ତୁ ଆର୍ଥିକ ପ୍ରଗତିର ଆଖି ଝଲସିଆ ଚିତ୍ର ପଛରେ ଅଛି ଆଉ ଗୋଟିଏ ଚୀନ୍ । ଲୌହ ଆବରଣ ଭିତରେ ଭିତରେ ଲୁଚି ରହିଛି ଏମିତି ଗୋଟିଏ ଚୀନ୍ ଯାହା ଭୟଙ୍କର । ଦୁନିଆର ଆଗାମୀ ମହାଶକ୍ତି ଓ ଆର୍ଥିକ ଶକ୍ତି ହେବାର ସ୍ୱପ୍ନ ଦେଖୁଥିବା ଚୀନ ନିଜ ଲୋକଙ୍କୁ ହତ୍ୟା କରି ସେମାନଙ୍କ ଅଙ୍ଗ ବିକ୍ରି କରେ । ଦୁନିଆକୁ କରଜ ଦେଉଥିବା ଚୀନକୁ ମେଡିକାଲ ଟୁରିଜିମରେ ଆସନ୍ତି ଅନେକ ବିଦେଶୀ । କାରଣ କମ୍ୟୁନିଷ୍ଟ ଚୀନରେ ସେମାନଙ୍କୁ ମିଳେ ମାନବ ଅଙ୍ଗ । ଠିକ୍ ପଢିଲେ । ବାକି ଦୁନିଆର ବଜାରରେ ଯେମିତି ମୋବାଇଲ କିମ୍ବା ଔଷଧ ସହଜରେ ମିଳିଯାଏ ସେମିତି ଚୀନର ଚୋରା ବଜାରରେ ମିଳିଯାଏ ମଣିଷ ଅଙ୍ଗ ।

ଅର୍ଡର ଦିଅ, କିଡନୀ ନିଅ

ଚୀନରେ ଅର୍ଗାନ ହାର୍ଭେଷ୍ଟିଂ ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଛି । ଏହି ବ୍ୟବସାୟରେ ଜୀବିତ ବ୍ୟକ୍ତିଙ୍କ ଅଙ୍ଗକୁ ବାହାର କରି ଅନ୍ୟ ବ୍ୟକ୍ତିଙ୍କ ଶରୀରରେ ଲଗାଯାଇଥାଏ । ଅନେକ ଧନାଢ୍ୟ ବିଦେଶୀ ଯେଉଁମାନଙ୍କ ଅଙ୍ଗ ଖରାପ ହୋଇଯାଇଛି କିନ୍ତୁ ନିଜ ଦେଶରେ ଡୋନର ମିଳୁ ନଥିବାରୁ ମୃତ୍ୟକୁ ଅପେକ୍ଷା କରିଥାନ୍ତି, ସେମାନେ ଚୀନର ଏହି ବ୍ଲାକ୍ ମାର୍କେଟରୁ ନିଜ ପାଇଁ ଅଙ୍ଗ କିଣିଥାନ୍ତି । ତେଣିକି ତାହା କିଡନୀ ହେଉ କି ଲିଭର । ଅର୍ଡର ଦେଲେ ଚୀନରେ ସବୁକିଛି ଉପଲବ୍ଧ ହୋଇଯାଏ । ବାସ, ଅର୍ଡର ଦେଉଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ବାଲାନ୍ସ ତଗଡା ହୋଇଥିବା ଦରକାର । ବାକି ଦେଶରେ ଜଣେ ବ୍ୟକ୍ତି କିଡନୀ ଟ୍ରାନ୍ସପ୍ଲାଣ୍ଟ୍ କରିବାକୁ ଚାହୁଁଥିଲେ ତାଙ୍କୁ ଅନେକ ଅନୁମତି ନେବାକୁ ପଡ଼େ । ଭାରତ ଭଳି ଦେଶରେ ଡୋନର ଓ ରିସିଭରଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଥିବା ଜରୁରୀ ହୋଇଥାଏ । ଏମିତିରେ ଅନେକ ବ୍ୟକ୍ତି ଅର୍ଗାନ ପାଇ ନଥାନ୍ତି । କିନ୍ତୁ ଚୀନର ମେଡିକାଲ ଟୁରିଜିମର ବିଶେଷତ୍ୱ ହେଲା ଆପଣଙ୍କ ପାଖରେ ଯଦି ଟଙ୍କା ଅଛି ତେବେ  ଆପଣ ନିଜ ପାଇଁ କିଡନୀ କିମ୍ବା ଲିଭର ଅର୍ଡର କରିପାରିବେ । ଅର୍ଡର ମିଳିବା ପରେ କିଡନୀ ଖୋଜା ଆରମ୍ଭ ହୋଇଯାଏ । ଏହା ଏକପ୍ରକାର ଅନ୍ୟ ଅର୍ଡର ସିଷ୍ଟମ୍ ।

