spot_img
Home Blog Page 6588

କେଉଁ ରାଶିର ଲୋକଙ୍କର ଆଜି ହେବ ଧନ ଲାଭ ? ଜାଣନ୍ତୁ

ଆଜିର ପଞ୍ଚାଙ୍ଗ: ୨୫/୦୮/୨୦୨୦ ମଙ୍ଗଳବାର, ୧୪୨୭ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍, ସିଂହ ୧୦ଦିନ, ଭାଦ୍ରବ ଶୁକ୍ଲ ୭ମୀ ଦିବା୧୨:୨୨ ଗତେ ୮ମୀ

– ତୁଳା ଦିବା ୦୮:୧୭ ଗତେ ବିଛା ଚନ୍ଦ୍ର ଅହୋରାତ୍ର

– ବିଶାଖା ଦିବା ୨ଟା ଗତେ ଅନୁରାଧା ନକ୍ଷତ୍ର

– ଘାତ ଚନ୍ଦ୍ର – ନାସ୍ତି

– ଘାତ ବାର – ମକର ରାଶିର

– ଯୋଗିନି – ବାୟବ୍ୟେ ଦିବା ୧୨:୨୨ ଗତେ ଐଶାନ୍ୟେ

– ପୁଷ୍କର ଦୋଷ – ୩ପାଦ ଦିବା ୧୨ଟା ୨୨ମି. ଗତେ ୨ପାଦ

 

– ଶୁଭ ସମୟ –

ଦିବା ୦୮:୪୦ ରୁ ୧୦:୩୩

ଦିବା ୦୧:୦୩ ରୁ ୦୧:୨୨

ଦିବା ୦୪:୩୦ ରୁ ୦୫:୧୩

ସଂଧ୍ୟା ୦୬:୦୩ ରୁ ୦୬:୪୯

ସଂଧ୍ୟା ୦୯:୦୭ ରୁ ୧୧:୨୫

– ଅଶୁଭ ସମୟ –

ପ୍ରାତଃ ୦୭:୦୭ ରୁ ୦୮:୪୦

ଦିବା ୦୧:୨୨ ରୁ ୦୪:୩୦

୨୫.୦୮.୨୦୨୦

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ଉପର ହାକିମଙ୍କର କୃପା ଏବଂ ଅର୍ଥବଳ ଦୃଢ ରହିବ, ସନ୍ତାନ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ ।

ଦ୍ୱିଜା ନକ୍ଷତ୍ର – ଯଶ-ସମ୍ମାନ, ଅର୍ଥ, ସାମାଜିକ ପ୍ରତିଷ୍ଠା ଏବଂ ଧର୍ମଭାବ ପ୍ରାପ୍ତ ଯୋଗ ରହିଛି ।

କୃତ୍ତିକା ନକ୍ଷତ୍ର – ବହୁଦିନର ପ୍ରତିକ୍ଷିତ କୌଣସି କାର୍ଯ୍ୟରେ ସଫଳ ହେବେ, ଅନ୍ୟାନ୍ୟ ସମସ୍ତ ଦିଗରୁ ଶୁଭ ପ୍ରଭାବ ରହିବ ।

ଶୁଭ ରଙ୍ଗ – ହଳଦିଆ

ହନୁମାନଙ୍କର ପୂଜା ଓ ସିନ୍ଦୁର ଧାରଣ କରନ୍ତୁ ଆର୍ଶିବାଦ ପ୍ରାପ୍ତି ହେବ ।

ରାଶିାବୃଷ ରାଶି

କୃତ୍ତିକା ନକ୍ଷତ୍ର – ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଆଶାଜନକ ରୋଜଗାର ଏବଂ ଲୋକସଂପର୍କ ବୃଦ୍ଧି ହେବ ।

ରୋହିଣି ନକ୍ଷତ୍ର – ଯୋଜନାରେ ସଫଳ ହେବେ, କର୍ମ କ୍ଷେତ୍ରରେ ଶୁଭ ପ୍ରଭାବ ରହିବ ।

ମୃଗଶିରା ନକ୍ଷତ୍ର – ଗଣ୍ଠିମଜ୍ଜା ଜନିତ ଅସୁବିଧା, ଶୁଭକାର୍ଯ୍ୟରେ ବ୍ୟୟ, ଯାନବାହାନ, ଭୂସମ୍ପତ୍ତି ଓ ମାନସମ୍ମାନ ଲାଭର ସୂଚନା ।

ଶୁଭ ରଙ୍ଗ- ପାଉଁସିଆ ମେଟାଲିକ

ବିଷ୍ଣୁ ଭଗବାନଙ୍କୁ ଦର୍ଶନ ଓ ଆରାଧନା ସହିତ ପାରାଙ୍କୁ ଖାଇବାକୁ ଦିଅନ୍ତୁ ।

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ଭୂସମ୍ପତ୍ତି ଓ ନିଜର ସ୍ବାସ୍ଥ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ, କର୍ମକ୍ଷେତ୍ରରେ ଶୁଭତ୍ୱ ଅନୁଭୁତ ହେବ ।

ଆର୍ଦ୍ରା ନକ୍ଷତ୍ର – ଉଚ୍ଚ ଚିନ୍ତା ଓ ଭାବନା ନେଇ କର୍ମକ୍ଷେତ୍ରରେ ପ୍ରତି ଉଦ୍ୟମରେ ସଫଳତା ଓ ସହଯୋଗ ପ୍ରାପ୍ତି ହେବ ।

ପୂନର୍ବସୁ ନକ୍ଷତ୍ର – ମାନସମ୍ମାନ ଲାଭ, ଆର୍ଥିକ ସଫଳତା ଓ ନୂତନ ଗୃହନିର୍ମାଣ ର ସୂଯୋଗ ମିଳିବ ।

ଶୁଭ ରଙ୍ଗ – କମଳା

ଶନିଦେବଙ୍କୁ ଦର୍ଶନ ଓ କଳା ଛତା ଦିବ୍ୟାଙ୍ଗଙ୍କୁ ଦାନ ।

କର୍କଟ ରାଶି –  

ପୂନର୍ବସୁ ନକ୍ଷତ୍ର -ଭାବ ପ୍ରବଣତାରେ ଆଘାତ ଓ ମନ ଅଶାନ୍ତ ରହିବ, ଅର୍ଥବ୍ୟୟର ସୁଚନା ରହିଛି  ।

ପୂଷ୍ୟା ନକ୍ଷତ୍ର – ନିଜର ସ୍ପଷ୍ଟବାଦି ଗୁଣ ଲାଗି ଆଜି କର୍ମକ୍ଷେତ୍ରରେ କର୍ମଚାପ ସହିତ କିଛି ଭୁଲବୁଝାମଣାର ସୂଚନା ରହିଛି ।

