spot_img
Home Blog Page 694

ଜୁନ ୨୦ରେ ବିଜେପିର ବର୍ଷପୂର୍ତ୍ତି ଉତ୍ସବ, ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ବର୍ଷକ ମଧ୍ୟରେ ଷଷ୍ଠ ଥର ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ୧୧ବର୍ଷ ଓ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନତା ମଇଦାନରେ ଲକ୍ଷାଧିକ ଲୋକଙ୍କ ସମାବେଶ ଆଶା କରାଯାଉଛି । ଆବାସ ଯୋଜନାରୁ ବଞ୍ଚିତ ଏବଂ ବିପର୍ଯ୍ୟୟର ଶିକାର ହିତାଧିକାରୀଙ୍କୁ ପକ୍କାଘର ଯୋଗାଇବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ଅନ୍ତ୍ଯୋଦୟ ଗୃହ ଯୋଜନା । ଏହି ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ଗୃହ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ । ମହାପୁରୁଷମାନଙ୍କ ଗାଁକୁ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ କରିପାରନ୍ତି ପ୍ରଧାନମନ୍ତ୍ରୀ। ଏହା ସହ ରାଜ୍ୟ ସରକାରଙ୍କ ଆଉ କିଛି ନୂଆ ଯୋଜନା, ପ୍ରକଳ୍ପର ଲୋକାର୍ପଣ ବି ପ୍ରଧାନମନ୍ତ୍ରୀ କରିବାର ସମ୍ଭାବନା ରହିଛି । ଅପରାହ୍ନ ୩ଟା ବିମାନବନ୍ଦରରେ ପହଞ୍ଚିବା ପରେ ତିରଙ୍ଗା ଯାତ୍ରା ଓ ରୋଡ ସୋରେ ଲୋକଙ୍କ ଅଭିବାଦନ ଗ୍ରହଣ କରି ଜନତା ମଇଦାନରେ ପହଞ୍ଚିବେ ମୋଦି। ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ସରକାର ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ବ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ବିଜେପି ଶିବିର। ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ବିଧାୟକ ଓ ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି । ଜନତା ମଇଦାନରେ ଲକ୍ଷାଧିକ ଲୋକଙ୍କ ସମାଗମ ଥିବାରୁ ଉପକୂଳ ଜିଲ୍ଲାରୁ ଅଧିକ ଆସିବାର ସମ୍ଭାବନା ରହିଛି। ବର୍ଷକ ତଳେ ସରକାରର ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ। ବର୍ଷକ ମଧ୍ୟରେ ବିଜେପି ସରକାର ଲୋକଙ୍କ କାମ କେତେ କରିଛି, ପ୍ରତିଶୃତି କେତେ ପୂରଣ ହୋଇଛି, କେନ୍ଦ୍ରର ୧୧ବର୍ଷ ସରକାରର ଉପଲବ୍ଧି କ’ଣ? ଏ ବାବଦରେ ଲୋକଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ ବିଜେପି କର୍ମୀ ଉତ୍ସାହିତ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଓଡ଼ିଶା ଗସ୍ତ ଯୋଗୁଁ କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶା ରହିଛି ବୋଲି ସ୍ପଷ୍ଟ ହେଉଛି। ଜୁନ୍ ୨୦ ତାରିଖରୁ ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ଜନତା ମଇଦାନରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଉତ୍ସବରେ ସାମିଲ ହେବେ। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କ ସହ ସରକାରୀ ଦଳର ପଦାଧିକାରୀ, ବିଧାୟକ ଓ ସାଂସଦମାନେ ମଧ୍ୟ ଉପସ୍ଥିତ ରହିବେ।

