ଜୀବିତ ବ୍ୟକ୍ତିଙ୍କ ଅଙ୍ଗ ବିକ୍ରି କରୁଛି ଚୀନ୍,କରୋନା କାଳରେ ବି ଚାଲିଛି କଳା ବେପାର

1 min read

ଚୀନ୍ । ବାକି ଦୁନିଆ ପାଇଁ ମଡେଲ । ଆର୍ଥିକ ପ୍ରଗତିର ଯେଉଁ କାହାଣୀ ଚୀନ୍ ଗଲା ତିନି ଦଶକ ଭିତରେ ଲେଖିଛି ତାହା ଅନ୍ୟ ଦେଶଙ୍କ ପାଇଁ ଅନୂକରଣୀୟ । କିନ୍ତୁ ଆର୍ଥିକ ପ୍ରଗତିର ଆଖି ଝଲସିଆ ଚିତ୍ର ପଛରେ ଅଛି ଆଉ ଗୋଟିଏ ଚୀନ୍ । ଲୌହ ଆବରଣ ଭିତରେ ଭିତରେ ଲୁଚି ରହିଛି ଏମିତି ଗୋଟିଏ ଚୀନ୍ ଯାହା ଭୟଙ୍କର । ଦୁନିଆର ଆଗାମୀ ମହାଶକ୍ତି ଓ ଆର୍ଥିକ ଶକ୍ତି ହେବାର ସ୍ୱପ୍ନ ଦେଖୁଥିବା ଚୀନ ନିଜ ଲୋକଙ୍କୁ ହତ୍ୟା କରି ସେମାନଙ୍କ ଅଙ୍ଗ ବିକ୍ରି କରେ । ଦୁନିଆକୁ କରଜ ଦେଉଥିବା ଚୀନକୁ ମେଡିକାଲ ଟୁରିଜିମରେ ଆସନ୍ତି ଅନେକ ବିଦେଶୀ । କାରଣ କମ୍ୟୁନିଷ୍ଟ ଚୀନରେ ସେମାନଙ୍କୁ ମିଳେ ମାନବ ଅଙ୍ଗ । ଠିକ୍ ପଢିଲେ । ବାକି ଦୁନିଆର ବଜାରରେ ଯେମିତି ମୋବାଇଲ କିମ୍ବା ଔଷଧ ସହଜରେ ମିଳିଯାଏ ସେମିତି ଚୀନର ଚୋରା ବଜାରରେ ମିଳିଯାଏ ମଣିଷ ଅଙ୍ଗ ।

ଅର୍ଡର ଦିଅ, କିଡନୀ ନିଅ

ଚୀନରେ ଅର୍ଗାନ ହାର୍ଭେଷ୍ଟିଂ ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଛି । ଏହି ବ୍ୟବସାୟରେ ଜୀବିତ ବ୍ୟକ୍ତିଙ୍କ ଅଙ୍ଗକୁ ବାହାର କରି ଅନ୍ୟ ବ୍ୟକ୍ତିଙ୍କ ଶରୀରରେ ଲଗାଯାଇଥାଏ । ଅନେକ ଧନାଢ୍ୟ ବିଦେଶୀ ଯେଉଁମାନଙ୍କ ଅଙ୍ଗ ଖରାପ ହୋଇଯାଇଛି କିନ୍ତୁ ନିଜ ଦେଶରେ ଡୋନର ମିଳୁ ନଥିବାରୁ ମୃତ୍ୟକୁ ଅପେକ୍ଷା କରିଥାନ୍ତି, ସେମାନେ ଚୀନର ଏହି ବ୍ଲାକ୍ ମାର୍କେଟରୁ ନିଜ ପାଇଁ ଅଙ୍ଗ କିଣିଥାନ୍ତି । ତେଣିକି ତାହା କିଡନୀ ହେଉ କି ଲିଭର । ଅର୍ଡର ଦେଲେ ଚୀନରେ ସବୁକିଛି ଉପଲବ୍ଧ ହୋଇଯାଏ । ବାସ, ଅର୍ଡର ଦେଉଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ବାଲାନ୍ସ ତଗଡା ହୋଇଥିବା ଦରକାର । ବାକି ଦେଶରେ ଜଣେ ବ୍ୟକ୍ତି କିଡନୀ ଟ୍ରାନ୍ସପ୍ଲାଣ୍ଟ୍ କରିବାକୁ ଚାହୁଁଥିଲେ ତାଙ୍କୁ ଅନେକ ଅନୁମତି ନେବାକୁ ପଡ଼େ । ଭାରତ ଭଳି ଦେଶରେ ଡୋନର ଓ ରିସିଭରଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଥିବା ଜରୁରୀ ହୋଇଥାଏ । ଏମିତିରେ ଅନେକ ବ୍ୟକ୍ତି ଅର୍ଗାନ ପାଇ ନଥାନ୍ତି । କିନ୍ତୁ ଚୀନର ମେଡିକାଲ ଟୁରିଜିମର ବିଶେଷତ୍ୱ ହେଲା ଆପଣଙ୍କ ପାଖରେ ଯଦି ଟଙ୍କା ଅଛି ତେବେ  ଆପଣ ନିଜ ପାଇଁ କିଡନୀ କିମ୍ବା ଲିଭର ଅର୍ଡର କରିପାରିବେ । ଅର୍ଡର ମିଳିବା ପରେ କିଡନୀ ଖୋଜା ଆରମ୍ଭ ହୋଇଯାଏ । ଏହା ଏକପ୍ରକାର ଅନ୍ୟ ଅର୍ଡର ସିଷ୍ଟମ୍ ।