ଅଶ୍ଲେଷା ନକ୍ଷତ୍ର – ବନ୍ଧୁବର୍ଗରୁ ସାହାଯ୍ୟ ସହଯୋଗ ମିଳିବ, ଧନଲାଭ ହେବ ।

ଶୁଭ ରଙ୍ଗ – ଧଳା

ମା ଦକ୍ଷିଣ କାଳୀଙ୍କୁ ଦର୍ଶନ ଓ ଦୁର୍ଗା କବଚ ପାଠ କରନ୍ତୁ ରିଷ୍ଟ ଖଣ୍ଡନ ହେବ ।

ସିଂହ ରାଶି

ମଘା ନକ୍ଷତ୍ର – ବୃଥା ଆଡମ୍ବର ଓ ଆତ୍ମ ଅଂହକାର ହେତୁ ଆଜି କୌଣସି ବଡ ଅସଫଳତାର ଦୁର୍ଯୋଗ ପ୍ରାପ୍ତି ହେବ ।

ପୂର୍ବାଫାଲଗୁନି ନକ୍ଷତ୍ର – ବୈବାହିକ କିମ୍ବା ପ୍ରେମ ଜୀବନରେ ନିରବ ରୁହନ୍ତୁ, ବୃଥା ଆଡମ୍ବର ଓ ଆଳସ୍ୟ କର୍ମକ୍ଷେତ୍ରରେ ଅଡୁଆ ସୃଷ୍ଟି କରିବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – ସ୍ଥାନାନ୍ତର, ବ୍ୟବସାୟ ସହଯୋଗୀ ଓ ଜୀବନସାଥି ସହ ମତାନ୍ତର ଯୋଗ ରହିବ ।

ଶୁଭ ରଙ୍ଗ – ସୁନେଲି

ଓଁ ନମଃ ଶିବାୟ ୧୦୮ ଥର ଜପ କରନ୍ତୁ ଏବଂ ଖାଦ୍ୟଦାନ କରନ୍ତୁ ।

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧି ମିଳିବ ଓ ସମ୍ମାନ ପ୍ରାପ୍ତି ହେବ ।

ହସ୍ତା ନକ୍ଷତ୍ର – ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ ।

ଚିତ୍ରା ନକ୍ଷତ୍ର – ମନୋବଳ ସକାରାତ୍ମକ ରହିବ ତେଣୁ ସମସ୍ତ କ୍ଷେତ୍ରରେ ଶୁଭଫଳ ମିଳିବ ।

ଶୁଭ ରଙ୍ଗ – ଲାଲ

ଶ୍ରୀ ବିଷ୍ଣୁ ଭଗବାନଙ୍କୁ ଅତିପ୍ରିୟ ତୁଳସିମାଳା ଅର୍ପଣ ଓ କିନ୍ନରଙ୍କୁ ସବୁଜ ବସ୍ତ୍ର ଦାନ ଦିଅନ୍ତୁ ।

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଆଜି ପ୍ରତିକୂଳ ସମୟ ସହ ଖାପଖୁଆଇ ନଚାଲିଲେ ଯୋଜନାରେ ହାରିଯାଇ ପାରନ୍ତି ।

ସ୍ୱାତୀ ନକ୍ଷତ୍ର – ଉଚ୍ଚ ପଦାଧିକାରୀଙ୍କର ଅସହଯୋଗ, କର୍ମ କ୍ଷେତ୍ରରେ ମାନସିକ ଆଶାନ୍ତିରେ ରହିବେ ।

ବିଶାଖା ନକ୍ଷତ୍ର – ଆର୍ଥିକ ସ୍ୱଛଳତା ସହିତ ବ୍ୟବସାୟରେ ଉର୍ଣ୍ଣତି ହେବ, ଭବିଷ୍ୟତ ନିମନ୍ତେ କୌଣସି ନିଷ୍ପତି ନେଇ ସଫଳ ହେବେ ।

ଶୁଭ ରଙ୍ଗ – ସବୁଜ

ଶିବ ଭଗବାନଙ୍କର ବ୍ରତ ରଖନ୍ତୁ ଏବଂ କୌଣସି ଦିବ୍ୟାଙ୍ଗ କିମ୍ବା କିନ୍ନରଙ୍କୁ କିଛି ଦାନ କରନ୍ତୁ ।

ବିଛା ରାଶି

ବିଶାଖା ନକ୍ଷତ୍ର – ସୁଖଶାନ୍ତି ପ୍ରାପ୍ତି, ଆଥିକ ଲାଭ ସହିତ କର୍ମକ୍ଷେତ୍ରରେ ଶୁଭଫଳର ସୂଚନା ରହିଛି ।

ଅନୁରାଧା ନକ୍ଷତ୍ର – କର୍ମକ୍ଷେତ୍ରରେ କାମର ଚାପ, ମତାନ୍ତର ସହିତ ମାନସିକ ଚାପ ରହିବ ।

ଜ୍ୟେଷ୍ଠା ନକ୍ଷତ୍ର – ପାରିବାରିକ ସହଯୋଗରେ ସମସ୍ତ ଯୋଜନାରେ ସଫଳ ହେବେ, ଆର୍ଥିକ ଉର୍ଣ୍ଣତି ପରିଲିକ୍ଷିତ ହେବ  ।

ଶୁଭ ରଙ୍ଗ – ଧଳା

ଭୋକିଲାଙ୍କୁ ପେଟପୁରା ଖାଇବାକୁ ଦିଅନ୍ତୁ ।

ଧନୁ ରାଶି

ମୂଳା ନକ୍ଷତ୍ର – କଲ୍ୟାଣକାରି କାର୍ଯ୍ୟକରି ଆତ୍ମତୃପ୍ତି ଏବଂ ସମ୍ମାନ ମିଳିବ, ମନର ଯୋଜନାରେ ଆଶାତିତ ଫଳ ମିଳିବ ।

