spot_img
Home Blog Page 669

ସେୟାର ମାର୍କେଟରେ ଯୁଦ୍ଧର ପ୍ରଭାବ, ନିବେଶକଙ୍କର ବୁଡିଲା ୩ଲକ୍ଷ କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ସେୟାର ବଜାରରେ ଯୁଦ୍ଧର ପ୍ରଭାବ । ଖସିଲା ସେନସେକ୍ସ ଓ ନିଫ୍ଟି । ସପ୍ତାହର ପ୍ରଥମ ଦିନର କାରବାର ଆରମ୍ଭରୁ ୪୫୧ ପଏଣ୍ଟ ଖସିଲା ସେନସେକ୍ସ ଏବଂ ୧୭୦ପଏଣ୍ଟ ହ୍ରାସ ପାଇଲା ନିଫ୍ଟି । ବିଶ୍ୱ ଉତ୍ତେଜନାର ବାତାବରଣରେ କ୍ରାସ ହେଇଛି ସେୟାର ମାର୍କେଟ । ମାର୍କେଟର ପ୍ରମୁଖ ସୂଚକାଙ୍କ ସେନସେକ୍ସ ୭୫୯.୦୭ ପଏଣ୍ଟ ହ୍ରାସ ପାଇବା ପରେ ୮୧,୬୪୯.୧୦ ରେ କାରବାର କରୁଛି। ୩୦ ମିନିଟ୍ ମଧ୍ୟରେ ନିବେଶକମାନେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି । ସେନସେକ୍ସର ୩୦ଟି କମ୍ପାନୀ ମଧ୍ୟରୁ ୨୫ଟି କମ୍ପାନୀ ଲାଲ ରଙ୍ଗରେ କାରବାର କରୁଛି । ସେହି ସମୟରେ, କେବଳ ୫ଟିରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳୁଛି । ପ୍ରତିରକ୍ଷା କ୍ଷେତ୍ରରେ ବୃଦ୍ଧି ଦେଖାଯାଉଥିବା ବେଳେ, ଫାର୍ମା ସମେତ ଟେକ୍ନୋଲୋଜି, ଅଟୋ କ୍ଷେତ୍ରର ସେୟାର ଚାପରେ କାରବାର କରୁଛି ।

ନିଫ୍ଟି ୫୦ ନିଜର ପୂର୍ବ ବନ୍ଦ ସ୍ତର ୨୫,୧୧୨.୪୦ ତୁଳନାରେ ୨୪,୯୩୯.୫୦ ରେ ଖୋଲିଛି ଏବଂ ପ୍ରାୟ ୧ ପ୍ରତିଶତ ହ୍ରାସ ପାଇ ୨୪,୮୯୧ର ସର୍ବନିମ୍ନ ସ୍ତରରେ କାରବାର କରୁଛି। ଗତ ୧୦ ଦିନ ଧରି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବଜାର ଉପରେ ଦେଖିବାକୁ ମିଳୁଛି । ଆମେରିକାର ଯୁଦ୍ଧରେ ପ୍ରବେଶ ଯୋଗୁଁ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି, ଯାହା ଯୋଗୁଁ ଆଜି ଭାରତୀୟ ବଜାର ଉପରେ ଚାପ ଦେଖିବାକୁ ମିଳୁଛି । BSE ବଜାର ପ୍ରାୟ ୩ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି ।

କାହାର ଲାଭ କାହାର କ୍ଷତି ?

BSE ରିପୋର୍ଟ ଅନୁଯାୟୀ, ସର୍ବାଧିକ ଲାଭକାରୀ କମ୍ପାନୀଗୁଡ଼ିକ ହେଉଛନ୍ତି ZEEL, IDEAFORGE, VMART, AVANTEL ଏବଂ ZENTEC ଏବଂ ଏହି ସମୟରେ, ASTRAL, LTFOODS, SIEMENS, STLTECH ଏବଂ MTARTECH କମ୍ପାନୀଗୁଡ଼ିକରେ ସର୍ବାଧିକ ବିକ୍ରୟ ଦେଖାଯାଉଛି ।

ଗତ ସପ୍ତାହର କାରବାର କିପରି ଥିଲା ?

ଜୁନ୍ ୨୦ରେ ଷ୍ଟକ୍ ବଜାରରେ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା। ସେନସେକ୍ସ ୧୦୪୬ ପଏଣ୍ଟ୍ ଉପରକୁ ଉଠି ୮୨.୪୦୮ ରେ ପହଞ୍ଚିଥିଲା ​​ଏବଂ ନିଫ୍ଟି ୩୧୯ ପଏଣ୍ଟ୍ ଉପରକୁ ଉଠି ୨୫,୧୧୨ ରେ ବନ୍ଦ ହୋଇଥିଲା । ସେନସେକ୍ସର ୩୦ଟି ଷ୍ଟକ୍ ମଧ୍ୟରୁ ୨୭ଟି ଷ୍ଟକ୍ ବୃଦ୍ଧି ପାଇଥିଲା, ଯେତେବେଳେ୩ଟି ହ୍ରାସ ପାଇଥିଲା । ଏୟାରଟେଲ୍, ନେସଲେ ଏବଂ ଏମ ଆଣ୍ଡ ଏମର ଶେୟାର ୩.୨% ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ, ମାରୁତି, ଅଲଟ୍ରାଟେକ୍ ସିମେଣ୍ଟ ଏବଂ ଆକ୍ସିସ୍ ବ୍ୟାଙ୍କର ସେୟାର ହ୍ରାସ ପାଇଥିଲା।

