ଗଞ୍ଜେଇର ମୂଳୋତ୍ପାଟନ ନେଇ ପୋଲିସର ସ୍ପେଶାଲ ଡ୍ରାଇଭ୍: ୧୯ ମାମଲାରେ ୩୯ ଗିରଫ
ପାରଳାଖେମୁଣ୍ଡି: ନୀଳ ଜହରର ଭୂସ୍ୱର୍ଗ ପାଲଟିଛି ଗଜପତି ଜିଲ୍ଲା । ଏହି ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ମୂଳ ପୋଛ କରିବା ପାଇଁ ଆକ୍ଟିଭ୍ ହୋଇଛି ଜିଲ୍ଲା ପୋଲିସ। ଯାହାର ନେତୃତ୍ୱ ନେଇଛନ୍ତି ଏସପି ତପନ କୁମାର ପଟ୍ଟନାୟକ । ଆକ୍ସନମୋଡରେ ଥିବା ପୋଲିସ ମାଫିଆଙ୍କ ସମସ୍ତ ଯୋଜନା କରୁଛି ପଣ୍ଡ । ଜବତ ହେଉଛି ରେକର୍ଡ ସଂଖ୍ୟକ ଗଞ୍ଜେଇ । ମାତ୍ର କିଛି ଦିନ ମଧ୍ୟରେ ମିଳିଛି ଅଭୁତପୂର୍ବ ସଫଳତା ।
ଗଜପତିରେ ଗଞ୍ଜେଇର ହେବ ମୂଳୋତ୍ପାଟନ । ଦୁର୍ଗମ ଅଞ୍ଚଳରେ ଦୂର ହେବ ମାଫିଆ ରାଜ । ଏ ନେଇ ପୋଲିସ ଆରମ୍ଭ କରିଛି ସ୍ପେଶାଲ ଡ୍ରାଇଭ୍ । ଏଣିକି ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ କମିବ ଗଞ୍ଜେଇ ମାଫିଆଙ୍କ ରାଜ୍ । ଜିଲ୍ଲାରେ ଗଞ୍ଜେଇର ମୂଳୋତ୍ପାଟନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଆକ୍ସନ ପ୍ଲାନ୍ । ପୋଲିସ ଏହି ସ୍ୱତନ୍ତ୍ର ଅଭିଯାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମାତ୍ର ୨୦ ଦିନ ମଧ୍ୟରେ ୧୯ଟି ମାମଲାରେ ୩୯ଜଣ ଗିରଫ ହୋଇଥିବା ବେଳେ ୮କ୍ୟୁଣ୍ଟାଲ ୮୭୩ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବଦ ହୋଇଛି । ଏଥିସହ ଗୋଟିଏ କଣ୍ଟେନର, ୪ଟି ଟ୍ରକ୍ ୧୪ଟି କାର ସହ ୧ ଲକ୍ଷ ୨୪ ହଜାର ୭ଶହ ଟଙ୍କା ଜବତ କରିଛି ପୋଲିସ ।
ଗଜପତି ଜିଲ୍ଲା ମୋହନା, ଅଡ଼ବା, ରାୟଗଡ, ଉଦୟଗିରି, ରାମଗିରି, ଛେଳିଗଡ, ଆଦି ପାହାଡିଆ ଅଞ୍ଚଳରେ ଏକର ଏକର ଜମିରେ ଗଞ୍ଜେଇ ଚାଷ ହୋଇଥାଏ । ବେଆଇନ ଭାବରେ ଚାଷ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ । କିନ୍ତୁ ପ୍ରତ୍ୟେକ ସିଜନରେ ପ୍ରଶାସନ ପକ୍ଷରୁ ରାଜସ୍ୱ, ଜଙ୍ଗଲ, ଅବକାରୀ ଓ ପୋଲିସର ମିଳିତ ଅପରେସନରେ ନଷ୍ଟ କରାଯାଉଛି । ତଥାପି ବର୍ଷ ତମାମ ଵିଭିନ୍ନ ଉପାୟରେ ଚୋରା ଚାଲାଣ ହେଉଛି କୋଟି କୋଟି ଟଙ୍କାର ଏହି ମାଦକ ଦ୍ରବ୍ୟ । ତେବେ ଜିଲ୍ଲାରେ ନୂତନ ଏସପି ଦାୟୁତ୍ବ ନେବା ପରେ ଏହା ଉପରେ ସାମାନ୍ୟ ରୋକ୍ ରାଗିଥିବା କହିଛନ୍ତି ବୁଦ୍ଧିଜୀବୀ ଓ ଆଉନଜୀବୀ । ଆଦିବାସୀଙ୍କ ଆର୍ଥିକ ଦୁର୍ବଳତା ଓ ନୀରହିତାର ସୁଯୋଗ ନେଇ ଗଜପତି ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ରାଜ ଚାଲୁଥିବା ବେଳେ ଏହାର ମୂଳୋତ୍ପାଟନ କରିବା ପାଇଁ ଆକ୍ସନ ପ୍ରସ୍ତୁତ କରିଛି ପୋଲିସ ।
