ସ୍ପାରେ ଏବେ ବି ଚାଲିଛି ଦେହ ବେପାର, ଧରିବାକୁ ଡରୁଛି ପୋଲିସ..

1 min read
Massage Parler

ଭୁବନେଶ୍ୱର: ବିୟୁଟି ପାର୍ଲର, ସ୍ପା, ମସାଜ ପାର୍ଲର ନାଁରେ ଚାଲୁଛି ଦେହ ବ୍ୟବସାୟ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଧନ୍ଦା ବନ୍ଦ କରିବା ଲାଗି ସମ୍ପୃକ୍ତ ଘରକୁ ବେଶ୍ୟାଳୟ ଘୋଷଣା କରିବା ପାଇଁ ପୋଲିସ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି ।

କରୋନା ସମୟରେ ମଧ୍ୟ ଏହି ଧନ୍ଦା ଚାଲୁଥିବା ବେଳେ କମିଶନରେଟ୍ ପୋଲିସ ସବୁଜାଣି ଅଜଣା ପାଲଟିଥିବା ଅଭିଯୋଗ ହୋଇଛି । କିଙ୍ଗ୍‌ପିନ୍‌ ପାଖରେ ପହଁଚିବା ତ ଦୂରର କଥା ସେକ୍ସ ରାକେଟ୍‌ ଚାଲୁଥିବା ଘରକୁ ବେଶ୍ୟାଳୟ ଘୋଷଣା କରିବାରେ ବିଫଳ ହୋଇଛି ପୋଲିସ । ନିଜେ ନିୟମ କରି ନିୟମକୁ ପୋଲିସ ଭୁଲିଯାଇଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ୱରରେ ଗତ ଦୁଇ ବର୍ଷ ମଧ୍ୟରେ ୩୦ରୁ ଅଧିକ ମସାଜ ପାର୍ଲର ଓ ସ୍ପା ସେଣ୍ଟରରେ ସେକ୍ସ ରାକେଟ ଚାଲିବା ନେଇ ଖବର ମିଳିବା ପରେ ପୋଲିସ ଚଢ଼ାଉ କରିଛି ସତ, ହେଲେ ଧନ୍ଦା ଚାଲିଥିବା ଘରକୁ ଏଯାଏଁ ବେଶ୍ୟାଳୟ ଘୋଷଣା କରିନାହିଁ । ୨୦୧୭ ମସିହାରେ ଖାରବେଳ ନଗର ଥାନା ଅଞ୍ଚଳରେ ଥିବା Heaven thai spa ଓ ୨୦୧୮ ମେ’ ୨ ତାରିଖରେ ବାପୁଜୀନଗରରେ ଥିବା H20 spaରେ ଛାପା ମାରି ପୋଲିସ କିଛି ଥାଇଲାଣ୍ଡ ଯୁବତୀଙ୍କୁ ଧରିବା ସହ ସମ୍ପୃକ୍ତ ଯୁବତୀଙ୍କ ଭିସାକୁ କଳା ତାଲିକାଭୁକ୍ତ କରିବା ପାଇଁ ଗୃହ ବିଭାଗକୁ ଚିଠି ଲେଖିଥିଲା । କିନ୍ତୁ ଘର ମାଲିକ ଅଧିକାଂଶ କ୍ଷେତ୍ରରେ ଶିଳ୍ପପତି, ପ୍ରତିପତ୍ତିଶାଳୀ ଓ ରାଜନେତା ହୋଇଥିବାରୁ ପୋଲିସ ହାତ ବାନ୍ଧି ବସିଥିବା ଅଭିଯୋଗ ହୋଇଛି । ପୋଲିସର ଅପାରଗତା ବାରି ହୋଇପଡୁଥିବା ନେଇ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି ।

୨୦୧୪ ମସିହାରୁ ୨୦୧୬ ମଧ୍ୟରେ କମିସନରେଟ୍‌ ପୋଲିସ ଜାଲରେ ପଡ଼ିଥିବା ୭ଟି ସେକ୍ସ ର‍୍ୟାକେଟ୍‌ର ରୂପଜୀବୀଙ୍କୁ ବେଶ୍ୟା ବୋଲି ଦର୍ଶାଇଥିବା ବେଳେ ସେହି ଘରକୁ ବେଶ୍ୟାଳୟ ଘୋଷଣା କରିଥିଲା। କ୍ୟାପିଟାଲ ଥାନା ଅଧୀନ ହୋଟେଲ ନିର୍ମଳ ପ୍ୟାଲେସ, ଜନ୍ନତ ପ୍ୟାଲେସ, ଚନ୍ଦ୍ରଶେଖରପୁର ଥାନା ଅଧୀନ ମୈତ୍ରୀ ଗେଷ୍ଟ ହାଉସ, ଲକ୍ଷ୍ମୀସାଗର ଥାନା ଅଧୀନ ଖୁସ୍‌ବୁ ବିୟୁଟି ପାର୍ଲର୍‌, ଓ୍ଵାନଷ୍ଟାର୍‌ ବିୟୁଟି ପାର୍ଲର ଓ ଭିଏସ୍‌ଏସ୍‌ନଗର ବୃନ୍ଦାବନ ଏନକ୍ଲେଭରେ ଦେହ ବ୍ୟବସାୟ ଧରାପଡ଼ିଥିଲା । ଏହାପରେ ଧରାପଡିଥିବା ସେକ୍ସ ରାକେଟକୁ ମିଶାଇ ମୋଟ ୧୨ଟି ଘରକୁ ବେଶ୍ୟାଳୟ ଘୋଷଣା କରିଥିଲେ ତତ୍କାଳୀନ ପୋଲିସ କମିଶନର ୱାଇ. ବି. ଖୁରାନିଆ । ସ୍ଥାନୀୟ ଲୋକଙ୍କୁ ସେହି ଘର ବେଶ୍ୟାଳୟ ବୋଲି ଅବଗତ କରାଯିବା ସହ ୧ ବର୍ଷ ପାଇଁ ସିଲ କରାଯାଇଥିଲା । କିନ୍ତୁ ସେତିକିରେ ସବୁକିଛି ସାରିଯାଇଛି । ସେହିଦିନଠାରୁ ଆଜି ଯାଏଁ ପୋଲିସ ଆଉ ଗୋଟିଏ ବି ଘରକୁ ବେଶ୍ୟାଳୟ ଘୋଷଣା କରିନାହିଁ । ରାଜଧାନୀର ଅଧିକାଂଶ ସପିଙ୍ଗ୍‌ ମଲରେ ଏହି ଧନ୍ଦା ଚାଲୁଥିଲେ ମଧ୍ୟ ପୋଲିସ ସବୁ ଜାଣି ଅଜଣା ପାଲଟିଥିବା ଅଭଯୋଗ ହୋଇଛି ।

Leave a Reply