spot_img
Home Blog Page 67

ରହସ୍ୟ ଉପରୁ ପରଦା ହଟାଇବ ବ୍ଲାକବକ୍ସ: ବିମାନ ବନ୍ଦରର ଏଟିସି ରେକର୍ଡ ସଂଗ୍ରହ

କେମିତି ଫେଲ୍ ହେଲା ବିମାନ ଇଞ୍ଜିନ ? କେଉଁ ପରିସ୍ଥିତିରେ ପାଇଲଟ ଡାକିଥିଲେ ମେ ଡେ ? କାହିଁକି VT-KSS ଚାର୍ଟର ପ୍ଲେନର ହେଲା ଫୋର୍ସ ଲ୍ଯାଣ୍ଡିଂ। ରହସ୍ୟ ଉପରୁ ପରଦା ହଟାଇବ ବ୍ଲାକବକ୍ସ । ବିମାନ ବନ୍ଦରର ଏଟିସି ରେକର୍ଡ ସଂଗ୍ରହ । ସୁନ୍ଦରଗଡ଼ ଜିଲ୍ଲାର ଜଲଦା ଗୁଡିଆଟେଲି ନିକଟରେ ବିମାନ ଜରୁରୀ ଅବତରଣ ଘଟଣାର ଜାରି ରହିଛି ତଦନ୍ତ । AAIB ଏୟାର ସେଫଟି ଟିମ ଏବଂ DGCA ଘଟଣାସ୍ଥଳରେ ପହଞ୍ଚି କରିଛନ୍ତି ସରଜମିନ ଯାଞ୍ଚ । ଦୁର୍ଘଟଣା ଗ୍ରସ୍ତ ବିମାନର ବ୍ଲାକ ବକ୍ସ ଉଦ୍ଧାର କରିଛନ୍ତି ତଦନ୍ତକାରୀ ଟିମ। କିପରି ଓ କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା ଏନେଇ ବ୍ଲାକବକ୍ସରୁ ସୂଚନା ମିଳିପାରେ ବୋଲି ଆଶା କରାଯାଉଛି । ରାଉରକେଲା ବିମାନ ବନ୍ଦରର ଏଟିସି ରେକର୍ଡ ମଧ୍ୟ ତଦନ୍ତଖାରୀ ଟିମ ସଂଗ୍ରହ କରିଛି । ସେପଟେ ଦୁର୍ଘଟଣାସ୍ଥଳ ସହ ହସପିଟାଲ ଯାଇ ସ୍ଥିତି ଅନୁଧ୍ଯାନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ । ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିବାରୁ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଉରକେଲା ବିମାନ ବନ୍ଦରରୁ ୭୨ ସିଟର ବିମାନ ଚଳାଚଳ ବନ୍ଦ କରାଯାଇ ୯ ସିଟର ବିମାନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଏହି ଅଘଟଣ ପରେ ପୁଣି କିପରି ବିମାନ ଚଳାଚଳ ଆରମ୍ଭ ହେବ ସେନେଇ ପଦକ୍ଷେପ ନିଆଯାଉଥିବା କହିଛନ୍ତି ମନ୍ତ୍ରୀ ।

ଇଣ୍ଡିଆ ଓ୍ଵାନ ଏୟାରର ପ୍ରମୋଟର ଶୈଶବ ଶାହା ରାଉରକେଲା ଗସ୍ତରେ ଆସି ଜୟ ପ୍ରକାଶ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦୁଇ ପାଇଲଟ ଓ ଆହତ ଯାତ୍ରୀଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରିଛନ୍ତି । ଆହତଙ୍କ ଚିକିତ୍ସା ଖର୍ଚ୍ଚ ଇଣ୍ଡିଆ ଓ୍ଵାନ ଏୟାର ବହନ କରିବ ବୋଲି ସେ କହିଛନ୍ତି । ଘଟଣାର ତଦନ୍ତ ଜାରି ରହିଥିବାବେଳେ ରାଉରକେଲାରୁ କମ୍ପାନି ବିମାନ ଚଳାଚଳ ଜାରି ରଖିବ ବୋଲି ଇଣ୍ଡିଆ ଓ୍ଵାନ ଏୟାରର ପ୍ରମୋଟର ସୂଚନା ଦେଇଛନ୍ତି । ଦୁଇଜଣ ଯାତ୍ରୀଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିବାବେଳେ ରାଉରକେଲା ଜୟ ପ୍ରକାଶ ହସ୍ପିଟାଲରେ ଦୁଇଜଣ ପାଇଲଟ ଓ ଦୁଇଜଣ ବିମାନ ଯାତ୍ରୀଙ୍କ ଚିକିତ୍ସା ଜାରି ରହିଛି ।