ଏକର ଏକର ଜମି ଛାରଖାର୍: ଭାଙ୍ଗିଗଲା ଘର, ଉଜୁଡ଼ିଲା ଚାଷ
ଚଣ୍ଡିଖୋଲ: ବନ୍ୟା ଛାଡିଛି ହେଲେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । କେଉଁଠି ନଦୀ ବନ୍ୟା ପଶି ବ୍ୟାପକ କ୍ଷୟକ୍ଷତି କରିଛି ତ ଆଉ କେଉଁଠି ନଦୀ ବନ୍ଧରେ ଘାଇ ହୋଇ ବ୍ୟାପକ ଫସଲ ନଷ୍ଟ ହୋଇଛି । ଆଉ ଏହି ଦୁର୍ଦ୍ଦଶା ଭିତରେ ବନ୍ୟା ପୀଡ଼ିତ ନିଜର ଭଙ୍ଗା କୁଡ଼ିଆ ସଜାଡ଼ିବାରେ ଲାଗି ପଡ଼ିଛନ୍ତି । ଦେଖିବା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ଏହି ରିପୋର୍ଟ ।

ବନ୍ୟା ଆଣି ଦେଲା ଦୁଃଖ । ଭାଙ୍ଗିଗଲା ଘର, ଉଜୁଡ଼ିଲା ଚାଷ । ଏକର ଏକର ଜମି ହେଲା ଛାରଖାର । ଆଉ ଦୁର୍ଦ୍ଦାଶା ଭିତରେ ଭଙ୍ଗା କୁଡ଼ିଆ ସଜାଡ଼ିବାରେ ଲାଗି ବନ୍ୟା ପୀଡ଼ିତ । ଏ ଚିତ୍ର ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦେକୁଡ଼ି ଗାଁର । ବନ୍ୟା ଛାଡିବା ପରେ ଏଠାରେ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । କେଉଁଠି ଘର ମାଟି ମିଶି ଯାଇଛି ତ କେଉଁଠି କାନ୍ଥ ଭଙ୍ଗି ନଇଁ ପଡିଛି ଚାଳ ଘର । ଏହାରି ଭିତରେ ନିଜର ଭଙ୍ଗା କୁଡିଆକୁ ସଜାଡିବା ଲାଗି ପଡିଛନ୍ତି ବନ୍ୟା ପୀଡିତ । ଆଉ କିଏ ଭାଙ୍ଗା କାନ୍ଥ ପୁଣି ଥରେ ସଳଖେଇବାକୁ ଚେଷ୍ଟା କରୁଛି ତ କିଏ କୌଣସି ଉପାୟ ନପାଇ ଭଙ୍ଗା ନୁଆଣିଆ ଘରେ ସାହାରା ନେଉଛି ।

କେବଳ ଏତିକି ନୁହେଁ ବନ୍ୟା ଯୋଗୁଁ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି । ଏକର ଏକର ଚାଷ ଜମିରେ ବନ୍ୟା ପାଣି ପଶିବା ଯୋଗୁଁ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଛି । ଫଳରେ ଚାଷୀର ଦୁଃଖ ଦ୍ୱିଗୁଣିତ ହୋଇଛି । ଏସବୁ ଭିତରେ ପାଣି ଛାଡ଼ିବା ପରେ ବର୍ଷକର ଆହର ପାଇଁ ଜମିରେ ପୁଣି ଥରେ ବେଉସଣ ଆରମ୍ଭ କରିଛି ଚାଷୀ । ଏପଟେ ବନ୍ୟା ପୀଡିତଙ୍କୁ କୌଣସି ରିଲିଫ ସାମଗ୍ରୀ କି ଚାଷୀଙ୍କୁ ସରକାରୀ ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ତେବେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଦର୍ପଣ ଅତିରିକ୍ତ ତହସିଲଦାର । ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ସହାୟତା ଦେବା ଜରୁରୀ ହୋଇ ପଡିଛି ।
