ଭୁବନେଶ୍ବର : ବିଜେପି ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଟିଆ ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ସେ କହିଛନ୍ତି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛି ବିଜେପି ସରକାର । କୋଟିଆ ପ୍ରସଙ୍ଗରେ ଲୋକଙ୍କୁ ଠକିବା ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ସୀମା ବିବାଦ ଉପରେ ପଦୁଟିଏ କହୁନାହାନ୍ତି। ଏବେ ଟ୍ରିପଲ ଇଞ୍ଜିନ ସରକାର ଅଛି। ତଥାପି ସମାଧାନ ହେଉନାହିଁ । ପୂର୍ବ ବିଜେଡି ସରକାର ସମୟରେ କୋଟିଆ ପଞ୍ଚାୟତକୁ ୧୬୪ କୋଟି ଟଙ୍କାର ଭେଟି ଦିଆଯାଇଥିଲା । ସବୁଠି ରାସ୍ତା, ପାଣି ଓ ବିଦ୍ୟୁତ ବ୍ୟବସ୍ଥା କରାଯାଇଥିଲା । କୋଟିଆବାସୀଙ୍କୁ ବିଏସକେୱାଇ କାର୍ଡ ଦିଆଯାଇଥିଲା । କୋଟିଆରେ ଲୋକଙ୍କୁ ନିଯୁକ୍ତି ଦେବା ସହ ନବୀନଙ୍କ ସମୟରେ ନକ୍ସଲମାନଙ୍କୁ ଦମନ କରିବା ଓ ପର୍ଯ୍ୟଟନର ବିକାଶ କରାଯାଇଥିଲା । ଏବେ ରାଜସ୍ୱ ମନ୍ତ୍ରୀ କହୁଛନ୍ତି, ସେଠି ଚାଷୀମାନଙ୍କୁ ମାର୍କେଟ ଆକ୍ସେସ ଦେବେ। ପ୍ରଥମେ ସୀମା ବିବାଦର ସମାଧାନ କରନ୍ତୁ। ପାର୍ଲାମେଣ୍ଟରେ ଏ ପ୍ରସଙ୍ଗ ଉଠାନ୍ତୁ। କୋଟିଆର ଚାଷୀଙ୍କୁ ଉପେକ୍ଷା କରାଯାଉଛି । କୋଟିଆ ଲାଗି ରାଜ୍ୟ ସରକାରଙ୍କ ଦୃଷ୍ଟିଭଙ୍ଗୀ କ’ଣ? ବୋଲି ପ୍ରଶ୍ନ କରିଛି ବିଜେଡି ।
ଖରା ବର୍ଷାକୁ ନାହିଁ ଖାତିର, ଶ୍ରୀ ଜଗନ୍ନାଥଙ୍କ ସେବାରେ ମହାରଣା ଓ ଭୋଇ ସେବାୟତ
ପୁରୀ : ଖରା ବର୍ଷାକୁ ନାହିଁ ଖାତିର । ସବୁ ଭୁଲି ଶ୍ରୀ ଜଗନ୍ନାଥଙ୍କ ସେବାରେ ମହାରଣା ଓ ଭୋଇ ସେବାୟତ । ଠକ ଠକ ଶବ୍ଦ ଚଳ ଚଞ୍ଚଳ ହୋଇ ଉଠୁଛି ରଥ ଖଳା । ସରିଛି ତିନି ରଥର ସମସ୍ତ ୪୨ ଗୋଟି ଚକ ସହ ଅଖ ଯୋଖା। ଏବେ ଚକ ମାନଙ୍କରେ ମେଣ୍ଡି ଲଗାଯାଇଛି । ଏହା ପରେ ତିନି ରଥ ରେ ପାଞ୍ଚ ଦଣ୍ଡା ପକାଯାଇଥିଲା । ଭୋଇ ସେବକ ମାନେ ଏହି ପାଞ୍ଚ ଦଣ୍ଡା ପକାଇଥିଲେ । ଦଣ୍ଡା ପଡିବା ପରେ ରଥରେ ପାର୍ଶ୍ୱ ମୁହାଁଣ୍ଟ ମଧ୍ୟ ଲଗାଯାଇଛି। ଶୃଙ୍ଖଳିତ ଭାବେ ରଥ ନିର୍ମାଣ ଜାରି ରହିଥିବା ମହାରଣା ଓ ଭୋଇ ସେବକ ମାନେ ମତ ପ୍ରକାଶ କରିଛନ୍ତି।