କଟକକୁ ମାଞ୍ଜା ଭୟ: ମକର ପୂର୍ବରୁ ସଜାଗ ପ୍ରଶାସନ, ଆରମ୍ଭ ହେଲା ସଚେତନତା

କଟକକୁ ମାଞ୍ଜା ଭୟ । ମକର ପୂର୍ବରୁ ସଜାଗ ପ୍ରଶାସନ । ଆରମ୍ଭ ହେଲା ସଚେତନତା । ପାଖେଇ ଆସିଲାଣ ମକର ସଂକ୍ରାନ୍ତି । ପିଲାଙ୍କ ଠାରୁ ଆରମ୍ଭ କରି ଯୁବକଙ୍କ ପର୍ଯ୍ୟନ୍ତ ସମସ୍ତେ ହାତରେ ନଟେଇ, ଡୋର ଓ ଗୁଡି ଧରି କୋଠା ଉପର, ଖୋଲା ପଡିଆ ଓ ନଦୀ ବାଲିରେ ଉଡ଼ାଇବେ ଗୁଡ଼ି । ତେବେ ଏହି ଉତ୍ସାହ କିଛି ବର୍ଷ ହେଲା ଅନ୍ଯମାନଙ୍କ କାଳ ସାଜିଛି । ଚାଇନିଜ ଲାଇଲନ ଓ ବିଦେଶରୁ ଆସୁଥିବା ମାଞ୍ଜା ସୂତା ବିପଦ ସାଜିଛି । ରାସ୍ତାରେ ଗଲା ବେଳେ ଅନେକ ସମୟରେ ବାଇକ ଆରୋହୀ ଓ ଯାତ୍ରୀ ଆହତ ହେଉଛନ୍ତି । ତେଣୁ ଏଭଳି ବିପଦଜନକ ସୂତା ବ୍ୟବହାର ନ କରିବାକୁ ସହରରେ ସଚେତନତା ସୃଷ୍ଟି କରୁଛି ସ୍ବେଛାସେବୀ ସଂଗଠନ । ୫ ଦିନ ସହରରେ ସଚେତନତା ଗାଡ଼ି ବୁଲି ଲୋକଙ୍କୁ ସଚେତନ କରିବ ।

