ଆଉ ଦୁଇ ଲୋକୋ ପାଇଲଟ୍ ଦେଲେ ଆଶ୍ଚର୍ଯ୍ୟକର ବୟାନ

ଭୁବନେଶ୍ୱର: ହଟୁନି ପରଦା ଫିଟୁନି ଗୁମର । ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ । କେମିତ ହୋଇଥିଲା ଆଦିତ୍ୟଙ୍କ ମୃତ୍ୟୁ ସେ ନେଇ ସପେନ୍ସ ବଢିବାରେ ଲାଗିଛି । ସମାଜସେବୀ ଆଦିତ୍ୟ ଦାସ ମୁତ୍ୟୁ ମାମାଲାରେ ପୁଣି ଆରମ୍ଭ ହୋଇଛି ତଦନ୍ତ । ଦୁଇ ମାଲବାହୀ ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ କରିଛି ଜିଆରପି ।

ଦୁଇଟି ଯାକ ଟ୍ରେନ୍ ଆଗରେ ଆତ୍ମହତ୍ୟା କରି ନାହାନ୍ତି ଆଦିତ୍ୟ ବୋଲି ସ୍ପଷ୍ଟ କରିଛନ୍ତି ୨ଟି ଟ୍ରେନର ଲୋକ ପାଇଲଟ । ଏନେଇ ରେଳବାଇ ପୋଲିସ ୨ଦିନ ଯାଏଁ ଲୋକପାଇଲଟଙ୍କୁ ପଚରା ଉଚରା କରିଥିଲା । ପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ କରିଥିଲା ରେଳବାଇ ପୋଲିସ । ସେମାନେ ସ୍ପଷ୍ଟ ବୟାନ ଦେଇଛନ୍ତି ଯେ, ଆଦିତ୍ୟ ଟ୍ରେନ ଆଗକୁ ଡେଇଁ ନାହାଁନ୍ତି କି ଟ୍ରେନ ତାଙ୍କୁ ଧକ୍କା ଦେଇନି । ତେବେ ୩ଟି ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ ପରେ ଆଦିତ୍ୟ ଟ୍ରେନ ଆଗରେ ଆତ୍ମହତ୍ୟା କରି ନଥିବା ଜଣାପଡ଼ିଛି । ତଦନ୍ତକୁ ନେଇ ଏବେ ଅଠାକାଠିରେ ଜିଆରପି ।

ଆଦିତ୍ୟଙ୍କ ମୁତ୍ୟୁ କେମିତି ହେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ପ୍ରଥମେ ଘରୁ ମିଳିଥିବା ଡାଏରୀରେ ଆଦିତ୍ୟଙ୍କ ହାତ ଲେଖା ନୁହେଁ ବୋଲି ସନ୍ଦେହ କରାଯାଉଥିଲା ଯାହା ପରେ ଆଦିତ୍ୟଙ୍କ ଲେଖା ବୋଲି ଫରୋନସିକ୍ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା । ଏହାପରେ ଆଦିତ୍ୟ ଏକା ଚାଲି ଚାଲି ଯାଉଥିବାର ସିସିଟିଭିରେ ରେକର୍ଡ ହୋଇଥିଲା । ଏବେ ଲୋକୋ ପାଇଲଟଙ୍କ ଏଭଳି ବୟାନ ଜିଆରପିକୁ ଅଡୁଆରେ ପକାଇଛି । ତେବେ ଜିଆରପିର ଜଣେ ଏସଆଇ ପଜିଟିଭ୍ ଚିହ୍ନଟ ପରେ ତଦନ୍ତରେ ବ୍ରେକ୍ ଲାଗିଥିଲା । ଫଳରେ ସବୁ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା  । ତେବେ ବୁଧବାରଠାରୁ ପୁଣି ତଦନ୍ତ କାମ ଆରମ୍ଭ ହେଉଛି­­ ।

( ଭୁବନେଶ୍ୱରରୁ ଅରୁଣ ସାହୁ )

Leave a Reply