ଆସନ୍ତା ୧୧ ତାରିଖରେ ଦେବ ସ୍ନାନ ପୁର୍ଣିମା । ବିଧି ଅନୁସାରେ ସ୍ନାନ ପୁର୍ଣିମା ସୁଦ୍ଧା ତିନି ରଥରେ ଚାରି ନାହାକା ଉଠାଯିବ। ରଥଖଳାରେ ଚାରି ନାହାକା ନିର୍ମାଣ ହୋଇସାରିଛି । ଦଣ୍ଡା କଣ୍ଟା ବାଡ଼ିଆ ଯିବା ପରେ ଗରଗରା ପକାଯାଇ ଗରଗରା କଣ୍ଟା ମଧ୍ୟ ବାଡ଼ିଆ ଯିବ। ଏହା ପରେ ଗୟଳ ମୋଡ଼ ଦିଆଯିବା ସହ ଚାରି ନାହାକା ଉଠାଯିବ ବୋଲି ମହାରଣା ମତ ରଖିଛନ୍ତି। ରଥ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଶ୍ରୀକ୍ଷେତ୍ର ଆଗାମୀ ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ଚଳ ଚଞ୍ଚଳ ହୋଇ ପଡ଼ିଛି।
ଚିନ୍ତା ଦେଇଗଲା ଲଘୁଚାପ ବର୍ଷା, ସମ୍ବଲପୁର ଜିଲ୍ଲାରେ ବ୍ୟାପକ ଫସଲ କ୍ଷୟକ୍ଷତି ଅଭିଯୋଗ
ସମ୍ବଲପୁର : ଚିନ୍ତା ଦେଇଗଲା ଲଘୁଚାପ ବର୍ଷା । ସମ୍ବଲପୁର ଜିଲ୍ଲାରେ ବ୍ୟାପକ ଫସଲ କ୍ଷୟକ୍ଷତି ଅଭିଯୋଗ । ଜିଲ୍ଲାର ସମସ୍ତ ୯ ଟି ଯାକ ବ୍ଲକର ଚାଷୀଙ୍କ ନିଦ ହଜିଯାଇଛି । ଭଲଭାବେ ଦେଖନ୍ତୁ କିଭଳି ସୁନାର ଫସଲ ମାଟିରେ ଲୋଟିଛି । ପାଣିରେ ଭିଜି ଧାନ ଗଜା ହୋଇଗଲାଣି । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ବର୍ଷକର ଗୁଜୁରାଣ କିଭଳି ମେଣ୍ଟାଇବ ଚିନ୍ତାରେ ରହିଛି । ସରକାର ଅତିଶୀଘ୍ର ସହାୟତା ଯୋଗାଇବାକୁ ନିବେଦନ କରିଛନ୍ତି ଚାଷୀ ।
ଖୁବ୍ ଶୀଘ୍ର କୃଷି ଅଧିକାରୀ ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିବେ ବୋଲି କହିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କିନ୍ତୁ ଏହାରି ଭିତରେ ୫ ଦିନ ବିତିଗଲାଣି । ହେଲେ କାହାରି ଦେଖାନଥିବା ଚାଷୀ ଅଭିଯୋଗ କରିଛି l ବିଜେପି ସରକାର କେବଳ କଥା କହି ଲୋକଙ୍କୁ ଭୁଆଁ ବୁଲାଉଥିବା ଚାଷୀ ଅଭିଯୋଗ କରିଛନ୍ତି l ସବୁଠାରୁ ବଡ଼କଥା ହେଲା ଗଜା ହୋଇଥିବା ଧାନ ଧରି ମିଲ ଆଗରେ ଦିନ ଦିନ ଅପକ୍ଷେ କରିରହିଛନ୍ତି ଚାଷୀ । ହେଲେ ଭିଜା ଧାନ ନେବାକୁ ମିଲ ମାଲିକ ମନା କରିଥିବା ଅଭିଯୋଗ ହୋଇଛି ।
RG ଗ୍ରୁପର ରାଜ ଖତମ, ପୋଲିସ କବଜାରେ ଗ୍ୟାଙ୍ଗ ମୁଖ୍ୟ ରାକେଶ
ବାଲେଶ୍ବର : RG ଗ୍ରୁପର ରାଜ ଖତମ । ପୋଲିସ କବଜାରେ ଗ୍ୟାଙ୍ଗ ମୁଖ୍ୟ ରାକେଶ । ବାଲେଶ୍ବରରେ ୬ ମାସ ଧରି ଗ୍ୟାଙ୍ଗ ଚଳାଇଥିଲା ଆତଙ୍କରାଜ । ଅପରାଧୀଙ୍କ ନାଁ ଶୁଣିଲେ ଭୟରେ ଥରିଉଠୁଥିଲେ ଲୋକେ । ସଦର ବ୍ଲକ , ବସ୍ତା , ରେମୁଣାରେ ବିଶେଷ କରି ଆକ୍ଟିଭ ଥିଲା RG ଗ୍ରୁପ । ମୁଖ୍ୟ ଟାର୍ଗେଟରେ ଥିଲା ୧୬ ଓ ୬୦ ନମ୍ବର ଜାତୀୟ ରାଜପଥ। ଏକ ବଡ଼ ଡକାୟତ ଯୋଜନା କରୁଥିବା ବେଳେ ମାଡ଼ି ବସିଲା ପୋଲିସ। ବାଲେଶ୍ଵରରେ ସକ୍ରିୟ ମାଫିଆ ଗ୍ୟାଙ୍ଗର ମୁଖ୍ୟ ରାକେଶ ସହ ୪ ଜଣ ସଦସ୍ୟଙ୍କୁ ଗଙ୍ଗା ରାମ ପଡିଆ ଅଞ୍ଚଳରୁ ଗିରଫ କରାଯାଇଛି । ଗ୍ୟାଙ୍ଗ ଚାନ୍ଦିପୁର, ଫୁଲାଡ଼ି, ବସ୍ତା , ସଦର ଓ ଜାତୀୟ ରାଜପଥ ସକ୍ରିୟ ଥିଲେ ।