ଉତ୍ସବ ପାଳିବା ଆଳରେ ମାଞ୍ଜା ସୂତା ସାଜିଛି ବିପଦ । ପୋଲିସ ପକ୍ଷରୁ ନନ୍ଦି ସାହି, ଚୌଧୁରୀବଜାର ଓ ଝୋଲାସାହିରେ ଚଢ଼ାଉ କରାଯାଇଥିଲା । କିଛି ବିପଦଜନକ ସୂତା ଝୋଲାସାହିରୁ ଜବତ କରିବା ସହିତ ସଂପୃକ୍ତ ବ୍ୟବସାୟୀଙ୍କୁ ଅର୍ଥଦଣ୍ଡ ଦେଇ ତାଗିଦ କରି ଛାଡି ଦେଇଥିଲା ପୋଲିସ । ସେପଟେ ନିକଟରେ ୪୨ ମୌଜାରେ ଜଣେ, ମଲ୍ଲାଚଣ୍ଡିଆ ଛକରେ ଜଣେ ଓ ସତୀଚଉରା ଅଂଚଳରେ ଜଣେ ଗୁଡ଼ି ସୂତା ଲାଗି ଆହତ ହୋଇଥିଲେ । ଏପରିକି ୩ ବର୍ଷ ତଳେ ଜଗତପୁର ଅଂଚଳରେ ଜଣେ ନବବିବାହିତ ଯୁବକ ଓ ୫ ବର୍ଷ ତଳେ କଟକ ବମ୍ଫକୁଦରେ ଜାତୀୟ ରାଜପଥରେ ମାଞ୍ଜା ସୂତା ଲାଗି ଜଣେ ଛୋଟ ଝିଅ ବାଇକରେ ବାପା ମାଆଙ୍କ ସହ ଯାଉଥିବା ବେଳେ ମୃତ୍ୟୁ ହୋଇଥିଲା । ଅନେକ ସମୟେର କାହାର ଆଙ୍ଗୁଠି କଟିଛି ତ କାହାର ତଣ୍ଟି । ତଥାପି ମାନୁ ନାହାନ୍ତି ଅମାନିଆ । ତେବେ ପର୍ବ ପାଳନ କରିବାକୁ କେହି ଆକଟ କରୁ ନାହାନ୍ତି, କିନ୍ତୁ ଏପରି ବିପଦପୂର୍ଣ୍ଣ ସୂତା ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି ବୁଦ୍ଧିଜୀବୀ । ଆଉ ଗୋଟିଏ ଦିନ ପରେ ମକର ସଂକ୍ରାନ୍ତି । ଏହା ପୂର୍ବରୁ ସଚେତନ ହେଲେ ମକର ପର୍ବ ସମସ୍ତଙ୍କ ପାଇଁ ଖୁସି ଆଣନ୍ତା ବୋଲି କହିଛନ୍ତି ସହରବାସୀ ।

ଦିନକ ପରେ ମୟୂରଭଞ୍ଜର ଗଣପର୍ବ ମକର: ସବୁଠି ପରମ୍ପରା ଓ ସଂସ୍କୃତିର ଝଲକ

କାନ୍ଥରେ ଚାଲିଛି ସୁନ୍ଦର ଝୋଟି ଚିତା । ଯେଉଁଆଡେ ଦେଖିବା ସବୁଠି ପରମ୍ପରା ଓ ସଂସ୍କୃତିର ଝଲକ । କାହିଁକି ନା ଦିନକ ପରେ ମୟୂରଭଞ୍ଜର ଗଣପର୍ବ ମକର । ଉଦଳା, କପ୍ତିପଦା, ଖୁଣ୍ଟା ଏବଂ ଗୋପବନ୍ଧୁନଗର ବ୍ଲକର ପ୍ରତି ଗାଁରେ ଚାଲିଛି ମକର ପ୍ରସ୍ତୁତି । ପ୍ରତି ଘରେ ଚାଲିଛି ଲିପା ପୋଛା । ଘର କାନ୍ଥରେ ଝଟକି ଉଠୁଛି ନାନା ରଙ୍ଗ ବେରଙ୍ଗର ଚିତ୍ର । କେଉଁଠି ଫୁଲ ତ ଆଉ କେଉଁଠି ଆଦିବାସୀ ପରମ୍ପରାର ଲେପ ଦିଆଚାଲିଛି । କେବଳ ସେତିକି ନୁହେଁ ନାଚଗୀତ ପାଇଁ ପାରମ୍ପରିକ ବାଦ୍ୟ ଯନ୍ତ୍ର ମଧ୍ୟ ପ୍ରସ୍ତୁତ ହେଉଛି । ଗାଁ ଗହଳି ହାଟ ମାନଙ୍କରେ ତିଳଉ, ଚୁଡା ଏବଂ ମୁଢି କିଣିବାକୁ ଲୋକଙ୍କ ଭିଡ ଜମୁଛି ।

