spot_img
Home Blog Page 6784

୫୦ ତଳେ ପରିବା ନାହିଁ, କେବଳ ଆଳୁ ୩୫

ଭୁବନେଶ୍ୱର : ରାଜଧାନୀରେ ପରିବାର ଦର ବଢିଛି । ୫୦ ଟଙ୍କା ତଳେ ପରିବା ନାହିଁ । ଯୋଉ ପରିବାରେ ହାତ ମାର ଦର ଅତିକମରେ ୫୦ । ଲଗାଣ ବର୍ଷା ଯୋଗୁଁ ଏଭଳି ହୋଇଛି । ପରିବା ଚାଷୀଙ୍କଠୁ ଆସି ଗୋଦାମରେ ପହଞ୍ଚିବା ସମ୍ଭବ ହେଉନି । ଫଳରେ ଗୋଦାମରେ ଅଭାବ ଦେଖା ଦେଲାଣି । ବଜାରରେ ଅଭାବ ଦେଖାଯିବା ହେତୁ ଦର ବଢିବା ସ୍ୱାଭାବିକ ବୋଲି ବ୍ୟବସାୟୀମାନେ କହିଛନ୍ତି । ୧ ଓ ୪ ନମ୍ୱର ମାର୍କେଟ ରାଜଧାନୀର ସବୁଠୁ ବଡ଼ ମାର୍କେଟ  । ମୋଟା ଆକାରରେ ପରିବା ଏଇଠୁ ମିଳେ । ସେହିଭଳି ଅଧିକାଂଶ ଘରୋଇ ଲୋକେ ଏଇ ଦୁଇ ମାର୍କେଟରୁ କିଣାକିଣି କରନ୍ତି ।

ଏବେ ପରିବାର ଦର ଏହି ମାର୍କେଟରେ ଆକାଶଛୁଆଁ ହେବା ପରେ ଛୋଟ ବଜାରର ସ୍ଥିତି ନକହିବା ଭଲ ବୋଲି ଗ୍ରାହକମାନେ କହିଛନ୍ତି । ଟମାଟୋ ୫୦ ଉପରେ, ବିନ୍ସ୍ ୫୦ ଓ ଏପରିକି ଆଳୁ ୩୫ରେ ପହଞ୍ଚିଲାଣି । ପିଆଜି ଏବେ ସୁଦ୍ଧା ବଢିନଥିଲେ ମଧ୍ୟ ଖୁବ୍ ଶୀଘ୍ର ବଢିଯାଇ ପାରେ ବୋଲି ବ୍ୟବସାୟୀ ସଂଘ ଆଶଙ୍କା କରି ସାରିଲେଣି । ବର୍ଷା ଲାଗି ରହିଲେ ଦର କୁଆଡ଼େ  ଯିବ ତା’ ଥଳକୁଳ କେହି ପାଇବେନି । ଏକ ନମ୍ୱର ପରିବା ମାର୍କେଟ ସଭାପତି କବିରାଜ ସ୍ୱାଇଁଙ୍କ କହିବା କଥା ଯେ ମାର୍ଚ୍ଚ ୨୪ ପରଠୁ ପରିବା ପରିବହନ କମିଛି । ଯେତେ ମାତ୍ରାରେ ଆସୁଥିଲା ସେତେ ମାତ୍ରାରେ ଆସିବା ସମ୍ଭବ ହେଉନି ବୋଲି ପରିବା ଦର ଉପର ମୁହାଁ ହୋଇଛି ।

ସେହିଭଳି ଚାଷୀ ପରିବାର ବିକିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରିବହନ ସୁବିଧା ନଥିବା ହେତୁ ପରିବା ଅଯଥା ନଷ୍ଟ ହେଉଛି । ଅନ୍ୟପକ୍ଷରେ କିଛି ଜିଲ୍ଲାର ବନ୍ୟାସ୍ଥିତି ମଧ୍ୟ ଚାଷକୁ ନଷ୍ଟ କରିଛି । ଫଳରେ ବର୍ଷା କମିବା ପରେ ମଧ୍ୟ କିଛି ଦିନ ପାଇଁ ପରିବାର ଦରକୁ ନେଇ ସମସ୍ୟା ରହିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଇସ୍ତଫା ଦେଲେ ଟିକଟକ CEO କେବିନ ମେୟର

ନୂଆଦିଲ୍ଲୀ: ଇସ୍ତଫା ଦେଇଛନ୍ତି ଟିକଟିକର ସିଇଓ କେବିନ ମେୟର । । ନ୍ୟୁଜ୍ ଏଜେନ୍ସି AFP ଏହାକୁ ନେଇ ଟୁଇଟ କରିଛି। ଗତ କିଛି ସପ୍ତାହ ଧରି ଆମେରିକାରେ ଟିକଟକ୍ ଉପରେ ନିଷେଧାଦେଶ ଜାରି ହେବ ବୋଲି ଚର୍ଚ୍ଚା ହେଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି କି କମ୍ପାନୀ ଏହାର ଆମେରିକୀୟ ବ୍ୟବସାୟ ବିକ୍ରୟ କରୁ ନଚେତ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବ। ପୂର୍ବରୁ ଭାରତ ଏହି ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲା। କେବିନ ମେୟରଙ୍କୁ ଚାରି ମାସ ପୂର୍ବରୁ ଟିକଟକର ସିଇଓ କରାଯାଇଥିଲା। ଏହାପୂର୍ବରୁ ସେ ଓ୍ୱାର୍ଲଡ ଡିଜନିରେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ।

