spot_img
Home Blog Page 70

ସିରିଆରେ ISIS ଉପରେ ଆମେରିକାର ବଡ଼ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ସିରିଆରେ ବହୁ ISIS ଲକ୍ଷ୍ୟସ୍ଥଳରେ ଆମେରିକା ବଡ  ଆକ୍ରମଣ କରିଛି । ଆମେରିକାର କେନ୍ଦ୍ରୀୟ କମାଣ୍ଡ (ସେଣ୍ଟକମ୍) ବାହିନୀ, ସହଯୋଗୀ ବାହିନୀ ସହିତ, ଅପରେସନ୍ ହକିଆଇଷ୍ଟ୍ରାଇକ୍‌ର ଅଂଶ ଭାବରେ ସିରିଆରେ ବହୁ ISIS ଲକ୍ଷ୍ୟସ୍ଥଳରେ ଆକ୍ରମଣ ଆରମ୍ଭ କରିଥିଲେ। ସେଣ୍ଟକମ୍ ଏକ୍ସରେ ଏକ ପୋଷ୍ଟରେ କହିଛି ଯେ ଆକ୍ରମଣଗୁଡ଼ିକ ଆମେରିକା ସମୟ ପ୍ରାୟ ଦିନ ୧୨.୩୦ ରେ ହୋଇଥିଲା। ଏହି ଆକ୍ରମଣଗୁଡ଼ିକ ଅପରେସନ୍ ହକିଆଇଷ୍ଟ୍ରାଇକ୍‌ର ଏକ ଅଂଶ ଥିଲା।

ସେଣ୍ଟକମ୍ କହିଛି ଯେ ଏହି ଆକ୍ରମଣଗୁଡ଼ିକ ସିରିଆରେ ISISକୁ ଟାର୍ଗେଟ କରିଥିଲା ​​ । ଏହା ଆମର ସୈନ୍ୟଙ୍କ ବିରୁଦ୍ଧରେ ଇସଲାମିକ୍ ଆତଙ୍କବାଦକୁ ମୂଳପୋଛ କରିବା, ଭବିଷ୍ୟତର ଆକ୍ରମଣକୁ ରୋକିବା ଏବଂ ଏହି ଅଞ୍ଚଳରେ ଆମେରିକା ଏବଂ ସହଯୋଗୀ ବାହିନୀକୁ ସୁରକ୍ଷା ଦେବା ପାଇଁ ଏହାର ନିରନ୍ତର ପ୍ରତିବଦ୍ଧତାର ଏକ ଅଂଶ ଥିଲା।

ଆମେରିକା ଓ ମିଳିତ ବାହିନୀ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ଆତଙ୍କବାଦୀଙ୍କୁ ପିଛା କରିବାକୁ ସଂକଳ୍ପବଦ୍ଧ। ସେଣ୍ଟକମ୍ ଏହାର ପୋଷ୍ଟରେ କହିଛି ଯେ ୧୩ ଡିସେମ୍ବର ୨୦୨୫ରେ ସିରିଆର ପାଲମିରାରେ ଆମେରିକୀୟ ଓ ସିରିଆନ ସେନା ଉପରେ ISIS ଆକ୍ରମଣର ସିଧାସଳଖ ଜବାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ୧୯ ଡିସେମ୍ବର ୨୦୨୫ରେ ଅପରେସନ୍ ହକିଆଇ ଷ୍ଟ୍ରାଇକ୍ ଆରମ୍ଭ ଏବଂ ଘୋଷଣା କରାଯାଇଥିଲା। ସେଣ୍ଟକମ୍ ଅନୁଯାୟୀ, ଏହି ଆକ୍ରମଣ ଜଣେ ISIS ଆତଙ୍କବାଦୀ ଦ୍ୱାରା କରାଯାଇଥିଲା  । ଏଥିରେ ଦୁଇ ଜଣ ଆମେରିକୀୟ ସୈନିକ ଓ ଜଣେ ଆମେରିକୀୟ ବେସାମରିକ ଅନୁବାଦକଙ୍କ ମୃତ୍ୟୁ ହୋଇଥିଲା।

‘ଆମର ବାର୍ତ୍ତା ସ୍ପଷ୍ଟ ରହିଛି। ଯଦି ତୁମେ ଆମ ସୈନ୍ୟମାନଙ୍କୁ କ୍ଷତି ପହଞ୍ଚାଇବ, ତେବେ ତୁମେ ବିଶ୍ୱର ଯେକୌଣସି ସ୍ଥାନରେ ଥାଅ, ନ୍ୟାୟରୁ ରକ୍ଷା ପାଇବାକୁ ଯେତେ ଚେଷ୍ଟା କର ନା କାହିଁକି, ଆମେ ତୁମକୁ ଖୋଜି ବାହାର କରିବୁ ଏବଂ ହତ୍ୟା କରିବୁ,’ ପୋଷ୍ଟରେ କୁହାଯାଇଛି। ଏକ ଗଣମାଧ୍ୟମ ରିପୋର୍ଟ କରିଛି ଯେ ସୈନିକମାନଙ୍କୁ ଆୟୋୱାର ଡେସ୍ ମୋଇନ୍ସର ବାସିନ୍ଦା ସାର୍ଜେଣ୍ଟ ଏଡଗାର ବ୍ରାଏନ୍ ଟୋରେସ୍ ଟୋଭାର (୨୫) ଏବଂ ଆୟୋୱାର ମାର୍ଶାଲଟାଉନର ବାସିନ୍ଦା ସାର୍ଜେଣ୍ଟ ୱିଲିୟମ୍ ନାଥାନିଏଲ୍ ହାୱାର୍ଡ (୨୯) ଭାବରେ ଚିହ୍ନଟ କରାଯାଇଛି।

ଉଭୟେ ଆୟୋୱା ନ୍ୟାସନାଲ ଗାର୍ଡର ସଦସ୍ୟ ଥିଲେ । ଯାହା ISIS କୁ ପରାସ୍ତ କରିବା ପାଇଁ ଆମେରିକୀୟ ମିଶନ, ଅପରେସନ ଇନହେରେଣ୍ଟ ରିଜଲଭର ଅଂଶ ଭାବରେ ଚଳିତ ବର୍ଷ ଆରମ୍ଭରେ ମଧ୍ୟପ୍ରାଚ୍ୟରେ ପ୍ରାୟ ୧୮୦୦ ସୈନିକଙ୍କୁ ମୁତୟନ କରିବା ଆରମ୍ଭ କରିଥିଲା। ଏହି ରିପୋର୍ଟ ଆହୁରି କରିଛି ଯେ ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ଶନିବାରର ଅପରେସନରେ ୯୦ ରୁ ଅଧିକ ସଠିକ୍ ଗୁଳିଚାଳନା, ୩୫ ରୁ ଅଧିକ ଲକ୍ଷ୍ୟସ୍ଥଳକୁ ଆକ୍ରମଣ ଓ ଦୁଇ ଡଜନରୁ ଅଧିକ ବିମାନ ବ୍ୟବହାର କରାଯାଇଥିଲା।

ପ୍ରେମ ସଂପର୍କକୁ କେନ୍ଦ୍ରକରି ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା !

ରାଉରକେଲା : ପ୍ରେମ ସଂପର୍କକୁ କେନ୍ଦ୍ରକରି ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା । ବିବାହ କରିବାକୁ ଯୁବତୀ ମନା କରିବାରୁ ଯୁବତୀଙ୍କୁ ପ୍ରେମିକ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ । ସୁନ୍ଦରଗଡ଼ ଜିଲ୍ଲା ଵୀରମିତ୍ରପୁର ଥାନା ଗୋଵିରା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟିଛି । ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ଘଟିଛି । ଅଭିଯୁକ୍ତ ଯୁବକ ମୁକେଶ କୁଲୁକୁ ଗିରଫ କରି ତଦନ୍ତ କରୁଛି ପୋଲିସ । ଯୁବତୀଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ଵିଵାହ ସ୍ଥିର ହେଵା ପରେ ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରେମିକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତ ୯ ତାରିଖ ରାତିରେ ଯୁବତୀଙ୍କୁ ଛୁରି ଭୁସି ଦେଇଥିଲା ପ୍ରେମିକ । ଯୁବତୀଙ୍କୁ ଉଦ୍ଧାର କରି ପରିବାର ଲୋକେ  ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା । ଆଜି ମୃତଦେହର ବ୍ୟବଛେଦ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।…

ଭୟଙ୍କର ଦୁର୍ଘଟଣା : ଡିଭାଇଡରରେ ପିଟି ହେବା ପରେ ପବନରେ ଉଡିଲା କାର୍…

ନନ୍ଦିଘୋଷ ବ୍ୟୁରୋ ; ବେଙ୍ଗାଲୁରୁରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏକ ଦ୍ରୁତଗାମୀ କାର ୧୦୦ ଫୁଟ ରାସ୍ତା ଡିଭାଇଡର୍‌କୁ ଧକ୍କା ଦେଇଥିଲା  । ତା’ପରେ ଫୁଟବଲ୍ ପରି ଉଡ଼ି ଯାଇଥିଲା। କାରଟି ଡିଭାଇଡର୍ ପାର ହୋଇ ରାସ୍ତାର ଅନ୍ୟ ପାର୍ଶ୍ୱରେ ଥିବା ଏକ ରେଷ୍ଟୁରାଣ୍ଟର କାନ୍ଥରେ ଧକ୍କା ଦେଇଥିଲା। ପୋଲିସର ସୂଚନା ଅନୁଯାୟୀ, ସ୍କୋଡା କାରଟି ୪୨ ବର୍ଷୀୟ ଡେରିକ ଟୋନି ଚଳାଉଥିଲେ।

ବେଙ୍ଗାଲୁରୁର ଇନ୍ଦିରା ନଗରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ କାର ରାସ୍ତା ଡିଭାଇଡର୍ ପାର ହୋଇ ୧୦୦ ଫୁଟ ରୋଡ୍‌ରେ ଥିବା ଏକ ରେଷ୍ଟୁରାଣ୍ଟ ସହିତ ଧକ୍କା ଦେଲା। ଗୁରୁବାର ରାତି ପ୍ରାୟ ୧୧ଟାରେ ଘଟିଥିବା ଏହି ଭୟଙ୍କର ଧକ୍କା ସିସିଟିଭିରେ କଏଦ ହୋଇଛି। ୪୨ ବର୍ଷୀୟ ଡେରିକ ଟୋନି ନାମକ ଡ୍ରାଇଭର ୧୮ତମ ମେନ୍ ରୋଡ୍ ରୁ ୧୦୦ ଫୁଟ ରୋଡ୍ ଯାଉଥିଲେ। ଘଟଣା ସମୟରେ ସେ ମଦ୍ୟପାନ କରିଥିବା ପୋଲିସ ସୂଚନା ଦେଇଛି ।

ଏହି ଭୟଙ୍କର ଘଟଣାଟି ସିସିଟିଭିରେ କଏଦ ହୋଇଛି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ସ୍କୋଡା କାରଟି ୧୮ତମ ମୁଖ୍ୟ ରାସ୍ତାରୁ ୧୦୦ ଫୁଟ ରୋଡ୍ ଜଙ୍କସନ ଆଡକୁ ଦ୍ରୁତ ଗତିରେ ଯାଉଥିଲା। ବାମ ମୋଡ଼କୁ ଗତି କମାଇବା ପରିବର୍ତ୍ତେ, ଗାଡିଟି ତାର ଗତି ବଜାୟ ରଖିଲା ଏବଂ ରାସ୍ତା ଡିଭାଇଡରକୁ ରାମ୍ପ ଭାବରେ ବ୍ୟବହାର କରି ଏକ ବିପଦପୂର୍ଣ୍ଣ ଡେଇଁ ପଡ଼ିଲା, କ୍ଷଣିକ ପାଇଁ କାରଟି ପବନରେ ଉଡ଼ିଗଲା। ଡିଭାଇଡର ପାର ହେବା ପରେ, ଏହା ଏକ ମୋଟରସାଇକେଲ ଚାଳକଙ୍କୁ ଧକ୍କା ଦେଇଥିଲା ଏବଂ ତା’ପରେ ବାର୍ବେକ୍ୟୁ ନେସନ ରେଷ୍ଟୁରାଣ୍ଟର ବାହାର କାନ୍ଥରେ ଧକ୍କା ଦେଇଥିଲା।

ରେଷ୍ଟୁରାଣ୍ଟରେ ଭୋଜନ କରୁଥିବା କିଛି ଲୋକ କାରର ରାସ୍ତାରେ ସିଧା ଠିଆ ହୋଇଥିଲେ। ଗାଡ଼ିଟି କୋଠା ସହିତ ଧକ୍କା ହେବାର କିଛି ସେକେଣ୍ଡ ପୂର୍ବରୁ ସେମାନେ ଖସି ପଳାଇବାରେ ସଫଳ ହୋଇଥିଲେ, ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଥିଲେ। ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି। ବାଇକ୍ ଆରୋହୀଙ୍କୁ ସାମାନ୍ୟ ଆଘାତ ଲାଗିଛି ଏବଂ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ଏକ ଅଭିଯୋଗ ଦାଖଲ କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