କପ୍ତିପଦା ଉପଖଣ୍ଡରେ ମକର ପର୍ବ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି । ଉତ୍କଣ୍ଠାର ସହ ଲୋକେ କେବଳ ସେହି ଦିନକୁ ଅପେକ୍ଷା କରିଛନ୍ତି । ମକର ସଂକ୍ରାନ୍ତି ଠାରୁ ୫ ରୁ ୭ ଦିନ ଧରି ଏଠାରେ ଚାଲିବ ମକର ପର୍ବ । ପ୍ରତି ଘରେ ହେବ ପିଠା ପଣା । ଆସିବେ ବନ୍ଧୁବାନ୍ଧବ । ଆଉ ପର୍ବକୁ ମନଭରି ଉପଭୋଗ କରିବେ ସମସ୍ତେ । ଉତ୍ସାହର ସହ ମକର ପର୍ବକୁ ଅପେକ୍ଷା କରିଛନ୍ତି ଆବାଳ ବୃଦ୍ଧ ବନିତା ।

ମଣ୍ଡିରେ ସୁରକ୍ଷିତ ରହୁନି ଚାଷୀଙ୍କ ଅମଳ ଫସଲ: ଧାନ ଚୋରି ହେଉଥିବା ଅଭିଯୋଗ

ପ୍ରହସନ ପାଲଟିଛି ସରକାରଙ୍କ ମଣ୍ଡି ବ୍ୟବସ୍ଥା । ମଣ୍ଡିରେ ସୁରକ୍ଷିତ ରହୁନି ଚାଷୀଙ୍କ ଅମଳ ଫସଲ । ଧାନ ଚୋରି ହେଉଥିବା ଅଭିଯୋଗ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ଚାଷୀଙ୍କ ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିଛି । ହେଲେ ମଣ୍ଡିରେ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା । ଧାନ ରଖିବା ପାଇଁ ପିଣ୍ଡି ନାହିଁ କି ଛାତ ନାହିଁ । ଫଳରେ ଖୋଲା ଆକାଶ ତଳେ ପାଲ ଘୋଡାଇ ଅମଳ ଫସଲକୁ ସାଇତି ରଖିଛନ୍ତି ଅନ୍ନଦାତା । ବର୍ଷା ହେଲେ ଧାନ ଭିଜିବା ଆଶଙ୍କା ରହୁଛି । କିଛି ମଣ୍ଡିରେ ପାଚେରୀ କି ସିସିଟିଭି କ୍ୟାମେରା ନାହିଁ l ଫଳରେ ଅନେକ ସମୟରେ ଧାନ ଚୋରି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି l

ବୌଦ୍ଧ ଜିଲ୍ଲାର ୧୮ ଗୋଟି ସେବା ସମବାୟ ସମିତିକୁ ଆଦର୍ଶ ମଣ୍ଡିରେ ପରିଣତ କରିବାକୁ ୧୧ କୋଟି ଟଙ୍କାର ଅନୁଦାନ ଆସିଛି l ହେଲେ କେଉଁଠି କାମ ଆରମ୍ଭ ହୋଇଛି ତ ଆଉ କେଉଁଠି ଅଧାରେ ଅଟକିଛି । ଅନେକ ପ୍ୟାକ୍ସରେ ନିମ୍ନମାନର କାମ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ରୁଣ୍ଡି ମହୁଲ, ପଳସାଗୋରା, ଖଟଖଟିଆ, କଣ୍ଟାମାଳ , କୁଳୁତାଜୋର ପରି ଅନେକ ମଣ୍ଡିରେ ଭିତ୍ତିଭୂମି ନଥିବାରୁ ଚାଷୀ ଖୋଲା ଆକାଶ ତଳେ ଧାନ ରଖୁଛନ୍ତି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରୁ କାମ ଆଗେଇ ପାରୁନି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଖୁବଶୀଘ୍ର କାମ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ସମବାୟ ଉପ ନିବନ୍ଧକ । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶୀଘ୍ର ମଣ୍ଡିର ଭିତ୍ତିଭୂମି ସୁଦୃଢ କରିବାକୁ ଦାବି ହୋଇଛି ।