ଅହମ୍ମଦାବାଦ ପ୍ଲେନ୍ କ୍ରାସ ପରେ ପଶିଲା ଚେତା, ତୁରନ୍ତ ବେଆଇନ କୋଠା ହଟାଇବାକୁ ବିଏମସିକୁ ଚିଠି

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଚାରିପାଖେ ରହିଛି ବଡ଼ ବଡ଼ ଅଟ୍ଟାଳିକା । ତାସହିତ ରନ୍‌ଓ୍ବେ ପାଖରେ ଠିଆ ହୋଇଛି ବଡ଼ ବଡ଼ ଗଛ । ଭୁବନେଶ୍ବର ବିମାନ ବନ୍ଦରରେ ହେଉଛି ଅସୁରକ୍ଷିତ ଟେକଅଫ୍ ଓ ଲ୍ୟାଣ୍ଡିଂ ।  ଯେ କୌଣସି ସମୟରେ ଘଟିପାରେ ଅହମ୍ମଦାବାଦ ପ୍ଲେନ୍‌ କ୍ରାସ ପରି ଘଟଣା । ଏଭଳି ଆଶଙ୍କା କରିଛନ୍ତି ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ । ଉଦବେଗ ପ୍ରକାଶ କରି ତୁରନ୍ତ ଗଛ କାଟିବା ସହ ବେଆଇନ ଅଟ୍ଟାଳିକା ହଟାଇବାକୁ ବିଏମ୍‌ସିକୁ ଚିଠି ଲେଖିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ । ସାମାନ୍ୟ ନଜର ହଟିଲେ ଦୁର୍ଘଟଣା ସୁନିଶ୍ଚିତ । ବିମାନ ବନ୍ଦରରୁ ୬୦ ମିଟର ଯାଏ କୌଣସି ନିର୍ମାଣ କାର୍ଯ୍ୟ ହେବା କଥା ନୁହେଁ । ହେଲେ ବିମାନ ବନ୍ଦରର ଟେକଅଫ୍ ଓ ଲ୍ୟାଣ୍ଡିଂ ପଏଣ୍ଟ ବାହାରେ ଗଢି ଉଠିଛି ବଡ଼ ବଡ଼ ବିଲଡିଂ । ରନଓ୍ବେ କଡ଼ରେ ଠିଆ ହୋଇଛି ଓୟୁଏଟିର ବଡ଼ ବଡ଼ ନଡ଼ିଆ ଗଛ ।ହାଉଜାଉ ଆମିଷ ଦୋକାନ ଯୋଗୁଁ ବିମାନକୁ ରହିଛି ପକ୍ଷୀ ମାଡ଼ ଭୟ । ବରମୁଣ୍ଡା, ଓୟୁଏଟି, କାର୍ଗିଲ ରୋଡ, ଜାଗମରା ଓ ଗଣ୍ଡମୁଣ୍ଡା ଆଖପାଖରେ ସର୍ଭେ କରାଯାଇ  ବିଏମସି କର୍ତ୍ତୃପକ୍ଷଙ୍କୁ ତାଲିକା ବି ଦେଇଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । ବିମାନ ବନ୍ଦର ସେଫଟି ଯାଞ୍ଚ ପାଇଁ ଜୁନ ୩୦ରେ ଫୁଲସ୍କେଲ ରିହାର୍ସଲ କରିବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛି । ବିଲଡିଂ ଭଙ୍ଗା ଓ ଗଛ କଟା ପ୍ରସ୍ତାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ । ବିମାନ ବନ୍ଦର ପାଖରେ ବିଲଡିଂ ନିର୍ମାଣ ପୂର୍ବରୁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମତି ନେବା କଥା । ହେଲେ ନିର୍ମାଣ ହେଲା ବେଳେ କାହିଁକି ବିମାନବନ୍ଦର କର୍ତ୍ତୃପକ୍ଷ ଏ ଦିଗ ପ୍ରତି ଧ୍ୟାନ ଦେଇନଥିଲେ ବୋଲି ଅଭିଯୋଗ କରିଛନ୍ତି

ବୋଲ ମାନୁନି ଝାଡାବାନ୍ତି, ଯାଜପୁର ପରେ କେନ୍ଦୁଝର, ଭଦ୍ରକ ଓ କଟକରେ ଏଣ୍ଟ୍ରି

ନନ୍ଦିଘୋଷ ବ୍ୟୁରୋ : ବୋଲ ମାନୁନି ଝାଡାବାନ୍ତି । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡି ଚାଲିଛି । ଯାଜପୁରରେ ହଇଜା ଭୂତାଣୁ ଚିହ୍ନଟ ହେବା ପରେ ଆଉ ତିନି ଜିଲ୍ଲାରେ ଝାଡାବାନ୍ତି ଆତଙ୍କ । ସ୍ଥିତି ସଙ୍ଗୀନ ହେଉଥିବାରୁ ରଜରେ ଭୋଜିଭାତରୁ ଦୂରେଇ ରହିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ । ଯାଜପୁରରେ ନିୟନ୍ତ୍ରଣକୁ ଆସୁନି ହଇଜା । ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ସ୍ଥିତି । ଯାଞ୍ଚ ହୋଇଥିବା ୨୧ଟି ନମୁନାରୁ ୧୧ଜଣଙ୍କ ଠାରେ ହଇଜା ଭୂତାଣୁ ଚିହ୍ନଟ ହୋଇଛି । ଜିଲ୍ଲାରେ ହଇଜା ମାଡିବା ପରେ ସ୍ବାସ୍ଥ୍ୟ ବିଭାଗର ନିଦ ହଜିଯାଇଛି । ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାରେ ୧୦ଜଣଙ୍କ ମୃତ୍ୟୁ ହୋଇଛି । ୬ବ୍ଲକର ୬୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ । ଏବେ ବି ବିଭିନ୍ନ ଡାକ୍ତରଖାନାରେ ୨୦୦ରୁ ଅଧିକ ଲୋକ ଚିକିତ୍ସାଧୀନ ଅଛନ୍ତି । ସ୍ବାସ୍ଥ୍ୟ ବିଭାଗର ନିଷ୍କ୍ରିୟତା ଯୋଗୁ ସୀମାବର୍ତ୍ତୀ କେନ୍ଦୁଝର ଓ ଭଦ୍ରକ ସହ କଟକ ଜିଲ୍ଲାକୁ ମଧ୍ୟ ବ୍ୟାପିଲାଣି ଝାଡାବାନ୍ତି । ସେପଟେ କେନ୍ଦୁଝରରେ ୩ଜଣ, ଭଦ୍ରକ ଓ କଟକରୁ ମଧ୍ୟ ଜଣେ ଲେଖାଏଁ ଝାଡାବାନ୍ତିରେ ମୃତ୍ୟୁବରଣ କରିଛନ୍ତି । କେନ୍ଦୁଝରର ଆନନ୍ଦପୁର ଓ ଘସିପୂରା ବ୍ଲକ ସହ ଭଦ୍ରକର ଭଣ୍ଡାରିପୋଖରୀ ଏବଂ କଟକ ସଦର ବ୍ଲକର ଝିଙ୍କିରିଆ ଗାଁରେ ବି ବ୍ୟାପିଛି ଝାଡାବାନ୍ତି ।

