spot_img
Home Blog Page 6635

୪ର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟାନ୍ୱୟନରେ ପ୍ରଥମ ହେଲା ରାଜ୍ୟ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା  କାର୍ଯ୍ୟାନ୍ୱୟନରେ  ଓଡ଼ିଶା ଚତୁର୍ଥ ଥର ପାଇଁ ଜାତୀୟ ସ୍ତରରେ ଅଗ୍ରଣୀ ସ୍ଥାନରେ  ରହିଥିବା ଜାତୀୟ ପୋର୍ଟାଲ୍ ତଥ୍ୟରୁ ଜଣାପଡିଛି ।  ୨୦୧୬-୧୭ ଆର୍ଥିକବର୍ଷରୁ ୨୦୧୯-୨୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଜାତୀୟ ସ୍ତରରେ ୧ ନମ୍ୱର ସ୍ଥାନ ବଜାୟ ରଖିଛି । ମୁଖ୍ୟ ଶାସନ ସଚିବ  ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁ​ଷ୍ଠିତ ରାଜ୍ୟ ସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକରୁ  ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନରୁ ‘ଡ଼ିଜିଟାଲ୍  ମୋଡ୍’ ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ  ଗ୍ରାମ ଉନ୍ନୟନ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପ୍ରଦୀପ କୁମାର ଜେନା ବିଭିନ୍ନ ଜିଲ୍ଲାରେ ପି.ଏମ୍.ଜି.ଏସ୍.ଓ୍ୱାଇ ର ୧ମ ଓ ୨ୟ  ପର୍ଯ୍ୟାୟ କାର୍ଯ୍ୟାନ୍ୱୟନ ସମ୍ୱନ୍ଧିତ ସଦ୍ୟତମ ତଥ୍ୟ  ସହ  ୩ୟ ପର୍ଯ୍ୟାୟ ପାଇଁ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକର ଆର୍ଥିକ ଓ ବୈଷୟିକ  ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି ।

ଗ୍ରାମ ରାସ୍ତା ସଂଯୋଗୀକରଣରେ ପ୍ରସ୍ତାବ ଗୁଡିକର ଗୁରୁତ୍ୱ ବିଚାରକରି ପି.ଏମ୍.ଜି.ଏସ୍.ଓ୍ୱାଇ ର ୩ୟ ପର୍ଯ୍ୟାୟରେ ସମୁଦାୟ ୯୪୦୦ କି.ମି. ରାସ୍ତା ନିର୍ମାଣ ନିମନ୍ତେ ବୈଠକରେ ନୀତିଗତ ନିଷ୍ପତ୍ତି ହୋଇଥିଲା । ନିର୍ମାଣର ଗୁଣାତ୍ମକମାନ  ଏବଂ ନିର୍ମାଣ ସରିଥିବା  ରାସ୍ତାର ଉପଯୁକ୍ତ  ରକ୍ଷଣାବେକ୍ଷଣ ଉପରେ  ମୁଖ୍ୟ  ଶାସନ ସଚିବ ଶ୍ରୀ ତ୍ରିପାଠୀ ଗୁରୁତ୍ୱ ଆରୋପ  କରିଥିଲେ । ୩ୟ ପର୍ଯ୍ୟାୟ ରାସ୍ତା ନିର୍ମାଣ ଚଳିତ ଆର୍ଥିକ ବର୍ଷରୁ ଆରମ୍ଭ କରି ୨୦୨୪-୨୫ ବର୍ଷ ମଧ୍ୟରେ ସାରିବା ପାଇଁ ଶ୍ରୀ ତ୍ରିପାଠୀ  ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ଜେନା  ଜଣାଇଛନ୍ତି ଯେ  ଭୁ-କେନ୍ଦ୍ରିକ ମ୍ୟାପିଂ ମାଧ୍ୟମରେ  ରାସ୍ତା ଗୁଡିକର ଅଗ୍ରାଧିକାର ସ୍ଥିର  କରାଯାଉଛି । ​ଗୋଟିଏ ରାସ୍ତା କେତେ ଗ୍ରାମକୁ ସଂଯୋଗ କରିବ, ଏହାଦ୍ୱାରା କେତେ ଲୋକ ଉପକୃତ ହେବେ, ରାସ୍ତାଟି କେତେ ହସ୍ପିଟାଲ୍, ବିଦ୍ୟାଳୟ, ଗ୍ରାମୀଣ ବଜାର, ପର୍ଯ୍ୟଟନ ସ୍ଥଳୀ, ଆଦିକୁ ସଂଯୋଜିତ କରିବ  ଏସବୁ କଥା ବିଚାରକୁ ନେଇ ରାସ୍ତାର ନିର୍ମାଣ ଅଗ୍ରାଧିକାର ସ୍ଥିର  କରିବା ପାଇଁ ମୁଖ୍ୟ ଶାସନ ସଚିବ  ଶ୍ରୀ ତ୍ରିପାଠୀ  ପରାମର୍ଶ ଦେଇଛନ୍ତି ।

ତୃତୀୟ ପର୍ଯ୍ୟାୟ ନିମନ୍ତେ ପ୍ରଥମ ଦଫାରେ ୧୩ଟି ଜିଲ୍ଲାର ୩୫୦୦ କି.ମି ରାସ୍ତା ନିର୍ମାଣ ପାଇଁ ୫୧୮ଟି ପ୍ରକଳ୍ପ ପ୍ରସ୍ତାବ ଅନୁମୋଦିତ  ହୋଇଥିଲା । ଅନୁଗୁଳ ଜିଲ୍ଲାର ୨୯ଟି ପ୍ରକଳ୍ପ ପ୍ରସ୍ତାବ, ବରଗଡର ୪୧ଟି, ବୈାଦ୍ଧର ୧୨ଟି, ଦେଓଗଡର ୧୨ଟି, ଢ଼େଙ୍କାନାଳର ୩୫ଟି, ଗଜପତିର ୪୧ଟି, ଝାରସୁଗୁଡାର ୨୬ଟି, କନ୍ଧମାଳର ୫୭ଟି, କେନ୍ଦୁଝରର ୫୨ଟି, କୋରାପୁଟର ୭୧ଟି, ରାୟଗଡାର ୪୬ଟି, ସୋନପୁରର ୨୮ଟି ଏବଂ ସୁନ୍ଦରଗଡ ଜିଲ୍ଲାର ୬୮ଟି ପ୍ରକଳ୍ପ ପ୍ରସ୍ତାବ  ଏହାର ଅନ୍ତର୍ଭୁକ୍ତ ।ଏହି ସମସ୍ତ ପ୍ରକଳ୍ପ ନିମନ୍ତେ ସମୁଦାୟ ୨୨୦୫ କୋଟି ଟଙ୍କାର ବ୍ୟୟ ଅଟକଳ  କରାଯାଇଛି ବୋଲି ଗ୍ରାମ ଉନ୍ନୟନ ବିଭାଗ ଇଞ୍ଜିନିୟର ଇନ୍ ଚିଫ୍ ଶ୍ରୀ ଚନ୍ଦ୍ରମୌଳି ପଟ୍ଟନାୟକ ଜଣାଇଛନ୍ତି । ଅବଶିଷ୍ଟ ୧୭ ଟି ଜିଲ୍ଲାର ୫,୯୦୦ କି.ମି. ରାସ୍ତା ନିମନ୍ତେ ପ୍ରକଳ୍ପ ପ୍ରସ୍ତାବ  ସେପ୍ଟେମ୍ୱର ମାସ ସୁଦ୍ଧା ପ୍ରସ୍ତୁତ  କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ  ନିର୍ଦ୍ଦେଶ ଦେଇଥିଲେ ।

ବେସରକାରୀ କୋଭିଡ୍ ଚିକିତ୍ସା ସେବା ପାଇଁ କେତେ ଦେଉଛନ୍ତି ସରକାର, ଜାଣନ୍ତୁ କେଉଁ ବାବଦକୁ କେତେ ଖର୍ଚ୍ଚ …….

ଭୁବନେଶ୍ୱର : ଘରୋଇ କୋଭିଡ ହସ୍ପିଟାଲରେ ଦୈନିକ ରୌଗୀଙ୍କ ପାଇଁ କେତେ ଖର୍ଚ୍ଚ ହେଉଛି ସେସବୁର ହିସାବ ଦେଇଛନ୍ତି ରାଜ୍ୟ ସରକାର  । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ତିନୋଟି ମହାନଗର ନିଗମ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ତାଲିକା ପ୍ରଦାନ କରାଯାଇଛି । ଏହି ତାଲିକା ଅନୁଯାୟୀ ଘରୋଇ ହସ୍ପିଟାଲଙ୍କୁ ସରକାର ଅର୍ଥ ପ୍ରଦାନ କରିବେ । ସାଧାରଣ ବେଡରେ ଚିକତ୍ସା ପାଉଥିବା ରୋଗୀଙ୍କ ପାଇଁ ୧୨ଶହରୁ ୩ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ । ଖାଦ୍ୟ, ଔଷଧ, ସାନିଟାଇଜର, ବିଭିନ୍ନ ଡାକ୍ତରୀ ପରୀକ୍ଷା, ପିପିଇ କିଟ ଆଦି ବାବଦରେ ୧୭୫୦ଟଙ୍କା ଖର୍ଚ୍ଚ କରାଯିବ । ସେ ମଧ୍ୟରେ ଲଣ୍ଡ୍ରି ପାଇଁ ୨୦୦ ଟଙ୍କା, ସାନିଟାଇଜର ପାଇଁ ୬୦ ଟଙ୍କା, ଖାଦ୍ୟ ପାଇଁ ୨୪୦ ଟଙ୍କା, ଔଷଧ ବାବଦରେ ୩୦୦ ଟଙ୍କା, ପିପିଇ କିଟ ପାଇଁ ୫୦୦ ଟଙ୍କା, ପରୀକ୍ଷଣ ପାଇଁ ୨୦୦ ଟଙ୍କା ଓ ଅନ୍ୟାନ କନଜ୍ୟୁମେବୁଲ ପାଇଁ ୨୫୦ ଟଙ୍କା ଖର୍ଚ୍ଚ ହେବ ।

ଆଇସିୟୁରେ ଚିକିତ୍ସାଧିନ ବ୍ୟକ୍ତିଙ୍କ ପାଇଁ ବେଡ ପିଛା ୨ହଜାରରୁ ୫ ହଜାର ଟଙ୍କା ଖର୍ଚ୍ଚ ହେବ । ଏହାସହିତ ଆଇସିୟୁ ରୋଗୀଙ୍କ ଖାଦ୍ୟ ଓ ଅନ୍ୟାନ କାର୍ଯ୍ୟ ପାଇଁ ୧୨ ହଜାର ଟଙ୍କା ଖର୍ଚ୍ଚ ହେବ । ସେ ମଧ୍ୟରେ ରହିଛି ଲଣ୍ଡ୍ରି ପାଇଁ ୨୦୦ ଟଙ୍କା, ସାନିଟାଇଜର ପାଇଁ ୬୦ ଟଙ୍କା, ଖାଦ୍ୟ ପାଇଁ ୨୪୦ ଟଙ୍କା, ଔଷଧ ପାଇଁ ୭ ହଜାର ଟଙ୍କା, ପିପିଇ ପାଇଁ ୧୫ଶହ ଟଙ୍କା ଓ ଅନ୍ୟାନ କନଜ୍ୟୁମେବୁଲ ପାଇଁ ହଜାରେ ଟଙ୍କା ଖର୍ଚ୍ଚ ହେବ ।ଆଇସିୟୁରେ ଭେଣ୍ଟିଲେଟର ସହ ରହୁଥିବା ରୋଗୀଙ୍କ କ୍ଷେତ୍ରରେ ବେଡ ପିଛା ୨ହଜାରରୁ ୫ହଜାର ଟଙ୍କା ପ୍ରଦାନ କରାଯିବ । ଖାଦ୍ୟ ଓ ଅନ୍ୟାନ କାର୍ଯ୍ୟ ପାଇଁ ୧୩ହଜାର ଟଙ୍କା ପ୍ରଦାନ କରାଯିବ । ସେ ମଧ୍ୟରେ ରହିଛି ଲଣ୍ଡ୍ରି ପାଇଁ ୨୦୦ ଟଙ୍କା, ସାନିଟାଇଜର ପାଇଁ ୬୦ ଟଙ୍କା, ଖାଦ୍ୟ ପାଇଁ ୨୪୦ ଟଙ୍କା, ଔଷଧ ପାଇଁ ୭ ହଜାର ଟଙ୍କା, ପିପିଇ ପାଇଁ ୧୫ଶହ ଟଙ୍କା, ଅନ୍ୟାନ କନଜ୍ୟୁମେବୁଲ ପାଇଁ ହଜାରେ ଟଙ୍କା ଏବଂ ଡକ୍ଟର ଅନ କଲ ପାଇଁ ହଜାରେ ଟଙ୍କା ଖର୍ଚ୍ଚ ହେବ ।

କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ବେଡ ପିଛା ହଜାରେ ଓ ଖାଦ୍ୟ ଓ ଅନ୍ୟାନ ଖର୍ଚ୍ଚ ପାଇଁ ୧୦୦୦ ଟଙ୍କା ପ୍ରଦାନ କରାଯିବ । ଲଣ୍ଡ୍ରି ପାଇଁ ୨୦୦ ଟଙ୍କା, ସାନିଟାଇଜର ପାଇଁ ୬୦ ଟଙ୍କା, ଖାଦ୍ୟ ପାଇଁ ୨୪୦ ଟଙ୍କା, ଔଷଧ ପାଇଁ ଶହେ ଟଙ୍କା, ମାସ୍କ ପାଇଁ ୨୦୦ ଟଙ୍କା ଓ ବିଭିନ୍ନ ଡାକ୍ତରୀ ପରୀକ୍ଷା ପାଇଁ ୨୦୦ ଟଙ୍କା ଖର୍ଚ୍ଚ ହେବ । ସେହିଭଳି ସରକାର କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ହୋମର ଚିକିତ୍ସା ବ୍ୟବସ୍ଥା ଓ ଖାଦ୍ୟର ମାନ ପରୀକ୍ଷଣ ପାଇଁ ଏକ ଟିମ ଗଠନ କରିଥିବା ସୂଚନା ଦେଇଛନ୍ତି ।

ବାଟଲା ହାଉସ୍ ଏନକାଉଣ୍ଟରର ୧୧ ବର୍ଷ ପରେ ମୋହନଚାନ୍ଦଙ୍କୁ ମିଳିଲା ବୀରତା ସମ୍ମାନ

0

ନୂଆଦିଲ୍ଲୀ: ବାଟଲା ହାଉସ ଏନକାଉଣ୍ଟରରେ ସହୀଦ ହୋଇଥିବା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଇନ୍ସପେକ୍ଟର ମୋହନ ଚନ୍ଦ ଶର୍ମାଙ୍କୁ ବୀରତା ପୁରସ୍କାରରେ ସମ୍ମାନିତ କରାଯାଇଛି । ଦିଲ୍ଲୀ ସ୍ପେଶାଲ ସେଲରେ କାମ କରୁଥିଲେ ମୋହନ ଚନ୍ଦ । ଶୁକ୍ରବାରକୁ ଗୃହ ମନ୍ତ୍ରାଳୟ ଏହି ପୁରସ୍କାର ଘୋଷଣା କରିଛନ୍ତି । ମୋହନଙ୍କ ସମେତ ସାରା ଦେଶରୁ ୨୧୫ ଜଣଙ୍କୁ ସମ୍ମାନିତ କରାଯାଇଛି ।

ଦିଲ୍ଲୀର ବାଟଲା ହାଉସ ଏନକାଉଣ୍ଟର କଥା ଭାବିଲେ ହଠାତ୍ ମନେ ପଡ଼ିଯାନ୍ତି ମୋହନଚନ୍ଦ ଶର୍ମା । ସେଦିନ ଦେଶର ସବୁ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିଲା ଗୋଟିଏ ଖବର, ଆଉ ତାହା ଥିଲା ବାଟଲା ହାଉସରେ ଘଟିଥିବା ଛାତିଥରା କାହାଣୀ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ସେଦିନ କ’ଣ ଘଟିଥିଲା । ସମସ୍ତେ ତାଙ୍କ ବିଷୟରେ ହିଁ ଜାଣିବାକୁ ଚାହୁଁଥିଲେ ।

batla house encounter mohan
ମୋହନ ଚାନ୍ଦଙ୍କୁ ହସ୍ପିଟାଲ ନେଉଛନ୍ତି ସାଥୀ (ଫାଇଲ ପଟୋ)

୧୩ ସେପ୍ଟେମ୍ବର ୨୦୦୮ । ଦିଲ୍ଲୀର କରୋଲବାଗ୍‌, କନ୍ନାଟ ପ୍ଲେସ,ଇଣ୍ଡିଆ ଗେଟ୍ ଏବଂ ଗ୍ରେଟର କୈଳାଶ ଠାରେ କ୍ରମାଗତ ଭାବରେ ହେଲା ଗୋଟିଏ ପରେ ଗୋଟିଏ ବୋମା ବିସ୍ଫୋରଣ । ସେହି ବିସ୍ଫୋରଣରେ ୨୬ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୩୩ ଜଣ ଆହତ ହୋଇଥିଲେ । ଯାଂଚ ପରେ ଜଣା ପଡ଼ିଲାଯେ ଏହି ବୋମା ବିସ୍ଫୋରଣ ପଛରେ ଆତଙ୍କବାଦୀ ସଙ୍ଗଠନ ଇଣ୍ଡିଆନ ମୁଜାହିଦ୍ଦିନର ହାତ ଥିଲା । ଏହି ବିସ୍ଫୋରଣ ପରେ ୧୯ ସେପ୍ଟେମ୍ବର ଦିନ ଇଣ୍ଡିଆନ ମୁଜାହିଦ୍ଦିନର ପାଞ୍ଚ ଜଣ ଆତଙ୍କବାଦୀ ବାଟଲା ହାଉସର ଏକ ଘରେ ଲୁଚି ରହିଥିବା ଖବର ପାଇଥିଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଯାହାପରେ ପୋଲିସ୍ ଟିମ୍ ସଚେତନ ହୋଇ ଯାଇଥିଲା ।
୧୯ ସେପ୍ଟେମ୍ବର ୨୦୦୮ ସକାଳ ୮ଟାରେ ମୋହନଚନ୍ଦ ଶର୍ମାଙ୍କ ଫୋନ କଲ ପାଇଲେ ସ୍ପେଶାଲ ସେଲର ଲୋଧି କଲୋନି ସ୍ଥିତ କାର୍ଯ୍ୟାଳୟରେ  ଉପସ୍ଥିତ ଥିବା ଏସ.ଆଇ. ରାହୁଲ କୁମାର ସିଂ । ଆତିଫ ଏଲ.୧୮ରେ ରହୁଥିବା ସେ ଫୋନରେ ଜଣାଇଥିଲେ । ଆତିଫକୁ ଧରିବା ପାଇଁ ଘରୋଇ ଗାଡ଼ିରେ ରାହୁଲ ସିଂ ତାଙ୍କ ବନ୍ଧୁ ମାନଙ୍କ ସହିତ ବାହାରିଗଲେ । ସେମାନଙ୍କ ମଧ୍ୟରେ ଥିଲେ ଏସ.ଆଇ ରବୀନ୍ଦ୍ର ତ୍ୟାଗୀ,ଏସ.ଆଇ.ରାକେଶ ମଲିକ,ହାବିଲଦାର ବଳବନ୍ତ,ସତେନ୍ଦ୍ର ବିନୋଦ ଗୌତମ ଆଦି ପୋଲିସ କର୍ମୀ । ଏହି ଟିମର ଇନ୍ସପେକ୍ଟର ମୋହନଚନ୍ଦ ଶର୍ମା ଡେଙ୍ଗୁ ଜ୍ୱରରେ ପୀଡ଼ିତ ତାଙ୍କ ପୁଅକୁ ନର୍ସିଂ ହୋମରେ ଛାଡ଼ି ବାଟଲା ହାଉସ ପାଇଁ ବାହାରିଗଲେ ।

batla encounter

ଅବାସୀ ଚୌକ ନିକଟରେ ସେ ତାଙ୍କ ଟିମ ପାଖରେ ପହଂଚିଲେ ଏବଂ ସମସ୍ତେ ପୋଲିସ ୟୁନିଫର୍ମରେ ଥିଲେ । ସେଠାରେ ହୋଇଥିବା ଏନକାଉଣ୍ଟରରେ ମୋହନଚାନ୍ଦ ସହିଦ ହୋଇଥିଲେ । ମୋହନ ସହିଦ ହେବାର ୧୧ ବର୍ଷ ପରେ ତାଙ୍କୁ ବୀରତା ସମ୍ମାନ ପ୍ରଦାନ କରାଯାଇଛି । ମୋହନଙ୍କୁ ସମ୍ମାନିତ ନକରିବା ପଛରେ ତତ୍କାଳୀନ ରାଜନୀତି ଥିଲା ବୋଲି କୁହଯାଏ । କାରଣ ସେହି ସମୟରେ ଶାସନର ଥିବା ୟୁପିଏର ପ୍ରମ୍ମୁଖ ଅଂଶୀଦାର କଂଗ୍ରେସର କିଛି ବଡ ନେତା ବାଟଲା ହାଉସ ଏନକାଉଣ୍ଟରର ବୈଧତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେମାନେ ଏହି ଏନକାଉଣ୍ଟରକୁ ମିଥ୍ୟା ଏନକାଉଣ୍ଟର ବୋଲି କହିଥିଲେ । ଅନ୍ୟପକ୍ଷରେ ବିଜେପି ଏହାକୁ ମୁସଲିମ୍ ଭୋଟ ପାଇଁ ତୁଷ୍ଟୀକରଣ ରାଜନୀତି ବୋଲି କହୁଥିଲା ।

ନେପାଳରେ ଚୀନ ଷଡ଼ଯନ୍ତ୍ରର ଖୁଲାସା କରିଥିବା ସାମ୍ବାଦିକଙ୍କ ମିଳିଲା ମୃତଦେହ

କାଠମାଣ୍ଡୁ: ନେପାଳର ବରିଷ୍ଠ ପତ୍ରକାର ବଳରାମ ବାନିୟାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଯାହାକୁ ନେଇ ପ୍ରଶ୍ନ ଉଠିଛି । ନେପାଳର ସବୁଠୁ ବଡ଼ ମିଡିଆ ଘରାନା କାନ୍ତିପୁରରେ ୩୦ ବର୍ଷ ଧରି କାମ କରୁଥିବା ବରିଷ୍ଠ ପତ୍ରକାର ବାନିୟାଙ୍କ ମୃତଦେହ ମଙ୍ଗଳବାର ମିଳିଛି । କାଠମାଣ୍ଡୁ ଠାରୁ ୨୦୦ କିଲୋମିଟର ଦୂର ହେଟୌଡ଼ା ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ସେ ତାଙ୍କ ଶେଷ ରିପୋର୍ଟରେ ଚୀନ, ନେପାଳର ଅଞ୍ଚଳ କବଜା କରୁଥିବା ନେଇ ଉଲ୍ଲେଖ କରିଥିଲେ । ନେପାଳର ବିଭିନ୍ନ ସାମ୍ବାଦିକ ସଂଗଠନ ନେପାଳ ସରକାରଙ୍କୁ ବାନିୟାଙ୍କ ସନ୍ଦେହଜନକ ମୃତ୍ୟୁର ନିରପେକ୍ଷ ଯାଞ୍ଚ ଦାବି କରିଛନ୍ତି ।

ଜୁନ୍ ୨୪ରେ ବଳରାମ ବାନିୟା କାନ୍ତିପୁରରେ ଏକ ଖବର ଛାପିଥିଲେ । ଯେଉଁଥିରେ ନେପାଳର ଉତ୍ତର ସୀମାର କେତକ ସ୍ଥାନରେ ଚୀନ ଅବୈଧ କବଜା କରିଥିବା ଉଲ୍ଲେଖ କରିଥିଲେ । ଏତିକି ନୁହେଁ ସେ ଏହା ସମ୍ବନ୍ଧୀୟ ତଥ୍ୟ ଓ ପ୍ରମାଣ ମଧ୍ୟ ଯୋଗାଡ଼ କରିଥିଲେ । ଯାହା ଆଧାରରେ କାନ୍ତିପୁର ଫ୍ରଣ୍ଟ ପେଜରେ ଏହି ଖବର ପ୍ରକାଶିତ ହୋଇଥିଲା । ନେପାଳର ସବୁଠୁ ଲୋକପ୍ରିୟ ଓ ସବୁଠି ଅଧିକ ବିକ୍ରି ହେଉଥିବା ଖବରକାଗଜରେ ଚୀନ ବିରୋଧରେ ଏଭଳି ଲେଖା କାଠମାଣ୍ଡୁରେ ହଇଚଇ ସୃଷ୍ଟି କରିଥିଲା ।

ନେପାଳ ସରକାର, ବ୍ୟୁରୋକ୍ରାସି ଓ ଅଧିକାଂଶ ମିଡିଆ ଚୀନରେ ପ୍ରଭାବରେ ଥିବା ଓ ଭାରତ, ନେପାଳି ଜମି କବଜା କରିବା ଅଭିଯୋଗ ବେଳେ ଏଭଳି ଖବର ପ୍ରକାଶିତ ହୋଇଥିଲା । ଏହି ଖବରକୁ ନେଇ ସେତେବେଳେ ନେପାଳ ସଂସଦରେ ବି ବହୁତ ହଙ୍ଗାମା ଦେଖିବାକୁ ମିଳିଥିଲା । ସଂସଦର ଉଚ୍ଚ ସଦନରେ ନେପାଳ ବିଦେଶ ମନ୍ତ୍ରୀ ମଧ୍ୟ ସଫେଇ ରଖିଥିଲେ । ସେତେବେଳେ ଝବାଲି କହିଥିଲେ- ନେପାଳର ଗୋଟିଏ ଇଞ୍ଚ୍ ଜମି ଉପରେ ମଧ୍ୟ ଚୀନର କବଜା ନାହିଁ । ଚୀନ ଓ ନେପାଳ ମଧ୍ୟରେ ଥିବା ସମ୍ପର୍କକୁ ଖରାପ କରିବାକୁ ଏହା ମିଡିଆର ଚାଲ୍ ବୋଲି କହିଥିଲେ । ଏତିକି ନୁହେଁ ବିଦେଶ ମନ୍ତ୍ରୀ ଝବାଲି କହିଥିଲେ- ପ୍ରକାଶିତ ସମ୍ବାଦରେ ଉଲ୍ଲେଖ ଥିବା ଗାଁର ଲୋକ ନିଜ ଇଚ୍ଛାରେ ଚୀନରେ ମିଶିଛନ୍ତି । ମନ୍ତ୍ରୀଙ୍କ ଏଭଳି ବୟାନକୁ କଡ଼ା ବିରୋଧ କରିଥିଲେ ବିରୋଧୀ ।

କାନ୍ତିପୁରରେ ଖବର ପ୍ରକାଶିତ ହେବା ପରେ ଚୀନ ମଧ୍ୟ ନାରାଜ ହୋଇ ପଡ଼ିଥିଲେ । ଚୀନ ଉକ୍ତ ଗଣମାଧ୍ୟମର କର୍ତ୍ତୃପକ୍ଷଙ୍କ ଉପରେ ଚାପ ପ୍ରୟୋଗ କରି ଅନଲାଇନରୁ ଉକ୍ତ ଖବରକୁ ହଟାଇ ଦେଇଥିଲା । ଏପରିକି ତା ପରଦିନ ସମ୍ପାଦକ ମହୋଦୟ କ୍ଷମା ପ୍ରାର୍ଥନା କରି ଏକି ରିପୋର୍ଟ ଛାପିଥିଲେ । ଯେଉଁଥିରେ ରିପୋର୍ଟରଙ୍କୁ ଦାୟୀ କରାଯାଇଥିଲା । ଏଥିସହ ଚୀନ ବିରୋଧରେ ଖବର ଲେଖିଥିବାରୁ ସାମ୍ବାଦିକ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ସହ ଗୋଟିଏ ମାସ ପାଇଁ ଛୁଟିରେ ପଠାଇ ଦିଆଯାଇଥିଲା ।

ମୃତ୍ୟୁର ଠିକ୍ ମାସେ ପୂର୍ବରୁ ସାମ୍ବାଦିକ ବାନିୟା କଥାବାର୍ତ୍ତା ବେଳେ ଜଣେ ସାମ୍ବାଦିକଙ୍କୁ କହିଥିଲେ- ଅଫିସ୍ ତାଙ୍କୁ ବହୁତ ଅପମାନିତ କରିଛି । ସତ୍ୟ ଖବରକୁ ଭୁଲ୍ ଦର୍ଶାଯାଇଛି । ସେ ଚିନ୍ତାରେ ଅଛନ୍ତି । ଶେଷଥର ପାଇଁ ବାନିୟାଙ୍କୁ କାଠମାଣ୍ଡୁର କଳଙ୍କି ଅଞ୍ଚଳର ଏକ ନଦୀ କୂଳରେ ଦେଖିଥିବା ପୋଲିସ ସୂଚନା ଦେଇଛି । କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ପ୍ରକାରେ ପୋଲିସ କହିଛି- ନଦୀରେ ଗୋଡ଼ ଖସିବା ଯୋଗୁଁ ସେ ପାଣିରେ ବୁଡ଼ି ଯାଇଥିଲେ । ଏବଂ ତାଙ୍କର ମୃତ୍ୟୁ ହୋଇଛି । ତେବେ, ସୋମବାର କାଠମାଣ୍ଡୁର ବାଗମତି ନଦୀରେ ବୁଡ଼ି ଯାଇଥିବା ବ୍ୟକ୍ତିଙ୍କ ମୃତଦେହ ମଙ୍ଗଳବାର ୨୦୦ କିମି ଦୂର ହେଟୌଡ଼ାର ଏକ ହାଇଡ୍ରୋ ପାୱାର ଷ୍ଟେସନରୁ କେମିତି ମିଳିଲା ତାକୁ ନେଇ ସୃଷ୍ଟ ହୋଇଛି ସନ୍ଦେହ ।

ତାଙ୍କ ଶରୀରରେ କିଛି ପୋଷାକ ନଥିବା ବେଳେ ଗୋଡ଼ରେ ଜୋତା ମଧ୍ୟ ନାହିଁ । ଏମିତିରେ ସନ୍ଦେହ ଉଠୁଛି ଯଦି ସିଏ ଆତ୍ମହତ୍ୟା କରିଛନ୍ତି ତେବେ କପଡ଼ା କୁଆଡ଼େ ଗଲା ? ତାଙ୍କ ଦେହ ଓ ମୁଣ୍ଡରେ ଥିବା ଗଭୀର କ୍ଷତ ଚିହ୍ନ କେଉଁଠୁ ଆସିଲା ? ତାଙ୍କ ଆଖି, ମୁଣ୍ଡ ଓ ବେକରେ ଶକ୍ତ ଆଘାତ ଓ ଘା କେମିତି ହେଲା ?

ନେପାଳର ବିଭିନ୍ନ ସାମ୍ବାଦିକ ସଂଗଠନ ରହସ୍ୟଜନକ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି । ସାମ୍ବାଦିକ ମାନେ ଆଶଙ୍କା କରିଛନ୍ତି ତାଙ୍କର ଅନ୍ତିମ ଖବର ମୃତ୍ୟୁର କାରଣ ନୁହେଁ ତ ? ଯେଉଁଥିରେ ସେ ଚୀନ ଚାଲାକିର ଖୁଲାସା କରିଥିଲେ । ନେପାଳ ପୋଲିସ ମୃତ୍ୟୁକୁ ଆତ୍ମହତ୍ୟା କିମ୍ବା ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରୁଛି । କିନ୍ତୁ, ବିଭିନ୍ନ ସାମ୍ବାଦିକ ସଂଗଠନ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

ଭିଜଲାନ୍ସ ଆଳ ଦେଖାଇ ଲୁଟିଲେ

ରାଉରକେଲା : ଭିଜିଲାନ୍ସ ନା କହି ଠକିନେଲେ ଟଙ୍କା ଓ ସୁନା ଅଳଙ୍କାର । ରାଉରକେଲା ଜଣେ ରେଲଓ୍ବେ କର୍ମଚାରୀଙ୍କ ପରିବାରଠୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟିନେଇଛି ଜଣେ ଠକ । ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ   । ସ୍ୱାମୀ ଭିଜିଲାନ୍ସ ଜାଲରେ ପଡିଛନ୍ତି ଓ ଭିଜିଲାନ୍ସ ବିଭାଗ ତାଙ୍କୁ ପଚରା ଉଚରା କରୁଛନ୍ତି ବୋଲି ଡ଼ରାଇ ଠକମାନେ ମହିଳାଙ୍କଠାରୁ ସୁନା ଲୁଟିଛନ୍ତି ।

ଉକ୍ତ ଦୁବୃତ୍ତ ଜଣକ ମହିଳାଙ୍କୁ ତାଙ୍କର ଟଙ୍କା ସୁନା ଅଳଙ୍କାର ସବୁ ସମ୍ପର୍କୀୟଙ୍କ ଘରେ ରଖିବାକୁ ପଡିବ ବୋଲି କହିଥିଲେ, ଯେମିତି ଭିଜିଲାନ୍ସ ଅଫିରମାନେ ତାଙ୍କ ସୁନା ଅଳଙ୍କାର ପାଇବରେ ସମର୍ଥ ହେବେ ନାହିଁ ।ଏପରି କହି ରାଉରକେଲା ବନ୍ଧମୁଣ୍ଡା ଇ ସେକ୍ଟରରେ  ରେଲୱେ କର୍ମଚାରୀ ମହେଶ୍ୱର ମାହାତେଙ୍କ ପତ୍ନୀଙ୍କୁ ପ୍ରବର୍ତ୍ତାଇ ଥିଲେ ଜଣେ ଠକ ।

ଆଉ ବିଶ୍ବାସ ଜନ୍ମାଇ ୭୦ ଗ୍ରାମ ସୁନା ଅଳଙ୍କାର ଓ ନଗଦ  ୭ ହଜାର ଟଙ୍କା ଓ ଅନେକ ଜରୁରୀ କାଗଜପତ୍ର ଧରି ସମ୍ପର୍କୀୟଙ୍କ ଘରେ ରଖିବା ବାହାନା କରି ଝିଅକୁ ବସାଇନେଇଥିଲା. ହେଲେ ରାସ୍ତାରେ ଝିଅଙ୍କୁ ଓହ୍ଲାଇ ଦେଇ ଟଙ୍କା ଓ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି ।ପରେ ମହେଶ୍ୱର ମାହାତୋ ଘରେ ପହଞ୍ଚି ଘଟଣା ଜାଣିବା ପରେ ବନ୍ଧମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାସହ ଠକ ଯୁବକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

କୋଭିଡ-୧୯ର ୭୩ ପ୍ରକାର ଷ୍ଟ୍ରେନ୍ ଚିହ୍ନଟ କଲେ ଭାରତୀୟ ଗବେଷକ

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ କୋଭିଡ୍‌-୧୯ ସଂକ୍ରମଣର ୭୩ଟି ପ୍ରକାର ଷ୍ଟ୍ରେନ୍ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଜେନୋମିକ୍ ଗବେଷକ । ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି) ଏବଂ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଆଇଏମ୍‌ଏସ ଆଣ୍ଡ ସମ୍ ହସପିଟାଲର ଗବେଷକମାନେ ମିଳିତ ଭାବେ ଗବେଷଣା କରି ଏହି କାର୍ଯ୍ୟରେ ସଫଳ ହୋଇଛନ୍ତି । ଏହି ଗବେଷକମାନେ ୭୫୨ଟି କ୍ଲିନିକାଲ୍ ସାମ୍ପଲ୍ ସମେତ ୧୫୩୬ଟି ସାମ୍ପଲ୍‌ର ପରୀକ୍ଷଣ କରିଥିବା ବେଳେ ପ୍ରଥମ ଥର ପାଇଁ ଭାରତରେ ୨ଟି ଲିନିଏଜ୍ ବି.୧.୧୧୨ ଏବଂ ବି.୧.୯୯ ଚିହ୍ନଟ କରିପାରିଛନ୍ତି ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଗବେଷଣା ନିର୍ଦ୍ଦେଶକ ତଥା ମୁଖ୍ୟ ପରୀକ୍ଷକ ଡଃ ଜୟଶଙ୍କର ଦାସ ସୂଚନା ଦେଇଛନ୍ତି ।

କାଉନ୍‌ସିଲ୍ ଅଫ୍ ସାଇନ୍‌ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ସହଯୋଗରେ ଗବେଷଣା କରୁଥିବା ଏହି ଗବେଷକ ଟିମ୍ ବିଶ୍ୱରେ ପ୍ରଥମ ଥର ପାଇଁ ସବୁଠାରୁ ଉନ୍ନତ ଧରଣର କୋଭିଡ୍ ସିକ୍ୱେନି୍ସଂ ପ୍ରଣାଳୀ ବାହାର କରିପାରିଛନ୍ତି ଯାହାକି କୋଭିଡ ସଂକ୍ରମଣକୁ ଉପଯୁକ୍ତ ପ୍ରକ୍ରିୟାରେ ଚିହ୍ନଟ କରିବାରେ ସହାୟକ ହୋଇପାରିବ ବୋଲି ଡଃ ଦାସ ସୂଚନା ଦେଇଛନ୍ତି । ପ୍ରଖ୍ୟାତ ସଂସ୍ଥା ଟେକ୍ ଇଲୁମିନାର ରିପୋର୍ଟ ଅନୁଯାୟୀ ଭାରତ ଏହି ଗବେଷଣାରେ ୧୦ଟି ଦେଶର ୧୨ଟି ଗବେଷଣା ଅନୁଷ୍ଠାନକୁ ପଛରେ ପକାଇ ଏହି ଫିଲ୍ଡ ଭାଲିଡେସନ୍ ଡାଟାକୁ ପ୍ରକାଶ କରିପାରିଛି ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଗବେଷକମାନେ କରୋନା ଭାଇରସ୍ ସଂକ୍ରମଣର ସାମାନ୍ୟ, ମଧ୍ୟମ ଏବଂ ଗୁରୁତର ସଂକ୍ରମଣ କ୍ଷମତା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ୫୦୦ଟି ଭାଇରାଲ୍ ଜେନମ୍‌ର ସିକ୍ୱେନ୍ସିଂ ଓ ଆନାଲିସିସ୍ କରୁଛନ୍ତି ।ଏହା ବ୍ୟତୀତ ପୂର୍ବ ଭାରତ ବିଶେଷ କରି ଓଡ଼ିଶାରେ ଏହି କୋଭିଡ ଷ୍ଟ୍ରେନ୍‌, ନୂତନ ଥେରାପିଉଟିକ୍ ଟାର୍ଗେଟ ଏବଂ ମ୍ୟୁଟେସନ୍‌କୁ ବୁଝିବା ନିମନ୍ତେ ଏହି ଗବେଷଣା ସାହାଯ୍ୟ କରିବ ।

ବିଶ୍ୱରେ ପ୍ରଥମ ଥର ପାଇଁ ଏଭଳି ବଡ଼ ଆକାରରେ କୋଭିଡ-୧୯ର ଚିହ୍ନଟ ପରୀକ୍ଷଣ ଓ ଜେନେଟିକ୍ ଏପିଡେମିଓଲଜି ଉପରେ ଅଧ୍ୟୟନ କରାଯାଉଛି ବୋଲି ଡଃ ଦାସ କହିଛନ୍ତି । କରୋନା ଭାଇରସ ସଂକ୍ରମଣ ବିଶ୍ୱରେ ମହାମାରୀ ରୂପ ନେଇସାରିଥିବା ବେଳେ ଲକ୍ଷ ଲକ୍ଷ ଲୋକ ଏହି ସଂକମଣରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ଏ ଦିଗରେ ଅଧିକ ଗବେଷଣା ଏବଂ ପରୀକ୍ଷଣ ସମେତ କୋଭିଡ-୧୯ର ପ୍ରକ୍ରିୟାକୁ ଚିହ୍ନଟ କରିବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି ।

ରାଜସ୍ଥାନ ମାମଲାରେ ସବୁଠୁ ଅଧିକ ଧକ୍କା କାହାକୁ ଲାଗିଛି ? ଗେହଲଟ ବିଜେପିର ଏହି ବଡ଼ ନେତାଙ୍କ ନାଁ ନେଲେ…

ଜୟପୁର: ଗୃହରେ ଅଶୋକ ଗେହଲଟ ସରକାର ବହୁମତ ସାବ୍ୟସ୍ତ କରିଛି । ଏଥିସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିରୋଧୀଙ୍କୁ ଜବାବ ଦେଇ କହିଛନ୍ତି- ବିରୋଧୀ ଗୁଲାବ ଚନ୍ଦ କଟରିୟାଙ୍କ ନୂଆ ରୂପ ଆଜି ଦେଖିବାକୁ ମିଳିଛି । ଗେହଲଟ, କଟରିୟାଙ୍କ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିବା ସହ ବହୁମତ ପରୀକ୍ଷାରେ ବହୁତ କିଛି କହିବାକୁ ତାଙ୍କ ପାଖେ ବହୁତ କିଛି ଥିଲା ବୋଲି କହି କଟାକ୍ଷ କରିଛନ୍ତି । କିନ୍ତୁ, ଆପଣ କିଛି କହିଲେ ନାହିଁ । କରୋନାକୁ ନେଇ ଆପଣ ଯେଉଁଭଳି ଚର୍ଚ୍ଚା କରୁଥିଲେ ତାକୁ ନେଇ ଅବଶୋଷ ରହିଛି । କରୋନା କାଳରେ ଦୁନିଆ ରାଜସ୍ଥାନର ତାରିଫ୍ କରିଛି । ପ୍ରଧାନମନ୍ତ୍ରୀ ମୋଦି କହୁଛନ୍ତି କରୋନା ଉପରେ ରୋକ୍ ଲଗାଇବା ପାଇଁ ଅନ୍ୟରାଜ ରାଜସ୍ଥାନଠାରୁ ପ୍ରେରଣା ନେବା ଉଚିତ୍ । ମୁଁ ତ ତାଙ୍କୁ ଏପରି କହିବାକୁ ମନା କରୁଛି । ଭିଲୱାଡ଼ା ମଡେଲ୍ ସମ୍ପର୍କରେ ଆମେ ପ୍ରଧାନମନ୍ତ୍ରୀଙ୍କୁ କହିନାହୁଁ ।

ଗେହଲଟ କହିଛନ୍ତି- ଦେଶର ପ୍ରତି ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ରାଜନୈତକ ଦୂରତା ସୃଷ୍ଟି ହୁଏ । ରାଜସ୍ଥାନରେ ହୋଇଥିବା ବିବାଦର ସୁଖଦ ସମାପ୍ତକୁ ନେଇ ଯଦି କାହାକୁ ଅଧିକ ଧକ୍କା ଲାଗିଛି ତେବେ ସେ ହେଉଛନ୍ତି ଅମିତ ଶାହ ଓ ଆପଣ । ସରକାର ଭାଙ୍ଗିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ବଡ଼ ନେତା ଲାଗି ପଡ଼ିଥିଲେ । ଲାଗୁଛି ସେଥିରେ ସେମାନେ ଆପଣଙ୍କୁ ସାମିଲ୍ କରିନଥିଲେ । ହୋଇପାରେ ଆପଣ ଏଥିରେ ଅନଭିଜ୍ଞ ଥିଲେ । ଆପଣ ବିରୋଧୀ ଦଳ ନେତା ଓ ଆପଣଙ୍କ କଥା ବୁଝି ହେଉଛି । ଫୋନ୍ ଟ୍ୟାପିଂରୁ ଜଣାପଡ଼ିଛି କେଉଁ କେନ୍ଦ୍ରୀୟ ମନ୍ତ୍ରୀ ଏହି ଷଡ଼ଯନ୍ତ୍ରରେ ସାମିଲ୍ ଥିଲେ । କେବଳ ଏତିକି କହିବ ଆପଣଙ୍କ ସ୍ୱପ୍ନ କେବେ ପୁରା ହେବ ନାହିଁ । ୪ ମାସ ଧରି କିଭଳି ଷଡ଼ଯନ୍ତ୍ର କରାଯାଇଥିଲା ତାର ସାକ୍ଷୀ ପୁରା ଦେଶ ଅଛି ।

କର୍ଣ୍ଣାଟକ, ମଣିପୁର, ଗୋଆ, ମଧ୍ୟପ୍ରଦେଶରେ ଆପଣ କଣ କରିଛନ୍ତି ? ସବୁଠୁ ଆପଣ କଂଗ୍ରେସ ବିଧାୟକଙ୍କୁ ଚୋରାଇ ନେଇଛନ୍ତି । ପ୍ରତି ସ୍ଥାନରେ ଆପଣ ଗଣତନ୍ତ୍ରକୁ ବିପନ୍ନ କରିଛନ୍ତି । ଷଡ଼ଯନ୍ତ୍ର କରି ଆପଣ କଣ କଣ କରିଛନ୍ତି ତାହା ବତାଇବା ଦରକାର ନାହିଁ । ଶହେ ମୂଷା ଖାଇ କରି ବିଲେଇ ହଜ୍ ଯାତ୍ରା ଯିବାବଳି ଆପଣଙ୍କ ଅବସ୍ଥା ବୋଲି ଗେହଲଟ୍ କହିଛନ୍ତି ।

କେନ୍ଦ୍ରୀୟ ମନ୍ତ୍ରୀଙ୍କ ଫୋନ୍ ଟ୍ୟାପିଂ କେମିତି ହେଲା ଆପଣ ମୋତେ ପଚାରୁଛନ୍ତି । ଆପଣ ତ ଗୃହମନ୍ତ୍ରୀ ଅଛନ୍ତି । ରାଜସ୍ଥାନରେ ବେଆଇନ୍ ଭାବେ ଫୋନ୍ ଟ୍ୟାପିଂର ପରମ୍ପରା ନାହିଁ । ଏଭଳି କେବେ ମଧ୍ୟ ହୋଇନାହିଁ ବୋଲି ଗେହଲଟ୍ କହିଛନ୍ତି ।

ବିରୋଧୀ ନେତାଙ୍କୁ ବରିଷ୍ଠ କହି ଗେହଲଟ କହିଛନ୍ତି- ଦେଶରେ ଗଣତନ୍ତ୍ରକୁ ସଂକଟରେ ପକାଇବାକୁ ନେଇ ଆପଣଙ୍କୁ ଚିନ୍ତା କରିବା ଉଚିତ୍ । ଆପଣମାନେ ଗୃହ ଯୁଦ୍ଧରେ ମାତିଛନ୍ତି । ୫୦ ବର୍ଷ ଧରି ମୁଁ ରାଜନୀତି କରୁଛି, ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଛି । କିନ୍ତୁ, ମୁଁ ଚିନ୍ତିତ ଅଛି । ମୁଁ ପ୍ରଦେଶ ଅଧ୍ୟକ୍ଷ ଥିଲି, ଭୈରବ ସିଂହ ସେଖାୱତଙ୍କ ସରକାରଙ୍କୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । କିନ୍ତୁ, ବିରୋଧୀ ଭୂମିକାରେ ଥାଇ ବି ତାଙ୍କ ସହ ଛିଡ଼ା ହୋଇଥିଲି । ମୋତେ ଲାଗୁଛି ଆପଣଙ୍କ ଦଳ ଲୋକ ଆପଣଙ୍କୁ ସୂଚନା ଦେଉନାହାଁନ୍ତି । ତେଣୁ, ଆପଣଙ୍କୁ ଆଜି ନୂଆ ରୂପରେ ଦେଖିବାକୁ ମିଳିଲା । ଆପଣଙ୍କୁ ଲୁଚାଇ ଲୋକ ଏଠି ରାଜନୀତି କରୁଛନ୍ତି ।

ଇତିହାସ ପଢ଼, ଆଖି ଖୋଲିଯିବ

ନରେନ୍ଦ୍ର ମୋଦି ଓ ଅମିତ ଶାହ ଗଣତନ୍ତ୍ର ଯୋଗୁଁ ଦେଶରେ ରାଜ କରୁଛନ୍ତି । ଆପଣମାନେ କଂଗ୍ରେସର ଇତିହାସ ପଢ଼ନ୍ତୁ, ଆଖି ଖୋଲିଯିବ । ଆମର ନେତା କେତେ ତ୍ୟାଗ କରିଛନ୍ତି, ବଳିଦାନ ଦେଇଛନ୍ତି । ପଣ୍ଡିତ ନେହରୁ ୧୦-୧୦ ବର୍ଷ ଧରି ଜେଲରେ ବନ୍ଦୀ ଥିଲେ । ଆପଣଙ୍କ ଦଳର ଲୋକଙ୍କ ଏକ ଆଙ୍ଗୁଠି ମଧ୍ୟ କଟିନାହିଁ ଆପଣ କଣ କଥା କହିବେ । ଆପଣଙ୍କୁ କ୍ଷମତାର ନିଶା ରହିଛି । ଜନତା କେବେ ବଦଳିଯିବେ ଜଣାପଡ଼ିବ ନାହିଁ । ଇନ୍ଦିରା ଗାନ୍ଧି ଉଦାହରଣ ବୋଲି ଗେହଲଟ କହିଛନ୍ତି ।

ଗଞ୍ଜାମ କୋଭିଡ୍ ସ୍ଥିତି : ସୁଧୁରୁଛି, ଟେଷ୍ଟିଂର ମାତ୍ର ୩ ପ୍ରତିଶତ ସଂକ୍ରମିତ

ଗଞ୍ଜାମ : ଗଞ୍ଜାମରେ ଦିନକରେ  ସମୁଦାୟ ଟେଷ୍ଟିଂର ମାତ୍ର ତିନି ପ୍ରତିଶତ କରୋନା ପଜିଟିଭ୍ ଆସିବା କମ୍ ବଡ଼ କଥା ନୁହେଁ । ଏକଥା ପ୍ରମାଣ କରୁଛି ଯେ ଜିଲ୍ଲାରେ ସ୍ଥିତି ସୁଧୁରୁଛି । ଜିଲ୍ଲାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ଥିତି ପୂର୍ବପେକ୍ଷା ଯଥେଷ୍ଟ ଭଲ ରହିଛି ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ଆଜି ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରି ସେ ଗଞ୍ଜାମ ଜିଲ୍ଲାର କରୋନା ସ୍ଥିତି ନେଇ ବିସ୍ତୃତ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ,  ଗଞ୍ଜାମରେ କରୋନା ସଂକ୍ରମଣ ଅନେକ ମାତ୍ରାରେ କମିଛି ।

ଗତ ଜୁଲାଇ ମାସ ତୁଳନାରେ ଜିଲ୍ଲାରେ ୧୦ ଗୁଣା ଅଧିକ ଟେଷ୍ଟିଂ ହୋଇଛି । ଗ୍ରୀନ ଜୋନର ସଂଖ୍ୟା ମଧ୍ୟ ବଢିଛି । ସହରାଞ୍ଚଳର ଅଧିକାଂଶ ସ୍ଥାନ ପୂର୍ବରୁ ଗ୍ରୀନ ଜୋନ୍ ଭାବେ ଚିହ୍ନଟ ହୋଇଥିବା ବେଳେ ଏବେ ସ୍ଥିତି ବଦଳୁଛି । ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ସ୍ୱତନ୍ତ୍ର ଫୋକସ୍ ଯୋଗୁଁ ଏଭଳି ହୋଇଥିବା ଜିଲ୍ଲାପାଳ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୮୪ ପ୍ରତିଶତ ଗ୍ରାମାଞ୍ଚଳ କରୋନା ସଂକ୍ରମଣରୁ ମୁକ୍ତ ରହିଛି । ଅନ୍ୟପକ୍ଷରେ କରୋନାରୁ ସୁସ୍ଥ ହେବା ପରେ ଲୋକେ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କରିବା ପାଇଁ ସରକାର ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜେ ପ୍ଲାଜମା ଦାନ ପାଇଁ ଅପିଲ କରିଥିଲେ । ଏଣୁ ମୁଖ୍ୟମନ୍ତ୍ରୀଙ୍କ ଅପିଲରେ ଅନୁପ୍ରାଣିତ ହୋଇ ସାଧାରଣ ଲୋକେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିଛନ୍ତି । ଏହି କ୍ରମରେ ରାଜ୍ୟରେ ପ୍ଲାଜମା ଦାତାଙ୍କ ସଂଖ୍ୟା କ୍ରମାଗତ ବଢୁଛି ।

ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ୍ ମିଳିବା ପରଠୁ ଡ଼ାକ୍ତରୀ ସରଞାଜମଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଜିଲ୍ଲା ସକ୍ଷମ ରହିଛି । ତେବେ ସରକାରଙ୍କ କ୍ଷେତ୍ରରୁ ସବୁ ପ୍ରକାର ପଦକ୍ଷେପ ,ଠିକ ସମୟରେ ନିଆଯାଉଥିବାରୁ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ମଧ୍ୟ କମିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଜିଲ୍ଲାରେ ସାଧରଣ ଲୋକେ ବହୁ ସଂଖ୍ୟାରେ ସ୍ୱେଚ୍ଛାକୃତ ଭାବେ ଆଗକୁ ଆସି ରକ୍ତ ନମୁନା ପରୀକ୍ଷା କରୁଛନ୍ତି । ଯାହା ଫଳରେ ପ୍ରଶାସନର ଉଦ୍ୟମର ମୂଲ୍ୟ ରହୁଛି  । ସେହିଭଳି ଜିଲ୍ଲାରେ ଏକ ଲକ୍ଷ  ରକ୍ତ ନମୁନା ପରୀକ୍ଷା ହେବା ସହ  ଗତ ଦଶ ଦିନରେ ସଂକ୍ରମଣ କମିଛି ।

ଡ୍ରଗ୍ ମାଫିଆ-ପୋଲିସ ଡିଲ୍ ? ଅଡିଓ କ୍ଲିପରୁ ଧରା ପଡ଼ିଲା ସତ, ଜାଣନ୍ତୁ ପୁରା ଘଟଣା…..

ବାଲେଶ୍ୱର : ଜିଲ୍ଲାରେ ବ୍ରାଉନସୁଗାର ବିକ୍ରି ବଢିବା ପଛର କାରଣ ଲୋକେ ଖୋଜି ଖୋଜି ଥକୁଥିଲେ । ପ୍ରଶାସନ ଠିକ ଭାବେ କାମ କରୁନାହିଁ ବୋଲି ଅଭିଯୋଗ ମଧ୍ୟ କରୁଥିଲେ । ମାତ୍ର ଘଟଣା ସାମ୍ନାକୁ ଆସିବା ପରେ ଜଣାପଡ଼ିଛି ପୋଲିସ ହିଁ ଚୋର । ବ୍ରାଉନସୁଗାର ବେପାରୀଙ୍କଠାରୁ ଟଙ୍କା ନେବା ପାଇଁ ଡିଲ୍ କରୁଥିବା ବେଳେ ଧରା ପଡ଼ିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ନନ୍ଦିଘୋଷ ଟିଭି ହାତରେ ଧରା ପଡ଼ିଛି ଡିଲର ଅଡିଓ କ୍ଲିପ୍ । ଅଧିକାରୀ ଜଣଙ୍କ ହେଉଛନ୍ତି ଜଳେଶ୍ୱର ଆଇଆଇସି ।

ବ୍ରାଉନସୁଗାର କାରବାର ପାଇଁ ସେ ୫ ଲକ୍ଷ ଟଙ୍କାର ଡିଲ କରୁଥିବା ଅଡ଼ିଓ କ୍ଲିପରୁ ସ୍ପଷ୍ଟ ହୋଇଛି । ସେହିଭଳି ଅଡିଓ କ୍ଲିପକୁ ଭଲ ଭାବେ ଶୁଣିଲେ ଏକଥା ମଧ୍ୟ ସ୍ପଷ୍ଟ ହେଉଛି ଯେ, ବ୍ରାଉନସୁଗାର ପାଇଁ ପୋଲିସ ଅଧିକାରୀ ପ୍ରଥମ ଥର ଟଙ୍କା ନେଉ ନାହାନ୍ତି । ପୋଲିସ ଅଧିକାରୀ ଓ ବ୍ରାଉନସୁଗାର ମାଫିଆଙ୍କ ମଧ୍ୟରେ ସମ୍ପର୍କ ନୂଆ ନୁହେଁ । ଉଭୟ ପରସ୍ପରକୁ ବ୍ୟକ୍ତିଗତ ଭାବେ ଜାଣିବା ସହ ପୂର୍ବରୁ ମଧ୍ୟ ଏଭଳି ବେପାର କରି ସାରିଛନ୍ତି । ତେବେ ସବୁ ସମୟରେ ପୋଲିସ ବାବୁଙ୍କ ପାଖରେ ଠିକ୍ ସମଯରେ ଟଙ୍କା ପହଞ୍ଚେ । ମାତ୍ର ଏଥର ପହଞ୍ଚିନି । ଏଇ କଥାକୁ ନେଇ ରାଗି ପଞ୍ଚମ ହୋଇଛନ୍ତି ପୋଲିସ ଅଧିକାରୀ ।

ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାକୁ କଦଳୀ ଗାଡ଼ିରେ ଆସୁଛି ବ୍ରାଉନ ସୁଗାର । ଏଥିପାଇଁ ଡ୍ରଗ୍ସ ମାଫିଆଙ୍କଠାରୁ ଟଙ୍କା ନିଆ ଯାଉଛି  । ଯେଉଁଥିପାଇଁ ଫୋନରେ ଦୁଇଜଣଙ୍କ ଭିତରେ ଆଲୋଚନା ଚାଲିଥିଲା । ତେବେ ଏହି ଅଡିଓ କ୍ଲିପ ଉପରେ ଉକ୍ତ ପୋଲିସ ଅଧିକାରୀଙ୍କର ପ୍ରତିକ୍ରିୟା ଆଣିବା ସମ୍ଭବପର ହୋଇନାହିଁ । ବାରମ୍ୱାର ସମ୍ପର୍କ କରିବାକୁ ଚେଷ୍ଟା କରି ମଧ୍ୟ ନନ୍ଦିଘୋଷ ଟିମ୍ ପ୍ରତିକ୍ରିୟା ପାଇବାରେ ବିଫଳ ହୋଇଥିଲା ।

 

ଦ୍ୱିପ୍ରହରରେ କରନ୍ତୁ ନାହିଁ ଏହି କାମ, ମାଡ଼ି ଆସିବ ବିପଦ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି କିଛି କାମ ଅଛି ଯାହାକୁ ଦିନରେ ବିଶେଷକରି ଦ୍ୱିପହରରେ କରିଲେ ଆପଣଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଘରୋଇ ଶାନ୍ତି ନଷ୍ଟ ହେବା ସହ ଆପଣଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡେ । ଆସନ୍ତୁ ଜାଣିବା ସେସବୁ ବିଷୟ ବାବଦରେ ଯାହା ଶାସ୍ତ୍ର ଅନୁସାରେ ଦିନରେ କରିବା ବର୍ଜନୀୟ । ଆପଣ ଯଦି ଧର୍ମଶାସ୍ତ୍ରରେ ବିଶ୍ୱାସ କରନ୍ତି ତେବେ ଆପଣଙ୍କ ପାଇଁ ଏସବୁ ଜାଣିବା ନିତ୍ୟାନ୍ତ ଜରୁରୀ ।

୧.ଦି’ପହରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ

sun
ଶାସ୍ତ୍ର ଅନୁସାରେ ଦ୍ୱିପ୍ରହର ସମୟରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ବର୍ଜନୀୟ । କାରଣ ଏହି ସମୟରେ ସୂର୍ଯ୍ୟଙ୍କ ପ୍ରଭାବ ଖୁବ ପ୍ରଖର ରହିଥାଏ । ଜଳ ଦେବା ସମୟରେ ସେ ସେହିଭଳି ପ୍ରଭାବ ପକାଇଥାନ୍ତି । ଏହି ସମୟରେ ଶୁଭ ପ୍ରଭାବ କମ ପଡ଼ିଥାଏ । ଏଥିରେ ରୋଗ ବ୍ୟାଧୀ ଦେଖାଦେବା ସହିତ ଧନ ସମ୍ପତ୍ତିରେ ହ୍ରାସ ଘଟିଥାଏ ।

୨. ଦିନରେ ନିଦ୍ରା ଗଲେ ଲକ୍ଷ୍ମୀଛଡା ହେବେ

laxmi

ଶାସ୍ତ୍ରରେ କୁହାଯାଇଛିଯେ, ଦିନରେ ଶୋଇବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧ କରନ୍ତି । ଏହା ଦ୍ୱାରା ଆୟୁ କମ୍ ହୋଇଥାଏ । କୁହାଯାଏ ସୂର୍ଯ୍ୟ ଏହି ସମୟରେ ଜାଗ୍ରତ ରହୁଥିବାରୁ ସେହି ସମୟରେ ଅନ୍ୟମାନେ ଶୋଇବା ଅନୁଚିତ୍ ।

୩. ହନୁମାନ ପୂଜା ମନା

hanuman

ଦ୍ୱିପ୍ରହର ସମୟରେ ଭଗବାନ ହନୁମାନଙ୍କୁ ପୂଜା କରିବା ଅନୁଚିତ୍ । ଲୋକକଥା ଅନୁସାରେ ହନୁମାନ ବିଭୀଷଣଙ୍କୁ କହିଥିଲେ କି ସେ ଏହି ସମୟରେ ଲଙ୍କାରେ ରୁହନ୍ତି । ତେଣୁ ସେହି ସମୟରେ ପୂଜା କରିବାର କୌଣସି ଫାଇଦା ନାହିଁ ।
୪. ଏହି ମସୟରେ ସମ୍ବଦ୍ଧ ରଖିବା ଅନୁଚିତ

love

ଦି’ପହରରେ ଯୌନ ସମ୍ବନ୍ଧ ରକ୍ଷା କରିବା ଶାସ୍ତ୍ରରେ ବର୍ଜିତ ।  ଦିନରେ ସୂର୍ଯ୍ୟ ବିଦ୍ୟମାନ ଥାନ୍ତି । ସୂର୍ଯ୍ୟଙ୍କୁ ନାରାୟଣ ରୂପରେ ମଧ୍ୟ ଗ୍ରହଣ କରାଯାଇଥାଏ । ଏହି ସମୟରେ ଶାରିରିକ ସଂପର୍କ ସୂର୍ଯ୍ୟଙ୍କୁ କ୍ରୋଧିତ କରିଥାଏ ।
୫. ତେନ୍ତୁଳି ଓ ମନ୍ଦାର ଗଛ ପାଖକୁ ଯିବା ଅନୁଚିତ

mandar

ଦି’ପହରରେ ତେନ୍ତୁଳି ଏବଂ ମନ୍ଦାର ଗଛ ନିକଟକୁ ଯିବା ଅନୁଚିତ୍ । ଏଭଳି କରିବା ଦ୍ୱାରା ମନକୁ ନକରାତ୍ମକ ଚିନ୍ତାଧାରା ଆସିଥାଏ । ଏହା ବ୍ୟତୀତ ଶରୀରରେ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଏହା ସହିତ ଭିନ୍ନ ଭିନ୍ନ ସମସ୍ୟା ମଧ୍ୟ ଦେଖାଦିଏ ।