spot_img
Home Blog Page 689

ବିଜେପି ପ୍ରାର୍ଥୀ ଚୟନରେ ଭୁଲ୍ ହୋଇଥିଲା : ଜୟନାରାୟଣ ମିଶ୍ର

ନନ୍ଦିଘୋଷ ବ୍ୟୁରୋ: ବର୍ଷ ପୂର୍ତ୍ତିରେ ବିଜେପିରେ ବିସ୍ଫୋରଣ। ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ। ବିଜେପି ପ୍ରାର୍ଥୀ ଚୟନରେ ଭୁଲ୍ ହୋଇଥିଲା ବୋଲି କହିଛନ୍ତି ଜୟ ନାରାୟଣ। ସେ କହିଛନ୍ତି ଯେ, ଏକଥା ବାରମ୍ବାର କହିଛି, ହେଲେ କେହି ଶୁଣୁନାହାନ୍ତି। ଯେଉଁଥି ପାଇଁ ୩ଜଣ ସ୍ଵାଧୀନ ପ୍ରାର୍ଥୀ ଜିତିଛନ୍ତି। ସେହିପରି ମନ୍ତ୍ରିମଣ୍ଡଳ ସଂପ୍ରସାରଣ କାହିଁକି ହୋଇପାରୁନି ତାହା ମୁଖ୍ୟମନ୍ତ୍ରୀଙ୍କୁ ଜଣା। ଏ ସମ୍ପର୍କରେ ମୁଖିଆ ଉତ୍ତର ଦେଇପାରିବେ ବୋଲି କହିଛନ୍ତି ଜୟ ନାରାୟଣ। କେବେ ସଭାପତି ଚୟନ ହେବେ ତାହା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣା ବୋଲି କହିଛନ୍ତି ଜୟ ନାରାୟଣ। ଜୟନାରାୟଣଙ୍କ ମନ୍ତବ୍ୟରେ ଜବାବ ରଖିଛନ୍ତି ଇରାଶିଷ। ପ୍ରାର୍ଥୀ ଚୟନରେ ଭୁଲ୍ ହୋଇନାହିଁ ବୋଲି କହିଛନ୍ତି ଇରାଶିଷ। ଦଳ ଠିକ ଦିଗରେ ଚାଲିଛି। ଅନ୍ୟପଟେ ଏନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପ୍ରକାଶ ସୋରେନ। ବର୍ଷ ପୂର୍ତ୍ତି ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ବୋଲି ଶୁଣୁଛୁ ବୋଲି ସେ କହିଛନ୍ତି।

