ଏକାଠି ଦେଖିଥିଲେ ଦୁନିଆ, ଏକାଠି ବୁଜିଲେ ଆଖି

କେନ୍ଦୁଝର: ଖେଳ ହେଲା କାଳ । ଏକାଠି ଦେଖିଥିଲେ ଦୁନିଆ, ଏକାଠି ବୁଜିଲେ ଆଖି । ଖେଳୁ ଖେଳୁ ଗାଡ଼ିଆରେ ଯାଆଁଳା ଭାଇଙ୍କ ସଲୀଳ ସମାଧୀ । ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ତୁମୁରୁଙ୍ଗା ନୂଆଖମଣ ଗାଁରେ । ବାଙ୍କସାହିରେ ଖେଳୁଥିବା ଅବସ୍ଥାରେ ଗାଡ଼ିଆରେ ପଡ଼ି ଯାଆଁଳା ଭାଇଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ବୟସ ୬ ବର୍ଷ ହେବ। ବୁଡ଼ିବା ଖବର ଶୁଣି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଦିନେ ଘରେ ଶୁଭିଥିଲା ଏକାଥରକେ ଦୁଇ ଦୁଇ ପୁଅଙ୍କର କୁଆଁ କୁଆଁ ସ୍ୱର । ଜାଆଁଳା ପୁଅ ଜନ୍ମ ହୋଇଛି ବୋଲି ଘରେ ସମସ୍ତଙ୍କ ମନ ଖୁସିରେ ଫାଟି ପଡ଼ୁଥିଲା । ହେଲେ ଆଜି କୋହ ଫଟା କାନ୍ଦରେ ଫାଟିପଡ଼ୁଛି ପୂରା ପରିବାର । ପୂରା ପରିବାର ଉପରେ ଦୁଃଖର ବାଦଲ ଛିଡ଼ି ପଡ଼ିଛି । କାରଣ ମାଆ ହରାଇଛି ତାର ଦୁଇଟି ଆଖିର ନୟନ ପିତୁଳାକୁ  । ଆଉ ବାପ ହରାଇଛି ବଞ୍ଚିବାର ସାହାରାକୁ । କାହା ମୁହଁ ଚାହିଁ ଆମେ ଆଉ ବଞ୍ଚିବୁ ବୋଲି ପୁଳା ପୁଳା ଲୁହ ସହ ପ୍ରଶ୍ନ କରୁଛନ୍ତି ପରିବାର ।

ମୋର କୂଳନନ୍ଦନଙ୍କୁ ମୋ ଠାରୁ କାହିଁକି ଛଡ଼ାଇ ନେଲ ବୋଲି କାନ୍ଦି କାନ୍ଦି ବିଧାତାଙ୍କୁ ପ୍ରଶ୍ନ କରୁଛି ମାଆ । ୬ ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା । ଦୁହେଁ ଦୁହିଁଙ୍କର ନଟଖଟ ପଣରେ ପୂରା ପରିବାରକୁ ହସାଉଥିଲେ । ହେଲେ ଦୁହିଁଙ୍କର ବିଧିର ବିଧାନରେ ବୋଧେ ଏ ଖୁସି ଅଧିକ ଦିନ ପର୍ଯ୍ୟନ୍ତ ଲେଖା ନଥିଲା । କାଳର କଳା ନଜର ବୋଧେ ଦୁହିଁଙ୍କ ଉପରେ ଲାଗିଯାଇଥିଲା । ସେଥିପାଇଁ ବୋଧେ ପୂରା ପରିବାରକୁ ଲୁହର ସାଗରେ ଭସାଇ ଦେଇ ଚାଲିଗଲେ କୂଳନନ୍ଦନ ।

Leave a Reply