କରୋନା ମୁକାବିଲା: ବୁର୍ଲା ଭିମସାରରେ ୧୦୦ ଶଯ୍ୟାର କୋଭିଡ୍ ହସ୍ପିଟାଲ୍, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ସମ୍ୱଲପୁର: ବୁର୍ଲା ଭିମସାରରେ ନବ ନିର୍ମିତ ୯ ମହଲା ବିଶିଷ୍ଟ କୋଠାକୁ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲରେ ପରିବର୍ତ୍ତିତ କରାଯିବ । ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସମ୍ୱଲପୁର ଗସ୍ତ ବେଳେ ଏଭଳି ନିଷ୍ପତ୍ତି ଆସିଛି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ସମ୍ୱଲପୁର ଗସ୍ତ ବେଳେ ତାଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଓ ଡିଏମଟି ନିର୍ଦ୍ଦେଶକ ମଧ୍ୟ ଗସ୍ତ କରିଥିଲେ । ଭିମସାରରେ ଏକ ଓଟି ଏବଂ ୨୦ଟି ଆଇସିୟୁ ର ମଧ୍ୟ ବ୍ୟବସ୍ଥା କରାଯିବା ପାଇଁ ଘୋଷଣା ହୋଇଛି । ଏହାସହ ସମଲପୁର କୋଭିଡ ହସ୍ପିଟାଲରେ ଡାକ୍ତର ଅଭାବ ଦୂର କରିବା ପାଇଁ ୧୦ ଜଣ ସିନିଅର ଡାକ୍ତର ଙ୍କୁ ପଠାଯିବା ସହ ୨୦ ଜଣ ଏଟେଣ୍ଡାଣ୍ଟ ଏବଂ ୩୦ ଜଣ ଏ ଏନ ଏମଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବାକୁ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସମ୍ବଲପୁରରେ କୋଭିଡରୁ ସୁସ୍ଥ ହେଉଥିବା ହାର ରାଜ୍ୟ ହାର ଠାରୁ ଅଧିକ ରହିଥିବା ସୂଚନା ଦେଇଛନ୍ତି । ସୁସ୍ଥ ହାର ୭୭ % ରହିଥିବା ବେଳେ ହୋମ ଆଇସୋଲେସନ ରେ ୭୪% ରୋଗୀ ରହୁଥିବା ସୂଚନା ଦେଇଛନ୍ତି ।

ମୁଖ୍ୟତଃ ସମ୍ୱଲପୁର ଓ ବୁର୍ଲା କୋଭିଡ୍ ହସ୍ପିଟାଲ୍ , ସ୍ୱାବ ଟେଷ୍ଟିଂ ସେଣ୍ଟର, ଆଇସିୟୁ ସେଣ୍ଟର ଆଦିର ସାଂପ୍ରତିକ ସ୍ଥିତିର ଅନୁଶୀଳନ କରିବା ପାଇଁ ଏହି ଗସ୍ତ ଯୋଜନା ହୋଇଥିଲା । ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସଚିବମାନେ ସମସ୍ତ କାର୍ଯ୍ୟ ଶେଷ କଲେ । ତେବେ ସମ୍ୱଲପୁରର ପ୍ରମୁଖ ସମସ୍ୟା ହେଉଛି ବର୍ଦ୍ଧିତ କରୋନାଜନିତ ମୃତ୍ୟୁହାର । ଏହି ପରିପ୍ରେକ୍ଷୀ ମୁଖ୍ୟ ଶାସନ ସଚିବଙ୍କ ତତ୍ତ୍ୱାବଧାନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ସମ୍ୱଲପୁରର ସ୍ଥିତି ସମ୍ପର୍କିତ ସୂଚନା ଦେବା ପାଇଁ ଭିମସାର୍ ନିର୍ଦ୍ଦେଶକ, ସମ୍ୱଲପୁର ସିଡିଏମୋ, ଆରଡିସି ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଏମାନଙ୍କ ସହ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ପରେ ଜିଲ୍ଲାର କୋଭିଡ୍ ପରିସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟ ଶାସନ ସଚିବ ଆସନ୍ତା ପଦକ୍ଷେପ ନେଇ ଘୋଷଣା କରିଥିଲେ । ତେବେ ଏହି ବୈଠକ ଭୀମସାର ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠରେ ଆୟୋଜିତ ହୋଇଥିବା ବେଳେ ଭିମସାରର ଅଧିକ୍ଷକ,ଅଧ୍ୟକ୍ଷ, ଡିନ୍ ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ବଢ଼ୁଥିବା ହେତୁ ସରକାର କୋଭିଡ୍ ବେଡ୍ ସଂଖ୍ୟା ସାରା ରାଜ୍ୟରେ ବଢାଇବା ଉପରେ ଧ୍ୟାନ ଦେଉଛନ୍ତି  । କୋଭିଡ୍ ବେଡ୍ ସଂଖ୍ୟା ବୃଦ୍ଧି ପାଇଁ ସରକାର ଗତକାଲି ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି କ୍ରମରେ ଆଜି ଭିମସାରରେ ବେଡ୍ ସଂଖ୍ୟା ବଢିବା ନେଇ ନିଷ୍ପତ୍ତି ହୋଇଛି ।

 

Leave a Reply