କେବିନ ମେୟର କହିଛନ୍ତି, ଗତ କିଛି ସପ୍ତାହ ମଧ୍ୟରେ ରାଜନୈତିକ ଇନଭଏସ୍ ବହୁତ ବଦଳିଛି। ମୁଁ ଯେଉଁ ପରିବର୍ତ୍ତନ କରିବାକୁ ଚାହୁଁଥିଲି, ଯାହା ପାଇଁ ମୋର ଆବଶ୍ୟକ ଥିଲା ଏବଂ ଯାହା ପାଇଁ ମୋତେ ବିଶ୍ୱ ଭୂମିକାରେ ରଖାଯାଇଥିଲା ସେ କାର୍ଯ୍ୟ କରିଛି। ଟିକଟକ୍ ମୁଖପାତ୍ର କହିଛନ୍ତି କି କେବିନ ମେୟରଙ୍କ ନିଷ୍ପତ୍ତିକୁ କମ୍ପାନୀ ସମ୍ମାନ କରେ। ଗତ କିଛି ମାସ ଧରି ଆମେରିକାରେ ଟିକଟକ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବାର ଭୟ ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ କହିଛନ୍ତି କି କମ୍ପାନୀ ୯୦ ଦିନ ମଧ୍ୟରେ ଆମେରିକାର ବ୍ୟବସାୟ ବିକ୍ରୟ କରିବା ଉଚିତ। ଯଦି ଏହା ୯୦ ଦିନ ମଧ୍ୟରେ ବିକ୍ରି ହୋଇନଥାଏ, ତେବେ ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବ । ତେବେ ନିକଟରେ ଟିକଟକ୍ ମଧ୍ୟ ନିଶ୍ଚିତ କରିଛି ଯେ କମ୍ପାନୀ ଆମେରିକୀୟ ରାଷ୍ଟ୍ରପତିଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିବ ଏବଂ ସେମାନଙ୍କ ବିରୋଧରେ ମକଦ୍ଦମା ଦାୟର କରିବ।

ଭଡ଼ାଘର ପାଇଁ ନୂଆ ନିୟମ ଆଣିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭଡ଼ାରେ ରହୁଥିବା ଲୋକଙ୍କ ପାଇଁ ଖୁବଶୀଘ୍ର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟର ସଚିବ ଦୂର୍ଗା ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ କେନ୍ଦ୍ର ସରକାର ଭଡ଼ା ଘରକୁ ପ୍ରୋତ୍ସାହନ ଦେବା ପାଇଁ ଏହି ପଦକ୍ଷେପ ନେଇଛନ୍ତି । ତେବେ ବାଣିଜ୍ୟ ଏବଂ ଉଦ୍ୟୋଗ ସଙ୍ଗଠନ ଆସୋଚ୍ୟାମ ଦ୍ୱାରା ହାଉସିଂ ସେକ୍ଟର ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହି ସୂଚନା ଦେଇଛନ୍ତି ।

ସଚିବ ଦୂର୍ଗା ଶଙ୍କରଙ୍କ କହିବା ଅନୁସାରେ  ୨୦୧୧ ଜନଗଣନା ଅନୁସାରେ ସାରା ଦେଶରେ ୧.୧ କୋଟିରୁ ଅଧିକ ଘର ଖାଲି ପଡ଼ିଛି । କାରଣ ହେଉଛି ସେହି ସମସ୍ତ ଘରକୁ ଭଡ଼ାରେ ଦେବା ପାଇଁ ଲୋକ ଡରୁଛନ୍ତି । ସଚିବ ଏହା ମଧ୍ୟ କହିଛନ୍ତି କି ଏକ ବର୍ଷ ମଧ୍ୟରେ ପ୍ରତ୍ୟେକ ରାଜ୍ୟରେ ଏହି ଆଦର୍ଶ ଆଇନ ଲାଗୁ କରିବା ପାଇଁ ଜରୁରୀ ପଦକ୍ଷେପ ନିଆଯିବ ।

ଉକ୍ତ ନିୟମ ଲାଗୁ ହେବା ପରେ ଖାଲି ପଡ଼ିଥିବା ୬୦ରୁ ୮୦ ପ୍ରତିଶତ ଘର ଭଡ଼ାରେ ଲାଗିଯିବ ବୋଲି କହିଛନ୍ତି ଦୂର୍ଗା ଶଙ୍କର । ଏହା ବ୍ୟତୀତ ରିୟଲ ଇଷ୍ଟେଟ ଡେଭଲପର ନିଜର ବିକ୍ରି ହୋଇ ନଥିବା ଘରକୁ ଭଡ଼ାରେ ଦେଇ ପାରିବେ ।

ନଗର ଉନ୍ନୟନ ମନ୍ତ୍ରାଳୟ ଜୁଲାଇ ୨୦୧୯ରେ ଆଦର୍ଶ ଭଡ଼ା ନିୟମର ରୂପରେଖ ଜାରି କରିଥିଲେ । ଯେଉଁଥିରେ ଉଲ୍ଲେଖ ଥିଲା କି,

୧.ଭଡା ବଢାଇବାର  ତିନି ମାସ ପୂର୍ବରୁ ଘର ମାଲିକଙ୍କୁ ଲିଖିତ ନୋଟିସ ପଠାଇବାକୁ ପଡିବ  ।

୨.ଏଥିରେ ଜିଲ୍ଲା କଲେକ୍ଟରଙ୍କୁ ଭଡ଼ାଟିଆଙ୍କ ଅଧିକାରୀ ଭାବରେ ନିଯୁକ୍ତି ଦେଇ ସମୟ ଠାରୁ ଅଧିକ ଦିନ ରହିଥିବା ବ୍ୟକ୍ତିଙ୍କ ଠାରୁ ଜୋରିମନା ସଂଗ୍ରହ କରାଯିବ ।

୩. ସଚିବ କହିଛନ୍ତି କି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କେନ୍ଦ୍ର ଏବଂ ରାଜ୍ୟର ଲକ୍ଷାଧିକ ଫ୍ଲାଟକୁ ଖୁବ ଶସ୍ତାରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଭଡ଼ା ଘର ଭାବରେ ପରିବର୍ତ୍ତନ କରାଯିବ । ସେ କହିଛନ୍ତିକି ରାଜ୍ୟମାନେ ଏହାକୁ ନେଇ ଆବଶ୍ୟକୀୟ ନିୟମ ପ୍ରଣୟନ କରିପାରିବେ । ଏହା ସହିତ ଆମେ ଏକ ବଡ଼ ସୁଧାର ଆଣିବା ପାଇଁ ଯାଉଛୁ ।

