spot_img
Home Blog Page 664

ଶେଷ ଥର ପାଇଁ ଦେଖା କରିବାକୁ ଡାକି ପ୍ରେମିକାକୁ ମାରିଦେଲା ପ୍ରେମିକ

ନନ୍ଦିଘୋଷ ବ୍ୟୁରୋ : ପ୍ରେମିକାର ନିର୍ବନ୍ଧ ସରିବା ପରେ ପ୍ରେମିକ ତାକୁ ହତ୍ୟା କରିଥିଲା। ପ୍ରେମିକ ତା ପ୍ରେମିକାର ନିର୍ବନ୍ଧରେ ରାଗି ଯାଇ ତାକୁ ଏକ ହୋଟେଲକୁ ଡାକିଥିଲା ​​ । କଥାବାର୍ତ୍ତା ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରାଗରେ ପ୍ରେମିକ ତା ପ୍ରେମିକାର ମୁଣ୍ଡକୁ କାନ୍ଥରେ ପିଟିଦେଲା । ଫଳରେ ତାର ମୃତ୍ୟୁ ହୋଇଥିଲା। ହତ୍ୟା ପରେ ଯୁବକ ଜଣକ ନିଜ ହାତର ଶିରା କାଟି ଦେଇଥିଲେ।

ସକାଳେ କର୍ମଚାରୀ ଜଣକ ଉଦୟପୁରର ହିରଣ ମାଙ୍ଗରି ଥାନା ଅଞ୍ଚଳର ପର୍ଶୁରାମ ସ୍କୋୟାରରେ ଥିବା ହୋଟେଲ କାସା ଗୋଲ୍ଡରେ ରୁମ୍ ସଫା କରିବା ପାଇଁ ପହଞ୍ଚିବା ପରେ ସେ କୋଠରୀରେ ଏକ ମୃତଦେହ ପଡ଼ିଥିବା ଦେଖିଥିଲେ। ସେ ପୋଲିସକୁ ସୂଚନା ଦେଲେ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହସ୍ପିଟାଲର ମର୍ଚ୍ୟୁରୀରେ ରଖିଛି। ପରେ ଜଣାପଡିଥିଲା ​​ଯେ, ଉଦୟପୁର ଜିଲ୍ଲାର ହିରଣ ମାଗରିର ବାସିନ୍ଦା ନିକିତା ତ୍ରିବେଦୀଙ୍କୁ ତାଙ୍କ ପ୍ରେମିକ ବିଜୟ ଭୋଇ ହତ୍ୟା କରିଛନ୍ତି। ଅଭିଯୁକ୍ତ ପ୍ରେମିକ ବିଜୟ ଉଦୟପୁରର ସେକ୍ଟର ୩ର ବାସିନ୍ଦା ଓ ଝିଅଟି ମଧ୍ୟ ଉଦୟପୁରର ଏକ ଘରୋଇ କଲେଜରୁ ନର୍ସିଂ ପଢୁଥିଲା।

ପୋଲିସ ଅନୁସାରେ, ଉଭୟ ଇନଷ୍ଟାଗ୍ରାମରେ ବନ୍ଧୁ ହୋଇଥିଲେ। କିଛି ସମୟ ପାଇଁ ପ୍ରେମ ସମ୍ପର୍କରେ ଥିଲେ। ଉଭୟ ପ୍ରାୟତଃ ଦେଖା ହେଉଥିଲେ। ଯେତେବେଳେ ଝିଅଟିର ପରିବାର ଲୋକ ଏହା ଜାଣିପାରିଲେ, ପରିବାର ସଦସ୍ୟମାନେ ତାଙ୍କୁ ଘରକୁ ଡାକି ଅନ୍ୟ ଜଣେ ପୁଅ ସହିତ ବିବାହ କରାଇ ଦେଲେ। ଏହା ପରେ ନିକିତା ତାଙ୍କ ପ୍ରେମିକଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ।