ମାଫିଆ ଗିରି , ଡକାୟତି , ସମ୍ପତ୍ତି ଲୁଟ ,ବଟି ଆଦାୟ ମାମଲାରେ ଏହି ଗ୍ରୁପ ସଂପୃକ୍ତ ରହିଥିଲେ । ଏହି ଗ୍ୟାଙ୍ଗ ନାଁରେ ୨୦ରୁ ଅଧିକ ମାମଲା ରହିଛି । ଅଭିଯୁକ୍ତଙ୍କ ନିକଟରୁ ୬ ଟି ପିସ୍ତଲ , ୬ ଟି ଜୀବନ୍ତ ଗୁଳି , ଗୋଟିଏ ଖୋକା , ୩ ଟି କେଟ୍ରେଜ୍ , ଗୋଟିଏ ଖଣ୍ଡା, ୫ ଟି ମୋବାଇଲ ଓ ୬୦ ହଜାର ଟଙ୍କା ଓ ମୋଟର ସାଇକେଲ ଜବତ ହୋଇଛି ।
RG ଗ୍ରୁପ ରାକେଶ ଓ ସହଯୋଗୀ ପୂର୍ବରୁ ବାଲେଶ୍ୱରରେ ସକ୍ରିୟ ଥିବା ପାପା ପଣ୍ଡା ଗ୍ୟାଙ୍ଗର ସଦସ୍ୟ ଥିଲେ । ପରବର୍ତ୍ତୀ ସମୟରେ ପାପା ପଣ୍ଡା ଗ୍ରୁପ ରୁ ଏମାନେ ଓହରି ଯାଇଥିଲେ । ଗତ ୬ ମାସ ତଳେ ଜେଲରୁ ବାହାରିବା ପରେ କିଛି ସହଯୋଗୀଙ୍କୁ ଧରି ରାକେଶ କରିଥିଲା RG ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ଗଠନ ପରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଆତଙ୍କ ଖେଳାଇ ଚାଲିଥିଲେ । ସେପଟେ ଏମାନଙ୍କ ନିକଟରେ ଏତେ ପରିମାଣରେ ବନ୍ଧୁକ ଓ ଗୁଳି କେଉଁଠୁ ଆସିଲା ତାର ତଦନ୍ତ ଆରମ୍ଭ କରାଯାଇଥିବା ବଳେ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।
ବିରୋଧୀ ଦଳରେ ଥିବା ବେଳେ ବିଜେପି ଦେଇଥିଲା ପ୍ରତିଶ୍ରୁତି, ସରକାରକୁ ଆସିବା ପରେ ପ୍ରତାରଣା ଅଭିଯୋଗ
ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ଗୋଟେ କଥା, ସରକାରକୁ ଆସିବା ପରେ ଆଉ ଗୋଟିଏ କଥା । ଏବେ ବିଜେପି ସରକାରଙ୍କ କାନରେ ପଡୁନି ଶିକ୍ଷକଙ୍କ ଆକୁଳ ଚିତ୍କାର । ସେତେବେଳେ ବିଜେପି ବିରୋଧୀ ଦଳରେ ଥିଲା, ଏବେ ରାଜ୍ଯରେ ଡବଲ ଇଞ୍ଜିନ ସରକାର । ସମସ୍ତ ପ୍ରତିଶୃତି ପୂରଣ କରିବା ପାଇଁ ସକ୍ଷମ ଥାଇ ମଧ୍ୟ ଶିକ୍ଷକଙ୍କ ଦାବି ପୂରଣ ହେଉନାହିଁ । ଫଳରେ ଏବେ ଗାନ୍ଧୀ ମାର୍ଗରେ କନିଷ୍ଠ ଶିକ୍ଷକଙ୍କ ଗର୍ଜନ କରିଛନ୍ତି । ଡବଲ ଇଞ୍ଜିନ ସରକାରଙ୍କ ଉପରେ ବର୍ଷିଛନ୍ତି । ଗୋଟିଏ ପଟେ ନିଯୁକ୍ତି ପତ୍ର ବଣ୍ଟନ, ଆଉ ଗୋଟିଏ ପଟେ ଶିକ୍ଷକଙ୍କୁ ହତାସ କରାଯାଉଥିବା ଅଭିଯୋଗ ହୋଇଛି । ଖରା ଓ ଗୁଳିଗୁଳିଙ୍କୁ ଖାତିର ନ କରି ପ୍ରତିବାଦ କରିଛନ୍ତି ଶିକ୍ଷକ । କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ଚାକିରି ଓ NEP ଆଧାରରେ ବାଲବାଟିକାରେ କନିଷ୍ଠ ଶିକ୍ଷକ ଓ ଶିକ୍ଷଯତ୍ରୀ ମାନଙ୍କୁ ବୋଝ ନ ଦେଇ ନୂଆ ନିଯୁକ୍ତି ଦେବାକୁ ଦାବି ହୋଇଛି।
ଉତ୍ତରପ୍ରଦେଶ ଭଳି କେତେକ ରାଜ୍ୟରେ କେନ୍ଦ୍ରୀୟ ହାରରେ ଦରମା ଦିଆଯାଉଥିବା ବେଳେ ଓଡ଼ିଶାରେ ଏବେ ମଧ୍ୟ ଯୋଜନଭିତ୍ତୀକ ପ୍ରଥାର ପ୍ରଚଳନ ଚାଲିଛି। ହିମାଚଳରେ ପ୍ରାଥମିକ ଶିକ୍ଷକମାନଙ୍କର ଦରମା ସବୁଠାରୁ ଅଧିକ ୫୯,୭୭୦ ଟଙ୍କା ରହିଥିବା ବେଳେ ଓଡିଶାରେ ସର୍ବନିମ୍ନ ୧୬୦୦୦ ଟଙ୍କା । ତାଲିମ୍ ସମୟରେ ପ୍ରତିବର୍ଷ ଗୋଟିଏ ଲେଖାଏଁ ବୋର୍ଡ ପରୀକ୍ଷା ଦେବା ପରେ ପୁନଶ୍ଚ ଦୁଇ ଦୁଇଟି ପ୍ରବେଶିକା ଜରିଆରେ ବର୍ତ୍ତମାନ ନିଯୁକ୍ତି ଦିଆଯାଉଛି।ସେପଟେ ସମୟ ଅନୁସାରେ ସମସ୍ୟାର ସମାଧାନ ହେବ । ବ୍ୟତିବ୍ୟସ୍ତ ହୋଇ ସ୍କୁଲ ବନ୍ଦ କରି ରାଜରାସ୍ତାରେ ନ ବସିବା ପାଇଁ କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ । ବୋଝ ଉପରେ ଲଳିତା ବିଡା ପରି ପୁଣି ଶିଶୁବାଟିକା ପରି ଏକ ଶ୍ରେଣୀକୁ ଆଣି ଯୋଡି ଦେଇ ତାର ସମସ୍ତ ଭାର ପ୍ରାଥମିକ ଶିକ୍ଷକଙ୍କ ଉପରେ ଲଦି ଦେଇଛନ୍ତି। ହେଲେ ଏହି ଶ୍ରେଣୀରେ ଶିକ୍ଷାଦାନ ପାଇଁ ରାଜ୍ୟ ସରକାରଙ୍କ ଶିକ୍ଷକ ଆବଶ୍ୟକ ବୋଲି ଅନୁଭୂତ ହେଲା ନାହିଁ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ଶିକ୍ଷକ ।
ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା, ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ବ୍ରହ୍ମପୁର : ଗୌରବ ହରାଇଲାଣି ଗଞ୍ଜାମ । ଦିନକୁ ଦିନ ବିଗିଡିବାରେ ଲାଗିଛି ଆଇନ ଶୃଙ୍ଖଳା । ଦୁଇ ଦୁଇଟି ହତ୍ୟାକାଣ୍ଡକୁ ୨୪ ଘଣ୍ଟା ନପୁରୁଣୁ ଏବେ ଆସିଛି ଦୁଷ୍କର୍ମ ଅଭିଯୋଗ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧ ଭିଆଉଛନ୍ତି ଅପରାଧୀ । ବ୍ରହ୍ମପୁର ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଦୁଇଜଣ ନାବାଳିକା ଏକ ଶୁଭକାର୍ଯ୍ୟରେ ଯାଇଥିବା ବେଳେ ୪ ଜଣ ଯୁବକ ସେମାନଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ଜାଣିବା ପରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭାବନୀୟ ଘଟଣା ଘଟାଇ ସ୍ଥାନୀୟ ଅଞ୍ଚଳରୁ ଫେରାର ହୋଇଯାଇଛନ୍ତି ୪ ଯୁବକ । ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ସେପଟେ ଦୁଇ ନାବାଳିକାଙ୍କ ଏମକେସିଜି ମେଡିକାଲରେ ଡାକ୍ତରୀ ମଇନା କରାଯାଇଥିବା ବେଳେ ଷ୍ଟେଟମେଣ୍ଟ ନିଆଯାଇଛି l
ଅଭିଯୁକ୍ତ ମାନେ ସ୍ଥାନୀୟ ଅଂଚଳର ବୋଲି ପୋଲିସ ସୂଚନା ଦେଇଛି ।ସେମାନଙ୍କ ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି l ଅଭିଯୁକ୍ତ ମାନେ ଦୁଇଟି ବାଇକରେ ଦୁଇ ନାବାଳିକାଙ୍କୁ ନେଇ ଗଣ ଦୁଷ୍କର୍ମ କରିଥିବା ଜଣାପଡିଛି । ଅତିଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ । ପୂର୍ବ ସରକାର ସମୟରେ ଶାନ୍ତ ଥିବା ଗଞ୍ଜାମ ଜିଲ୍ଲା ପୁଣି ଅଶାନ୍ତ ହେଉଛି । ପୋଲିସର ଢିଲା ପଣିଆ ଯୋଗୁ ଏଭଳି ଅପରାଧ ନିୟନ୍ତ୍ରଣ ବାହାକୁ ଚାଲିଯାଇଥିବା ଅଭିଯୋଗ ହୋଇଛି ।
ଅସରାଏ ବର୍ଷାରେ ଧସିଗଲା ରାସ୍ତା
ଡୁଙ୍ଗୁରିପାଲି : ନିର୍ମାଣକୁ ମାସେ ବି ଗଲାନି। ଅସରାଏ ବର୍ଷାରେ ଧସିଗଲା ରାସ୍ତା । ପୂର୍ତ୍ତ ବିଭାଗ ରାସ୍ତା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ଆଗଲପୁର ବ୍ଲକ ହରଭଙ୍ଗା ଓ ଡୁଙ୍ଗୁରିପାଲି ମଧ୍ୟରେ କୋଠିଜୋର ଉପରେ ସେତୁ ନିର୍ମାଣ କରାଯାଇଥିଲା l ସେତୁର ଉଭୟ ପାର୍ଶ୍ଵରେ ଆପ୍ରୋଚ ରୋଡ୍ ନିର୍ମାଣ ହୋଇଥିଲା । ଅସରାଏ ବର୍ଷାରେ ମାଟି ଧସିଯାଇ ପିଚୁ ରାସ୍ତାର ଦୂରାବସ୍ଥା ହୋଇଛି। ପିଚୁ ଫାଟି ଆଁ ମେଲା କରିଛି । ରାସ୍ତା ଧୋଇହୋଇ ୧୫ରୁ ୨୦ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । ରାସ୍ତା କଡ଼ରେ ଥିବା ଗାର୍ଡ଼ ଖମ୍ଭ ମଧ୍ୟ ଉପୁଡ଼ି ଗଲାଣି । ଆପ୍ରୋଚ ରାସ୍ତା ତିଆରି ହେଲା। କିନ୍ତୁ ଗାର୍ଡ଼ୱାଲ ନିର୍ମାଣ କରାଗଲାନି। ମୋରମ ସ୍ଥାନରେ ମାଟି ପକାଇ ସଂଯୋଗ ରାସ୍ତା ନିର୍ମାଣ ସହିତ କାମ ନିମ୍ନମାନର ହୋଇଥିବାରୁ ଏପରି ସ୍ଥିତି ସଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ନିମ୍ନମାନର ରାସ୍ତା କାମ ପାଇଁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ଆଗକୁ ବଡ଼ ବର୍ଷା ହେଲେ ରାସ୍ତା ସମ୍ପୂର୍ଣ୍ଣ ଭାବେ ଧୋଇଯିବା ଆଶଙ୍କା ଦେଖାଦେଇଛି । ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ଉଠିଛି। ଏହାସହିତ ରାସ୍ତା ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟପଟେ ଏନେଇ ଯୋଗାଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l ରାସ୍ତା ନିର୍ମାଣ ପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରୀ ଅର୍ଥ ପାଣିରେ ପଡୁଛି ।
ବଞ୍ଚିବାର ରାହା ପାଇଲେ ମୟୂରଭଞ୍ଜ ଜିଲ୍ଲାର ରାଢୋ ଗାଁରେ ବୃଦ୍ଧା ବୁଧୁନି
ଉଦଳା : ମୁହଁରେ ମନ ଖୋଲା ହସ । ନୂଆ ଶାଢ଼ୀ ପିନ୍ଧିବା ପରେ ସେହି ଶାଢୀକୁ ସଜାଡି ଦେଉଛନ୍ତି ନିଜେ । ଯାହାକୁ ଦିନେ କିଏ କ’ଣ କହିଲେ କିଛି ଫରକ ପଡୁନଥିଲା । ଆଜି ସିଏ ମନଭରି କଥା ଶୁଣୁଛି ଆଉ ଓଠ ଖୋଲି ହସୁଛି । ବଞ୍ଚିବାର ରାହା ପାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ରାଢୋ ଗାଁରେ ଭଙ୍ଗା ଝାଟିମାଟି ଘରେ ଜୀବନର ରାହା ଖୋଜୁଥିବା ବୃଦ୍ଧା ବୁଧୁନି । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ ଆଉ ଉଦ୍ଧାର ହେଲେ ବୃଦ୍ଧା । ଉଦଳା ବିଡିଓଙ୍କ ସହିତ ବାରିପଦା ବୃଦ୍ଧାଶ୍ରମର କର୍ମଚାରୀ ପହଞ୍ଚି ଭଙ୍ଗା ଘରୁ ବୁଧୁନି ପାତ୍ରଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମକୁ ନେଇଛନ୍ତି ।…
ଅସହାୟ ଅବସ୍ଥାରେ ଭଙ୍ଗା ମାଟି କାନ୍ଥ ଘରେ ଦୁର୍ବିସହ ଜୀବନ ବିତାଉଥିଲେ ବୃଦ୍ଧା ବୁଧୁନି । ଜଙ୍ଗଲିଆ ପରିବେଶ ମଧ୍ୟରେ ଭଙ୍ଗା ଝାଟିମାଟି ଘରେ ଚିରା ପଲିଥିନ୍ ପାଲ ଢାଙ୍କି ରହୁଥିଲେ । ଏପରିକି ତାଙ୍କୁ ଆହା ପଦେ କହିବାକୁ ପାଖରେ କେହି ନଥିଲେ । ଓଳିଏ ଖାଇଲେ ଆର ଓଳି ଉପାସ ରହୁଥିଲେ । ଘରର କବାଟ ଦୂରର କଥା ଭଙ୍ଗା ଘର ମଧ୍ୟରେ ଜନ୍ତୁଜୁନ୍ତାଙ୍କ ମଧ୍ୟ ଭୟ ରହୁଥିଲା । ଏପରି ସ୍ଥିତିରେ ଦେବଦୂତ ସାଜିଥିଲା ନନ୍ଦିଘୋଷ ଟିଭି । ବୁଧୁନିଙ୍କ ଦୁଃଖକୁ ବୁଝିପାରି ତାଙ୍କୁ ସହାୟତା ପ୍ରଦାନ କରିଥିବାରୁ ସ୍ଥାନୀୟ ଲୋକେ ମଧ୍ୟ ପ୍ରଶାସନ ଏବଂ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଜଣାଇଛନ୍ତି । ବୁଧୁନିଙ୍କ ପରି ଅନେକ ନିରାଶ୍ରୟ ବୃଦ୍ଧ ବୃଦ୍ଧା ରହିଛନ୍ତି । ଯେଉଁମାନଙ୍କୁ ଖୋଜି ବାହାର କରି ବଞ୍ଚିବାର ରାହା ଦେଖାଇବା ପାଇଁ ପ୍ରଶାସନ ଆଗେଇ ଆସିବା ଆବଶ୍ୟକ । ଏହା ସହିତ ଆଗକୁ କିପରି ବୁଧୁନି ତାଙ୍କ ଅବଶିଷ୍ଠ ଜୀବନରେ ହସଖୁସିରେ ବିତାଇବେ ସେଥିପାଇଁ ପ୍ରଶାସନ ଯତ୍ନବାନ ହେବା ଜରୁରୀ ।