ଆମେ ଭଡ଼ା ନିୟମକୁ ପରିବର୍ତ୍ତନ କରୁଛୁ । ବିଭିନ୍ନ ରାଜ୍ୟରେ ଥିବା ଭଡ଼ାଟିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ ଭଡ଼ା ଆଇନ ପ୍ରଣୟନ କରାଯାଇଛି ।

ତେବେ ଏହି ବିଷୟରେ ଅଧିକ ସୂଚନା ପାଇବା ପାଇଁ ଦିଆଯାଇଥିବା ଲିଙ୍କ୍: http://mohua.gov.in/upload/uploadfiles/files/Draft%20Model%20Tenancy%20Act%2C%202019(1).pdf

ଦେଶର ପ୍ରଥମ କରୋନା ପରୀକ୍ଷଣ କିଟକୁ ICMRର ଅନୁମତି, ୨୦ ମିନିଟରେ ମିଳିବ ରେଜଲ୍ଟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ଭିତରେ ଆସିଛି ଆଶ୍ୱସ୍ତକର ଖବର । ଦିଲ୍ଲୀର ଏକ ଫାର୍ମାସିଟ୍ୟୁକାଲ କମ୍ପାନୀ ଭାରତର ପ୍ରଥମ ରାପିଡ୍ ଟେଷ୍ଟ କିଟ୍ ପ୍ରସ୍ତୁତ କରିଛି । କୁହାଯାଉଛି ଏହି କିଟ୍ ଜରିଆରେ ପ୍ରାୟ ୨୦ ମିନିଟ୍ ମଧ୍ୟରେ ରେଜଲ୍ଟ ମିଳିବ । ଅର୍ଥାତ୍ ମାତ୍ର ୨୦ ମିନିଟରେ ଜାଣି ହେବ ଆପଣ କରୋନା ପଜିଟିଭ୍ ନା ନେଗେଟିଭ୍ । ଆଇସିଏମ୍ଆର ଏହି କରୋନା ପରୀକ୍ଷଣ କିଟକୁ ଅନୁମତି ପ୍ରଦାନ କରିଛି । କିଟର ମୂଲ୍ୟ ପାଖାପାଖି ୨୦୦ ଟଙ୍କା ଥିବା କୁହାଯାଉଛି ।

ଭାରତର ପ୍ରଥମ ପଏଣ୍ଟ-ଅଫ୍-କେୟାର (POC) ରାପିଡ୍ ଟେଷ୍ଟ କିଟକୁ ମେଡିକେୟାର ପ୍ରସ୍ତୁତ କରିଛି । ଏହି କମ୍ପାନୀ ଲାବରେ ଗର୍ଭାବସ୍ଥା ଯାଞ୍ଚ କିଟ୍, HIV ଏଡ୍ସ, ମାଲେରିଆ ଓ ଡେଙ୍ଗୁ ପାଇଁ POC ଡାଏଗ୍ନୋଷ୍ଟିକ କିଟ୍ ମଧ୍ୟ ତିଆରି କରିଥାଏ । ମେଡିକେୟାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଆନନ୍ଦ ଶେଖରୀ କହିଛନ୍ତି- POC କିଟ୍ ଜରିଆରେ ୨୦ ମିନିଟ୍ ମଧ୍ୟରେ ଫଳାଫଳ ଜାଣି ହେବ ।

ଏହି କିଟରେ ଟେଷ୍ଟ ପାଇଁ ଆଙ୍ଗୁଠିରୁ ରକ୍ତ ନମୁନା ନିଆଯିବ. ସେପ୍ଟେମ୍ବର ସୁଦ୍ଧା କମ୍ପାନୀ ୨ ଲକ୍ଷ କିଟ୍ ଲଞ୍ଚ କରିବା ପାଇଁ ଯୋଜନା କରିଛି । ଭାରତରେ ଏବେ ଆଣ୍ଟିବଡି ଯାଞ୍ଚ ପାଇଁ ଷ୍ଟାଣ୍ଡାର୍ଡ Q COVID-19 Agର ବ୍ୟବହାର କରାଯାଉଛି । ସାଧାରଣତଃ ଏହାକୁ RT-PCR ଟେଷ୍ଟ ଭାବେ ଜଣାଯାଇଥାଏ ।

ଏହାର ପରୀକ୍ଷଣ ରେଜଲ୍ଟ ଗୋଟିଏ ଦିନ ଭିତରେ ଆସିଥାଏ । ଏହି କିଟ୍ ଶରୀର ମଧ୍ୟରେ ଥିବା ଆଣ୍ଟିବଡି ସନ୍ଧାନ କରେ । ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ । ଯଦି ଶରୀରରେ ଆଣ୍ଟିବଡ଼ି ମିଳେ ତେବେ ସେହି ବ୍ୟକ୍ତି ଏବେ କରୋନାରେ ସଂକ୍ରମିତ ଅଥବା ପୂର୍ବରୁ ସଂକ୍ରମିତ ହୋଇ ସାରିଛନ୍ତି ବୋଲି ଧରାଯାଏ ।