ଟାଟା ପ୍ରୋଜେକ୍ଟସ ଲିମିଟେଡ ନିର୍ମାଣ କରିବ ନୂଆ ସଂସଦ ଭବନ, ମିଳିଛି ୮୬୧.୯୦ କୋଟି ଟଙ୍କାର କଣ୍ଟ୍ରାକ୍ଟ
ନୂଆଦିଲ୍ଲୀ: ଟାଟା ପ୍ରୋଜେକ୍ଟସ ଲିମିଟେଡ ୮୬୧.୯୦ କୋଟି ଟଙ୍କାରେ ନୂଆ ସଂସଦ ଭବନ ନିର୍ମାଣ କରିବା ପାଇଁ କଣ୍ଟ୍ରାକ୍ଟ ପାଇଛି । ଟାଟା ନିର୍ମାଣ ପାଇଁ ପକାଯାଇଥିବା ଟେଣ୍ଡରରେ ଲାର୍ସନ ଆଣ୍ଡ ଟବ୍ରୋକୁ ପଛରେ ପକାଇଛି । ଲାର୍ସନ ୮୬୫ କୋଟିର ଟେଣ୍ଡର ପକାଇଥିଲା । Central Public Works Department ନୂଆ ସଂସଦ ନିର୍ମାଣ ପାଇଁ ବୁଧବାରକୁ ଟେଣ୍ଡର ଖୋଲିଲା । ଯେଉଁଥିରେ ଟାଟାକୁ ଏହି ଟେଣ୍ଡର ମିଳିଲା । ସୂଚନା ମୁତାବକ ଏହି ପ୍ରକଳ୍ପ ଏକ ବର୍ଷ ମଧ୍ୟରେ ନିର୍ମାଣ ହେବାର ସମ୍ଭାବନା ରହିଛି । CPWD ନୂଆ ସଂସଦ ଭବନ ନିର୍ମାଣ ପାଇଁ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ନେଇ ଅନୁମାନ କରୁଥିଲେ ।

ଖବର ଅନୁସାରେ ନୂଆ ବିଲଡିଙ୍ଗକୁ ତ୍ରିକୋଣ ଆକାରର ଡିଜାଇନରେ ନିର୍ମାଣ କରାଯିବ । ବର୍ତ୍ତମାନ ଥିବା ସଂସଦ ଭବନ ବ୍ରିଟିଶ ସମୟରେ କରାଯାଇଥିଲା ଏବଂ ଏହାର ଆକୃତି ବୃତ୍ତାକାର । ଯଦିଓ ଦେଶ ସ୍ୱାଧୀନ ହେବାର ୭୫ ବର୍ଷରେ ପଦାର୍ପଣ କରିବ ତଥାପି ସଂସଦ ଭବନ ଆଜି ମଧ୍ୟ ପୁରୁଣା । ଏଠାରେ ଭିନ୍ନ ଭିନ୍ନ ସମସ୍ୟା ସାମ୍ନାକୁ ଆସୁଛି । ତେବେ ୧୫ ଅଗଷ୍ଟ ୨୦୨୨କୁ ୭୫ ବର୍ଷ ସ୍ୱାଧୀନତା ଦିବସରେ ସାଂସଦମାନେ ନୂଆ ସଂସଦରେ ବସନ୍ତୁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଛା ।
ସୂଚନାଯୋଗ୍ୟ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ନୂଆ ସଂସଦ ଭବନର ଆବଶ୍ୟକତାକୁ ନେଇ ପୂର୍ବରୁ କହି ସାରିଛନ୍ତି ।
ସଂସଦ ଭବନ ୧୯୧୧ରେ ନିର୍ମାଣ ଆରମ୍ଭ ହୋଇଥିଲା । ସେହି ସମୟରେ ବ୍ରିଟିଶ୍ ଶାସନରେ ଦିଲ୍ଲୀ ଭାରତର ରାଜଧାନୀ ହୋଇଥିଲା । ୧୯୨୭ରେ ସଂସଦ ଭବନର ଉଦଘାଟନ ହୋଇଥିଲା । ଏବେ ସଂସଦରେ ସଟ ସର୍କିଟିଙ୍ଗ ଭଳି ଅନେକ ସମସ୍ୟା ଦେଖା ଦେଉଛି । ତେଣୁ ନୂଆ ସଂସଦ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତି ହୋଇଛି ।