ପୂର୍ବଷାଢା ନକ୍ଷତ୍ର – ବନ୍ଧୁପରିଜନର ସହଯୋଗ, ଭବିଷ୍ୟତରେ ଶୁଭକର୍ମର ସୁଚନା ସୃଷ୍ଟି ହେବ ।

ଉତ୍ତରାଷାଢା ନକ୍ଷତ୍ର – ରାଜକୀୟ ସମ୍ମାନ ସହିତ ଆର୍ଥିକ ସହାୟତା ପ୍ରାପ୍ତ ହେବ ।

ଶୁଭ ରଙ୍ଗ – ଧଳା ରଙ୍ଗ

ଦେବଦାରୁ କିମ୍ବା କଦଳୀ ବୃକ୍ଷ ମୂଳରେ ଗୁଡ ଓ ହଳଦୀ ଜଳ ଅର୍ପଣ କରନ୍ତୁ ଅଟକିଥିବା କାମ ହୋଇଯିବ ।

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ଯୌଥ ବ୍ୟବସାୟରେ ମତାନ୍ତର, ଚାକିରିରେ ସ୍ଥାନାନ୍ତର କିମ୍ବା ଅସହଯୋଗ ସୂଚନା ଷୃଷ୍ଟି ହେବ ।

ଶ୍ରବଣା ନକ୍ଷତ୍ର – ବନ୍ଧୁବର୍ଗରେ ସାହାଯ୍ୟ ମିଳିବ, ଦୃଢଇଛା ଏବଂ ଉଦ୍ୟମରେ ସଫଳ ହେବେ ।

ଧନିଷ୍ଠା ନକ୍ଷତ୍ର – ଜୀବନସାଥି ସହ କିମ୍ବା କୁଟୁମ୍ବରେ, ମତାନ୍ତର ଓ ଅଯଥା ଅର୍ଥବ୍ୟୟ ହେବ ଫଳରେ ମନ ଦୁର୍ବଳ ରହିବ ।

ଶୁଭରଙ୍ଗ – ହଲଦିଆ

ସ୍ନାନପରେ ୨୭ଥର ଓଁ ଶଂ ଶନିଶ୍ଚରାୟ ନମଃ ଜପ କରନ୍ତୁ ଏବଂ କାଉକୁ ଖାଇବାକୁ ଦିଅନ୍ତୁ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ପ୍ରତି କାର୍ଯ୍ୟରେ ଆଶାଜନକ ସଫଳତା ଏବଂ ମନୋବଳ ଦୃଢ ରହିବ ।

ଶତଭିଷା ନକ୍ଷତ୍ର – ବିଦ୍ୟାଶିକ୍ଷାରେ ବାଧା, ଶରୀର ପିଡା ଓ କର୍ମଚାପ ରହିବ କୌଣସି ସ୍ବତନ୍ତ୍ର ନିଷ୍ପତି ନିଅନ୍ତୁ ନାହିଁ  ।

ପୂର୍ବଭାଦ୍ର ନକ୍ଷତ୍ର – ଯୋଗ୍ୟତା ଅନୁଯାୟୀ ଫଳ ମିଳିବ ନାହିଁ, ପରିଶ୍ରମ ବୃଥା ଯିବ, ମନ ଅଶାନ୍ତ ରହିବ ।

ଶୁଭ ରଙ୍ଗ – ନିଳ କିମ୍ବା କଳା

ଅଶ୍ୱତ୍ଥ ମୂଳରେ ତେଲ ଦ୍ବୀପ ଦେଇ ଓଁ ନମଃ ଶିବାୟ ୫୪ଥର ଜପ କରନ୍ତୁ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ସର୍ବବିଧ ସୁବିଧା ସୁଯୋଗ, ଲାଭ ଓ ପ୍ରତିଷ୍ଠା ମିଳିବ  ।

ଉତ୍ତରଭାଦ୍ର ନକ୍ଷତ୍ର – ଗୃହରେ ଶୁଭକର୍ମ ହେବ, ସନ୍ତାନ ବର୍ଗରେ ଉର୍ଣ୍ଣତି, ଆର୍ଥିକ ଲାଭର ସୂଚନା ରହିବ  ।

ରେବତୀ ନକ୍ଷତ୍ର – ନୁଆକିଛି ଭବିଷ୍ୟତ ନିମନ୍ତେ ଯୋଜନା କରି ସଫଳ ହେବେ, ଆତ୍ମବଳ ଦୃଢ ରହିବ  ।

ଶୁଭ ରଙ୍ଗ – ଧଳା

ହଳଦିଆ ବସ୍ତ୍ର କିମ୍ବା ଖାଦ୍ୟ ଦାନ କରନ୍ତୁ ।

 

ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ

ସୁଧୁରିବ ଦେଶର ଅର୍ଥନୀତି, ମଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି ଆର୍‌ବିଆଇ

ନୂଆଦିଲ୍ଲୀ: ଲକଡାଉନ୍‌ ସମୟରେ ମାନ୍ଦବସ୍ଥା ଦେଇ ଗତି କରୁଥିବା ଅର୍ଥନୀତିକୁ ପୁଣି ପୂର୍ବାବସ୍ଥାକୁ ଫେରାଇବାକୁ ଅଣ୍ଟା ଭିଡିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । କରୋନା ଲକଡାଉନ ପାଇଁ ଦେଶରେ ଲାଗୁ ହୋଇଥିବା ଋଣ ପରିଶୋଧ କୋହଳ ନୀତି ଆସନ୍ତା ୩୧ ତାରିଖରେ ସରିବାକୁ ଯାଉଛି । ତା’ପୂର୍ବରୁ ଆଉ ଏକ ଯୋଜନା ପ୍ରସ୍ତୁତ କରିଛି ଆରବିଆଇ । ବ୍ୟାଙ୍କ ଓ ବିଭିନ୍ନ କମ୍ପାନୀ ଯେଭଳି କ୍ଷତିରେ ନ ପଡିବେ ସେ ନେଇ RBI ପ୍ରସ୍ତୁତ କରିଛି ମାଷ୍ଟରପ୍ଲାନ ।

କରୋନା ଲକଡାଉନ ପାଇଁ ଦେଶରେ ଲାଗୁ ହୋଇଥିବା ଋଣ ପରିଶୋଧ କୋହଳ ନୀତି ଆସନ୍ତା ୩୧ ତାରିଖରେ ସରିବାକୁ ଯାଉଛି । ତା ପୂର୍ବରୁ ଆଉ ଏକ ଯୋଜନା ପ୍ରସ୍ତୁତ କରିଛି ଆରବିଆଇ । ଋଣ ପରିଶୋଧକୁ ନେଇ ଆରବିଆଇ ନେଇଥିବା ନିଷ୍ପତ୍ତି କେବେ ବି ସ୍ଥାୟୀ ସମାଧାନ ନୁହେଁ । ଏଥିପାଇଁ ଦୃଢ ପଦକ୍ଷେପ ନେବାର ସମୟ ଆସିଛି ବୋଲି ଆରବିଆଇ କହିଛି । ଏଥିପାଇଁ ଋଣ ନେଣ ଦେଣ ପାଇଁ ନୂଆ ଢାଞ୍ଚା ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ଲକଡାଉନ୍‌ ସମୟରେ ଦେବାଳିଆ ହୋଇଥିବା ବିଭିନ୍ନ କମ୍ପାନୀ ମାନେ ଅନେକ ସୁବିଧା ପାଇବେ, ଘରୋଇ କମ୍ପାନୀ ମାନେ ଆର୍ଥିକ ଚାପରୁ ମୁକ୍ତି ପାଇବେ ବୋଲି ଆରବିଆଇ କହିଛି ।

ଆରବିଆଇର ଏହି ଯୋଜନାରେ ବ୍ୟାଙ୍କ ମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ସେମାନେ ଋଣ ଦେଇ କିପରି ଦୂର୍ବଳ ନ ହେବେ ସେଥିପ୍ରତି ଧ୍ୟାନ ଦେଇଛି ଆରବିଆଇ । ଲକଡାଉନ ପାଇଁ ଭାରତର ଅର୍ଥନୀତି ପ୍ରଭାବିତ ହୋଇଛି । ଏହି ସମଯରେ ଦେଶର ଅଭିବୃଦ୍ଧି ହାରକୁ ସାହାରା ଦେବା ପାଇଁ ଆରବିଆଇ ବିଭିନ୍ନ ଯୋଜନା କରୁଛି । ବ୍ୟାଙ୍କ ଗୁଡିକ ମାଧ୍ୟମରେ ବଜାରକୁ ଅର୍ଥ ପ୍ରବାହ ଅଧିକ କରିବା ପାଇଁ ଆରବିଆଇ ବିଭିନ୍ନ ନୀତି ଆପଣେଇବାକୁ ଯାଉଛି । ଗତ ୪ ଦଶନ୍ଧି ଭିତରେ ଦେଶର ଅଭିବୃଦ୍ଧି ହାର ଅତି ନିମ୍ନସ୍ତରରେ ରହିଛି । ଯେଉଥିପାଇଁ ସ୍ଥିତି ଆଗକୁ ଆହୁରି ସାଂଘାତିକ ହେବ ବୋଲି ଅର୍ଥନୀତି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି ।

ଆରବିଆଇର ଯୋଜନା ଅନୁସାରେ ପ୍ରକୃତରେ କଣ ମିଳିବ ଫାଇଦା ? ଆରବିଆଇ ଗଭର୍ଣ୍ଣରଙ୍କ କହିବା କଥା ଯେଉଁ କମ୍ପାନୀ ମାନେ ବ୍ୟାଙ୍କଠୁ ଋଣ ନେଇଛନ୍ତି । ସେମାନଙ୍କଠୁ ଆଦାୟ ବେଳେ କିଛିଟା କୋହଳ ନୀତି ଆପଣେଇବେ ବ୍ୟାଙ୍କ । ଏହାଦ୍ୱାରା ସେମାନେ ଦେବାଳିଆ ନହେବା ସହ କର୍ମଚାରୀ ମାନେ ମଧ୍ୟ ଚାକିରି ହରେଇବେ ନାହିଁ ଏହାଦ୍ୱାରା ଦେଶର ଅର୍ଥନୀତି ଧିରେ ଧିରେ ସୁଧୁରିବ ।

ରାଜ୍ୟ ସରକାରଙ୍କ ଫୋକସରେ ଗ୍ରାମୀଣ ଅର୍ଥନୀତି

ଭୁବନେଶ୍ୱର:(ଚିନ୍ମୟ ମହାପାତ୍ର) ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡିଲେ ରାଜ୍ୟ ସରକାର । କରୋନା ମହାମାରୀରେ ଭୁଶୁଡ଼ି ପଡିଛି ରାଜ୍ୟର ଅର୍ଥନୀତି । ଏହାକୁ ସଜାଡ଼ିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରିଛନ୍ତି । ପଂଚାୟତରାଜ ବିଭାଗର ବିଭିନ୍ନି ଯୋଜନାକୁ ମିଶାଇ କୋଭିଡ ୧୯ ସହାୟକ ପ୍ୟାକେଜ ପ୍ରସ୍ତୁତ କରାଯାଇଛି। ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ଏହା ରୋଜଗାର ଦେବ ବୋଲି ଆଶା କରାଯାଉଛି ।

ରାଜ୍ୟ ସରକାରଙ୍କ ଫୋକ୍ସରେ ଗାଁର ବିଗିଡ଼ା ଅର୍ଥନୀତି । ବିଭିନ୍ନ ଫ୍ଳାଗସିପ୍ ପ୍ରୋଗ୍ରାମକୁ ପଂଚାୟତରାଜ ବିଭାଗ ଆଣିଛି କୋଭିଡ ୧୯ ସହାୟକ ପ୍ୟାକେଜ। ଟାର୍ଗେଟରେ କାମଧନ୍ଦା ହରାଇ ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡ଼ିଆ । ଏହି ପ୍ୟାକେଜକୁ ୪ ଭାଗରେ ବିଭକ୍ତ କରାଯାଇଛି । ମିଶନ୍ ଶକ୍ତି, ଓଡ଼ିଶା ଜୀବିକା ମିଶନ, ଜିଲ୍ଲା ଖଣିଜ ପାଣ୍ଠି ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନା । ପ୍ରଥମ ପ୍ୟାକେଜରେ ଦର୍ଜି , ଚା’ ଦୋକାନୀ, ଛୋଟଛୋଟ ଫାର୍ମ, ପରିବା ବ୍ୟବସାୟୀ ଓ ମୋବାଇଲ ମରାମତି ଦୋକାନୀ ।