ଝଲସିବ ଶ୍ରୀମନ୍ଦିର ଦ୍ୱାର, ରୂପାରେ ଛାଉଣୀ ହେବ କବାଟ

ପୁରୀ: ରୁପାରେ ଝଲସିବ ପୁରୀ ଶ୍ରୀମନ୍ଦିର ଦ୍ୱାର । ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ଲାଗିଥିବା କବାଟ ହେବ ରୂପା ଛାଉଣୀ । ଶ୍ରୀମନ୍ଦିରର ଭିତର ଓ ବାହାର କବାଟ ଗୁଡ଼ିକ ମରାମତି ହେବା ସହ ସେଥିରେ ରୂପା ଛାଉଣୀ ହେବ ବୋଲି ସୂଚନା ମିଳିଛି । ଏସମସ୍ତ ଦ୍ୱାରରେ ରୁପା ଚାଦର ଲଗାଯିବା ପାଇଁ ଡିଜାଇନ୍‌ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏନେଇ ଶ୍ରୀମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ବେହରଣ, ଜୟ ବିଜୟ ଓ କଳାହାଟ ଦ୍ୱାର ନୂତନ ଭାବେ ନିର୍ମାଣ କରାଯିବା ପାଇଁ ଯୋଜନା ଚାଲିଛି । ଖାଲି ସେତିକି ନୁହେଁ ରତ୍ନଭଣ୍ଡାର ଭିତର ଓ ବାହାର ଦ୍ୱାର ନୂଆ କରି ନିର୍ମାଣ ହେବ ବୋଲି ମଧ୍ୟ ସ୍ଥିର କରାଯାଇଛି ।

ତେବେ ମନ୍ଦିର କବାଟ ରୂପା ଛାଉଣୀ କରିବା ପାଇଁ ଜଣେ ଭକ୍ତ ୧୯୨୦ କେଜି ରୂପା ଦାନ କରିଥିବା ସୂଚନା ମିଳିଛି ।

ଲଗାଣ ବର୍ଷାରେ ଚାଷ ଜମି ଜଳମଗ୍ନ, ବ୍ୟାପକ ଫସଲ ନଷ୍ଟ

ଜତସିଂହପୁର/ ରାଉରକେଲା: ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଗତସିଂହପୁର ଜିଲ୍ଲା ବେହାଲ ହୋଇପଡ଼ିଛି । ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲା ପାଇଁ ଚିନ୍ତା ବଢ଼ାଇଛି ହଂସୁଆ ନଦୀ । ଲଗାଣ ବର୍ଷା ଫଳରେ ନଦୀରେ ଜଳସ୍ତର ବଢ଼ୁଛି । ଯାହାକି ଲୋଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଲଗାଣ ବର୍ଷା ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ସ୍କୁଲ ଓ ରାସ୍ତାଘାଟ ସବୁ ଜଳାବର୍ଣ୍ଣ ହୋଇଯାଇଛି । ସ୍କୁଲ ଭିତରେ ପାଣି ପଶିବା ସହ ଲୋକଙ୍କ ଘରେ ମଧ୍ୟ ପାଣି ପଶିଛି । ଜଳ ନିଷ୍କାସନର ବାଟ ନଥିବାରୁ ଚାଷ ଜମିରେ ମଧ୍ୟ ବର୍ଷା ଜଳ ମାଡ଼ିଯାଇଛି । ଫଳରେ ଫସଲ ସବୁ ନଷ୍ଟ ହୋଇଯାଇଛି ।

Chasa Jami

ଅଣ୍ଟାଏ ପାଣିରେ ବୁଡି ଉଜୁଡି ଯାଇଛି ବର୍ଷକର ଆହର । ଯାହାକୁ ନେଇ ଚିନ୍ତାରେ ଚାଷୀକୁଳ । ଜଗତସିଂହପୁର ଜିଲ୍ଲାରେ ବର୍ତ୍ତମାନ ୮୬ ହଜାର ୨୨୦ ହେକ୍ଟର ଚାଷଜମିରେ ଧାନ ଚାଷ କରାଯାଇଛି । ଜିଲ୍ଲାରେ କ୍ଷୟକ୍ଷତିର ଆକଳନ କରାଯାଉଥିବା ବେଳେ ଜଗତସିଂହପୁର, ରଘୁନାଥପୁର, ତିର୍ତ୍ତୋଲ, କୁଜଙ୍ଗ ଓ ବାଲିକୁଦା ଅଞ୍ଚଳ ଧାନ ଚାଷର କ୍ଷୟକ୍ଷତି ନେଇ ଶବିଶେଷ ତଥ୍ୟ ପ୍ରତ୍ୟେକ ତହସିଲଦାର ପ୍ରସ୍ତୁତ କରୁଛନ୍ତି । ବର୍ତମାନ ଜଗତସିଂହପୁର ଜିଲ୍ଲାରେ ୫୭୨ ମିଲିମିଟର ବର୍ଷା ହୋଇସାରିଲେଣି । ଅଣଜଳସେଚିତ ଜମି ହେକ୍ଟର ପିଛା ୬ ହଜାର ୫ ଶହ ଟଙ୍କା ରହିଥିବା ବେଳେ ଜଳ ସେଚିତ ଜମି ପାଇଁ ୧୩ ହଜାର ୫ ଶହ ଟଙ୍କା ଥିବା ଜଣାପଡ଼ିଛି ।

Flood Water In Road

ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା ସହରରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ରାଉରକେଲା ସହରର ପଲପଲ ବସ୍ତି ଓ ବାଲୁଘାଟ ବସ୍ତିରେ ବ୍ରାହ୍ମଣୀ ନଦୀର ବନ୍ୟାଜଳ ପ୍ରବେଶ କରିଛି । ବନ୍ୟା ଜଳ ପ୍ରବେଶ କରିବା ପରେ ଦୁଇଟି ବସ୍ତିରେ ୨୦ଟି ଘର ବନ୍ୟା ଜଳ ଘେରରେ ରହିଛି । ବ୍ରାହ୍ମଣୀ ନଦୀର ବନ୍ୟାଜଳ ଵୃଦ୍ଧି ପାଉଥିଵାରୁ ବସ୍ତି ବାସିନ୍ଦା ଭୟଭୀତ ହୋଇ ପଡିଛନ୍ତି । ପଲପଲ ବସ୍ତିରେ ଓ ବାଲୁଘାଟ ବସ୍ତିରେ ବନ୍ୟାଜଳ ପ୍ରବେଶ କରଥିିବା ସୂଚନା ପାଇ ରାଉରକେଲା ମହାନଗର ନିଗମ କମିଶନର ବସ୍ତି ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Rourkela Flood