ରାଜନୈତିକ ବନ୍ଦୀଙ୍କ ଅଙ୍ଗ ବିକ୍ରି କରୁଛି ଚୀନ୍

ଚୀନରେ ଗୋଟିଏ ଦଳର ସରକାର ଚାଲେ । କମ୍ୟୁନିଷ୍ଟ୍ ପାର୍ଟି । ଅନ୍ୟକୌଣସି ଦଳକୁ ଏହି ଦେଶରେ ଅନୁମତି ନାହିଁ । ଏମିତିରେ ରାଜନୈତିକ ବିରୋଧୀଙ୍କୁ ସେଠାକାର ସରକାର ଓ ପାର୍ଟି ପସନ୍ଦ କରେନା । ତେଣୁ ଚୀନର ଜେଲରେ ଲକ୍ଷ ଲକ୍ଷ ସଂଖ୍ୟାରେ ରାଜନୈତିକ ବନ୍ଦୀ ଅଟକ ଅଛନ୍ତି । ଚୀନ୍ ସେହି ବନ୍ଦୀମାନଙ୍କ ଅଙ୍ଗ ବିକ୍ରି କରି ଡଲାର ରୋଜଗାର କରୁଛି । ଏହାଦ୍ୱାରା ଦୁଇଟି ଲକ୍ଷ୍ୟ ପୁରଣ ହେଉଛି । ଗୋଟିଏ ହେଉଛି ବନ୍ଦୀଙ୍କ ପିଛା ଖର୍ଚ୍ଚ କରିବାକୁ ପଡୁନି, ଅନ୍ୟଟି ହେଉଛି ସହଜରେ ଡଲାର ଆୟ ହେଉଛି । ଆମେରିକା ଓ ୟୁରୋପର ଧନୀମାନେ ଚୀନ୍ ବଜାରରୁ ନିଜ ପାଇଁ ଅଙ୍ଗ କିଣିଥାନ୍ତି ।

୨୦୦୦ରୁ ୨୦୦୮ ଭିତରେ ୬୫ ହଜାର ଲୋକଙ୍କୁ ହତ୍ୟା !

ଚୀନରେ ଧର୍ମ ପ୍ରତିବନ୍ଧିତ । ତେଣୁ ଚୀନ ସରକାରଙ୍କ ଟାର୍ଗେଟରେ ଧର୍ମୀୟ ସଂଗଠନ ରହିଥାନ୍ତି । ସେହିଭଳି ଗୋଟିଏ ସଂଗଠନ ହେଉଛି ଫୈଲନ୍ ଗୋଙ୍ଗ୍ । ଏହି ସଂଗଠନର ୬୫ ହଜାର ସଦସ୍ୟଙ୍କୁ ମାରି ସେମାନଙ୍କ ଅଙ୍ଗକୁ ଚୀନ ସରକାର ବିକ୍ରି କରିଥିଲେ ବୋଲ ଅଭିଯୋଗ ହୁଏ । ୨୦୦୦ ମସିହାରୁ ୨୦୦୮ ମଧ୍ୟରେ ୬୫ ହଜାର ଜଣଙ୍କୁ ହତ୍ୟା କରି ଚୀନ ଅଙ୍ଗ ଚୋରା କାରବାର କରିଥିଲା ବୋଲି ଇଥନ ଗଟମେନ୍ ନାମକ ଲେଖକ ଦାବି କରିଥିଲେ । ଗଟମେନ୍ ଚୀନର ୪ଟି ଦ୍ୱୀପର ୧୦୦ ଜଣ ଫୈଲନ ଗୋଙ୍ଗ ଅନୁଗାମୀଙ୍କ ସାକ୍ଷାତକାର ନେଇ ଏଭଳି ଦାବି କରିଥିଲେ । ୨୦୧୫ ମସିହାରେ ଏହାକୁ ନେଇ ଫେସବୁକରେ ଗୋଟିଏ ବଡଧରଣର କ୍ୟାମ୍ପେନ୍ କରାଯାଇଥିଲା ।ଏହାରି ଉପରେ ହ୍ୟୁମେନ୍ ହାର୍ଭେଷ୍ଟିଂ ନାମକ ଏକ ଡକ୍ୟୁମେଣ୍ଟ୍ରି ଫିଲ୍ମ ମଧ୍ୟ ତିଆରି ହୋଇଥିଲା । ଯାହାକୁ ପିବଡି ସମ୍ମାନରେ ସମ୍ମାନିତ କରାଯାଇଥିଲା । ତଳେ ଦିଆଯାଇଥିବା ଲିଙ୍କକୁ କ୍ଲିକ୍ କରି ଆପଣ ସେହି ଡକ୍ୟୁମେଣ୍ଟ୍ରିର କିଛି ଅଂଶ ଦେଖିପାରିବେ । ଯେଉଁଥିରେ ଜଣେ ମହିଳା ନିଜ କାହାଣୀ କହୁଛନ୍ତି । ସେ କହୁଛନ୍ତି ଯେ, ମୋତେ ଜଣା ନଥିଲା ଯେ, ଅଙ୍ଗ ରୋପଣ ପାଇଁ ଏଭଳି ଅମାନବୀୟ ନିର୍ଯାତନା ଦିଆଯାଇଥାଏ । ମହିଳା ଜଣଙ୍କ ଅନୁସାରେ ତାଙ୍କ ଦେହରେ ଜଣେ ଜୀବିତ ବ୍ୟକ୍ତିଙ୍କ ଅଙ୍ଗ ରୋପଣ କରାଯାଇଥିଲା ।

