spot_img
Home Blog Page 6546

ରାଜ୍ୟ କ୍ୟାବିନେଟ୍ ବୈଠକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ଆଲୋଚନା

ଭୁବନେଶ୍ୱର: ବୁଧବାର ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ବସିବ ବୈଠକ । ବୁଧବାର ଗୋଟିଏ ଦିନକରେ ୩ଟି କ୍ୟାବିନେଟ ବୈଠକ ବସିବ । ସନ୍ଧ୍ୟା ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ ବୋଲି ସ୍ଥିର କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଅଧ୍ୟାଦେଶକୁ ବୈଠକରେ ମଞ୍ଜୁରୀ ମିଳିବ ବୋଲି ସୂଚନା ରହିଛି ।

https://www.facebook.com/NandighoshaTV/videos/348620962936928/

୫ଟା୧୫ରେ ରାଜ୍ୟ କୃଷି କ୍ୟାବିନେଟ୍ ବୈଠକ ବସିବ । ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଏହା ପ୍ରଥମ କୃଷି କ୍ୟାବିନେଟ୍‌ । ଏହି କ୍ୟାବିନେଟ୍‌ କମିଟିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିଥିବା ବେଳେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କମିଟି ସଂପାଦକ, କୃଷି ସଚିବ ସୌରଭ ଗର୍ଗ କମିଟିର ଆବାହକ ଦାୟିତ୍ୱ ତୁଲାଇବେ । କୃଷି, ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସଂସଦୀୟ ବ୍ୟାପାର ରାଜସ୍ୱ ଓ ବିପର୍ଯ୍ୟୟ, ପରିଚାଳନା, ଅର୍ଥ ବିଭାଗର ମନ୍ତ୍ରୀ ମଧ୍ୟ ରହିବେ । ଏହି ଷଷ୍ଠ କୃଷି କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ତେବେ ୫ଟା ୪୫ରେ ରାଜ୍ୟ ଐତିହ୍ୟ କ୍ୟାବିନେଟ ବୈଠକ ବସିବ । ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିବାର ସମ୍ଭା ବନା ରହିଛି ।

 

ଦେଶରେ ୭୮ ହଜାର ୩୫୭ କରୋନା ପଜିଟିଭ୍ ଚିହ୍ନଟ, ୧୦୪୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କମିବାର ନାଁ ନେଉନି କରୋନା ସଂକ୍ରମଣ । ୨୪ଘଣ୍ଟାରେ ୭୮ହଜାର ୩୫୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୦୪୫ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ୩୭ଲକ୍ଷ ୬୯ହଜାର ୫୨୪ ସଂକ୍ରମିତ ହୋଇଥିବା ବେଲେ ଆକ୍ଟିଭ୍ କେସ୍ ଅଛନ୍ତି ୮ଲକ୍ଷ ୧୨ଶହ ୮୨ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୯ଲକ୍ଷ ୧୯ଶହ୯ ଜଣ । କରୋନାରେ ଦେଶରେ ଏବେଯାଏଁ ୬୬ହଜାର ୩୩୩ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ୮ଲକ୍ଷ ଟପି ଥିବା ବେଳେ ୨୪ହଜାର ୯୦୩ଜଣଙ୍କ ମୃତ୍ୟୁ ହେଲାଣି ।

ସେହିପରି ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ ୪ଲକ୍ଷରୁ ଅଧିକ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୪ହଜାର ୫୩ ଓ ୭ହଜାର ୪୧୮ । କର୍ଣ୍ଣାଟକରେ ୩ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୫ହଜାର ୮୩୭ । ୟୁପିରେ ୨ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୩ହଜାର ୫୪୨ରେ ପହଞ୍ଚିଛି । ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା, ଆସାମ ଓ ଓଡିଶାରେ ଲକ୍ଷେରୁ ଉର୍ଦ୍ଧ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି ।

ଆଇସିଏମଆର ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ୪ କୋଟି ୫୨ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଗତକାଲି ୧୦ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା। ସକାରାତ୍ମକତା ହାର ୭ ପ୍ରତିଶତରୁ କମ୍ ରହିଛି  । ତେବେ ଆଶ୍ୱସ୍ତିର ଖବର ଏହା ଯେ, ମୃତ୍ୟୁହାରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଛି ।  ମୃତ୍ୟୁ ହାର ୧.୭୬ %କୁ ହ୍ରାସ ପାଇଛି । ଏହା ସହିତ ସୁସ୍ଥତା ହାର ୭୭ ପ୍ରତିଶତକୁ ବୃଦ୍ଧି ପାଇଛି । ଭାରତରେ ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ।

 

ଏଲଏସିରେ ଭାରତ-ଚୀନ୍ ସୀମା ବିବାଦ, ଚୀନକୁ ଆମେରିକାର ଚେତାବନି

ଲଦାଖ: ଲଦାଖ ସୀମାରେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଫେଙ୍ଗୋଙ୍ଗ ସୋରେ ଉତ୍ତେଜନା ହ୍ରାସ ନେଇ ଆଜି ପୁଣି ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ବସୁଛି । ସେପଟେ ସାମ୍ନାକୁ ଆସିଛି ଚୀନ୍‌ର ଦୋମୁହାଁ ନୀତି । ଗତ ୩ ଦିନ ମଧ୍ୟରେ ୩ ଥର ଅନୁପ୍ରବେଶ ଉଦ୍ୟମ କରିଛି ଚୀନ୍ । ଗୋଟେପଟେ ଶାନ୍ତି ଆଲୋଚନା ପାଇଁ କହୁଛି ଚୀନ୍, ଅନ୍ୟପଟେ ଅନୁପ୍ରବେଶ ଉଦ୍ୟମ କରୁଛି । ତେବେ ଚୀନ୍ ସବୁପ୍ରକାର ଉଦ୍ୟମକୁ ବିଫଳ କରିବା ପାଇଁ ପ୍ରସ୍ତୁତ ରହିଛି ଭାରତୀୟ ସେନା । ଅଗଷ୍ଟ ୩୧ରେ ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଚାଲିଥିବା ବେଳେ ଚୀନ୍ ପକ୍ଷରୁ ଚୁମାର ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ହୋଇଥିଲା ।

ତେବେ ସେଠାରେ ମୁତୟନ ହୋଇଥିବା ଭାରତୀୟ ସେନା ସେମାନଙ୍କୁ ଆଗକୁ ବଢିବାକୁ ଦେଇନଥିଲେ । ଚୀନ୍ ସେନା ପକ୍ଷରୁ କରାଯାଉଥିବା ଏଭଳି ଉଦ୍ୟମ ବୁଝାମଣା ବିରୋଧୀ ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି । ଚୀନ୍ ସହ ଉଭୟ କୁଟନୈତିକ ଓ ସାମରିକସ୍ତରରେ ଆଲୋଚନା କରିଛି । ତେବେ ଚୀନ୍ ନିଜ ଫ୍ରଣ୍ଟଲାଇନ୍ ଟ୍ରୁପଙ୍କ ଉପରେ ଅଙ୍କୁଶ ଲଗାଇବା ସହ ଅନୁଶାସିତ କରିବା ଜରୁରୀ । ଭାରତ ଆଲୋଚନା ମାଧ୍ୟମରେ ଏଲଏସି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛି । ଚୀନ୍ ତରଫରୁ ମଧ୍ୟ ଏନେଇ ସହଯୋଗ ଆଶା କରାଯାଉଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଗତ ୨୯ ଓ ୩୦ ତାରିଖରେ ପୂର୍ବ ଲଦାଖର ପେଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନ ସେନା ମାଡି ଆସିଥିଲେ । ସେତେବେଳେ ଭାରତୀୟ ଯବାନ ଉଚିତ ଜବାବ ଦେଇଥିଲେ । ଫଳରେ ବାଧ୍ୟ ହୋଇ ପଛକୁ ଘୁଞ୍ଚିଥିଲା ଚୀନ ସେନା । ଭାରତୀୟ ସେନା ବ୍ଲାକ୍ ଟପ୍ କବଜା କରିବା ସହ ଚୀନ ସେନା ଲଗାଇଥିବା କ୍ୟାମେରା ଓ ଅନ୍ୟ ଉପକରଣ ହଟାଇଦେଇଛି । ସେପଟେ ଭାରତ-ଚୀନ୍ ସୀମା ବିବାଦ ନେଇ ଚୀନ୍‌କୁ ଚେତାବନୀ ଦେଇଛି ଆମେରିକା । ପଡ଼ୋଶୀ ଦେଶଙ୍କୁ ବେଜିଂ ଉସକାଉଥିବା ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆମେରିକା ବୈଦେଶିକ ବିଭାଗ କହିବା ଅନୁସାରେ, ସେମାନେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଶା କରୁଛନ୍ତି। ଏହି ଉତ୍ତେଜନାକୁ ବନ୍ଦ କରିବାର ଏକମାତ୍ର ଉପାୟ ହେଉଛି ବେଜିଂ ବିରୋଧରେ ସ୍ୱର ଉତ୍ତୋଳନ କରିବା ।

ଭିଜିଲାନ୍ସ ଜାଲରେ ମୁନିସିପାଲିଟି- ARCS ଅଧିକାରୀ

ଝାରସୁଗୁଡ଼ା/ଢେଙ୍କାନାଳ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଲେ ଝାରସୁଗୁଡ଼ା ବ୍ରଜରାଜନଗର ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ । ବ୍ରଜରାଜନଗର ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ପଟେଲଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିିଛି ଭିଜିଲାନ୍ସ ବିଭାଗ । ମଙ୍ଗଲବାର ଦିନ ସରକାରୀ ବାସଭବନ, ବ୍ରଜରାଜନଗର ଅଫିସ, ଦେବଡିହିରେ ଥିବା ତାଙ୍କ ଘର, ବେଲମୁଣ୍ଡା ସ୍ଥିତ ପୈତୃକ ଘର, ସମସିଙ୍ଗରେ ପୁଅ ନାଁରେ ଥିବା ପେଟ୍ରୋଲ ପମ୍ପ, କୋଲବାହାଲ ସ୍ଥିତ ଶ୍ୱଶୁର ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ।

ତେବେ ଏକ କାଳୀନ ୬ଟି ସ୍ଥାନରେ ଚଢ଼ାଉ ଫଳରେ ତାଙ୍କର ଅସଲ ରୂପ ଏବେ ପଦାକୁ ଆସିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ବାରମ୍ବାର ଏଭଳି ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍‌ କରାଯାଉଥିଲେ ମଧ୍ୟ ବବାବୁ ମାନେ ସୁଧୁରିବାର ନାଁ ଧରୁ ନାହାନ୍ତି । ତେବେ ସରକାରୀ ବାବୁଙ୍କ ପାଖରେ ଏତେ ଟଙ୍କା ଆସୁଛି କେଉଁଠି ସେନେଇ ତଦନ୍ତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଚାକିରି କରୁଥିବା ବେଳେ ଦରମା ବାଦ୍‌ ଏତେ ଟଙ୍କା ରୋଜଗାର କରୁଥିବା ନେଇ ବିଭାଗ ଜାଣିପାରୁନି କଭିଳି ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ସେହିଭଳି ଢେଙ୍କାନାଳର ଜଣେ ସହକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ARCSର ସହକାରୀ ଅଧିକାରୀ ବିଦ୍ୟାଧର ରାଉତଙ୍କ ଘର ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଏକକାଳିନ ଛାପା ମାରିଛି । ଭୁବନେଶ୍ୱର ପଟିଆ ସ୍ଥିତ ଘର, ପୈତୃକ ଗାଁ ଭଦ୍ରକ ଓ କୁମ୍ଭାରିଆ ଗାଁରେ ଚଢାଉ କରିଛି ଭିଜିଲାନ୍ସ । ଏହାସହ ଢେଙ୍କାନାଳ ମହିସିଆପାଟ ସହକାରୀ ସମ୍ୱଦ୍ଧକ ସମବାୟ ସମିତି ଅଫିସରେ ରେଡ୍ ।

ଅନଲକ୍ ୪.୦ରେ ପୁଣି ଗଡିଛି ରାଜ୍ୟ ସଡକ ପରିବହନର ବସ୍

ଭୁବନେଶ୍ୱର: ଦେଶରେ ସେପ୍ଟେମ୍ବର ୧ରୁ ଅନଲକ୍ ୪.୦ ଲାଗୁ ହୋଇଛି । ଅନଲକ୍ ୪.୦ ପର୍ଯ୍ୟାୟରେ ଅନେକ ପରିବର୍ତ୍ତନ କରାଯାଇଛି । ଅଧିକାଂଶ କଟକଣାକୁ କୋହଳ କରାଯାଇଛି । ସରକାରଙ୍କ ଅନୁସାରେ ଅଗଷ୍ଟରେ ଘୋଷଣା କରାଯାଇଥିବା କିଛି ନିୟମ ସେପ୍ଟେମ୍ବର ପହିଲାରୁ ଲାଗୁ ହେବ । ଅନଲକ୍ ୪.୦ ପାଇଁ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । ଅନଲକ୍ ୪.୦ରେ କୋହଳ ହୋଇଛି କଟକଣା । ଦିଲ୍ଲୀରେ ମେଟ୍ରୋ ସେବା ଆରମ୍ଭ ହେବା ସହିତ ଓଡ଼ିଶାରେ ବସ ଚଳାଚଳ ସ୍ୱାଭାବିକ୍ ହୋଇଛି । ଲୋକଙ୍କ ଗମନାଗମନରେ ସୁବିଧା ପାଇଁ ଆରମ୍ଭ ହୋଇଛି ବସ୍ ସେବା ।

ଉଭୟ ସରକାରୀ ଓ ବେସରକାରୀ ବସ ଚଳାଚଳ ସ୍ୱାଭାବିକ୍ ହୋଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଠାରୁ ରାସ୍ତାରେ ପୁଣି ଗଡିଛି ରାଜ୍ୟ ସଡକ ପରିବହନର ବସ୍ । ପ୍ରଥମ ଦିନରେ ୧୪ଟି ଡିପୋରୁ ୨୯ଟି ରୁଟରେ ୬୦ରୁ ଅଧିକ ବସ୍ ଚାଲିଛି । ଏନେଇ ସୂଚନା ଦେଇଛନ୍ତି ଓଏସ୍ଆରଟିସିର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା । ରାଜ୍ୟରେ ଚାଲିଥିବା ଜେଇଇ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏହି ବସ୍ ସେବା ସହାୟକ ହେବ ବୋଲି ଆଶା କରାଯାଇଛି । ତେବେ ବସରେ ଯାତ୍ରା କରିବାକୁ ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବାବେଳେ ଠିଆ ହୋଇ ଯାତ୍ରା କରିବା ଉପରେ ଲାଗିଛି କଟକଣା ।

କଙ୍ଗାରୁ କୋର୍ଟ: ନିର୍ଧୁମ୍‌ ପିଟିଲେ, ଲଣ୍ଡା କଲେ ! ଗାଁ ଦାଣ୍ଡରେ ବୁଲାଇଲେ

ଅନୁଗୁଳ: ଏବେ ବି ଚାଲିଛି କଙ୍ଗାରୁ କୋର୍ଟ । ରାଜ୍ୟ ସରକାର ତଥା ପ୍ରଶାସନ ପକ୍ଷରୁ ଅନେକ ଚେଷ୍ଟା ସତ୍ତ୍ୱେ ଏବେ ବି ଅନେକ ଗାଁରେ ବସିଥାଏ କଙ୍ଗାରୁ କୋର୍ଟ । ଆଉ କଙ୍ଗାରୁ କୋର୍ଟରେ ଯାହା ଫୈସଲା ହୁଏ ତାହା ହିଁ ପାଳନ କରାଯାଇଥାଏ । ଏମିତିକି କଙ୍ଗାରୁକୋର୍ଟର ନିଷ୍ପତ୍ତି ଯୋଗୁଁ ଅନେକ ଥର ଲୋକଙ୍କୁ ଗାଁରୁ ବଚ୍ଛନ୍ଦ ହୋଇଥିବା ଦେଖାଯାଇଛି । କାହାକୁ ପାଣି ମନା କରାଯାଇଥାଏ ତ କାହାକୁ ଗାଁରୁ ବିଦା କରାଯାଇଥାଏ । କଙ୍ଗାରୁକୋର୍ଟକୁ ସମ୍ପୂର୍ଣ୍ଣ ବେଆଇନ୍‌ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ଏବେ ବି ଅନେକ ଗାଁ ରହିଛି ଯେଉଁଠି ଗାଁର ସବୁ ନ୍ୟାୟ ନିସାପ କଙ୍ଗାରୁ କୋର୍ଟରେ ହିଁ ହୋଇଥାଏ । ପ୍ରଶାସନ ପକ୍ଷରୁ ଏଭଳି କଙ୍ଗାରୁ କୋର୍ଟ ଉପରେ ଅନେକ ଥର ଚଢ଼ାଉ ହେବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଏବେ ବି ସଚେତନତା ଅଭାବ ରହିଛି । ଗାଁରେ ଯଦି କିଛି ଚୋରି ଡକାୟତି ଘଟଣା ଘଟେ ତେବେ ଲୋକେ ପୋଲିସ ଷ୍ଟେସନ୍ ଯିବା ପରିବର୍ତ୍ତେ କଙ୍ଗାରୁ କୋର୍ଟର ଦ୍ୱାରସ୍ଥ ହୋଇଥାନ୍ତି । ଆଉ ସେଠାରେ ଯାହା ଫୈସଲା ହୁଏ ତାହା ହିଁ ପାଳନ କରାଯାଏ ।

ସେହିଭଳି ଏକ ଘଟଣା ଏବେ ପୁଣି ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲାରୁ । ଏକ କଙ୍ଗାରୁ କୋର୍ଟର ଫୈସଲାକୁ ନେଇ ଅମାନବୀୟ କାଣ୍ଡ ସାମ୍ନାକୁ ଆସିଛି । ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅମନ୍ତପୁର ବସଲାସାହିରେ କଙ୍ଗାରୁ କୋର୍ଟର ଫୈସଲା ଏବେ ସମସ୍ତଙ୍କୁ ଚକିତ କରିଛି । ଗାଁରେ ପାଇପ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ତାକୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିବା ଦେଖାଯାଇଛି ।

https://www.facebook.com/NandighoshaTV/videos/368328317894332/

ଖାଲି ସେତିକି ନୁହେଁ ଚୋରି ଅଭିଯୋଗରେ ଯୁବକଙ୍କୁ ନିର୍ଧୁମ୍‌ ମାଡ଼ ମରାଯିବା ସହ ତାଙ୍କୁ ନାନା ନିର୍ଯାତନା ମଧ୍ୟ ଦିଆଯାଇଛି । ଗାଁର କିଛି ଯୁବକ ଏଭଳି କାଣ୍ଡ ଭିଆଇଛନ୍ତି ।  ଖବରପାଇ ନାଲକୋ ଥାନା ପୋଲିସ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ସେପଟେ ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିବା ସହ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି । ତେବେ ପୀଡ଼ିତ ଯୁବକ ଜଣକ ଜଣେ ଟ୍ରକ ହେଲପର ଭାବେ କାମ କରୁଥିବା ଜଣାପଡିଛି ।

Modi Idli: ବଜାରକୁ ଆସିଲା ମୋଦି ଇଡଲି, ଜାଣନ୍ତୁ କେଉଁଠି ମିଳୁଛି

ତାମିଲନାଡୁ: ସାଧାରଣତଃ ଦକ୍ଷିଣ ଭାରତରେ ଲୋକମାନେ ଉଡଲି, ଉପମା, ଦୋସା ଖାଇବା ପସନ୍ଦ କରନ୍ତି । ସେଠାର ପ୍ରମୁଖ ବ୍ୟଞ୍ଜନ ହେଉଛି ଏହି ସବୁ ଖାଦ୍ୟ । ତେବେ ପ୍ରସିଦ୍ଧ ଖାଦ୍ୟ ଇଡଲି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ତାମିଲନାଡୁର ସାଲେମରେ ଜନସାଧାରଣଙ୍କୁ ‘ମୋଦି ଇଡଲି’ ବିକ୍ରିୟ ପାଇଁ ପ୍ରସ୍ତୁତି ଚାଲିଛି। କରୋନା ମହାମାରୀରେ ‘ମୋଦୀ ଇଡଲି’ ଖୁବ ଶସ୍ତାରେ ମିଳିବ ବୋଲି ସୂଚନା ମିଳିଛି । ମାତ୍ର ୧୦ ଟଙ୍କାରେ ଲୋକମାନେ ଚାରଟି ଇଡଲି ଖାଇପାରିବେ । ବର୍ତ୍ତମାନ ଏହା ତାମିଲନାଡୁର ସାଲେମରେ ବିକ୍ରି କରିବାର ପ୍ରସ୍ତୁତ ଚାଲିଛି।

ସୂଚନାଯୋଗ୍ୟ ଯେ, ‘ମୋଦି ଇଡଲି’ ନାମକ ଏହି ବ୍ୟଞ୍ଜନ ଆଣିବାର ପ୍ରସ୍ତୁତି ବିଜେପି ପ୍ରଚାର ପ୍ରକୋଷ୍ଠର  ରାଜ୍ୟ ଉପାଧ୍ୟକ୍ଷ ମହେଶ କରିଛନ୍ତି। ସହରର ବିଭିନ୍ନ ସ୍ଥାନରେ ପ୍ରଚାର ପାଇଁ ‘ମୋଦୀ ଇଡଲି’ ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟରରେ ବାମ ପାର୍ଶ୍ୱରେ ପିଏମ ନରେନ୍ଦ୍ର ମୋଦୀ ଏବଂ ଡାହାଣ ପାର୍ଶ୍ୱରେ ମହେଶଙ୍କ ଫଟୋ ଲାଗିଛି। ଏହା ସହ ୧୦ ଟଙ୍କାରେ ଚାରିଟି ଇଡଲି ମିଳିବା ନେଇ ମଧ୍ୟ ଲେଖାଯାଇଛି ।

ଏହା ବ୍ୟତୀତ ପୋଷ୍ଟରରେ ଲେଖାଯାଇଛି ଯେ ୧୦ ଟଙ୍କାରେ ୪ଇଡଲି ସହ ସାମ୍ବର ମଧ୍ୟ ମିଳିବ । ଏହା ଏକ ମଡେଲ ରୋଷେଇ ଘରେ ତିଆରି ହେବ ଯେଉଁଥିପାଇଁ ଏହା ଅଧିକ ସ୍ୱାଦିଷ୍ଟ ଲାଗିବ । ବିଜେପି ତାମିଲନାଡୁର ଗଣମାଧ୍ୟମ ସଚିବ ଆର ବାଲାସୁବ୍ରମଣ୍ୟନ କହିଛନ୍ତି ଯେ, ପ୍ରଥମେ ଇଡଲି ବିକ୍ରିୟ ପାଇଁ ୨୨ଟି ଦୋକାନ ଖୋଲିବାର ଯୋଜନା ରହିଛି। ଏହାର ସଫଳତା ଉପରେ ଆଧାର କରି ଆଉଟଲେଟ୍ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

 

ଏବେ ବି ରହିଛି ଆଣ୍ଠୁଏ ଉଚ୍ଚର ପାଣି, ପୁଣି ଘାରିଲାଣି ବର୍ଷା ଭୟ

ଭୁବନେଶ୍ୱର: ଏବେ ବି ଅଧା ରାଜ୍ୟ ବନ୍ୟା ଜଳରେ ଉବୁଟୁବୁ । ବନ୍ୟା ଜଳକୁ ସମୁଦ୍ର ଟାଣୁ ନଥିବା ବେଳେ ସମ୍ପୂର୍ଣ୍ଣ ଜଳ ନିଷ୍କାସନ ପାଇଁ ଆହୁରି ଦୁଇ ଦିନ ଲାଗିବ । ତେବେ ଏହାରି ଭିତରେ ଏବେ ପୁଣି ଘାରିଲାଣି ବର୍ଷା ଭୟ । ଲୋକଙ୍କ ଘରେ ଏବେ ବି ଆଣ୍ଠୁଏ ପାଣି ଜମି ରହିଥିବା ବେଳେ ସେମାନଙ୍କୁ ଅଧିକ ଡରାଇଛି ପାଣିପାଗ ବିଭାଗର ବର୍ଷା ସତର୍କ ସୂଚନା ।

ରାଜ୍ୟରେ ସୋମବାର ଅପେକ୍ଷା ମଙ୍ଗଳବାର ବନ୍ୟାସ୍ଥିତି କିଛି ମାତ୍ରାରେ ସୁଧୁରିଛି । କାରଣ ଉପରମୁଣ୍ଡରୁ ଜଳପ୍ରବାହ କମିବା ସହ ଏବେ ମାତ୍ର ୨୪ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ହେଉଛି । ଏପଟେ କାଠଯୋଡ଼ି ଓ ନରାଜରେ ମଧ୍ୟ ବିପଦ ସଙ୍କେତ ତଳେ ରହିଛି ଜଳସ୍ତର । ହେଲେ ତଳିଆ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ଆହୁରି ଦୁଇ ଦିନ ଲାଗିବ ବୋଲି ସୂଚନା ମିଳିଛି । କାରଣ ପୂର୍ଣ୍ଣିମା ଯୋଗୁଁ ପାଣି ଟାଣୁନି ସମୁଦ୍ର । ପୂର୍ଣ୍ଣମୀ ପରେ ବନ୍ୟାସ୍ଥିତିରେ ସୁଧାର ଆସିବ ବୋଲି କହିଛି ଜଳସଂପଦ ବିଭାଗ ।

ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟରେ ୩୬ଟି ଘାଇ ହୋଇଥିବା ବେଳେ, ୭ଶହ ୨୯ ଘଳିଆ ମରାମତି କରାଯାଇଥିବା ଜଳସଂପଦ ବିଭାଗ ସୂଚନା ଦେଇଛି । ସେପଟେ ବ୍ରହ୍ମଣୀ ଓ ବୈତରଣୀ ନଦୀରେ ଆସିଥିବା ବନ୍ୟା ଜଳ କମିବାରେ ଲାଗିଛି । ବନ୍ୟା ଜଳ କମିଛି ସତ ହେଲେ ବଢିଚାଲିଛି ଲୋକଙ୍କ ଦୁର୍ଦ୍ଦଶା । ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପହଞ୍ଚି ସ୍ଥିତି ପରଖିବା ସହ ରନ୍ଧା ଖାଦ୍ୟ ଓ ରିଲିଫ୍ ବଣ୍ଟନ ପ୍ରକ୍ରିୟା ଜାରି ରହିଛି ।

 

ହେଲେ ରାଜ୍ୟରେ ଏବେ ବି ଲୋକେ ବନ୍ୟା ଦୁର୍ଦଶାରୁ ସମ୍ପୂର୍ଣ୍ଣ ବାହାରି ନଥିବା ବେଳେ ପୁଣି ସେମାନଙ୍କୁ ଘାରିଛି ବର୍ଷା ଭୟ । ବଜ୍ରପାତ ସହ ବର୍ଷା ନେଇ ରାଜ୍ୟର ୧୦ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ସତର୍କ କରାଇଛି । ସେପଟେ ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ହୋଇପାରେ । ସେହିପରି ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଗଜପତି, ସମ୍ବଲପୁର ଏବଂ ବରଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହି ରାଶିର ବ୍ୟକ୍ତିଙ୍କର ଆଜି ପାରିବାରିକ ବିଭ୍ରାଟ ସୃଷ୍ଟି ହୋଇପାରେ

ଆଜିର ପଞ୍ଚାଙ୍ଗ: ୦୨/୦୯/୨୦୨୦ ବୁଧବାର, ୧୪୨୮ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍, ସିଂହ ୧୮ଦିନ, ଭାଦ୍ରବ ପୂର୍ଣ୍ଣିମା ଦିବା ୧୦:୫୨ ଗତେ ପ୍ରତିପଦା

– କୁମ୍ଭଚନ୍ଦ୍ର ଅହୋରାତ୍ର

– ଶତଭିଷା ସଂଧ୍ୟା ୦୬:୩୩ ଗତେ ପୂର୍ବଭାଦ୍ର ନକ୍ଷତ୍ର

– ଘାତ ଚନ୍ଦ୍ର – ମିଥୁନ ଓ ମୀନ

– ଘାତ ବାର – କର୍କଟ ରାଶିର

– ଯୋଗିନି – ବାୟବ୍ୟେ ଦିବା ୧୦:୫୨ ଗତେ ପୂର୍ବେ

– ପୁଷ୍କର ଦୋଷ – ସଂଧ୍ୟା ୦୬:୩୩ ଗତେ ୧ପାଦ

– ଶୁଭ ସମୟ –

ଦିବା ୧୦:୧୩ ରୁ ୧୧:୨୧

ଦିବା ୦୧:୪୯ ରୁ ୦୫:୦୭

ସଂଧ୍ୟା ୦୬:୪୩ ରୁ ୧୦:୩୬

– ଅଶୁଭ ସମୟ –

ଦିବା ୦୮:୪୦ ରୁ ୧୦:୧୪

ଦିବା ୧୧:୪୬ ରୁ ୦୧:୧୩

 

ମେଷ ରାଶି –

ଆଶ୍ୱିନୀ ନକ୍ଷତ୍ର- ଆଜି ନିଜର ସକ୍ଷ ମୁତାବକ କିଛି ଖାଦ୍ୟ କୌଣସି ଅସହାୟ ଲୋକକୁ ସାହାଯ୍ୟ କରନ୍ତୁ ମନର ଆଶା ପୁରଣ ହେବ ।

ଦ୍ୱିଜା ନକ୍ଷତ୍ର – କାହା ସହିତ ମତଭେଦ ହେବ ଏବଂ ଅଯଥା ଖର୍ଚ୍ଚାନ୍ତ ହେବେ ।

କୃତ୍ତିକା ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିଛି ଘରୁ ବାହାରିଲା ବେଳେ କିଛି ଦହି ଖାଇକି ବାହାରନ୍ତୁ ।

– ଶୁଭ ରଙ୍ଗ – ହଳଦିଆ

– ଜଳରେ ହଳଦି ମିଶାଇ ସ୍ନାନ କରନ୍ତୁ ଆର୍ଶିବାଦ ମିଳିବ ।

ବୃଷ ରାଶି-

କୃତ୍ତିକା ନକ୍ଷତ୍ର – ଆଜି କୌଣସି ଆର୍ଥିକ କ୍ଷତି ହେବ ଏବଂ ନିଚ୍ଚଲୋକ ଠାରୁ ଅପମାନିତ ହେବେ ମଥାରେ ଚନ୍ଦନ ଟିକା ଲଗାନ୍ତୁ ରିଷ୍ଟ ଖଣ୍ଡନ ହେବ ।

ରୋହିଣି ନକ୍ଷତ୍ର – ସ୍ୱାମୀ ସ୍ତ୍ରୀ କିମ୍ବା ପ୍ରେମୀଯୁଗଳ ହୁଅନ୍ତୁ ମତାନ୍ତର ସହିତ ମନ ବିଚଳିତ ରହିବ, କିଛି ଖାଦ୍ୟ ଦାନ କରନ୍ତୁ ରିଷ୍ଟଖଣ୍ଡନ ହେବ ।

ମୃଗଶିରା ନକ୍ଷତ୍ର – ଆଜି ଚାକିରି ହେଉ କିମ୍ବା ବ୍ୟବସାୟରେ ସଂପୂର୍ଣ୍ଣ ସତର୍କ ରହିବେ ନଚେତ ଦଣ୍ଡିତ ହୋଇପାରନ୍ତି ।

ଶୁଭ ରଙ୍ଗ – ଲାଲ

ମଥାରେ ଚନ୍ଦନ ତିଳକ ଲଗାନ୍ତୁ ଏବଂ ଚନ୍ଦନ କାଠି ପାଖରେ ରଖି ଦିନ କାଟନ୍ତୁ ।

ମିଥୁନ ରାଶି-

ମୃଗଶିରା ନକ୍ଷତ୍ର – ଅଶୁଭ ଗ୍ରହଙ୍କର ପ୍ରଭାବରେ ଆଜି ସାଧାରଣ କଥାକୁ ନେଇ ବିଶୃଙ୍ଖଳା ଘଟିବ ଫଳରେ ମନ ଦୁର୍ବଳ ରହିବ କାର୍ଯ୍ୟ ବିଗିଡିଯିବ ।

ଆର୍ଦ୍ରା ନକ୍ଷତ୍ର – ଆଜି କୌଣସି ତରବରିଆ ନିଷ୍ପତି ନେବେ ନାହିଁ ନହେଲେ ନିଜର କ୍ଷତି ହେବ, ନିଜର କାମଗୁଡିକ ସହଜରେ ପୁରଣ ହେବନାହିଁ  ।

ପୂନର୍ବସୁ ନକ୍ଷତ୍ର – ଶତୃ ଆଜି ମିତ୍ର ପାଲଟିଯିବ,ନହେଉଥିବା କାମ ସହଜରେ ହୋଇଯିବ, ମନ ଉତ୍ସାହିତ ରହିବ ।

– ଶୁଭ ରଙ୍ଗ – ସବୁଜ

– ଜଳରେ ଗୋଲାପଜଳ ମିଶାଇ ସ୍ନାନ କରିବେ ଏବଂ ସବୁଜ ବସ୍ତ୍ର ଦାନ କରିବେ ।

କର୍କଟ ରାଶି –

ପୂନର୍ବସୁ ନକ୍ଷତ୍ର – ପାରିବାରିକ ବୋଝ ସହିତ ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣାର ଶିକାର ଏବଂ ଅର୍ଥଚିନ୍ତା ବଢିବ ।

ପୂଷ୍ୟା ନକ୍ଷତ୍ର – ଆଜି ଆତ୍ମବଳ କମିବ ଏବଂ ମନ ସନ୍ଦେହ ଭିତରେ ରହିବ ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ବିଭିନ୍ନ ସମସ୍ୟା ଉପୁଜିବ ।

ଅଶ୍ଲେଷା ନକ୍ଷତ୍ର – ପ୍ରତି କାମ ବିଳମ୍ବରେ ହାସଲ ହେବ, ପ୍ରତି ମୂହୁର୍ତ୍ତରେ ମନ ଭିତରେ ଅଜଣା ଡର ରହିବ ।

– ଶୁଭ ରଙ୍ଗ – ଧଳା

– ଓଁ ବକ୍ରତୁଣ୍ଡାୟ ନମଃ ୨୭ଥର ଜପ କରନ୍ତୁ ଏବଂ ଚଣାଡାଲି ଦାନ କରନ୍ତୁ ।

ସିଂହ ରାଶି –

ମଘା ନକ୍ଷତ୍ର – ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏବଂ ନିଜର କିଛି ଅର୍ଥ ଆଜି କାହାକୁ ସାହାର୍ଯ୍ୟ କରନ୍ତୁ ମନମୁତାବକ ଫଳ ମିଳିବ ।

ପୂର୍ବାଫାଲଗୁନି ନକ୍ଷତ୍ର – ସକାଳୁ ଉଠି ଘରପାଖରେ ଥିବା କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ସାହାଯ୍ୟ କରନ୍ତୁ ଆଶାଠାରୁ ଅଧିକ ସଫଳତା ପ୍ରାପ୍ତ ହେବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – ଆୟ ମନମୁତାବକ ରହିବ ଏବଂ ଆଶାଜନକ ପରିବେଷ ପରିସ୍ଥିତି ମିଳିବ ।

– ଶୁଭରଙ୍ଗ – ଧଳା

– ଜଳରେ କଳାରାଶି ମିଶାଇ ସ୍ନାନ କରନ୍ରୁ ଏବଂ ବିରିଡାଲି ଦାନ କରନ୍ତୁ ।

କନ୍ୟା ରାଶି –

ଉତ୍ତରାଫାଲଗୁନୀ ନକ୍ଷତ୍ର – ଜାଗାବାଡି କିମ୍ବା ନୂଆ କୌଣସି ଗାଡି କିଣିବାର ସମ୍ଭାବନା ଷୃଷ୍ଟି ହେବ, ପୂର୍ବରୁ ନିବେଷ କରିଥିବା ଅର୍ଥର ଲାଭାଶଂ ମିଳିବ ।

ହସ୍ତା ନକ୍ଷତ୍ର – ଆର୍ଥିକ ଅଭିବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ବ୍ୟବସାୟରେ ଲାଭ ବଢିବ କିନ୍ତୁ କୌଣସି ସ୍ଥାନରେ ମାନସମ୍ନାନ କ୍ଷୁର୍ଣ୍ଣ ହେବାଭଳି ପରିସ୍ଥିତି ଉପୁଜିବ ।

ଚିତ୍ରା ନକ୍ଷତ୍ର – ପ୍ରତି କାଯ୍ୟରେ ମନମୁତାବକ ଫଳ ମିଳିବ, କିନ୍ତୁ ଛାତି କିମ୍ବା ମୁଣ୍ଡ ଜନିତ ଅସୁବିଧା ଭୋଗିବେ ।

– ଶୁଭ ରଙ୍ଗ – ସବୁଜ

– ଓଁ ଗ୍ରହପତୟେ ନମଃ ୨୭ଥର ଜପ କରିବେ, କୋଳଥଡାଲି ଦାନ କରିବେ ।

ତୁଳା ରାଶି-

ଚିତ୍ରା ନକ୍ଷତ୍ର – କୌଣସି ଯୋଜନାରେ ସଫଳ ହେବେ, କିନ୍ତୁ ଅଚାନକ କୌଣସି ପ୍ରକାର ଅସୁସ୍ଥତା ମନକୁ ଅଶାନ୍ତ କରିଦେବ ।

ସ୍ୱାତୀ ନକ୍ଷତ୍ର – ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢିବ, ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ବଢିବ ।

ବିଶାଖା ନକ୍ଷତ୍ର – ଆଜି ଘରୁ ବାହାରିଲା ବେଳେ ଶମିଗଛର ପତ୍ର ନିଜ ପାଖରେ ରଖି ବାହାରନ୍ତୁ ସବୁବକାମରେ ଜୟ ହେବ॥

– ଶୁଭ ରଙ୍ଗ – ଧଳା

– ଜଳରେ ହଳଦି ମିଶାଇ ସ୍ନାନ କରିବେ ଏବଂ ଅରୁଆଚାଉଳ ଦେବଜ୍ଞ ବ୍ରାହ୍ମଣଙ୍କୁ ଦାନ କରିବେ ।

ବିଛା ରାଶି –

ବିଶାଖା ନକ୍ଷତ୍ର -ଆର୍ଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ ଯୋଜନାରେ ଅସଫଳ ହେବେ ।

ଅନୁରାଧା ନକ୍ଷତ୍ର – ପାରିବାରିକ ମାନସିକଚାପ ବଢିବ, ଆର୍ଥିକ ଅନାଟନ ବଢିବ, ବିବାହ ଯୋଗ୍ୟ ପିଲାଙ୍କର ବିବାହର ସମ୍ଭାବନା ସୃଷ୍ଟି ହେବ ।

ଜ୍ୟେଷ୍ଠା ନକ୍ଷତ୍ର – ନିତିଦିନ ଜିବନରେ ସଂଘର୍ଷ ବଢି ଚାଲିବ, ଜିବନ ଜିବିକାକୁ ନେଇ ଚିନ୍ତା ଦେଖାଦେବ ।

– ଶୁଭ ରଙ୍ଗ – ସବୁକ

– ଜଳରେ ଲାଲସିନ୍ଦୁର ମିଶାଇ ସ୍ନାନ କରିବେ ଏବଂ ଓଁ ଅଙ୍ଗାରକାୟ ନମଃ ୨୭ଥର ଜପ କରିବେ ।

ଧନୁ ରାଶି –

ମୂଳା ନକ୍ଷତ୍ର – ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ କଲ୍ୟାଣକାରି କାର୍ଯ୍ୟକରି ଆତ୍ମସମ୍ମାନ ବୃଦ୍ଧି ହେବ ।

ପୂର୍ବଷାଢା ନକ୍ଷତ୍ର – ଆଜି କିଛି ଗୁଡ ଗାଇଙ୍କୁ ନିଜ ହାତରେ ଖୁଆନ୍ତୁ ଅଟକିଥିବା କାମ ପୁରଣ ହେବ ଏବଂ ଆଶାଠାରୁ ଅଧିକ ମିଳିବ ।

ଉତ୍ତରାଷାଢା ନକ୍ଷତ୍ର – କିଛି ନା କିଛି ମନମୁତାବକ ଇଛା ପୁରଣ ହେବ, ଅନ୍ୟର ସୁଖରେ ସୁଖି ହୋଇ ମାନସମ୍ନାନ ବୃଦ୍ଧି ହେବ ।

– ଶୁଭ ରଙ୍ଗ – ଧଳା

– ଦହି ମିଶାଇ ସ୍ନାନ କରିବେ ଏବଂ ଖଣ୍ଡହଳଦି ଭଗବାନ ବିଷ୍ନୁଙ୍କୁ ଅର୍ପଣ କରିବେ ।

ମକର ରାଶି –

ଉତ୍ତରାଷାଢା ନକ୍ଷତ୍ର – ବ୍ୟୟ ବଢିବ ମାତ୍ର କୌଣସି ଅଟକିଥିବା କାର୍ଯ୍ୟ ହାସ ହେବ ଏବଂ ପୁରୁଣା ବକେୟା ମିଳିବ କିମ୍ବା ମିଳିବାର ସମ୍ଭାବନା ସୃଷ୍ଟି ହେବ ।

ଶ୍ରବଣା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, ଗୃହନିର୍ମାଣ ଆଦି କାଯ୍ୟ ଆରମ୍ଭ କରିବେ ।

ଧନିଷ୍ଠା ନକ୍ଷତ୍ର – ସମୟ ଏତେ ଶୁଭ ରହିବ ନାହିଁ ତେଣୁ ଖଣ୍ଡେ ହଳଦିଆ ବସ୍ତ୍ର ଭଗବାନ ବିଷ୍ଣୁଙ୍କୁ ସମର୍ପି କୌଣସି ଅସହାୟକୁ ଦାନ କରନ୍ତୁ ।

– ଶୁଭ ରଙ୍ଗ – ଧଳା

– ଜଳରେ ଗୁଜୁରାତି ମିଶାଇ ସ୍ନାନ କରିନ୍ତୁ ଆର୍ଶିବାଦ ମିଳିବ ।

କୁମ୍ଭ ରାଶି –

ଧନିଷ୍ଠା ନକ୍ଷତ୍ର – ଆଜି କିଛି ବିରିଡାଲି କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ରିଷ୍ଠ ଖଣ୍ଡନ ହୋଇ ଶୁଭରେ ଶୁଭରେ ଦିନ କଟିବ ।

ଶତଭିଷା ନକ୍ଷତ୍ର – ଆଜି ପ୍ରତି କ୍ଷେତ୍ରରେ ଆଶାଜନକ ପରିବେଷ ପରିସ୍ଥିତି ମିଳିବ ଏବଂ ବହୁଦିନର ଆଶା ପୁରଣ ହେବ ।

ପୂର୍ବଭାଦ୍ର ନକ୍ଷତ୍ର – ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, କ୍ଷୟକ୍ଷତିର ସୁଚନା ରହିଛି ତେଣୁ ପ୍ରତି କ୍ଷେତ୍ରରେ ସତର୍କତାର ସହିତ ରହିବା ଜରୁରୀ ।

– ଶୁଭ ରଙ୍ଗ – ହଳଦିଆ

– କିଛି ଲୁହାର ଦ୍ରବ୍ୟ କୌଣସି କଳା ବ୍ରାହ୍ମଣଙ୍କୁ ଦାନ କରନ୍ତୁ ।

ମୀନ ରାଶି –

ପୂର୍ବଭାଦ୍ର ନକ୍ଷତ୍ର – ସ୍ୱାସ୍ଥ୍ୟଜନିତ ବ୍ୟଥା ଭୋଗିବେ, ଗୃହରେ କିମ୍ବା ସଙ୍ଗସାଥିରେ ବିଶୃଙ୍ଖଳା ଷୃଷ୍ଟି ହେବ, ତେଣୁ ମନେମନେ ଓଁ ନମଃ ଶିବାୟ ଜପ କରନ୍ତୁ ।

ଉତ୍ତରଭାଦ୍ର ନକ୍ଷତ୍ର – ମନକୁ ଅଜଣା ଭୟ ମଧ୍ୟରେ ଦିନଭରି ରହିବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ବଢିବ ।

ରେବତୀ ନକ୍ଷତ୍ର – ଆୟ ଠାରୁ ବ୍ୟୟ ଅଧିକ ହେବ, ଚାକିରିରେ ଅନିଶ୍ଚିତତା ପରିସ୍ଥିତି ସୃଷ୍ଟି ହେବ, ମନ ଅସ୍ଥିର ରହିବ ।

– ଶୁଭ ରଙ୍ଗ – ନୀଳ

– ଜଳରେ କେଶର ମିଶାଇ ସ୍ନାନକରନ୍ତୁ ଏବଂ ଓଁ ବିଷ୍ଣବେ ନମଃ ୨୭ଥର ଜପ କରନ୍ତୁ ।

 

ଗର୍ଗ ଜ୍ୟୋତିଷ – ଜ୍ୟୋତିର୍ବିଦ୍ ଶ୍ରୀପତି ଆଚାର୍ଯ୍ୟ

‘ସୁଶାନ୍ତଙ୍କୁ ହତ୍ୟା ନେଇ ଏଯାଏଁ ମିଳିନି ପ୍ରମାଣ, ଆତ୍ମହତ୍ୟା ଉପରେ CBI ଫୋକସ୍’

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ କରୁଛି ସିବିଆଇ । ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ସମେତ କେସ୍ ସହ ଜଡ଼ିତ ଅନ୍ୟ ଲୋକଙ୍କୁ ଜେରା କରୁଛି ସିବିଆଇ । ଜେରା ବଢ଼ିବା ସହିତ ଜଟିଳ ହେବାରେ ଲାଗିଛି ମୃତ୍ୟୁ ରହସ୍ୟ । କାରଣ ପଚରାଉଚରାରୁ ଆସୁଛି ନୂଆ ନୂଆ ତଥ୍ୟ । କିନ୍ତୁ, ମୃତ୍ୟୁ ରହସ୍ୟ ଗୁନ୍ଥି ହୋଇ ଚାଲିଛି । ତେବେ ଏବେ ଯାଏଁ ହୋଇଥିବା ତଦନ୍ତରୁ ସୁଶାନ୍ତଙ୍କୁ ମର୍ଡର କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନଥିବା କହିଛନ୍ତି ସିବିଆଇର ୩ ଅଧିକାରୀ । ଏବେ ବି ତଦନ୍ତ ଜାରି ରହିଛି ।

ସିବିଆଇ ଅଧିକାରୀ କହିଛନ୍ତି- ଏବେ ତଦନ୍ତ ସୁଇସାଇଡ୍ ଦୃଷ୍ଟିକୋଣକୁ ଫୋକସରେ ରଖି କରାଯାଉଛି । ସୁଇସାଇଡ୍ ପାଇଁ କେହି ଉସୁକାଇ ନାହାଁନ୍ତି ତ ? ଏବେ ଯାଏଁ ସିବିଆଇ କ୍ରାଇମ୍ ସିନକୁ ରିକ୍ରିଏଟ୍ କରିଛି । ମୁମ୍ବାଇ ପୋଲିସ ଦ୍ୱାରା ସଂଗୃହିତ ପ୍ରମାଣକୁ ଯାଞ୍ଚ କରି ସିବିଆଇ ସମସ୍ତଙ୍କୁ ଜେରି କରୁଛି ।

ଟିମ୍ ଅନୁଯାୟୀ, ଫୋରେନ୍ସିକ ରିପୋର୍ଟସ, ସନ୍ଦିଗ୍ଧଙ୍କ ବୟାନ ଅବା କ୍ରାଇମ୍ ସିନ୍ ରି-କ୍ରିଏସନ୍ ତର୍ଜମା କଲେ ଏହା ହତ୍ୟା ଆଡ଼କୁ ଇସାରା କରୁନାହିଁ । ତେବେ, ତଦନ୍ତ ଏବେ ଜାରି ରହିଛି । କେସରେ ସୁଇସାଇଡ୍ ଦୃଷ୍ଟିକୋଣ ନେଇ ଆହୁରି ତଦନ୍ତ କଡ଼ା କରାଯିବ । ମର୍ଡର ତଦନ୍ତକୁ ସିବିଆଇ ବନ୍ଦ କରୁ ନାହିଁ ।

ତେବେ, ମାମଲାରେ AIIMS ଫରେନ୍ସିକ ରିପୋର୍ଟକୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । ଏହି ରିପୋର୍ଟରେ ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ଓ ଅଟୋପ୍ସି ରିପୋର୍ଟ ରହିଛି । ମଙ୍ଗଳବାର କେସର ଅଭିଯୁକ୍ତ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟାଙ୍କ ବାପା, ମାଆଙ୍କୁ ପଚରାଉଚରା କରିଥିଲା ସିବିଆଇ । ଏହା ବାଦ୍ କେସରେ ଡ୍ରଗ୍ସ ଆଙ୍ଗଲ ନେଇ ଇଡି ଗୌରବ ଆରିୟାଙ୍କୁ ଜେରା ପାଇଁ ଡାକିଛି ।