ବନ୍ୟାଜଳ ଘେରରେ ଥିବା ଲୋକଙ୍କୁ ସ୍ଥାନୀୟ ସ୍କୁଲ ଗୃହକୁ ସ୍ଥାନାନ୍ତରିତ କରାଯିବା ସହ ଅନ୍ୟ ମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟବସ୍ଥା ଆରମ୍ଭ କକରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ସାଙ୍ଗକୁ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମନ୍ଦିରା ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇଛି । ମନ୍ଦିରା ଡ୍ୟାମ୍‌ରେ ୭୪ ହଜାର ୯୩୭ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ଫଳରେ ମନ୍ଦିରା ଡ୍ୟାମ୍‌ର ୯ଟି ଗେଟ୍‌ ଖୋଲା ଯାଇଛି । ମନ୍ଦିରା ଡ୍ୟାମ୍‌ରେ ୬୮୦ ଫୁଟ୍‌ ଜଳସ୍ତର ରହିଛି । ସେହିପରି ରାଉରକେଲା ସହରର ତରକେରା ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଉଥିବାରୁ ୮ଟି ଗେଟ୍‌ ଖୋଲା ରହିଛି । ତରକେରା ଡ୍ୟାମର ଜଳସ୍ତର ଏବେ ୬୫୨ ଫୁଟ୍‌ ରହିଛି ।

India-China Border Dispute  : ସାମରିକ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ଚୀନର ୯୦ ପ୍ରତିଶତ ନାଗରିକ

ବେଜିଂ: ଚୀନ- ଭାରତ ସୈନିକ ମଧ୍ୟରେ ଲଦାଖର ଗଲବାନ ଘାଟିରେ ସଂଘର୍ଷ କାରଣରୁ ଦୁଇ ଦେଶ ଏବେ ମୁହାଁମୁହିଁ ହୋଇ ଅଛନ୍ତି । ଏହା ମଧ୍ୟରେ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଦୁଇ ଦେଶର ସମ୍ବନ୍ଧକୁ ନେଇ ଏକ ସର୍ଭେ କରିଥିଲା । ସର୍ଭେରେ ଅଂଶଗ୍ରହଣ କରିଥିବା ଲୋକଙ୍କ ମଧ୍ୟରୁ ୫୧ ପ୍ରତିଶତ ନରେନ୍ଦ୍ର ମୋଦି ସରକାରର ପ୍ରଶଂସା କରିଛନ୍ତି ।ଯାହାର ଅର୍ଥ ହେଉଛି ଚୀନ ନାଗରିକ ନିଜ ଦେଶର ନେତାଙ୍କ କିଛି ନୀତିକୁ ନେଇ ସନ୍ତୁଷ୍ଟ ନାହାନ୍ତି ।

ଗ୍ଲୋବାଲ ଟାଇମ୍ସର ସର୍ବେକ୍ଷଣରୁ ଜଣାପଡିଛି ଯେ, ୭୦ ପ୍ରତିଶତ ଭାବନ୍ତି ଯେ, ଭାରତରେ ଚୀନ୍ ବିରୋଧୀ ମନୋଭାବ ଅଧିକ । ଅନ୍ୟପକ୍ଷରେ ୩୦ ପ୍ରତିଶତ ଭାବନ୍ତି ଯେ,ଆସୁଥିବା ସମୟରେ ଦୁଇ ଦେଶ ମଧ୍ୟରେ ସଂପର୍କ ସାମାନ୍ୟ ହେବ । ଏହି ସର୍ଭେରେ ଚୀନ୍ ନାଗରିକଙ୍କୁ ନିଜ ପସନ୍ଦର ଦେଶ ବାଛିବାକୁ କୁହାଯାଇଥିଲା । ଋଷ,ଜାପାନ ଓ ପାକିସ୍ତାନ ପରେ ଭାରତ ସେମାନଙ୍କ ପସନ୍ଦର ଦେଶ ବୋଲି ସଂଖ୍ୟାଧିକ କହିଛନ୍ତି । ତେବେ ସର୍ଭେର ଭାଗ ନେଇଥିବା ୯୦ ପ୍ରତିଶତ ଭାରତ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି । ସେହିଭଲି ୫୦ ପ୍ରତିଶତ ଭାବନ୍ତି ଯେ, ଭାରତର ଅର୍ଥବ୍ୟବସ୍ଥା ଚୀନ ଉପରେ ନିର୍ଭରଶୀଳ । ତେଣୁ ଭାରତ ନିକଟରେ ଯେଉଁସବୁ ପଦକ୍ଷେପ ନେଇଛି ତା’ଦ୍ୱାରା ଭାରତର ହିଁ କ୍ଷତି ହେବ ।

କେବଳ ୫୬ ପ୍ରତିଶତ ଭାରତ ବାବଦରେ ଜାଣନ୍ତି କିମ୍ବା ରୁଚି ରଖନ୍ତି । ୫୭ ପ୍ରତିଶତ ମାନନ୍ତି ଯେ, ଭାରତୀୟ ସେନା ଚୀନ୍ ସେନା ଆଗରେ ଛିଡା ହୋଇ ପାରିବ ନାହିଁ । ଏସବୁ ବିବାଦ ଭିତରେ ଚୀନ୍ ଟେକ୍ କଂପାନି ହୁୱାଇ କିନ୍ତୁ ଭାରତୀୟଙ୍କୁ ଆକର୍ଷିତ କରିବା ଉଦ୍ୟମ କରିଛି । ହୁୱାଇ ପକ୍ଷରୁ ନିକଟରେ ଜାରି ଏକ ବିଜ୍ଞାପନରେ କୁହାଯାଇଛି ଯେ, ୨୦ ବର୍ଷ ଧରି ଆମେ ଭାରତ ପ୍ରତି ପ୍ରତିବଦ୍ଧ ଓ ଆଗକୁ ମଧ୍ୟ ରହିବୁ ।

