spot_img
Home Blog Page 6775

ଚୀନ ବିରୋଧରେ ଚିକାଗୋରେ ବିକ୍ଷୋଭ ପ୍ରଦର୍ଶନ

ୱାଶିଂଟନ: ତେଜିବାରେ ଲାଗିଛି ଚୀନ ବିରୋଧୀ ସ୍ୱର । ବିଶ୍ୱରେ ଚୀନ୍ କରୋନା ଭାଇରସ୍ ବିସ୍ତାର ଓ ଅର୍ଥନୀତିକୁ କ୍ଷତି ପହଞ୍ଚାଇବା ଅଭିଯୋଗରେ ଆମେରିକାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚିକାଗୋ ସ୍ଥିତ ଚାଇନିଜ୍ କନ୍ସୁଲେଟ୍ ଆଗରେ ବିକ୍ଷୋଭ ପ୍ରତିବାଦ କରିଛନ୍ତି ପ୍ରବାସୀ ଓ ଆମେରିକୀୟ । ଚୀନ୍ ନିଜ ବଳ ଅନ୍ୟ ଦେଶ ଉପରେ ପ୍ରୟୋଗ କରୁଛି । ଆମେରିକାରୁ ଚାକିରି ଛଡ଼ାଇ ନେଉଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ ।

ଚୀନ୍ ଆମେରିକୀୟଙ୍କ ଚାକିରି ଚୋରି କରୁଛି । ଧମକ ଦେଇ ଚୀନ ନିଜ ଦେଶ ଚାରିପଟେ ଥିବା ରାଷ୍ଟ୍ରକୁ ଭୟଭୀତ କରୁଛି । ଭିଏତନାମ, ତାଇୱାନ୍, ସିଙ୍ଗାପୁର ଓ ଭାରତ ଚୀନ ଦ୍ୱାରା ପୀଡ଼ିତ ହେଉଛନ୍ତି । ଡ୍ରାଗନ ନିଜ ବଳ ପ୍ରୟୋଗ କରି ଅନ୍ୟମାନଙ୍କ ସ୍ୱର ଦବାଇବା ସହ ଭୟଭୀତ କରାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ ।

୧୪୪ ଧାରା ଉଚ୍ଛେଦ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ

 

ମାଲକାନଗିରି: ଭିଜିଲାନ୍ସ ଟ୍ରାପରେ ବରିଷ୍ଠ କିରାଣି । ମାଲକାନଗିରି ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣି ଭିଜିଲାନ୍ସରେ ଜାଲରେ ଫସିଛନ୍ତି । ବରିଷ୍ଠ କିରାଣି ଅକ୍ଷୟ ନାୟକଙ୍କୁ ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ । ଅକ୍ଷୟ ଏକ ଜମିଜମା ମାମଲାରେ ଜାରି ହୋଇଥିବା ୧୪୪ ଧାରା ଉଚ୍ଛେଦ କରିବାକୁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।

ପ୍ରଥମେ ଗତକାଲି ୨୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଆଜି ଆଉ ୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଅକ୍ଷୟ ନାୟକ । ପୂର୍ବ ପ୍ରସ୍ତୁତି ମୁତାବକ ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣି ଲାଞ୍ଚ ନେବାବେଳେ ଜୟପୁର ଓ ମାଲକାନଗିରି ଭିଜିଲାନ୍ସ ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲେ ।

କାଲିଠୁ ୪ ଦିନିଆ ବ୍ରହ୍ମପୁର ସଟ୍‌ଡାଉନ୍‌

ବ୍ରହ୍ମପୁର: ଆସନ୍ତାକାଲିଠୁ ୪ ଦିନିଆ ବ୍ରହ୍ମପୁର ସଟ୍‌ଡାଉନ୍‌ । ଲଗାତାର ସହରରେ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏହି ୪ ଦିନ ମଧ୍ୟରେ ସହରର ଘରକୁ ଘରକୁ ଯାଇ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏଥିସହ କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍‌, ହୋମ୍‌ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥାର ଯାଞ୍ଚ କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୭୦ଟି ଟିମ୍ ଗଠନ କରାଯାଇଛି । ସଟ୍‌ଡାଉନ୍‌ ବେଳେ କେବଳ ସ୍ୱାସ୍ଥ୍ୟସେବା ଓ ଦୁଗ୍ଧ ବଣ୍ଟନ ଜାରି ରହିବ ।ତେବେ ବ୍ରହ୍ମପୁର ସହରର ବାକି ସବୁ ଦୋକାନ ବଜାର ବନ୍ଦ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାସହ ବର୍ତ୍ତମାନ ସହରରର ବିଭିନ୍ନ ମୁଖ୍ୟ ଛକ ଗୁଡ଼ିକରେ ବ୍ୟାରିକେଡ କରାଯାଇ ଆବଦ୍ଧ କରାଯାଇଛି । ଆଜି ସକାଳ ୭ଟାରୁ ଦିନ ୨ଟା ଯାଏଁ ବ୍ରହ୍ମପୁର ସହରରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଥିଲା । ତେବେ, ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଫାଇନ୍‌ ଆଦାୟ ସହ ନର୍ସିଂହୋମ୍‌ ଓ ମଲ୍‌ ସିଲ୍‌ କଲା ପ୍ରଶାସନ

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନ ପରେ ଆକ୍ସନ ମୋଡ୍‌ରେ ପ୍ରଶାସନ । ବିଭିନ୍ନ ନର୍ସିଂହୋମ୍‌ ଓ ମଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଚଢ଼ାଉ ପରେ ଫାଇନ୍ ଆଦାୟ ସହ ସିଲ୍‌ କରିଛି ପ୍ରଶାସନ । କଟକ, ଖୋର୍ଦ୍ଧା ଓ ଭଦ୍ରକରେ ବିଭିନ୍ନ ନର୍ସିଂ ହୋମକୁ ସିଲ୍‌ କରାଯାଇଥିବା ବେଳେ ଢେଙ୍କାନାଳରେ ମଲ୍‌ ଉପରେ ଚଢାଉ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଯାଇଛି ।

ନର୍ସିଂହୋମ୍‌ ଓ ମଲ୍‌ରେ ଚଢ଼ାଉ । ମହଙ୍ଗା ପଡ଼ିଲା କୋଭିଡ୍‌ ନିୟମ ଉଲ୍ଲଂଘନ । ସୋସିଆଲ୍‌ ଡିଷ୍ଟାନ୍ସିଂ ନମାନି ଗଣିଲେ ତଣ୍ଡ । ଫାଇନ୍‌ ଆଦାୟ ସହ ସିଲ୍‌ କଲା ପ୍ରଶାସନ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ଆକ୍ସନ ମୋଡ୍‌ରେ ପ୍ରଶାସନ । ବିଭିନ୍ନ ନର୍ସିଂହୋମ୍‌ ଓ ମଲ୍‌ରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢାଉ କରିଛି । କଟକରେ କଲେଜ ଛକଠାରୁ ମଙ୍ଗଳାବାଗ ଯାଏଁ ୨୦ରୁ ଅଧିକ ନର୍ସିଂହୋମ୍ ଓ କ୍ଲିନକ୍‌ ଉପରେ ଚଢାଉ କରି ଫାଇନ୍‌ ଆଦାୟ ସହ ସିଲ୍‌ କରାଯାଇଛି । ଖୋର୍ଦ୍ଧା ଓ ଜଟଣୀରେ ମଧ୍ୟ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।

ଭଦ୍ରକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୩ଟି ଟିମ୍ ଗଠନ କରି ଚଢ଼ାଉ କରାଯାଇଛି । ତେବେ, ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ରୋଗୀଙ୍କୁ ଦାୟୀ କରିଛନ୍ତି ନର୍ସିଂହୋମ୍‌ କର୍ତ୍ତୃପକ୍ଷ । ଢେଙ୍କାନାଳ ଦକ୍ଷିଣକାଳୀ ରୋଡ୍‌ରେ କୋଭିଡ୍ ନିୟମ୍ ଉଲ୍ଲଂଘନ ଅଭିଯୋଗରେ ରିଲାଏନ୍ସ ଷ୍ଟୋରକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । ଅନୁମତି ନନେଇ ଏହି ମଲ୍‌ ଉଦଘାଟନ କରାଯାଉଥିଲା । ଉଦଘାଟନ ସମୟରେ ମଲ୍‌ର ଭିତରେ ଓ ବାହାରେ ଜମିଥିଲା ଲୋକଙ୍କ ଭିଡ଼ । ତେଣୁ ମଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍‌ କରିଛି ପ୍ରଶାସନ ।

ଚାଇନା କମ୍ପାନୀଠୁ ମୁହଁ ମୋଡି କିଣନ୍ତୁ ଏଇ ମୋବାଇଲ, ୬ହଜାରର ରିହାତି ବି ପାଆନ୍ତୁ

ଚାଇନାର ମୋବାଇଲ କମ୍ପାନୀ ଭାରତୀୟ ବଜାରରେ ରାଜ କରୁଛନ୍ତି । ଶସ୍ତା ଦରରେ ଉନ୍ନତମାନର ମୋବାଇଲ ଯୋଗାଇ ଭାରତୀୟ ଗ୍ରାହକଙ୍କୁ ବାନ୍ଧି ରଖିଥିବା ଭିଭୋ, ଓପୋ ଓ ସାଓମି ଭଳି କମ୍ପାନୀଠାରୁ ଏବେ ମୋବାଇଲ କିଣିବା ପାଇଁ ଦେଶରେ ଆନ୍ତରିକତା କମିଲାଣି । ଚାଇନା ଭାରତ ବିବାଦ ପରେ ଲୋକେ ଚାଇନା ବିରୋଧରେ ଅର୍ଥନୀତିକ ଯୁଦ୍ଧ ଜିତିବାକୁ ଚାହୁଁଛନ୍ତି । ଏଣୁ ମୋବାଇଲର ମାନ ସହ ସାଲିସ ନକରି ଚାଇନା କମ୍ପାନୀ ଭିନ୍ନ ଅନ୍ୟ ସଂସ୍ଥାର ମୋବାଇଲ କିଣିବାକୁ ଆପଣ ଇଚ୍ଛୁକ କି ? ତେବେ ଆପଣଙ୍କ ପାଖରେ ଏକ ଭଲ ସୁଯୋଗ ଅଛି ।

ଫ୍ଲିପକାର୍ଟରେ ଏବେ ବିଗ୍ ସେଭିଂ ଡେଜ୍ ସେଲ୍ ଚାଲିଛି । ସେଲରେ  ତାଇବାନର ଏକ କମ୍ପାନୀର ଭଲ ଫିଚର ବିଶିଷ୍ଟ ମୋବାଇଲ ଫୋନର ବିକ୍ରି ଆରମ୍ଭ ହୋଇଛି ।  Asus Zenfone Max M1  ନାମକ ଏହି ମୋବାଇଲ ଚାଇନାର ମୋବାଇଲକୁ ଉଭୟ ଦର ଓ ମାନରେ ଟକର୍ ଦେଇ ପାରିବ । ଏଣୁ ଚାଇନା ମୋବାଇଲ ବଦଳରେ ଏହି ମୋବାଇଲକୁ କିଣା ଯାଇ ପାରିବ । ଏହି ମୋବାଇଲରେ ୬ ହଜାର ଟଙ୍କା(୩୨ ପ୍ରତିଶତ)ର ରିହାତି ରହିଥିବା ବେଳେ ବହୁତ ଉନ୍ନତମାନର ଫିଚର ରହିଛି । ଆପଣ ୮୯୯୯ ଟଙ୍କାରେ ଏହି ମୋବାଇଲ ପାଇ ପାରିବେ । ଅନ୍ୟପକ୍ଷରେ ଏହି ମୋବାଇଲ ଖରିଦ ପାଇଁ ଇଏମଆଇ ସୁବିଧା ଓ ରିହାତିର ସୁବିଧା ମଧ୍ୟ ରହିଛି ।

ଭାରତକୁ ଟାର୍ଗେଟ୍ କରି ଆମେରିକାକୁ ଉସକାଉଛି ଚୀନ୍ !

୨୦୧୯ର ଶେଷଭାଗ ବେଳକୁ ଚୀନ୍ କରୋନାର ଶୀକାର ହୋଇଥିଲା । କିନ୍ତୁ ଚୀନ୍ କରୋନାର ଭୟାବହତାକୁ ଲୁଚାଇ ରଖିଥିଲା । ଚୀନ୍ କରୋନା କବଳରୁ ମୁକୁଳୁଥିବା ବେଳେ ବାକି ବିଶ୍ୱ ଏହାର ଶିକାର ହୋଇଥିଲା । ଆଉ ଏହାରି ଭିତରେ ଚୀନ୍ ତାର ଯୋଜନାକୁ କାର୍ଯ୍ୟକାରୀ କରିବାରେ ଲାଗୁଛି । ଗୋଟିଏ ପଟେ ଏହା ଲଦାଖରେ ଅନୁପ୍ରବେଶ କରି ଭାରତକୁ ଯୁଦ୍ଧ ଆଡକୁ ଟାଣୁଛି । ଅନ୍ୟପକ୍ଷରେ ଚୀନର ବୁଡା ଜାହଜ ଜାପାନକୁ ଉସକାଉଛନ୍ତି । ସେହିଭଳି ତାଇୱାନ ବାୟୁସୀମା ଭିତରକୁ ଡ୍ରାଗନର ଫାଇଟର ପ୍ଲେନ୍ ଉଡାଣ ଭରୁଛନ୍ତି । ଏମିତି ଗୋଟିଏ ଦିନ ବିତୁନି ଯେଉଁଦିନ ଚୀନ ବାୟୁସେନା ତାଇୱାନ ବାୟୁସୀମାକୁ ଉଲ୍ଲଂଘନ କରୁନି । ଯାହାକୁ ନେଇ ଆମେରିକା ଓ ୟୁରୋପରେ ମଧ୍ୟ ହଲଚଲ ସୃଷ୍ଟି ହେଲାଣି । ବିଶେଷଜ୍ଞ କହୁଛନ୍ତି ଯେ, ଚୀନ୍ ଭାରତ,ଜାପାନ ଓ ତାଇୱାନକୁ ଆଖି ଦେଖାଇବାର ପ୍ରକୃତ କାରଣ ହେଉଛି ଆମେରିକାକୁ ଉସକାଇବା ।

 ଦୁନିଆକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି ଚୀନ୍

ଚୀନ ସେନା ଯେଉଁ ଦୁଃସାହସ ଦେଖାଉଛି ସେଥିରୁ ଅନୁମାନ କରାଯାଉଛି ଯେ, ଚୀନ୍ ବାକି ବିଶ୍ୱକୁ ଚ୍ୟାଲେଂଜ କରିବାର ଆତ୍ମବିଶ୍ୱାସ ହାସଲ କରିଛି । ଚୀନ୍ ବିଶ୍ୱର ଆଗାମୀ ସୁପର ପାୱାର ହେବାକୁ ଯେଉଁ ସ୍ୱପ୍ନ ଦେଖୁଥିଲା ତାକୁ ଲାଗୁଛି ଯେ, କରୋନା ସେହି ସମୟ ଆଣିଛି । ଚୀନ୍ ତାର ସବୁ ପଡୋଷୀ ଦେଶଙ୍କ ସହ କୁସ୍ତି ଲଢିବାକୁ ଚାହୁଁଥିବା ଏହାର କାମରୁ ଜଣା ପଡୁଛି । କାମ୍ବୋଡିଆ,ତାଇୱାନ,ଜାପାନ,ମାଲେଶିଆ,ଇଣ୍ଡୋନେସିଆ,ଭିଏତନାମ ସବୁ ଦେଶଙ୍କ ସହ ଚୀନ ମୁହାଁମୁହିଁ ପରିସ୍ଥିତିରେ ଅଛି । ୧୯୭୯ ମସିହାରେ ଭିଏତନାମ ସହ ଯୁଦ୍ଧ ପରଠାରୁ ଚୀନ୍ ପ୍ରଥମ ଥର ପାଇଁ ଭାରତୀୟ ସେନାଙ୍କ ସହ ମୁହାଁମୁହିଁ ହୋଇଛି । ଏଥିରେ ଗୁଳିଗୋଳା ଚାଲିନି କିନ୍ତୁ ଏହା ଆଗକୁ ମଧ୍ୟ ବଢିପାରେ । ଚୀନ ତା’ର କେତେ କ୍ଷୟକ୍ଷତି ହୋଇଛି କହୁନି କିନ୍ତୁ ବିଶେଷଜ୍ଞଙ୍କ କହିବା ହେଉଛି ଏହାଯୋଗୁ ଆକ୍ସିଡେଣ୍ଟାଲ ସଟ୍ ଫାୟାର ହୋଇପାରେ ।