ରାଜନୈତିକ ବନ୍ଦୀଙ୍କ ଅଙ୍ଗ ବିକ୍ରି କରୁଛି ଚୀନ୍

ଚୀନରେ ଗୋଟିଏ ଦଳର ସରକାର ଚାଲେ । କମ୍ୟୁନିଷ୍ଟ୍ ପାର୍ଟି । ଅନ୍ୟକୌଣସି ଦଳକୁ ଏହି ଦେଶରେ ଅନୁମତି ନାହିଁ । ଏମିତିରେ ରାଜନୈତିକ ବିରୋଧୀଙ୍କୁ ସେଠାକାର ସରକାର ଓ ପାର୍ଟି ପସନ୍ଦ କରେନା । ତେଣୁ ଚୀନର ଜେଲରେ ଲକ୍ଷ ଲକ୍ଷ ସଂଖ୍ୟାରେ ରାଜନୈତିକ ବନ୍ଦୀ ଅଟକ ଅଛନ୍ତି । ଚୀନ୍ ସେହି ବନ୍ଦୀମାନଙ୍କ ଅଙ୍ଗ ବିକ୍ରି କରି ଡଲାର ରୋଜଗାର କରୁଛି । ଏହାଦ୍ୱାରା ଦୁଇଟି ଲକ୍ଷ୍ୟ ପୁରଣ ହେଉଛି । ଗୋଟିଏ ହେଉଛି ବନ୍ଦୀଙ୍କ ପିଛା ଖର୍ଚ୍ଚ କରିବାକୁ ପଡୁନି, ଅନ୍ୟଟି ହେଉଛି ସହଜରେ ଡଲାର ଆୟ ହେଉଛି । ଆମେରିକା ଓ ୟୁରୋପର ଧନୀମାନେ ଚୀନ୍ ବଜାରରୁ ନିଜ ପାଇଁ ଅଙ୍ଗ କିଣିଥାନ୍ତି ।

୨୦୦୦ରୁ ୨୦୦୮ ଭିତରେ ୬୫ ହଜାର ଲୋକଙ୍କୁ ହତ୍ୟା !