ଦୟା ନଦୀ ଓ ଗଙ୍ଗୁଆ ନାଳର ଦୂଷିତ ପାଣି ଏବେ କଣାସରେ ରଚୁଛି ଜଣ୍ଡିସ ତାଣ୍ଡବ…

କଣାସ : ବିଷାକ୍ତ ଦୟାନଦୀର ପାଣି। ନଦୀରେ ମିଶୁଛି ଗଙ୍ଗୁଆ ନାଳର ପାଣି। ପୁରୀ ଜିଲ୍ଲା କଣାସ ବ୍ଲକର ନୂଆ-ଦୋକନ୍ଦା ଗାଁରେ କାୟା ମେଲାଇଛି ଜଣ୍ଡିସ ସଂକ୍ରମଣ। ନେଲାଣି ଜଣଙ୍କର ଜୀବନ। ମେଗାପାଇପ ଜଳ ପ୍ରକଳ୍ପ ଅଧପନ୍ତରିଆ। ପାଇପ ଫାଟିଯାଇଛି। ଏବେ ବି ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଗାଁ ଲୋକେ। ଖବର ପ୍ରସାରଣ ପରେ ଗାଁରେ ପହଞ୍ଚିଛି ସ୍ବାସ୍ଥ୍ଯ ଟିମ। ପାଣି ନମୁନା ସଂଗ୍ରହ ସହିତ ଦୁଇଜଣଙ୍କ ରକ୍ତ ନୁମୁନା ସଂଗ୍ରହ କରିଛି ସ୍ବାସ୍ଥ୍ଯ ବିଭାଗ। ଜଣ୍ଡିସ ସଂକ୍ରମଣ ନେଇ ସରକାରଙ୍କ ବେପରୁଆପଣକୁ ଦାୟୀ କରିଛନ୍ତି ଗାଁ ଲୋକେ।

ଗାଁରେ ୧୨୦୦ ଲୋକଙ୍କ ପାଇଁ ରହିଛି ଗୋଟିଏ ଟ୍ଯୁବ ୱେଲ। ଅଥଚ ଟ୍ଯୁବ ୱେଲ ପାଣିରେ ରହିଛି ଲୌହଅଂଶ ରହୁଥିବାର ପିଇବା ଯୋଗ୍ଯ ନୁହଁ। ଏ ନେଇ ସ୍ବାସ୍ଥ୍ଯ ବିଭାଗ ବି ଗାଁ ଲୋକଙ୍କୁ ସଚେତନ କରିସାରିଛି। ହେଲେ ସ୍ବଚ୍ଛ ପାନୀୟ ଜଳର ଅଭାବ ଯୋଗୁ ଗାଁ ଲୋକେ ବାଧ୍ଯ ହୋଇ ଏହି ଟ୍ଯୁବ ୱେଲ ଓ ଦୟା ନଦୀର ଦୂଷିତ ପାଣି ଉପରେ ନିର୍ଭର କରିବାକୁ ବାଧ୍ଯ ହେଉଛନ୍ତି। ଦେଖନ୍ତୁ ଏହି ପାଣି ବାଲଟିକୁ। କିପରି ହଳିଦଆ ଦେଖାଯାଉଛି। ପାଣିରେ ହେପାଟାଇଟିସ-ବି ଭୂତାଣୁ ରହିଥିବା ଅନୁମାନ କରାଯାଉଛି। ଯାହାଯୋଗୁ ଛୋଟ ପିଲାଠୁ ଆରମ୍ଭ କରି ବଡ଼ ଜଣ୍ଡିସରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ମେଗା ପାଇପ ଜଳ ପ୍ରକଳ୍ପ ଘୋଷଣା ହୋଇଛି। ପାଇପ ପଡ଼ିଛି। ହେଲେ ଅଧାରୁ ପାଇପ ଫାଟି ଆଁ ମେଲା କରିଛି। ପାଣି ଆସୁନି। ଯାହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଁ ଲୋକେ। ସେପଟେ ଗାଁରୁ ଦୁଇଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଛି ସ୍ବାସ୍ଥ୍ଯ ଟିମ।

୨୦୨୫ ଜାନୁଆରି ବ୍ଯାପିଥିଲା ହଇଜା ସଂକ୍ରମଣ। ଆକ୍ରାନ୍ତ ହୋଇଥିଲେ କଣାସ ଅଞ୍ଚଳର ୩୦୦ ଲୋକ। ହଇଜାରେ ଆକ୍ରାନ୍ତ ହୋଇ ଜାଗୁଳାଇପଦର, ନଈକୂଳପାଟଣା, ନୂଆଗାଁ, ମରଦାପଲ୍ଲୀ ଗାଁର ୭ଜଣ ଲୋକଙ୍କ ପ୍ରାଣହାନୀ ଘଟିଥିଲା। ଏ ନେଇ ସରକାରଙ୍କ ଅବହେଳା ଜିଲ୍ଲା ପ୍ରଶାସନକୁ ଦାୟୀ କରି ନିକଟରେ ରାୟ ଶୁଣାଇଛନ୍ତି ଓଡ଼ିଶା ମାନବାଧିକାରୀ କମିଶନ। ହଇଜା ସଂକ୍ରମଣ ରୋକିବାକୁ କଣାସ ବ୍ଲକରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ମେଗା ପାଇପ ୱାଟର ପ୍ରକଳ୍ପ ପ୍ରତିଷ୍ଠା ନେଇ ସରକାର ଘୋଷଣା କରିଥିଲେ। ହେଲେ ସରକାରଙ୍କ ଘୋଷଣା ବାସ୍ତବ ରୂପ ନେଇପାରିଲାନି। ଏବେ ଠିକ ବର୍ଷକ ପରେ ୨୦୨୬ ଜାନୁଆରି ମାସରେ ଗାଁ ଲୋକେ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ୩ ମାସ ଧରି ଗାଁରେ ଜଣ୍ଡିସ ରୋଗରେ ପୀଡ଼ିତ ହେଲେଣି ଏକାଧିକ ବ୍ଯକ୍ତି। ଗାଁରେ ବିଛା ଯାଇଛି ମେଗା ପାନୀୟ ଜଳ ପ୍ରକଳ୍ପ ନଳ। ହେଲେ ମିଳୁନି ଜଳ। ଦୂଷିତ ପାଣି ପିଇ ଚର୍ମ ଓ ପେଟ ରୋଗରେ ମଧ୍ଯ ଆକ୍ରାନ୍ତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଜଣ୍ଡିସରେ ଆକ୍ରାନ୍ତ ହୋଇ ବିମ୍ବାଧର ବେହେରା ନାମକ ଜଣେ ବ୍ଯକ୍ତିଙ୍କର ପ୍ରାଣହାନୀ ଘଟିଛି। ୧୫ରୁ ଅଧିକ ବ୍ଯକ୍ତି ଏବେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରେ ଅଧିକାଂଶ ଶିଶୁ । ଜଣ୍ଡିସ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ହେଲେ ସ୍ବଚ୍ଛ ପାନୀୟ ଜଳର ଅଭାବ ରହିଛି। ଜଣ୍ଡିସ ସଂକ୍ରମଣ ବ୍ଯାପିବା ପରେ ଗାଁରେ ଏବେ ଜିଲ୍ଲା ପ୍ରଶାସନ ତରଫରୁ ଟ୍ଯାଙ୍କର ଯୋଗେ ଜଳ ଯୋଗାଣ କରାଯାଉଛି। ତେବେ କେବେ ଗାଁ ଲୋକଙ୍କୁ ବିଶୁଦ୍ଧ ଜଳ ମିଳିବ ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି।

