spot_img
Home Blog Page 6529

ରାଜଧାନୀରେ ୫ ହଜାର ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ୨୭୭ ପଜିିଟିଭ୍ ଓ ୧୩୩ ସୁସ୍ଥ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୮୧ ଜଣ ଚିହ୍ନଟ ହୋଇଥିବା ବେଳେ ୯୬ ଜଣ ସ୍ଥାନୀୟ ସଂକ୍ରମଣ ଅଟନ୍ତି । ସଂକ୍ରମିତ ହୋଇଥିବା ସମସ୍ତଙ୍କ ବ୍ୟକ୍ତିଙ୍କୁ ବିଏମସିର ତତ୍ତ୍ୱାବଧାନରେ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପକ୍ଷରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ପ୍ରକାଶ ପାଇଛି । ୧୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟପକ୍ଷରେ ଭୁବନେଶ୍ୱରର ମୋଟ ସଂକ୍ରମିତଙ୍କ ସଂଖ୍ୟା ଆଜିକୁ ମିଶାଇ ୫ହଜାର ଡେଇଁଛି । ତେବେ ଏମାନଙ୍କ ମଧ୍ୟରୁ ଏବେ ସକ୍ରିୟ ସଂକ୍ରମିତ ହେଲେ ୧୮୩୯ । ବାକି ୩୨୫୧ ଜଣ ସୁସ୍ଥ ହୋଇ ସାରିଲେଣି । ଭୁବନେଶ୍ୱର କରୋନା ସଂକ୍ରମଣର ଶୀକାର ହୋଇ ୨୩ ଜଣ ମୃତ ଘୋଷିତ ହେଲେଣି । ସୂଚନାଯୋଗ୍ୟ ଯେ ଗଞ୍ଜାମ ପରେ ଖୋର୍ଦ୍ଧା ଜିଲ୍ଲାରେ ସବୁଠାରୁ ଅଧିକ ସଂକ୍ରମିତ ଦେଖିବାକୁ ମିଳୁଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ସଂକ୍ରମଣ ଅପେକ୍ଷାକୃତ ଭାବେ ଭୁବନେଶ୍ୱରଠାରୁ କମ୍ ରହିଛି । ତେବେ ସଂକ୍ରମଣକୁ କାବୁ କରିବା ପାଇଁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ ସବୁ ପ୍ରକାର ଉଦ୍ୟମ କରୁଛି । ତେବେ ଏବେ କିଛି ଦିନ ବିଏମସିର ସବୁ ଉଦ୍ୟମ ସତ୍ତ୍ୱେ ମଧ୍ୟ ରାଜଧାନୀରେ ସଂକ୍ରମଣ ଉପର ମୁହାଁ ହୋଇଛି ।

ଋଷର କରୋନା ଭ୍ୟାକ୍ସିନ୍ ଉପରେ ଭରସା ଦେଖାଇଲେ ଏହି ସବୁ ଦେଶ, ରଖିଲେ ଏହି ସବୁ ସର୍ତ୍ତ

ନୂଆଦିଲ୍ଲୀ: ଦୁନିଆର ପ୍ରଥମ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିଥିବା ନେଇ ଋଷ ଦାବି କରିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କହିବା ଅନୁଯାୟୀ ପରୀକ୍ଷାର ସବୁ ପର୍ଯ୍ୟାୟରେ ଭ୍ୟାକ୍ସିନ୍ ଆଶାନୁରୂପ ଫଳ ଦେଖାଇଛି । ତେବେ, Sputnik V (ସ୍ପୁଟନିକ ଭି) ନାମରେ ନାମିତ ଏହି ଭ୍ୟାକ୍ସିନ୍ ଏବେ ଯାଏଁ ଆମେରିକା ଭଳି କେତକ ବଡ଼ ଦେଶର ଭରସା ଜିତି ପାରିନାହିଁ । ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଋଷର କରୋନା ଭ୍ୟାକ୍ସିନ୍ ଉପରେ ଆସ୍ଥା ପ୍ରକଟ କରିନାହିଁ ।

ରଷିୟାନ ଡିଫେନ୍ସ ମିନିଷ୍ଟ୍ରୀ ଓ ଗମାଲେୟା ରିସର୍ଚ୍ଚ ଇନଷ୍ଟୁଚ୍ୟୁଟ୍ ଦ୍ୱାରା ବିକଶିତ ଏହି ଭ୍ୟାକ୍ସିନ୍ କରୋନା ଭାଇରସ୍ ବିପକ୍ଷରେ ଇମ୍ୟୁନିଟିକୁ ୨ ବର୍ଷ ଯାଏଁ ବଢ଼ାଇ ପାରିବ । ଏହି ଦାବି ଖୋଦ୍ ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରାଯାଇଛି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବୟାନ ପରେ କିଛି ଦେଶ ଋଷ ଭ୍ୟାକ୍ସିନ ଉପରେ ଆଗ୍ରହ ଦେଖାଇଛନ୍ତି ।