ଯାଜପୁରରେ ସ୍ଥିତି ଅଣାୟତ୍ତ ହୋଇଥିବାରୁ ଜିଲ୍ଲାକୁ ଘନଘନ ସ୍ବାସ୍ଥ୍ୟ ବିଭାଗର ଟିମ ଗସ୍ତ କରି ସ୍ଥିତି ଯାଞ୍ଚ କରୁଛନ୍ତି । ଆଜି ରାଜ୍ୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ସହ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଓ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଟିମ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ସମୀକ୍ଷା କରିଛନ୍ତି । ହଇଜା ବ୍ୟାପିଥିବା ଅଞ୍ଚଳରେ ପାନୀୟ ଜଳ ବିଶୋଧନ କରାଯାଉଥିବା ବେଳେ ପ୍ରତ୍ୟେକ ଗାଁରେ ଆଶା ଓ ଅଙ୍ଗନାଓ୍ବାଡି କର୍ମୀ ଲୋକଙ୍କୁ ସଚେତନ କରୁଛନ୍ତି । ଏଭଳି ସ୍ଥିତିରେ ରଜରେ ଭୋଜିଭାତ ନକରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ସବୁ ସରକାରୀ କର୍ମଚାରୀଙ୍କ ରଜ ଛୁଟି ମଧ୍ୟ ବାତିଲ କରାଯାଇଛି ।

ଅନ୍ୟପଟେ ଏବେ ଆକ୍ସନ ମୋଡକୁ ଆସିଛି ଖାଦ୍ୟ ସୁରକ୍ଷା ବିଭାଗ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ହୋଟେଲ ଓ ରେସ୍ତୋରାଁ ଉପରେ ଚଢ଼ାଉ କରି ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି । ଅନେକ ହୋଟେଲ ଓ ରେସ୍ତୋରାଁରେ ଅପମିଶ୍ରିତ ଖାଦ୍ୟ ବି ଜବତ କରାଯାଇଛି । ଯାଜପୁରରେ ସରକାରୀ ଭାବେ ଯେଉଁ ୫ଜଣଙ୍କ ମୃତ୍ୟୁ ଖବର ଆସିଛି ସେମାନଙ୍କ ଅଟୋପ୍ସି ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏଥିସହିତ ଆଜି କେନ୍ଦ୍ରରୁ ୧୪ ଜଣିଆ ଟିମ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଟିମ ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିବେ । ଟିମରେ ଆଇସିଏମଆର, ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଖାଦ୍ୟ ନିରାପତ୍ତାର ଅଧିକାରୀମାନେ ସାମିଲ ଅଛନ୍ତି ।

ଆୟୁଷ୍ମାନ ଭାରତର ହିତାଧିକାରୀ ସଂଖ୍ୟା ବଢୁଛି, ହେଲେ ମିଳୁନି ସ୍ୱାସ୍ଥ୍ୟସେବା

ଭୁବନେଶ୍ଵର : ଏପ୍ରିଲ ୧୧ ତାରିଖରେ ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ହିତାଧିକାରୀ ସଂଖ୍ୟା ୧ କୋଟି ଟପିଛି l ଏହି ଯୋଜନାକୁ ଆୟୁଷ୍ମାନ ଭାରତ ସହିତ ମିଶ୍ରଣ କରି ଦେଇଛି ରାଜ୍ୟର ବିଜେପି ସରକାର। କିନ୍ତୁ ଆୟୁଷ୍ମାନ ଭାରତ ଲାଗୁ ହେବା ଦିନରୁ ଓଡ଼ିଶାବାସୀ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ। ଗରିବ ଲୋକଙ୍କୁ ଭଲ ହସ୍ପିଟାଲରେ ମାଗଣା ଚିକିତ୍ସା ମିଳୁନି। ପଂଜୀକରଣ ହିତାଧିକାରୀ ସଂଖ୍ୟା ସଂଖ୍ୟା ବଢ଼ୁଥିଲେ ମଧ୍ୟ ଓଡ଼ିଶାବାସୀ ଠିକ୍ ରେ ଚିକିତ୍ସା ପାଉ ନାହାନ୍ତି। ଆୟୁଷ୍ମାନ ଯୋଜନାର ବିଫଳତାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ l ସେ ଅଭିଯୋଗ କରିଛନ୍ତି,  ଆୟୁଷ୍ମାନ ଭାରତ ଯୋଜନାରେ ବହୁ ସମସ୍ୟା ଥିବାରୁ ଲୋକେ ଚିକିତ୍ସl ପାଇପାରୁନାହାନ୍ତି l ରୋଗୀ ଆଡ଼ମିଶନ ନେଲେ ଆପୃର୍ଭାଲ ନେବାରେ ବିଳମ୍ୱ ହେଉଛି l ଆୟୁଷ୍ମାନ କାର୍ଡରେ ବହୁ ନିୟମ ଥିବାରୁ ଲୋକେ ହଇରାଣ ହେଉଛନ୍ତି l ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି। କିନ୍ତୁ ନବୀନ ସରକାର ବେଳେ BSKY ରେ ଲୋକେ ଭଲରେ ମାଗଣାରେ ଚିକିତ୍ସା ପାଉଥିଲେ। ପଂଜୀକୃତ ହିତାଧିକାରୀଙ୍କ ସଂଖ୍ୟା ନୁହେଁ ସମସ୍ତଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉପରେ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି ଦାବି କରିଛି ବିଜେଡି।