ଇରାନର ଗୋଟିଏ ନିଷ୍ପତ୍ତିରେ ଥରି ଉଠିଲା ଆମେରିକା, ଚୀନକୁ କଲା ଗୁହାରୀ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ବଢୁଛି ଉତ୍ତେଜନା। ଇରାନକୁ ଧ୍ଵସ୍ତ ବିଧ୍ଵସ୍ତ କରିବାକୁ ପଣ କରିଛି ଇସ୍ରାଏଲ। ଏବଂ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ପରେ ତୃତୀୟ ବିଶ୍ବଯୁଦ୍ଧ ଆଡକୁ ମୁହାଁଉଛି ବିଶ୍ବ । ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ ପରେ ପାଗଳପ୍ରାୟ ହୋଇଯାଇଛି ଇରାନ । ଆମେରିକାକୁ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଛି ଇରାନ । ତେବେ ଏହାରି ଭିତରେ ଇରାନର ଗୋଟିଏ ଧମକ ଆମେରିକାର ନିଦ ହଜାଇଦେଇଛି । ଇରାନ ପାରସ୍ୟ ଉପସାଗରକୁ ଆରବ ସାଗର ସହିତ ସଂଯୋଗ କରୁଥିବା ଏକ ସଂକୀର୍ଣ୍ଣ ଜଳପଥ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛି ଯାହା କେବଳ ଆମେରିକା ନୁହେଁ ବିଶ୍ୱର ଅନେକ ଦେଶ ଉପରେ ଚାପ ପକାଇଛି । ଯାହାର ତୁରନ୍ତ ସମାଧାନ ପାଇଁ ଚୀନକୁ ଗୁହାରୀ କରିଛି ଆମେରିକା । ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଚୀନକୁ ଅନୁରୋଧ କରିଛନ୍ତି ଯେ ସେ ଇରାନକୁ ହର୍ମୁଜ୍ ପ୍ରଣାଳୀ ବନ୍ଦ ନକରିବା ପାଇଁ କୁହନ୍ତୁ। ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ହମଲାକୁ ନେଇ ତେଜିଛି ସୁପରପାୱାରଙ୍କ ମଧ୍ୟରେ ବିବାଦ। ଆକ୍ରମଣକୁ ନେଇ ଇରାନ ଅତ୍ୟନ୍ତ କ୍ରୋଧିତ ଥିବା ବେଳେ ସେଠାରେ ଥିବା ଆମେରିକୀୟ ଲୋକଙ୍କୁ ଟାର୍ଗେଟ କରିବା ସହିତ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛି ।

ହୋର୍ମୁଜ ପ୍ରଣାଳୀ କାହିଁକି ଗୁରୁତ୍ବପୂର୍ଣ୍ଣ ?

ଇରାନ ସଂସଦ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ପାଇଁ ଏକ ପଦକ୍ଷେପକୁ ଅନୁମୋଦନ କରିଛି, ଯେଉଁ ପଥ ଦେଇ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ଏବଂ ଗ୍ୟାସ ପ୍ରବାହ ହୁଏ । ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିବା ମାର୍କୋ ରୁବିଓ କହିଛନ୍ତି, “ମୁଁ ବେଜିଂରେ ଥିବା ଚୀନ୍ ସରକାରଙ୍କୁ ଏ ବିଷୟରେ ଇରାନ ସହ ଆଲୋଚନା କରିବାକୁ ଅନୁରୋଧ କରିଛି । କାରଣ ବିଶ୍ବର ଅନେକ ଦେଶ ତେଲ ପାଇଁ ହର୍ମୁଜ୍ ପ୍ରଣାଳୀ ଉପରେ ନିର୍ଭର କରନ୍ତି ।” ଯଦି ଇରାନ ଏହି ପଦକ୍ଷେପ ଗ୍ରହଣ କରେ ତାହେଲେ ଏହା ଆଉ ଏକ ଭୟଙ୍କର ଭୁଲ ହେବ। ଯଦି ସେମାନେ ଏହା କରନ୍ତି ତେବେ ଏହା ସେମାନଙ୍କ ପାଇଁ ଆର୍ଥିକ ଆତ୍ମହତ୍ୟା ହେବ ଏବଂ ଆମ ପାଖରେ ଏହାର ମୁକାବିଲା କରିବା ପାଇଁ ବିକଳ୍ପ ଅଛି, କିନ୍ତୁ ଅନ୍ୟ ଦେଶମାନେ ମଧ୍ୟ ଏହା ବିଷୟରେ ବିଚାର କରିବା ଉଚିତ। ଏହା ଆମ ଅପେକ୍ଷା ଅନ୍ୟ ଦେଶର ଅର୍ଥନୀତିକୁ ବହୁତ କ୍ଷତି ପହଞ୍ଚାଇବ।”

ଯଦି ଇରାନ କାର୍ଯ୍ୟାନୁଷ୍ଠାନ ନିଏ, ତେବେ ଏହା ମହଙ୍ଗା ପଡ଼ିବ: ଆମେରିକା

 ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ୧୪ଟି ବଙ୍କର-ବଷ୍ଟର ବୋମା, ୨ ଡଜନରୁ ଅଧିକ ଟୋମାହକ୍ କ୍ଷେପଣାସ୍ତ୍ର ଏବଂ ୧୨୫ରୁ ଅଧିକ ସାମରିକ ବିମାନ ବ୍ୟବହାର କରି ଇରାନର ମୁଖ୍ୟ ପରମାଣୁ ସ୍ଥାନଗୁଡ଼ିକୁ “ଧ୍ୱଂସ” କରାଯାଇଛି । ତଥାପି ଆମେରିକାର ଏହି ଆକ୍ରମଣ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ଆହୁରି ତୀବ୍ର କରିପାରେ  । ୱାଶିଂଟନର ଆକ୍ରମଣ ପରେ ତେହେରାନ ନିଜକୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ରୁବିଓ ଇରାନ ଦ୍ୱାରା ପ୍ରତିଶୋଧ ନେବା ବିରୁଦ୍ଧରେ ଚେତାବନୀ ଦେଇ କହିଛନ୍ତି ଯେ ଏପରି ପଦକ୍ଷେପ ସେମାନଙ୍କ ପାଇଁ ବଡ ଭୁଲ ହେବ । ସେ ଏହା ମଧ୍ୟ କହିଛନ୍ତି ଏହି ମାମଲାରେ ଆମେରିକା ଇରାନ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ।

ଇରାନର ଧମକ ପରେ ଭାରତରେ ପରିସ୍ଥିତି କ’ଣ ?

ଇରାନର ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାର ଧମକ ମଧ୍ୟରେ ଭାରତରେ ମଧ୍ୟ ଚିନ୍ତା ବୃଦ୍ଧି ପାଇଛି । ପଶ୍ଚିମ ଏସିଆରୁ ଆସୁଥିବା ତେଲ ପାଇଁ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ, ଯାହାକୁ ଇରାନ ବନ୍ଦ କରିବାକୁ ଧମକ ଦେଉଛି । ବଢ଼ୁଥିବା ଉତ୍ତେଜନା ମଧ୍ୟରେ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, “ଆମର ତୈଳ ବିପଣନ କମ୍ପାନୀଗୁଡ଼ିକ ନିକଟରେ ଷ୍ଟକ୍ ରହିଛି ଏବଂ ସେମାନେ ଅନ୍ୟ ରୁଟ୍ ମାଧ୍ୟମରେ ଶକ୍ତି ଯୋଗାଣ ଜାରି ରଖିବେ। ଆମର ନାଗରିକମାନଙ୍କୁ ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବୁ।”

ଆମେରିକାର ଆକ୍ରମଣକୁ ଚୀନର ନିନ୍ଦା

ଅନ୍ୟପକ୍ଷରେ, ଇରାନ ପରମାଣୁ ସ୍ଥଳ ଉପରେ ଆମେରିକାର ଆକ୍ରମଣକୁ ଚୀନ୍ କଡ଼ା ଭାଷାରେ ନିନ୍ଦା କରିଛି ଏବଂ କହିଛି ଯେ ଏହି ଆକ୍ରମଣ ଜାତିସଂଘ ଚାର୍ଟରର ଏକ ଗମ୍ଭୀର ଉଲ୍ଲଂଘନ ଏବଂ ପଶ୍ଚିମ ଏସିଆରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରୁଛି। ଏବଂ ବେଜିଂ ‘ସଂଘର୍ଷରେ ସାମିଲ ସମସ୍ତ ପକ୍ଷ, ବିଶେଷକରି ଇସ୍ରାଏଲକୁ ଯଥାଶୀଘ୍ର ଯୁଦ୍ଧବିରତି କରିବାକୁ ଏବଂ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଲୋଚନା ଆରମ୍ଭ କରିବାକୁ ଅନୁରୋଧ କରିଛି।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇରାନ ଉପରେ ଆମେରିକାର ଆକ୍ରମଣ ଏବଂ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସୁଥିବା ଇରାନ ପରମାଣୁ ପ୍ରତିଷ୍ଠାନ ଉପରେ ବୋମା ମାଡ଼କୁ ଚୀନ୍ ଦୃଢ଼ ନିନ୍ଦା କରୁଛି। ଆମେରିକାର ଏହି କାର୍ଯ୍ୟ ଜାତିସଂଘ ଚାର୍ଟରର ଉଦ୍ଦେଶ୍ୟ ଏବଂ ନୀତି ଏବଂ ଅନ୍ତର୍ଜାତୀୟ ଆଇନର ଗମ୍ଭୀର ଉଲ୍ଲଂଘନ। ଏହି ଆକ୍ରମଣ ପଶ୍ଚିମ ଏସିଆରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପ୍ରସଙ୍ଗ ; ଆଜି ବସିବ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ବୈଠକ

ନନ୍ଦିଘୋଷ ବ୍ୟୁରୋ: ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଓ ଉତ୍ତରାଖଣ୍ଡ ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗ । ଆଜି ବସିବ ପରିବହନ ସଂକ୍ରାନ୍ତ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟିର ବୈଠକ । ଜେଡିୟୁ ସାଂସଦ ସଞ୍ଜୟ କୁମାର ଝାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏହି ବୈଠକରେ ବି ବିଭିନ୍ନ ରାଜ୍ୟ ଓ ଦିଲ୍ଲୀ-ଏନସିଆରରେ ଯାଇଥିବା ବିଭିନ୍ନ ଜାତୀୟ ରାଜପଥଗୁଡିକର ଜବରଦଖଲ ଓ ଟ୍ରାଫିକ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରାଯିବ । ବିଶେଷ କରି ବିମାନ ଚଳାଚଳ ନିରାପତ୍ତା ପ୍ରସଙ୍ଗକୁ ବୈଠକରେ ଗୁରୁତ୍ବ ଦିଆଯିବ । ଏହି ବୈଠକରେ ଜାତୀୟ ରାଜପଥ ଓ ଅନ୍ୟାନ୍ୟ ବିଭାଗର ପଦସ୍ଥ ଅଧିକାରୀ ବି ସାମିଲ ହେବେ ।

ଅହମ୍ମଦାବାଦ ବିମାନ ଦୁର୍ଘଟଣା ଓ ଉତ୍ତରାଖଣ୍ଡ ହେଲିକପ୍ଟର କ୍ରାସ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଥିବାବେଳେ ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ହୋଇଛି । ବିମାନ ଓ ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗରେ ବ୍ୟାବସାୟିକ ପାଇଲଟ ତଥା ସାଂସଦ ରାଜୀବ ପ୍ରତାପ ରୁଡୀ ବି ବୈଠକରେ ସମାଧାନର ସୂତ୍ର ଦେଇପାରନ୍ତି । ବାରମ୍ବାର ବିଭିନ୍ନ ବିମାନର ଚଳାଚଳ ବ୍ୟାହତ ହେବା, ଟେକନିକାଲ ସମସ୍ୟା ସୃଷ୍ଟି ହେବା, ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନର ବିଳମ୍ବ ବା ଯାତ୍ରା ରଦ୍ଦ ହେବା ସମସ୍ୟା ବଢୁଥିବାରୁ ଏହି ବୈଠକରେ ଏନେଇ ଆଲୋଚନା ହେବ ।