ସହରାଞ୍ଚଳରେ ଆପାର୍ଟମେଣ୍ଟ କିଣାବିକା ପାଇଁ ଫିଟିଲା ବାଟ…

ଭୁବନେଶ୍ବର : ସହରାଞ୍ଚଳରେ ଆପାର୍ଟମେଣ୍ଟ କିଣାବିକା ପାଇଁ ଫିଟିଲା ବାଟ। ଆଗକୁ ବଢିବ ଦୀର୍ଘଦିନ ଧରି ଠପ୍ ହୋଇପଡ଼ିଥିବା ରିଏଲ ଇଷ୍ଟେଟ କାରବାର । ସରକାର ଆଣିବେ ଅଧ୍ୟାଦେଶ, ଷ୍ଟାମ୍ପ ଆକ୍ଟରେ ହେବ ସଂଶୋଧନ। ରାଜ୍ୟ କ୍ୟାବିନେଟରେ ହୋଇଛି ଅନୁମୋଦନ। ସଶକ୍ତ ହେବେ କ୍ରେତା, ସତର୍କ ହେବେ ବିଲଡ଼ର। କୌଣସି ଆପାର୍ଟମେଣ୍ଟ କିଣାବିକା ପୂର୍ବରୁ ଏହାର କମନ ଏରିଆ କ୍ରେତା ସଂଘକୁ ହସ୍ତାନ୍ତର ହେବା ରେରା ଆଇନ ଅନୁସାରେ ଜରୁରୀ। ହେଲେ କମନ ଏରିଆ ହସ୍ତାନ୍ତର ଦେୟ ଅଧିକ ଥିବାରୁ ଏହା କିଏ ପୈଠ କରିବ, ତାକୁ ନେଇ ଅଡୁଆ ଛିଣ୍ଡୁନଥିଲା । ଏବେ ସରକାର ଏହାର ବାଟ ବାହାର କରିଛନ୍ତି। ଭାରତୀୟ ଷ୍ଟାମ୍ପ ଆଇନରେ ନୂଆ କ୍ଲଜ ଆଣିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏଣିକି ଆପାର୍ଟମେଣ୍ଟରେ ଥିବା କମନ ଏରିଆ କ୍ରେତା ସଂଘ ନାଁରେ ପଞ୍ଜୀକରଣ କରିବାକୁ ମାତ୍ର ୫୦ ହଜାର ଟଙ୍କା ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ। ଏହା ସହ ପ୍ରତ୍ୟେକ କ୍ରେତା ନିଜ ନିଜର ଫ୍ଲାଟ ପଞ୍ଜୀକରଣ ବେଳେ କମନ ଏରିଆର ନିଜ ଅଂଶ ପଞ୍ଜୀକରଣ ପାଇଁ ୫% ଦେୟ ଦେବାକୁ ପଡ଼ିବ। ଏହାକୁ କ୍ରେତାସଂଘ ସ୍ବାଗତ କରିଛନ୍ତି। ବିଳମ୍ବରେ ହେଲେ ପଛେ ସରକାର ସମାଧାନ କରିଥିବାରୁ ଏଣିକି ଆପାର୍ଟମେଣ୍ଟ ବିକ୍ରି ପାଇଁ ବାଟ ଫିଟିଛି ।

କମନ ଏରିଆ ଆପାର୍ଟମେଣ୍ଟ ମାଲିକ ସଂଘକୁ ହସ୍ତାନ୍ତର ହେଲେ ବିଲଡ଼ରଙ୍କ ମନମାନୀ ହଟିବ। ପ୍ରକଳ୍ପ ଅଯଥା ବିଳମ୍ବ ହେବାର ଆଶଙ୍କା ଦୂର ହେବ। ନିଜ ନାମରେ ଜମି ଥିବାରୁ ପ୍ରମୋଟର ବା ବିଲଡ଼ର ଏହାକୁ ଦେଖାଇ ବ୍ୟାଙ୍କରୁ ଋଣ ଆଣି ଅନ୍ୟ ପ୍ରକଳ୍ପରେ ବିନିଯୋଗ କରିବା ଅଭିଯୋଗ ହେବନାହିଁ। କମନ ଏରିଆକୁ ବିଲଡ଼ର ନିଜ ଢଙ୍ଗରେ ବ୍ୟବହାର କରି ଅର୍ଥ ଉପାର୍ଜନ କରୁଥିଲେ। ମାଲିକ ସଂଘକୁ କମନ ଏରିଆ ହସ୍ତାନ୍ତର ସହଜ ହେଲେ କ୍ରେତା ଅଧିକ ସଶକ୍ତ ହେବେ। ଏହି ସମସ୍ୟା ତୁଟୁନଥିବାରୁ ଦୀର୍ଘ ଦିନ ଧରି କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଅନେକ ପ୍ରକଳ୍ପର ଫ୍ଲାଟ ବିକ୍ରି ହୋଇପାରୁନଥିଲା। କୋଟି କୋଟି ଟଙ୍କା ପୁଞ୍ଜି ଲଗାଇ ବିଲଡ଼ରମାନେ ଆପାର୍ଟମେଣ୍ଟ ସାରିଥିଲେ ମଧ୍ୟ ବିକ୍ରି ହୋଇପାରୁନଥିବାରୁ ଆର୍ଥିକ ସଙ୍କଟରେ ଥିଲେ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ କ୍ରେଡ଼ାଇ ମଧ୍ୟ ସ୍ବାଗତ କରିଛି। ତିନି ବର୍ଷରୁ ଅଧିକ ସମୟ ହେଲାଣି ରାଜ୍ୟରେ ଆପାର୍ଟମେଣ୍ଟ କିଣାବିକା ସ୍ଥାଣୁ ଅବସ୍ଥାରେ ଥିଲା। ପ୍ରାୟ ୨୦ହଜାର କୋଟି ଟଙ୍କାର ରିଏଲ ଇଷ୍ଟେଟ କାରବାର ବନ୍ଦ ହୋଇପଡ଼ିଥିଲା। କମନ ଏରିଆ ହସ୍ତାନ୍ତର ସମସ୍ୟା ଦୂର ହେଲେ ଏଣିକି ଆପାର୍ଟମେଣ୍ଟ କିଣାବିକା ଜୋରଦାର ହେବ ବୋଲି ଆଶା କରାଯାଉଛି।