ଆୟୁଷ୍ମାନ ଯୋଜନାର ବିଫଳତାକୁ ନେଇ କଂଗ୍ରେସ ମଧ୍ୟ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛି l ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି ବିଜେପି ସରକାର ଆସିବା ଦିନଠୁ ରାଜ୍ୟରେ ବିଗିଡି ଯାଇଛି  ସ୍ବାସ୍ଥ୍ୟସେବା l ବିଜେଡି ସରକାର ସମୟରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ   କାର୍ଡରେ ଗରିବ ଲୋକ ମାଗଣାରେ ଚିକିତ୍ସା ହୋଇ ଉପକୃତ ହେଉଥିବା ବେଳେ ଆୟୁଷ୍ମାନ ଯୋଜନା ରେ ଠିକରେ ସ୍ବାସ୍ଥ୍ୟ ସେବା ପାଉ ନାହାନ୍ତି, ହଇରାଣ ହେଉଛନ୍ତି l ଏପରିକି ଚିକିତ୍ସା ନ ପାଇ ଲୋକେ ମରିଯାଉଥିବା କଂଗ୍ରେସ ଅଭିଯୋଗ କରିଛି l ସେପଟେ ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି ଆୟୁଷ୍ମାନ ଭାରତ ଯୋଜନା ଠିକ୍ ଭାବେ କାମ କରୁଛି ଓ ଲୋକେ ଉପକୃତ ହେଉଛନ୍ତି l ଉପକୂଳରୁ ଉପାନ୍ତ ଯାଏ ବିଗିଡି ଯାଇଛି ସ୍ୱାସ୍ଥ୍ୟ ସେବା l ଆୟୁଷ୍ମାନ ଭାରତ ଯୋଜନାରେ ନାନା ସମସ୍ୟା ଥିବାରୁ ଲୋକେ ହନ୍ତସନ୍ତ।

ମଜାକ ପାଲଟିଲାଣି ପାରଦର୍ଶୀ ପୋର୍ଟାଲ, ଗରିବ ପିଲାଙ୍କୁ ଆଡମିଶନ ବେଳେ ଠକିଥିଲେ ଏବେ ବଦଳି ବେଳେ ବି ଠକୁଛନ୍ତି

ଭୁବନେଶ୍ୱର : ହାତରେ ନହେଲେ ଭାତରେ ମାରୁଛନ୍ତି । ପାରଦର୍ଶୀ ପୋର୍ଟାଲରେ ଆଡମିଶନ ବେଳେ ଠକିଥିଲେ ଏବେ ସ୍କୁଲ ବଦଳି ବେଳେ ବି ଠକୁଛନ୍ତି । ପୂର୍ବରୁ ନିୟମ ଥିଲେ ମଧ୍ୟ ରାଜ୍ୟର ବହୁ ଘରୋଇ ସ୍କୁଲ ଗରିବ ପିଲାଙ୍କୁ ମାଗଣା ଶିକ୍ଷା ଦେବାରୁ ବଂଚିତ କରିଛନ୍ତି । ବହୁ ସ୍କୁଲ ନିଜକୁ ପାରଦର୍ଶୀ ପୋର୍ଟାଲରେ ପଞ୍ଜିକୃତ କଲେ ନାହିଁ । ଏବେ ଆଉ ଏକ ଉପାୟରେ ଗରିବ ପିଲାଙ୍କୁ ଠକା ଯାଉଥିବା ଅଭିଯୋଗ ହୋଇଛି । ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଗରିବ ପିଲା ବିଭିନ୍ନ ଘରୋଇ ସ୍କୁଲରେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ମାଗଣାରେ ପଢିବାକୁ ବ୍ୟବସ୍ଥା କରାଯାଇଥିଲା । ଏହି ବ୍ୟବସ୍ଥାକୁ ବିଜେଡି ସରକାର କାର୍ଯ୍ୟକାରୀ କରିଥିଲେ । କିଛି କ୍ଷେତ୍ରରେ କୌଣସି ଅଭିଭାବକ ଯଦି କୌଣସି କାରଣରୁ ସ୍ଥାନ ପରିବର୍ତ୍ତନ କରେ ତାଙ୍କ ପିଲାଙ୍କୁ ଅନ୍ୟତ୍ର ଅନ୍ୟ ଘରୋଇ ସ୍କୁଲରେ ପଢିବାର ବ୍ୟବସ୍ଥା ରହିଛି । କିନ୍ତୁ ସେଠାରେ ପିଲାଙ୍କୁ କିଭଳି ଆଡମିଶନ ନ ମିଳିବ ସେଥିପାଇଁ ଷଡ଼ଯନ୍ତ୍ର ମଧ୍ୟ କରୁଥିବା ଅଭିଯୋଗ ହୋଇଛି । ସରକାରଙ୍କ ପାଖରେ ବିଭିନ୍ନ ସ୍କୁଲର ଆରଟିଇ ସିଟ ନେଇ ତଥ୍ୟ ରହିଥିଲେ ମଧ୍ୟ ସେହି ସ୍କୁଲର ଇଚ୍ଛା ଅନୁଯାୟୀ ଆଡମିଶନ ମିଳୁଛି । ଫଳରେ ଅନେକ ଗରିବ ପିଲା ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକ ସଂଘ ସମେତ ଜନସଂଗଠନ ଗୁଡ଼ିକ ସରକାର ଉପରେ ବର୍ଷିଛନ୍ତି। …