ଅସ୍ତବ୍ୟସ୍ତ କରୁଛନ୍ତି ଦନ୍ତା: ଖାଦ୍ୟ ଅନ୍ଵେଷଣରେ ଜନବସତି ମୁହାଁ ହାତୀପଲ

ଅସ୍ତବ୍ୟସ୍ତ କରୁଛନ୍ତି ଦନ୍ତା । ଖାଦ୍ୟ ଅନ୍ଵେଷଣରେ ଜନବସତି ମୁହାଁ ହାତୀପଲ । ଗତ ତିନି ମାସ ହେଲା ଗଜପତି ଜିଲ୍ଲା କାଶୀନଗରରେ ଆତଙ୍କ ମଚାଉଛନ୍ତି ଦନ୍ତା । କାଶୀନଗର ବ୍ଳକର ବୁଦୁରା, ଭାନା, ଖିଡିଙ୍ଗା, ଖାଣ୍ଡବା ଆଦି ଅଞ୍ଚଳରେ ଚାରି ଟିକିଆ ହାତୀପଲ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି ଏକର ଫସଲ । ରାସ୍ତାରେ ଯାଉଥିବା ବାଟୋଇଙ୍କ ଗାଡି ବି ଭାଙ୍ଗିଦେଉଛନ୍ତି । ହାତୀଙ୍କ ଚଳପ୍ରଚଳ ପାଇଁ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟ ହେଉଛି । ଅନ୍ଧାରରେ ରାତ୍ରିଯାପନ କରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଅନେକ ଚାଷୀଙ୍କ ଫସଲ, ଚାଷଜମି ଓ ଘରଦ୍ଵାର ନଷ୍ଟ କରିସାରିଲେଣି ହାତୀପଲ । ହେଲେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଖରେ ସରକାରଙ୍କର କୌଣସି କ୍ଷତିପୂରଣ ପହଞ୍ଚିପାରିନାହିଁ । କ୍ଷତିଗ୍ରସ୍ତ ଚାଷୀ ସରକାରଙ୍କ ନୀତି ନିୟମ ସମ୍ପର୍କରେ ଅବଗତ ନଥିବାରୁ ସହାୟତା ପାଇପାରୁନଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଚାଷୀ ଅନୁକମ୍ପା ଆପ କିମ୍ବା ଜନସେବା କେନ୍ଦ୍ରରେ ଆବେଦନ କରନ୍ତୁ । ଗୋଟିଏ ସପ୍ତାହ ମଧ୍ୟରେ ସହାୟତା ରାଶି ପାଇପାରିବେ ବୋଲି ଏସିଏଫ କହିଛନ୍ତି । ବନବିଭାଗ କେବେ ହାତୀପଲଙ୍କୁ ସୁରକ୍ଷିତ ଭାବରେ ଅନ୍ୟତ୍ର ଘଉଡାଇବାରେ ସଫଳ ହେଉଛି ? କେବେ ଚାଷୀଙ୍କୁ କ୍ଷତିପୂରଣ ମିଳୁଛି ? ତାକୁ ହିଁ ଅପେକ୍ଷା ।

ରାଜ୍ୟ ପରିବହନ ବିଭାଗର ଅନ୍ଧ ନୀତି ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଗର୍ଜନ ସମାବେଶ

ରାଜ୍ୟ ପରିବହନ ବିଭାଗର ଅନ୍ଧ ନୀତି ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଗର୍ଜନ ସମାବେଶ । ରାଜ୍ୟ ସରକାର ପରିବେଶର ସୁରକ୍ଷା ନାଁରେ ରାଜ୍ୟବାସୀଙ୍କୁ ଶୋଷଣ କରୁଛନ୍ତି। ପ୍ରତ୍ୟେକ ଗାଡ଼ିରେ ପଲ୍ୟୁସନ ସାର୍ଟିଫିକେଟ ହାସଲ କରିବା ପରିପ୍ରେକ୍ଷିରେ ବିଭିନ୍ନ ପ୍ରକାରର ମିଛ ଫାଇନ କାଟୁଥିବା ଦେଖିବାକୁ ମିଳୁଛି। ଗାଡ଼ି ରାସ୍ତାରେ ନ ଗଡିଲେ ମଧ୍ୟ ଫାଇନ ମେସେଜ ଆସି ପହଞ୍ଚୁଛି । ଲୋକେ ଋଣ କରି ଫାଇନ ଜମା କରୁଥିଲା ବେଳେ ଏ ପ୍ରକାର ଶୋଷଣ ପ୍ରତିବାଦରେ ବିଜୁ ଜନତା ଦଳର ଯୁବ ଏବଂ ଛାତ୍ର ସଂଗଠନ ପକ୍ଷରୁ ବାରିପଦାଠାରେ ଗର୍ଜନ ସମାବେଶ ଆୟୋଜିତ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲାର ବିଜେଡି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେଡି ।