ବସକୁ କାଟି ଛୋଟ କରିବା ନିଷ୍ପତ୍ତିକୁ ନେଇ ସରକାରଙ୍କ ଉପରେ ଖପ୍ପା ବସ ସଂଘ…

ଭୁବନେଶ୍ବର : ବଡ ବସ ହେବ ଛୋଟ । ସବୁ ଗାଡିର ପଛ କାଟିବାକୁ ପରିବହନ ବିଭାଗ ଦେଇଛି ନିର୍ଦ୍ଦେଶନାମା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବସ ସଂଘ । ଏନେଇ ପରିବହନ ମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ଏକାଠି ହୋଇଥିଲେ ବସ ସଂଘ । ବସର ସଂଘର ଦାବି ହେଉଛି, ଯଦି ସବୁ ବସର ବଡି କଟାଯିବ, ଛାତ କଟାଯିବ ତେବେ ଏଥିପାଇଁ ବସ ମାଲିକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡିବ । ନୂଆ ବଡି କୋଡ ନିୟମ ଅନୁସାରେ ଏସବୁ କରିବା ପରେ ଯାଇ ବସ ସଂଘକୁ ଏଥିଲାଗି ସାର୍ଟିଫିକେଟ ମିଳିବ । ତେବେ ଏ ସାର୍ଟିଫିକେଟ ଦେବାକୁ ଓଡିଶାରେ କୌଣସି ବ୍ୟବସ୍ଥା ନାହିଁ । ବସ ସଂଘର ଦାବି ହେଉଛି ଯଦି ଏ ବ୍ୟବସ୍ଥା କରାଯିବ ବସ ମାଲିକମାନେ ଅଧିକ ଖର୍ଚ୍ଚାନ୍ତ ହେବେ । ତେଣୁ ପରିବହନ ବିଭାଗ ଯଦି ଏ ନିୟମକୁ କୋହଳ ନକରନ୍ତି ଏହା ବିରୋଧରେ ହାଇକୋର୍ଟକୁ ଯିବ ସଂଘ ।

ପରିବହନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ସବୁ ବସର ପଛ କଟାଯାଇ ଛୋଟ କରାଯିବ । ବସରେ ଥିବା ପାର୍ଟିସନ ଡୋରକୁ ଖୋଲିଦିଆଯିବ । ବସ ମଝିରେ ଭେଣ୍ଟିଲେଟର ବ୍ୟବସ୍ଥା କରାଯିବ, ପାଣି ଟାଙ୍କି ବ୍ୟବସ୍ଥା କରାଯିବ । ଯାହାକୁ ନେଇ ପ୍ରଶ୍ନ ସଂଘ ପ୍ରଶ୍ନ ଉଠାଇଛି । ୨୦୨୧ ପରେ ଯେଉଁ ଗାଡି କିଣାଯାଇଛି ସେ ଗାଡିରେ ଏ ବ୍ୟବସ୍ଥା କରିବାର ନିୟମ ଅଛି । ତେଣୁ ସବୁ ଗାଡି ପାଇଁ ଏହି ନିୟମ କରାଯାଉଥିବାରୁ ସଂଘ ଏହାକୁ ବିରୋଧ କରିଛି । ପରିବହନ ମନ୍ତ୍ରୀ କହିଛନ୍ତି ସ୍ଲିପର କୋଚ ବସ ପାଇଁ ଯେଉଁ ନିୟମ ଥିଲା ସେହି ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବସରେ ପାଣି ଟ୍ୟାଙ୍କ ଏବଂ ସ୍ପିଙ୍କଲର ଲଗାଇବା ବାଧ୍ୟତାମୂଳକ । କୋର୍ଟଙ୍କ ନିର୍ଦ୍ଦେଶ ରହିଥିବାରୁ ଏହାକୁ କଡାକଡି ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ନୂଆ ନିୟମକୁ ନେଇ ବସ ସଂଘ ଆପତ୍ତି ଉଠାଇଛି । ବସରେ ନିଆଁ ଲାଗୁଥିବାରୁ ସରକାର ଏପରି ନିୟମ କରିଥିବା ଯୁକ୍ତି ବାଢୁଥିବା ବେଳେ ଏହାକୁ ଗ୍ରହଣ କରୁନାହାନ୍ତି ବସ ସଂଘ ।

PUCC ପାଇଁ ପଲ୍ୟୁସନ ସେଣ୍ଟରେ ଭିଡ : ବାରମ୍ବାର ନିଷ୍ପତ୍ତି ବଦଳାଉଛି ପରିବହନ ବିଭାଗ, ଯାହାକୁ ନେଇ ଘେରିଲେ ବିରୋଧୀ ବିଜେଡି ଓ କଂଗ୍ରେସ