ଶିକ୍ଷା କ୍ଷେତ୍ରରେ ଏଭଳି ଠକାମି ବିରୋଧରେ ଆନ୍ଦୋଳନ ବ୍ୟାପକ ହେବ ବୋଲି କୁହାଯାଇଛି । ଅନ୍ୟାନ୍ୟ ଦଳ ବିରୋଧ କରୁଥିବା ବେଳେ ଏବେ ସାଧାରଣ ଲୋକେ ବିରୋଧ କରିବେ । ବିଜେପି ସରକାରକୁ ଟେକ୍ନିକାଲି ମିଛୁଆ ସରକାରର ଆଖ୍ୟା ଦେଇଛି ଓଡିଶା ସିଟିଜେନସ ଫୋରମ । ସେପଟେ ଶିକ୍ଷା ଅଧିକାର ଫୋରମର କହିବା କଥା ସରକାରଙ୍କ ଏଭଳି ମନୋଭାବ ଯୋଗୁଁ ପ୍ରତିଭାବାନ ଗରିବ ପିଲାମାନେ ଗୁଣାତ୍ମକ ପାଠପଢ଼ାରୁ ବଂଚିତ ହେଉଛନ୍ତି । ତେଣୁ ସରକାର ଯେଉଁ ନିୟମ ନିଜେ କରିଛନ୍ତି ତାକୁ ପାଳନ କରନ୍ତୁ ବୋଲି କୁହାଯାଇଛି । ବିନା ବିଚାରବିମର୍ଶରେ ଜାତୀୟ ଶିକ୍ଷା ନୀତି ଲାଗୁ କରି ଶିକ୍ଷକ, ଶିକ୍ଷାବିତ ଓ ଲୋକଙ୍କ ରୋଷର ଶିକାର ହୋଇଥିବା ସରକାର ଏବେ ଶିକ୍ଷା ଅଧିକାର ଆଇନକୁ ସଠିକ ଭାବେ କାର୍ଯ୍ୟକାରୀ ନ କରିବାକୁ ନେଇ ଅସନ୍ତୋଷ ବ୍ୟାପକ ହୋଇଛି।

୫ ବାଇକ ଚୋରଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ବର :  ବୁଲେଟ ଚୋରି କରି ବନୁଥିଲେ ବୁଲେଟ ରାଜା । ଚୋରି ଟଙ୍କାରେ ଅୟସ ଆରାମରେ ବଞ୍ଚୁଥିଲେ । କଳିଙ୍ଗ ବିହାରରୁ ୫ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ମୁଖ୍ୟ ଅଭିଯୁକ୍ତ ମନୀଷ ପଟ୍ଟନାୟକ ଓ ବାବୁରାଓ ଆଚାର୍ଯ୍ୟଙ୍କୁ ଗିରଫ କରାଯାଇଥିଲା । ତଦନ୍ତ ବେଳେ ଅଭିଯୁକ୍ତ ମାନେ ୧୧ ଟି ବାଇକ୍ ଚୋରି କରିନେଇଥିବା ଜଣାପଡିଥିଲା । ଚୋରି ବାଇକ ମଧ୍ୟରେ ୬ ଟି ବୁଲେଟ ମଧ୍ୟ ରହିଛି । ଗାଡି ଚୋରି କରିବା ପରେ ସନ୍ତୋଷ ବେହେରା, ସଚିନ ଗୌଡ଼ ଓ ବିଜନ ସ୍ବାଇଁଙ୍କୁ ବିକ୍ରି କରିଥିଲେ । ପୁରା ଘଟଣାର ତଦନ୍ତ କରିବା ପରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ରାଜଧାନୀରେ ଏମାନେ ଗାଡି ଚୋରି ଗ୍ୟାଙ୍ଗ ଚଳାଇଥିଲେ । ଡବଲ ଲକ ହୋଇନଥିବା ଗାଡି ଗୁଡିକୁ ଟାର୍ଗେଟ କରୁଥିଲେ । ସେମାନଙ୍କ ନିକଟରୁ ମୋଟ ୧୧ ଟି ମଟର ସାଇକେଲ ଜବତ କରାଯାଇଛି । ଅଭିଯୁକ୍ତ ମନୀଷ ଓ ବାବୁରାଓ ନାଁରେ ଲିଙ୍ଗରାଜ ଥାନା , ମୈତ୍ରୀ ବିହାର ଥାନା , ପିପିଲି ଥାନା ଅଞ୍ଚଳରେ ୩ ଟି ଚୋରି କେସ ରହିଛି । ସେହିପରି ରିସିଭର ବିଜନ ସ୍ୱାଇଁ ନାଁରେ ତମାଣ୍ଡୋ ଥାନାରେ ୫ ଟି କେସ ରହିଛି । ସେପଟେ ଚୋରି ଗାଡି ଫେରିପାଇବା ପରେ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଲୋକେ । କେହି କେହି ଠାକୁରଙ୍କ ପାଖରେ ମାନସିକ କରିଥିବା ବେଳେ, ଗାଡି ମିଳିବା ପରେ ଦାଢ଼ି ନିଶ କାଟିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଚୋରି ଗାଡି ଧରିବାରେ ଯେଉଁ ପୋଲିସ କର୍ମଚାରୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରିଛନ୍ତି ଭୁବନେଶ୍ୱର ଡିସିପି ।

ମରଣଯନ୍ତା ପାଲଟିଛି କଟକ-ଭୁବନେଶ୍ବର ନେତାଜୀ ସେତୁ

କଟକ : ସେତୁ ଉପରେ ବିପଦ । ବାଲିର ଆସ୍ତରଣ ଭିତରେ ଲୁଚିଲାଣି ରାସ୍ତା । ସାମାନ୍ଯ ଅସାବଧାନ ହେଲେ ଚକା ଖସି ପଡ଼ିବା ନିଶ୍ଚିତ । ଇଏ ହେଉଛି କଟକ- ଭୁବନେଶ୍ବରର ପ୍ରମୁଖ ନେତାଜୀ ସେତୁ । ପ୍ରତିଦିନ ଶହଶହ ସଂଖ୍ଯାରେ ବାଲି ଟ୍ରକ ଓ ଟ୍ରାକ୍ଟର ଏହା ଉପରେ ଯାତାୟାତ କରୁଛି । ବାଲି ଉଡ଼ି ରାସ୍ତା ଦୁଇ ପାର୍ଶ୍ବରେ ଜମିଲାଣି ୩ଫୁଟ ଚଉଡ଼ା ଓ ଦୁଇଇଞ୍ଚ ଉଚ୍ଚତାର ବାଲି । ପ୍ରଶାସନ ଏହାକୁ ସଫା କରୁ ନଥିବାରୁ ଅନେକ ସମୟରେ ବାଇକ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି । ବାଲି ଉଡ଼ି ଆଖିରେ ପଶିବା ସହ ଚକା ଖସି ପଡୁଛନ୍ତି ବାଇକ ଓ ସାଇକେଲ ଚାଳକ । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

ଗତବର୍ଷ ସମାନ ସ୍ଥିତି ଉପୁଜିଥିଲା । ଫଳରେ ଲୋକଙ୍କ ଅଭିଯୋଗ ପାଇବା ପରେ ମେୟର ପହଞ୍ଚି ଟ୍ରାକ୍ଟର ଲଗାଇ ବାଲି ସଫେଇ କରିଥିଲେ । ଏବେ ମେୟର ଏହାକୁ ଚିନ୍ତାଜନକ ବିଷୟ ବୋଲି ମାନୁଥିଲେ ସୁଦ୍ଧା ସଫା କରିବା ପାଇଁ ଲୋକବଳ ଓ ଅର୍ଥର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ପ୍ରଶାସନ ବାଲି ଘାଟରୁ ଓ ଅନ୍ଯ ବାବଦରେ ଟଙ୍କା ଆଦାୟ କରୁଥିବାରୁ ଏହାର ସଫେଇ ଦେଖିବା କଥା ବୋଲି ସେ କହିଛନ୍ତି । କାଠଯୋଡ଼ି ନଦୀ ଉପରେ ସେତୁ ନିର୍ମାଣ ହେବା ପରଠାରୁ ଏହା କଟକ ଭୁବନେଶ୍ବରବାସୀଙ୍କ ପ୍ରମୁଖ ରାସ୍ତା ପାଲଟିଛି । ତେଣୁ ଏହାର ସୁରକ୍ଷାକୁ ପ୍ରାଥମିକତା ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ଆସିଛି ରଜ, ସବୁଠି ଉତ୍ସାହର ମାହୋଲ

ନନ୍ଦିଘୋଷ ବ୍ୟୁରୋ : ବନସ୍ତେ ଡାକିଲା ଗଜ, ବରଷକ ଥରେ ଆସିଛି ରଜ । ଦୋଳିରେ ଝୁଲି ଝୁଲି ଭାଇର ମଙ୍ଗଳ ମନାସୀ ଗୀତରେ ମସଗୁଲ କୁମାରୀ । ପ୍ରଚଣ୍ଡ ରୌଦ୍ର ପରେ ଭିଜିଛି ଧରଣୀ । ଆଉ ଏହି ସନ୍ଧିକ୍ଷଣରେ ଭୁବନେଶ୍ବର ପାତ୍ରପଡ଼ାରେ ଜମିଛି ରଜ ମଉଜ । ପାତ୍ରପଡା-ଭାଗବନପୁର ଯୁବ ବାହିନୀ ଓ ମହାରାଜା କ୍ରିକେଟ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି ରଜ ଉତ୍ସବ । ୪ ଦିନିଆ ଉତ୍ସବରେ ଲାଗିଛି ୧୫୦ରୁ ଅଧିକ ଦୋଳି । ମେୟର, ବିଧାୟକ ଏହାକୁ ଉଦଘାଟନ କରିଛନ୍ତି । ସେପଟେ ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗାଁରେ ମଧ୍ୟ ଜମିଛି ରଜ ମଉଜ । ୪ଶହ ଦୋଳି ସାଙ୍ଗକୁ ଆୟୋଜିତ ହୋଇଛି ବିଭିନ୍ନ ପ୍ରତିଯୋଗିତା । ଜମିଛି ବାଗୁଡ଼ି ସାଙ୍ଗକୁ ପଶାପାଲିର ଆସର । ରଜରେ ରଜପାନର ରହିଛି ବେଶ ଚାହିଦା । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଇନ୍ଦିରାଗାନ୍ଧୀ ପାର୍କ ନିକଟରେ ମିଳୁଛି ଫାୟାର ପାନ । ୩୨ ପ୍ରକାର ମସଲା ପକାଇ ଲୋକଙ୍କୁ ୧୫ ଟଙ୍କାରେ ଯୋଗାଇ ଦେଉଛନ୍ତି ପାନ ଦୋକାନୀ ଗଣେଶ ଭାଇ ।

କଟକରେ ପହିଲି ରଜରେ କୁନି କୁନି ଝିଅଙ୍କ ଠାରୁ ଯୁବତୀ, ନବବଧୂ ଓ ମହିଳା,  ସମସ୍ତେ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ପିଠା ଖାଇ ଦୋଳିର ମଜା ନେଉଛନ୍ତି । ୫୦ ପ୍ରକାର ମସଲା ପକାଇ ବ୍ଯବସାୟୀମାନେ ବନାଉଛନ୍ତି ରଜପାନ । ବିଶେଷ କରି ଖାନନଗର, ବାଦାମବାଡି, ଖପୁରିଆ, ନୂଆପଡା, କଲେଜ ଛକ ଆଦି ସ୍ଥାନରେ ଏହି ପାନ ଦୋକାନରେ ଜମୁଛି ଭିଡ଼ । ରାଉରକେଲା ସିଭିଲ ଟାଉନସିପ ଠାରେ ରଜପର୍ବ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସିଭିଲ ଟାଉନସିପପ ସାଂସ୍କୃତିକ ପରିଷଦ, ସିଭିଲ ଚାର୍ଜସ ଓ ମାଆ ଇନ୍ଦିରା ମହିଳା ସମିତି ପକ୍ଷରୁ ମିଳିତ ଏହାକୁ ପାଳନ କରାଯାଉଛି । ୫ ଦିନ ଧରି ପାଳିତ ହେଉଛି ଓଡ଼ିଶାର ଗଣପର୍ବ ରଜ । ପ୍ରଥମ ଦିନ ସଜବାଜ, ଦ୍ବିତୀୟର ପହିଲି ରଜ, ରଜ ସଂକ୍ରାନ୍ତି, ଶେଷ ତଥା ପଞ୍ଚମ ଦିନରେ ହୁଏ ବସୁମତି ସ୍ନାନ ।

ଜ୍ବରରେ ପୀଡିତ ମହାପ୍ରଭୁ, ଚତୁର୍ଥ ଦିନରେ ଶ୍ରୀଅଙ୍ଗରୁ ଓଦା ବସ୍ତ୍ର ଓଲାଗି କରି ମଇଲମ କଲେ ଦଇତାପତି

ପୁରୀ : ଜ୍ବରରେ ପୀଡିତ ମହାପ୍ରଭୁ । ଚନ୍ଦନ ଅର୍ଗଳି ନିକଟସ୍ଥ ଅଣସର ଘରେ ବିଶ୍ରାମ ନେଉଛନ୍ତି ଶ୍ରୀଜିଉ । କୋଠସୁଆଁସିଆଙ୍କ ଦ୍ଵାରା ବନ୍ଧା ଯାଇଥିବା ଅଣସର ତାଟି ଭିତରେ ଶ୍ରୀବିଗ୍ରହଙ୍କ ଚାଲିଛି ଗୁପ୍ତ ସେବା । ଅନ୍ଧାରରେ ଶ୍ରୀଜୀଉଙ୍କ ସୁସ୍ଥ କରିବା ପାଇଁ ଲାଗିପଡିଛନ୍ତି ଦଇତାପତି । ଅନବସରର ଚତୁର୍ଥ ଦିନରେ ଶ୍ରୀଅଙ୍ଗରୁ ଓଦା ବସ୍ତ୍ର ଓଲାଗି କରିଛନ୍ତି ସେବାୟତ । ଆଷାଢ଼ କୃଷ୍ଣ ପ୍ରତିପଦା ଚତୁର୍ଥୀ ପର୍ଯ୍ୟନ୍ତ କରାଳକାମ କରାଯିବ। ପଞ୍ଚମୀ ଠାରୁ ସପ୍ତମୀ ପର୍ଯ୍ୟନ୍ତ ଫୁଲୁରି ତେଲ ଲାଗି ହେବା ସହ ଦଶମୀ ଦିନ ଚକାବିଜେ କରିବେ ଶ୍ରୀବିଗ୍ରହ । ରାଜବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହୋଇ ମହାପ୍ରଭୁଙ୍କୁ ଓଷ ଲାଗି ହେବ । ଏହା ପରେ ଖଡ଼ି ପ୍ରସାଦ ଓ ଘଣା ଲାଗି ପରେ ସୁସ୍ଥ ହେବେ ମହାପ୍ରଭୁ ।

ସେପଟେ ରଥଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ l ତିନି ରଥରେ ଚଉଦ ନାହାଜା ବୁଲିବା ସହ ପ୍ରଥମ ଦ୍ବିତୀୟ ଓ ତୃତୀୟ ଭୂଇଁ ଟୁଙ୍ଗୁରା ଲଗା ଯାଇଛି । ଚକରେ ଆଜି ଲୁହା ପ୍ଲେଟ୍ ଲାଗିଥିବା ବେଳେ ପହିରେ ନଟବୋଲ୍ଡ ଦେଇ ପ୍ଲେଟ୍ ଫିଟି କରିଛନ୍ତି କମାର ସେବକ । ପହି ଯୋଡ଼େଇକୁ ମଜଭୁତ୍ କରିବାକୁ ଆଗ ଚକରେ ଲାଗିଛି ପ୍ଲେଟ୍ । ତୃତୀୟ ଭୂଇଁ କାର୍ଯ୍ୟ ସରିବାପରେ ପଞ୍ଚମ ହରିବୋଲ ପକାଇ ତିନି ରଥରେ ପଡ଼ିଛି ପୋଟଳ । ମହାରଣାଙ୍କୁ ସହଯୋଗ କରୁଛନ୍ତି ଭୋଇ ସେବାୟତ । ମହାପ୍ରଭୁଙ୍କ ଅନୁପସ୍ଥିତିରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ପଟିଦିଅଁ ।

ଦୁଇମାସର କଟକଣା ପରେ ପୁଣି ସମୁଦ୍ରକୁ ବାହାରିଲେଣି ମତ୍ସ୍ୟଜୀବୀ

ବାଲେଶ୍ବର : ଚାଲିଛି ପୂଜାର୍ଚ୍ଚନା । ଗଦା ହେଲାଣି ବରଫ । ଟ୍ରଲର ପ୍ରସ୍ତୁତ, ମତ୍ସ୍ୟଜୀବୀ ବି ତୟାର । ପୁଣି ଗୋଦାମରେ ଗଦା ହେବ ଲୁଣି ମାଛ । ଶସ୍ତା ହେବ ଇଲିସି, ଚିଙ୍ଗୁଡ଼ି ପରି ଲୁଣି ମାଛ । ଦୁଇମାସର କଟକଣା ପରେ ପୁଣି ମାଛ ମାରିବାକୁ ପ୍ରସ୍ତୁତ ହେଉଛନ୍ତି ମତ୍ସ୍ଯଜୀବୀ । ମାଛଙ୍କ ପ୍ରଜନନ ଋତୁ ଥିବାରୁ ଏପ୍ରିଲ ୧୫ରୁ ଜୁନ ୧୫ ଯାଏଁ ଦୁଇମାସ ସମୁଦ୍ରରୁ ମାଛ ମାରିବା ଉପରେ ଲାଗିଥିଲା କଟକଣା । ମତ୍ସ୍ୟ ବିଭାଗ କଟକଣା ହଟାଇବା ପରେ ପୁଣି ସମୁଦ୍ରକୁ ଯିବାକୁ ବାହାରିଛନ୍ତି ଟ୍ରଲର । ରବିବାର ଠାରୁ କଟକଣା ହଟୁଥିବାରୁ ଟ୍ରଲର ଗୁଡ଼ିକ ସେମାନଙ୍କ ଟ୍ରାଏଲ ବି ଆରମ୍ଭ କରିଦେଇଛନ୍ତି । ବାଲେଶ୍ବରର ବଳରାମଗଡ଼ିରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଟ୍ରଲର ପାଇଁ ଇନ୍ଧନ, ଖାଦ୍ଯ, ଜାଲ, ବରଫ ନେଇ ପହଞ୍ଚିଲେଣି ମତ୍ସ୍ଯଜୀବୀ । ଚଳିତ ବର୍ଷ ଭଲ ମାଛ ପଡ଼ିବା ନେଇ ଆଶା କରିଛନ୍ତି ଟ୍ରଲର ମାଲିକ ।

ଗୋଟିଏ ଗୋଟିଏ ଟ୍ରଲର ୫ଶହରୁ ୫ଶହ ଜାଲି ମାଛ ସଂଗ୍ରହ କରିଥାନ୍ତି । ଏଥିପାଇଁ ୧୦ ରୁ ୧୫ ଦିନ ସମୁଦ୍ର ମଧ୍ୟରେ ରାତି କାଟିବାକୁ ପଡ଼ିଥାଏ । ତେଣୁ ସିଜନ ଆରମ୍ଭରୁ ଟ୍ରଲର ସମୁଦ୍ରକୁ ଯିବାପାଇଁ ୫ ରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ । ଏଥର ସମୁଦ୍ରରେ ଅଧିକ ମାଛ ପଡ଼ିଲେ ଖର୍ଚ୍ଚ ବାହାରିବା ସହ ଦୁଇପଇସା ଲାଭ ହେବ ବୋଲି କହିଛନ୍ତି ମତ୍ସ୍ୟଜୀବୀ । ଦୁଇ ମାସ ହେବ ସମୁଦ୍ର ମାଛ ବଜାରକୁ ଅସୁନଥିବାରୁ ବଜାର ଦର ଚଢ଼ା ରହିଛି । ତେବେ ଏବେ ପୁଣି ଫିସିଂ ଆରମ୍ଭ ହେଲେ ଦର କମିବ ବୋଲି ଆଶା ରଖିଛନ୍ତି ଗ୍ରାହକ ।