ମୟୂରଭଞ୍ଜ ଜିଲ୍ଲା ବିଜେଡିର ଯୁବ ସଭାପତି ଅରୁଣ ବରାଡ ଏବଂ ଛାତ୍ର ସଭାପତି ସୁନିଲ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗର୍ଜନ ସମାବେଶରେ ବିଜେଡ଼ିର ରାଜ୍ୟ ଯୁବ ସଭାପତି ଚିନ୍ମୟ ସାହୁ ଏବଂ ଛାତ୍ର ସଭାପତି ଇପ୍ସିତା ସାହୁଙ୍କ ଯୋଗଦାନ ଏହି ସମାବେଶକୁ ଅଧିକ ଶକ୍ତିଶାଳୀ କରିଥିବା ଦେଖିବାକୁ ମିଳିଥିଲା। ଏହି ପ୍ରତିବାଦ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ମୟୂରଭଞ୍ଜ‌ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ବାରିପଦା ପୌରପରିଷଦ ର ଉପାଧ୍ୟକ୍ଷା ସୀମା ଦାସ ଏଵଂ ଵହୁ କାଉନସିଲର,ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ଗଣେଶ୍ଵର ପାତ୍ର, ବିଜେଡି ର ବରିଷ୍ଠ ନେତା ଡକ୍ଟର ଦେବାଶିଷ ମାରାଣ୍ଡି, ଦେବାଶିଷ ମହାନ୍ତି, ସୁବ୍ରମଣ୍ୟମ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ମହିଳା ନେତ୍ରୀ ଦିପ୍ତିଲତା ମିଶ୍ର ପ୍ରମୁଖ ଏହି ସମାବେଶରେ ଅଂଶଗ୍ରହଣ କରି ରାଜ୍ୟ ସରକାରଙ୍କ ଜନତା ମାରଣ ନୀତିର ସମାଲୋଚନା କରିଥିଲେ। ପରିଶେଷରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଲୋକସେବା ଭବନରେ ଜାତୀୟ ସଡ଼କ ସୁରକ୍ଷା ମାସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଶୁଭାରମ୍ଭ ହେଲା ଜାତୀୟ ସଡ଼କ ସୁରକ୍ଷା ମାସ । ଲୋକସେବା ଭବନରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଡ଼କ ସୁରକ୍ଷା ମାସର ଶୁଭାରମ୍ଭ କରିଛନ୍ତି। ୧୦ଟି ଜିଲ୍ଲାରେ ମୋଟ ୧୫୬.୫୩ କୋଟି ଟଙ୍କା ବ୍ୟୟରେ ୧୪ଟି ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଓଏର୍‌ଟିସିର ୧୦୦ଟି ନୂତନ ବସ୍‌, ଘାଟି ରାସ୍ତାରେ ସତର୍କ ସୂଚନା ଘଣ୍ଟି, ବିଦ୍ୟାଳୟ ପରିସର ସୁରକ୍ଷା ରେଟିଂର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ବସ୍ ସେବା ଅଧୀନରେ ବସ୍ ପରିଚାଳନା ମାର୍ଗର ପୁନର୍ବିନ୍ୟାସ, ବ୍ରହ୍ମପୁରରେ CRUT ଇ-ବସ୍ ଡିପୋରେ ୨୫ ବୈଦ୍ୟୁତିକ ଆମ ବସ୍ ଶୁଭାରମ୍ଭ ଓ ସ୍ମାର୍ଟ କାର୍ଡର ଶୁଭାରମ୍ଭ ହୋଇଛି। ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେସନର ଶୁଭାରମ୍ଭ, ଟ୍ରାଫିକ୍ ପରିଚାଳନା ଯୋଜନା ପାଇଁ ବୁଝାମଣାପତ୍ର ସ୍ବାକ୍ଷର ଓ ଗିରିଶୋଳା ଟ୍ରକ୍ ଟର୍ମିନାଲର ଜମି କାଗଜପତ୍ର HPCLକୁ ହସ୍ତାନ୍ତର କରାଯାଇଛି।