ଭାରତର ଆକ୍ରମଣରେ ପାକିସ୍ତାନର ୬ଟି ବାୟୁସେନା ଫାଇଟର ଜେଟ ହୋଇଥିଲା ନଷ୍ଟ

ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଦୂରକୁ ମିଳିଥିଲା ବଡ଼ ସଫଳତା। ଭାରତର ଆକ୍ରମଣରେ ପାକିସ୍ତାନର ୬ଟି ବାୟୁସେନା ଫାଇଟର ଜେଟ, ୨ଟି ଉଚ୍ଚକ୍ଷମତା ସମ୍ପନ୍ନ ସର୍ଭେଲାନ୍ସ ଏୟାରକ୍ରାଫ୍ଟ ନଷ୍ଟ ହୋଇଥିଲା। ଏହା ସହ ୧୦ଟି ସଶସ୍ତ୍ର ଡ୍ରୋନ, ଗୋଟିଏ ସି-୧୩୦ ହରକ୍ୟୁଲସ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ବି ଧ୍ବଂସ ହୋଇଥିଲା ବୋଲି ସୂଚନା ମିଳିଛି। ଏପ୍ରିଲ ୨୨ ପହଲଗାଓଁ ହମଲା ପରେ ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରରେ ପାକିସ୍ତାନର ବିପୁଳ କ୍ଷତି ଘଟିଥିବା କୁହାଯାଇଛି। ଅପରେସନ ପରେ କରାଯାଇଥିବା ଆକଳନରେ ଏହା ସ୍ପଷ୍ଟ ହୋଇଛି- ଭାରତର ହମଲାରେ ପାକିସ୍ତାନର ବହୁ ଏରିଆଲ ଓ ଗ୍ରାଉଣ୍ଡ ମିଲିଟାରି ଆସେଟ ନଷ୍ଟ ହୋଇଛି। ଏରିଆଲ ଅପରେସନ ବେଳେ ୬ଟି ଲଢୁଆ ଜେଟକୁ ଖସାଇଦିଆଯାଇଥିଲା। ପାକିସ୍ତାନର ପଞ୍ଜାବ ଓ ପାକ୍ ଅଧିକୃତ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଭାରତ ହମଲା କରିଥିଲା। ରାଡାର ଟ୍ରାକିଂ ଓ ଥର୍ମାଲ ସିଗନେଚର ଜରିଆରେ ଜେଟଗୁଡିକୁ ଖସାଇଦିଆଯିବା ନେଇ ନିଶ୍ଚିତ କରାଯାଇଥିଲା। ଭାରତର ଲଙ୍ଗରେଞ୍ଜ ଡିଫେନ୍ସ ସିଷ୍ଟମ ସୁଦର୍ଶନ ଜରିଆରେ ୩୦୦ କିଲୋମିଟର ଦୂରରୁ ବହୁ ପାକ୍ ସିଷ୍ଟମକୁ ନଷ୍ଟ କରାଯାଇଥିଲା।

ପାରିବାରିକ ହିଂସା ନେଇ ପୀଡ଼ିତାଙ୍କୁ ସହାୟତା ଲାଗି ସୁପ୍ରିମକୋର୍ଟଙ୍କ ଗାଇଡଲାଇନ

ନନ୍ଦିଘୋଷ ବ୍ୟୁରୋ : ପାରିବାରିକ ହିଂସା ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପାରିବାରିକ ହିଂସାର ଶିକାର ମହିଳାଙ୍କୁ ସହାୟତା ଲାଗି ଆସନ୍ତା ୬ ସପ୍ତାହ ମଧ୍ୟରେ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଏହା ସହ ପାରିବାରିକ ହିଂସା ଆଇନର କାର୍ଯ୍ୟକାରିତା ଲାଗି କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସମସ୍ତ କ୍ଷେତ୍ରରେ ଆଇନର ସଫଳ କାର୍ଯ୍ୟକାରିତା ଦିଗରେ ଯତ୍ନବାନ ହେବା ଲାଗି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଏହି ଆଇନ ରହିଥିଲେ ବି ଏହି ଆଇନର କାର୍ଯ୍ୟକାରିତା ସଫଳ ଭାବେ ପ୍ରତିଫଳିତ ହୋଇପାରିନାହିଁ ବୋଲି କହିଛନ୍ତି ଅଦାଲତ । ଗତ ମେ ୨୦ ତାରିଖରେ ଜଷ୍ଟିସ ବି. ଭି. ନାଗରତ୍ନା ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦେବା ଉପରେ ଗୁରୁତ୍ବ ଦେଇଥିଲେ। ସୁପ୍ରିମକୋର୍ଟ ଯେଉଁ ୭ଟି ନିର୍ଦ୍ଦେଶ ଦେଇଛନ୍ତି ସେଗୁଡିକ ହେଲା- ସୁରକ୍ଷା ଅଧିକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ନିଯୁକ୍ତି ଦେବା। ଆସନ୍ତା ୬ ସପ୍ତାହ ମଧ୍ୟରେ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦେବା। ପାରିବାରିକ ହିଂସା ପୀଡ଼ିତଙ୍କ ଲାଗି ରହିଥିବା ବ୍ୟବସ୍ଥା ନେଇ ସଚେତନତା କରିବା। ପାରିବାରିକ ହିଂସା ଆଇନର ଧାରା ୧୧ର ସଫଳ କାର୍ଯ୍ୟକାରିତା। ପାରିବାରିକ ହିଂସାପୀଡ଼ିତଙ୍କ ଲାଗି ମାଗଣା ଆଇନ ସୁବିଧା। ରାଜ୍ୟ ଓ ଜିଲ୍ଲାସ୍ତରରେ ସଦସ୍ୟ ସଚିବମାନଙ୍କ ଭୂମିକାର ଗୁରୁତ୍ବ। ପୀଡ଼ିତାଙ୍କ ଲାଗି ଆଶ୍ରୟସ୍ଥଳୀ ବ୍ୟବସ୍ଥାକୁ ସୁଗମ କରିବା।

ଭୁଲ ଇଞ୍ଜେକସନରୁ ମୃତ୍ୟୁ ଘଟଣାର କରିବେ ତଦନ୍ତ, DMET ଗଠନ କଲେ ପାଞ୍ଚ ଜଣିଆ ଟିମ

ନନ୍ଦିଘୋଷ ବ୍ୟୁରୋ : DMET ଗଠନ କଲେ ପାଞ୍ଚ ଜଣିଆ ଟିମ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଭୁଲ ଇଞ୍ଜେକସନରୁ ମୃତ୍ଯୁ ଘଟଣାରେ ଡିଏମଇଟି ଗଠନ କରିଛନ୍ତି ପାଞ୍ଚ ଜଣିଆ ଟିମ । ଏହି ଟିମରେ ଏମକେସିଜି ବ୍ରହ୍ମପୁରରୁ ତିନି ଜଣ ଓ ଏସସିବିରୁ ଦୁଇ ଜଣ ସଦସ୍ଯ ରହିଛନ୍ତି । ଏମାନେ ସହିଦ ଲଷ୍ମଣ ନାୟକ ମେଡିକାଲ କଲେଜ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ । ସେଠାର ଡାକ୍ତର କହୁଛନ୍ତି ଯେ କିଛି ଅଲଗା ଇଞ୍ଜେକସନ ଦିଆଯାଇନି । ଅଲଗା ଔଷଧ ବି ଦିଆଯାଇନି । ICUରେ ତିନି ରୋଗୀ ଓ ବାକି ଅନ୍ଯମାନେ ୱାର୍ଡରେ ଥିଲେ । ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ତଦନ୍ତକାରୀ ଟିମ ସେଠାରେ ପହଞ୍ଚି ନିଷ୍ପତ୍ତି ନେବେ । ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ଟିମକୁ ନିର୍ଦ୍ଦେଶ ଦିଆଯାଇଛି ।

ଆରସିବି ବିଜୟରେ ମାଲ୍ୟା ଦେଲେ ବଧାଇ,ଲୋକ କହିଲେ ‘ଟଙ୍କା ଫେରାଅ’

ନନ୍ଦିଘୋଷ ବ୍ୟୁରୋ : ବିଜୟ ମାଲ୍ୟାଙ୍କୁ ଟ୍ରୋଲ୍ କରିବା ପାଇଁ ସୋସିଆଲ୍ ମିଡିଆରେ ଲୋକେ ସବୁବେଳେ ପ୍ରସ୍ତୁତ । ସେ ଯାହା ବି ପୋଷ୍ଟ କରନ୍ତୁ ନା କାହିଁକି ତାଙ୍କୁ ସବୁବେଳେ ଟ୍ରୋଲ୍ କରିବାକୁ ଭୁଲନ୍ତି ନାହିଁ ସୋସିଆଲ୍ ମିଡିଆ ୟୁର୍ଜସ । ଗତକାଲି ଆଇପିଏଲ ଫାଇନାଲରେ ରୟାଲ୍ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋରର ବିପୁଳ ବିଜୟ ପରେ ବାଙ୍ଗାଲୋରର ପୂର୍ବତନ ମାଲିକ ଭାବରେ ବିଜୟ ମାଲ୍ୟା ଏକ ପୋଷ୍ଟ କରି ଧନ୍ୟବାଦ ଜଣାଇଥିଲେ । ଏହା ପରେ ତାଙ୍କ ପୋଷ୍ଟରେ ଏମିତି ସବୁ ମନ୍ତବ୍ୟ ଆସିଥିଲା ଯାହା ଏବେ ପୁରା ଭାଇରାଲ୍ ହେବାରେ ଲାଗିଛି ।

