spot_img
Home Blog Page 648

ବୁମ୍ରା OUT, କୁଲଦୀପ In… ଦ୍ବିତୀୟ ଟେଷ୍ଟରେ ହେବ ଏହି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ମୁକାବିଲା ଜୁଲାଇ ୨ରେ ବର୍ମିଘମର ଏଜବେଷ୍ଟନ ପଡ଼ିଆରେ ଖେଳାଯିବ । ଏହା ପୂର୍ବରୁ ଆଜି ଭାରତର ଆସିଷ୍ଟାଣ୍ଟ କୋଚ ରୟାନ ଟେନ ଡୋଶେଟ ପ୍ରେସ କନଫରେନ୍ସ କରିଥିଲେ । ଏହି ଅବସରରେ ସେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ରଣନୀତି ପରିବର୍ତ୍ତନକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲେ ।

ରୟାନ ସ୍ପଷ୍ଟ କରିଛନ୍ତି ଯେ, ଦ୍ବିତୀୟ ଟେଷ୍ଟରେ ଅତିକମରେ ଦୁଇଟି ପରିବର୍ତ୍ତନ ହେବ । ଦ୍ବିତୀୟ ଟେଷ୍ଟରେ ନୂଆ କମ୍ବିନେସନ ସହ ଟିମ୍ ପଡ଼ିଆକୁ ଓହ୍ଲାଇବ । ଭାରତର ଷ୍ଟାର ପେସର ଯଶପ୍ରୀତ ବୁମ୍ରାଙ୍କୁ ଏହି ଟେଷ୍ଟରେ ଆରାମ ଦିଆଯାଇଛି । ଓ୍ବାର୍କଲୋଡ ମ୍ୟାନେଜମେଣ୍ଟ ଅନୁସାରେ ତାଙ୍କୁ ଏହି ବ୍ରେକ ଦିଆଯାଇଛି । ସେ ଲର୍ଡସରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ଦଳକୁ ଫେରିବେ । ପ୍ରଥମ ଟେଷ୍ଟରେ ବୁମ୍ରା ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ମାତ୍ର ଲଗାତର କ୍ରିକେଟକୁ ଦୃଷ୍ଟିରେ ରଖି ତାଙ୍କୁ ବ୍ରେକ ଦେବା ଜରୁରୀ ମନେ କରାଯାଇଥିଲା ।

ପ୍ରଥମ ଟେଷ୍ଟରେ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ୪ଟି କ୍ୟାଚ ଛାଡ଼ିଥିଲେ । ଫଳରେ ଇଂଲଣ୍ଡ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲା । ତେଣୁ ଜୟସ୍ବାଲଙ୍କୁ ସ୍ଲିପ କର୍ଡନରୁ ହଟାଇ ଆଟଫିଲ୍ଡରେ ଲଗାଇବାକୁ ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି । ଗତ ମ୍ୟାଚରେ ଶାର୍ଦୁଲ ଠାକୁର ବୋଲିଂ ଓ ବ୍ୟାଟିଂରେ ସେଭଳି ପ୍ରଭାବ ପକାଇ ପାରିନଥିଲେ । ତେଣୁ ତାଙ୍କ ସ୍ଥାନରେ ଆନ୍ଧ୍ରପ୍ରଦେଶର ଯୁବ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ସୁଯୋଗ ମିଳିପାରେ । ବର୍ମିଘମ ପିଚରେ ଗରମ ମୌସୁମ ଓ ଶୁଷ୍କ ଚଟାଣକୁ ଦେଖି ଭାରତ ଦୁଇଜଣ ସ୍ପିନରଙ୍କୁ ପ୍ଲେଇଂ-୧୧ରେ ସାମିଲ କରିପାରେ । ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଏବଂ ଓ୍ବାଶିଂଟନ ସୁନ୍ଦରଙ୍କ ମଧ୍ୟରୁ ୨ ଜଣଙ୍କୁ ସୁଯୋଗ ମିଳିପାରେ ।

‘ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ’

ଭୁବନେଶ୍ବର : ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ଘଟଣାରେ ସରକାରଙ୍କୁ ବିଜେଡିର ସମାଲୋଚନା। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ବିଜେଡି। ମାମଲାରେ ଆହୁରି ଅନେକ ଦୋଷୀ ଅଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯିଏ ମୁଖ୍ୟ ଷଡ଼ଯନ୍ତ୍ରକାରୀ ନିଜେ ସ୍ୱୀକାର କରିଛନ୍ତି ଯେ ଦୁର୍ବୃତ୍ତମାନେ ତାଙ୍କ ଲୋକ। ଏଥିଲାଗି ପୋଲିସ ତାଙ୍କୁ ତୁରନ୍ତ ଗିରଫ କରୁ। ସରକାରଙ୍କ ଅହଙ୍କାର ଚରମ ସୀମାରେ ପହଞ୍ଚିଛି। ବର୍ଷେ ହେଲା ଅଫିସର ମାନଙ୍କୁ ଭୟଭୀତ କରାଯାଉଛି ବୋଲି କହିଛି ସଂଘ। ଏ ଲୋକଙ୍କ ସରକାର ନୁହଁ ଲୋକ ବିରୋଧୀ ସରକାର। ଗତକାଲିର ଘଟଣାକୁ ସଭ୍ଯ ସମାଜ ଏହାକୁ ଗ୍ରହଣ କରିବନି। ଆମେ ସମସ୍ତେ ଅସୁରକ୍ଷିତ। ୩ ଜଣଙ୍କୁ ଗିରଫ କରି ପୋଲିସ ହାତ ବାନ୍ଧି ବସିଛି। କିନ୍ତୁ ଚକ୍ରାନ୍ତକାରୀ ଖୋଲାରେ ବୁଲୁଛନ୍ତି। ଚକ୍ରାନ୍ତକାରୀ ଯିଏ କି ବିଜେପି ନେତା ତାଙ୍କୁ ଗିରଫ୍ କରାଯାଉ। ମୁଖ୍ୟମନ୍ତ୍ରୀ ନିଜେ ଘଟଣାରେ ତଦନ୍ତ କରନ୍ତୁ। ଭୁବନେଶ୍ଵରରେ ଆଇନ୍ କାନୁନ୍ ନାହିଁ। ଜାତୀୟ ଗଣମାଧ୍ୟମରେବି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ।ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଭୁବନେଶ୍ଵର କି ଓଡିଶା ଇତିହାସରେ ଏଭଳି ଘଟଣା ଘଟିନଥିଲା।କାଲିର ଚିତ୍ର ଦେଖି ଲାଗୁଥିଲା ଏହା ବିହାର କି ୟୁପି। ଫିଲ୍ମ ଷ୍ଟାଇଲଲେ ଆକ୍ରମଣ ହେଲା। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ବେଙ୍ଗାଲୁରୁ ଦଳାଚକଟା ପାଇଁ RCB ଦାୟୀ, ପୋଲିସ ଯାଦୁଗର କି ଭଗବାନ ନୁହେଁ: ଟ୍ରିବ୍ୟୁନାଲ

ବେଙ୍ଗାଲୁରୁ: କେନ୍ଦ୍ରୀୟ ପ୍ରଶାସନିକ ଅଧିକରଣ (CAT) ଜୁନ୍ ୪ରେ ବେଙ୍ଗାଲୁରୁରେ ଘଟିଥିବା ଦଳାଚକଟା ପାଇଁ RCBକୁ ଦାୟୀ କରିଛି । ପୋଲିସର ବିନା ଅନୁମତିରେ ଟିମ୍ ସୋସିଆଲ ମିଡ଼ିଆରେ ବିଜୟ ଉତ୍ସବ ଘୋଷଣା କରିଦେଇଥିଲା । ଫଳରେ ଲକ୍ଷାଧିକ ଲୋକଙ୍କର ଭିଡ଼ ଜମିବା ସହ ୧୧ ଜଣ ପ୍ରାଣ ହରାଥିଲେ ଓ ଏକାଧିକ ଆହତ ହୋଇଥିଲେ । ପାଖାପାଖି ୩-୫ ଲକ୍ଷ ଲୋକଙ୍କର ଭିଡ଼ ଜମିବା ପାଇଁ RCB ଦାୟୀ । ଆରସିବି ପୋଲିସ ଠାରୁ ଉଚିତ ଅନୁମତି ବା ସହମତି ନେଇନଥିଲା । ଅଚାନକ ସୋସିଆଲ ମିଡ଼ିଆରେ ସୂଚନା ପୋଷ୍ଟ କରାଯାଇଥିଲା ଓ ତା’ର ପରିଣାମ ସ୍ବରୂପ ଲୋକମାନେ ଏକତ୍ର ହୋଇଯାଇଥିଲେ ।