ଭୁବନେଶ୍ବର : ପଲ୍ୟୁସନ ସେଣ୍ଟର ପାଲିଟିଛି ଟୁରିଷ୍ଟ ସ୍ପଟ । ନୂଆ ବର୍ଷରେ ଲୋକେ ହନ୍ତସନ୍ତ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରହୁନାହିଁ ତାଳମେଳ । ପ୍ରତିବାଦରେ ଯୁବ କଂଗ୍ରେସର ଅଭିନବ ପ୍ରତିବାଦ । ନୂଆ ବର୍ଷରେ ପିକନିକ କରିପାରିଲେନି ଲୋକେ । ପର୍ଯ୍ୟଟନ ସ୍ଥଳୀରେ ଭିଡ଼ ଲଗାଇବା ବଦଳରେ ପଲ୍ଯୁସନ ଟେଷ୍ଟି ସେଣ୍ଟରରେ ଲଗାଇଛନ୍ତି ଭିଡ଼ । ସରକାରଙ୍କ ଆଡବାୟା ନିଷ୍ପତ୍ତି ଯୋଗୁଁ ପଲ୍ୟୁସନ ସେଣ୍ଟର ପାଲିଟିଛି ଟୁରିଷ୍ଟ ସ୍ପଟ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ପଲ୍ୟୁସନ ସାର୍ଟିଫିକେଟ ଓ ଜରିମାନା ନେଇ ବିଜେପି ସରକାର ବିରୋଧରେ ଜନ ଅସନ୍ତୋଷ ଏପରି ହେଲାଣି ଯେ ଆଗକୁ ଏହା ଭୟଙ୍କର ରୂପ ନେଇପାରେ ।  ଏମିତି ଢଙ୍ଗରେ କହି PUCC ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ପରିବହନ ମନ୍ତ୍ରୀ କେତେବେଳେ କଣ ଘୋଷଣା କରୁଛନ୍ତି ତାହା ତାଙ୍କୁ ଜଣାନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ ସାଇକେଲ ଶୋଭାଯାତ୍ରାରେ ଆସି ଅଭିନବ ଉପାୟରେ ରାଜ୍ୟ ସରକାରଙ୍କୁ ଏ ପ୍ରସଙ୍ଗରେ ସମାଲୋଚନା କରିଛି ଯୁବ କଂଗ୍ରେସ । ଶତାଧିକ ଯୁବ କଂଗ୍ରେସ ନେତା ସରକାରଙ୍କ ପଲ୍ୟୁସନ ଓ ଜରିମାନା ନିୟମକୁ କଡା ସମାଲୋଚନା କରିଛନ୍ତି ।

ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ପୋଲିସ ଓ ଯୁବ କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିବହନ ମନ୍ତ୍ରୀଙ୍କୁ ୩ ଦିନ ମହଲତ ଦେଇଛି ଯୁବ କଂଗ୍ରେସ । ଅନ୍ୟପଟେ ବିରୋଧୀଙ୍କୁ ପରିବହନ ମନ୍ତ୍ରୀ ପାଲଟା ଟାର୍ଗେଟ କରିଛନ୍ତି । ମନ୍ତ୍ରୀଙ୍କ ଯୁକ୍ତି ହେଉଛି ପରିବେଶକୁ ଦୃଷ୍ଟିରେ ରଖି PUCC ସାର୍ଟିଫିକେଟ କରାଇବା ବାଧ୍ୟତାମୂଳକ କରାଯାଇଛି । ଆଗକୁ PUCC ଫାଇନ କମାଯିବ ମନ୍ତ୍ରୀ କହିଛନ୍ତି । ମଧ୍ୟପ୍ରଦେଶରେ ଦୁଇ ହଜାର ଟଙ୍କା ଫାଇନ ଥିବା ବେଳେ ଲୋକଙ୍କୁ ନ ବାଧିଲା ଭଳି  ନୂଆ ଫାଇନ ମୂଲ୍ୟ ଅଣାଯିବ । ଲୋକଙ୍କ ପାଇଁ ଫାଇନ ଏବେ ସମ୍ପୂର୍ଣ୍ଣ କୋହଳ କରାଯାଇଛି । ମାର୍ଚ୍ଚ ସୁଦ୍ଧା ପଲ୍ୟୁସନ ସାର୍ଟିଫିକେଟ କରିବାକୁ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ । ପଲ୍ୟୁସନ ସାର୍ଟିଫିକେଟ ସହ ଜରିମାନାକୁ ଯୋଡ଼ିବା ନେଇ ବିଜେପି ସରକାର ବିରୋଧରେ ଜନ ଅସନ୍ତୋଷ ଦେଖାଦେଇଛି । ଗ୍ରୀନ ଷ୍ଟିକର ସିଷ୍ଟମ ବାଧ୍ୟତାମୂଳକ ନୁହେଁ ବୋଲି ପରିବହନ ମନ୍ତ୍ରୀ ପୁଣି ଦୋହରାଇଛନ୍ତି ।

ଯାନ୍ତ୍ରିକ ତ୍ରୁଟିରୁ ବିମାନ ଉପରୁ ନିୟନ୍ତ୍ରଣ ହରାଇଲେ ପାଇଲଟ, ଖୋଲା ପଡ଼ିଆରେ ଫୋର୍ସ ଲ୍ୟାଣ୍ଡିଂ…

ରାଉରକେଲା : ଭୁବନେଶ୍ଵରରୁ ରାଉରକେଲା ଅଭିମୁଖେ ଉଡାଣ ଭରିଥିଲା ବିମାନ VT-KSS-17-102। ନିର୍ଦ୍ଧାରିତ ସମୟ ୧୨ଟା ୨୭ ମିନିଟରେ ଭୁବନେଶ୍ଵରରୁ ୪ ଯାତ୍ରୀଙ୍କୁ ନେଇ ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଇଣ୍ଡିଆ-ୱାଲ ଏୟାର ବିମାନ। ରାଉରକେଲା ପହଞ୍ଚିବାକୁ ଥିଲା ଆଉ ମାତ୍ର ୧୦ କିଲୋମିଟର। ହଠାତ ମଝି ଆକାଶରେ ବିମାନର ଇଂଜିନରେ ଦେଖାଦେଇଥିଲା ତ୍ରୁଟି। ବିମାନ ଉପରେ ନିୟନ୍ତ୍ରଣ ହରାଇବାକୁ ବସିଲେ ପାଇଲଟ। ଶେଷରେ ବିମାନର କରିଥିଲେ ଫୋର୍ସ ଲ୍ଯାଣ୍ଡିଂ। ସୁନ୍ଦରଗଡ଼ ଜଳଦା ଗୁଡ଼ିଆଟେଲି ନିକଟରେ ଥିବା ଏକ ଖୋଲା ପଡ଼ିଆରେ ବିମାନର କରିଥିଲେ ଜରୁରୀ ଅବତରଣ। ଲ୍ଯାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ। ଦୁର୍ଘଟଣାଗ୍ରସ୍ତ ବିମାନକୁ ଦେଖି ପାଖକୁ ଦୌଡି ଆସିଥିଲେ ସ୍ଥାନୀୟ ଲୋକେ। ବିମାନରେ ନିଆଁ ଲାଗିବାର ଭୟ ଥିଲେ ମଧ୍ୟ ତୁରନ୍ତ ବିମାନ ଭିତରେ ଫସିଥିବା ପାଇଲଟ ଓ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ୨ ପାଇଲଟଙ୍କ ସମେତ ୪ ଯାତ୍ରୀଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ବିପଦମୁକ୍ତ ଥିବା ଜଣାପଡିଛି। ଦୁର୍ଘଟଣାସ୍ଥଳରେ ଏସପି, ବିଡିଓ ଓ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଅଗ୍ନିଶମବାହିନୀ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି।…