ନୂଆ ବିଧାନସଭାରେ ବସି ପାରିବେ ୩୦୦ ସଦସ୍ୟ: ନୂଆ ଲୋକସେବା ଭବନ ଓ ବିଧାନସଭାର ଶିଳାନ୍ୟାସ

ନୂଆ ବିଧାନସଭାରେ ବସି ପାରିବେ ୩୦୦ ସଦସ୍ୟ। ଏହାକୁ ଆଧାର କରି ନୂଆ ବିଧାନସଭାର ପରିକଳ୍ପନା କରାଯାଇଛି। ଏହାସହ ଗୋଟିଏ କ୍ୟାମ୍ପସରେ ନୂଆ ଲୋକସେବା ଭବନ ଏବଂ ନୂଆ ବିଧାନସଭା ରହିବ। ଯାହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁଥିପାଇଁ ୩ ହଜାର ୬୨୩ କୋଟି ଖର୍ଚ୍ଚ କରିବେ ସରକାର। ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ବିଧାନସଭା ଏବଂ ଲୋକସେବା ଭବନ। ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆ ଲୋକସେବା ଭବନରେ ହେବ ଭୂତଳ ପାକିଂ। ସେହିପରି ୯୫୨ କୋଟି ଟଙ୍କା ବ୍ୟୟରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏଲିଭେଟେଡ଼ କରିଡ଼ର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁ ଥିରେ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କୀଟ ଛକ ରେ ନିର୍ମାଣ ହେବ ଫ୍ଲାଏ ଓଭର। ଜୟଦେବ ବିହାର ଛକରେ ୪ ଲେନ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ କରିବାକୁ ଯୋଜନା ରହିଛି। ରାସ୍ତାର ଦୁଇ ପାର୍ଶ୍ଵରେ ଲାଗିବ ୨୨ ହଜାର ୪୧୦ ଗଛ। ମୁଖ୍ୟମନ୍ତ୍ରୀ ଆଜି ୬ ହଜାର ୭୧୦ କୋଟି ଟଙ୍କାର ୭୧ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ସ୍ଥାପନ କରିଛନ୍ତି। ଯେଉଁଥିରେ ରହିଛି ୩୩ଟି ରୋଡ଼ ଓ ୫ଟି ବ୍ରିଜ ।

ମାର୍ଚ୍ଚ ମାସରେ ନୂଆ ଦଳ ଗଠନ କରିବେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ

ମାର୍ଚ୍ଚ ମାସରେ ନୂଆ ଦଳ ଗଠନ କରିବେ ପୂର୍ବତନ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ l ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି l ଦଳରେ କିଏ ସାମିଲ ହେବେ ଓ କଣ ରହିବ ଆଭିମୁଖ୍ୟ ତାକୁ ନେଇ ପୁଣି ମୁହଁ ଖୋଲିଛନ୍ତି ମହମ୍ମଦ ମୋକିମ l ରାଜଧାନୀରେ ଯୁବ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛନ୍ତି l ଫେରିବ ଗୌରବ, ଦରକାର ଆଉ ଏକ ବିପ୍ଳବର ସ୍ଲୋଗାନ ଦେଇ ମୋକିମ ନୂଆ ଦଳର ମୂଳଦୁଆ ପକାଇଛନ୍ତି । ଅଭିଭାଷଣରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ମୋକିମ। ରାଜ୍ୟରେ ମହିଳାମାନେ ଆଜି ଅସୁରକ୍ଷିତ। ଓଡିଶାକୁ ମଦମୁକ୍ତ କରିବାକୁ ଦେଇଛନ୍ତି ଆହ୍ୱାନ। ଏ ନେଇ ଆଗକୁ ବିପ୍ଳବ ସୃଷ୍ଟି କରାଯିବ। କଟକ ଯାହା ଚିନ୍ତା କରେ ଓଡିଶାରେ ତାହା ପ୍ରତିଫଳିତ ହୁଏ। ଯାହା ନିଷ୍ପତି ନିଏ ଆଉ ପଛକୁ ଫେରେନି ବୋଲି କହିଛନ୍ତି ମୋକିମ l ବିଜେପିର ଶୀର୍ଷ ନେତୃତ୍ୱ 4 ଥର ପ୍ରଚାର କରିବା ପରେ ମଧ୍ୟ କଟକବାସୀ ସୋଫିଆଙ୍କୁ ବିଧାନସଭା ପଠାଇଛନ୍ତ । ଏହା ହିଁ ବିଶ୍ୱାସ। ଧୀର ପାଣି ପଥର କାଟେ, ତେଣୁ ଆମେ ଅପେକ୍ଷା କରିବା। ସେପଟେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋସ। କହିଥିଲେ, ସ୍ୱାମୀ ବିବେକାନନ୍ଦ ଯୁବବର୍ଗଙ୍କୁ ସାହସ ଦେଉଛନ୍ତି। ଦେଶ ଆମର ପ୍ରଥମ ଦାୟିତ୍ୱ। ଖୋଲା ମଞ୍ଚରେ ବାପା ମହମ୍ମଦ ମୋକିମଙ୍କ ଅନେକ ପ୍ରଶଂସା କରିଥିଲେ ସୋଫିଆ। ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ। ଏବେ କଟକବାସୀ ମତେ ବିଧାୟିକା କରିଛନ୍ତି। ଦେଶକୁ ଗଢିବା ପାଇଁ ଆମ ସମସ୍ତ ଯୁବକଙ୍କୁ ଏକ ହେବାକୁ ପଡିବ ବୋଲି କହିଥିଲେ ସୋଫିଆ ଫିର୍ଦ୍ଦୋସ ।

ପ୍ରଶ୍ନପତ୍ର ଲିକ ରୋକିବ AI କ୍ୟାମେରା

ପ୍ରଶ୍ନପତ୍ର ଲିକ ରୋକିବ AI କ୍ୟାମେରା। ପ୍ରଶ୍ନପତ୍ର ଲିକ୍ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ AI କ୍ୟାମେରା। ୨୧୧ ହବରେ ଏହା ନିଜ ଆଡୁ ଲଗାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। କଲେଜ ଇଣ୍ଟେର୍ନେଟ ଉପରେ ନିର୍ଭର କରିବାକୁ ପଡିବ ନାହିଁ। AI କ୍ୟାମେରାରେ ଲଗାଯିବ ୧୨୮ GB ସିମ କାର୍ଡ। ଏଥିପାଇଁ ଦିଆଯିବ ପାୱାର ବ୍ୟାକଅପ। ଆସନ୍ତା ଫେବୃଆରୀ ୯ ସୁଦ୍ଧା ସବୁ ହବରେ ଲଗାଯିବ କ୍ୟାମେରା। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ଖୋଲିଲା କଣ୍ଟ୍ରୋଲ ରୁମ। ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାକୁ ଏହି କଣ୍ଟ୍ରୋଲ ରୁମରୁ ମନିଟର କରାଯାଇଛ॥ ପୂର୍ବରୁ କେବଳ ଥିଓରୀ ପରୀକ୍ଷାକୁ କଣ୍ଟ୍ରୋଲ ରୁମରୁ ମନିଟର କରାଯାଉଥିଲା। ଏହା ଦ୍ୱାରା ପିଲାମାନଙ୍କ ସମେତ ଏକ୍ସଟରନାଲମାନଙ୍କ ଗତିବିଧି ଉପରେ ବି ନଜର ରଖାଯାଉଛି। କାରଣ ଏକ୍ସଟରନାଲଙ୍କୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା