ସିଏସଆଇଆର: ବନ୍ଦ ଜାଗାରେ ବି ମାସ୍କ ଜରୁରୀ

ନୂଆଦିଲ୍ଲୀ: ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବା ଜରୁରୀ । ବାୟୁରେ କରୋନା ବ୍ୟାପିବା ଆଶଙ୍କା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ପରେ ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବା ପାଇଁ କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ବା ସିଏସଆଇଆର ପରାମର୍ଶ ଦେଇଛି । ସଂକ୍ରମିତ ବ୍ୟକ୍ତିଙ୍କ ଛିଙ୍କ ବା କାଶ ଦ୍ୱାରା ବାହାରୁ ଥିବା କଣିକା ଅନେକ ସମୟ ଧରି ବାୟୁରେ ରହେ । ଫଳରେ ଏଥିପାଇଁ ଅନ୍ୟ ମାନଙ୍କୁ ସଂକ୍ରମଣ ହେବା ଆଶଙ୍କା ରହିଥାଏ ।

ବିଭିନ୍ନ ଗବେଷଣା ଓ ବିଶ୍ଳେଷଣରୁ କରୋନା ବାୟୁରେ ବ୍ୟାପିବା ଆଶଙ୍କା ରହିଛି। ତେଣୁ ଏଥିରୁ ସୁରକ୍ଷିତ ରହିବା ପାଇଁ ଭିଡ଼ରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବାକୁ କୁହାଯାଇଛି । ୩୨ଟି ଦେଶର ୨୩୯ ବୈଜ୍ଞାନିକ ଡବ୍ଲୁଏଚଓକୁ ଚିଠି ଲେଖି ବାୟୁରେ କରୋନା ସଂକ୍ରମଣ ହେଉଥିବା ନେଇ ଜଣାଇଥିଲେ । ଏଭଳି ସ୍ଥିତିରେ ସୁରକ୍ଷିତ ରହିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ଏବଂ ସମସ୍ତଙ୍କ ପାଇଁ ଆବଶ୍ୟକ ।

ସଂକ୍ରମିତ ସ୍ଥାନରୁ ସଂକ୍ରମଣ ହେବା ଆଶଙ୍କା ନେଇ ମଧ୍ୟ ବିଶ୍ଳେଷଣ କରାଯାଉଛି । ତେବେ ଶ୍ୱାସକ୍ରିୟା ଦ୍ୱାରା ହିଁ କରୋନା ସଂକ୍ରମଣ ହେଉଛି । କାଶ ଓ ଛିଙ୍କ ଦ୍ୱାରା ବାହାରୁଥିବା ବୁନ୍ଦା ତଳେ ପଡୁଥିବା ବେଳେ ଛୋଟ କଣିକା ବାୟୁରେ ଅଧିକ ସମୟ ଧରି ରହିଥାଏ । ତେଣୁ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି ।

(ନନ୍ଦିଘୋଷ ବ୍ୟୁରୋ)

Leave a Reply