ଚୀନରେ ଧର୍ମ ପ୍ରତିବନ୍ଧିତ । ତେଣୁ ଚୀନ ସରକାରଙ୍କ ଟାର୍ଗେଟରେ ଧର୍ମୀୟ ସଂଗଠନ ରହିଥାନ୍ତି । ସେହିଭଳି ଗୋଟିଏ ସଂଗଠନ ହେଉଛି ଫୈଲନ୍ ଗୋଙ୍ଗ୍ । ଏହି ସଂଗଠନର ୬୫ ହଜାର ସଦସ୍ୟଙ୍କୁ ମାରି ସେମାନଙ୍କ ଅଙ୍ଗକୁ ଚୀନ ସରକାର ବିକ୍ରି କରିଥିଲେ ବୋଲ ଅଭିଯୋଗ ହୁଏ । ୨୦୦୦ ମସିହାରୁ ୨୦୦୮ ମଧ୍ୟରେ ୬୫ ହଜାର ଜଣଙ୍କୁ ହତ୍ୟା କରି ଚୀନ ଅଙ୍ଗ ଚୋରା କାରବାର କରିଥିଲା ବୋଲି ଇଥନ ଗଟମେନ୍ ନାମକ ଲେଖକ ଦାବି କରିଥିଲେ । ଗଟମେନ୍ ଚୀନର ୪ଟି ଦ୍ୱୀପର ୧୦୦ ଜଣ ଫୈଲନ ଗୋଙ୍ଗ ଅନୁଗାମୀଙ୍କ ସାକ୍ଷାତକାର ନେଇ ଏଭଳି ଦାବି କରିଥିଲେ । ୨୦୧୫ ମସିହାରେ ଏହାକୁ ନେଇ ଫେସବୁକରେ ଗୋଟିଏ ବଡଧରଣର କ୍ୟାମ୍ପେନ୍ କରାଯାଇଥିଲା ।ଏହାରି ଉପରେ ହ୍ୟୁମେନ୍ ହାର୍ଭେଷ୍ଟିଂ ନାମକ ଏକ ଡକ୍ୟୁମେଣ୍ଟ୍ରି ଫିଲ୍ମ ମଧ୍ୟ ତିଆରି ହୋଇଥିଲା । ଯାହାକୁ ପିବଡି ସମ୍ମାନରେ ସମ୍ମାନିତ କରାଯାଇଥିଲା । ତଳେ ଦିଆଯାଇଥିବା ଲିଙ୍କକୁ କ୍ଲିକ୍ କରି ଆପଣ ସେହି ଡକ୍ୟୁମେଣ୍ଟ୍ରିର କିଛି ଅଂଶ ଦେଖିପାରିବେ । ଯେଉଁଥିରେ ଜଣେ ମହିଳା ନିଜ କାହାଣୀ କହୁଛନ୍ତି । ସେ କହୁଛନ୍ତି ଯେ, ମୋତେ ଜଣା ନଥିଲା ଯେ, ଅଙ୍ଗ ରୋପଣ ପାଇଁ ଏଭଳି ଅମାନବୀୟ ନିର୍ଯାତନା ଦିଆଯାଇଥାଏ । ମହିଳା ଜଣଙ୍କ ଅନୁସାରେ ତାଙ୍କ ଦେହରେ ଜଣେ ଜୀବିତ ବ୍ୟକ୍ତିଙ୍କ ଅଙ୍ଗ ରୋପଣ କରାଯାଇଥିଲା ।

କରୋନା ଚିକିତ୍ସା ପାଇଁ ଉଇଘୁର ମୁସଲମାନଙ୍କ ଅଙ୍ଗ ବାହାର କରୁଛି ଚୀନ୍ !
ଡେଲି ଷ୍ଟାର ଓ ବାଇଲାଇନ୍ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚୀନ କରୋନା ପୀଡିତଙ୍କ ଚିକିତ୍ସା ପାଇଁ କ୍ୟାମ୍ପରେ ବନ୍ଦୀ ଥିବା ଉଇଘୁର ମୁସଲମାନଙ୍କ ଅଙ୍ଗ ବାହାର କରୁଛି । କରୋନାରେ ସଂକ୍ରମିତ ବ୍ୟକ୍ତିଙ୍କ ଅଙ୍ଗ କାମ କରୁନଥିଲେ ଚୀନ୍ ସରକାର ଉଇଘୁର ମୁସଲମାନଙ୍କ ଦେହରୁ ଅଙ୍ଗ ବାହାର କରି ହାନ୍ (ମୁଳ ଚୀନ୍ ବାସିନ୍ଦା) ଶରୀରରେ ପ୍ରତିରୋପଣ କରୁଛି ବୋଲି ରିପୋର୍ଟରେ ଦାବି କରାଯାଇଛି । ଏହା ପୂର୍ବରୁ ସେପ୍ଟେମ୍ବର ୨୦୧୯ରେ ମଧ୍ୟ ସମାନ ଅଭିଯୋଗ ଆସିଥିଲା ।

କରୋନା କାଳରେ କିଡନୀ କାଣ୍ଡ

ସିଜେ ୱାର୍ଲମ୍ୟାନ୍ ନାମକ ପ୍ରଖ୍ୟାତ ସାମ୍ବାଦିକଙ୍କ ଅନୁସାରେ କିଛି ଦିନ ତଳେ ଚୀନ୍ ପ୍ରଥମ ଥର ପାଇଁ ଡବଲ କିଡନୀ ଟ୍ରାନ୍ସପ୍ଲାଣ୍ଟର ସଫଳ ଅପରେସନ ଦାବି କରିଥିଲା । ଜଣେ ୫୯ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ଅପରେସନ୍ ହୋଇଥିଲା । ଏହି ବ୍ୟକ୍ତିଙ୍କ ଦୁଇଟି ଯାକ କିଡନୀ କରୋନା ସଂକ୍ରମଣ କାରଣରୁ କାମ କରୁନଥିଲା । କରୋନା ସମୟରେ ଅର୍ଗାନ ଡିମାଣ୍ଡ୍ ହାଇ ରହିଛି । ଏମିତିରେ ସେହି ବ୍ୟକ୍ତିଙ୍କ ପାଇଁ  ମାତ୍ର  ୫ ଦିନ ମଧ୍ୟରେ କେମିତି କିଡନୀ ଉପଲବ୍ଧ ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ୱାର୍ଲମ୍ୟାନ୍ । କୌଣସି ଜୀବିତ ବ୍ୟକ୍ତିଙ୍କଠାରୁ କିଡନୀ କଢା ଯାଇଥିବା ସନ୍ଦେହ କରାଯାଉଛି । ଏମିତିରେ ସି ଜିନପିଙ୍ଗଙ୍କ ଚୀନରେ ସବୁ ସମ୍ଭବ । ସେଠାରେ ଶସ୍ତା ମୋବାଇଲରୁ ଶସ୍ତା କିଡନୀ ଓ ଲିଭର ମିଳିବା କିଛି ବଡ କଥା ନୁହେଁ । କାରଣ ଚୀନ୍ ଜେଲରେ ଯେତିକି ଲୋକ ବନ୍ଦୀ ଅଛନ୍ତି ସେମାନଙ୍କ ଖୋଜଖବର ନେବାକୁ କେହି ମଧ୍ୟ ନାହାନ୍ତି ।

କେନ୍ଦ୍ର ନିଷ୍ପତ୍ତିରୁ କିଏ ପାଇବେ ଲାଭ ? ଚାଷୀ ନା କର୍ପୋରେଟ କମ୍ପାନୀ !

ଭୁବନେଶ୍ୱର:  ଆଳୁ ପିଆଜ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ପଡ଼ିବା ପରେ ଏହାକୁ ନେଇ ଦେଶ ସାରା ଚର୍ଚ୍ଚା । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଠଗଡ଼ାରେ ଛିଡ଼ା କରିଛନ୍ତି ରାଜ୍ୟ ସରକାର । ଏପରିକି କର୍ପୋରେଟ କମ୍ପାନୀ ବଜାରକୁ ପଶି ଆସିବେ ବୋଲି ଆଶଙ୍କା କରିଛନ୍ତି । ସେପଟେ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ନେଇ ଜୋର ଧରିଛି ରାଜନୀତି ।

ନିୟନ୍ତ୍ରଣ ବାହାରକୁ ଯିବ ଆଳୁ, ପିଆଜ ?

କେନ୍ଦ୍ର କ୍ୟାବିନେଟ ନିଷ୍ପତିକୁ ନେଇ ଏଭଳି ପ୍ରଶ୍ନ ଉଠିଛି । ଏଥି ଯୋଗୁଁ କିଏ ଲାଭ ପାଇବେ ? ଚାଷୀ ନା କର୍ପୋରେଟ କମ୍ପାନୀ । ୬୦ ବର୍ଷର ନିୟମକୁ ବଦଳାଇ ଆଳୁ, ପିଆଜ ଓ ତେଲ ପରି ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ତାଲିକାକୁ ବାଦ୍ ଦେଇଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ଆରମ୍ଭ ହୋଇଛି ବିତର୍କ । କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି ଏସବୁ ସାମଗ୍ରୀ ଅତ୍ୟାବଶ୍ୟକ ତାଲିକାରୁ ବାଦ୍ ପଡ଼ିବା ପରେ ଚାଷୀମାନେ ବେଶ ଉପକୃତ ହେବେ ।

ହେଲେ ରାଜ୍ୟ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛି । ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଯୁକ୍ତି ହେଉଛି କେନ୍ଦ୍ରର ଏପରି ନିଷ୍ପତ୍ତି ଆଶଙ୍କା ସୃଷ୍ଟି କରିଛି । ଏଥିରେ ଚାଷୀଙ୍କ ସ୍ୱାର୍ଥ ରହିବ କି ନାହିଁ ତାହା ଉପରେ ପ୍ରଶ୍ନ ଉଠୁଛି । ଖାଉଟି ଉପରେ ଏହା ବୋଝ ପଡ଼ିବ ବୋଲି କୁହାଯାଉଛି । ଅତ୍ୟାବଶ୍ୟକୀୟ ବଜାର କର୍ପୋରେଟ ନିୟନ୍ତ୍ରଣକୁ ଆସିଯିବ ଓ ଦର ମଧ୍ୟ କାହା ନିୟନ୍ତ୍ରଣରେ ରହିବ ନାହିଁ । କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ନେଇ ଯୋଗାଣ ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ସେପଟେ ଏହାକୁ ନେଇ ଜୋର ଧରିଛି ରାଜନୀତି । କଂଗ୍ରେସ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଥିବା ବେଳେ ବିଜେପି ମାପିଚୁପି ବୟାନ ଦେଇଛି । କହିଛି ଏହାଦ୍ଵାରା ଚାଷୀ ଉପକୃତ ହେବେ ।

ଏବେ ଆଳୁ ଦର କିଲୋ ପ୍ରତି ୨୫ରୁ ୨୮ ଟଙ୍କା ରହିଥିବା ବେଳେ ପିଆଜ ଦର ୨୦ ଟଙ୍କା ରହିଛି । ତେବେ, କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପରେ ପ୍ରକୃତରେ ଚାଷୀ ଉପକୃତ ହେଉଛନ୍ତି ନା କର୍ପୋରେଟ ସଂସ୍ଥା ଲାଭ ପାଇବେ ତାକୁ ନେଇ ଉଠିଛି ପ୍ରଶ୍ନ ।

ମୋଦି କ୍ୟାବିନେଟ୍ ପାସ କଲା ଦୁଇ ଅଧ୍ୟାଦେଶ,କୃଷକଙ୍କ ପାଇଁ ‘ଗୋଟିଏ ଦେଶ ଗୋଟିଏ ବଜାର’ ନୀତି

ଶନିବାର ଓ ରବିବାର ସଟଡାଉନରେ ଚାଲିବ ବସ୍

ଭୁବନେଶ୍ୱର:  ସଟଡାଉନ୍ ସମୟରେ ବସ୍‌ ଚାଲିବ । ଶନିବାର ଓ ରବିବାର ବସ୍ ଚଳାଚଳ କରିବାରୁ ନିଷ୍ପତ୍ତି ନେଇଛି ବସ ମାଲିକ ସଂଘ । ରାଜ୍ୟ ପରିବହନ ବିଭାଗର ଟ୍ୱିଟ୍ ପରେ ବସ ମାଲିକ ସଂଘ ପକ୍ଷରୁ ବସ୍ ଚଳାଚଳ ନେଇ ସୂଚନା ଦିଆଯାଇଛି ।

ଅନଲକ 1.0ରେ ଅଧିକ ସଂକ୍ରମିତ ୧୧ ଜିଲ୍ଲାରେ ଜୁନ୍‌ ୩୦ ଯାଏଁ  ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଥିଲେ ରାଜ୍ୟ ସରକାର । ମାତ୍ର ଲୋକଙ୍କ ସମସ୍ୟାକୁ ନଜରରେ ରଖି ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି ।

ଏକା ଥରକେ ୧୨୯ ପଜିଟିଭ୍‌ ଚିହ୍ନଟ..

ଅନ୍ତରୀକ୍ଷରୁ ୩ ଦିନରେ ଖସିବ ୮ ଉଲକା ପିଣ୍ଡ, ନାସା କଲା ସତର୍କ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ସକାଳ ଠାରୁ ରବିବାର ପର୍ଯ୍ୟନ୍ତ ପୃଥିବୀ ଆଡ଼କୁ ପଡ଼ିବେ ଉଲକା ପିଣ୍ଡ । ଏଥିରେ କେତୋଟି ଛୋଟ ଥିବାବେଳେ ଆଉ କିଛିର ଆକାର ଷ୍ଟାଡିୟମ ଭଳି । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ପ୍ରକାରେ ଏଥିରୁ ୮ଟି ଉଲକା ପିଣ୍ଡ ପୃଥିବୀର ଅତି ନିକଟରେ ଅତିକ୍ରମ କରିବେ । ଏହା ଜୁନ୍ ୫ ତାରିଖ ସକାଳଠାରୁ ଆରମ୍ଭ ହୋଇ ସପ୍ତାହ ଶେଷ ଯାଏଁ ଚାଲିବ ।

ନାସାର ସେଣ୍ଟର ଫର୍ ନିଅର ଆର୍ଥ ଅବଜେକ୍ଟସ୍ ଷ୍ଟଡିଜ୍ ଅନୁସାରେ, ଜୁନ୍ ୫ ଭୋର୍ ୪ଟା ୪୪ରେ ଉଲକା ପିଣ୍ଡ ୨୦୨୦ କେଏନ୍୫ ପୃଥିବୀର ଅତି ନିକଟରେ ଅତିକ୍ରମ କରିବ । ଏହାର ବ୍ୟାସାର୍ଦ୍ଧ ୨୪ରୁ ୫୪ ମିଟର । ସେକେଣ୍ଡ ପ୍ରତି ଏହା ୧୨.୬୬ କିମି ଗତି କରୁଛି ଅର୍ଥାତ୍ ଘଣ୍ଟା ପ୍ରତି ୪୫ ହଜାର ୫୭୬ କିଲୋମିଟର ବେଗରେ ମାଡ଼ି ଆସୁଛି । ଏହା ପୃଥିବୀ ପୃଷ୍ଠରୁ ପ୍ରାୟ ୬୧ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ ।

୫ ଜୁନ୍ ସନ୍ଧ୍ୟା ୫ଟା ୪୧ରେ ଉଲକା ପିଣ୍ଡ କେଏ୬ ପୃଥିବୀ ପୃଷ୍ଠରୁ ୪୪.୧୩ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ । ଏହାର ବ୍ୟାସାର୍ଦ୍ଧ ୨୮ ମିଟର ହୋଇଥିବା ବେଳେ ଏହା ଘଣ୍ଟାପ୍ରତି ୪୧ ହଜାର ୬୫୨ କିମି ବେଗରେ ଅତିକ୍ରମ କରିବ ।

ଜୁନ୍ ୬ ଅପରାହ୍ଣ ୮ଟା ୫୦ରେ ଏନଏନ୪ ଉଲକାପିଣ୍ଡ ପୃଥିବୀର ନିକଟରେ ଅତିକ୍ରମ କରିବ । ପୃଥିବୀ ଠାରୁ ଏହା ୫୧ ଲକ୍ଷ କିମି ଦୂରରେ ଘଣ୍ଟାପ୍ରତି ୪୦ ହଜାର ୧୪୦ କିଲୋମିଟରରେ ଅତିକ୍ରମ କରିବ । ଏହାର ବ୍ୟାସାର୍ଦ୍ଧ ୫୭୦ ମିଟର । ଅର୍ଥାତ୍ ଏହା ୫ଟି ଫୁଟବଲ୍ ପଡ଼ିଆ ସହିତ ସମାନ ।

ଜୁନ୍ ୬ ରାତି ପ୍ରାୟ ୧୧ଟା ୮ରେ କେକ୍ୟୁ୧ ଉଲକାପିଣ୍ଡ ପୃଥିବୀର ନିକଟରେ ଅତିକ୍ରମ କରିବ । ଏହାର ବ୍ୟାସାର୍ଦ୍ଧ ୩୬ରୁ ୮୧ ମିଟର । ପୃଥିବୀ ଠାରୁ ଏହା ୫୧.୨୩ ଲକ୍ଷ କିଲୋମିଟର ଦୂରତାରେ ଘଣ୍ଟାପ୍ରତି ୫୩ ହଜାର ୭୪୮ କିଲୋମିଟର ବେଗରେ ଅତିକ୍ରମ କରିବ ।

ଜୁନ୍ ୬ ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ପୃଥିବୀଠାରୁ ୧୪.୩୧ ଲକ୍ଷ କିଲୋମଟିର ଦୂରରେ ଏଲଏ ଉଲକା ପିଣ୍ଡ ଅତିକ୍ରମ କରିବ । ଏହାର ବ୍ୟାସାର୍ଦ୍ଧ ୨୪ରୁ ୫୩ ମିଟର ହୋଇଥିବା ବେଳେ ଏହା ଘଣ୍ଟାପ୍ରତି ୫୫, ୫୮୪ କିଲୋମିଟରେ ବେଗରେ ଅତିକ୍ରମ କରିବ ।

୭ ଜୁନ୍ ଦ୍ୱିପହର ୧୨ଟା ୩ରେ କିଏ୭ ପୃଥିବୀଠାରୁ ୧୪.୬୭ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ । ଏହାର ବ୍ୟାସାର୍ଦ୍ଧ ୨୩ରୁ ୫୧ ମିଟର ହୋଇଥିବା ବେଳେ ଏହା ଘଣ୍ଟାପ୍ରତି ୨୬, ୪୨୪ କିଲୋମିଟର ବେଗରେ ଗତି କରିବ ।

ଜୁନ୍ ୭ ଦିନ ୧୨ଟା ୪୫ରେ କେକେ ୩ ପୃଥିବୀ ଠାରୁ ୬୮.୦୨ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ । ଏହାର ବ୍ୟାସାର୍ଦ୍ଧ ୨୨ ମିଟରରୁ ୪୯ ମିଟର ହୋଇଥିବା ବେଳେ ଏହା ଘଣ୍ଟାପ୍ରତି ୪୨ ହଜାର ୮୭୬ କିଲୋମିଟର ବେଗରେ ଗତି କରିବ ।

 

ବୁଡ଼ି ଯାଉଥିବା ବ୍ୟକ୍ତିକୁ ଉଦ୍ଧାର କରିବା ପାଇଁ ପାଣିକୁ ଓହ୍ଲାଇଲା ଶିଶୁ ହାତୀ

କେରଳ: କେରଳର କିଛି ଦୁର୍ଦ୍ଦାନ୍ତ ବ୍ୟକ୍ତି ଏକ ସପୁରୀରେ ବିସ୍ଫୋରକ ଭର୍ତ୍ତି କରି ଏକ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିବା ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରେ ଗର୍ଭବତୀ ହାତୀଟିର ମୃତ୍ୟୁ ଘଟିଥିଲା।  ସୋସିଆଲ ମିଡିଆରେ ଏହି ମାମଲା ପ୍ରାଧାନ୍ୟ ବିସ୍ତାର କରିଛି । ଲୋକମାନେ ମାନବିକତା ଉପରେ ପ୍ରଶ୍ନ କରୁଛନ୍ତି। ଏଥି ସହିତ, ସେମାନେ ଏହି ଅମାନୁଷିକ କାର୍ଯ୍ୟ କରିଥିବା ସେହି ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛନ୍ତି ।

ଏଭଳି ସମୟରେ ଆଉ ଏକ ହାତୀର ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ବ୍ୟକ୍ତି ନଦୀରେ ଭାସି ଯାଉଥିବାବେଳେ ଏକ ଶିଶୁ ହାତୀ ନଦୀରେ ପହଁରୀ ବ୍ୟକ୍ତିଟିକୁ ଉଦ୍ଧାର କରୁଥିବା ଭଳି ଦୃଶ୍ୟ ରହିଛି ।

https://twitter.com/AnimalsWorId/status/1268071129341661186

ଏହି ସୁନ୍ଦର ଭିଡିଓ @AnimalWorld ନାମକ ଜଣେ ଟ୍ୱିଟର ୟୁଜର୍ସଙ୍କ ଦ୍ୱାରା ସେୟାର କରାଯାଇଥିଲା । ସେ କ୍ୟାପସନରେ ଲେଖିଛନ୍ତି ଯେ, ‘ଏହି ଶିଶୁ ହାତୀଟି ଭାବିଲା ନଦାରେ କେହି ଜଣେ ବୁଡ଼ିଯାଉଛନ୍ତି, ତେଣୁ ତାକୁ ଉଦ୍ଧାର କରିବା ପାଇଁ ସେ ନଦୀ ଭିତରକୁ ଆସିଲା, ବାସ୍ତବରେ ଆମେ ଏସବୁର ଯୋଗ୍ୟ ନୁହନ୍ତି । ‘