କରୋନା ଚିକିତ୍ସା ପାଇଁ ଉଇଘୁର ମୁସଲମାନଙ୍କ ଅଙ୍ଗ ବାହାର କରୁଛି ଚୀନ୍ !
ଡେଲି ଷ୍ଟାର ଓ ବାଇଲାଇନ୍ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚୀନ କରୋନା ପୀଡିତଙ୍କ ଚିକିତ୍ସା ପାଇଁ କ୍ୟାମ୍ପରେ ବନ୍ଦୀ ଥିବା ଉଇଘୁର ମୁସଲମାନଙ୍କ ଅଙ୍ଗ ବାହାର କରୁଛି । କରୋନାରେ ସଂକ୍ରମିତ ବ୍ୟକ୍ତିଙ୍କ ଅଙ୍ଗ କାମ କରୁନଥିଲେ ଚୀନ୍ ସରକାର ଉଇଘୁର ମୁସଲମାନଙ୍କ ଦେହରୁ ଅଙ୍ଗ ବାହାର କରି ହାନ୍ (ମୁଳ ଚୀନ୍ ବାସିନ୍ଦା) ଶରୀରରେ ପ୍ରତିରୋପଣ କରୁଛି ବୋଲି ରିପୋର୍ଟରେ ଦାବି କରାଯାଇଛି । ଏହା ପୂର୍ବରୁ ସେପ୍ଟେମ୍ବର ୨୦୧୯ରେ ମଧ୍ୟ ସମାନ ଅଭିଯୋଗ ଆସିଥିଲା ।

କରୋନା କାଳରେ କିଡନୀ କାଣ୍ଡ

ସିଜେ ୱାର୍ଲମ୍ୟାନ୍ ନାମକ ପ୍ରଖ୍ୟାତ ସାମ୍ବାଦିକଙ୍କ ଅନୁସାରେ କିଛି ଦିନ ତଳେ ଚୀନ୍ ପ୍ରଥମ ଥର ପାଇଁ ଡବଲ କିଡନୀ ଟ୍ରାନ୍ସପ୍ଲାଣ୍ଟର ସଫଳ ଅପରେସନ ଦାବି କରିଥିଲା । ଜଣେ ୫୯ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ଅପରେସନ୍ ହୋଇଥିଲା । ଏହି ବ୍ୟକ୍ତିଙ୍କ ଦୁଇଟି ଯାକ କିଡନୀ କରୋନା ସଂକ୍ରମଣ କାରଣରୁ କାମ କରୁନଥିଲା । କରୋନା ସମୟରେ ଅର୍ଗାନ ଡିମାଣ୍ଡ୍ ହାଇ ରହିଛି । ଏମିତିରେ ସେହି ବ୍ୟକ୍ତିଙ୍କ ପାଇଁ  ମାତ୍ର  ୫ ଦିନ ମଧ୍ୟରେ କେମିତି କିଡନୀ ଉପଲବ୍ଧ ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ୱାର୍ଲମ୍ୟାନ୍ । କୌଣସି ଜୀବିତ ବ୍ୟକ୍ତିଙ୍କଠାରୁ କିଡନୀ କଢା ଯାଇଥିବା ସନ୍ଦେହ କରାଯାଉଛି । ଏମିତିରେ ସି ଜିନପିଙ୍ଗଙ୍କ ଚୀନରେ ସବୁ ସମ୍ଭବ । ସେଠାରେ ଶସ୍ତା ମୋବାଇଲରୁ ଶସ୍ତା କିଡନୀ ଓ ଲିଭର ମିଳିବା କିଛି ବଡ କଥା ନୁହେଁ । କାରଣ ଚୀନ୍ ଜେଲରେ ଯେତିକି ଲୋକ ବନ୍ଦୀ ଅଛନ୍ତି ସେମାନଙ୍କ ଖୋଜଖବର ନେବାକୁ କେହି ମଧ୍ୟ ନାହାନ୍ତି ।

Leave a Reply