GST ପରିଷଦ ବୈଠକରେ ରାଜ୍ୟଙ୍କ ବକେୟା ଅର୍ଥକୁ ନେଇ ଆଲୋଚନା ଜାରି

ନୂଆଦିଲ୍ଲୀ: ଜିଏସଟିକୁ ନେଇ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବିବାଦ ଜାରି ରହିଛି । ଏହାରି ଭିତରେ ଆଜି ୪୧ତମ ଜିଏସଟି କାଉନସିଲ ମିଟିଂ ବସିଛି । ବୈଠକରେ ରାଜ୍ୟକୁ ଗତ ୩ ମାସ ହେଲା ବକେୟା ଜିଏସଟି ଅର୍ଥ ଦେବାକୁ ନେଇ ଆଲୋଚନା ହୋଇଛି । ବୈଠକରେ ଅଧ୍ୟକ୍ଷତା କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସକୁ ଲାଭ ଜନକ କହି, ୧ ଜୁଲାଇ ୨୦୧୭ରେ ସାରା ଦେଶରେ ଲାଗୁ କରିଥିଲେ । ଏହାକୁ ବିଭିନ୍ନ ରାଜ୍ୟ ବିରୋଧ କରିଥିଲେ ମଧ୍ୟ ସେମାନଙ୍କର ଯାହା କ୍ଷତି ହେବ ତାଙ୍କୁ କେନ୍ଦ୍ର ପୂରଣ କରିବ ବୋଲି କୁହାଯାଇଥିଲା । ଯାହାକୁ ନେଇ ବିଭିନ୍ନ ରାଜ୍ୟ ସମ୍ମତ୍ତି ପ୍ରଦାନ କରିଥିଲେ । ଜିଏସ୍‌ଟି ଆଇନ୍‌ ଅନୁସାରେ ପ୍ରଥମ ୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟକୁ ରାଜସ୍ୱ ଆଦାୟରେ ଯାହା ବି କ୍ଷତି ହେବ ତାକୁ କେନ୍ଦ୍ର ପୂରଣ କରିବ ।

୨୦୧୭ରେ ଜିଏସ୍‌ଟି ଲାଗୁ ହେବା ପରେ ଗତ ଦୁଇ ବର୍ଷ ହେଲା ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଦେଶର ଆର୍ଥିକ ସ୍ଥିତି ଓ କରୋନା ଲକଡାଉନ ଯୋଗୁଁ ରାଜସ୍ୱ ସଂଗ୍ରହରେ ବାଧା ଉପୁଜିବାରୁ ରାଜ୍ୟ ମାନଙ୍କୁ ବକେୟା ଅର୍ଥ ଦେବାରେ କେନ୍ଦ୍ର ଏକ ପ୍ରକାର ଅସମର୍ଥ ହୋଇଛି ।

ତେବେ ଗତ ଜୁନ୍‌ ମାସରେ ଲକ୍‌ଡାଉନ୍‌ ପରେ ପ୍ରଥମ ଥର ପାଇଁ ଗୁଡସ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ (ଜିଏସ୍‌ଟି) କାଉନସିଲର ବୈଠକ ଅନୁଷ୍ଠିତ ହୋଇଥିଲା । କାଉନସିଲ୍‌ର ଏହା ୪୦ ତମ ବୈଠକ ବସିଥିଲା । ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭିଡିଓ କନ୍‌ଫରେନ୍ସିଂ ଜିରଆରେ ସାମିଲ ହୋଇଥିଲେ । ସେତେବେଳେ ଅର୍ଥମନ୍ତ୍ରୀ କହିଥିଲେ ଜୁଲାଇ ୨୦୧୭ ଜାନୁଆରୀଠାରୁ ୨୦୨୦ ଯାଏଁ ଯେଉଁମାନେ ଜିଏସ୍‌ଟିଆର୍‌ ୩ବି ରିଟର୍ଣ୍ଣ ଫାଇଲ କରିନାହାନ୍ତି । ସେମାନଙ୍କୁ ଲେଟ୍‌ ଫିସ୍‌ ଦେବାକୁ ପଡ଼ିବ ନାହିଁ । ସେହିଭଳି ମେ ଏବଂ ଜୁଲାଇ ମଧ୍ୟରେ ଜିଏସ୍‌ଟି ରିଟର୍ଣ୍ଣ ଦାଖଲ କରିବା ସମୟରେ ବିଳମ୍ୱ ଶୁଳ୍କ ଲାଗିବ ନାହିଁ ବୋଲି କୁହାଯାଇଥିଲା ।

ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ପାଇଁ ସମନ ପଠାଇଲା ଇଡି

ମୁମ୍ବାଇ:  ସ୍କାନରରେ ରିୟା ଓ ତାଙ୍କ ପରିବାର ସଦସ୍ୟ । ରିୟାଙ୍କ ଭାଇ ସୌଭିକଙ୍କୁ ପଚରାଉଚରା କରାଯାଉଛି । ସୌଭିକ ସୁଶାନ୍ତଙ୍କ କମ୍ପାନୀରେ ପାର୍ଟନର ଥିଲେ। ସବୁଠାରୁ ଖାସ କଥା ହେଉଛି ଇଡି ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି । କିଛି କାଗଜପତ୍ର ଯାଞ୍ଚ ପାଇଁ ମଧ୍ୟ ମଗାଯାଇଛି । ସେପଟେ ସିବିଆଇ ପୁଣି ସିଦ୍ଧାର୍ଥ ପିଠାନୀ, ନିରଜ ଓ ରଜତ ମେଓ୍ୱାନୀଙ୍କୁ ଜେରା କରୁଛି । ସେହିପରି ସୁଶାନ୍ତଙ୍କ ଓ୍ୱାଚମ୍ୟାନକୁ ମଧ୍ୟ ପଚରାଉଚରା କରାଯାଉଛି । ରିୟାଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ବାପା । ଲମ୍ବା ସମୟ ଧରି ରିୟା ସୁଶାନ୍ତଙ୍କୁ ବିଷ ପିଆଉଥିଲେ । ସେ ହିଁ ହତ୍ୟାକାରୀ । ରିୟା ଓ ତାଙ୍କ ସହଯୋଗୀଙ୍କୁ ତଦନ୍ତକାରୀ ସଂସ୍ଥା ଶୀଘ୍ର ଗିରଫ କରୁ ବୋଲି ସେ ଦାବି କରିଛନ୍ତି । ସେପଟେ ରିୟାଙ୍କ ଡ୍ରଗ୍ସ କାରବାରରେ ଭୁବନେଶ୍ୱର ଲିଙ୍କ ରହିଥିବା ଖବର ସାମ୍ନାକୁ ଆସିଛି । ଡିଲିଟ ହୋଇଥିବା ହ୍ୱାଟ୍ସାଆପ ଚାଟରେ ରିୟାଙ୍କ ସନ୍ଦେହ ଜନକ ମେସେଜକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ରିୟା ସିମୋନ ଖମ୍ବାଟାଙ୍କ ସହ ଚ୍ୟାଟରେ ଭୁବନେଶ୍ୱର ନେଇ କଥା କହିଛନ୍ତି । ସିମୋନଙ୍କ ସହ ଡ୍ରଗ୍ସ ଲିଙ୍କ ନେଇ ଆଗରୁ ଚର୍ଚ୍ଚା ହେଉଥିଲା । ଆଉ ଏବେ ଭୁବନେଶ୍ୱରକୁ ନେଇ ରିୟାଙ୍କ ଚ୍ୟାଟ ସନ୍ଦେହ ବଢାଇଛି । ତେବେ ଭୁବନେଶ୍ୱର ଲିଙ୍କ ନେଇ ସିବିଆଇ, ଇଡି କିମ୍ବା ନାର୍କୋଟିକ ବ୍ୟୁରୋ ପକ୍ଷରୁ ସ୍ପଷ୍ଟ କରାଯାଇନି । ସେପଟେ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଯୋଡ଼ି ହୋଇଛି ଡ୍ରଗ୍ସ ଆଙ୍ଗଲ । ରିୟାଙ୍କ ହ୍ୱାଟ୍ସାଆପ ଚ୍ୟାଟରୁ  ମିଳିଛି ତାଙ୍କ ଡ୍ରଗ୍ସ କନେକ୍ସନକୁ ନେଇ ସୁରାକ । ଏହାକୁ ନେଇ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆକ୍ସନ ମୋଡକୁ ଆସିଛି । ଏଥିପାଇଁ ମାମଲା ରୁଜୁ କରାଯାଇଛି । ଖୁବ ଶୀଘ୍ର ରିୟାଙ୍କୁ ସମନ ପଠାଯିବ ।

ସୁଶାନ୍ତ ମାମଲାରେ ଆର୍ଥିକ କାରବାର ନେଇ ଇଡିର ତଦନ୍ତ ବେଳେ ଡ୍ରଗ୍ସ ଲିଙ୍କ ନେଇ ସୁରାକ ମିଳିଥିଲା । ରିୟାଙ୍କ ସମେତ ୪ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା, ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହା ଓ ଗୌରବ ଆର୍ୟ୍ୟାଙ୍କ ନାଁରେ ମାମଲା ରୁଜୁ ହୋଇଛି । ୪ଜଣଙ୍କ ହ୍ୱାଟ୍ସାଆପ ଚାଟରେ ଡ୍ରଗ୍ସ କାରବାର ନେଇ ତଥ୍ୟ ମିଳିଛି । କିଏ ଡ୍ରଗ୍ସ ନେଉଥିଲେ, କାହାକୁ ଦିଆଯାଉଥିଲା, କେଉଁଠୁ ଆସୁଥିଲା ଓ ଡ୍ରଗ୍ସ ଡିଲର କିଏ ଥିଲେ, ସେନେଇ ପଚରାଉଚରା କରାଯାଇପାରେ ।

ଭଦ୍ରକ, ଯାଜପୁର ଓ ବାଲେଶ୍ଵରରେ ବଡ଼ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର: (ପ୍ରିୟ ପ୍ରିତମ ମହାନ୍ତି): ଭଦ୍ରକ, ଯାଜପୁର ଓ ବାଲେଶ୍ଵରରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ଆଶଙ୍କା । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିଛି ଦିନ ଧରି ଲଗାଣ ବର୍ଷା ପରେ ବୈତରଣୀରେ ଜଳ ପ୍ରଵେଶ କରିଛି । ଗୁରୁବାର ସକାଳୁ ଆନନ୍ଦପୁର ଠାରେ ବୈତରଣୀ ନଦୀରେ ୪୦.୩୫ ମିଟର ଜଳସ୍ତର ରହିଛି । ଯାହା ବିପଦ ସଂକେତ ଠାରୁ ବୁଧବାର ଅପେକ୍ଷା କିଛି ତଳକୁ ଖସିଛି ।

ସେହିଭଳି  ଭଦ୍ରକର ଆଖୁଆପଦା ଠାରେ ୧୯.୭ ମିଟର ରହିଛି ଜଳ ସ୍ତର । ଯାହାକି ଦୁଇ ମିଟର ବିପଦ ସଂକେତ ଉପରେ ରହିଥିବା କୁହାଯାଇଛି । ଆନନ୍ଦପୁରଠାରେ ଜଳସ୍ତର ହ୍ରାସ ପାଇବାର ୮ରୁ ୯ ଘଣ୍ଟା ପରେ ଆଖୁଆପଦା ଠାରେ ଜଳସ୍ତର ହ୍ରାସ ପାଇଥାଏ । ତେଣୁ ଗୁରୁବାର ଅପରହ୍ନ ୩ଟା ପରେ ଜଳସ୍ତର ହ୍ରାସ ପାଇବା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।

ସେହିଭଳି ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁରଠାରେ ଅଧିକ ବର୍ଷା ହୋଇଛି । ସୁନ୍ଦରଗଡ଼ରେ ଅଧିକ ବର୍ଷା କାରଣରୁ ବ୍ରାହ୍ମଣୀ ନଦୀରେ ଜଳସ୍ତର ବଢ଼ିଥିବା ଦେଖାଯାଇଛି । ଇବ୍‌ ଓ ଭେଡେନ୍‌ ନଦୀରେ ୩ ଲକ୍ଷ କ୍ୟୁସେକ୍‌ ଜଳ ହୀରାକୁଦରେ ପ୍ରବେଶ କରିଥିବା ପାଣିପାଗ ବିଭାଗ କହିଛି । ସେହିଭଳି ମାଲକାନଗିରିରେ ୫୦ ମିଲିମିଟର ବର୍ଷା ହୋଇଛି । ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶାରେ ଦୁଇ ଶହ ମିଲିମିଟରର ବର୍ଷା ହୋଇଥିବାରୁ, ବ୍ରାହ୍ମଣୀରେ ଜଳସ୍ତର ବଢ଼ିଥିବା ଜଣାପଡ଼ିଛି ।

ବ୍ରାହ୍ମଣୀର ଉପରମୁଣ୍ଡକୁ ଦେଖି ତଳମୁଣ୍ଡରେ ରିଜର୍ଭର ପରିଚାଳନା ହେଉଛି । ବର୍ତ୍ତମାନ ସୁଦ୍ଧା ରେଙ୍ଗାଲିରେ ଜଳ ପତନ ୧୨୩.୫୬ ମିଟର ରହିଛି । ଏଥିରେ ଆହୁରି ଦୁଇ ମିଟର ପର୍ଯ୍ୟନ୍ତ ଜଳ ସ୍ତର ଉପରକୁ ଉଠିଲେ ମଧ୍ୟ କୌଣସି ବିପଦ ନଥିବା କୁହାଯାଉଛି । ବୁଧବାର ସନ୍ଧ୍ୟା ସୁଦ୍ଧା ବର୍ଷା ନଥିଲା । ହେଲେ ସନ୍ଧ୍ୟା ପରେ ପ୍ରବଳ ହୋଇଛି । ହୀରାକୁଦରେ ବର୍ତ୍ତମାନ ୪ଲକ୍ଷ ୪୫ ହଜାର ଘନଫୁଟ ଜଳ ପ୍ରବେଶ କରୁଛି । ୧ ଲକ୍ଷ ୯୦ ହଜାର କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି । ସେହିଭଳି ତେଲ ନଦୀରୁ ୧ ଲକ୍ଷ ୫୦ ହାଜର କ୍ୟୁସେକ୍‌ ଜଳ ମହାନଦୀକୁ ପ୍ରବେଶ କରୁଛି ।

ଅନ୍ୟପଟେ ଲଗାଣ ବର୍ଷା ପରେ ସ୍ଥିତି ପରଖିବା ପାଇଁ ସବୁ ଅଧିକାରୀଙ୍କୁ ଗ୍ରାଉଣ୍ଡ ଜିରୋକୁ ପଠାଯାଇଛି । ଅଧିକାରୀମାନେ ଯାଜପୁର, ବାଲେଶ୍ୱର, ଭଦ୍ରକ ଆଦି ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି । ରାତ୍ରି ପାଟ୍ରୋଲିଂ ମଧ୍ୟ କରାଯାଉଥିବା ଜଣାପଡ଼ିଛି । ତେବେ ଲଗାଣ ବର୍ଷା ଜନିତ କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି ଜଣାପଡ଼ିଛି ।

ବୈତରଣୀର ତଳିଆ ଅଞ୍ଚଳ ଯେପରି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଓ ଧାମନଗର ବ୍ଲକ, ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ, ବିଂଝାରପୁର ବ୍ଲକ ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଗୁରୁବାର ୩ ଟାରୁ ଜଳସ୍ତର କମିବ ବୋଲି ଆଶା କରାଯାଇଛି । ସକାଳ ୬ଟାରେ କାଳୁଡି ବ୍ୟାରେଜରୁ ପାଣି ଛଡା ଯାଇଛି । ଶୁକ୍ରବାର ସନ୍ଧ୍ୟା ୬ଟାରେ ରାଜଘାଟ ପହଞ୍ଚିବ ପହଞ୍ଚିବ ବନ୍ୟା ଜଳ । ତେଣୁ ସୁବର୍ଣ୍ଣରେଖା ବିପଦ ସଂକେତ ଉପରକୁ ଯିବା ସହ ମଧ୍ୟମ ଧରଣର ବର୍ଷା ହେବ ବୋଲି ସମ୍ଭାବନା ରହିଛି । ବୁଢ଼ାବଳଙ୍ଗ ବିପଦ ସଂକେତ ସ୍ତରରେ ଅଛି । ବୈତରଣୀ  ବିପଦ ସଂକେତରଦୁଇ ମିଟର ଉପରେ ଅଛି ।

ଝାଡ଼ଖଣ୍ଡ ଉପରମୁଣ୍ଡ, କୁଚିଣ୍ଡା, ବାରକୋଟରେ ପ୍ରବଳ ବର୍ଷା ହୋଇ ବ୍ରାହ୍ମଣୀରେ ଜଳ ପ୍ରବେଶ କରିଛି । ରେଙ୍ଗାଲି ରେ ପ୍ରତି ଘଣ୍ଟାରେ ୪ ସେଣ୍ଟିମିଟର ଜଳ ସ୍ତର ବଢୁଛି । ବୁଢାବଳଙ୍ଗ ନଦୀ ଜରିଆରେ ବୈତରଣୀ ପାଣି ବି ବ୍ରାହ୍ମଣୀରେ ପଶୁଛି । ତେଣୁ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି ।

ଅନ୍ୟପଟେ ରାଜ୍ୟରେ ଲଗାଣ ବର୍ଷା ନେଇ ପ୍ରଦୀପ ଜେନା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ବ୍ରାହ୍ମଣି ଓ ବୈତରଣୀ ଉପରେ ନଜର ରଖାଯାଇଛି । ଲଗାଣ ବର୍ଷା ହେଉଥିବା ଜଳ ସ୍ତ ବଢ଼ୁଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି ।