spot_img
Home Blog Page 6732

ଗଞ୍ଜାମରେ ଗମ୍ଭୀର ହେଉଛି ସ୍ଥିତି: ଜିଲ୍ଲାରେ ୨ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ବ୍ରହ୍ମପୁର: ଦିନକୁ ଦିନ ଗଞ୍ଜାମରେ ଗମ୍ଭୀର ହେଉଛି ସ୍ଥିତି। ପ୍ରଥମ ଦଫାରେ କ୍ୱାରେଣ୍ଟାଇନ୍‌ରୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଲୋକାଲ୍‌ କେସ ମଧ୍ୟ ତାଳ ଦେଇ ଆଗକୁ ବଢ଼ୁଛି । ଏପରିକି ରାଜ୍ୟରେ ଆଜି ସୁଦ୍ଧା ୩୪ଜଣ ପ୍ରାଣ ହରାଇଥିବା କେବଳ ଗଞ୍ଜାମରୁ ଅଛନ୍ତି ୨୦ଜଣ । ଏଭଳି ସ୍ଥିତିରେ ୨୨ଟି ବ୍ଲକ୍‌କୁ ନେଇ ଗଠିତ ଏହି ବଡ଼ ଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ ୨ଜଣ ଆଇଏଏସ୍‌ ଓ ୮ଜଣ ଓଏଏସ୍‌ଙ୍କୁ ସରକାର ପଠାଇଛନ୍ତି। ସେପଟେ କାଉଡ଼ିଆଙ୍କ ବୋଲ୍‌ବମ୍‌ ଯାତ୍ରା ଉପରେ ମଧ୍ୟ ରାଜ୍ୟ ସରକାର ରୋକ୍‌ ଲଗାଇଛନ୍ତି। ଏନେଇ ଆଜି ସ୍ପେଶାଲ୍‌ ରିଲିଫ୍‌ କମିଶନର ଘୋଷଣା କରିଛନ୍ତି।

ଜିଲ୍ଲାରେ ୨ହଜାର ପାର୍‌ କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ମୃତ୍ୟୁ ସଖ୍ୟା ପହଞ୍ଚିଲାଣି ୨୦ରେ। କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ରାଜ୍ୟ ସରକାର ଦେଇଛନ୍ତି ଯ଼ୁଦ୍ଧଂଦେହି ଡାକରା । ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଓ ନାଇଟ୍‌ କର୍ଫ୍ୟୁର କଡ଼ା କଟକଣା ପରେ ଏବେ ଜିଲ୍ଲାକୁ ପଠାଇଛନ୍ତି ଆଉ ୨ଜଣ ଆଇଏଏସ୍‌ ଅଫିସରଙ୍କୁ ।

ପାରୁଲ୍‌ ପଟ୍ଟଓ୍ୱାରୀ ଓ ବିଶାଲ୍‌ ସିଂହ । ଜଣେ ରହିବେ ଛତ୍ରପୁରରେ ଓ ଅନ୍ୟଜଣେ ରହିବେ ଭଞ୍ଜନଗର ସବ୍‌ଡିଭିଜନ୍‌ର ଏଡିଏମ୍‌ ଦାୟିତ୍ୱରେ । ସେହିପରି କୋଭିଡ୍‌ ପରିଚାଳନାରେ ଜିଲ୍ଲା ପ୍ରଶାସନର କାନ୍ଧରେ କାନ୍ଧ ମିଳାଇ ଆଗକୁ ଚାଲିବେ ଡେପୁଟି ସେକ୍ରେଟାରୀ ପାହ୍ୟ।ର ୬ଜଣ ଓଏଏସ୍‌ ଅଫିସର ।

ସେପଟେ ଗଞ୍ଜାମରୁ ଆଜି ଆଉ ତିନି ଜଣ ପ୍ରାଣ ହରାଇବା ପରେ ଆଜି ଜିଲ୍ଲାରେ କୋକୁଆ ଭୟ ଖେଳିଯାଇଛି। ସେପଟେ ଧରାକୋଟ୍‌ ଗ୍ରାମ ପଞ୍ଚାୟତକୁ ସରପଞ୍ଚ ୫ଦିନ ପାଇଁ ସଟଡାଉନ୍‌ ଘୋଷଣା କରିଛନ୍ତି। ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଶବ ଉଠିବାରେ ବିଳମ୍ବ ହେବାରୁ ଲୋକେ ରାସ୍ତାରୋକ୍‌ କରିଥିଲେ।

ସେପଟେ କବିସୂର୍ଯ୍ୟନଗରରେ ଗତକାଲି ଘଟିଥିଲା ଏକ ଅଭାବନୀୟ ଘଟଣା। ପୁଅର ମୃତ୍ୟୁ ଖବର ପାଇଁ ବାପମାଆ ଆତ୍ମହତ୍ୟା କରିବା ପରେ ନାରାୟଣପୁର ଶାସନରେ ଭୟର ବାତାବରଣ ଖେଳି ଯାଇଛି । ଏହାପରେ ସାରା କରିସୂର୍ଯ୍ୟନଗର ଅଞ୍ଚଳକୁ ବିଶୋଧନ କରାଯାଇଛି। ସେପଟେ ଆତଙ୍କିତ ନୁହେଁ ସଚେତନ ହୋଇ କରୋନାକୁ ମୁବାକିଲା କରିବାକୁ ସ୍ଥାନୀୟ ବିଧାୟିକା ଲୋକଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଅନ୍‌ଲକ୍‌ ୨ ଚାଲିଥିବା ବେଳେ ଗଂଜାମ ଜିଲ୍ଲାକୁ ଯାତ୍ରୀବାହୀ ଗାଡ଼ି ଚଳାଚଳ ଉପରେ ସଂପୂର୍ଣ୍ଣ ରୋକ୍‌ ଲାଗିଛି । ଦୁଇ ଚକିଆ ଯାନରେ ଯାଆସ କରୁଥିଲେ ପରିଚୟ ପତ୍ର ଦେଖାଇବାକୁ ପଡୁଛି। ସେପଟେ ଆନ୍ତଃଜିଲ୍ଲା ଯାତୟତ ଉପରେ ମଧ୍ୟ କଟକଣା ଲଗା ଯାଇଛି।

ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ଆକ୍ରାମକ ନୀତି ଟିକଟକ୍ ପାଇଁ ମହଙ୍ଗା,ସପ୍ତାହକରେ ହଜାର ହଜାର କୋଟି କ୍ଷତି

ନୂଆଦିଲ୍ଲୀ: ଭାରତରେ ସର୍ଟ ଭିଡିଓ ଆପ୍ ଟିକଟକ୍ ବ୍ୟାନ୍ ହେବା ପରେ ଏହାର ମୂଳ କମ୍ପାନୀ ବାଇଟଡାନ୍ସକୁ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି । ଚୀନର ସରକାର ସମର୍ଥିତ ଖବର କାଗଜ ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁସାରେ ବ୍ୟାନ୍ ହେବାର କେବଳ ଗୋଟିଏ ସପ୍ତାହରେ ବାଇଟଡାନ୍ସକୁ ୪୫ ହଜାର କୋଟି ଟଙ୍କାର କ୍ଷତି ହୋଇଛି । ରିପୋର୍ଟରେ କୁହାଯାଇଛି ଯେ, ହେଲୋ ଓ ଟିକଟକ୍ ଭଳି ଆପ୍ ବ୍ୟାନ୍ ହେବାର ପ୍ରଭାବ ବାଇଟଡ୍ୟାନ୍ସ ଉପରେ ଆଗକୁ ଅଧିକ ପଡିବ ।

ଇଣ୍ଡଷ୍ଟ୍ରୀ ରିପୋର୍ଟ ଅନୁସାରେ ଚୀନ୍ ବାହାରେ ଭାରତ ଥିଲା ଟିକଟକର ସବୁଠୁ ବଡ ବଜାର । ଭାରତ ସରକାର ନିକଟରେ ୫୯ ଚୀନ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଯେଉଁଥିରେ ଟିକଟକ୍ ମଧ୍ୟ ସାମିଲ ଥିଲା । ଗ୍ଲୋବାଲ ଟାଇମ୍ସକୁ ଯଦି ବିଶ୍ୱାସ କରାଯାଏ ତେବେ ଚାଇନିଜ୍ ଟ୍ରେଡର୍ସ ଓ ନିବେଶକଙ୍କ ଉପରେ ମଧ୍ୟ ଏହି ବ୍ୟାନର ପ୍ରଭାବ ପଡିବ । ବିଶେଷଜ୍ଞଙ୍କ କହିବା ହେଉଛି ଭାରତ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଚୀନ୍ ନିବେଶକ ଓ ବ୍ୟବସାୟକୁ ଝଟକା ଲାଗିଛି ।

ଭାରତରେ ହିଟ୍ ଥିଲା ଟିକଟକ୍

tiktok

ବାଇଚଡ୍ୟାନ୍ସ ଟିକଟକ୍ ଭଳି ଆପରେ ଆସୁଥିବା ବିଜ୍ଞାପନରୁ ଅର୍ଥ ଆଦାୟ କରୁଥିଲା । ବ୍ୟାନ୍ ପରେ ବିଜ୍ଞାପନ ଶୁନ୍ୟ ହୋଇଯାଇଛି । କଂପାନୀର ଆପ୍ ବିଶେଷକରି ଟିକଟକ୍ ଭାରତର ଛୋଟବଡ ସହରରେ ଦୃତଗତିରେ ଲୋକପ୍ରିୟ ହୋଇଥିଲା । ଏକ ହିସାବ ଅନୁସାରେ ଲଂଚ୍ ହେବା ପରେ ଗୁଗୁଲ ପ୍ଲେ ଷ୍ଟୋରରୁ ଟିକଟକ୍ ପ୍ରାୟ ୬୬ କୋଟି ଥର ଡାଉନଲୋଡ୍ ହୋଇଥିଲା । ଏବେ ଏହି ଆପ୍ ପ୍ଲେ  ଷ୍ଟୋର ଓ ଆପ୍ ଷ୍ଟୋରରେ ଉପଲବ୍ଧ ନାହିଁ ।

ଡାଟା ସୁରକ୍ଷା କାରଣରୁ ଟିକଟକ୍ ଉପରେ ବ୍ୟାନ୍

ଦେଶର ନାଗରିକଙ୍କ ପ୍ରାଇଭେସି ଓ ଡାଟା ସୁରକ୍ଷା ପାଇଁ ଭାରତ ସରକାର ୫୯ ଆପ୍ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଏହି ଚାଇନିଜ୍ ଆପ୍ ଗୁଡିକର ସର୍ଭର ଭାରତ ବାହାରେ ଚୀନରେ ରହିଛି । ଚୀନ୍ ସରକାର ଏହି ସର୍ଭରରୁ ଡାଟା ନେଉଥିବା ସନ୍ଦେହ କରାଯାଉଛି । ଯେଉଁ ଅଭିଯୋଗକୁ ଟିକଟକ୍ ଭଳି ଆପ୍ ଖଣ୍ଡନ କରୁଛନ୍ତି । ପ୍ରତିବନ୍ଧକ ଲାଗୁ ହେବା ପରେ ଟିକଟକ୍ ତରଫରୁ ଜାରି ବୟାନରେ କୁହାଯାଇଥିଲା ଯେ, ଆମେ ଆମ ଗ୍ରାହକଙ୍କ ତଥ୍ୟ କାହାରି ସହିତ ଏପରିକି ଚୀନ ସରକାରଙ୍କ ସହିତ ମଧ୍ୟ ବାଣ୍ଟିନଥାଉ ।

TikTokକୁ ଟକ୍କର ଦେବା ପାଇଁ YouTubeର ନୂଆ ପ୍ଲାନ୍… ଖୁବ ଶୀଘ୍ର ହେବ ଲଞ୍ଚ

 

 

ସରିଲା ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ: ରତ୍ନବେଦୀରେ ବିରାଜିଲେ ମହାପ୍ରଭୁ

ପୁରୀ:  ମନ୍ଦିର ବାହାରେ ସରିଲା ମହାପ୍ରଭୁଙ୍କ ଲୀଳା ଖେଳା । ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ଫେରିଲେ ନୀଳାଦ୍ରିନାଥ । ଆଜି ପୁଣି ସଅଳ ନୀତିକାନ୍ତି କରି ଇତିହାସ ରଚିଲେ ସେବାୟତ । ସଂଧ୍ୟା ଧୂପ ସରିବା ପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ।

ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିଥିଲେ ସୂଦର୍ଶନ, ବଳଭଦ୍ର ଓ ସୁଭଦ୍ରା । ତେବେ ଶ୍ରୀଜଗନ୍ନାଥ ଯିବାବେଳେ ସିଂହଦ୍ୱାରା ବନ୍ଦ ହୋଇଥିଲା ।ତେବେ ରସଗୋଲା ଦେଇ ମାତା ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପରେ ଶ୍ରୀମନ୍ଦିରକୁ ମହାପ୍ରଭୁ ପ୍ରବେଶ କରିଥିଲେ ।

ଆସନ୍ତାକାଲି ଦିନ ୧୨ ରୁ ୧ ଟା ମଧ୍ୟରେ ବାହାରିବ ନୀଳାଚଳ ଅବଡା ।ଶ୍ରୀଗୁଣ୍ଡିଚା ମନ୍ଦିରରେ ଯେଉଁଭଳି ଆଡ଼ପ ଅଭଡା ମିଳୁଥିଲା ସେହିଭଳି ବ୍ୟବସ୍ଥା ହେବ ।

ତେବେ ଜୁଲାଇ ୩୧ ପର୍ଯ୍ୟନ୍ତ ପୁରୀ ସହରକୁ ପ୍ରବେଶ ମନା ଓ ଶ୍ରୀମନ୍ଦିରରେ ମଧ୍ୟ ଭକ୍ତ ଙ୍କ ପ୍ରବେଶ ଉପରେ କଟକଣା  ।

 

କୋଭିଡ୍ ନିୟମ ଉଲ୍ଲଂଘନ ନେଇ ସାଂସଦ ଅପରାଜିତାଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅମାନିଆ ଅପରାଜିତାଙ୍କ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସାଂସଦ ଅପରାଜିତା ଷଡ଼ଙ୍ଗୀ ବାରମ୍ବାର କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । କୋଭିଡ୍ ନିୟମ ନମାନି ଏକାଧିକ କାର୍ଯ୍ୟକ୍ରମ କରିଥିଲେ ସାଂସଦ ଷଡ଼ଙ୍ଗୀ । କେଉଁଠି ମାସ୍କ ପିନ୍ଧି ନଥିଲେ ତ ଆଉ କେଉଁଠି ନଥିଲା ସାମାଜିକ ଦୂରତା । ଏ ସମ୍ପର୍କରେ ନନ୍ଦିଘୋଷ ଟିଭିରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ଏନେଇ କିଛି ସାମାଜିକ ସଂଗଠନ ବିଏମସି କମିଶନରଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ ।

ସାଂସଦଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିଥିଲେ ବିଏମସି ଅତିରିକ୍ତ କମିଶନର । ତଦନ୍ତରେ ସାଂସଦ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ନେଇ ସ୍ପଷ୍ଟ ହୋଇଥିଲା । ଅତିରିକ୍ତ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି ।ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଥମେ ଦଳୀୟ କର୍ମୀ ଜଗନ୍ନାଥ ପ୍ରଧାନଙ୍କ ଘରେ କୋଭିଡ୍ ନିୟମ ଭାଙ୍ଗିଥିଲେ । ଶତାଧିକ ସମର୍ଥକଙ୍କ ସହ ବିନା ମାସ୍କର ଫଟୋ ଉଠାଇଥିଲେ । ପରେ ଲୋକ ଦେଖାଣିଆ ଭାବେ ପୋଲିସକୁ ଫାଇନ୍ ଦେଇଥିଲେ । ଏହାର କିଛି ଦିନ ପରେ ପୁଣି ଆଇନ୍ ଉଲ୍ଲଂଘନ କରିଥିଲେ ସାଂସଦ । କୋଭିଡ୍ ପାଇଁ ଏକାଠି ହେବାକୁ ମନା ହୋଇଥିବା ବେଳେ ହଂସପାଳରେ ଫ୍ଲାଏଓଭର ଶିଳାନ୍ୟାସ ନାଁରେ ଉଲ୍ଲଂଘନ କରିଥିଲେ ସାମାଜିକ ଦୂରତା । ସମାବେଶ, ଶୋଭାଯାତ୍ରା ବାରଣ ଥିବାବେଲେ ମାର୍କେଟ ବିଲ୍ଡିଂରେ ବିଜେପିର ଜନସମ୍ପର୍କ ଯାତ୍ରାକୁ ପୂର୍ବରୁ ହେଉଥିବା ବିଶାଳ ପଦଯାତ୍ରା ପରି ଡିଜାଇନ କରି ନିୟମ ଉଲ୍ଲଂଘନ କରିଥିଲେ ।

ନେତାଙ୍କୁ ନିୟମ ନେଇ କିଏ କରିବ ସଚେତନ ?

ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଉଛି କରୋନା: ଚୀନ୍ ଯିବ WHO ଟିମ୍

ନୂଆଦିଲ୍ଲୀ: ଚିନ୍ତାରେ ସାରା ବିଶ୍ୱ, ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଉଛି କରୋନା । କୋଟିଏରୁ ଊର୍ଦ୍ଧ୍ୱ ଲୋକ ଏ ମହାମାରୀ କବଳରେ କଲବଲ ହେଉଥିବା ବେଳେ, ୫ଲକ୍ଷରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଲେଣି । ଏତିକିରେ ଥମୁନି ବିପଦ, ବଢ଼ିଚାଲିଛି ସଂଖ୍ୟା,ଦିଶୁନି ବୁଦ୍ଧିବାଟ, ଭ୍ୟାକ୍ସିନ୍‌କୁ ଅପେକ୍ଷା । ତା’ ସହ ମାଡ଼ି ଆସୁଛି ଆର୍ଥିକ ସଂକଟ  ।