 

ଏକାଠି ଦେଖିଥିଲେ ଦୁନିଆ, ଏକାଠି ବୁଜିଲେ ଆଖି

କେନ୍ଦୁଝର: ଖେଳ ହେଲା କାଳ । ଏକାଠି ଦେଖିଥିଲେ ଦୁନିଆ, ଏକାଠି ବୁଜିଲେ ଆଖି । ଖେଳୁ ଖେଳୁ ଗାଡ଼ିଆରେ ଯାଆଁଳା ଭାଇଙ୍କ ସଲୀଳ ସମାଧୀ । ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ତୁମୁରୁଙ୍ଗା ନୂଆଖମଣ ଗାଁରେ । ବାଙ୍କସାହିରେ ଖେଳୁଥିବା ଅବସ୍ଥାରେ ଗାଡ଼ିଆରେ ପଡ଼ି ଯାଆଁଳା ଭାଇଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ବୟସ ୬ ବର୍ଷ ହେବ। ବୁଡ଼ିବା ଖବର ଶୁଣି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଦିନେ ଘରେ ଶୁଭିଥିଲା ଏକାଥରକେ ଦୁଇ ଦୁଇ ପୁଅଙ୍କର କୁଆଁ କୁଆଁ ସ୍ୱର । ଜାଆଁଳା ପୁଅ ଜନ୍ମ ହୋଇଛି ବୋଲି ଘରେ ସମସ୍ତଙ୍କ ମନ ଖୁସିରେ ଫାଟି ପଡ଼ୁଥିଲା । ହେଲେ ଆଜି କୋହ ଫଟା କାନ୍ଦରେ ଫାଟିପଡ଼ୁଛି ପୂରା ପରିବାର । ପୂରା ପରିବାର ଉପରେ ଦୁଃଖର ବାଦଲ ଛିଡ଼ି ପଡ଼ିଛି । କାରଣ ମାଆ ହରାଇଛି ତାର ଦୁଇଟି ଆଖିର ନୟନ ପିତୁଳାକୁ  । ଆଉ ବାପ ହରାଇଛି ବଞ୍ଚିବାର ସାହାରାକୁ । କାହା ମୁହଁ ଚାହିଁ ଆମେ ଆଉ ବଞ୍ଚିବୁ ବୋଲି ପୁଳା ପୁଳା ଲୁହ ସହ ପ୍ରଶ୍ନ କରୁଛନ୍ତି ପରିବାର ।

ମୋର କୂଳନନ୍ଦନଙ୍କୁ ମୋ ଠାରୁ କାହିଁକି ଛଡ଼ାଇ ନେଲ ବୋଲି କାନ୍ଦି କାନ୍ଦି ବିଧାତାଙ୍କୁ ପ୍ରଶ୍ନ କରୁଛି ମାଆ । ୬ ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା । ଦୁହେଁ ଦୁହିଁଙ୍କର ନଟଖଟ ପଣରେ ପୂରା ପରିବାରକୁ ହସାଉଥିଲେ । ହେଲେ ଦୁହିଁଙ୍କର ବିଧିର ବିଧାନରେ ବୋଧେ ଏ ଖୁସି ଅଧିକ ଦିନ ପର୍ଯ୍ୟନ୍ତ ଲେଖା ନଥିଲା । କାଳର କଳା ନଜର ବୋଧେ ଦୁହିଁଙ୍କ ଉପରେ ଲାଗିଯାଇଥିଲା । ସେଥିପାଇଁ ବୋଧେ ପୂରା ପରିବାରକୁ ଲୁହର ସାଗରେ ଭସାଇ ଦେଇ ଚାଲିଗଲେ କୂଳନନ୍ଦନ ।