ଚୀନ୍ ପାଖରେ ଅଧିକ ସୈନ୍ୟ ଶକ୍ତି

ଚୀନର ସାମରିକ ଶକ୍ତି ଆମେରିକାଠାରୁ ଅଧିକ ନୁହେଁ । କିନ୍ତୁ ଚୀନ୍ ସେହି ଅନ୍ତରକୁ କମ କରିବାକୁ ଆଗେଇ ଚାଲିଛି । ଚୀନ୍ ୧୯୯୦ ମସିହାରୁ ସାମରିକ ଆଧୁନିକୀକରଣ ପ୍ରୋଗ୍ରାମ ଆରମ୍ଭ କରିଛି । ଏକ ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ କରୋନା ମହାମାରୀ କାଳରେ ମଧ୍ୟ ସେନା ଓ ସାମରିକ ଶକ୍ତିକୁ ଅଗ୍ରାଧିକାର ଦେଇଛନ୍ତି । ଚଳିତ ବର୍ଷ ଚୀନର ସାମରିକ ବଜେଟ୍ ୬.୬ ପ୍ରତିଶତ ବଢି ୧୮୦ ବିଲିୟନ ଡଲାର ହୋଇଛି । ଆମେରିକାର ନୌସେନା କ୍ଷମତା ଓ ଚୀନ୍ ନୌସେନା କ୍ଷମତା ମଧ୍ୟରେ ଥିବା ଅନ୍ତର କମିବାରେ ଲାଗିଛି । ୱାସିଂଟନ କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସର ରିପୋର୍ଟ ଅନୁସାରେ ଚଳିତ ବର୍ଷ ଅନ୍ତସୁଧା ଚୀନ୍ ପାଖରେ ୩୩୫ ଯୁଦ୍ଧଜାହଜ ହୋଇଯିବ,ଯେତେବେଳେକି ଆମେରିକା ପାଖରେ ରହିବ ୨୮୫ । ଯାହା ଆମେରିକାର ନୌସେନା କ୍ଷମତାକୁ ଚ୍ୟାଲେଂଜ୍ କରିବ ।

india china army

ନିଶାନାରେ ଭାରତ ନୁହେଁ ଆମେରିକା !

ଭାରତ ସହ ଚୀନର ସୀମା ବିବାଦ ଚାଲିଛି । କିନ୍ତୁ ଭାରତ ନୁହେଁ ଆମେରିକା ଚୀନର ନିଶାନାରେ ଅଛି ବୋଲି କୁହନ୍ତି ବିଶେଷଜ୍ଞ । ଭାରତ ସୀମାରେ ଉପଦ୍ରବ କରି ଆମେରିକାକୁ ଉସକାଇବା ଚୀନର ଲକ୍ଷ୍ୟ । ଆମେରିକା ମଧ୍ୟ ନିଜ ଆଧିପତ୍ୟ ବଜାୟ ରଖିବା ପାଇଁ ଚୀନର ପଡୋଷୀ ଦେଶ ଗୁଡିକରେ ନିଜ ଉପସ୍ଥିତି ଜାହିର କରୁଛି । ତାଇୱାନକୁ ଏଫ୍-୧୬ ଫାଇଟର ପ୍ଲେନ୍ ବିକ୍ରି ପାଇଁ ଆମେରିକା ଚିନ୍ତା କରୁଛି । ଚୀନର ଅଭିଯୋଗ ଯେ, ଆମେରିକା ସେହି କ୍ଷେତ୍ରରେ ହସ୍ତକ୍ଷେପ କରୁଛି ଯେଉଁଠି ତାହାର କୌଣସି ଅଧିକାର ନାହିଁ । ଦକ୍ଷୀଣ ଚୀନ୍ ସାଗର ଓ ତାଇୱାନରେ ଆମେରିକାର ହସ୍ତକ୍ଷେପ ଚୀନକୁ ଅଧିକ ଉତକ୍ଷିପ୍ତ କରିଛି ।ତେଣୁ ଆମେରିକାକୁ ଚୀନ୍ ଉସକାଉଉଛି ।

 

ସେକେଣ୍ଡ ପିଛା ୮୪ କିଲୋମିଟର ସ୍ପିଡରେ ଆକାଶରୁ ଖସୁଛି ମୃତ୍ୟୁ

ଭୁବନେଶ୍ୱର: ଆକାଶରୁ ଖସୁଛି ମୃତ୍ୟୁ । ଅକାଳରେ ଝଡ଼ି ଯାଉଛି ଜୀବନ । ଗତ ୨୪ ଘଣ୍ଟାରେ ବିହାର ଓ ଉତ୍ତର ପ୍ରଦେଶରେ ବଜ୍ରପାତରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୨୦୧୭ ମସିହାରେ ୨୮୮୫ ଓ ୨୦୧୮ ମସିହାରେ ୨୩୫୭ ଜଣଙ୍କ ମୃତ୍ୟୁ ବଜ୍ରାଘାତରେ ହୋଇଛି । ସେହିଭଳି ଓଡ଼ିଶାରେ ବର୍ଷକୁ ବଜ୍ରପାତରେ ପ୍ରାୟ ୪୦୦ ଜଣଙ୍କ ମୃତ୍ୟୁ ହେଉଛି । ତେବେ, ୮୫ ପ୍ରତିଶତ ବଜ୍ରପାତ ମୃତ୍ୟୁ ମେ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ହେଉଥିବା ରିପୋର୍ଟ କହୁଛି । ଓଡ଼ିଶାରେ ୨୦୧୭-୧୮ ମସିହାରେ ୪୫୬ ଓ ୨୦୧୮-୧୯ ମସିହାରେ ୩୨୦ ଜଣଙ୍କ ଜୀବନ ନେଇଛି ବଜ୍ରାଘାତ । ତେବେ, ଏହି ବିଜୁଳି କାହିଁକି ମାରେ ? କଣ ପାଇଁ ନିମିଷକେ ଚାଲିଯାଏ ମଣିଷର ଜୀବନ ?

ବଜ୍ରପାତ ବା ଆକାଶରୁ ବିଜୁଳି ପଡ଼ିବା ଏକ ପ୍ରାକୃତିକ ଘଟଣା । ଯଦି ପୂରା ଦୁନିଆରେ ଆକାଶରୁ ଖସୁଥିବା ବିଜୁଳିର ଗଣନା କରାଯାଏ ତେବେ, ପ୍ରତିଦିନ ପ୍ରାୟ ୫୦ରୁ ଶହେ ଥର ବିଜୁଳି ମାରିଥାଏ ।

ଆକାଶରୁ ଖସୁଥିବା ବିଜୁଳି ନାମକ ମୃତ୍ୟୁର ତାପମାତ୍ରା ଅନେକ ସମୟରେ ସୂର୍ଯ୍ୟର ତାପମାତ୍ରା ଠାରୁ ଅଧିକ ହୋଇଥାଏ । ସାଧାରଣତଃ ହାରାହାରି ୧୭ ହଜାର ଡିଗ୍ରୀ ସେଲସିୟସରୁ ନେଇ ୨୭ ହଜାର ଡିଗ୍ରୀ ସେଲସିୟସ୍ ଯାଏଁ ହୋଇଥାଏ ବିଜୁଳି ବା ବଜ୍ରପାତର ତାପମାତ୍ରା । ଯେତେବେଳେ କି ସୂର୍ଯ୍ୟଙ୍କ ହାରାହାରି ତାପମାତ୍ରା ୫୫୦୫ ଡିଗ୍ରୀରୁ ନେଇ ୧୦ ହଜାର ଡିଗ୍ରୀ ସେଲସିୟସ ହୋଇଥାଏ ।

ଆକାଶରୁ ବିଜୁଳି ବହୁତ୍ ଜୋରରେ ପୃଥିବୀ ଆଡ଼କୁ ଆସିଥାଏ । ବିଜୁଳିର ବେଗ ଘଣ୍ଟାପ୍ରତି ୩ ଲକ୍ଷ କିଲୋମିଟର ହୋଇଥାଏ । ଅର୍ଥାତ୍ ବଜ୍ରପାତର ବେଗ ସେକେଣ୍ଡ ପ୍ରତି ୮୪ କିଲୋମିଟର ଅଟେ ।ଆକାଶରୁ ଖସୁଥିବା ବିଜୁଳି ବିଦ୍ୟୁତ୍ ଶକ୍ତି ପରି । ବାଦଲରେ ଥିବା ହାଲୁକା କଣିକା ଉପରକୁ ଯିବାବେଳେ ପଜିଟିଭ୍ ଚାର୍ଜ ସୃଷ୍ଟି ହୋଇଥାଏ । ଭାରି କଣିକା ତଳେ ଜମା ହୋଇ ନେଗେଟିଭ୍ ଚାର୍ଜ ହୋଇଯାଏ । ଯେତେବେଳେ ପଜିଟିଭ୍ ଓ ନେଗେଟିଭ୍ ଚାର୍ଜ ଅଧିକ ହୋଇଯାଏ ସେତେବେଳେ ବିଜୁଳି ମାରେ ।

ଏହିପରି ଅଧିକାଂଶ ପ୍ରକ୍ରିୟା ବାଦଲରେ ହିଁ ଶେଷ ହୋଇ ଯାଇଥାଏ । କିନ୍ତୁ, କେତକ ସମୟରେ ଏହା ପୃଥିବୀ ପୃଷ୍ଠରେ ଖସିପଡ଼େ । ଆକାଶରୁ ଖସୁଥିବା ଏହି ବିଜୁଳିରେ ଲକ୍ଷ ଆରବ ଭୋଲ୍ଟର ଶକ୍ତି ଥାଏ । ବିଜୁଳିରେ ଅତ୍ୟଧିକ ତାପମାତ୍ରା ଥିବାରୁ ଜୋରରେ ଶବ୍ଦ ସୃଷ୍ଟି ହୋଇଥାଏ ।

ବାଦଲରୁ ବିଜୁଳି ସୃଷ୍ଟି ସମୟରେ ଧରିତ୍ରୀ ପୃଷ୍ଠରେ ଥିବା ଇଲେକ୍ଟ୍ରିକ୍ ଚାର୍ଜ ବଦଳି ଯାଇଥାଏ । ପୃଥିବୀ ପୃଷ୍ଠର ଉପର ଭାଗ ପଜିଟିଭ୍ ଚାର୍ଜ ହୋଇଯାଏ । ଯେତେବେଳେ କି ତଳ ଭାଗ ନେଗେଟିଭ୍ ଚାର୍ଜ ହୁଏ । ଉଚ୍ଚ ମୀନାର, ଟାୱାର, କୋଠା ପଜିଟିଭ୍ ଚାର୍ଜ ହୋଇଯାଏ ଏବଂ ପଜିଟିଭ୍ ବାଦଲକୁ ତା’ଆଡ଼କୁ ବାଦଲକୁ ଆକର୍ଷିତ କରେ । ସେତେବେଳେ ବିଜୁଳି ତଳକୁ ଆସେ । ଏଥିପାଇଁ ଉଚ୍ଚ କୋଠାରେ ଅଧିକ ବିଜୁଳି ମାଡ଼ ହୋଇଥାଏ ।

ବଜ୍ରାପାତରୁ ବର୍ତ୍ତିବା ପାଇଁ କିଛି ଜରୁରୀ ଉପାୟ କରିବା ଦରକାର । ଯଦି ଆପଣଙ୍କ ମୁଣ୍ଡର ଚୁଟି ଛିଡ଼ା ହୋଇଯାଏ କିମ୍ବା ହଲିବାକୁ ଲାଗେ ତେବେ ତୁରନ୍ତ ତଳେ ବସି ପଡ଼ି କାନକୁ ବନ୍ଦ କରି ଦିଅନ୍ତୁ । କାରଣ ଏହା ହେଉଛି ଆପଣଙ୍କ ଆଖପାଖରେ ବଜ୍ରପାତ ହେବାର ସଂକେତ । ଯଦି ସମ୍ଭବ ଆପଣଙ୍କ ପାଦ ତଳେ କାଠ, ପ୍ଲାଷ୍ଟିକ, ଅଖା ଓ ଶୁଖିଲା ପତ୍ର ରଖନ୍ତୁ ।

ଦୁଇ ପାଦକୁ ଏକାଠି କରନ୍ତୁ । ଦୁଇ ହାତକୁ ଆଣ୍ଠୁ ଉପରେ ରଖି ମୁଣ୍ଡକୁ ଭୂମିକୁ ନୁଆଁଇ ରଖନ୍ତୁ । କିନ୍ତୁ, ମୁଣ୍ଡକୁ ଭୂମିରେ ଛୁଆନ୍ତୁ ନାହିଁ । ଏପରିକି ଭୂମିରେ ଶୁଅନ୍ତୁ ନାହିଁ । ବୈଦ୍ୟୁତିକ ଉପକରଣ ଠାରୁ ଦୂରେଇ ରୁହନ୍ତୁ । ତାର ଥିବା ଟେଲିଫୋନର ବ୍ୟବହାର କରନ୍ତୁ ନାହିଁ । ଝରକା, କବାଟ ଓ ଛାତ ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ।

ଗଛ ବିଜୁଳିକୁ ଆକର୍ଷିତ କରେ । ଏଥିପାଇଁ ବଜ୍ରପାତ ବେଳେ ଗଛ ତଳେ ଛିଡ଼ା ହୁଅନ୍ତୁ ନାହିଁ । ସାମୁହିକ ଏକତ୍ର ହୁଅନ୍ତୁ ନାହିଁ । ଅଲଗା ଅଲଗା ହୋଇ ଛିଡ଼ା ହୁଅନ୍ତୁ । ଘରୁ ବାହାରେ ଥିଲେ ଧାତୁ ତିଆରି ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ । ବାଇକ୍, ବିଦ୍ୟୁତ୍ ଖୁଣ୍ଟ ଓ ମେସିନ ଠାରୁ ଦୂରେଇ ରୁହନ୍ତୁ ।

ବାହୁଡ଼ା ଯାତ୍ରାରୁ ନୀଳାଦ୍ରି ବିଜେ ନୀତିର ଶୃଙ୍ଖଳିତ ପରିଚାଳନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ଶ୍ରୀଗୁଣ୍ଡିଚା ଯାତ୍ରା ପରି ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ନୀତିର ଶୃଙ୍ଖଳିତ ପରିଚାଳନା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏସବୁ ନୀତିର ସୁପରିଚାଳନା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀଗୁଣ୍ଡିଚା ଯାତ୍ରା ଯେପରି ସୂଚାରୁ ରୂପେ ସମ୍ପାଦିତ ହେଲା, ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

କୋଭିଡ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିବା ସେବାୟତଙ୍କୁ ନେଇ ଶ୍ରୀଜିଉଙ୍କ ନୀତି କରିବା ଓ ପୁରୀରେ କୋଭିଡ୍‌ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନେ ଘରେ ରହି ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ନୀତି ଯେପରି ଦର୍ଶନ କରିପାରିବେ, ସେଥିପାଇଁ ଟିଭିରେ ସିଧାପ୍ରସାରଣ ବ୍ୟବସ୍ଥା ଲାଗି ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଭିଡିଓ କନଫରେନ୍ସିଂରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ରଥଯାତ୍ରା ଦାୟିତ୍ୱରେ ଥିବା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜି, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

୨୦୨୧ରେ ସୁନା ଦାମ ୧୦ ଗ୍ରାମ ପ୍ରତି ହେବ ୮୦ ହଜାର ଟଙ୍କା !

ସିୟା କକ୍କରଙ୍କୁ ଆସୁଥିଲା ଧମକ୍ ! କଲ ଡିଟେଲସ୍ ଖୋଲିପାରେ ମୃତ୍ୟୁର ରହସ୍ୟ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଟିକଟକ୍ ଷ୍ଟାର ସିଆ କକ୍କରଙ୍କ ଆତ୍ମହତ୍ୟା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ଏହି ମାମଲାର ଯାଞ୍ଚ କରୁଥିବାବେଳେ କୌଣସି ଖିଅ ପୋଲିସ ହାତରେ  ଏଯାଏଁ ଲାଗିନି ।  ସିୟାଙ୍କ ଆତ୍ମହତ୍ୟା ନେଇ ପୋଲିସ ଲଗାତାର ପରିବାର ଲୋକଙ୍କ ସହ ସ୍କୁଲ ସାଙ୍ଗ ମାନଙ୍କୁ ପଚରାଉଚରା କରୁଛି । ପୋଲିସ  ସିୟାଙ୍କ ମ୍ୟାନେଜରଙ୍କୁ  ମଧ୍ୟ ପଚରାଉଚରା ଜାରି ରଖିଛି । ସିୟା ପୂର୍ବ ଦିଲ୍ଲୀର ଗୀତା କଲୋନୀରେ ନିଜ ପରିବାର ସହ ରହୁଥିଲେ । ସୂଚନା ଅନୁଯାୟୀ, ସବୁଦିନ ସୋସିଆଲ ମିଡିଆରେ ଡାନ୍ସ ଭିଡିଓ ସେୟାର କରିବା ନେଇ ସିୟାଙ୍କୁ ଧମକ ଆସୁଥିଲା , ଯେଉଁଥିପାଇଁ ସିୟା ଖୁବ ଚିନ୍ତିତ ଥିଲେ ।     
ପୋଲିସ ସିୟାଙ୍କ ମୋବାଇଲ ଫୋନ ଜବତ କରିଛି  । ଏଥିସହିତ ସିୟାଙ୍କ କଲ ରେକର୍ଡ ବାହାର କରିବା ପ୍ରସ୍ତୁତି ଆରମ୍ଭ କରିଛି ପୋଲିସ । ଯେଉଁଥିରେ ଏହା ଜଣାପଡ଼ିବ ଯେ ସେ ଶେଷ ଥର ପାଇଁ କାହା ସହିତ କଥା ହୋଇଥିଲେ । ଏହା ସହିତ ପୋଲିସ ତାଙ୍କର କ୍ୟାମେରା ଏବଂ ଲ୍ୟାପଟପରୁ କିଛି ଫଟୋ ନେଇଛନ୍ତି ।

https://www.youtube.com/watch?v=47IH9KnC-qc&t=17s

ସିୟା କକ୍କରଙ୍କ ଆତ୍ମହତ୍ୟାକୁ ନେଇ ପରିବାର ଲୋକ କହିଛନ୍ତି ଯେ, ବୁଧବାର ଦିନ ଯେତେବେଳେ ତାଙ୍କୁ ଖାଇବା ପାଇଁ ଡକାହେଲା ସେତେବେଳେ ତାଙ୍କ ରୁମର କବାଟ ଭିତର ପଟୁ ବନ୍ଦ ଥିଲା । ଯେତେବେଳେ ଦୀର୍ଘ ସମୟ ଧରି କୌଣସି ପ୍ରତିକ୍ରିୟା ମିଳିଲା ନାହିଁ ସେତେବେଳେ କବାଟ ଭଙ୍ଗା ଯାଇଥିଲା । ରୁମ ଭିତରେ ସିୟାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରିବାର ଲୋକ ବ୍ୟସ୍ତବିବ୍ରତ ହୋଇ ସିୟାଙ୍କୁ ନିକଟ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ସିୟାଙ୍କ ମ୍ୟାନେଜରଙ୍କ କହିବା ଅନୁଯାୟୀ ବୁଧବାର ଦିନ ସିୟା ଶେଷଥର ପାଇଁ ଟିକଟକରେ ଏକ ଭିଡିଓ ସାୟାର କରିଥିଲେ । ଏହାସହିତ ଏକ ମ୍ୟୁଜିକ ଭିଡିଓକୁ ନେଇ ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହା ମଧ୍ୟରେ ସେ କୌଣସି କାରଣକୁ ନେଇ ଚିନ୍ତିତ ଥିବା ଜଣାପଡ଼ୁନଥିବା ମ୍ୟାନେଜର କହିଛନ୍ତି । ପରିବାର ଲୋକ ମଧ୍ୟ କୌଣସି ପ୍ରକାର ଚିନ୍ତାର କାରଣ ବିଷୟରେ ଉଲ୍ଲେଖ କରି ନାହାନ୍ତି ।

ଜାଣନ୍ତୁ କାହିଁକି ବୟସ୍କ କରୋନା ରୋଗୀ ଶୀଘ୍ର ମରୁଛନ୍ତି, ବ୍ରିଟେନର ବୈଜ୍ଞାନିକଙ୍କ ରିସର୍ଚ୍ଚ ରିପୋର୍ଟ

 

କରୋନା ରୋଗୀଙ୍କ ରକ୍ତ ନମୁନାରୁ ବୈଜ୍ଞାନିକମାନଙ୍କୁ ଏକ ନୂଆ ପ୍ୟାଟର୍ନର ସନ୍ଧାନ କରିଛନ୍ତି । କରୋନା ଭୂତାଣୁ ସଂକ୍ରମଣ ରୋଗରେ ଶୀକାର ହୋଇଥିବା ବ୍ୟକ୍ତିମାନଙ୍କ ରୋଗ ପ୍ରତିରୋଧକ ସେଲରେ ଏକ ନିର୍ଦ୍ଦିଷ୍ଟ ମଲିକ୍ୟୁଲ ବିଶିଷ୍ଟ ପ୍ୟାଟର୍ନ ଦେଖିବାକୁ ମିଳିଛି । ବୟସ୍କଙ୍କ କ୍ଷେତ୍ରରେ ଏହି ପ୍ୟାଟର୍ନ ସ୍ୱାଭାବିକ ବୋଲି ମଧ୍ୟ ଅନୁମାନ ହେଉଛି । ଏନେଇ ବ୍ରିଟେନର ଲସନ୍ ନାମକ ଅନୁସନ୍ଧାନକାରୀ ସଂସ୍ଥା ସୂଚନା ଦେଇଛି । ଭୀଷଣ ଭାବେ ସଂକ୍ରମଣରେ ଆକ୍ରାନ୍ତ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୬ଜଣ ରୋଗୀଙ୍କ ରକ୍ତ ନମୁନାରେ ଏହି ପ୍ୟାଟର୍ନ ଦେଖିବାକୁ ମିଳିଛି ।

           ଏହି ରୋଗୀମାନଙ୍କର ରୋଗ ପ୍ରତିରୋଧକ ସିଷ୍ଟମ ଭୂତାଣର ମୁକାବିଲା କରିବା ପାଇଁ ଆବଶ୍ୟକତାଠାରୁ ଅଧିକ ପ୍ରତିକ୍ରିୟାଶୀଳ ହେଉଛି । ଯାହା ଫଳରେ ଶରୀର ମଧ୍ୟରେ କରୋନା ଦ୍ୱାରା ପ୍ରଭାବିତ ହୋଇନଥିବା ସୁସ୍ଥ ସେଲ ମଧ୍ୟ କ୍ଷତିଗ୍ରସ୍ତ ହେଉଛି ଓ କ୍ରମାଗତ ଭାବେ ନଷ୍ଟ ହେଉଛି । ଏହି ପ୍ରକ୍ରିୟାକୁ କିଟୋକିନ ଫ୍ରେମ୍ ବୋଲି କୁହାଯାଏ । ସାଧାରଣ ଭାବେ ଇନଫ୍ଲାମେସନକୁ ଶରୀରର ଏକ ସ୍ୱାଭାବିକ ପ୍ରକ୍ରିୟା ଭାବେ ବିଚାର କରଯାଏ । ମାତ୍ର ଏହା ମାତ୍ରାଧିକ ଭାବେ କାର୍ଯ୍ୟକାରୀ ହେବା ଫଳରେ ଶରୀରର ସୁସ୍ଥ ସେଲ ମଧ୍ୟ ପ୍ରଭାବିତ ହୁଏ, ଯାହା ଏବେ କିଛି ରୋଗୀଙ୍କ ଶରୀରରେ ଦେଖିବାକୁ ମିଳିଛି । ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ କେବଳ ବୟୋଜ୍ୟେଷ୍ଠ ଲୋକଙ୍କ ମଧ୍ୟରେ ଏଯାବତ୍ ଏହି ସମସ୍ୟା ଦେଖାଦେଇଛି । ତେବେ ବ୍ରିଟେନର ଏହି ସଂସ୍ଥା ଏକଥା ଚିହ୍ନଟ କରିଥିଲେ ମଧ୍ୟ କିଭଳି ଭାବେ ସମସ୍ୟାକୁ ରୋକାଯିବ ସେନେଇ କୌଣସି ପ୍ରତିକ୍ରିୟା ରଖିନାହିଁ । ଲସନ୍ ଓ ଓ୍ୱେଷ୍ଟର୍ନ ସ୍କୁଲିଚ୍ ସ୍କୁଲ ଅଫ୍ ମେଡିସିନ୍ ଆଣ୍ଡ ଡେଣ୍ଟିଷ୍ଟି ସଂସ୍ଥା ୩୦ ଜଣ ରୋଗୀଙ୍କ ଉପରେ ଏହି ରିସର୍ଚ୍ଚ କରିଥିଲା । ଏମାନଙ୍କ ମଧ୍ୟରୁ ୧୦ ଜଣ କରୋନା ସଂକ୍ରମିତ, ୧୦ ଜଣ ଅଲଗା ରୋଗରେ ସଂକ୍ରମିତ ଥିବା ବେଳେ ୧୦ ଜଣ ସୁସ୍ଥ ଲୋକଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ରକ୍ତ ନମୁନାରୁ ମିଳିଥିବା ତଥ୍ୟ ଆଧାରରେ କୁହାଯାଇଛି ଯେ ସେମାନଙ୍କ ରକ୍ତରେ ଟ୍ୟୁମର ନେକ୍ରୋସିସ୍, ଗ୍ରାଞ୍ଜାଇମ୍ ବି, ହିଟ୍ ସକ୍ ପ୍ରୋଟିନ୍ ସେଭେଣ୍ଟି, ଇଣ୍ଟର ଲିୟୁକିନ୍-୧୮, ଅଣ୍ଟରଫେରମ-ଗାମା-ଇଣ୍ଡୁଇସିଏବୁଲ ପ୍ରୋଟିନ-୧୦ ଓ ଇଲାଷ୍ଟିଜ୍ ରହିଛି ।

ଏହାପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ମାଧ୍ୟମରେ ଅନୁସନ୍ଧାନ କରିବା ପରେ ଜଣାପଡିଛି ଯେ କୋଭିଡ୍-୧୯ ସଂକ୍ରମିତଙ୍କ ମଧ୍ୟରେ ହିଁ ଏହି ମଲିକ୍ୟୁଲ ଦେଖିବାକୁ ମିଳିଛି । ଏଭଳି ଆଣ୍ଟିବଡିରେ ଶରୀରରେ ସ୍ୱାଭାବିକ ଭାବେ ବିକଶିତ ହୋଇନଥାଏ  । ଏହାର କୁପ୍ରଭାବ ଏତେ ଯେ ବ୍ୟକ୍ତି ମୃତ୍ୟୁବରଣ କରିଥାଏ । ବିଶେଷ ଭାବେ ହିଟ୍ ସକ୍ ପ୍ରୋଟିନ୍ ସେଭେଣ୍ଟି ମଣିଷ ମୃତ୍ୟୁର ବଡ କାରଣ । ଏଣୁ ରୋଗ ପ୍ରତିରୋଧକ ଶକ୍ତି ମାତ୍ରାଧିକ ଭାବେ ପ୍ରତିକ୍ରିୟାଶୀଳ ହେବା ହେତୁ ହିଁ ବୟସ୍କମାନେ କରୋନା ଭୁତାଣୁ ସଂକ୍ରମିତ ହେବା ପରେ ମୃତ୍ୟୁମୁଖରେ ପଡନ୍ତି ବୋଲି ବ୍ରିଟେନର ଉକ୍ତ ସଂସ୍ଥା ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ  ଲସନ୍ ଓ ଓ୍ୱେଷ୍ଟର୍ନ ସ୍କୁଲିଚ୍ ସ୍କୁଲ ଅଫ୍ ମେଡିସିନ୍ ଆଣ୍ଡ ଡେଣ୍ଟିଷ୍ଟିର ବୈଜ୍ଞାନିକ କହିଛନ୍ତି ଯେ ଏବେ ଏହି ମଲିକ୍ୟୁଲଗୁଡିକର ପ୍ରଭାବକୁ ରୋକିବା ପାଇଁ ମେଡିସିନ୍ ପ୍ରସ୍ତୁତ କରିବା ଆମ ନିକଟରେ  ସବୁଠାରୁ ବଡ ଆହ୍ୱାନ ।