ଭିଏତନାମର ଏକ ସ୍ଥାନୀୟ ଖବରକାଗଜରେ ପ୍ରକାଶ ରିପୋର୍ଟରେ କୁହାଯାଇଛି- ଋଷ ନିର୍ମିତ କରୋନା ଭ୍ୟାକ୍ସିନ୍ କିଣିବାକୁ ଶୁକ୍ରବାର ଭିଏତନାମ ପଞ୍ଜିକରଣ କରିଛି । ପ୍ରଥମ ପର୍ଯ୍ୟାୟରେ ଭିଏତନାମ ଋଷ ନିର୍ମିତ ଭ୍ୟାକ୍ସିନର ୫୦ରୁ ୧୫୦ ମିଲିୟନ ଡୋଜ୍ କିଣିପାରେ ବୋଲି କୁହାଯାଇଛି । ଋଷର ଏହି ଭ୍ୟାକ୍ସିନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଏହା ୯ କ୍ୟାଣ୍ଡିଡେଟସରେ ସ୍ଥାନ ପାଇବ ନାହିଁ ।

ସେପଟେ ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଭ୍ୟାକ୍ସିନ୍ କିଣିବା ନେଇ ଖୁବଶୀଘ୍ର ନିଷ୍ପତ୍ତି ନେଇପାରେ । ଇସ୍ରାଏଲର କହିବା କଥା ସେ ପ୍ରଥମେ ଭ୍ୟାକ୍ସିନର ଟେଷ୍ଟ କରିବ ଓ ପରିଣାମ ଠିକ୍ ଆସିଲେ ଭ୍ୟାକ୍ସିନ୍ କିଣିବା ନେଇ ଋଷ ସହ କଥାବାର୍ତ୍ତା କରିବ ।

ଭିଏତନାମ, ଇସ୍ରାଏଲ ବ୍ୟତୀତ୍ ଫିଲିପାଇନ୍ସ ମଧ୍ୟ ଋଷ ଭ୍ୟାକ୍ସିନ୍ କିଣିବା ଉପରେ ଆଗ୍ରହ ପ୍ରକାଶ କରିଛି । ତେବେ, ଋଷ ନିର୍ମିତ ଭ୍ୟାକ୍ସିନ୍ ପରୀକ୍ଷା କରିବାକୁ ଫିଲିପାଇନ୍ସ ଏକ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ କରିବ । ଯେଉଁଥିରେ ଭ୍ୟାକ୍ସିନ୍ କ୍ଷମତା ସମ୍ପର୍କରେ ଜଣାପଡ଼ିବ । ଏହି ପରୀକ୍ଷଣ ଅକ୍ଟୋବର ମାସରେ ଆରମ୍ଭ ହେବ । ଯଦି ପରୀକ୍ଷଣରେ ଭ୍ୟାକ୍ସିନ୍ ସଫଳ ହୁଏ ତେବେ ୨୦୨୧ ମସିହା ଏପ୍ରିଲ୍ ମଧ୍ୟରେ ଏହା ଲୋକଙ୍କ ପାଇଁ ଉପଲବ୍ଧ ହେବ ।

ଋଷର ୩ ହଜାରରୁ ଅଧିକ ମେଡିକାଲ ପ୍ରଫେସନାଲଙ୍କ ଉପରେ ହୋଇଥିବା ସର୍ଭେ ଅନୁସାରେ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ମଧ୍ୟ ଏହି ଭ୍ୟାକ୍ସିନ୍ ଉପରେ ଆସ୍ଥା ପ୍ରକଟ କରିନାହାଁନ୍ତି । ଭ୍ୟାକ୍ସିନ୍ ବାବଦରେ ଅଧିକ ତଥ୍ୟ ନଥିବାରୁ ସେମାନେ ଏହାର ଅନୁମୋଦନ ପ୍ରକ୍ରିୟାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ।

ଡ଼ାକ୍ତରଙ୍କୁ ଆକ୍ରମଣ କଲେ ମୃତକଙ୍କ ସମ୍ପର୍କୀୟ, ମାମଲା ଦାୟର ପରେ ଦୁଇ ଅଟକ…

ବଲାଙ୍ଗିର : ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ରୋଗୀ ମୃତ ଘୋଷିତ ହେବା ପରେ ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ ଡାକ୍ତର ଓ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ହତ୍ୟା ଧମକ ମଧ୍ୟ ଦେଇଛନ୍ତି । ଏପରିକି ଦୁର୍ବ୍ୟବହାର ମଧ୍ୟ କରିଛନ୍ତି । ଏଭଳି ଘଟଣା ଘଟିଛି ବଲାଙ୍ଗିର ଭୀମ ଭୋଇ ଡ଼ାକ୍ତରଖାନାରେ । ମିଳିଥିବା ସୂଚନା ଅନୁଯାୟୀ, ଆଗଲପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କାନ ବିନ୍ଧା ହେଉଥିବାରୁ ଭୀମଭୋଇ ମେଡିକାଲକୁ ଆଣିଥିଲେ ଘରଲୋକେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଶବ ବ୍ୟବଛେଦ କରିବା ପାଇଁ  କହିଥିଲେ ।

ଏଥିରେ ଉତ୍ୟକ୍ତ ହୋଇ ମୃତକଙ୍କ ସଂପର୍କୀୟମାନେ ଡାକ୍ତରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ଼ ମାରିବାକୁ ଧମକ ଦେଇଥିଲେ । ବଲାଙ୍ଗୀର ଭୀମଭୋଇ କଲେଜ ଓ ହସ୍ପିଟାଲରେ  କରୋନା ଯୋଦ୍ଧାଙ୍କୁ ଆକ୍ରମଣ ଓ ଧମକ ଭଳି ଘଟଣା ବାରମ୍ବାର ଘଟୁଥିବାର ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାପରେ ଡ଼ାକ୍ତରଖାନା ତରଫରୁ ଥାନାରେ ଅଭିଯୋଗ ଦିଆଯାଇଛି । ବଲାଙ୍ଗିର ଟାଉନ୍ ଥାନା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ।

ଋଷ ଟିକାକୁ ମଜାରେ ଉଡାଇଲା ଆମେରିକା,କହିଲା ଏମିତି ଟିକା ଆମେ କେବଳ ମାଙ୍କଡଙ୍କୁ ଦେଉ

ନ୍ୟୁୟର୍କ: ଋଷ କରୋନା ଟିକାକୁ ନେଇ ବିଶ୍ୱବ୍ୟାପି ଆଲୋଚନା ହେଉଛି । ଋଷ ଏହି ଟିକା ଦ୍ୱାରା ପୁଣିଥରେ ବିଶ୍ୱ ଜିଓ ପଲିଟିକ୍ସରେ ନିଜ ଦବଦବା ବଢାଇବାକୁ ଚାହୁଁଛି । ଫିଲିପାଇନସ୍,ଭିଏତନାମ ଓ କିଛି ଆରବ ରାଷ୍ଟ୍ର ଏହି ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆମେରିକା ଟିକାକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି ।

ହ୍ୱାଇଟ୍ ହାଉସ୍ ପ୍ରେସ ସଚିବ କାୟଲେ ମୈକନିଙ୍କ ଅନୁସାରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଋଷ ଭ୍ୟାକ୍ସିନ ବାବଦରେ ସୂଚୀତ କରାଯାଇଛି । ମୈକନୀ କହିଛନ୍ତି ଯେ, ଆମେରିକାରେ ଭ୍ୟାକ୍ସିନକୁ ତୃତୀୟ ପର୍ଯ୍ୟାୟ କଠିନ ପରୀକ୍ଷା ଦେଇ ଯିବାକୁ ପଡିଥାଏ । ଅର୍ଥାତ ଏମିତି କହି ମୈକନୀ ଋଷ ଟିକା ଅସୁରକ୍ଷିତ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଆମେରିକାର ଆଉ ଜଣେ ବରିଷ୍ଠ ଅଧିକାରୀ ସିଏନଏନକୁ ଦେଥିବା ସାକ୍ଷାତକାରରେ କହିଛନ୍ତି ଯେ,ଆମେରିକା ଋଷର ଅଧା ଅଧୁରା ଟିକାକୁ କେବେ ମଧ୍ୟ ଗମ୍ଭୀରତାର ସହ ନେଇନାହିଁ ।  ଋଷ ଯେଉଁଭଳି ଭ୍ୟାକ୍ସିନ୍ ତିଆରି କରିଛି ଆମେ ତାକୁ ମାଙ୍କଡଙ୍କ ଉପରେ ପ୍ରୟୋଗ କରୁ ।

sputnik

ଅନ୍ୟପକ୍ଷରେ ଋଷର କହିବା ହେଉଛି ନିଜ ଭ୍ୟାକ୍ସିନ ସଂପର୍କିତ ଡାଟା ଅନ୍ୟ ଦେଶଙ୍କ ସହ ବାଣ୍ଟିବାକୁ ମସ୍କୋ ପ୍ରସ୍ତୁତ ଅଛି । ଫଳରେ ଆମେରିକୀୟ ଔଷଧ କମ୍ପାନୀ ନିଜ ଦେଶରେ ଋଷ ଭ୍ୟାକ୍ସିନ ତିଆରି କରି ପାରିବେ । ସୂଚନାଯୋଗ୍ୟ ଯେ,ଆମେରିକାର କିଛି କମ୍ପାନୀ ଋଷ ଭ୍ୟାକ୍ସିନ ବାବଦରେ ଜାଣିବା ପାଇଁ ଉତ୍ସୁକ ଅଛନ୍ତି । ତେବେ ସେହି କମ୍ପାନୀଙ୍କ ନାମ ଋଷ ଏପର୍ଯ୍ୟନ୍ତ ସାର୍ବଜନୀନ କରିନି ।