ବିମାନରେ ଦୁଇ ପାଇଲଟଙ୍କ ସହ ଥିଲେ ୨ ପୁରୁଷ ଓ ୨ ମହିଳା ଯାତ୍ରୀ। ଆଉ ମାତ୍ର କିଛି ମିନିଟ ମଧ୍ୟରେ ରାଉରକେଲାରେ ପହଞ୍ଚିଥାନ୍ତେ। ହେଲେ ବିମାନରେ ତ୍ରୁଟିରୁ ଅଧାରେ ଅଟକି ଯାଇଥିଲା ଯାତ୍ରା। ବିମାନ ଦୁର୍ଘଟଣାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବିମାନ ଯାତ୍ରା ପୂର୍ବରୁ ସୁରକ୍ଷା ଯାଞ୍ଚ କରିବାର ଆବଶ୍ୟକ ଥିଲା ବୋଲି କହିଛନ୍ତି ଲୋକେ। ପୂର୍ବରୁ ରାଉରକେଲାରୁ ଭୁବନେଶ୍ବର ମଧ୍ୟରେ ୭୨ ସିଟ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ କରୁଥିଲା। ହେଲେ ଏହାକୁ ବନ୍ଦ କରାଯାଇ ଏବେ ୯ ସିଟ ବିଶିଷ୍ଟ ଇଣ୍ଡିଆ ଓ୍ଵାନ ଏୟାର ଚଳାଚଳ କରୁଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଡିଜିସିଏ। ସେପଟେ ମାମଲାର ତଦନ୍ତ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ବିମାନରେ ଯାନ୍ତ୍ରିକ ତ୍ରୁଟି ରହିଥିଲେ ମଧ୍ୟ କିପରି ବିମାନ ଭୁବନେଶ୍ବର ରୁ ରାଉରକେଲା ଉଡାଣ ଭରିଲା ଏହାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା, ପିଟିବା ପରେ ବିଷ ଦେଇ ମାରିଦେଲେ…

ନନ୍ଦିଘୋଷ ବ୍ୟୁରୋ :  ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । ଜଣଙ୍କ ପରେ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି । ଆଗକୁ ନିର୍ବାଚନ ଥିବା ବେଳେ ପୁଣି ଜଣେ ହିନ୍ଦୁଙ୍କୁ ଆକ୍ରମଣ କରାଯାଇଛି । ଜଣେ ହିନ୍ଦୁ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଏହି ଘଟଣା ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଛିଡା କରିଛି । ମୃତ ଯୁବକ ଜଣଙ୍କ ହେଲେ ଜୟ ମହାପାତ୍ର ।

ଜୟଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ଜୟଙ୍କୁ ଜଣେ ସ୍ଥାନୀୟ ଲୋକ ପ୍ରଥମେ ପିଟିବା ପରେ ବିଷ ଦେଇ ମାରିଦେଲା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରଶାସନ ପକ୍ଷରୁ ଏହି ମାମଲା ଉପରେ କିଛି ବିବୃତ୍ତି ଜାରି ହୋଇନାହିଁ । ପୋଲିସ ତଦନ୍ତ ଜାରି ରଖିଛି  । ପରିବାର ଲୋକ ନ୍ୟାୟ ଦାବି କରିଛନ୍ତି ।

ଏହି ମାମଲା ଭିତରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଭଣ୍ଡାରପୁର ଗାଁରେ ଜଣେ ୨୫ ବର୍ଷୀୟ ଯୁବକ ମିଥୁନ ସରକାର ଙ୍କ ମୃତ୍ୟୁ ହୋଇଛି । ଭିଡ ଭିତରୁ ଖସି ପଳାଇବା ପାଇଁ ଦୌଡିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଚୋରି ସନ୍ଦେହରେ ପିଛା କରୁଥିବା ସମୟରେ ମିଥୁନ ଏକ କେନାଲକୁ ଡେଇଁ ପଡିଥିଲେ । ସେଠାରୁ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି ।

ଡିସେମ୍ବର ୨୦୨୫ରେ ଛାତ୍ର ନେତା ଉସମାନ ହାଦିଙ୍କ ହତ୍ୟା ପରେ ପରିସ୍ଥିତି ଆହୁରି ଖରାପ ହୋଇଗଲା। ଏହା ପରେ ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁମାନଙ୍କ ବିରୁଦ୍ଧରେ ଆକ୍ରମଣ ଏବଂ ହତ୍ୟାର ଅନେକ ଘଟଣା ଘଟିଲା। ଦୀପୁ ଚନ୍ଦ୍ର ଦାସ, ଅମୃତ ମଣ୍ଡଳ ଏବଂ ବଜେନ୍ଦ୍ର ବିଶ୍ୱାସଙ୍କ ହତ୍ୟା ସମ୍ପ୍ରଦାୟ ମଧ୍ୟରେ ଗଭୀର ଆତଙ୍କ ସୃଷ୍ଟି କଲା। ଶରିୟତପୁର ଜିଲ୍ଲାରେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଲିଞ୍ଚିଂ କରିବା ପରିସ୍ଥିତିର ଗମ୍ଭୀରତାକୁ ସ୍ପଷ୍ଟ କରିଥିଲା।

ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ୟୁନିଟି କାଉନସିଲର ଏକ ବିବୃତ୍ତି ଦ୍ୱାରା ମଧ୍ୟ ଏହି ଘଟଣାଗୁଡ଼ିକୁ ନିଶ୍ଚିତ କରାଯାଇଛି। ସଂଗଠନ ଅନୁଯାୟୀ, କେବଳ ଡିସେମ୍ବର ମାସରେ ସାମ୍ପ୍ରଦାୟିକ ହିଂସାର ଅତି କମରେ ୫୧ଟି ଘଟଣା ରିପୋର୍ଟ ହୋଇଛି। ଏଥିରେ ୧୦ଟି ହତ୍ୟା, ୨୩ଟି ଲୁଟପାଟ ଏବଂ ପୋଡ଼ିପୋଡ଼ା ମାମଲା,୧୦ଟି ଡକାୟତି ଏବଂ ଚୋରି ଘଟଣା, ମିଥ୍ୟା ଈଶ୍ୱର ନିନ୍ଦା ଅଭିଯୋଗରେ ଅଟକ ଏବଂ ନିର୍ଯାତନାର ଚାରିଟି ମାମଲା, ଗୋଟିଏ ଦୁଷ୍କର୍ମ ଉଦ୍ୟମ ଘଟଣା ଏବଂ ତିନୋଟି ଶାରୀରିକ ଆକ୍ରମଣ ମାମଲା ଅନ୍ତର୍ଭୁକ୍ତ।

ଉଦ୍ଧାର ହେଲା ସନ୍ଦିଗ୍ଧ ପାକିସ୍ତାନୀ ପାରା, ଗୋଡ ଓ ପରରେ ଅଛି ସିକ୍ରେଟ୍ କୋର୍ଡ

ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ କାଶ୍ମୀରେ ଆତଙ୍କବାଦୀ ମୂଳପୋଛ କରିବା ପାଇଁ ଭାରତୀୟ ସେନା ଅଭିଯାନ ଜାରି ରଖିଛନ୍ତି । ଏହା ସହ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କ ବରୁଦ୍ଧରେ ବହୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି  । ଏହାରି ମଧ୍ୟରେ ଆଖନୁର ଜିଲ୍ଲାରୁ ଗୋଡ ଓ ପରରେ ସିକ୍ରେଟ୍ କୋର୍ଡ ଥିବା ଏକ ପାରାକୁ ଉଦ୍ଧାର କରାଯାଇଛି ।

ଏକ ରିପୋର୍ଟ ଅନୁସାରେ, ଅଖନୁର ଜିଲ୍ଲାର କରାହ ଗାଁରେ  ନିୟନ୍ତ୍ରଣ ରେଖା ନିକଟରେ ଏହି ପାରାକୁ ସୁରକ୍ଷାକର୍ମୀ ଉଦ୍ଧାର କରିଥିଲେ । ପାରାର ଶରୀରେ କୋର୍ଡ ରିଙ୍ଗ ସହ କିଛି ସିକ୍ରେଟ୍ ଷ୍ଟାମ୍ବିଂ ଚିହ୍ନ ମଧ୍ୟ ରହିଛି । ଅଧିକାରୀଙ୍କ କହିବାନୁସାରେ, ହାଲୁକା ବାଦାମୀ ରଙ୍ଗର  ପାରାଟିର ଡେଣାରେ  ଦୁଇଟି କଳାପଟି ରହିଛି । ଏହାର ଗୋଡରେ ଲାଲ ଓ ହଳଦିଆ ରଙ୍ଗ ରହିଛି । ଯାହା “ରେହମତ ସରକାର” ଏବଂ “ରିଜୱାନ ୨୦୨୫” ଲେଖାଯାଇଛି, ତା’ପରେ କିଛି ସଂଖ୍ୟା ଅଛି।

ଅଧିକାରୀମାନେ କହିଛନ୍ତି ଯେ ପାରାର ବାମ ଗୋଡରେ “ରେହମତ ସରକାର (୦୩୧୫୮୦୮୦୨୧୩)” ଲେଖାଥିବା ଏକ ଲାଲ ଅଙ୍ଗୁଠି ଏବଂ ଡାହାଣ ଗୋଡରେ “ରିଜୱାନ ୨୦୨୫ (୦୧୭୨୮୨)” ଲେଖାଥିବା ଏକ ହଳଦିଆ ଅଙ୍ଗୁଠି ଥିଲା। ପାରାର ଡେଣାରେ ମଧ୍ୟ ଷ୍ଟାମ୍ପ ଲଗାଯାଇଥିବା ଦେଖିବାକୁ ମିଳିଥିଲା।

ପାରାର ଡେଣାରେ “ନୌଶେରା ଆଲିଂଗ କବୁତର କ୍ଲବ” ର ମୋହର ଲାଗିଛି ବୋଲି ଜଣାପଡ଼ିଛି। ନୌଶେରା ପାକିସ୍ତାନର ଏକ ସହର। ଶନିବାର ସକାଳେ ଆର୍ଯ୍ୟାନ ନାମକ ଜଣେ ୧୩ ବର୍ଷୀୟ ସ୍ଥାନୀୟ ବାଳକ ଏହି ପାରାକୁ ଧରିଥିଲା। ପାରାଟିରେ ପାକିସ୍ତାନୀ ମୁଦି ଏବଂ ‘ରେହମତ ସରକାର’ ଏବଂ ‘ରିଜୱାନ ୨୦୨୫’ ଭଳି କୋଡ୍ ଲେଖାଯାଇଥିଲା, ଯାହା ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଥିଲା।

ଏହା କୌଣସି ବଡ଼ ଷଡ଼ଯନ୍ତ୍ର ସହିତ ଜଡିତ କି ନାହିଁ ତାହା ନିଶ୍ଚିତ ହେବା ବାକି ଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଅଧିକ ତଦନ୍ତ ପାଇଁ ପାରାଟିକୁ ପଲ୍ଲନୱାଲା ପୋଲିସକୁ ହସ୍ତାନ୍ତର କରାଯାଇଛି। ପାରାଟି କେଉଁଠାରୁ ଆସିଲା ଏବଂ ଏଥିରେ ଲେଖାଯାଇଥିବା କୋଡର ଅର୍ଥ କ’ଣ ତାହା ପୋଲିସ ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛି। ପାରାଟିର ପାକିସ୍ତାନୀ ଚିହ୍ନ ଏବଂ ନମ୍ବର ଅନୁମାନ କରୁଛି ଯେ ଏହା ଗୁପ୍ତଚର ଷଡ଼ଯନ୍ତ୍ର କିମ୍ବା ପାକିସ୍ତାନରୁ ପଠାଯାଇଥିବା ଷଡ଼ଯନ୍ତ୍ରର ଅଂଶ ହୋଇପାରେ। ସୁରକ୍ଷା ଏଜେନ୍ସିଗୁଡ଼ିକ ବର୍ତ୍ତମାନ ହାଇ ଆଲର୍ଟରେ ଅଛନ୍ତି ଏବଂ ମାମଲାର ତଦନ୍ତ କରୁଛନ୍ତି।