ଆଜି ଫଳାଫଳ ; ଏନଡିଏ, ଇଣ୍ଡି ମେଣ୍ଟ, ଟିଏମସି ଓ ଆପ୍ ଲାଗି ଅଗ୍ନିପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ଆଜି ୫ ରାଜ୍ୟର ୫ ବିଧାନସଭା ଉପନିର୍ବାଚନର ଆସିବ ଫଳ । ଗୁଜରାଟର କାଦି ଓ ବିସନଗର, କେରଳର ନୀଳାମ୍ବୁର, ପଞ୍ଜାବର ଲୁଧିଆନା ପଶ୍ଚିମ, ପଶ୍ଚିମବଙ୍ଗର କାଳିଗଞ୍ଜ ଉପନିର୍ବାଚନର ପ୍ରକାଶ ପାଇବ ଫଳ । ସବୁ ଆସନରେ ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରେ ହେବ କଡା ଟକ୍କର । ଭୋଟ ଗଣତି ସକାଳ ୮ଟାରେ ଆରମ୍ଭ ହୋଇଛି । ଉପନିର୍ବାଚନରେ ​ଫଳାଫଳ ଉପରେ ସମସ୍ତଙ୍କ ନଜର । ଲୁଧିଆନା ପଶ୍ଚିମ ଆସନ ଏବଂ ଗୁଜରାଟର ୨ଟି ବିଧାନସଭା ଆସନ ଅନ୍ତର୍ଭୁକ୍ତ ଏବଂ କେରଳର ନିଲାମ୍ବୁର, ପଶ୍ଚିମବଙ୍ଗର କାଳିଗଞ୍ଜ ଏବଂ ଗୁଜରାଟର ଦୁଇଟି ଆସନ – କାଦି ଏବଂ ବିସନଗର ଆସନ ରହିଛି ।

ଲୁଧିଆନାରେ ଆପ ଏବଂ କଂଗ୍ରେସ ମଧ୍ୟରେ ଟକ୍କର

ଲୁଧିଆନା ପଶ୍ଚିମ ବିଧାନସଭା ଆସନରେ କଡା ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଆଶା କରାଯାଉଛି। ଶାସକ ଆମ ଆଦମୀ ପାର୍ଟି (AAP) ପାଇଁ ଏହି ଉପନିର୍ବାଚନ ଗୁରୁତ୍ୱପୂର୍ଣ୍ଣ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଏବଂ AAP ନେତା ଭଗବନ୍ତ ମାନ ନିଜେ ଉପନିର୍ବାଚନ ସମୟରେ ଏହି ପ୍ରତିଦ୍ୱନ୍ଦ୍ୱିତାକୁ ‘ନମ୍ରତା’ ଏବଂ ‘ଅହଂକାର’ ମଧ୍ୟରେ ଲଢ଼େଇ ଭାବରେ ବର୍ଣ୍ଣନା କରିଥିଲେ । ଏହି ପ୍ରତିଯୋଗିତା ମାଧ୍ୟମରେ ଆପ ପଞ୍ଜାବରେ ନିଜର ଦବଦବା ବଜାୟ ରଖିବାକୁ ଚାହୁଁଛି, ଯେତେବେଳେ କଂଗ୍ରେସ ଏହି ନିର୍ବାଚନମଣ୍ଡଳୀରେ ନିଜର ବିଜୟ ଧାରା ପୁନର୍ବାର ହାସଲ କରିବାକୁ ଚାହୁଁଛି । ପୂର୍ବରୁ କଂଗ୍ରେସ ଏହି ଆସନରୁ ୬ ଥର ଜିତିଛି । ପଞ୍ଜାବ ଲୁଧିଆନା ପଶ୍ଚିମରେ ଆପରୁ ସଞ୍ଜୀବ ଅରୋରା, କଂଗ୍ରେସରଵ ଭାରତ ଭୂଷଣ ଆଶା ଓ ବିଜେପିରୁ ଜୀବନ ଗୁପ୍ତା ଲଢୁଛନ୍ତି । ଆପ୍ ବିଧାୟକ ଗୁରପ୍ରୀତ ବାସି ଗୋଗିଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହୋଇଥିଲା ।

ଗୁଜରାଟର ୨ଟି ଆସନ ଉପରେ ମଧ୍ୟ ନଜର

ଗୁଜରାଟର ବିସନଗର ଆସନରେ ବିଜେପିର କୀରିତ ପଟେଲ, କଂଗ୍ରେସର ନୀତୀନ ରଣପାରିଆ ଓ ଆପର ଗୋପାଲ ଇଟାଲିଆ ଲଢୁଛନ୍ତି । ଆପ ବିଧାୟକ ଗୁରପ୍ରୀତ ବସ୍ସି ଗୋଗୀଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲି ପଡ଼ିଥିଲା, ଯାହା ପରେ ଜୁନ୍ ୧୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୫୧.୩୩ ପ୍ରତିଶତ ମତଦାନ ହୋଇଥିଲା। ୨୦୨୨ ବିଧାନସଭା ନିର୍ବାଚନରେ ​​ଏହି ଆସନରେ ୬୪ ପ୍ରତିଶତ ମତଦାନ ହୋଇଥିଲା। ସେହିପରି ଗୁଜୁରାଟର ବିସନଗର ଏବଂ କାଦି ଆସନରେ ଗୁରୁବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବିସନଗରରେ ୫୬.୮ ପ୍ରତିଶତ ଏବଂ କାଦି ଆସନରେ ୫୭.୯ ପ୍ରତିଶତ ମତଦାନ ହୋଇଥିଲା । ୨୦୨୩ ଡିସେମ୍ବରରୁ ଖାଲି ପଡିଛି । ସେହି ଆସନରୁ ଜିତିଥିବା ଆପ୍ ବିଧାୟକ ଭୂପେନ୍ଦ୍ର ଭାୟାନି ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ଏହି ଆସନ ଖାଲି ପଡିଥିଲା ।ଅନ୍ୟପକ୍ଷରେ ଗୁଜରାଟର କାଦି ଆସନରେ ବିଜେପିରୁ ରାଜେନ୍ଦ୍ର ଚଭଦା, କଂଗ୍ରେସର ରମେଶ ଚଭଦା ଓ ଆପରୁ ଜଗଦୀଶ ଚଭଦା ଲଢୁଛନ୍ତି । ସେଠାରେ ବିଜେପି ବିଧାୟକ କରସନ ସୋଲାଙ୍କିଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହୋଇଥିଲା ।

ପଶ୍ଚିମବଙ୍ଗରେ ମଧ୍ୟ ଟିଏମସି ଲାଗି ଅଗ୍ନିପରୀକ୍ଷା

ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର କାଲିଗଞ୍ଜ ଆସନରେ ମଧ୍ୟ ଉପନିର୍ବାଚନର ଫଳାଫଳ ଘୋଷଣା ହେବାକୁ ଯାଉଛି । ଏଠାରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଥିଲା ।ପଶ୍ଚିମବଙ୍ଗର କାଳିଗଞ୍ଜ ଆସନ ଉଭୟ ବିଜେପି ଓ ଟିଏମସି ଲାଗି ଅଗ୍ନିପରୀକ୍ଷା ହୋଇଛି । ଏହି ଆସନରେ ଟିଏମସିର ଅଲିଫା ଅହମ୍ମଦ, କଂଗ୍ରେସର କାବିଲ ସେଖ ଓ ବିଜେପିର ଆଶିଷ ଘୋଷ ଲଢୁଛନ୍ତି । ଟିଏମସି ବିଧାୟକ ନାସିରୁଦ୍ଦିନ ଅହମ୍ମଦଙ୍କ ବିୟୋଗ ପରେ ଏଠାରେ ନିର୍ବାଚନ ହୋଇଥିଲା । ଟିଏମସି ନାସିରୁଦ୍ଦିନଙ୍କ ଝିଅ ଆଲିଫାଙ୍କୁ ପ୍ରାର୍ଥୀ କରିଥିଲା, ବିଜେପି ଆଶିଷ ଘୋଷଙ୍କୁ ପ୍ରାର୍ଥୀ କରିଥିଲା, କଂଗ୍ରେସରୁ କାବିଲ ଉଦ୍ଦିନ ଶେଖ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ) ସମର୍ଥନରେ ନିର୍ବାଚନ ମଇଦାନରେ ଅଛନ୍ତି।

କେରଳରେ ପୁଣି ମୁହାଁମୁହିଁ LDF-UDF

ସେହିପରି କେରଳର ନିଲାମ୍ବୁର ଆସନରୁ ମଧ୍ୟ ନିର୍ବାଚନ ଫଳାଫଳ ଆସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ ତାଙ୍କ ନିକଟତମ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ, ଅନୱର ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱାଧୀନ ଏଲଡିଏଫ ସହିତ ସମ୍ପର୍କ ଭାଙ୍ଗି ବିଧାୟକ ପଦରୁ ଇସ୍ତଫା ଦେଇଥିଲେ, ଯାହା ପରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।  ଏଠାରେ ଶାସକ ବାମ ଗଣତାନ୍ତ୍ରିକ ମୋର୍ଚ୍ଚା (LDF) ପ୍ରାର୍ଥୀ ଏମ୍ ସ୍ୱରାଜ, କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ମୋର୍ଚ୍ଚା (UDF)ର ଆର୍ଯ୍ୟଦାନ ସୌକନାଥ, ତୃଣମୂଳ କଂଗ୍ରେସ ରାଜ୍ୟ ୟୁନିଟ୍ ସଂଯୋଜକ ଏବଂ ସ୍ୱାଧୀନ ପ୍ରାର୍ଥୀ ପିଭି ଅନୱର ଏବଂ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ମୋହନ ଜର୍ଜ ସମେତ ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।

ଅଣସରର ତ୍ରୟୋଦଶୀ ତିଥି, ଶ୍ରୀବିଗ୍ରହଙ୍କ ନିକଟରେ ଅନୁଷ୍ଠିତ ହେବ ଘଣାଲାଗି ନୀତି

ପୁରୀ: ଆଜି ଆଷାଢ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଆଜି ଅଣବସର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ସୂଚନା ଅନୁଯାୟୀ, ଶ୍ରୀଜିଉଙ୍କୁ ଘଣା ଲାଗି ପରେ ସେହି ଖଳିକୁ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡିବ। ଏଥିସହ ସହ ଦଇତାପତିମାନେ ଶ୍ରୀଜିଉଙ୍କ ଶ୍ରୀପୟର ମୁଦା ନୀତି ସମ୍ପାଦନ କରିବେ। ଅନ୍ୟପକ୍ଷରେ ଆଜି ମଧ୍ୟ ଦତ୍ତମହାପାତ୍ରଙ୍କ ଘରୁ ଭୋଗମଣ୍ଡପ ନୀତି ପରେ ଖଡ଼ି ଆସି ଖଡି ଲାଗି ନୀତି ଅନୁଷ୍ଠିତ ହେବ।

ଅଣସର ପିଣ୍ଡିରେ ଦଇତାପତି ଓ ପତିମହାପାତ୍ର ଏହି ଗୁପ୍ତ ସେବା ସମ୍ପାଦନ କରିବେ । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀବିଗ୍ରହ ମାନଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି କରାଯିବ । ଶ୍ରୀବିଗ୍ରହ ମାନଙ୍କ ଘଣା ଲାଗି ସମ୍ପନ୍ନ ହେବା ପରେ ଘଣ୍ଟ , ଛତା , କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ । ଏହି ଖଳିକୁ ଶୁଦ୍ଧ ସୁଆର ମାନେ ନିଜନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥାନ୍ତି । ଖଳିକୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ଖଳି ହାଣ୍ଡିକୁ ଘରର ମହିଳାମାନେ ବନ୍ଦାପନା କରିଥାନ୍ତି । ବିଜେ କାହାଳି ବାଜିବା ପରେ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ଶ୍ରୀମନ୍ଦିରକୁ ବିଜେ କରାଯିବ।

ସ୍ନାନପୂର୍ଣ୍ଣିମାରେ ୧୦୮ଗରା ସୁବାସିତ ଜଳରେ ମହାପ୍ରଭୁ ଦିବ୍ୟସ୍ନାନ କରି ଜ୍ୱରରେ ପୀଡିତ ହୋଇଥିବା ବେଳେ ଗତକାଲି ଏକାଦଶୀ ତିଥିରେ ଖଳିଲାଗି ଓ ଦଶମୂଳ ମୋଦକ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ତେବେ ଅନବସରର ଦଶମୀ ତିଥି ଯାଏ ମହାପ୍ରଭୁଙ୍କୁ ସେବା ପୂଜା ବେଳେ ଲାଗି ହେଉଥିବା ଭୋଗ, ଫୁଲ ଆଦି ଅଣସର ଘରୁ ବାହାରକୁ ଆସିନଥାଏ । ମହାପ୍ରଭୁ ଏକାଦଶୀରେ ଦଶମୂଳ ମୋଦକ ସେବନ କରି ସୁସ୍ଥ ହୋଇଥାନ୍ତି। ଏହି ଖବର ଗଜପତିଙ୍କୁ ଦିଆଯାଏ। ସେଥି ପାଇଁ ଅନବସର ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରି ଥିବା ଚନ୍ଦନ, କରାଳକୁ ନେଇ ସେବାୟତ ମାନେ ଗଜପତିଙ୍କୁ ପ୍ରଦାନ କରିବା ସହ ମହାପ୍ରଭୁ ସମ୍ପୂର୍ଣ ସୁସ୍ଥ ହୋଇଥିବା ଖବର ଦିଆଯାଏ । ଏହାକୁ ରାଜ ପ୍ରସାଦ ବିଜେ ନିତି କୁହାଯାଏ । ତେବେ ଆଜି ଅନବସର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଲାଗି ନିତି ଅନୁଷ୍ଠିତ ହେବ । ଆସନ୍ତାକାଲି ଚତୁର୍ଦ୍ଦଶୀରେ ଦତ୍ତମହାପାତ୍ର ସେବକମାନେ ଦାରୁଦେବତାଙ୍କ ବନକଲାଗି ଲାଗି ନୀତି କରିବେ । ଏହି ଉପଚାର ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହେବ ।

ଟଳିବ କି ମଧ୍ୟପ୍ରାଚ୍ୟ ସଙ୍କଟ ? ଜାତିସଂଘ ନିରାପତ୍ତା ପରିଷଦ ଡାକିଛି ଜରୁରୀ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଟଳିବ କି ମଧ୍ୟପ୍ରାଚ୍ୟ ସଙ୍କଟ । ଇସ୍ରାଏଲ-ଇରାନ ବିବାଦକୁ ନେଇ ସୃଷ୍ଟି ହେଲାଣି ତୃତୀୟ ବିଶ୍ବଯୁଦ୍ଧ ସ୍ଥିତି । ସଙ୍କଟ ଟାଳିବାକୁ ଜାତିସଂଘ ନିରାପତ୍ତା ପରିଷଦ ଡାକିଛି ଜରୁରୀ ବୈଠକ । ତେଣେ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଚି । ଦୁଇ ନେତାଙ୍କ ମଧ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ହମଲାକୁ ନେଇ ତେଜିଛି ସୁପରପାୱାରଙ୍କ ମଧ୍ୟରେ ବିବାଦ। ଆମେରିକାର ଅପରେସନ ହାମରରେ ଇରାନର ଫୋର୍ଡୋ, ନଟାଞ୍ଜ ଓ ଏସଫାହନ ଆଣବିକ ସ୍ଥଳ ଧ୍ବଂସ ହୋଇଥିଲେ ବି ଆଣବିକ କାର୍ଯ୍ୟକ୍ରମ ବାତିଲ ହେବ ନାହିଁ ବୋଲି କହିଛି ଇରାନ।

ତେଣେ ଆମେରିକାର ଏହି ଆକ୍ରମଣ ସଫଳ ହୋଇଛି ବୋଲି କହିଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ। ସେପଟେ ଇରାନକୁ ଆଣବିକ ଯୁଦ୍ଧାସ୍ତ୍ର ଦେବାକୁ ବହୁରାଷ୍ଟ୍ର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ଦିମିତ୍ରି ମେଦଭେଦେବ। ଆଲୋଚନା ଜରିଆରେ ବିବାଦର ସମାଧାନ ଲାଗି ଫ୍ରାନ୍ସ, ୟୁରୋପୀୟ କମିଶନ, ୟୁରୋପିଆନ କାଉନସିଲ, ଭାରତ ପ୍ରଭୃତି ରାଷ୍ଟ୍ର ଆହ୍ବାନ ଦେଇଛନ୍ତି। ଗତକାଲି ମଧ୍ୟପ୍ରାଚ୍ୟ ସଙ୍କଟ ଟାଳିବା ଲାଗି ଇରାନ ରାଷ୍ଟ୍ରପତି ମାସୁଦ ପେସ୍କିଆନଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

 

ସଫଳତାର ସହ ସରିଛି ନବୀନଙ୍କ ଅସ୍ତ୍ରୋପଚାର, ଆଜି ଭେଟିବେ ପ୍ରିୟଜନ

ଭୁବନେଶ୍ବର: ଗତକାଲି ସଫଳତାର ସରିଛି ଅସ୍ତ୍ରୋପଚାର । ଏବେ ଅବଜରଭେସନରେ ରହିଛନ୍ତି ଓଡ଼ିଆଙ୍କ ପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ। ରବିବାର ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସପିଟାଲରେ ହୋଇଛି ନବୀନଙ୍କ ସର୍ଜରୀ । ସପ୍ତାହକ ମଧ୍ୟରେ ହସ୍ପିଟାଲରୁ ସେ ଡିସଚାର୍ଜ ହେବେ । ସ୍ପାଇନ ସ୍ପେସିଆଲିଷ୍ଟ ବିଶେଷଜ୍ଞ ଡାକ୍ତର ରାଜଶେଖର ନବୀନଙ୍କ ଅସ୍ତ୍ରୋପଚାର କରିଥିଲେ । ଏହାସହ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ବିଶେଷଜ୍ଞମାନେ ବି ଅପରେସନ ବେଳେ ଉପସ୍ଥିତ ଥିଲେ। ଅସ୍ତ୍ରୋପଚାର ପରେ ନବୀନ ପଟ୍ଟନାୟକ ଭଲ ଭାବେ କଥା ହୋଇ ପାରୁଛନ୍ତି । ଗତକାଲି ନବୀନଙ୍କ ପାଖରେ ଉପସ୍ଥିତ ଥିଲେ ବଡ଼ଭାଇ ପ୍ରେମ ପଟ୍ଟନାୟକ ଓ ଭାଉଜ ।

ଅସ୍ତ୍ରୋପ୍ରଚାର ପରେ ୪୮ ଘଣ୍ଟା ନବୀନ ଅବଜରବେସନରେ ରହିବେ ବୋଲି କହିଥିଲେ ଡାକ୍ତର । ତେବେ ଆଜି କିଛି ବିଶିଷ୍ଟ ବ୍ୟକ୍ତି ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯାଇପାରନ୍ତି । ସାଢେ ଚାରିକୋଟି ଓଡ଼ିଆଙ୍କ ହୃଦସ୍ପନ୍ଦନ ନବୀନ ପଟ୍ଟନାୟକ । ଦୈବୀ ଦୁର୍ବିପାକ ହେଉ ଅବା ଯେକୌଣସି ସମସ୍ୟା । ପ୍ରତିଟି ମୁହୁର୍ତ୍ତରେ ରାଜ୍ୟର ହିତ ପାଇଁ ଠିଆ ହୋଇଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ଅସୁସ୍ଥତା ଖବର ଶୁଣି ବ୍ୟସ୍ତ ହୋଇପଡିଥିଲେ ରାଜ୍ୟବାସୀ । ମୁମ୍ବାଇରେ ନବୀନଙ୍କ ସଫଳ ଅସ୍ତ୍ରୋପ୍ରଚାର ପରେ ସଭିଏଁ ଠାକୁରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦଳମତ ନିର୍ବିଶେଷରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜନେତା ।

 

ମୁର୍ଶିଦାବାଦରେ ଟ୍ରାକ୍ଟର-ଡମ୍ପର ଧକ୍କା : ୫ ମୃତ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଟ୍ରାକ୍ଟର-ଡମ୍ପର ଧକ୍କା । ଦୁର୍ଘଟଣାରେ ୫ ମୃତ, ୧୦ରୁ ଅଧିକ ଗୁରୁତର । କାନ୍ଦି ଥାନା ଗୋରକାନ୍ ପାୱାର ହାଉସ୍ ଛକରେ ଘଟିଛି ଦୁର୍ଘଟଣା । ଆହତଙ୍କୁ ମୁର୍ଶିଦାବାଦ ମେଡିକାଲ୍ କଲେଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ୨୦ ଜଣ ତୀର୍ଥଯାତ୍ରୀ ବୀରଭୂମର ବାଲୁକା ଅଞ୍ଚଳରୁ ଗାଧୋଇ ଫେରୁଥିବା ସମୟରେ ଟ୍ରାକ୍ଟରଟି ଏକ ଡମ୍ପର ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଟ୍ରାକ୍ଟରଟି ଘଟଣାସ୍ଥଳେ ଓଲଟି ପଡ଼ିଥିଲା । ଫଳରେ ଡ୍ରାଇଭର ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ସମସ୍ତ ମୃତକ ଏବଂ ଆହତ ବ୍ୟକ୍ତି ମୁର୍ଶିଦାବାଦର ହରିହର ପାରା ଥାନା ଅନ୍ତର୍ଗତ ରୁକୁନପୁର ଅଞ୍ଚଳର ବୋଲି ଜଣାପଡିଛି ।

ଖରିଫ ଋତୁ ଭଳି ରବି ଋତୁରେ ବି ଧାନ କିଣାରେ ଅବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ଖରିଫ ଋତୁ ଭଳି ରବି ଋତୁରେ ବି ଧାନ କିଣାରେ ଅବ୍ୟବସ୍ଥା। ବିଲରୁ ଧାନ ସଂଗ୍ରହ ଚାଲିଥିବା ବେଳେ ମଣ୍ଡି ବନ୍ଦ କରିବାକୁ ସରକାର ଯୋଜନା କଲେଣି। ଚାଷୀ ଟୋକନ ଧରି ବସିଛନ୍ତି, ହେଲେ ଧାନ ବିକିବାକୁ ସକ୍ଷମ ହେଉନାହାନ୍ତି। ମଣ୍ଡିରେ ବର୍ଷାରେ ଧାନ ଭିଜୁଥିବା ବେଳେ ଏହାର ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ନାହିଁ। ଏଭଳି ବ୍ୟବସ୍ଥା ଲାଗି ରହିଲେ ଚାଷୀ ଅଧିକ ହଇରାଣ ହେବେ। ଜୁନ୍ ୩୦ ସୁଦ୍ଧା ମଣ୍ଡି ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଜୁଲାଇ ୧୫ ଯାଏଁ ବଢାଇବାକୁ ବିଜେଡ଼ି ଦାବି କରିଛି। ଚାଷୀଙ୍କ ଧାନ ସରକାର ନ କିଣିଲେ ରାଜରାସ୍ତାକୁ ଓହ୍ଲାଇବାକୁ କଂଗ୍ରେସ ଚେତାବନୀ ଦେଇଛି। ବିଭାଗୀୟ ମନ୍ତ୍ରୀ କହିଛନ୍ତି ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଆମେ ଧାନ ଶୀଘ୍ର ଉଠାଇବାକୁ ନିଷ୍ପତ୍ତି ନେଇଛୁ।

ଧାନ କିଣାରେ ପୁଣି ବିଭ୍ରାଟ। ରବି ଭଳି ଖରିଫରେ ବି ରୀତିମତ କଟନୀ ଛଟନୀ। ଧାନ କିଣା ଅବ୍ୟବସ୍ଥା ଦୂର ନ ହେଲେ ଆନ୍ଦୋଳନ ହେବ ବୋଲି କଂଗ୍ରେସ ଦେଇଛି ଚେତାବନୀ। ଚାଷୀଙ୍କ ଧାନ ସରକାର ନ ନେଲେ ମନ୍ତ୍ରୀଙ୍କୁ ଗାଁରେ ପୁରାଇଦେବୁନି ବୋଲି ବିଜେଡ଼ି କହିଛି। ମନ୍ତ୍ରୀ କହୁଛନ୍ତି ବର୍ଷା ହେଲେ ଆମେ କଣ କରିବୁ, ଏହା ପ୍ରକୃତିର ନିୟମ । ବର୍ଷା ଯୋଗୁଁ ଧାନ ଅମଳରେ  ଚାଷୀ ବ୍ୟସ୍ତ ଥିବା ବେଳେ ଧାନ କିଣା ନେଇ ଜୁନ୍ ୩୦ ଯାଏଁ ସରକାରଙ୍କ ଅବଧି ଅଡ଼ୁଆରେ ପକାଇଛି। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡ଼ି। ଜୁନ୍ ୩୦ ଯାଏଁ ଅବଧି ଥିବା ବେଳେ ଏବେଠାରୁ ଅନେକ ମଣ୍ଡିରେ ତାଲା ପଡ଼ିଲାଣି। ମଣ୍ଡିକୁ ଧାନ ନ ଆଣିବାକୁ ଚାଷୀଙ୍କୁ କୁହାଗଲାଣି। ଅବଧି ଜୁଲାଇ ୧୫ ଯାଏଁ ବୃଦ୍ଧି କରିବାକୁ ବିଜେଡ଼ି ଦାବି କରିଛି। ଧାନ କିଣା ଅବ୍ୟବସ୍ଥା ଦୂର ନ ହେଲେ କଂଗ୍ରେସ ବି ଆନ୍ଦୋଳନ କରିବ ବୋଲି କହିଛି।

ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି, ଖରିଫ ଋତୁରେ ୭୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା। ରବି ଋତୁରେ ୧୮ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବୁ। ଆମର ଉଦେଶ୍ୟ ହେଉଛି ଚାଷୀଙ୍କର ଟୋକନ ଲାପସ  ନ ହେଉ। ଚାଷୀ ହଇରାଣ ନ ହୁଅନ୍ତୁ। ବର୍ଷା ଦିନରେ ବର୍ଷା ହେବ, ଆମେ କଣ କରିପାରିବୁ, ଏହା ପ୍ରକୃତିର ନିୟମ। ବର୍ଷା ହେଲେ ଧାନ ଉଠି ପାରିବ ନାହିଁ। ଧାନ ଓଦା ହୋଇଯିବ କେମିତି ଉଠାଇବୁ। ଧାନ ଓଦା ହୋଇଗଲେ  ଆଦ୍ରତା ବଢ଼ିଯିବ। ଜୁନ ୩୦ ସୁଦ୍ଧା  ସବୁ ଧାନ ଉଠାଇଦେବୁ। ଧାନ କିଣା ଏବେ ଜୋରସୋର ଚାଲିଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।  ଧାନରେ କ୍ଵିଣ୍ଟାଲ ପିଛା ୮ ଶହ ଟଙ୍କା ଇନପୁଟ ସବସିଡ଼ି ପ୍ରଦାନ କରି ସରକାର ବାହାବା ନେବାକୁ ବସିଥିବା ବେଳେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ଚାଷୀଙ୍କ ଅବସ୍ଥା ସଙ୍ଗୀନ। ପ୍ରତି କ୍ଵିଣ୍ଟାଲରେ ୧୫ରୁ ୨୦ କେଜି କଟନୀଛଟନୀ ହେଉଛି। ଧାନର ସୁରକ୍ଷା ପାଇଁ ମଣ୍ଡିରେ କିଛି ବ୍ୟବସ୍ଥା ନାହିଁ। ତା ସାଙ୍ଗକୁ ଧାନ କିଣାର ସୀମିତ ଅବଧି ଚାଷୀମାନଙ୍କୁ ଚିନ୍ତାରେ ପକାଇଛି।

ସୁସ୍ଥ ହେଲେ ମହାପ୍ରଭୁ : ଗଜପତିଙ୍କୁ ଖବର ଦେଲେ ସେବାୟତ

ନନ୍ଦିଘୋଷ ବ୍ୟୁରୋ: ରାଜବୈଦ୍ୟଙ୍କ ଦଶମୂଳ ଔଷଧ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ମହାରାଜାଙ୍କୁ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଦେଲେ ସେବାୟତ । ଦ୍ଵାଦଶୀ ତିଥି ଅବସରରେ ଦଇତାପତିଙ୍କ ଦ୍ବାରା ରାଜପ୍ରାସାଦ ବିଜେ ନୀତି  । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ଵାର ବନ୍ଦ କରାଯାଇ ବେହରଣ ଦ୍ଵାର ଫିଟାଇବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯାଇଥିଲା । ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବାବେଳେ ଶ୍ରୀଜୀଉଙ୍କୁ ଶ୍ରୀବୈଦ୍ୟଙ୍କ ଦ୍ୱାରା ଦଶମୂଳକ ଔଷଧ ଲାଗି କରାଯାଇଥିଲା । ଔଷଦ ଲାଗି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଏହି ଖବର ଗଜପତି ମହାରାଜଙ୍କୁ ସୂଚିତ କରିବା ସହିତ ଶ୍ରୀଜିଉଙ୍କ ଅନବସର ପ୍ରସାଦ ରୂପେ କରାଳ, ଚନ୍ଦନ ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀ ନଅରକୁ ବିଜେ କରିଛନ୍ତି ସେବାୟତ । ପରେ ପହୁଡ଼ ଆଳତି ନୀତି ହେବା ପରେ ଦଇତାପତି ମାନେ ଘଣା ଲାଗି ନୀତି କରାଇବେ ।