ଅବହେଳିତ ଯାଜପୁରର ବିଶ୍ୱପ୍ରସିଦ୍ଧ ଉଦୟଗିରି ବୌଦ୍ଧ ବିହାର
ଚଣ୍ଡିଖୋଲ : ପରିଚୟ ଖୋଜୁଛି ପ୍ରାଚୀନ କୀର୍ତ୍ତିରାଜି । ଅବହେଳିତ ଯାଜପୁରର ବିଶ୍ୱପ୍ରସିଦ୍ଧ ଉଦୟଗିରି ବୌଦ୍ଧ ବିହାର । ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜା ଗଲାଣି ପାଚେରୀ । ପର୍ଯ୍ୟଟକଙ୍କ ପାଇଁ ନାହିଁ ମୌଳିକ ସୁବିଧା । ଏଠାକାର ବୌଦ୍ଧ କୀର୍ତ୍ତିରାଜି ଖ୍ରୀଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀ ସମୟର ବୋଲି କୁହାଯାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଆଜି ଏହି ପର୍ଯ୍ୟଟନସ୍ଥଳୀ ଜରାଜୀର୍ଣ୍ଣ ଅବସ୍ଥାରେ। ବୌଦ୍ଧ କୀର୍ତ୍ତିରାଜିର ସୁରକ୍ଷା ପାଇଁ ନିର୍ମିତ ପାଚେରୀ କେଉଁଠି ପାଚେରୀ ଭାଙ୍ଗିଯାଇଛି ତ ଆଉ କେଉଁଠି ପାଚେରୀରେ ଲାଗିଥିବା ଲୁହାକୁ ଚୋରିକରି ନେଇଛନ୍ତି ଦୁବୃର୍ତ୍ତ । ବୌଦ୍ଧ ବିହାରକୁ ଭଲ ରାସ୍ତାଟିଏ ନଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କିମ୍ଵା ରହଣି ପାଇଁ ମୌଳିକ ସୁବିଧା ନାହିଁ । ପ୍ରତ୍ନତାତ୍ତ୍ବିକ ସର୍ଭେକ୍ଷଣ ସଂସ୍ଥା ଦ୍ଵାରା ଉଦ୍ଧାର ହୋଇଥିବା ମୂର୍ତ୍ତି ଗୁଡ଼ିକ ଏଣେତେଣେ ପଡ଼ିରହିଛି । ଦୀର୍ଘଦିନର ଦାବି ପରେ ମଧ୍ୟ ଏଠାରେ ମ୍ୟୁଜିୟମ ଟିଏ ସ୍ଥାପନ ହୋଇପାରିଲାନାହିଁ।
ଉଦୟଗିରିକୁ ବର୍ଷତମାମ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ନେପାଳ, ଭୂଟାନ, ତିଦ୍ଦତ, ଗୟା ଓ ବାରଣାସୀରୁ ବୌଦ୍ଧ ଧର୍ମାବଲମ୍ବୀମାନେ ଆସିଥାନ୍ତି। । ହେଲେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ହେଉନଥିବାରୁ ପର୍ଯ୍ୟଟକମାନେ ଆସିବାକୁ ମୁଁହ ଫେରାଉଛନ୍ତି । ପୂର୍ବରୁ ଏଠାରେ ଗୁରୁ ପଦ୍ମସମ୍ଭବଙ୍କ ଅନ୍ତର୍ଜାତୀୟ ମହାସମାବେଶ ଅନୁଷ୍ଠିତ ହୋଇଥିଲା । ଦେଶ ବିଦେଶରୁ ବହୁ ବୌଦ୍ଧ ଭିକ୍ଷୁ ଯୋଗଦେଇଥିଲେ । ଅନ୍ତର୍ଜାତୀୟ ମହାସମାବେଶ ପାଇଁ ଉପଯୁକ୍ତ ପର୍ଯ୍ୟଟନ କ୍ଷେତ୍ର ହୋଇଥିଲେ ସୁଦ୍ଧା ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ହେଉ ନଥିବାରୁ ସମସ୍ୟା ଦେଖାଦେଉଛି । କେନ୍ଦ୍ର ପତ୍ନତତ୍ତ୍ଵ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।
ଠାକୁରାଣୀ ଯାତ୍ରା ପାଇଁ ଉତ୍ସବମୁଖର ବାଲିଗୁଡ଼ା ସହର
ବାଲିଗୁଡା : ଠାକୁରାଣୀ ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହର । ମନ୍ଦିର ଛାଡ଼ି ଅସ୍ଥାୟୀ ପୀଠରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡା । ସାହି ସାହି ବୁଲି ଭକ୍ତଙ୍କ କଷ୍ଟ ଲାଘବ କରୁଛନ୍ତି । ରୀତିନୀତି ଅନୁସାରେ ପ୍ରତ୍ୟେକ ଦିନ ମା’ଙ୍କର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ସକାଳ ଧୂପ, ଦ୍ଵାରଫିଟା ପରେ ଦିନ ତମାମ ମା’ଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ଆଳତୀ ପରେ ନିର୍ଦ୍ଧାରିତ ସାହିକୁ ମା’ ପାଟ୍ଟଖଣ୍ଡା ଚାରି ଭଉଣୀ ମା’ ବରାଳ ଦେବୀ, ମା ଡେଙ୍ଗିଶିଳୀ, ମା’ ଦୂର୍ଗା, ମା’ ମହାମାୟାଙ୍କୁ ସାଙ୍ଗରେ ଧରି ନଗର ଭ୍ରମଣରେ ବାହାରିଥିଲେ । ଶେଷ ଦିନରେ ବିରାଟ ପଟୁଆରରେ ମା’ ଆଚାର୍ଯ୍ୟ କଲୋନୀ ଭ୍ରମଣ କରିଥିଲେ । ମା’ ପାଟ୍ଟଖଣ୍ଡାଙ୍କୁ ଝିଅ ରୂପେ ପାଇ ଦାୟିତ୍ଵ ତୁଲାଇ ଗର୍ବ ଅନୁଭବ କରିଛନ୍ତି ଶ୍ରୀନିବାସ ଦୋରା ।
ରାଜାରାଜୁଡ଼ା ସମୟରୁ କନ୍ଧମାଳ ଜିଲ୍ଲାରେ ପୂଜା ପାଇଆସୁଛନ୍ତି ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡା । ବାଲିଗୁଡ଼ା ସହରର ମୁଖ୍ୟ ବଜାରର ମଧ୍ୟ ଭାଗରେ ରହିଛି ମା’ଙ୍କ ପୀଠ । କ୍ଷତ୍ରୀୟ ବଂଶର ପାତ୍ର ଲୋକେ ମା’ଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଗତ କିଛିବର୍ଷ ହେବ ଅଞ୍ଚଳବାସୀଙ୍କ ସହଯୋଗରେ ମା’ ପାଟ୍ଟଖଣ୍ଡା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଠାକୁରାଣୀ ଯାତ୍ରା ପାଳନ କରାଯାଉଛି । ଗତ ମେ’ ମାସ ୬ ତାରିଖରୁ ଜୁନ୍ ୬ ତାରିଖ ଯାଏଁ ମା’ଙ୍କ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥିଲା । ରଙ୍ଗିନ୍ ଆଲୋକ ମାଳାରେ ସଜେଇ ହୋଇଥିଲା ବାଲିଗୁଡ଼ା ସହର । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ପନ୍ନ ହୋଇଛି ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା । ପୁଣି ଅପେକ୍ଷା ଆଉ ତିନିବର୍ଷ । ମା’ ପାଟ୍ଟଖଣ୍ଡା ପୁଣି ମନ୍ଦିର ଛାଡ଼ି ବାପଘରକୁ ଆସି ସାହି ବୁଲି ଭକ୍ତଙ୍କ କଷ୍ଟ ଲାଘବ କରିବେ ।