କିଛି ସମୟ ପାଇଁ ସବୁକିଛି ଠିକ୍ ଥିବା ଜଣାପଡ଼ିବାରୁ, ପରିବାର ଲୋକେ ପୁନର୍ବାର ନିକିତାଙ୍କୁ ତାଙ୍କ ପାଠପଢ଼ା ସମାପ୍ତ କରିବା ପାଇଁ ଉଦୟପୁର ପଠାଇଲେ। ଯେତେବେଳେ ପ୍ରେମିକ ବିଜୟ ଶେଷ ଥର ପାଇଁ ନିକିତାଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କଲେ  । ଉଦୟପୁରର ପର୍ଶୁରାମ ଚୌରାହାରେ ଥିବା ଏକ ହୋଟେଲକୁ ଭେଟିବାକୁ ଡାକିଲେ। ଉଭୟଙ୍କ ମଧ୍ୟରେ ବହୁତ ସମୟ ଧରି ଝଗଡ଼ା ହୋଇଥିଲା। ଏହା ପରେ ବିଜୟ ନିକିତାଙ୍କ ମୁଣ୍ଡକୁ କାନ୍ଥରେ ଜୋରରେ ଆଘାତ କରିଥିଲେ ଯାହା ଫଳରେ ସେ ଅଚେତ ହୋଇ ପଡ଼ିଥିଲେ । ବିଜୟ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ  । ତାଙ୍କ ହାତର ଶିରାକୁ ବ୍ଲେଡରେ କାଟି ଦେଇଥିଲେ। ପରେ ବିଜୟ ଯନ୍ତ୍ରଣା ସହ୍ୟ କରି ନପାରି ସେଠାରୁ ଦୌଡ଼ି ପଳାଇଥିଲେ। ପୋଲିସ ହୋଟେଲର ସିସି ଟିଭି ଫୁଟେଜ୍ ଏବଂ ପରିଚୟପତ୍ର ଆଧାରରେ ଖୋଜାଖୋଜି ଆରମ୍ଭ କରି ଅଭିଯୁକ୍ତ ବିଜୟ ପାଖରେ ପହଞ୍ଚିଲା। ଜଣାପଡିଲା ଯେ ଅଭିଯୁକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛି। ପୋଲିସ ତାକୁ ଅଟକ ରଖିଛି। ଝିଅର ପରିବାର ଏତଲା ଦେବା ପରେ ପୋଷ୍ଟମର୍ଟମ କରାଯାଇ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା।

ଆସନ୍ତା ୫ ଦିନ ଲାଗି ରହିବ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ

ଭୁବନେଶ୍ବର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା । ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ମୟୂରଭଞ୍ଜ, ବାଲେଶ୍ୱର ,କେନ୍ଦୁଝରରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏହା ଛଡ଼ା ଭଦ୍ରକ, କେନ୍ଦ୍ରାପଡା, ଯାଜପୁର,ସୁନ୍ଦରଗଡ଼,ଝାରସୁଗୁଡ଼ା, ସମ୍ବଲପୁର,ଦେଓଗଡ଼, ଅନୁଗୁଳ,ଢେଙ୍କାନାଳ, କଟକ,ପୁରୀ,ଖୋର୍ଦ୍ଧା, ନୟାଗଡ଼, ଗଂଜାମ ଓ ଗଜପତିରେ ପ୍ରବଳ ବର୍ଷା ନେଇ  ସତର୍କତା ଜାରି କରାଯାଇଛି। ଏହି ଦୁଇ ଦିନ ସମୁଦ୍ରକୁ  ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବ ଓ ଟ୍ରପ ଲାଇନ ଯୋଗୁ ବର୍ଷା ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଟୋଲ ପ୍ଲାଜାରେ ଡକାୟତି ଯୋଜନା ବେଳେ ମାଡି ବସିଲା ପୋଲିସ

ବାରିପଦା : ଟୋଲ ପ୍ଲାଜାରେ ଡକାୟତି ଯୋଜନା ବେଳେ ମାଡି ବସିଲା ପୋଲିସ। ମୟୂରଭଂଜ ବୈଶୀଙ୍ଗା ଥାନା ପଦ୍ମନାଭପୁର ଟୋଲ ପ୍ଲାଜାରେ ଡକାୟତି କରୁଥିଲେ ୬ ଡକାୟତ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ୩ ଜଣ ଚମ୍ପ ମାରିଛନ୍ତି। ରାତିରେ ଗାଡ଼ି ଯାଞ୍ଚ ବେଳେ ୧୮ ନଂ ଜାତୀୟ ରାଜପଥର କେନ୍ଦୁଆ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ୬ ସନ୍ଦିଗ୍ଧ ଡକାୟତି ଯୋଜନା କରୁଥିବା ନେଇ ପୋଲିସକୁ ଖବର ମିଳିଥିଲା। ପାଟ୍ରୋଲିଂ ବେଳେ ମାଡ଼ି ବସିଲା ପୋଲିସ। ଘଟଣାସ୍ଥଳରୁ ୩ଜଣ ଚମ୍ପଟ ମାରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗୋଡ଼ାଇ ପୋଲିସ ନିକଟ ଜଙ୍ଗଲରୁ ଧରିଥିଲା। ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ଵରର କରଣ ପରିଡ଼ା, ସମ୍ବିତ ବିଶ୍ବାଳ ଓ ମୟୂରଭଂଜର ଦେବୁ ଦାସ। କରଣ ଓ ସମ୍ବିତଙ୍କ ନାମରେ ପୂର୍ବରୁ ବାଲେଶ୍ୱର ଜିଲାର ବିଭିନ୍ନ ଥାନାରେ ଡକାୟତି, ଲୁଟ, ରାହାଜାନୀ ଆଦି ମାମଲା ରହିଛି। କିଛି ଦିନ ହେଲା ଅଭିଯୁକ୍ତମାନେ ଜାମିନ ପାଇ ଜେଲରୁ ବାହାରି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ଠାରୁ ଗୋଟିଏ ବାଇକ୍‌, ଗୋଟିଏ ଟାଟା ନେକ୍ସନ କାର୍‌, ତେଲେଙ୍ଗା କଟୁରୀ, ଲୁହା ଛଡ଼ ଓ କଳାମୁଖା ଜବତ କରାଯାଇଛି।

ଇତିହାସ ରଚିବ ଭାରତ, ଆଇଏସଏସକୁ ଯିବେ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା

ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିବ ଭାରତ। ବହୁପ୍ରତୀକ୍ଷିତ ଆକ୍ସିଅମ-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ-ଆଇଏସଏସକୁ ଯିବେ ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା। ପୂର୍ବରୁ ବହୁବାର ଖରାପ ପାଗ ଯୋଗୁ ଏହି ଅଭିଯାନ ସ୍ଥଗିତ ରହିଥିଲା ବୋଲି କହିଥିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ- ଇସ୍ରୋ । କେନେଡି ସ୍ପେସ ସେଣ୍ଟରରୁ ଆରମ୍ଭ ହେବାକୁ ଥିବା ଏଏକ୍ସ-୪ ମିଶନରେ ସାମିଲ ହେବେ ଶୁଭାଂଶୁଙ୍କ ସମେତ ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ଚାରି ମହାକାଶଚାରୀ। ଏହି ମିଶନରେ ସାମିଲ ଅଛନ୍ତି ଆକ୍ସିୟମ ସ୍ପେସ, ନାସା, ସ୍ପେସ ଏକ୍ସ ଓ ଇସ୍ରୋ । ୧୯୮୪ରେ ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ମହାକାଶକୁ ଯାଇଥିବାବେଳେ ପ୍ରାୟ ଚାରି ଦଶନ୍ଧି ପରେ ଶୁଭାଂଶୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ। ଅନ୍ୟ ଯେଉଁ ତିନିଜଣ ଆଇଏସଏସକୁ ଯିବେ ସେମାନେ ହେଲେ ହଙ୍ଗେରୀର ତିବୋର କାପୁ, ନାସାର ପୂର୍ବତନ ଆଷ୍ଟ୍ରୋନଟ ପେଗି ହୁଇଟସନ, ପୋଲାଣ୍ଡ ତଥା ୟୁରୋପିଆନ ସ୍ପେସ ଏଜେନ୍ସିର ସ୍ଲାଓଜ ଉଜନସ୍କି ଉଇସନିସ୍କି। ମହାକାଶଚାରୀମାନେ ଆଇଏସଏସରେ ୧୪ ଦିନ ରହିବେ । ସେଠାରେ ସେମାନେ ବୈଜ୍ଞାନିକ ଗବେଷଣା କରିବା ସହ ୩୦ଟି ଦେଶର ବୈଜ୍ଞାନକଙ୍କ ସହ ଯୋଗାଯୋଗରେ ରହିବେ।

ଗୋପାଳପୁର ଗଣଦୁଷ୍କର୍ମ ମାମଲା : ୬ ଅଭିଯୁକ୍ତଙ୍କ ରିମାଣ୍ଡର ଆଜି ଦ୍ବିତୀୟ ଦିନ

ବ୍ରହ୍ମପୁର : ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତଙ୍କ ରିମାଣ୍ଡର ଆଜି ଦ୍ବିତୀୟ ଦିନ। ବିଭିନ୍ନ ଦିଗକୁ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ। ଗତକାଲି କୋର୍ଟଙ୍କ ଅନୁମତି ପରେ ମେଡିକାଲରେ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା କ୍ରାଇମବ୍ରାଞ୍ଚ। ରିମାଣ୍ଡ ବେଳେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ। ଗତ ଶୁକ୍ରବାର ଏହି ୬ ଅଭିଯୁକ୍ତଙ୍କ ବ୍ରହ୍ମପୁର ଜେଲରେ ହୋଇଥିଲା ଟିଆଇ ପରେଡ। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନିଥିଲେ ପୀଡ଼ିତା ଓ ତାଙ୍କ ସାଙ୍ଗ। ୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ। ତ୍ଵରିତ ଫଇସଲା ପାଇଁ ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ। ଗତ ରଜସଂକ୍ରାନ୍ତିରେ ଗୋପାଳପୁର ବିଚ୍ ରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଥିଲା

ଦଶରଥପୁର ଅସଦାଚରଣ ଘଟଣା : ଅଭିଯୁକ୍ତ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଦଶରଥପୁରରେ ଯୁବତୀଙ୍କୁ ଅସଦାଚରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଯାଜପୁର ପୋଲିସ। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କ ମଧ୍ୟରୁ ପ୍ରଥମେ ଜଣଙ୍କୁ କାବୁ କରିଥିଲା। ପରେ ଫେରାର ଥିବା ଅନ୍ୟ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ। ଓଡିଶା ବୁଲିବାକୁ ଆସିଥିବା ଦିଲ୍ଲୀ ଯୁବତୀ ଓ ତାଙ୍କ ଓଡିଆ ବାନ୍ଧବୀଙ୍କୁ ଦୁଇ ଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଓଡିଆ ଯୁବତୀ ଜଣକ ହେଲେ ଦଶରଥପୁର ଥାନା ଅଞ୍ଚଳର । ତାଙ୍କ ବାପାଙ୍କ ଶ୍ରାଦ୍ଧ ପାଇଁ ଗାଁକୁ ଆସିଥିଲେ । ରବିବାର ସନ୍ଧ୍ୟାରେ ଦୁଇ ଯୁବତୀ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ସlରି ବସରେ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ଭଦ୍ରଖ ପଡିଆ ପାଖରେ ଥିବା ସିମେଣ୍ଟ ଗୋଡାଉନ ନିକଟରେ ଦୁଇ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି ।

କଟକରେ ଅସଲି ବୋତଲରେ ନକଲି ପାଣି

ନନ୍ଦିଘୋଷ ବ୍ୟୁରୋ: କଟକରେ ପାଣି ବି ନକଲି । ଅସଲି ବୋତଲରେ ନକଲି ପାଣି । ଚିମଙ୍କା ବ୍ରାଣ୍ଡ ଦେଇ ଜାରରେ ଟ୍ୟାପ ପାଣି ପୁରାଇ ଚାଲିଥିଲା ବ୍ୟବସାୟ । ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ଟିମ । କମ୍ପାନୀର କୌଣସି କାଗଜପତ୍ର ନଥିବାବେଳେ ବ୍ରାଣ୍ଡ ଜାରରେ ଟ୍ୟାପୁରୁ ପାଣି ପୁରାଇ ବିକ୍ରି କରାଯାଉଥିଲା । ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ଟିମ କମ୍ପାନୀକୁ ସିଲ କରିବା ସହ ସମ୍ପୁକ୍ତ ଫାଇନ କରିଛି । କିଛିଦିନ ତଳେ କଟକ ଜଗତପୁର ଅଞ୍ଚଳରେ ଏଭଳି ଆଉ ଏକ ପାଣି କମ୍ପାନୀକୁ ସିଲ କରିଥିଲା ସିଏମସି ସ୍ୱାସ୍ଥ୍ୟ ଟିମ । ଆଗାମୀ ଦିନରେ ଏହିଭଳି ନକଲି ପାଣି କମ୍ପାନୀଙ୍କ ଉପରେ ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ।

କଣ୍ଟ୍ରୋଲ ହେଉନି କଲେରା, ବୁଦ୍ଧି ବାଟ ପାଉନି ସ୍ବାସ୍ଥ୍ୟ ବିଭାଗ

ନନ୍ଦିଘୋଷ ବ୍ୟୁରୋ: ସରକାର କହୁଛନ୍ତି ରାଜ୍ୟରେ ନିୟନ୍ତ୍ରଣରେ ରହିଛି ହଇଜା ସ୍ଥିତି। କିନ୍ତୁ ବାସ୍ତବରେ ଚିତ୍ର ପୂରା ଓଲଟା। କମିବା ବଦଳରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଯାଜପୁର, ଭଦ୍ରକ ସହ ଅନ୍ୟ ଜିଲ୍ଲାରେ ବି ବ୍ୟାପୁଛି ଡାଇରିଆ। ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଡାକ୍ତରୀ ଟିମ୍। କେମିତି କରାଯିବ ରୋଗର ନିରାକରଣ, ତାକୁ ନେଇ ଚିନ୍ତାରେ ପଡିଛି ସ୍ବାସ୍ଥ୍ୟ ବିଭାଗ। ଏପଟେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ କହୁଛନ୍ତି, ୩୦ ଜିଲ୍ଲାରେ ୯୮ ପ୍ରତିଶତ ଦୂଷିତ ଜଳକୁ କରାଗଲାଣି ବିଶୋଧନ।

ଜିଲ୍ଲାକୁ ଜିଲ୍ଲା ଡେଇଁ ଚାଲିଛି ହଇଜା। ପ୍ରତିଦିନ ଚିହ୍ନଟ ହେଉଛନ୍ତି ନୂଆ ରୋଗୀ। କିନ୍ତୁ ସରକାରଙ୍କ ଉତ୍ତର ସବୁ କିଛି ନିୟନ୍ତ୍ରଣରେ ଅଛି। ଯାଜପୁରରେ ଥମୁନି ମାମଲା। କେମିତି କରାଯିବ କଣ୍ଟ୍ରୋଲ, ବୁଦ୍ଧି ବାଟ ପାଉନି ସ୍ବାସ୍ଥ୍ୟ ବିଭାଗ। ଏହାରି ଭିତରେ ଆଉ ୪ ରୋଗୀ ଚିହ୍ନଟ ପରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୋଟ ୨୦୮ଟି ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଥିଲା। ଯେଉଁଥିରୁ ୩୧ଟି ପଜିଟିଭ ଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ଏବେ ବି ୧୫୪ ଜଣ ସଂକ୍ରମିତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେପଟେ ଭଦ୍ରକର ଧାମନଗର ଓ ଆରଡିରେ ବ୍ଯାପିବାରେ ଲାଗିଛି ଝାଡ଼ାବାନ୍ତି। ୧୦ ଦିନ ମଧ୍ଯରେ ଧାମନଗରରେ ୭୦ ଓ ଆରଡିରେ ୧୫ ଜଣ ଚିକିତ୍ସିତ ହେଉଛନ୍ତି। ଆରଡି ପୀଠରେ ଅସ୍ବାସ୍ଥ୍ଯକର ପରିବେଶ ଓ ବାବାମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ ପାଣି ଦୂଷିତ ହେବାରୁ ବ୍ୟାପୁଛି ଝାଡାବାନ୍ତି। ଏପଟେ ବାଙ୍କୀ ଘୋଳପୁରରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ। ଦୂଷିତ ପାଣି ପିଇ ୫୦ ଲୋକ ଆକ୍ରାନ୍ତ ପରେ ଏବେ ସ୍ଥିତିରେ ସୁଧାର ଆସୁଛି।

ଏସବୁ ଅଞ୍ଚଳ କଥା ଛାଡ଼ନ୍ତୁ, ମାହାଙ୍ଗା ଅଞ୍ଚଳରେ ବି ଥମିବାର ନାଁ ନେଉନି ଝାଡ଼ାବାନ୍ତି। ଏବେ ବି ୨୦ରୁ ଅଧିକ ରୋଗୀଙ୍କର ଚିକିତ୍ସା ଚାଲିଛି। ବରୀରେ ଡାଇରିଆ ପରେ କାୟା ବିସ୍ତାର କରି ଚାଲିଛି ଜଣ୍ଡିସ। ପ୍ରକୋପ କମି ନ ଥିବା ବେଳେ, ବୋଦୁଅ ପଞ୍ଚାୟତରେ ଜଣେ ନାବାଳିକାଙ୍କର ଜୀବନ ଯାଇଛି। ସେହି ପରିବାରର ୨ ଶିଶୁ ମଧ୍ୟ ଜଣ୍ଡିସ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି। ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜଣ୍ଡିସ ଆକ୍ରାନ୍ତଙ୍କ ନମୁନା ସଂଗ୍ରହ କରିଛି। ସେପଟେ ବରଗଡ଼ ଜିଲ୍ଲାରେ ୨୩ ଡାଇରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ଅମ୍ବାଭୋନା ବ୍ଲକ ଭାଲୁଟାଲରେ ପୂର୍ବରୁ ୨୨ ଜଣ ଆକ୍ରାନ୍ତ ହୋଇଥିଲେ। ଏବେ ଆଉ ଜଣେ ସଂକ୍ରମିତ ହେବା ପରେ ଗାଁରେ ଡାକ୍ତରୀ ଟିମ୍ ପକ୍ଷରୁ ଜାରି ରହିଛି ଚିକିତ୍ସା। ପାଣି ନମୁନା ଓ ମଳର ନମୁନା ପରୀକ୍ଷା କରାଯାଇଥିବା ବେଳେ, ଟ୍ୟୁବ୍ ଓ୍ବେଲ ପାଣିରୁ ଏହା ବ୍ୟାପିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଡାଇରିଆ ସ୍ଥିତିକୁ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ କହିବା କଥା, ୩୦ ଜିଲ୍ଲାର ୯୮ ପ୍ରତିଶତ ପାନୀୟ ଜଳ ବିଶୋଧନ ସରିଲାଣି। ହଇଜା ସ୍ଥିତିକୁ ଦେଖି ବିଭାଗ ତତ୍ପରତାର ସହ କାମ କରୁଛି ବୋଲି କହିଛନ୍ତି ମନ୍ତ୍ରୀ।  ଡାଇରିଆ ଓ ଝାଡ଼ାବାନ୍ତିକୁ ନେଇ ସାରା ରାଜ୍ୟରେ ହଇଚଇ। କମିବା ବଦଳରେ ବଢ଼ି ଚାଲିଛି ରୋଗୀଙ୍କ ସଂଖ୍ୟା। ଆଗକୁ ଆସୁଛି ବର୍ଷା ଦିନ। ତେଣୁ ହଇଜାର ସ୍ଥିତି କଣ ହେବ ତାକୁ ନେଇ ଦେଖାଦେଇଛି ଆଶଙ୍କା।

ବିଜେପି ସରକାରରେ ଦଳିତ ଆଦିବାସୀ ଆଜି ଉପେକ୍ଷିତ !

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଧରାକୋଟରେ ଦୁଇ ଦଳିତ ଯୁବକଙ୍କୁ ଲଣ୍ଡା କରି ଘାସ ଖୁଆଇବା ଓ ନର୍ଦ୍ଦମା ପାଣି ପିଆଇବାକୁ ନେଇ ହଲଚଲ ଓଡିଶା ରାଜନୀତି । ଓଡିଶା ଦଳିତ ଓ ଆଦିବାସୀଙ୍କ ପ୍ରତି ହୋଇଥିବା ଅମାନବୀୟ ଘଟଣାକୁ ନେଇ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧି ଉଦବେଗ ପ୍ରକାଶ କରିଛନ୍ତି । ବିଜେଡି କହିଛି ବିଜେପି ସରକାର ଦଳିତ ଓ ଆଦିବାସୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି । ଲୋକଙ୍କ ସରକାର କଥାରେ ନୁହେଁ, କାମରେ କରି ଦେଖାନ୍ତୁ ବୋଲି ଦଳ କହିଛି । ବିଜେପି କିନ୍ତୁ ଘଟଣାକୁ ହାଲୁକା ଭାବେ ନେଇଛି ।

ଧରାକୋଟରେ ଦଳିତଙ୍କୁ ନିର୍ଯାତନା ଘଟଣା । ରାହୁଲଙ୍କ ପରେ ବିଜେପି ସରକାରଙ୍କୁ ପ୍ରିୟଙ୍କାଙ୍କ ଟାର୍ଗେଟ । ଦଳିତ, ଆସିବାସୀ ଓ ପଛୁଆବର୍ଗ ଉପେକ୍ଷିତ ନେଇ ବିଜେଡିର ଉଦବେଗ । ତଦନ୍ତ ଆଳ ଦେଖାଇ ଘଟଣାକୁ ହାଲୁକା ଭାବେ ନେଲା ବିଜେପି । ଲଣ୍ଡା କଲେ, ଆଣ୍ଠେଇକି ଗାଁ ଦାଣ୍ଡରେ ବୁଲାଇଲେ । ଘାସ ଖୁଆଇବା ସହ ନର୍ଦ୍ଦମା ପାଣି ପିଆଇଲେ । ଗଂଜାମ ଜିଲ୍ଲା ଧରାକୋଟରେ ଦୁଇଜଣ ଦଳିତ ଯୁବକଙ୍କ ପ୍ରତି ଏପରି ଅମାନବୀୟ ଆଚରଣ ଘଟଣା ଏବେ ଜାତୀୟସ୍ତରରେ ଓଡିଶାକୁ ପୁଣି ଲଜ୍ଜିତ କରିଛି । ଦଳିତ ଯୁବକଙ୍କ ପ୍ରତି କଙ୍ଗାରୁ କୋର୍ଟର ବିଚାର ବିଜେପି ସରକାରଙ୍କୁ ସିଧା ନିଶାଣ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ।

ଦେଶ ସମ୍ବିଧାନରେ ଚାଲିବ ମନୁସ୍ମୃତିରେ ନୁହେଁ ବୋଲି ସିଧାସିଧା ବିଜେପିକୁ ଶୁଣାଇଛନ୍ତି ରାହୁଲ । ସୋସିଆଲ ମିଡିଆରେ ଏହି ଘଟଣାକୁ ଅମାନବୀୟ କରିବା ସହ ଯେଉଁମାନେ ଜାତି ଏକ ମୁଦ୍ଦା ନୁହେଁ ବୋଲି କହୁଛନ୍ତି ସେମାନଙ୍କ ପାଇଁ ଧରାକୋଟ ଘଟଣା ଆଇନା ବୋଲି ସେ କହିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାରରେ ଦଳିତ ଓ ଆଦିବାସୀମାନେ ଅବହେଳିତ ଓ ଅତ୍ୟାଚାରିତ । ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି  ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।  କଂଗ୍ରେସ ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇଛି । ଆସନ୍ତାକାଲି ଟିମ ଘଟଣା ସ୍ଥଳକୁ ଯିବ । ଧରାକୋଟ ଘଟଣାକୁ କଂଗ୍ରେସ ଜାତୀୟସ୍ତରରେ ପ୍ରସଙ୍ଗ କରିବା ପରେ ବିଜେପି ସଫେଇ ଦେଇଛି । ତଦନ୍ତ ଆଳ ଦେଖାଇ ଘଟଣାକୁ ଅତି ହାଲକା ଭାବେ ନେଇଛି ।

ଧରାକୋଟ ଘଟଣାକୁ ନେଇ ବିଜେପି ସରକାର ଉପରେ ବର୍ଷିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ବିଜେପି ସରକାର ଲୋକଙ୍କ ସରକାର ବୋଲି ତାକୁ କାମରେ କରି ଦେଖାନ୍ତୁ । ବିଜେପି ସରକାରରେ ରାଜ୍ୟରେ ଅରାଜକତା ବଢିଯାଇଛି । ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ବଢିବଢି ଚାଲିଛି । ବିଜେପିର ନେତାମାନେ ଗୋସୁରକ୍ଷା ନାଁରେ ତୃଣମୂଳସ୍ତରରେ ଲୋକଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଗୋସୁରକ୍ଷା ନାଁରେ ବିଜେପି ନେତାମାନେ ଚାନ୍ଦା ଆଦାୟ କରୁଛନ୍ତି । ତୃଣମୂଳ ସ୍ତରରେ କର୍ମୀମାନେ ଦଳିତ, ଆଦିବାସୀ ଓ ପଛୁଆଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଧରାକୋଟରେ ଯେଉଁ ଘଟଣା ଘଟିଛି ତାହା ଭାରତ ବର୍ଷରେ ଏକ ବଡ଼ ଲଜ୍ଜା । ଟ୍ରମ୍ପ ସରକାର କହିଲେ ଓଡ଼ିଶାକୁ କେହି ଯାଅନ୍ତୁ ନାହିଁ । ଏମାନେ ଲୋକଙ୍କ ଉପରେ ଅତ୍ୟାଚାର କରି ଟ୍ରମ୍ପଙ୍କ ନିର୍ଦ୍ଦେଶାବଳୀକୁ ସତ ପ୍ରମାଣିତ କରିଛନ୍ତି । ବିଜେପି ତାର ପଲିସି ପରିବର୍ତ୍ତନ କରୁ ବିଜେଡି ପରାମର୍ଶ ଦେଇଛି ।

ବିଜେପି ସରକାରକୁ ବର୍ଷେ ପୂରିଛି । ବର୍ଷକ ମଧ୍ୟରେ ଦଳିତ , ଆଦିବାସୀ ଓ ପଛୁଆ ବର୍ଗଙ୍କ ଉପରେ ଅତ୍ୟାଚାର ହୁ ହୁ ହୋଇ ବଢିଚାଲିଛି । କେତେବେଳେ କଙ୍ଗାରୁ କୋର୍ଟରେ ତ କେତେବେଳେ ବିଜେପି କର୍ମୀଙ୍କ ଦ୍ବାରା ଦଳିତ ଓ ଆଦିବାସୀ ନିର୍ଯାତନାର ଶିକାର ହେଉଛନ୍ତି । ତଥାପି ସରକାରଙ୍କ ଚେତା ପଶୁନାହିଁ ବୋଲି ମୁଖ୍ୟ ବିରୋଧୀ ବିଜେଡି ସତର୍କ କରାଇଦେଇଛି ।

ଗରିବ ନାବାଳିକାକୁ ନର୍ସିଂରେ ବିଏସସି କରାଇଦେବାକୁ ଦୁଷ୍ମର୍ମ ଅଭିଯୋଗ, ବନ୍ଧାହେଲେ ଆଉ ୨ ଅଭିଯୁକ୍ତ

ନନ୍ଦିଘୋଷ ବ୍ୟୁର; ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ତଦନ୍ତ ନସରୁଣୁ ପୁଣି ଥରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ୧୭ ବର୍ଷର ଗରିବ ନାବାଳିକାକୁ ନର୍ସିଂରେ ବିଏସସି କରାଇଦେବାକୁ ପ୍ରଲୋଭିତ କରି ଦୁଷ୍କର୍ମ କରିଛନ୍ତି ଜଣେ ନକଲି ହୋମିଓପାଥି ଡାକ୍ତର । ଏହି ଜଘନ୍ୟକାଣ୍ଡରେ ସହଯୋଗ କରିଥିଲେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ସହିତ ଜଣେ ମହିଳା ସହଯୋଗୀ । ଗତକାଲି ବିଳମ୍ବିତ ରାତିରେ ପୀଡ଼ିତାଙ୍କ ମାଉସୀ ବୈଦ୍ୟନାଥପୁର ପୋଲିସ ଷ୍ଟେସନରେ ମାମଲା ଏତଲା ଦେବା ପରେ ଆଜି ପ୍ରଥମେ ଡାକ୍ତର ଭବାନୀ ଶଙ୍କର ଦାସଙ୍କୁ ଗିରଫ କରିଥିଲା ପୋଲିସ । ପରେ ସଂଧ୍ୟାରେ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ଓ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି । ପୀଡ଼ିତାର ମା’ଙ୍କ ବୟାନ ଅନୁସାରେ, ତାଙ୍କ ଝିଅକୁ ଜଣେ ଅଙ୍ଗନବାଡି କର୍ମୀ ବିଏସସି ନର୍ସିଂ ପାଇଁ ମାଗଣାରେ ରହିବା ଖାଇବାକୁ ପ୍ରଲୋଭିତ କରି ଡାକି ଆଣିଥିଲେ । ସେହି ଅନୁସାରେ, ଭବାନୀ ଶଙ୍କରର ବାଜପେୟୀ ଆରୋଗ୍ୟଧାମକୁ ଆସିଥିଲେ ପୀଡ଼ିତା ।

ତିନି ଦିନ ତଳେ ପୀଡିତାଙ୍କ ମାଆ, ମାଉସୀ ଓ ପୀଡିତା ଅଭିଯୁକ୍ତଙ୍କୁ ସଂଧ୍ୟା ୫ଟାରେ ପରେ ନାବାଳିକା ସହ ଅସଦାଚରଣ କରିଥିବା ନେଇ ପୀଡ଼ିତା ଅଭିଯୋଗ କରିଛନ୍ତି । ଏଥିରେ ସହଯୋଗ କରିଥିଲେ ଦୁଇ ମହିଳା। ପୀଡ଼ିତାକୁ ଏକ ଆପାର୍ଟମେଣ୍ଟକୁ ନେଇ ନିଶା ଦେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି। ଅନ୍ୟପଟେ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ସାଇଣ୍ଟିଫିକ ଟିମ ବାଜପେୟୀ ଆରୋଗ୍ୟଧାମ ଏବଂ ଆପାର୍ଟମେଣ୍ଟ ପରିଦର୍ଶନ କରିଛନ୍ତି ଏବଂ ପ୍ରମାଣ ସଂଗ୍ରହ କରାଯାଇଛି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗିରଫ ଡାକ୍ତର ଭାବନୀ ଶଙ୍କର ଦାସ ଜଣେ ନକଲି ଡାକ୍ତର । ପୋଲିସ ତାର ପ୍ରାଥମିକ ତଦନ୍ତରୁ ଏହା ଜାଣିପାରିଛି । ତାଙ୍କ ଡିଗ୍ରୀ ଏବଂ ଯୋଗ୍ୟତା ସମ୍ପର୍କରେ ତଦନ୍ତ ଚାଲିଛି ।