ତେବେ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍ ଆସନ୍ତା ସପ୍ତାହରେ ଚୀନ ଯିବା ପାଇଁ ନିଷ୍ପତ୍ତି ନେଇଛି । ବାସ୍ତବରେ କରୋନା ଭାଇରସ୍ର ଉତ୍ପତ୍ତି ବାବଦରେ ତଦନ୍ତ କରିବ ଟିମ୍ । ପ୍ରସ୍ତୁତ ହେବ ରିପୋର୍ଟ ।

ଚାଇନା ତଥ୍ୟ ଦେବାରେ ଅହେତୁକ ବିଳମ୍ବ କରିବା କଥାକୁ ଆଉ ବରଦାସ୍ତ କରିପାରୁନାହିଁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ଚାଇନାର ଲ୍ୟାବରେ କରୋନା ଭାଇରସର ସୃଷ୍ଟି ଚର୍ଚ୍ଚା ଉପରେ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ଟିପ୍ପଣୀ ରଖୁନି ଚୀନ । ଯାହା ସନ୍ଦେହକୁ ଅଧିକ ଦୃଢୀଭୁତ କରୁଛି । ସେପଟେ କରୋନା ଉତ୍ପତ୍ତି ଏବଂ ବ୍ୟାପିବା ପଛରେ ଚାଇନାର ହାତ ଥିବା ବାରମ୍ବାର ଅଭିଯୋଗ ଉଠାଇଚାଲିଛି ଆମେରିକା ।

ଏଣୁ ଏବେ ତଦନ୍ତର ଆବଶ୍ୟକତା ଥିବା ସଂଗଠନର ଚିଫ ସାଇଣ୍ଟିଷ୍ଟ ଡ଼କ୍ଟର ସୌମ୍ୟା ସ୍ୱାମୀନାଥନ୍‌ କହିଛନ୍ତି । ଗତ ଡ଼ିସେମ୍ବରରେ କିଭଳି, କେଉଁ ପରିସ୍ଥିତିରେ ଏହା ପଶୁଙ୍କଠାରୁ ମଣିଷ ଶରୀରକୁ ଆସିଲା ତାହାହିଁ ତଦନ୍ତ ସାପେକ୍ଷ । ୨୦୧୯, ଡିସେମ୍ବର ୩୧ରେ ଚାଇନା ସରକାର ପ୍ରଥମେ କରୋନା ଭାଇରସ ସମ୍ପର୍କରେ ବିଶ୍ୱକୁ ଜଣାଇଥିଲେ ଯେଉଁଠି ଉହାନ ରହିଥିଲା

ଭାଇରସର ପ୍ରଥମ ଠିକଣା । ଚୀନ ଉପରେ ଏ ଅଭିଯୋଗ ମଧ୍ୟ ରହିଛିଯେ, ଚୀନ ସମୟ ପୂର୍ବରୁ ଭାଇରସ ସମ୍ପର୍କରେ ଦେଇନଥିଲା ଚେତାବନୀ । ଯାହାର ପରିଣାମ ଆଜି ସମସ୍ତେ ଭୋଗୁଛନ୍ତି । ଅନ୍ତତଃ ଏ ଚେତାବନୀ ପ୍ରାରମ୍ଭିକ ଦିନ ମାନଙ୍କରେ ସଂକ୍ରମଣର ସେଚତନତାକୁ ବଢାଇପାରିଥାନ୍ତା ।

ତେବେ କଥା କଥାରେ ପ୍ରତିକ୍ରିୟାଶୀଳ ହେଉଥିବା ଚୀନ ଏକଥାରେ ନୀରବ ରହିବାର କାରଣ ସହଜରେ ଗ୍ରହଣ କରିହେଉନି । ପ୍ରଥମେ କରୋନା ଭାଇରସର ପ୍ରଥମ ବାହକ ବାଦୁଡ଼ି ବୋଲି ଚର୍ଚ୍ଚା ହେବା ପରେ ଦକ୍ଷିଣପୂର୍ବ ଏସିଆ ଏନେଇ ଅନେକ ପରୀକ୍ଷଣ ଆରମ୍ଭ କରିଥିଲା ।

ତା’ପରେ ଜଣାପଡ଼ିଲାଯେ ୫୫ରୁ ଉର୍ଦ୍ଧପ୍ରକାରର କରୋନା ଭାଇରସ ଅଛି ଯାହା ସ୍ଥିତିକୁ ବୁଝିବାକୁ ଅଧିକ ଜଟିଳ କରିଦେଲା । ସେବେଠାରୁ ଏବେ ପର୍ଯ୍ୟନ୍ତ ପ୍ରୟାସ ଚାଲିଥିଲେବି ବାହାରି ପାରୁନି ଭାକ୍ସିନ, ସୁଧୁରିପାରୁନି ସ୍ଥିତି । ଏଣୁ ଭାକ୍ସିନ ସହ ସମସ୍ତଦେଶର ଅପେକ୍ଷା କରୋନାର ଉତ୍ପତ୍ତି ସମ୍ପର୍କରେ ସବିଶେଷ ଜାଣିବାକୁ । ଅପେକ୍ଷା ତଦନ୍ତକୁ ।

https://www.facebook.com/NandighoshaTV/videos/707898620034033/

India-China Face off: ସୀମାରେ ଉଡ଼ିଲା ଭାରତର ଯୁଦ୍ଧ ବିମାନ

ଲଦାଖ: ଏଲ୍‌ଏସିରେ ଚୀନ୍ ସହ ତିକ୍ତତା ଲାଗିରହିଥିବା ବେଳେ ସୀମାରେ ନିଜର ପ୍ରସ୍ତୁତିକୁ ଜୋରଦାର୍ କରିଛି ଭାରତ । ଦେଶର ବାୟୁସେନା ନିଜର ଯୁଦ୍ଧ ବିମାନକୁ ସୀମା ନିକଟରେ ଥିବା ଏୟାରବେସରେ ନିୟୋଜିତ କରିସାରିଛି। ପୂର୍ବରୁ  ବାୟୁସେନାର ସୁଖୋଇ- ସୁ30 MKI, ମିଗ -୨୯ ବିମାନ ସୀମାରେ ଉଡ଼ୁଥିବା ଦେଖିବାକୁ ମିଳିଥିଲା ତେବେ ବର୍ତ୍ତମାନ ଯୁଦ୍ଧ ବିମାନ ଆପାଚେକୁ ସୀମା ଆକାଶରେ ଉଡ଼ୁଥିବାର ଦେଖିବାକୁ ମିଳିଛି । ଏଥିରୁ ଅନୁମାନ କରାଯାଇପାରେ ଯେ, ଭାରତ ଚୀନ୍‌କୁ ଏହି ବାର୍ତ୍ତା ଦେଉଛି କୌଣସି କ୍ଷେତ୍ରରେ ସାଲିସ କରାଯିବନାହିଁ ।

ଗଲଓ୍ୱାନ ଘାଟିରେ ଚୀନ ସହ ହିଂସା ପରେ ଏବେ ସମ୍ପୂର୍ଣ୍ଣ ସଜାଗ ହୋଇଛି ଭାରତ । ଚୀନ୍‌ର ଅହଂକାରକୁ ଦେଖି ଭାରତ ଏହାର ବିମାନକୁ ସୀମାରେ ନିୟୋଜିତ କରିଛି । ମିଗ୍, ସୁଖୋଇ ଏବଂ ହର୍କ୍ୟୁଲସ୍ ବିମାନ ପୂର୍ବରୁ ସୀମାରେ ନିୟୋଜିତ ହୋଇଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ସୀମା ନିକଟରେ ଉଡୁଥିବାର ଦେଖିବାକୁ ମିଳିଛି ।

Why didn't India buy Mig 31 Foxhound after the success of Mig 25 ...

କୌଣସି ପରିସ୍ଥିତିର ମୁକାବିଲା ପାଇଁ ଏହି ୩ ବାହିନୀକୁ ପ୍ରସ୍ତୁତ ହେବାକୁ କୁହାଯାଇଛି ବୋଲି ସୂତ୍ରରୁ ପ୍ରକାଶ । ତେବେ ଏଲ୍‌ଏସି ନିୟୋଜିତ ଜଣେ ସ୍କାଡ୍ରୋନ୍ ନେତାଙ୍କ କହିବାନୁସାରେ ଭାରତୀୟ ବାୟୁସେନା ସମସ୍ତ ବେସରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଯେ କୌଣସି ପ୍ରକାର ଆହ୍ୱାନର ସମ୍ମୁଖୀନ ହୋଇପାରେ । ସେ କହିଛନ୍ତି, ସୈନିକମାନଙ୍କର ଉତ୍ସାହ ସର୍ବଦା ଅଧିକ, ଏବଂ ସେମାନେ ପ୍ରତିପକ୍ଷରୁ ଉତ୍ତର ଦେବାକୁ ସର୍ବଦା ପ୍ରସ୍ତୁତ ।

India-China Face off: ସମସ୍ୟାର ସମାଧାନ ପାଇଁ ଭାରତ ସମ୍ମୁଖରେ ୩ଟି ବିକଳ୍ପ

ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଲେହରେ ପହଞ୍ଚି ସୈନିକମାନଙ୍କୁ ସମ୍ୱୋଧିତ କରିବା ସହ ଚୀନ୍‌କୁ କଡ଼ା ସନ୍ଦେଶ ଦେଇଛନ୍ତି ।

ଟଙ୍କା ପାଇଁ ହୋଟେଲ୍ ଭୁଲିଲା କଟକଣା, ୭ ଦିନ ପାଇଁ ସିଲ୍

ବ୍ରହ୍ମପୁର: ସଂକ୍ରମଣ ବଢ଼ୁଛି, ସତର୍କତା କମୁଛି । ଗଞ୍ଜାମ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ କିଛି ଅମାନିଆ ମାନୁନାହାନ୍ତି ନିୟମ । ଆଇନ୍ ଆଖିରେ ଆଙ୍ଗୁଠି ଗେଞ୍ଜି ଭୁଲୁଛନ୍ତି କଟକଣା । ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ସାମିଲ୍ ପାଇଁ ସରକାର ନିୟମ କରିଛନ୍ତି । କିନ୍ତୁ, କୋଭିଡ୍ ଆଇନକୁ ମାନୁଛି କିଏ । ସଂଖ୍ୟାଧିକ ଲୋକଙ୍କୁ ନେଇ ବିବାହ ଉତ୍ସବ କରିବା ମହଙ୍ଗା ପଡ଼ିଛି । ଗୋପାଳପୁର ମେ ଫେୟାର ହୋଟେଲକୁ ସିଲ୍ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

କୋଭିଡ୍ ନିୟମ ଉଲ୍ଲଂଘନ କରିଥିବାରୁ ଜିଲ୍ଲା ପ୍ରଶାସନ ଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୋପାଳପୁର ସ୍ଥିତ ମେ ଫେୟାର ହୋଟେଲକୁ ୭ ଦିନ ପାଇଁ ସିଲ୍ କରି ଦିଆଯାଇଛି । ଗଞ୍ଜାମର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ କୋଭିଡ୍ କଟକଣା ଭୁଲି ପୁଅ ବାହାଘରକୁ ଏହି ହୋଟେଲରେ ଧୁମଧାମରେ କରିଥିଲେ । ଉତ୍ସବରେ ଶହ ଶହ ଲୋକ ସାମିଲ୍ ହୋଇଥିବା ବେଳେ କାହା ମଧ୍ୟରେ ସାମାଜିକ ଦୂରତା ତ ଛାଡ଼ନ୍ତୁ ମୁହଁରେ ମାସ୍କ ବି ନଥିଲା । ଏ ଦୃଶ୍ୟ ଭାଇରାଲ୍ ହୋଇଥିଲା ସାମାଜିକ ଗଣମାଧ୍ୟମରେ ।

ଏ ସମ୍ପର୍କିତ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଆୟୋଜକଙ୍କୁ ୫୦ ହଜାର ଟଙ୍କା ଜରିମାନା କରିବା ସହ ଗୋପାଳପୁର ଥାନାରେ ମାମଲା ରୁଜୁ କରିଥିଲା । ଗଞ୍ଜାମ ପୋଲିସ ଘଟଣାରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ବିବାହରେ ବ୍ୟବହୃତ ସମସ୍ତ ଗାଡ଼ିକୁ ସିଜ୍ କରିବାକୁ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନନ୍ଦିଘୋଷ ଟିଭି ମହାପ୍ରଭାବ : ବିବାହ ଶୋଭାଯାତ୍ରାରେ ନାଚିଥିଲେ ଶତାଧିକ ବରଯାତ୍ରୀ,ଏବେ ଦେବେ ଫାଇନ୍

ରଥଯାତ୍ରାର ଅନ୍ତିମ ଚରଣରେ ଅନୁଷ୍ଠିତ ହୋଇଥାଏ ଏହି ନୀତି, ଜାଣନ୍ତୁ

ଭୁବନେଶ୍ୱର: ଜୟ ଜଗନ୍ନାଥ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମଉତ୍ସବ ବା ରଥଯାତ୍ରାର ଅନ୍ତିମ ଚରଣରେ ଅନୁଷ୍ଠିତ ହୋଇଥାଏ ଅଧରପଣା ନୀତି । ଆଷାଢ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥ ଉପରେ ଏହି ନୀତି ସଂପନ୍ନ ହୁଏ । ଦଶମୀରେ ବାହୁଡା ପରେ ଏକାଦଶୀରେ ସୁନାବେଶରେ ଦର୍ଶନ ଦେଇଥାନ୍ତି ଠାକୁର । ଏହାପରେ ରଥାରୁଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡି, ବା ଲାଉ ଆକୃତିର କୁଡୁଆରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ । ଓଡ଼ିଆ ସଂସ୍କୃତି ଏବଂ ଶ୍ରୀଜଗନ୍ନାଥ ତତ୍ୱରେ ୨ଥର ପଣା ଶବ୍ଦର ବ୍ୟବହାର ହୋଇଛି । ମହାବିଷୁକ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀରେ ମହାପ୍ରଭୁଙ୍କ ପାଖରେ ଶ୍ରୀମନ୍ଦିରରେ ଲାଗି ହେଉଥିବା ପଣାକୁ ବଣ୍ଟନ କରାଯିବାର ପରଂପରା ରହିଥିବା ବେଳେ ରଥ ଉପରେ ହେଉଥିବା ଅଧର ପଣାକୁ ବଣ୍ଟାଯାଇନଥାଏ । ଏହା ଅଶରୀରୀ, ଭୂତ, ପ୍ରେତଙ୍କ ଉଦ୍ଦେଶ୍ୟରେ ଭଙ୍ଗାଯାଇଥିବା ମତବାଦ ରହିଛି । ତେବେ କେହି କେହି ଏହାକୁ ତନ୍ତ୍ରପୂଜା ପ୍ରକ୍ରିୟାରେ ସଂପନ୍ନ ହେଉଥିବା କହିଥାନ୍ତି । କାରଣ ମହାପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଶବର ପରଂପରା ଅନୁସାରେ ହୋଇଥାଏ । ଏସବୁ ପରେ ଅଘୋରୀମାନେ ହାଣ୍ଡି ଭଙ୍ଗ କଲା ଭଳି ଶ୍ରୀଜୀଉଙ୍କ ସମ୍ମୁଖରେ ଥିବା କୁଡୁଆକୁ ପୂଜା ପରେ ଭାଙ୍ଗିଦିଆଯାଇଥାଏ । କାରଣ ମନ୍ଦିରକୁ ଅଶରୀରୀ ମାନଙ୍କର ପ୍ରବେଶ ହୋଇନଥିବା ବେଳେ ବାହାରେ ସେମାନେ ବିଚରଣ କରିଥାନ୍ତି । ଏ ଦୃଷ୍ଟିରୁ ସେମାନଙ୍କୁ ତୃପ୍ତି ପ୍ରଦାନ ଏବଂ ମୋକ୍ଷ ଉଦ୍ଦେଶ୍ୟରେ ଏଭଳି ପରଂପରା ରହିଛି । ତେବେ ଯେଉଁ ୨ଟି ମଠରୁ ପଣା ପ୍ରଦାନ କରାଯାଇଥାଏ ସେମାନେ ହେଲେ ରାଘବ ଦାସ ମଠ ଏବଂ ବଡ଼ ଓଡ଼ିଆ ମଠ । ଏ ମଠ କାହିଁକି ପଣା ଦିଅନ୍ତି ଏବଂ କେଉଁ ୨ ଭକ୍ତଙ୍କ ନାଁରେ ହୋଇଛି ଏ ମଠ ? ଅଧର ପଣା ଓ ଏହାର ବିଶେଷତ୍ୱକୁ ନେଇ ଆଜିର ଅଧ୍ୟାୟରେ ଆମର ପ୍ରତିନିବେଦନ ଅଶରୀରୀର ଆଶା ।