ପ୍ୟାକେଜର ଗାଇଡଲାଇନ୍ ଅନୁସାରେ ଏମାନଙ୍କୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥକ ସହାୟତା ଯୋଗାଇ ଦିଆଯିବ । ସେହିପରି ଦ୍ୱିତୀୟ ପ୍ୟାକେଜରେ ଆର୍ଥକ ସହାୟତା ଦେଢ ଲକ୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ଛୋଟଛୋଟ ସଂସ୍ଥା, ପ୍ରଡକ୍ସନ ଗ୍ରୁପ୍ ଏହି କ୍ୟାଟେଗୋରୀରେ ଆସିବେ । ତୃତୀୟ ପ୍ୟାକେଜରେ ବିଭିନ୍ନ ଶିଳ୍ପସଂସ୍ଥା, ଛେଳି ଓ କୁକୁଡ଼ା ଫାର୍ମ, ଭିନ୍ନକ୍ଷମ ଓ ତୃତୀୟ ଲିଙ୍ଗିଙ୍କୁ ସହାୟତା ଯୋଗାଇ ଦିଆଯିବ । ସେହିପରି କୁଶଳୀ ଓ ଅର୍ଦ୍ଧ କୁଶଳୀ ପ୍ରବାସୀମାନଙ୍କୁ ୧ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇବାକୁ ବ୍ୟବସ୍ଥା କରାଯାଇଛି ।

ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରି ସହାୟତା ଯୋଗାଇ ଦେବାକୁ ବ୍ଲକ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଗାଁର ଯୁବକ ଗାଁରେ ରହିବେ । ରୋଜଗାର ପାଇଁ ଆଉ ବାହାର ରାଜ୍ୟକୁ ଯିବେନି । ଫଳରେ ଗୋଟିଏ ଗୁଳିରେ ହେବ ଦୁଇଟି ଶୀକାର । ଗାଁ ଯୁବକ କାମ ପାଇବେ ଓ ଟ୍ରାକ୍କୁ ଫେରିବ ଗ୍ରାମୀଣ ଅର୍ଥନୀତି ।

ବିଜୁ ଯୁବ ଛାତ୍ର ଜନତା ଦଳର ଭର୍ଚୁଆଲ୍‌ ମିଟିଂରେ ୪ଜିଲ୍ଲାର ସାଙ୍ଗଠନିକ ସମୀକ୍ଷା ବୈଠକ

ଭୁବନେଶ୍ୱର: ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ସାଙ୍ଗଠନିକ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍ ‌ମିଟିଂ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ ଜିଲ୍ଲା ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକର ସମସ୍ତ ଯୁବ ଓ ଛାତ୍ରନେତା ଯୋଗ ଦେଇ ଦଳୀୟ ସଙ୍ଗଠନ ସମ୍ପର୍କରେ ନିଜ ରମତ ପ୍ରଦାନ କରିଥିଲେ । ଏବଂ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ଭର୍ଚୁଆଲ୍ ‌ମିଟିଂର ଆୟୋଜନ କରାଯିବ । ଏହି ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍ ‌ମିଟିଂ‌ରେ ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳର ସଙ୍ଗଠ ନସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଯୁବ ଛାତ୍ର ନେତୃତ୍ୱକୁ ପ୍ରେରଣାତ୍ମକ ସାଙ୍ଗଠନିକ ମନ୍ତ୍ର ପ୍ରଦାନ କରିଥିଲେ ।

ଓଡ଼ିଆ ଜାତି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ନିଜର ଭାଗ୍ୟ ନିଜେ ଗଢିବ, ଓଡ଼ିଆ ଜାତିର କଳା ସଂସ୍କୃତି, ଐତିହ୍ୟ, ପରମ୍ପରା ବିଶ୍ୱରେ ଆହୁରି ଆଗକୁ ବଢିବଏବଂ ଯୁବ ଛାତ୍ର ନେତାମାନେ ସେବାବ୍ରତୀ ହୋଇ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟଏବଂ ପରମ୍ପରାର ବିକାଶ ଦିଗରେ ଅହରହ କାର୍ଯ୍ୟ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ମଜଭୁତ୍ ‌କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପ୍ରଣବ ଦାସ ଜୟ ଜଗନ୍ନାଥ ଜୟ ନବୀନର ସ୍ଲୋଗାନ ଦେଇ ସମସ୍ତ ଯୁବ ଛାତ୍ର ନେତାଙ୍କୁ ଉତ୍ସାହିତ କରିଥିଲେ । ଏହି ଭର୍ଚୁଆଲ୍ ‌ମିଟିଂ‌ରେ ୪ଜିଲ୍ଲାରୁ ୨୯ ନିର୍ବାଚନ ମଣ୍ଡଳୀ, ୫୬ ବ୍ଲକ୍‌, ୧୩ଟି ଏନ୍‌ଏସି ଏବଂ ସମସ୍ତ ପଞ୍ଚାୟତର ଯୁବ ଛାତ୍ର ନେତାମାନେ ସାମିଲ୍ ‌ହୋଇଥିଲେ ।

ବିଜୁ ଯୁବ ଛାତ୍ର ଜନତା ଦଳର ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍ ‌ମିଟିଂ‌କୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପର) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର ପ୍ରମୂଖ ପରିଚାଳନା କରିଥିଲେ ।

ସ୍ପାରେ ଏବେ ବି ଚାଲିଛି ଦେହ ବେପାର, ଧରିବାକୁ ଡରୁଛି ପୋଲିସ..

ଭୁବନେଶ୍ୱର: ବିୟୁଟି ପାର୍ଲର, ସ୍ପା, ମସାଜ ପାର୍ଲର ନାଁରେ ଚାଲୁଛି ଦେହ ବ୍ୟବସାୟ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଧନ୍ଦା ବନ୍ଦ କରିବା ଲାଗି ସମ୍ପୃକ୍ତ ଘରକୁ ବେଶ୍ୟାଳୟ ଘୋଷଣା କରିବା ପାଇଁ ପୋଲିସ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି ।

କରୋନା ସମୟରେ ମଧ୍ୟ ଏହି ଧନ୍ଦା ଚାଲୁଥିବା ବେଳେ କମିଶନରେଟ୍ ପୋଲିସ ସବୁଜାଣି ଅଜଣା ପାଲଟିଥିବା ଅଭିଯୋଗ ହୋଇଛି । କିଙ୍ଗ୍‌ପିନ୍‌ ପାଖରେ ପହଁଚିବା ତ ଦୂରର କଥା ସେକ୍ସ ରାକେଟ୍‌ ଚାଲୁଥିବା ଘରକୁ ବେଶ୍ୟାଳୟ ଘୋଷଣା କରିବାରେ ବିଫଳ ହୋଇଛି ପୋଲିସ । ନିଜେ ନିୟମ କରି ନିୟମକୁ ପୋଲିସ ଭୁଲିଯାଇଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ୱରରେ ଗତ ଦୁଇ ବର୍ଷ ମଧ୍ୟରେ ୩୦ରୁ ଅଧିକ ମସାଜ ପାର୍ଲର ଓ ସ୍ପା ସେଣ୍ଟରରେ ସେକ୍ସ ରାକେଟ ଚାଲିବା ନେଇ ଖବର ମିଳିବା ପରେ ପୋଲିସ ଚଢ଼ାଉ କରିଛି ସତ, ହେଲେ ଧନ୍ଦା ଚାଲିଥିବା ଘରକୁ ଏଯାଏଁ ବେଶ୍ୟାଳୟ ଘୋଷଣା କରିନାହିଁ । ୨୦୧୭ ମସିହାରେ ଖାରବେଳ ନଗର ଥାନା ଅଞ୍ଚଳରେ ଥିବା Heaven thai spa ଓ ୨୦୧୮ ମେ’ ୨ ତାରିଖରେ ବାପୁଜୀନଗରରେ ଥିବା H20 spaରେ ଛାପା ମାରି ପୋଲିସ କିଛି ଥାଇଲାଣ୍ଡ ଯୁବତୀଙ୍କୁ ଧରିବା ସହ ସମ୍ପୃକ୍ତ ଯୁବତୀଙ୍କ ଭିସାକୁ କଳା ତାଲିକାଭୁକ୍ତ କରିବା ପାଇଁ ଗୃହ ବିଭାଗକୁ ଚିଠି ଲେଖିଥିଲା । କିନ୍ତୁ ଘର ମାଲିକ ଅଧିକାଂଶ କ୍ଷେତ୍ରରେ ଶିଳ୍ପପତି, ପ୍ରତିପତ୍ତିଶାଳୀ ଓ ରାଜନେତା ହୋଇଥିବାରୁ ପୋଲିସ ହାତ ବାନ୍ଧି ବସିଥିବା ଅଭିଯୋଗ ହୋଇଛି । ପୋଲିସର ଅପାରଗତା ବାରି ହୋଇପଡୁଥିବା ନେଇ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି ।

୨୦୧୪ ମସିହାରୁ ୨୦୧୬ ମଧ୍ୟରେ କମିସନରେଟ୍‌ ପୋଲିସ ଜାଲରେ ପଡ଼ିଥିବା ୭ଟି ସେକ୍ସ ର‍୍ୟାକେଟ୍‌ର ରୂପଜୀବୀଙ୍କୁ ବେଶ୍ୟା ବୋଲି ଦର୍ଶାଇଥିବା ବେଳେ ସେହି ଘରକୁ ବେଶ୍ୟାଳୟ ଘୋଷଣା କରିଥିଲା। କ୍ୟାପିଟାଲ ଥାନା ଅଧୀନ ହୋଟେଲ ନିର୍ମଳ ପ୍ୟାଲେସ, ଜନ୍ନତ ପ୍ୟାଲେସ, ଚନ୍ଦ୍ରଶେଖରପୁର ଥାନା ଅଧୀନ ମୈତ୍ରୀ ଗେଷ୍ଟ ହାଉସ, ଲକ୍ଷ୍ମୀସାଗର ଥାନା ଅଧୀନ ଖୁସ୍‌ବୁ ବିୟୁଟି ପାର୍ଲର୍‌, ଓ୍ଵାନଷ୍ଟାର୍‌ ବିୟୁଟି ପାର୍ଲର ଓ ଭିଏସ୍‌ଏସ୍‌ନଗର ବୃନ୍ଦାବନ ଏନକ୍ଲେଭରେ ଦେହ ବ୍ୟବସାୟ ଧରାପଡ଼ିଥିଲା । ଏହାପରେ ଧରାପଡିଥିବା ସେକ୍ସ ରାକେଟକୁ ମିଶାଇ ମୋଟ ୧୨ଟି ଘରକୁ ବେଶ୍ୟାଳୟ ଘୋଷଣା କରିଥିଲେ ତତ୍କାଳୀନ ପୋଲିସ କମିଶନର ୱାଇ. ବି. ଖୁରାନିଆ । ସ୍ଥାନୀୟ ଲୋକଙ୍କୁ ସେହି ଘର ବେଶ୍ୟାଳୟ ବୋଲି ଅବଗତ କରାଯିବା ସହ ୧ ବର୍ଷ ପାଇଁ ସିଲ କରାଯାଇଥିଲା । କିନ୍ତୁ ସେତିକିରେ ସବୁକିଛି ସାରିଯାଇଛି । ସେହିଦିନଠାରୁ ଆଜି ଯାଏଁ ପୋଲିସ ଆଉ ଗୋଟିଏ ବି ଘରକୁ ବେଶ୍ୟାଳୟ ଘୋଷଣା କରିନାହିଁ । ରାଜଧାନୀର ଅଧିକାଂଶ ସପିଙ୍ଗ୍‌ ମଲରେ ଏହି ଧନ୍ଦା ଚାଲୁଥିଲେ ମଧ୍ୟ ପୋଲିସ ସବୁ ଜାଣି ଅଜଣା ପାଲଟିଥିବା ଅଭଯୋଗ ହୋଇଛି ।

ଘରେ ପଶି ୪୦ ବର୍ଷୀୟ ଟିଭି ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ସୋମବାର ରାତିରେ ଜଣେ ଟିଭି ସାମ୍ବାଦିକଙ୍କୁ ବୀଭତ୍ସ ହତ୍ୟା କରାଯାଇଛି । ଗଣମାଧ୍ୟମର ସ୍ୱର ଚାପିବାକୁ ଏଭଳି ହତ୍ୟାକାଣ୍ଡ ହୋଇଛି ଉତ୍ତରପ୍ରଦେଶରେ । ବାଲିୟା ଜିଲ୍ଲାରେ କାର୍ଯ୍ୟରତ ଏକ ଘରୋଇ ଟିଭି ଚ୍ୟାନେଲ୍ ସାମ୍ବାଦିକ ରତନ ସିଂହଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ରତନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

୪୦ ବର୍ଷୀୟ ରତନ ସିଂହ ସାହାରା ସମୟ ନ୍ୟୁଜ୍ ଚ୍ୟାନେଲ ପାଇଁ କାମ କରୁଥିଲେ । ଏହି ହତ୍ୟାକାଣ୍ଡ ସୋମବାର ରାତି ପ୍ରାୟ ୯ଟା ବେଳେ ବାଲିୟା ଜିଲ୍ଲାର ଫେଫନା ଥାନା ଅଞ୍ଚଳରେ ଘଟିଛି । ସାମ୍ବାଦିକଙ୍କୁ ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଗଣମାଧ୍ୟମର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ।

ତେବେ, ସାମ୍ବାଦିକ ଜଣଙ୍କୁ ଘରେ ପଶି କିଏ ଓ କାହିଁକି ହତ୍ୟା କଲା ଜଣାପଡ଼ିନାହିଁ । ସୂଚନାରୁ ଜଣାପଡ଼ିଛି ରତନ ଘରକୁ ଫେରୁଥିବା ବେଲେ କିଛି ବନ୍ଧୁକଧାରୀ ତାଙ୍କ ପିଛା କରିଥିଲେ । ସେ ଦୁର୍ବୃତ୍ତଙ୍କ କବଳରୁ ଖସିବା ପାଇଁ ତୁରନ୍ତ ଘରେ ପଶି ଯାଇଥିଲେ । ସେଠାରେ ଦୁର୍ବୃତ୍ତଙ୍କ ତାଙ୍କୁ ଗୁଳି କରିଥିବା ଘଟଣାସ୍ଥଳରେ ହିଁ ରତନଙ୍କ ମୃତ୍ୟୁ ହୋଇଛି ।

ପରିବାରର ରକ୍ଷା କବଚ ନାରୀ, ସ୍ୱାମୀଙ୍କ ପକ୍ଷାଘାତ ପରେ ପତ୍ନୀ ସମ୍ଭାଳିଲେ ଭାର…

ଯାଜପୁର: ନାରୀ ଚାହିଁଲେ ସବୁକିଛି କରିପାରେ । ନିଜ ପରିବାର ପାଇଁ ପାଲଟିଯାଏ ରକ୍ଷା କବଚ । ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାଜପୁର ଜିଲ୍ଲା ମହେଶ୍ୱରପୁର ଗାଁର ସଂଯୁକ୍ତା ଦାସ । ସ୍ୱାମୀ ପ୍ରମୋଦ ପକ୍ଷାଘାତରେ ପୀଡିତ ହେବା ପରେ ଦିଗହରା ହୋଇଯାଇଥିଲା ସଂଯୁକ୍ତାଙ୍କ ପୂରା ପରିବାର । ହେଲେ ବାଧାବିଘ୍ନକୁ ପଛରେ ପକାଇ ପରିବାର ପ୍ରତିପୋଷଣ ପାଇଁ ଆରମ୍ଭ କରିଥିଲେ ବଡ଼ି ବ୍ୟବସାୟ । ଆଜି ସେହି ବ୍ୟବସାୟ ତାଙ୍କୁ ସ୍ୱାବଲମ୍ବୀ କରିବା ସହ ଅଞ୍ଚଳରେ ଜଣେ ସଫଳ ବ୍ୟବସାୟୀ ଭାବେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ସ୍ୱାମୀ ପ୍ରମୋଦ ଥିଲେ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ହେଲେ ହଠାତ୍‌ ତାଙ୍କୁ ପକ୍ଷାଘାତ ଶିକାର କଲା । ଫଳରେ ପରିବାରର ରୋଜଗାର ହଠାତ୍ ଠପ୍ ହେଇଗଲା । ଅର୍ଥାଭାବରୁ ଦିନକୁ ଦିନ ଦିଗହରା ହେବାକୁ ଲାଗିଲା ପରିବାର । ହେଲେ ବାଧାବିଘ୍ନକୁ ପଛରେ ପକାଇ ପରିବାର ପ୍ରତିପୋଷଣ ପାଇଁ ଆରମ୍ଭ କରିଥିଲେ ବଡ଼ି ବ୍ୟବସାୟ । ଆଜି ସେହି ବ୍ୟବସାୟ ତାଙ୍କୁ ସ୍ବାବଲମ୍ବୀ କରିବା ସହ ଅଞ୍ଚଳରେ ଜଣେ ସଫଳ ବ୍ୟବସାୟୀ ଭାବେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ସଂଯୁକ୍ତା କେବଳ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି ତାହା ନୁହେଁ, ବରଂ ଆଉ କିଛି ମହିଳାଙ୍କୁ ଏଥିରେ ନିୟୋଜିତ କରି ରୋଜଗାରକ୍ଷମ କରାଇ ପାରିଛନ୍ତି । ଖୁବ୍ ଅଳ୍ପଦିନ ମଧ୍ୟରେ ଯାଜପୁର ସହ କେଉଁଝର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗସିଂହପୁର ଆଦି ଜିଲ୍ଲାରେ ମଧ୍ୟ ତାଙ୍କ ବ୍ୟବସାୟର ବିସ୍ତାର କରିପାରିଛନ୍ତି । ଏଥିରେ ତାଙ୍କୁ ସହଯୋଗର ହାତ ବଢାଇଛି ଭାରତୀୟ ଯୁବାଶକ୍ତି ଟ୍ରଷ୍ଟ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ।

ସଂଗଠନ ସହାୟତାରେ ସେ ବ୍ୟାଙ୍କରୁ ଋଣ ଆଣି ବ୍ୟବସାୟରେ ଲଗାଇଛନ୍ତି । ସଂଯୁକ୍ତା ଏବେ ମାସିକ ହାରାହାରି ୧୦ କୁଇଣ୍ଟାଲ ବିରିରୁ ବଡ଼ି ପ୍ରସ୍ତୁତ କରିପାରୁଛନ୍ତି ।

(ବିକ୍ରମ କେଶରୀ ସାହୁ)

ବାଚସ୍ପତିଙ୍କ ପରେ କରୋନା ସଂକ୍ରମିତ ହେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କାୟରେ ଏବେ ହେଭିୱେଟ୍ ନେତା । ବାଚସ୍ପତିଙ୍କ ପରେ ଏବେ ହାରିୟଣା ମୁଖ୍ୟମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବେ ତାଙ୍କର କରୋନା ଟେଷ୍ଟ ହୋଇଥିଲା । ଆଜି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ସେ କହିଛନ୍ତି ।

ଏଥିସହ ସପ୍ତାହ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଅସିଥିବା ସମସ୍ତଙ୍କର ସ୍ୱାବ୍ ଟେଷ୍ଟ କରିବା ପାଇଁ ଅନୁରୋଧ କରିଛନ୍ତି । ଆସନ୍ତା ୨୬ ତାରିଖରେ ହରିୟଣାରେ ବିଧାନସଭା ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଗୃହର ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ କରାଯାଉଥିବା ବେଳେ ଏହି ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଖଟ୍ଟର ଆଇସୋଲେସନରେ ରହିଥିଲେ । ଏକ ବୈଠକରେ ଖଟ୍ଟର-ଶେଖାୱତଙ୍କ ସଂସ୍ପର୍ଶରେ ଆସିଥିଲେ । ଗଜେନ୍ଦ୍ରଙ୍କ କରୋନା ରିପୋର୍ଟ ଅଗଷ୍ଟ ୨୦ ତାରିଖରେ ପଜିଟିଭ୍ ଆସିଥିଲା । ଶେଖାୱତଙ୍କ ବ୍ୟତୀତ କୁରୁକ୍ଷେତ୍ର ସାଂସଦ ନାୟବ ସିଂହ ସୈନି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ପୋଲ ନାହିଁ ! ବର୍ଷା ଦିନେ ବାହ୍ୟ ଜଗତରୁ ବିଛିନ୍ନ ପୁରା ଅଞ୍ଚଳ, ମୌଳିକ ସୁବିଧାରୁ ବି ବଞ୍ଚିତ ଲୋକେ

ଗଜପତି: ପୋଲଟିଏ ନଥିବାରୁ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ଗମନାଗମନର ସୁବିଧା ନଥିବାରୁ ପହଞ୍ଚି ପାରୁନାହିଁ ସରକାରୀ ଯୋଜନା । ବିକାଶ ଏଠି ପାଲଟିଛି ସାତ ସପନ । ଖରସ୍ରୋତା ନାଳ ଉପରେ ଜୀବନକୁ ପାଣି ଛଡାଇ ଯାତାୟତ କରୁଛନ୍ତି ଲୋକେ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସାନତୁଣ୍ଡି ପଞ୍ଚାୟତର ସନ୍ଧିଗାଁରୁ ଆସିଛି ଏମିତି ଚିତ୍ର ।

Jajpur Sindhi gaon

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସାନତୁଣ୍ଡି ପଞ୍ଚାୟତର ସନ୍ଧିଗାଁ ସମେତ ଆଖପାଖ ତିନୋଟି ଗ୍ରାମର ଶତାଧିକ ପରିବାରର ରହନ୍ତି ନାଳ ଆରପାରିରେ । ଖରସ୍ରୋତା ନାଳ ପାର ହେବାକୁ ନାହିଁ ସ୍ଥାୟୀ ବ୍ୟବସ୍ଥା । ଗ୍ରାମବାସୀ କାଠରେ ଅସ୍ଥାୟୀ ପୋଲ କରି ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଛନ୍ତି ଲୋକେ । ଛାତ୍ରଛାତ୍ରୀ ହୁଅନ୍ତୁ ବା ବୃଦ୍ଧ, କିମ୍ବା ଗର୍ଭବତୀ, ଏହି କାଠ ପୋଲ ହି ଏକମାତ୍ର ଭରସା ।

ବର୍ଷା ଦିନ ଆସିଲେ ଲୋକଙ୍କ ଭୟ ବଢୁଛି । ଅତ୍ୟଧିକ ପାଣି ଆସିଲେ ପୋଲଟି ଭାସି ଯାଉଥିବା କହନ୍ତି ଲୋକେ । ରାସ୍ତା ନଥିବାରୁ ପ୍ରଶାସନିକ ଅଧିକାରୀଙ୍କ କେବେ ଏଠାରେ ପାଦ ପଡିନଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି ।

ସ୍ୱାଧୀନତାର ଏତେ ବର୍ଷ ପରେ ବି ବିକାଶର ସ୍ୱାଦ ଚାଖି ନାହାନ୍ତି ଏଠାକାର ଲୋକେ । ତେଣୁ ତୁରନ୍ତ ଲୋକଙ୍କ ସମସ୍ୟା ବିଷୟରେ ଧ୍ୟାନ ଦେଲେ ଲୋକେ ଉପକୃତ ହୋଇ ପାରନ୍ତେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

(ସରୋଜ ବୀରା)

ଅଘଟଣ: ୫ ମହଲା କୋଠା ଭୁଶୁଡ଼ି ୧୭ ଆହତ, ୭୦ ଜଣ ଫସିଥିବା ଆଶଙ୍କା

ମୁମ୍ବାଇ: ବଡ଼ ଖବର । ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାରେ ଏକ ୫ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି । ଏହି ଘଟଣା ଘଟିଛି ରାୟଗଡ଼ର ମହାଦ ତହସିଲରେ । ସୋମବାର ସନ୍ଧ୍ୟାରେ ୫ ମହଲା କୋଠାଟି ଭୁଶୁଡ଼ି ପଡ଼ିଛି । ସନ୍ଧ୍ୟା ପ୍ରାୟ ୬ଟା ୫୦ ବେଳେ କାଜଲପୁରା ଅଞ୍ଚଳରେ ଏହି ଭୟଙ୍କର ଅଘଟଣ ଘଟିଛି ।

କୋଠାର ଭଗ୍ନାଂଶ ତଳୁ ୧୭ ଜଣଙ୍କୁ ଉଦ୍ଧାର କରାଯାଇ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହୁରି ୭୦ରୁ ଅଧିକ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳକୁ ପୁନେରୁ ଏନଡିଆରଏଫ୍ ଟିମ୍ ଯାଉଛନ୍ତି । ସ୍ଥାନୀୟ ଲୋକ ଓ ପ୍ରଶାସନ ଦ୍ୱାରା ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ କ୍ରେନ୍ ସହ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି ।

ଉଦ୍ଧାର ହୋଇଥିବା ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନଡିଆରଏଫ୍ ଟିମ୍ ଘଟଣା ସ୍ଥଳକୁ ଯାଉଛନ୍ତି, ରାସ୍ତାରେ ଥିବା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଅଦିତି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧାର କାର୍ଯ୍ୟ ନେଇ ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି । ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।