ବିଜୟ ମାଲ୍ୟା ନିଜ X ଆକାଉଣ୍ଟରେ ପୋଷ୍ଟ କରି ସମଗ୍ର ଦଳକୁ ଧନ୍ୟବାଦ ଜଣାଇବା ସହ ଦଳର ଟ୍ୟାଗ ଲାଇନ୍ ‘ଇ ସାଲା କପ୍ ନାମଦେ’ ! ଲେଖିଛନ୍ତି  । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ରୟାଲ୍ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋର୍ ଶେଷରେ ୧୮ବର୍ଷ ପରେ IPL ଚାମ୍ପିଅନ୍ ହୋଇଛି  । ୨୦୨୫ର ଏହି ସିଜିନ୍ RCB ପାଇଁ ବହୁତ ସ୍ମରଣୀୟ ଥିଲା  । ଉତ୍କୃଷ୍ଟ ପ୍ରଶିକ୍ଷକ ଏବଂ ଦୃଢ ସପୋର୍ଟିଂ ଷ୍ଟାଫ୍ ସହିତ ଦଳ ବହୁତ ଭଲ ପ୍ରଦର୍ଶନ କଲା  । ଦଳକୁ ଅନେକ ଅଭିନନ୍ଦନ  ।

ମାଲ୍ୟାଙ୍କର ଏଭଳି ପୋଷ୍ଟ ପରେ ସୋସିଆଲ୍ ମିଡିଆରେ ତାଙ୍କ ପୋଷ୍ଟ ଉପରେ କମେଣ୍ଟର ବନ୍ୟା ଆସିଗଲା । ଜଣେ ସୋସିଆଲ୍ ମିଡିଆ ୟୁର୍ଜସ ଲେଖିଛନ୍ତି ଯେ, ଭାଇ ବିଜୟ ଶ୍ରେୟ ନିଅ ନାହିଁ , ଭଲ ମୌକା ଅଛି… ପଇସା ଫେରାଇଦିଅ ।

 

ସେହିଭଳି ଆଉ ଜଣେ ଲେଖିଛନ୍ତି, ବିରାଟ ନିଜର ସ୍ବପ୍ନ ପୂରଣ କରିଦେଲେ । ଏବେ ତୁମର ପାଳି ।  SBIର କରଜ ଭରିଦିଅ ଏବଂ ତାର ସ୍ବପ୍ନ ବି ପୂରଣ କରିଦିଅ  ।

ଆଉ ଜଣେ ଲେଖିଛନ୍ତି, ଫେରି ଆସନ୍ତୁ ଏବଂ ପ୍ରଶଂସକମାନଙ୍କ ସହିତ ଉତ୍ସବ ପାଳନ କରନ୍ତୁ ମାଲ୍ୟା ସାହେବ। ଆମେ ସମସ୍ତେ ତୁମକୁ କାନ୍ଧରେ ଉଠାଇ SBI ବାହାରେ ଏକାଠି ନାଚିବୁ।

ବିଜୟ ମାଲ୍ୟା ୨୦୧୬ରେ ଦେଶ ଛାଡି ଚାଲିଯାଇଛନ୍ତି  । ଭାରତରେ ତାଙ୍କ ବିରୋଧରେ ୯ହଜାର କୋଟି ଟଙ୍କାର ଋଣ ପରିଶୋଧ ନେଇ ଅନେକ ମାମଲା ରୁଜୁ ହୋଇଛି  । ୫ ଜାନୁଆରୀ ୨୦୧୯ରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ‘ପଳାତକ ଅର୍ଥନୈତିକ ଅପରାଧୀ’ ଘୋଷଣା କରିଥିଲେ। ଏହା ବ୍ୟତୀତ ୧୧ ଜୁଲାଇ ୨୦୨୨ରେ ସୁପ୍ରିମକୋର୍ଟ ତାଙ୍କୁ ଅଦାଲତ ଅବମାନନା ମାମଲାରେ ଚାରି ମାସ ଜେଲଦଣ୍ଡ ମଧ୍ୟ ଦେଇଥିଲେ।

ପୁଣି ଧରାପଡିଲେ ପାକିସ୍ତାନ ସ୍ପାଏ , ଗୁପ୍ତଚର ବୃତ୍ତି ଅଭିଯୋଗରେ ଯଶବୀର ସିଂଙ୍କୁ ଗିରଫ କଲା ପଞ୍ଜାବ ପୋଲିସ

ନନ୍ଦିଘୋଷ ବ୍ୟୁରୋ : ପୁଣି ଧରାପଡିଲେ ଆଉଜଣେ ପାକିସ୍ତାନ ସ୍ପାଏ। ପାକିସ୍ତାନ ଲାଗି ଗୁପ୍ତଚର ବୃତ୍ତି ଅଭିଯୋଗରେ ପଞ୍ଜାବ ପୋଲିସ ଯଶବୀର ସିଂ ନାମକ ଜଣେ ୟୁଟ୍ୟୁବରଙ୍କୁ ଗିରଫ କରିଛି। ଜନ ମହଲ ଚାନେଲର ପରିଚାଳନା କରୁଥିବା ଯଶବୀରଙ୍କ ମୋଟ ସବସ୍କ୍ରାଇବରଙ୍କ ସଂଖ୍ୟା ୧୧ ଲକ୍ଷ। ପଞ୍ଜାବର ରୂପନଗର ଜିଲ୍ଲା ଅନ୍ତର୍ଗତ ମହ୍ଲାଣ ଗ୍ରାମର ବାସିନ୍ଦା ଯଶବୀରଙ୍କୁ ହେପାଜତକୁ ନେଇଛି ରାଜ୍ୟ ସ୍ବତନ୍ତ୍ର ଅପରେସନ୍ସ ସେଲ ବା SSOC। ପୂର୍ବରୁ ପାକିସ୍ତାନ ଲାଗି ଗୁପ୍ତଚରୀ ବୃତ୍ତି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ହରିଆଣାର ଜ୍ୟୋତି ମାଲହୋତ୍ରା। ପୋଲିସ ସୂତ୍ରରୁ କୁହାଯାଇଛି ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ସାକିର ଓରଫ ଜଟ୍ଟ ରନ୍ଧୱାଙ୍କ ସହ ଯୋଗସୂତ୍ରରେ ଥିଲେ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସାକିରର ସମ୍ପର୍କ ଥିବା କୁହାଯାଇଛି। ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ପୂର୍ବତନ କର୍ମଚାରୀ ଏହସାନ-ଉର-ରହିମ ଓରଫ ଦାନିସ ସହ ଯଶବୀରଙ୍କ ସମ୍ପର୍କ ଥିଲା। ଗୁପ୍ତଚରୀ ବୃତ୍ତି ଅଭିଯୋଗରେ ଦାନିସଙ୍କୁ ବହିଷ୍କାର କରିଥିଲେ ଭାରତ ସରକାର ।

ସରଣ୍ଡା ଜଙ୍ଗଲରୁ ଆଉ ଏକ ଟନ ବିସ୍ଫୋରକ ସାମଗ୍ରୀ ଜବତ,ଓଡ଼ିଶା ଓ ଝାଡ଼ଖଣ୍ଡ ପୋଲିସ ପକ୍ଷରୁ କମ୍ବିଂ ଜୋରଦାର

ନନ୍ଦିଘୋଷ ବ୍ୟୁରୋ : ବିସ୍ଫୋରକ ଲୁଟ୍ ଘଟଣାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା। ଓଡ଼ିଶା ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ମିଳିତ ଅପରେସନ ବେଳେ ଜବତ ହୋଇଛି ଆଉ ଗୋଟିଏ ଟନ ବିସ୍ଫୋରକ ସାମଗ୍ରୀ। ୨ ତାରିଖରେ ଅଢ଼େଇ ଟନ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ଓଡ଼ିଶା ଓ ଝାଡ଼ଖଣ୍ଡ ପୋଲିସର ମିଳିତ ଟିମ ଦୁଇ ଦିନରେ ସାଢେ ତିନି ଟନ ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛନ୍ତି। ସରଣ୍ଡା ଜଙ୍ଗଲରେ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଓଡ଼ିଶା ପୋଲିସ, SOG, COBRA, CRPF ଓ ଝାଡ଼ଖଣ୍ଡ ଜାଗୁଆର ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୁନ୍ଦରଗଡ଼ କେ. ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ୫ ହଜାର କେଜି ଓଜନର ବିସ୍ଫୋରକ ଲୁଟ ଘଟଣା ପରେ ସରଣ୍ଡା ଜଙ୍ଗଲରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ସେହିପରି ସୁନ୍ଦରଗଡ଼, କେନ୍ଦୁଝର ଓ ରାଉରକେଲା ପୋଲିସ ଜିଲ୍ଲାର ବିସ୍ଫୋରକ ଥିବା ୬୧ଟି ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ଜାରି ରହିଛି। ଅନ୍ୟପଟେ ଗିରଫ ପରେ ଜେଲକୁ ଗଲେ ବାରୁଦ ଗୋଦାମ ମାଲିକ ଶ୍ରବଣ ଅଗ୍ରଓ୍ବାଲ।

ସମ୍ବଲପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ,ଗିରଫ ହେଲେ କନେଷ୍ଟବଳ

ନନ୍ଦିଘୋଷ ବ୍ୟୁରୋ : ପୁଣି ଖାକିରେ ଦାଗ। ସମ୍ବଲପୁରରେ ଜଣେ ପୋଲିସ କର୍ମଚାରୀ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି । ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନେଷ୍ଟବଳଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ। ବରେଇପାଲି ଥାନାରେ କାର୍ଯ୍ୟରତ କନେଷ୍ଟବଳ ବିରଞ୍ଚି ମୁଣ୍ଡାଙ୍କୁ ଗିରଫ କରାଯାଇଛି । ସମ୍ପର୍କୀୟ ଭାଣିଜୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ କନଷ୍ଟେବଳଙ୍କୁ ଗିରଫ କରାଯାଇଥିବା ନେଇ ସମ୍ବଲପୁର ପୋଲିସ ସୂଚନା ଦେଇଛି। ବିରଞ୍ଚି ମୁଣ୍ଡାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି। ସେପଟେ ଦୁଷ୍କର୍ମ ଉଦ୍ୟମ କରିଥିବା ପୋଲିସ୍ କର୍ମଚାରୀଙ୍କ ଡାକ୍ତରୀ ପରୀକ୍ଷା ପରେ ସମ୍ବଲପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।

୬ ରୋଗୀଙ୍କ ଜୀବନ ନେଲା ଭୁଲ୍ ଇଞ୍ଜେକ୍ସନ, ମେଡିକାଲରେ ଉତ୍ତେଜନା

କୋରାପୁଟ :  ଭୁଲ ଇଞ୍ଜେକ୍ସନ ଯୋଗୁଁ ୬ ଜଣ ରୋଗୀଙ୍କର ମୃତ୍ୟୁ। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଆଇସିୟୁ ସର୍ଜରୀରେ ୪ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୱାର୍ଡରେ ଥିବା ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଛି। ଗତକାଲି ୫ ଜଣଙ୍କର ଜୀବନ ଯାଇଥିବା ବେଳେ, ଆଜି ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଆଇସିୟୁ ସର୍ଜରୀରେ ଥିବା ୪ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ସୂଚନା ଅନୁସାରେ କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ। ଗତକାଲି ୫ ଜଣଙ୍କ ଓ ଆଜି ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି।
ଆଇସିୟୁ ସର୍ଜରୀରେ ମୃତ୍ୟୁବରଣ କରିଥିବା ରୋଗୀ ହେଲେ ଭଗବାନ ପରଜା, ଶୁକ୍ରା ମାଝି, ରୁକୁଣି ପେଣ୍ଟିଆ ଓ ଜଗନ୍ନାଥ ପୂଜାରୀ। ସେହିପରି ୱାର୍ଡରେ ମୃତ୍ୟୁବରଣ କରିଥିବା ରୋଗୀ ହେଲେ ବତି ଖରା ଓ ଫୁଲମତି ମାଝି। ଓ୍ବାର୍ଡରେ ୨ ମହିଳାଙ୍କର କେଉଁ କାରଣରୁ ମୃତ୍ୟୁ ହେଲା ତାହା ଜଣାପଡିନାହିଁ। ଏହି ଘଟଣାକୁ ନେଇ ହସପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ପରେ ଆଇସିୟୁରେ ରୋଗୀଙ୍କର କିପରି ହେଲା ମୃତ୍ୟୁ, ସେନେଇ ଲୋକେ ପ୍ରଶ୍ନ କରିବା ସହ ଧାରଣାରେ ବସିଛନ୍ତି। ରୋଗୀ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ଆଇସିୟୁରେ ଅପରେସନ ପରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିଲା। ରୋଗୀଙ୍କ ମୃତ୍ୟୁ ନେଇ ପରିବାର ପ୍ରଶ୍ନ ଉଠାଉ ଥିବାରୁ ଶବ ଜବତ୍ କରିଛି ଟାଉନ୍ ପୋଲିସ। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ଘଟଣାର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି ବୋଲି କହିଛନ୍ତି ମେଡିକାଲ ଅଧିକ୍ଷକ । ଅନ୍ୟ ପକ୍ଷରେ ମେଡିକାଲ କଲେଜରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ, ତାହାକୁ ନଜରରେ ରଖି ପୋଲିସ ମୁତୟନ ହୋଇଛନ୍ତି ।

ସୁରୁଖୁରୁରେ ସରିବ ମହାପ୍ରଭୁଙ୍କ ରଥଯାତ୍ରା,ସମସ୍ତ ସେବାୟତଙ୍କୁ ନେଇ ଚାଲିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ : କିପରି ସୁରୁଖୁରୁରେ ସରିବ ମହାପ୍ରଭୁଙ୍କ ରଥଯାତ୍ରା । ଶୃଙ୍ଖଳିତ ନୀତିକାନ୍ତି ସହ ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ପ୍ରସ୍ତାବ । ଗତକାଲି ପୁରୀ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ସମସ୍ତ ସେବାୟତଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଥିଲା । ଆସନ୍ତା ୧୧ ତାରିଖ ଦେବସ୍ନାନ ପୁର୍ଣିମା । ରତ୍ନ ବେଦୀ ଛାଡି ପହଣ୍ଡି ହୋଇ ସ୍ନାନ ବେଦୀକୁ ବିଜେ କରିବେ ଦାରୁଦିଅଁ । ସ୍ନାନ ନୀତି ପରେ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଏଥିପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ବରିଷ୍ଠ ଦଇତାପତି ସେବାୟତଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶରେ ହେବ ସମସ୍ତ ନୀତିକାନ୍ତି । ଗତବର୍ଷ ଆଡପ ମଣ୍ଡପ ପହଣ୍ଡି ତ୍ରୁଟି ଯେପରି ପୁନରବୃତ୍ତି ନହୁଏ ସେଥିପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ପାଉଣାକୁ ନେଇ ଅସନ୍ତୋଷ ବ୍ଯକ୍ତ କରିଥିବାବେଳେ ନିର୍ଦ୍ଧାରିତ ନୀତି ଅନୁଯାୟୀ ସମସ୍ତ କାମ ସୂଚାର ରୂପେ ସାରିବାକୁ ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି ସେବାୟତ ।