ଆରସିବି ଦ୍ବାରା ଅଚାନକ କରାଯାଇଥିବା ସମାରୋହର ଘୋଷଣାକୁ ’ଅବ୍ୟବସ୍ଥା ସୃଷ୍ଟିକାରୀ’ ଆଖ୍ୟା ଦିଆଯାଇଛି । ଆଦେଶରେ କୁହାଯାଇଛି, ବିନା କୌଣସି ପୂର୍ବ ଅନୁମତିରେ ଅଚାନକ ଆରସିବି ଏହି ଅବ୍ୟବସ୍ଥାକୁ ସୃଷ୍ଟି କରିଥିଲା । କେବଳ ୧୨ ଘଣ୍ଟାରେ ପୋଲିସ ଆବଶ୍ୟକ ବ୍ୟବସ୍ଥା ପୋଲିସ ଅଧିନିୟମ ବା ଅନ୍ୟ ନିୟମ ଅନୁସାରେ କରିପାରିବ, ତାହା ଆଶା କରାଯାଇ ପାରିବ ନାହିଁ । ପୋଲିସ କର୍ମୀ ମଧ୍ୟ ମଣିଷ, ସେମାନେ ଭଗବାନ କି ଯାଦୁଗର ନୁହନ୍ତି । ପୋଲିସ ପାଖରେ ’ଅଲାଦୀନ କା ଚିରାଗ’ ପରି କୌଣସି ଯାଦୁ ଯନ୍ତ୍ର ନାହିଁ ଯେ, ସେ ତାହାକୁ ବୁଲାଇ କୌଣସି ବି ଇଚ୍ଛାକୁ ପୂରଣ କରିପାରିବ ।

AI 171 ବିମାନ ଦୁର୍ଘଟଣାର ୩୮ ଘଣ୍ଟା ପରେ ହୋଇଥାନ୍ତା ଆଉ ଏକ ଦୁର୍ଘଟଣା, ୯ ଶହ ଫୁଟ ତଳକୁ ଆସିଯାଇଥିଲା ବିମାନ

ନନ୍ଦିଘୋଷ ବ୍ୟୁରୋ :  ଅହମ୍ମଦାବାଦରେ ଜୁନ ୧୪ ତାରିଖରେ AI 171 ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ୨୪୧ ଲୋକଙ୍କ ମୃତ୍ୟୁ ହୋଇଥିଲା । ଜଣେ ଲୋକ ହିଁ ଜୀବନ ଫେରିପାଇଲେ । ଏହି ଘଟଣାର ଘଟିବାର ୩୮ ଘଣ୍ଟା ପରେ ପୁଣି ଏକ ବିମାନର ଶିକାର ହୋଇଥାନ୍ତା । ଦିଲ୍ଲୀରୁ ଭିଏନା ଯାଉଥିବା ବୋଇଙ୍ଗ ୭୭୭ ବିମାନ ଉଡାଣ ଭରିବା ପରେ ଗମ୍ଭୀର ଚେତାବନୀ ପାଇଥିଲା । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଘଟଣା ଜୁନ ୧୪ ତାରିଖ ଭୋର ୨.୪୬ ମିନିଟ ସମୟରେ ହୋଇଥିଲା । ଦିଲ୍ଲୀରୁ ଝଡବର୍ଷା ଭିତରେ ଉଡାଣ ଆରମ୍ଭ କରିଥିଲା । ଏହି ବିମାନର ଜିପିଡବ୍ଲୁଏସରୁ ଡୁ ନାଟ ସିଙ୍ଗ ଚେତାବନୀ ମିଳିଲା । ଉଚ୍ଚତା ସ୍ବଭାବିକ ହ୍ରାସ କ୍ରୁଙ୍କୁ ସତର୍କ କରାଇଥିଲା ।

ଏ ସମ୍ପର୍କରେ ଅଧିକାରୀମାନେ କହିଛନ୍ତି, ବିମାନଟି ଉଡାଣ ଆରମ୍ଭ କରିବାର କିଛି ସମୟ ପରେ  ୯ ଶହ ଫୁଟ ତଳକୁ ଆସିଥିଲା । ଯଦିଓ ବିମାନଟି ୯ ଘଣ୍ଟା ୮ ମିନିଟ ପରେ ସୁରକ୍ଷିତ ଭିଏନାରେ ଅବତରଣ କରିଥିଲା । କିନ୍ତୁ ଏଡି ଦୁର୍ଘଟଣା ପରେ ଡିଜିସିଏ ତଦନ୍ତ ଆରମ୍ଭ କରିଥିଲା । ଉଭୟ ପାଇଲଟଙ୍କୁ ଉଡ଼ାଣ ଡ୍ୟୁଟିରୁ ହଟାଇ ଦିଆଯାଇଥିଲା ଓ ବିମାନ କମ୍ପାନୀର ସୁରକ୍ଷା ମୁଖ୍ୟଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, କ୍ରୁ ସଦସ୍ୟମାନେ ଏକ ଷ୍ଟିକ୍ ସେକର ଆଲର୍ଟ ପାଇଥିଲେ। ଏହା ଏକ ଗମ୍ଭୀର ଚେତାବନୀ ଯାହା ଉଡ଼ାଣ ନିୟନ୍ତ୍ରଣକୁ ଥରାଇ ଦିଏ। ଏହି ସିଷ୍ଟମଟି ତୁରନ୍ତ ପାଇଲଟଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିବା ପାଇଁ ଡିଜାଇନ୍ କରାଯାଇଛି।

ଘଟଣା ସହିତ ଜଡିତ ଅଧିକାରୀମାନେ କହିଛନ୍ତି ଯେ ଉଡ଼ାଣ ସମୟରେ ବିମାନଟିରେ ଷ୍ଟିକ୍ ସେକର୍ ଏବଂ GPWS ଆଲର୍ଟ ସମସ୍ୟା ଦେଖାଦେଇଥିଲା। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଷ୍ଟିକ୍ ସେକର୍ ସତର୍କତା ଏବଂ GPWS ସିଙ୍କ୍ ସତର୍କତା ଦେଖାଦେଇଥିଲା। ଷ୍ଟଲ୍ ସତର୍କତା ଥରେ ଆସିଥିଲା ​​ଏବଂ GPWS ସତର୍କତା ଦୁଇଥର ଆସିଥିଲା। ଚଢ଼ିବା ସମୟରେ ପ୍ରାୟ 900 ଫୁଟ ଉଚ୍ଚତା ହ୍ରାସ ପାଇଥିଲା।

ଏହି ଘଟଣା AI 171 ଦୁର୍ଘଟଣାର ମାତ୍ର ୩୮ ଘଣ୍ଟା ପରେ ଘଟିଥିଲା। AI 171 ଦୁର୍ଘଟଣା ପରେ, DGCA ବିମାନ କମ୍ପାନୀର ଫ୍ଲିଟ୍ ଏବଂ ସୁରକ୍ଷା ପ୍ରୋଟୋକଲର ଉତ୍ତମ ତଦାରଖ ଆରମ୍ଭ କରିଥିଲା। ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ ପାଇଲଟ୍‌ଙ୍କ ରିପୋର୍ଟ ପାଇବା ପରେ, ନିୟମ ଅନୁଯାୟୀ ମାମଲା DGCAକୁ ରିପୋର୍ଟ କରାଯାଇଥିଲା। ଏହା ପରେ, ବିମାନ ରେକର୍ଡରରୁ ତଥ୍ୟ ପାଇବା ପରେ ଅଧିକ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତର ଫଳାଫଳ ଆସିବା ପର୍ଯ୍ୟନ୍ତ ପାଇଲଟ୍‌ମାନଙ୍କୁ ରୋଷ୍ଟରରୁ ହଟାଇ ଦିଆଯାଇଛି।

ଜୁନ୍ ୧୭ ତାରିଖରେ, ଡିଜିସିଏ ବିମାନର ରକ୍ଷଣାବେକ୍ଷଣ ସମସ୍ୟା ବିଷୟରେ ଆନୁଷ୍ଠାନିକ ଭାବରେ ଚିନ୍ତା ପ୍ରକାଶ କରିଥିଲା ​​ଓ ସୁରକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହିତ ଇଞ୍ଜିନିୟରିଂ, ଅପରେସନ୍ ଏବଂ ଭୂମି ପରିଚାଳନା ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବାକୁ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଥିଲା।

ଅହମଦାବାଦ ବିମାନ ଦୁର୍ଘଟଣା: ଏୟାର ଇଣ୍ଡିଆ ଓ ବୋଇଂ ବିରୋଧରେ କୋର୍ଟ ଯିବେ ପୀଡ଼ିତ ପରିବାର

ଅହମଦାବାଦ / ଲଣ୍ଡନ: ଜୁନ୍ ୧୨ରେ ହୋଇଥିବା ଏୟାର ଇଣ୍ଡିଆ ୧୭୧ ବିମାନ ଦୁର୍ଘଟଣାର ଦୁଃଖ ଆଜି ବି ମନରୁ ଲିଭିନି । ତେବେ ଏହା ମଧ୍ୟରେ ଏହି ଘଟଣାକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ବ୍ରିଟେନରେ ରହୁଥିବା ମୃତକଙ୍କ ପରିବାର ଏୟାର ଇଣ୍ଡିଆ ଓ ବୋଲିଂ ବିରୋଧରେ ୟୁକେର ଅଦାଲତରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବିଚାର କରୁଛନ୍ତି । ସମ୍ଭାବିତ ମକଦ୍ଦମା ଦାୟର କରିବା ଉଦ୍ଦେଶ୍ୟରେ ବ୍ରିଟେନରେ ରହୁଥିବା ପୀଡ଼ିତ ପରିବାର ଲଣ୍ଡନର କୀଷ୍ଟୋନ ନାମକ ଆଇନ ଫାର୍ମ ସହିତ କଥାବାର୍ତ୍ତା କରୁଛନ୍ତି ।

ଏହି ମକଦ୍ଦମା ମୁଖ୍ୟତଃ ସହାୟତା ରାଶି ବୃଦ୍ଧି ଦାବିକୁ ନେଇ ହୋଇପାରେ । ଏୟାର ଇଣ୍ଡିଆ ୧୭୧ ଦୁର୍ଘଟଣାରେ ନିଜର ପରିଜନଙ୍କୁ ହରାଇଥିବା ପରିବାର ସଦସ୍ୟଙ୍କୁ କୀଷ୍ଟୋନ ଲ’ ପକ୍ଷରୁ ପରାମର୍ଶ ଦିଆଯାଉଛି । ସୂତ୍ର ମୁତାବକ, ଚଳିତ ସପ୍ତାହରେ ୟୁକେରେ ରହୁଥିବା କିଛି ପରିବାର ଏକତ୍ର ବୈଠକ କରିବାକୁ ସ୍ଥିର ରହିଛନ୍ତି, ଯେଉଁଥିରେ କି ଆଇନଗତ ରଣନୀତି ଉପରେ ଚର୍ଚ୍ଚା ହେବ । ଏହି ବୈଠକ ପରେ ପରବର୍ତ୍ତୀ ପଦକ୍ଷେପକୁ ନେଇ କୌଣସି ଠୋସ୍ ନିଷ୍ପତ୍ତି ନିଆଯିବ ।

ବଢ଼ିଲା ସିନ୍ଧୁ ନଦୀ ଜଳ ବିବାଦ : ପୂର୍ବାବସ୍ଥା ଫେରାଇ ଆଣିବା ଲାଗି ପାକିସ୍ତାନର ଦାବି

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ହମଲାକୁ ନେଇ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିବା ପ୍ରସଙ୍ଗ । ପୂର୍ବାବସ୍ଥା ଫେରାଇ ଆଣିବା ଲାଗି ଭାରତ ନିକଟରେ ଦାବି କରିଛି ପାକିସ୍ତାନ । ସିନ୍ଧୁ ଜଳ ଚୁକ୍ତି ବର୍ତ୍ତମାନ ବୈଧ ରହିବା ସହ କାର୍ଯ୍ୟକ୍ଷମ ରହିଛି ବୋଲି ହଗସ୍ଥିତ ପରମାନେଣ୍ଟ କୋର୍ଟ ଅଫ ଆର୍ବିଟ୍ରେସନ କହିବା ପରେ ଭାରତକୁ ଏହା କହିଛି ପାକିସ୍ତାନ । ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ କୋର୍ଟ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ଭାରତ ମାନି ନଥିବା ସୂଚନା ମିଳିଛି । ପାକିସ୍ତାନ ସହ ସୃଷ୍ଟି ହୋଇଥିବା ବିବାଦର ସମାଧାନ ନେଇ ଗଠିତ ଫ୍ରେମଓ୍ବର୍କକୁ ଅଗ୍ରାହ୍ୟ କରାଯାଇଛି ବୋଲି ଗତ ଶୁକ୍ରବାର ଭାରତ କହିଥିଲା । କିଷନଗଙ୍ଗା ଓ ରତଲେ ଜଳବିଦ୍ୟୁତ ପ୍ରକଳ୍ପ ପ୍ରସଙ୍ଗରେ ଭାରତ ଅଟଳ ରହିବ ବୋଲି କୁହାଯାଇଛି । ଏପ୍ରିଲ ୨୨ ପହଲଗାଓଁ ହମଲାରେ ୨୬ ଲୋକଙ୍କ ମୃତ୍ୟୁ ଘଟିବା ପରେ ୧୯୬୦ର ସିନ୍ଧୁ ଜଳ ଚୁକ୍ତି ବାତିଲ କରିବା ସହ ଅନେକ କଠୋର ପଦକ୍ଷେପ ନେଇଥିଲା ଭାରତ । ସିନ୍ଧୁ ଜଳ ଚୁକ୍ତ ବୈଧ ରହିଛି ବୋଲି ଗତ ଜୁନ ୨୭ରେ କୋର୍ଟ ରାୟ ଦେଇଥିବା ବେଳେ ଏହାକୁ ନେଇ ଭାରତ ଉପରେ କ୍ଷୁବ୍ଧ ହୋଇଛି ପାକିସ୍ତାନ । ଏହା ସହ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଦର କହିଥିଲେ- କୋର୍ଟଙ୍କ ରାୟ ଦର୍ଶାଉଛି ଯେ ସିନ୍ଧୁ ଜଳ ଚୁକ୍ତି ଅପରିବର୍ତ୍ତିତ ରହିଛି ।

 

କାମ୍ବୋଡିଆର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ‘ଅଙ୍କଲ’ ସମ୍ବୋଧନ କରି ନିଲମ୍ବିତ ହେଲେ ଥାଇ ପ୍ରଧାନମନ୍ତ୍ରୀ

ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପ୍ୟାତୋଙ୍ଗତାର୍ନ ଶିନାଓ୍ବାତ୍ରାଙ୍କୁ ସସପେଣ୍ଡ କରାଯାଇଛି । ଦେଶର ସାମ୍ବିଧାନିକ ନ୍ୟାୟାଳୟ ଆଜି ତାଙ୍କୁ ସସପେଣ୍ଡ କରାଯିବା ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କାମ୍ବୋଡିଆ ସହ ରାଜନୈତିକ ବିବାଦ ପରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ଏକ ବହୁତ ବଡ଼ ନିଷ୍ପତ୍ତି କୋର୍ଟ ଶୁଣାଇଛନ୍ତି । ଏହାକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ୍ ରହିଛି । ଥାଇଲାଣ୍ଡର ମିଡ଼ିଆ ରିପୋର୍ଟସ ମୁତାବକ, ଲିକ୍ ହୋଇଥିବା ଏକ ଟେଲିଫୋନ କଲକୁ ନେଇ କୋର୍ଟଙ୍କ ଏହି ନିଷ୍ପତ୍ତି ଆସିଛି । କାମ୍ବୋଡିଆ ସହ ସୀମା ବିବାଦକୁ ନେଇ ନିଜର ଭୂମିକାକୁ ନେଇ ମନ୍ତ୍ରୀ ପଦର ନୈତିକତା ଉଲ୍ଲଂଘନ କରିଥିଲେ । ଥାଇଲାଣ୍ଡର ସାମ୍ବିଧାନିକ ଅଦାଲତ ୭-୨ ବହୁମତରେ ନିଷ୍ପତ୍ତି ନେଇଛନ୍ତି । ସାମ୍ବିଧାନିକ ଅଦାଲତ ବହୁମତ ଆଧାରରେ ନିଷ୍ପତ୍ତି ନେଇ ଜୁଲାଇ ୧ରେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ବୋଲି କୁହାଯାଇଛି । ଅଦାଲତ ଏହି ମାମଲାର ଅନ୍ତିମ ଶୁଣାଣି କରିବା ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ।

ଗତ ମେ’ରେ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଘଟିଥିବା ସୀମା ଉତ୍ତେଜନାରୁ ଏହି ବିବାଦର ସୂତ୍ରପାତ ହୋଇଥିଲା । ଉକ୍ତ ଘଟଣାରେ ଜଣେ କାମ୍ବୋଡିଆ ସୈନିକଙ୍କର ମୃତ୍ୟୁ ଘଟିଥିଲା । ସୀମାରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ଶିନାଓ୍ବାତ୍ରା କାମ୍ବୋଡିଆ ନେତା ଓ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରିଥିଲେ । ହୁନ ଦେଶର ଜଣେ ପ୍ରଭାବଶାଳୀ ରାଜନେତା ଭାବେ ଜଣାଶୁଣା । ନିକଟରେ ସେହି ଟେଲିଫୋନ କଲର ଏକ ରେକର୍ଡିଂ ଲିକ୍ ହୋଇଯାଇଥିଲା । ସେଥିରେ ଥାଇଲାଣ୍ଡର  ପ୍ରଧାନମନ୍ତ୍ରୀ ଶିନାଓ୍ବାତ୍ରା ହୁନଙ୍କୁ ’ଅଙ୍କଲ’ କହି ସମ୍ବୋଧିତ କରିଥିଲେ ଓ ଥାଇଲାଣ୍ଡର ସେନାର ଜଣେ ବରିଷ୍ଠ କମାଣ୍ଡରଙ୍କୁ ନିଜର ’ବିରୋଧୀ’ କହିଥିଲେ । ତାଙ୍କର ଏହି ବୟାନ ଦେଶର ପ୍ରତିରକ୍ଷା ପ୍ରତିଷ୍ଠାନ ଓ ସଂସଦରେ ରହିଥିବା ରୁଢ଼ୀବାଦୀ ସାଂସଦଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥିଲା । ଏହି କଲକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଥାଇ ସଂସଦର ଏକ ଗ୍ରୁପ ପକ୍ଷରୁ ଯାଚିକା ଦାୟର କରାଯାଇଥିଲା । ଏହି ଘଟଣାରେ ଏବେ ସୁଦ୍ଧା ଶିନାଓ୍ବ୍ରା କୌଣସି ବୟାନ ଜାରି କରିନାହାନ୍ତି ।

BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ, ବିଜେପିରୁ ୫ ସଦସ୍ୟ ନିଲମ୍ବିତ

ଭୁବନେଶ୍ବର: BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲା ବିଜେପି । ବିଜେପିରୁ ୫ ସଦସ୍ୟ ନିଲମ୍ବିତ ହୋଇଛନ୍ତି  । ପ୍ରାଥମିକ ସଦସ୍ୟ ପଦରୁ ୫ ଜଣଙ୍କୁ ନିଲମ୍ବନ କଲେ ରାଜ୍ୟ ସଭାପତି । କର୍ପୋରେଟର ଅପରୂପ ନାରାୟଣ ରାଉତ ନିଳମ୍ବିତ ହୋଇଛନ୍ତି । ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ, ସଂଜୀବ ମିଶ୍ର ନିଲମ୍ବିତ ହୋଇଛନ୍ତି ।

ବିଏମସି ଅତିରିକ୍ତ କମିଶନରଙ୍କୁ ଗତକାଲି ଆକ୍ରମଣ କରାଯାଇଥିଲା । ଆଜି କଳାବ୍ୟାଜ୍ ପିନ୍ଧି ବିଏମସି କର୍ମଚାରୀ ପ୍ରତିବାଦ କରିଛନ୍ତି । ଅଫିସକୁ ଆସିଥିଲେ ବି କାର୍ଯ୍ୟରେ ସାମିଲ ହୋଇନାହାନ୍ତି । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ କର୍ମଚାରୀମାନେ ପ୍ରତିବାଦ କରିଛନ୍ତି । ଏ ନେଇ କମିଶନର କହିଛନ୍ତି ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ ହେବ । ଅନ୍ୟପଟେ ଅଫିସ ଅନୁଧ୍ୟାନ କରିଛି ଓଏଏସ ସଂଘ ।

’ହେରା ଫେରୀ ୩’କୁ ଫେରିଲେ ବାବୁ ଭେୟା: ପରେଶ ରାଓ୍ବଲ ଓ ଅକ୍ଷୟ କୁମାରଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କେମିତି ହେଲା?

ନୂଆଦିଲ୍ଲୀ: ’ହେରା ଫେରୀ’ ଫିଲ୍ମର ଅଗଣିତ ଫ୍ୟାନ୍ସଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ’ହେରା ଫେରୀ ୩’ରୁ ବାହାର ହୋଇଥିବା ବରିଷ୍ଠ ଅଭିନେତା ପରେଶ ରାଓ୍ବଲ ପୁଣି ଫିଲ୍ମକୁ ଫେରୁଥିବା ନେଇ ଅଭିନେତା ଅକ୍ଷୟ କୁମାର ସୂଚନା ଦେଇଛନ୍ତି । ଅକ୍ଷୟ ଓ ପରେଶଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ହୋଇଯାଇଛି । ଏହା ମଧ୍ୟରେ ଫିଲ୍ମର ପ୍ରଯୋଜକ ଫିରୋଜ ନାଡିୟାଡଓ୍ବାଲାଙ୍କର ବୟାନ ମଧ୍ୟ ସାମ୍ନାକୁ ଆସିଛି । ଯେଉଁମାନଙ୍କ ପାଇଁ ଏହି ବିବାଦର ସମାଧାନ ସମ୍ଭବ ହୋଇଥିଲା, ତାହା ଫିଲ୍ମର ପ୍ରଡ୍ୟୁସର ଫିରୋଜ ଖୁଲାସା କରିଛନ୍ତି ।

ଫିରୋଜ କହିଛନ୍ତି, ମୋ ଭାଇ ସାଜିଦ ନାଡିୟାଡଓ୍ବାଲା ଓ ମିଷ୍ଟର ଅହମଦଙ୍କ ଭଲ ପାଇବା, ସମ୍ମାନ ଓ ମାର୍ଗଦର୍ଶନ କାରଣରୁ ’ହେରା ଫେରୀ’ ଫ୍ୟାମିଲି ଏବେ ଏକାଠି ଆସୁଛନ୍ତି । ସବୁକିଛି ଠିକ୍ କରିବା ପାଇଁ ସାଜିଦ ଭାଇ ବହୁ ଦିନ ଧରି ପ୍ରୟାସ କରି ଆସିଥିଲେ । ଆମର ସମ୍ପର୍କ ୫୦ ବର୍ଷରୁ ଅଧିକ ହେବ । ଅହମଦ ଖାନ ମଧ୍ୟ ବ୍ୟକ୍ତିଗତ ଭାବେ ବହୁତ ପରିଶ୍ରମ କରିଛନ୍ତି । ସାଜିଦ ଓ ଅହମଦଙ୍କ ପ୍ୟାର ଓ ମାର୍ଗଦର୍ଶନ କାରଣରୁ ହିଁ ଟିମ ଭିତରେ ଏବେ ସବୁକିଛି ପଜିଟିଭ୍ ଓ ପ୍ରଡକ୍ଟିଭ୍ ରହିଛି । ଏହାସହିତ ଅକ୍ଷୟ କୁମାରଙ୍କର ମଧ୍ୟ ବହୁତ ସପୋର୍ଟ ରହିଛି । ପ୍ରିୟଦର୍ଶନୀ, ପରେଶ ରାଓ୍ବାଲ ଓ ସୁନୀଲ ଶେଟ୍ଟୀ ମଧ୍ୟ ବହୁତ ସପୋର୍ଟିଭ ଥିଲେ । ଏବେ ଆମେ ଏକ ବଢ଼ିଆ ଫିଲ୍ମ ତିଆରି କରିବାକୁ ଯାଉଛୁ ।

ଝାଡ଼ଖଣ୍ଡ ବାହାଡ଼ାଗୋଡ଼ା ଅଞ୍ଚଳରେ ଗ୍ୟାସ ଲିକ୍, ଆଖପାଖ ଅଞ୍ଚଳରେ ବିଏନଏସ୍ ଧାରା ୧୬୩ ଲାଗୁ

ବାରିପଦା: ଝାଡ଼ଖଣ୍ଡ ବାହାଡ଼ାଗୋଡ଼ା ଅଞ୍ଚଳରେ ଗ୍ୟାସ ଲିକ୍। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ବାହାଡ଼ାଗୋଡ଼ା ଅଂଚଳରେ ଏକ ଟ୍ୟାଙ୍କରରୁ ଗ୍ୟାସ ଲିକ ହେଉଛି। ପ୍ରୋପିଲିନ୍ ଗ୍ୟାସ୍ ଭର୍ତ୍ତି ଏକ ଟ୍ୟାଙ୍କର ଲିକ୍ ହେବା ଯୋଗୁ ଆତଙ୍କ ପ୍ରକାଶ ପାଇଛି। NH-୪୯ର ଜାମଶୋଲା ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖରେ ଏହି ଘଟଣା ଘଟିଛି। ଗ୍ୟାସ୍ ଲିକ୍ ହେବାର ସୂଚନା ପାଇବା ମାତ୍ରେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜପଥକୁ ବନ୍ଦ କରିଦେଇଛି। ଆଖପାଖ ଅଞ୍ଚଳରେ ବିଏନଏସ୍ ଧାରା ୧୬୩ ଲାଗୁ କରାଯାଇଛି। ବାହାରାଗୋରା ଥାନାଅଧିକାରୀ ଏବଂ ଜୋନାଲ ଅଧିକାରୀ ସକାଳୁ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି। ଓଡ଼ିଶା ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହି ଗ୍ୟାସ୍ ବିଷାକ୍ତ କି ସାଧାରଣ ତାହା ଜାଣିବା ପାଇଁ ବାଲେଶ୍ୱରରୁ ବିଶେଷଜ୍ଞଙ୍କୁ ଡକାଯାଇଛି। ପ୍ରଶାସନ ଘଟଣାସ୍ଥଳରେ ଅଗ୍ନିଶମବାହିନୀର ବ୍ୟବସ୍ଥା କରିଛି। ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଘଟଣାସ୍ଥଳରୁ ୨ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। ଲୋକମାନଙ୍କୁ ଘରେ ରହିବା ଏବଂ ଅଯଥା ବାହାରକୁ ନଯିବା ପାଇଁ ଅପିଲ୍ କରାଯାଇଛି। ସାଧାରଣ ଜନତାଙ୍କୁ ଶାନ୍ତି ଏବଂ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ପୂର୍ବ ସିଂହଭୂମି ଜିଲ୍ଲାପାଳ…