ଋଷର କହିବା ହେଉଛି ଆମେରିକା ଆମ ଭ୍ୟାକ୍ସିନ ବାବଦରେ ଗମ୍ଭୀରତାର ସହ ବିଚାର କରିବା ଆବଶ୍ୟକ । ସ୍ପୁଟନିକ୍ ଭି ଭ୍ୟାକ୍ସିନ୍ ଅନେକ ଆମେରିକୀୟଙ୍କ ଜୀବନ ରକ୍ଷା କରିପାରିବ । ସିଏନଏନକୁ ସାକ୍ଷାତକାର ଦେଇ ଋଷର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ,ଯଦି ଆମ ଭ୍ୟାକ୍ସିନ୍ କରୋନା ବିରୋଧରେ ସବୁଠୁ ଭଲ ଟିକା ଭାବେ ଉଭା ହୁଏ ତେବେ ଆମେରିକାରେ ଏହି ପ୍ରଶ୍ନ ଉଠିବ ଯେ, କ’ଣ ପାଇଁ ଏହାକୁ  ବିଚାରକୁ ନିଆଗଲା ନାହିଁ । ଭ୍ୟାକ୍ସିନକୁ ନେଇ ରାଜନୀତି କ’ଣ ପାଇଁ ହେଉଛି ବୋଲି ଋଷ ଅଧିକାରୀ ପ୍ରଶ୍ନ କରିଛନ୍ତି ।

ଆମେରିକା ସରକାରର ଜଣେ ବରିଷ୍ଠ ଅଧିକାରୀ ସିଏନଏନକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ଆମେରିକା ଋଷକୁ କରୋନା ଭ୍ୟାକ୍ସିନର ନମୂନା ମାଗି ନାହିଁ । ଭ୍ୟାକ୍ସିନକୁ ନେଇ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ, ଋଷରେ ଯେତିକି ସଂଖ୍ୟକ ସକ୍ରିୟ ସଂକ୍ରମିତ ରହିଛନ୍ତି ସେଠାକାର ସରକାର ଚାହିଁଥିଲେ ଆରାମରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରି ପାରିଥାନ୍ତେ ।  କିନ୍ତୁ ସେମାନେ ବଡ ଧରଣର ପରୀକ୍ଷଣ କରିନାହାନ୍ତି ।

ଆମେରିକୀୟ ଅଧିକାରୀ ଜଣକ କହିଛନ୍ତି ଯେ, ‘‘ଭ୍ୟାକ୍ସିନ୍ ଉପରେ କୌଣସି ଟ୍ରାଏଲ କରାଯାଇ ନାହିଁ । ଏହି ଭ୍ୟାକ୍ସିନ ଉପରେ ସେମାନେ କୌଣସି କାମ କରି ନାହାନ୍ତି । ବହୁତ କମ ଲୋକଙ୍କ ଉପରେ ହ୍ୟୁମେନ୍ ଟ୍ରାଏଲ କରାଯାଇଛି ।  ଏଥିରୁ ଏହା ଜଣା ପଡୁନାହିଁ ଯେ, ଏହି ଭ୍ୟାକ୍ସିନ୍ ବଡ ଜନସଂଖ୍ୟାରେ  ସଫଳ ସାବ୍ୟସ୍ତ ହେବ କି ନାହିଁ ।ଯାହା ଡାଟା ରହିଛି ତାହ ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ ଓ ଅପର୍ଯ୍ୟାପ୍ତ ।

ଏଣିକି ଅଙ୍ଗନୱାଡ଼ିରେ ମିଳିବ ମାଣ୍ଡିଆ ଲଡ଼ୁ

0

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ କିଛି ଦିନ ତଳେ ମାଣ୍ଡିଆ ଲଡ଼ୁକୁ ଅଙ୍ଗନାଓ୍ୱାଡ଼ି ଖାଦ୍ୟସାରଣୀରେ ସାମିଲା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଏବେ ସ୍ୱାଧୀନତା ଦିବସ ଉପଲକ୍ଷେ ଡିଏମଏଫ ମାଧ୍ୟମରେ  ସମନ୍ୱିତ ଶିଶୁ ବିକାଶ ସେବା ବା ଆଇସିଡିଏସରେ ରାଗି ଲଡୁକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହାକୁ ଲଂଚ କରିଛନ୍ତି ମହିଳା ଏବଂ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ । ସଦଭାବନା ଭବନରେ ଆୟାଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ(ଆଇଏଏସ),ଏଡିମ,ସିଡିଏଓ,ପିଡି ଡିଆରଡିଏ,ଡିଏସଡବ୍ଲ୍ୟୁଓ, ଉପ ଜିଲ୍ଲାପାଳ ଏବଂ ଅନ୍ୟ ମସସ୍ତ ଉଚ୍ଚ ପଦସ୍ଥ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ସୁନ୍ଦରଗଡ଼ରେ ଶିଶୁଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ଏହା ସରକାରଙ୍କର ଏକ ଅଭିନବ ପ୍ରୟାସ । ଏହି କାର୍ଯ୍ୟକ୍ରମ ଦ୍ୱାରା ପାଇଲଟ ପ୍ରକଳ୍ପ ଭାବରେ ହେମଗିରି ବ୍ଲକରେ ମାଣ୍ଡିଆ ଲଡ଼ୁ ଏବଂ ଲେଫ୍ରିପଡ଼ା ବ୍ଲକରେ ସ୍ପିରୁଲିନାଯୁକ୍ତ ବାଦାମ ଚିକି ବଣ୍ଟନ କରାଯାଇଛି ।ଏହାର ଟ୍ୟାଗଲାଇନ ରହିଛି ‘ଉତ୍ତମ ପୋଷଣ, ସୁସ୍ଥ ଜୀବନ’ । ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଅଙ୍ଗନବାଡ଼ି ଜରିଆରେ ଏହାକୁ ବଣ୍ଟା ଯିବ । ଉଲ୍ଲେଖଯୋଗ୍ୟ ଶିଶୁ କ୍ଷେତ୍ରରେ ପାଷଣକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଆାଗାମୀ ଦିନରେ ସାରା ରାଜ୍ୟରେ ଏଭଳି ଅଭିନବ ନିଷ୍ପତ୍ତିକୁ ଲାଗୁ କରିବା ଦିଗରେ ମଧ୍ୟ ବିଚାର କରାଯିବ ।

 

 

ରାଜ୍ୟରେ ବନ୍ୟା ସ୍ଥିତି : ବସ୍ତି ଧୋଇନେଲା ବନ୍ୟାଜଳ, ଟ୍ରକ୍ ଓଲଟିଲା-ଲୋକ ଭାସିଗଲେ

0

ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ହେଉଛି । ଫଳସ୍ୱରୂପ ଅନେକ ଜିଲ୍ଲାରେ ବନ୍ୟା ସ୍ଥିତି ଦେଖା ଦେଲାଣି । ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ ବନ୍ୟାସ୍ଥିତି ଭୟଙ୍କର ରୂପ ନେଉଛି  ।  ଆଜି ବନ୍ୟା ଜଳରେ ଜଣେ ଯୁବକ ଭାସି ଯାଉଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ଶ୍ରମିକ ଅଟନ୍ତି । ଏକ ପୋଲ ନିର୍ମାଣ କାର୍ଯ୍ୟରେ ତାଙ୍କୁ ନିଯୋଜିତ କରାଯାଇଥିଲା । ତାଙ୍କ ସମେତ ସମୁଦାୟ ୧୨ ଜଣ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ତେବେ କାମ କରୁଥିବା ପୋଲ ପାଖରେ ଏକ ଅସ୍ଥାୟୀ କ୍ୟାମ୍ପ କରି ଏମାନେ ରହୁଥିଲେ । ପାଣ୍ଡରା ନାଳର ଜଳସ୍ତର ବଢିବା ହେତୁ ପାଣି ମାଡ଼ି ଆସିଥିଲା । ଫଳରେ ଯୁବକ ଜଣଙ୍କ ଫସି ରହି ଯାଇଥିଲେ ।

ଅନ୍ୟପକ୍ଷରେ କଟକ-ସମ୍ବଲପୁରର ପୁରୁଣା ରାସ୍ତା ମଧପୁର ଠାରେ ରାସ୍ତା ଉପରେ ୩ ଫୁଟର ପାଣି ଲହଡି ମାରୁଛି । ଯାନବାହନ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ପାଣିରେ ରାସ୍ତା ଦେଖା ନଯିବା ଫଳରେ ଏକ ବାଇଗଣ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାରେ ଲେଉଟି ପଡିଛି । ତେବେ ଏଥିରେ ଗାଡି ଚାଳକଙ୍କ କିଛି କ୍ଷତି ଘଟିନାହିଁ ।

ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ବନ୍ୟାର ପ୍ରଭାବ ଦେଖିବାକୁ ମିଳିଲାଣି । ଅନେକ ସ୍ଥାନରେ ଗମାନଗମନ ବିପଦସଙ୍କୁଳ ହୋଇ ପଡ଼ିଥିବା ବେଳେ ଜଳସ୍ତର ପ୍ରାୟ ୨ଫୁଟରୁ ୩ ଫୁଟ ଉଚ୍ଚରେ ଦେଖିବାକୁ ମିଳିଛି । ପ୍ରବଳ ପାଣି ଚାଲିବା ଯୋଗୁ କାଙ୍ଗୁରକୋଣ୍ଡା ପୋଲ ଉପରୁ ଟ୍ରକ ଭାସିଯାଇଛି । ଟ୍ରକ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅଗ୍ନିଶମ ବାହିନୀ ଦ୍ୱାରା ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି  । କାଙ୍ଗୁରକୋଣ୍ଡା ପୋଲ ବ୍ୟତୀତ ମହାରାଜପଲି,ଏମଭି ୯୦, କନ୍ୟାଶ୍ରମ, କାଙ୍ଗୁରକୋଣ୍ଡା ଓ ପୋଟେରୁ, ସମସ୍ତ ପୋଲ ଗୁଡିକରେ ୨ରୁ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି  । ମାଲକାନଗିରିରୁ କାଲିମେଳା ଓ ମୋଟୁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଚାଷଜମି, ଘର ଜଳବନ୍ଦୀ ଅବସ୍ଥାରେ ରହିଛି  । ପରିସ୍ଥିତିର ମୁକାବିଲା  ପାଇଁ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବ୍ଲକ ପ୍ରଶାସନ ସଜାଗ ରହିଛି  ।

ଅନ୍ୟପକ୍ଷରେ ଯାଜପୁର ଜିଲ୍ଲାରେ ମଧ୍ୟ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ଏକ ଆଦିବାସୀ ବସ୍ତିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲିଠୁ ପ୍ରବଳ ବର୍ଷା ଯୋଗୁଁ ବସ୍ତି ପାଖରେ ଯାଇ ଥିବା ଏକ କେନାଲ ପାଣି ବସ୍ତି ଅଂଚଳକୁ ପଶି ଯାଇ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଅଚାନକ ରାତି ଅଧରେ ପାଣି ଆସିବାରୁ ବସ୍ତି ବାସିନ୍ଦା ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ । ଏହି ବସ୍ତି ରେ ୫୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ଘରର ସମସ୍ତ  ଜିନିଷପତ୍ର ବୁଡି ଯାଇଥିବାରୁ ଲୋକେ ଭୋକ ଉପାସରେ ବାହାରେ ବସି ରହିଛନ୍ତି । କୌଣସି ପ୍ରଶାସନିକ ଅଧିକାରୀ ପହଂଚି ନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଧାମନଗର ବିଜ୍ଞାପିତ ପରିଷଦ ଅଞ୍ଚଳ । ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଧାମନଗର ବ୍ଲକରେ ସର୍ବାଧିକ ୨୬୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷା ଯୋଗୁଁ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେତେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଛି । ଏମିତି କି ଧାମନଗର ଏନଏସି ମଧ୍ୟ ପାଣିରେ ବୁଡି ଯାଇଛି । କାର୍ଯ୍ୟାଳୟ ମଧ୍ୟରେ ପାଣି ଭର୍ତ୍ତି ହୋଇଯାଇଛି । କେତେକ ସ୍ଥାନରେ ଘରେ ପସିଛି ପାଣି ।

ରାଜନୀତିରେ ପ୍ରବେଶ କରିବେ ବଲିଉଡ କୁଇନ ?

ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ପରଠାରୁ ନିଜର ଦୃଢ ବୟାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ କୁଇନ କଙ୍ଗନା ରନୌତ । କଙ୍ଗନା ନେପାଟିଜମକୁ ନେଇ ବାରମ୍ବାର ନିଜର ମତ ଦେଇ ଆସିଛନ୍ତି ଏବଂ କିଭଳି ଭାବରେ ତାଙ୍କୁ ମଧ୍ୟ ଲୋକ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରୁଥିଲେ ତାହା ମଧ୍ୟ ଏକ ଭିଡ଼ିଓ ମାଧ୍ୟମରେ ସେ ଲୋକଙ୍କ ନିକଟରେ ପହଂଚାଇଥିଲେ । କେବଳ ସେତିକି ନୁହେଁ କିଛି ବଲିଉଡ ଫିଲ୍ମ ନିର୍ମାତା ଏବଂ କଳାକାର କେଉଁଭଳି ଭାବରେ ଇଣ୍ଡଷ୍ଟ୍ରିରେ ନିଜର ଆଧିପତ୍ୟ ବିସ୍ତାର କରି କିଛି ଦଶନ୍ଧି ଧରି ରାଜନୀତି କରୁଛନ୍ତି ଏହାକୁ ନେଇ ମଧ୍ୟ ନିଜର ବୟାନ୍ ଦେଇଛନ୍ତି କଙ୍ଗନା ରନୌତ । ଏଥର କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରି ଟ୍ରୋଲର୍ସଙ୍କ ଟ୍ରୋଲିଂର ଶୀକାର ହୋଇଛନ୍ତି କଙ୍ଗନା । କଙ୍ଗନା ମଧ୍ୟ ଚୁପ ରହିବା ଭଳି ଅଭିନେତ୍ରୀ ନୁହଁନ୍ତି । ସେ ମଧ୍ୟ କଡ଼ା ଜଓ୍ୱାବ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋନିଙ୍କୁ ସମର୍ଥନ କରି କଙ୍ଗନା ଲେଖିଛନ୍ତି, ଯେଉଁମାନେ ଭାବୁଛନ୍ତି ମୁଁ ରାଜନୀତିକୁ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଛି, ଏହା ସେମାନଙ୍କ ପାଇଁ । ମୁଁ ଜଣେଇ ଦେବାକୁ ଚାହୁଁଛିକି ମୋ ଜେଜେ ୧୫ ବର୍ଷ ଧରି କଂଗ୍ରେସରେ ବିଧାୟକ ଥିଲେ । ଆରମ୍ଭରୁ ମୋ ପରିବାର ରାଜନୀତି ସହିତ ଜଡ଼ିତ । ଏହା ସହିତ ମୋ ପରିବାର ରାଜନୀତି ସହିତ ଏତେ ଜଡ଼ିତ କି ଫିଲ୍ମ ଗ୍ୟାଙ୍ଗଷ୍ଟର ପରଠାରୁ ମୋତେ ରାଜନୀତିରେ ପ୍ରବେଶ କରିବା ପାଇଁ ବାରମ୍ବାର ଅଫର ଆସୁଛି ।
ଫିଲ୍ମ ମଣିକର୍ଣ୍ଣିକା ପରେ ବିଜେପିରୁ ଟିକେଟ୍ ମିଳିଥିବା ଖୁଲାସା କରିଛନ୍ତି କଙ୍ଗନା ରନୌତ । କିନ୍ତୁ ନିଜ କାମକୁ ଭଲ ପାଉଥିବା କଙ୍ଗନା ରାଜନୀତିରେ ପ୍ରବେଶ କରିବାକୁ ଚାହାଁନ୍ତିନି ବୋଲି କହିଛନ୍ତି ବଲିଉଡ କୁଇନ ।

ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୭୪ ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ଭାରତ ଆଜି ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ପଲ୍ଲିରୁ ଦିଲ୍ଲୀ ଚାରିଆଡ଼ି ଗୋଟିଏ ସ୍ୱର ଦେଶ ଭକ୍ତିର । ଆଉ ତିନୋଟି ରଙ୍ଗ ସେ ହେଉଛି ତ୍ରିରଙ୍ଗାର ।   ଯଦିଓ କରୋନା କାରଣରୁ  ଉତ୍ସବ ଫିକା ପଡିଛି ତଥାପି ଉତ୍ସାହ କମିନାହିଁ । ଆଜିର ଦିନରେ ଦେଶବାସୀ ମନେ ପକାଉଛନ୍ତି ସହିଦ ଯବାନ ଓ ସ୍ୱତନ୍ତ୍ରତା ସଂଗ୍ରାମୀଙ୍କୁ ।  କୁ । ଏନେଇ ଆଜି ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତଳନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ପଦର୍ଶନୀ ପଡ଼ିଆରେ ପତାକା ଉତ୍ତଳନ କରିଛନ୍ତି ।

ସେହିଭଳି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ଆଜି ସ୍ୱାଧିନତା ଦିବସକୁ ପାଳନ କରାଯାଇଛି । ଏହି  ଅବସରେ ଆଜି ବିଜେଡି କାର୍ଯ୍ୟାଳୟରେ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି  । ଏଥିରେ ବରିଷ୍ଠ ନେତାମାନେ ଉପସ୍ଥିତି ରହିବା ସହ ପତାକା ଉତ୍ତୋଳନ କରି ସହିଦ ବୀରମାନଙ୍କୁ ମନେପକାଇଛନ୍ତି ।

ଅନ୍ୟପଟେ ଭୁବନେଶ୍ୱର ବାପୁଜୀନଗର ବ୍ୟବସାୟୀ ସଂଘ, ବିଏମସି କାର୍ଯ୍ୟାଳୟ ଓ କଂଗ୍ରେସ ଭବନରେ କଂଗ୍ରେସ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ବେଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୭୪ ତମ ସ୍ୱାଧୀନତା ଦିବସ ପାଳିନ କରାଯାଇଛି । ତେବେ ଏହି ଅବସରରେ କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟରେ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ  ।

ଲଘୁଚାପ ପ୍ରଭାବରେ ବର୍ଷା ଜାରି, ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର: ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଉତ୍ତର ଉପକୂଳ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ସକ୍ରିୟ ରହିଛି । ଏହାର ପ୍ରଭାବରେ ମୌସୁମି ମଧ୍ୟ ସକ୍ରିୟ ଅବସ୍ଥାରେ ଅଛି । ଫଳରେ ଆସନ୍ତା ୧୭ ତାରିଖ ଯାଏ ବିଭିନ୍ନ ଜିଲାରେ ବର୍ଷା ହେବ। ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ହସ୍ତଗତ ସୂଚନା ଅନୁସାରେ, ଆଜି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ଦେବଗଡ଼, ଅନୁଗୋଳ, ବୌଦ୍ଧ, ନୂଆପଡ଼ା ଓ ସୋନପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ସହ ମାଟି ଘର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି । ଅପରପକ୍ଷେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି ଓ ଢ଼େଙ୍କାନାଳ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ୧୬ ତାରିଖରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ନୂଆପଡ଼ା, ନବରଙ୍ଗପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ମଧ୍ୟରେ ୪୫ରୁ ୫୫ କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ୧୬ ତାରିଖ ପର୍ୟ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ଚୀନର ଶାଡୋଙ୍ଗରେ ବେରୁଟ ଭଳି ବିସ୍ଫୋରଣ,ଉଡିଲା ଅନେକ ଘର

ବେଜିଂ: ଚୀନର ଶାଡୋଙ୍ଗ୍ ପ୍ରଦେଶରେ ବେରୁଟ୍ ଭଳି ଭିଷଣ ବିସ୍ଫୋରଣ ହୋଇଛି । ଚୀନ ମିଡିଆ ଅନୁସାରେ ଏହି ଏହି ବିସ୍ଫୋରଣ ପୂର୍ବ ଚୀନର ଶାଡାଙ୍ଗ ପ୍ରଦେଶର ଏକ ବଜାର ନିକଟରେ ହୋଇଛି । ଏହି ବିସ୍ଫୋରଣରେ ମୃତହାତଙ୍କ ସଂଖ୍ୟା ବାବଦରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ପାରିନାହିଁ । ବିସ୍ଫୋରଣ ପରେ ଧୂଆଁର ବିଶାଳ ଚାଦର ଦେଖିବାକୁ ମିଳିଥିଲା । ବିସ୍ଫୋରଣ କାରଣରୁ ଅନେକ ଘରର ଛାତ ଉଡିଯାଇଛି

ଗ୍ଲୋବାଲ ଟାଇମ୍ସ ଅନୁସାରେ ଏହି ଘଟଣାରେ ଏପର୍ଯ୍ୟନ୍ତ କେତେଜଣ ପ୍ରାଣ ହରାଇଛନ୍ତି ସେ ବାବଦରେ କୌଣସି ତଥ୍ୟ ମିଳିନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ପ୍ରାରମ୍ଭିକ ତଦନ୍ତରୁ କୃଷକଙ୍କ ସାମଗ୍ରୀ ରଖିବା ସ୍ଥାନରେ ବିସ୍ଫୋରଣ ହୋଇଥିବା ଜଣା ପଡିଛି । କୁହାଯାଉଛି ଯେ, କାଠ କାଟିବା କାଳରେ ବିଦ୍ୟୁତ ତାର କ୍ଷତିଗ୍ରସ୍ତ କାରଣରୁ ବିସ୍ଫୋରଣ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଲେବାନନ୍ ରାଜଧାନୀ ବେରୁଟରେ ହୋଇଥିବା ବିସ୍ଫୋରଣରେ ୧୭୮ ଜଣ ପ୍ରାଣ ହରାଇଥିଲେ । ବେରୁଟ ପୋର୍ଟରେ ଥିବା ଗୋଦାମର ୬ ବର୍ଷ ଧରି ପଡିରହିଥିବା ୨ ହଜାର ୭୫୦ କିଲୋ ଆମୋନିୟମ ନାଇଟ୍ରେଟ୍ କାରଣରୁ ଏହି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପରେ ପୁରା ବେରୁଟ ସହର ଧ୍ୱସ୍ତ ହୋଇଯାଇଥିଲା ।  ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହାକୁ ୧.୫ କିଲୋମିଟର ଦୂର ପର୍ଯ୍ୟନ୍ତ ଦେଖାଯାଇଥିଲା । ବେରୁଟ ବିସ୍ଫୋରଣରେ ୫ ଜଣ ଭାରତୀୟ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ ।