ନେପାଳରେ ଚୀନ ଷଡ଼ଯନ୍ତ୍ରର ଖୁଲାସା କରିଥିବା ସାମ୍ବାଦିକଙ୍କ ମିଳିଲା ମୃତଦେହ

1 min read

କାଠମାଣ୍ଡୁ: ନେପାଳର ବରିଷ୍ଠ ପତ୍ରକାର ବଳରାମ ବାନିୟାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଯାହାକୁ ନେଇ ପ୍ରଶ୍ନ ଉଠିଛି । ନେପାଳର ସବୁଠୁ ବଡ଼ ମିଡିଆ ଘରାନା କାନ୍ତିପୁରରେ ୩୦ ବର୍ଷ ଧରି କାମ କରୁଥିବା ବରିଷ୍ଠ ପତ୍ରକାର ବାନିୟାଙ୍କ ମୃତଦେହ ମଙ୍ଗଳବାର ମିଳିଛି । କାଠମାଣ୍ଡୁ ଠାରୁ ୨୦୦ କିଲୋମିଟର ଦୂର ହେଟୌଡ଼ା ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ସେ ତାଙ୍କ ଶେଷ ରିପୋର୍ଟରେ ଚୀନ, ନେପାଳର ଅଞ୍ଚଳ କବଜା କରୁଥିବା ନେଇ ଉଲ୍ଲେଖ କରିଥିଲେ । ନେପାଳର ବିଭିନ୍ନ ସାମ୍ବାଦିକ ସଂଗଠନ ନେପାଳ ସରକାରଙ୍କୁ ବାନିୟାଙ୍କ ସନ୍ଦେହଜନକ ମୃତ୍ୟୁର ନିରପେକ୍ଷ ଯାଞ୍ଚ ଦାବି କରିଛନ୍ତି ।

ଜୁନ୍ ୨୪ରେ ବଳରାମ ବାନିୟା କାନ୍ତିପୁରରେ ଏକ ଖବର ଛାପିଥିଲେ । ଯେଉଁଥିରେ ନେପାଳର ଉତ୍ତର ସୀମାର କେତକ ସ୍ଥାନରେ ଚୀନ ଅବୈଧ କବଜା କରିଥିବା ଉଲ୍ଲେଖ କରିଥିଲେ । ଏତିକି ନୁହେଁ ସେ ଏହା ସମ୍ବନ୍ଧୀୟ ତଥ୍ୟ ଓ ପ୍ରମାଣ ମଧ୍ୟ ଯୋଗାଡ଼ କରିଥିଲେ । ଯାହା ଆଧାରରେ କାନ୍ତିପୁର ଫ୍ରଣ୍ଟ ପେଜରେ ଏହି ଖବର ପ୍ରକାଶିତ ହୋଇଥିଲା । ନେପାଳର ସବୁଠୁ ଲୋକପ୍ରିୟ ଓ ସବୁଠି ଅଧିକ ବିକ୍ରି ହେଉଥିବା ଖବରକାଗଜରେ ଚୀନ ବିରୋଧରେ ଏଭଳି ଲେଖା କାଠମାଣ୍ଡୁରେ ହଇଚଇ ସୃଷ୍ଟି କରିଥିଲା ।

ନେପାଳ ସରକାର, ବ୍ୟୁରୋକ୍ରାସି ଓ ଅଧିକାଂଶ ମିଡିଆ ଚୀନରେ ପ୍ରଭାବରେ ଥିବା ଓ ଭାରତ, ନେପାଳି ଜମି କବଜା କରିବା ଅଭିଯୋଗ ବେଳେ ଏଭଳି ଖବର ପ୍ରକାଶିତ ହୋଇଥିଲା । ଏହି ଖବରକୁ ନେଇ ସେତେବେଳେ ନେପାଳ ସଂସଦରେ ବି ବହୁତ ହଙ୍ଗାମା ଦେଖିବାକୁ ମିଳିଥିଲା । ସଂସଦର ଉଚ୍ଚ ସଦନରେ ନେପାଳ ବିଦେଶ ମନ୍ତ୍ରୀ ମଧ୍ୟ ସଫେଇ ରଖିଥିଲେ । ସେତେବେଳେ ଝବାଲି କହିଥିଲେ- ନେପାଳର ଗୋଟିଏ ଇଞ୍ଚ୍ ଜମି ଉପରେ ମଧ୍ୟ ଚୀନର କବଜା ନାହିଁ । ଚୀନ ଓ ନେପାଳ ମଧ୍ୟରେ ଥିବା ସମ୍ପର୍କକୁ ଖରାପ କରିବାକୁ ଏହା ମିଡିଆର ଚାଲ୍ ବୋଲି କହିଥିଲେ । ଏତିକି ନୁହେଁ ବିଦେଶ ମନ୍ତ୍ରୀ ଝବାଲି କହିଥିଲେ- ପ୍ରକାଶିତ ସମ୍ବାଦରେ ଉଲ୍ଲେଖ ଥିବା ଗାଁର ଲୋକ ନିଜ ଇଚ୍ଛାରେ ଚୀନରେ ମିଶିଛନ୍ତି । ମନ୍ତ୍ରୀଙ୍କ ଏଭଳି ବୟାନକୁ କଡ଼ା ବିରୋଧ କରିଥିଲେ ବିରୋଧୀ ।

କାନ୍ତିପୁରରେ ଖବର ପ୍ରକାଶିତ ହେବା ପରେ ଚୀନ ମଧ୍ୟ ନାରାଜ ହୋଇ ପଡ଼ିଥିଲେ । ଚୀନ ଉକ୍ତ ଗଣମାଧ୍ୟମର କର୍ତ୍ତୃପକ୍ଷଙ୍କ ଉପରେ ଚାପ ପ୍ରୟୋଗ କରି ଅନଲାଇନରୁ ଉକ୍ତ ଖବରକୁ ହଟାଇ ଦେଇଥିଲା । ଏପରିକି ତା ପରଦିନ ସମ୍ପାଦକ ମହୋଦୟ କ୍ଷମା ପ୍ରାର୍ଥନା କରି ଏକି ରିପୋର୍ଟ ଛାପିଥିଲେ । ଯେଉଁଥିରେ ରିପୋର୍ଟରଙ୍କୁ ଦାୟୀ କରାଯାଇଥିଲା । ଏଥିସହ ଚୀନ ବିରୋଧରେ ଖବର ଲେଖିଥିବାରୁ ସାମ୍ବାଦିକ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ସହ ଗୋଟିଏ ମାସ ପାଇଁ ଛୁଟିରେ ପଠାଇ ଦିଆଯାଇଥିଲା ।

ମୃତ୍ୟୁର ଠିକ୍ ମାସେ ପୂର୍ବରୁ ସାମ୍ବାଦିକ ବାନିୟା କଥାବାର୍ତ୍ତା ବେଳେ ଜଣେ ସାମ୍ବାଦିକଙ୍କୁ କହିଥିଲେ- ଅଫିସ୍ ତାଙ୍କୁ ବହୁତ ଅପମାନିତ କରିଛି । ସତ୍ୟ ଖବରକୁ ଭୁଲ୍ ଦର୍ଶାଯାଇଛି । ସେ ଚିନ୍ତାରେ ଅଛନ୍ତି । ଶେଷଥର ପାଇଁ ବାନିୟାଙ୍କୁ କାଠମାଣ୍ଡୁର କଳଙ୍କି ଅଞ୍ଚଳର ଏକ ନଦୀ କୂଳରେ ଦେଖିଥିବା ପୋଲିସ ସୂଚନା ଦେଇଛି । କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ପ୍ରକାରେ ପୋଲିସ କହିଛି- ନଦୀରେ ଗୋଡ଼ ଖସିବା ଯୋଗୁଁ ସେ ପାଣିରେ ବୁଡ଼ି ଯାଇଥିଲେ । ଏବଂ ତାଙ୍କର ମୃତ୍ୟୁ ହୋଇଛି । ତେବେ, ସୋମବାର କାଠମାଣ୍ଡୁର ବାଗମତି ନଦୀରେ ବୁଡ଼ି ଯାଇଥିବା ବ୍ୟକ୍ତିଙ୍କ ମୃତଦେହ ମଙ୍ଗଳବାର ୨୦୦ କିମି ଦୂର ହେଟୌଡ଼ାର ଏକ ହାଇଡ୍ରୋ ପାୱାର ଷ୍ଟେସନରୁ କେମିତି ମିଳିଲା ତାକୁ ନେଇ ସୃଷ୍ଟ ହୋଇଛି ସନ୍ଦେହ ।

ତାଙ୍କ ଶରୀରରେ କିଛି ପୋଷାକ ନଥିବା ବେଳେ ଗୋଡ଼ରେ ଜୋତା ମଧ୍ୟ ନାହିଁ । ଏମିତିରେ ସନ୍ଦେହ ଉଠୁଛି ଯଦି ସିଏ ଆତ୍ମହତ୍ୟା କରିଛନ୍ତି ତେବେ କପଡ଼ା କୁଆଡ଼େ ଗଲା ? ତାଙ୍କ ଦେହ ଓ ମୁଣ୍ଡରେ ଥିବା ଗଭୀର କ୍ଷତ ଚିହ୍ନ କେଉଁଠୁ ଆସିଲା ? ତାଙ୍କ ଆଖି, ମୁଣ୍ଡ ଓ ବେକରେ ଶକ୍ତ ଆଘାତ ଓ ଘା କେମିତି ହେଲା ?

ନେପାଳର ବିଭିନ୍ନ ସାମ୍ବାଦିକ ସଂଗଠନ ରହସ୍ୟଜନକ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି । ସାମ୍ବାଦିକ ମାନେ ଆଶଙ୍କା କରିଛନ୍ତି ତାଙ୍କର ଅନ୍ତିମ ଖବର ମୃତ୍ୟୁର କାରଣ ନୁହେଁ ତ ? ଯେଉଁଥିରେ ସେ ଚୀନ ଚାଲାକିର ଖୁଲାସା କରିଥିଲେ । ନେପାଳ ପୋଲିସ ମୃତ୍ୟୁକୁ ଆତ୍ମହତ୍ୟା କିମ୍ବା ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରୁଛି । କିନ୍ତୁ, ବିଭିନ୍ନ ସାମ୍ବାଦିକ ସଂଗଠନ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

Leave a Reply