ବାହୁଡ଼ାଯାତ୍ରା ପରେ ସିଂହଦ୍ୱାର ଠାରେ ତିନି ରଥ ଉପରେ ସୁନାବେଶ ଓ ତାପରଦିନ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହୋଇଥାଏ । ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ । ସ୍ୱତ୍ତଲିପି ଅନୁଯାୟୀ ବାହୁଡ଼ା ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଅଧର ପଣା ଭୋଗ ହେବା କଥା । କିନ୍ତୁ, ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ । ପ୍ରକୃତ ପକ୍ଷେ ଏହା ଏକାଦଶୀ ଦିନ ମଧ୍ୟ ହୋଇନପାରି ଅନେକ ବର୍ଷ ଧରି ଦ୍ୱାଦଶୀ ତିଥିରେ ଏହି ଅଧରପଣା ଭୋଗ କରାଯାଉଛି । ବଡ଼ ଓଡ଼ିଆ ମଠରୁ ମିଳିଥିବା ତଥ୍ୟ ଅନୁଯାୟୀ ପୂର୍ବରୁ ବାହୁଡ଼ା ଦଶମୀ ଦିନ ୩ ହାଣ୍ଡି, ଏକାଦଶୀ ତିଥିରେ ୩ ହାଣ୍ଡି ଓ ଦ୍ୱାଦଶୀ ଦିନ ୩ ହାଣ୍ଡି , ଏଭଳି ୯ ହାଣ୍ଡି ଅଧର ପଣା ଓ ଶ୍ରୀବଳଭଦ୍ରଙ୍କ ରଥରେ ରାମକୃଷ୍ଣଙ୍କ ଉଦ୍ଦେଶ୍ୟରେ ୨ ହାଣ୍ଡି ଏବଂ ଶ୍ରୀଜଗନ୍ନାଥଙ୍କ ରଥରେ ମଦନମୋହନଙ୍କ ନିମିତ୍ତ ଏକ ହାଣ୍ଡି ଏହି କ୍ରମରେ ମୋଟ୍ ୧୨ ହାଣ୍ଡି ଅଧର ପଣା ଭୋଗ ହେଉଥିଲା । ବର୍ତ୍ତମାନ ୩ ରଥ ପାଇଁ ଦ୍ୱାଦଶି ଦିନ ମୋଟ୍ ୯ ହାଣ୍ଡି ଅଧରପଣା ଭୋଗ ହେଉଛି । ଆଶାଷ ଶୁକ୍ଳ ଏକାଦଶୀଦିନ ରଥ ଉପରେ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ । ମନ୍ଦିର ପ୍ରଶାସନ ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରସ୍ତୁତ ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୁର, ଇତ୍ୟାଦି ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖିଥାନ୍ତି । ପ୍ରତ୍ୟକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁ ମାନଙ୍କ ଶ୍ରୀଅଧିର ଉଚ୍ଚ ତୁମ୍ବ ଆକୃତି ଭଳି ମାଟିର ୩ଟି ହାଣ୍ଡି ରଖାଯାଏ । କିନ୍ତୁ, ପ୍ରତ୍ୟକ ହାଣ୍ଡି ସମାନ ମାପର ହୋଇନଥାଏ । ପୂର୍ବର ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣି ମଠ ସମ୍ମୁଖସ୍ଥ କୂପରୁ ଗରାମାନଙ୍କରେ ଜଳ କାଢ଼ି ରଥ ଉପରକୁ ବୋହି ନେଇ ବଡ଼ ପିତ୍ତଳ ହଣ୍ଡାମାନଙ୍କରେ ରଖିଥାନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଅଧର ପଣା ପାଇଁ ଆବଶ୍ୟକ ଜଳ ରାଧାବଲ୍ଲଭ ମଠ କୂପରୁ ଆସୁଥିଲା । ପରବର୍ତ୍ତୀ ସମୟରେ ସିଂହଦ୍ୱାର ସମ୍ମୁଖ କୂଅରୁ ଏହି ଜଳ ଅଣାଯାଉଛି । ଜଳ ବୁହାଯିବା ବେଳେ ମନ୍ଦିର ଚର୍ଚ୍ଚା ଓ ବରକନ୍ଦାଜ କର୍ମଚାରୀମାନେ ଆଗରେ ଗୁଆ ଖୋଳପା ଧରି ଲୋକଙ୍କୁ ଆଡ଼େଇ ଥାନ୍ତି ଯେପରିକି କେହି ଜଳକୁ ସ୍ପର୍ଶ କରିପାରିବେ ନାହିଁ । ଅଧର ପଣା ଭୋଗ ପୂର୍ବରୁ ମହା ସୁଆରମାନେ ଥାଇ ଭିତରଚ୍ଛ, ତଳୁଚ୍ଛ ଓ ସୁଭଦ୍ରାଙ୍କ ରଥରେ ପାଳିଆ ପୁସ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି । ଅଧର ପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା କରିଆ ପକାଯାଏ । ଜଳ ଛଣା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି କଥିତ ରହିଛି । ମହାସୁଆରମାନେ ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି । ଏହା ପରେ ପତ୍ରିବଡୁ, ସୁଆର ବଡୁ ଓ ଗରାବଡୁ ପାଳିଆ ସେବାୟତ ପୂଜା, ଠା କରନ୍ତି । ତାହା ପରେ ପାଳିଆ ପୁଜା ପଣ୍ଡା ପଞ୍ଚୋପଚାର କରିଥାନ୍ତି ।

ଜନଶ୍ରୁତି ଅନୁଯାୟୀ ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗହୋଇ ରଥର ପାର୍ଶ୍ୱ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡି ଚାମୁଣ୍ଡା ପାଇଁ ଅଧର ହାଣ୍ଡି ଭଙ୍ଗାଯାଇଥାଏ । ଅନ୍ୟ କେତେକଙ୍କ ମତ ଅନୁଯାୟୀ ଅଶରୀରୀ ବା ପତିତ ମାନଙ୍କ ଉଦ୍ଧାର ପାଇଁ ଅଧର ହାଣ୍ଡି ଭଙ୍ଗାଯାଏ । ସେମାନଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ ତେଣୁ ଉତ୍ସର୍ଗ ହିଁ କରାଯାଏ । ସାଧାରଣତଃ ଅନେକ ସେବକ ତଥା ସ୍ଥାନୀୟ ଜନସାଧାରଣ ଅଧରପଣା ସେବା କରନ୍ତି ନାହିଁ । ବାସ୍ତବିକ୍ ରଥ ଉପରେ ଅଧର ପଣା ହେବା ପରେ ତଦପର ଦିନ କିମ୍ବା ତା ପରେ ଯେ କୌଣସି ଦିନ ଠାକୁରମାନେ ନିଳାଦ୍ରିବିଜେ ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି । କେତେକ ଗବେଷକଙ୍କ ମତରେ ଅଧର ପଣା ପରଂପରା ୪୫୦ ବର୍ଷର ପୁରୁଣା ।

କାଲି ଲଞ୍ଚ୍ ହେବ ଭାରତର ପ୍ରଥମ ସୋସିଆଲ୍ ମିଡିଆ ‘ଏଲିମେଣ୍ଟସ୍’

ନୂଆଦିଲ୍ଲୀ: ଦେଶରେ ଅଧିକାଂଶ ଲୋକ ସୋସିଆଲ୍ ମିଡିଆର ବ୍ୟବହାର କରୁଛନ୍ତି । ତଥ୍ୟ କହୁଛି ଦେଶରେ ୫୦ କୋଟିରୁ ଅଧିକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ରହିଛନ୍ତି । ଏହା ପରେ ବି ସୋସିଆଲ୍ ମିଡିଆ ବଜାରରେ ଛାଇ ହୋଇ ରହିଛନ୍ତି ବିଦେଶୀ କମ୍ପାନୀ । ଯାହାର ବିକଳ୍ପ ଏବେ ଭାରତ ପାଖରେ । ଆସନ୍ତାକାଲି ଅର୍ଥାତ୍ ରବିବାର ଲଞ୍ଚ୍ ହେବାକୁ ଯାଉଛି ଭାରତ ନିର୍ମିତ ନିଜସ୍ୱ ଆପ୍ ‘ଏଲିମେଣ୍ଟସ୍’।

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ସ୍ୱଦେଶୀ ଆପ୍ ‘ଏଲିମେଣ୍ଟସ୍’କୁ ଲଞ୍ଚ୍ କରିବେ । ସୋସିଆଲ୍ ମିଡିଆରେ ପ୍ରାଇଭେସୀକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି । ଯାହାକୁ ରକ୍ଷା କରିବାରେ ବିଫଳ ହେଉଛନ୍ତି ବିଦେଶୀ କମ୍ପାନୀ । ସେଥିପାଇଁ ଏହି ଆପରେ ଡାଟା ପ୍ରାଇଭେସୀକୁ ପ୍ରାଥମିକତା ଦିଆଯାଇଛି । ଆର୍ଟ ଅଫ୍ ଲିଭିଂ ସଂସ୍ଥାପକ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଉପସ୍ଥିତିରେ ‘ଏଲିମେଣ୍ଟସ୍’କୁ ଉପରାଷ୍ଟ୍ରପତି ଲଞ୍ଚ କରିବେ ।

ଲଞ୍ଚିଂ କାର୍ଯ୍ୟକ୍ରମରେ ଯୋଗଗୁରୁ ରାମଦେବ, ଅଯୋଧ୍ୟା ରାମ ରେଡ୍ଡୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ପ୍ରମୁଖ ଉପସ୍ଥିତ ରହିବାର ସମ୍ଭାବନା ରହିଛି । କୁହାଯାଉଛି ‘ଏଲିମେଣ୍ଟସ୍’ ଆପରେ ବ୍ୟବହାରକାରୀଙ୍କ ଡାଟା ସୁରକ୍ଷିତ ରହିବ । ଏପରିକି ଡାଟାକୁ ବିନା ଅନୁମତିରେ କୌଣସି ତୃତୀୟ ପକ୍ଷ ସହ ସେୟାର୍ କରାଯିବ ନାହିଁ । ପୂର୍ବରୁ ତୃତୀୟ ପକ୍ଷକୁ ତଥ୍ୟ ପ୍ରଦାନ କରିବା ନେଇ ଫେସବୁକ ବିବାଦ ଘେରରେ ରହି ଆସୁଥିଲେ ମଧ୍ୟ ଲୋକପ୍ରିୟତା କମିନାହିଁ ।

ଏହି ଆପ ବର୍ତ୍ତମାନ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି । ଏବଂ ଏହାକୁ ଲକ୍ଷେରୁ ଅଧିକ ଲୋକ ଡାଉନଲୋଡ୍ କରି ସାରିଛନ୍ତି । କିନ୍ତୁ, ‘ଏଲିମେଣ୍ଟସ୍’ର ବିଧିବଦ୍ଧ ଲଞ୍ଚି ହୋଇନଥିଲା ଯାହା କାଲି ହେବ । ‘ଏଲିମେଣ୍ଟସ୍’ ୮ଗୋଟି ଭାରତୀୟ ଭାଷାରେ ଉପଲବ୍ଧ । ଏହି ଆପରେ ଅଡିଓ ଓ ଭିଡିଓ କଲିଂ ସୁବିଧା ବି ମିଳିବ । ଏହି ଆପ୍ ୨୦୧୮ ମସିହା ସେପ୍ଟେମ୍ବର ୨୭ ତାରିଖରେ ଗୁଗଲ ପ୍ଲେ ଷ୍ଟୋରରେ ଯୋଡ଼ି ହୋଇଥିଲା । ‘ଏଲିମେଣ୍ଟସ୍’କୁ ସୁମେରୁ ସଫ୍ଟୱେର ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ପ୍ରସ୍ତୁତ କରିଛି ।

ଭାରତ ଆପ୍ ଓ ସୋସିଆଲ ମିଡିଆ ମାମଲାରେ ଆତ୍ମନିର୍ଭରଶୀଳ ହେବା ପାଇଁ ଉଦ୍ୟମ କରୁଛି । ପୂର୍ବ ଲଦାଖର ଗଲବାନ ଘାଟିରେ ଚୀନ ସହ ହିଂସାତ୍ମକ ସଂଘର୍ଷ ପରେ ଭାରତ ୫୯ଟି ଚାଇନିଜ୍ ଆପକୁ ବ୍ୟାନ୍ କରିଛି । ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ନିଜସ୍ୱ ଆପ୍ ତିଆରି କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ।

ଚୀନ୍‌କୁ ଲାଗିବ ଦ୍ୱିତୀୟ ବଡ଼ ଝଟକା, ମୋଦିଙ୍କ ଦେଶୀ ଆପ୍ ଆହ୍ୱାନ୍‌

ରାଜଧାନୀରେ ରାଲି, ଧାରଣା ଓ ବିକ୍ଷୋଭ ମନା ।ଏଭଳି ଘଟଣା ନଜରକୁ ଆସିଲେ ହେବ ତୁରନ୍ତ ଓ ତ୍ୱରିତ ଆକ୍ସନ । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ବିକ୍ଷୋଭ, ରାଲି କିମ୍ବା ଆନ୍ଦୋଳନ କରିବାକୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବାରଣ କରାଯାଇଛି ।

ରାଜଧାନୀରେ ରାଲି, ଧାରଣା ଓ ବିକ୍ଷୋଭ ମନା ।ଏଭଳି ଘଟଣା ନଜରକୁ ଆସିଲେ ହେବ ତୁରନ୍ତ ଓ ତ୍ୱରିତ ଆକ୍ସନ । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ବିକ୍ଷୋଭ, ରାଲି କିମ୍ବା ଆନ୍ଦୋଳନ କରିବାକୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବାରଣ କରାଯାଇଛି ।