ଏକର ଏକର ଜମି ଛାରଖାର୍: ଭାଙ୍ଗିଗଲା ଘର, ଉଜୁଡ଼ିଲା ଚାଷ

ଚଣ୍ଡିଖୋଲ: ବନ୍ୟା ଛାଡିଛି ହେଲେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । କେଉଁଠି ନଦୀ ବନ୍ୟା ପଶି ବ୍ୟାପକ କ୍ଷୟକ୍ଷତି କରିଛି ତ ଆଉ କେଉଁଠି ନଦୀ ବନ୍ଧରେ ଘାଇ ହୋଇ ବ୍ୟାପକ ଫସଲ ନଷ୍ଟ ହୋଇଛି । ଆଉ ଏହି ଦୁର୍ଦ୍ଦଶା ଭିତରେ ବନ୍ୟା ପୀଡ଼ିତ ନିଜର ଭଙ୍ଗା କୁଡ଼ିଆ ସଜାଡ଼ିବାରେ ଲାଗି ପଡ଼ିଛନ୍ତି । ଦେଖିବା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ଏହି ରିପୋର୍ଟ ।

ବନ୍ୟା ଆଣି ଦେଲା ଦୁଃଖ । ଭାଙ୍ଗିଗଲା ଘର, ଉଜୁଡ଼ିଲା ଚାଷ । ଏକର ଏକର ଜମି ହେଲା ଛାରଖାର । ଆଉ ଦୁର୍ଦ୍ଦାଶା ଭିତରେ ଭଙ୍ଗା କୁଡ଼ିଆ ସଜାଡ଼ିବାରେ ଲାଗି ବନ୍ୟା ପୀଡ଼ିତ । ଏ ଚିତ୍ର ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦେକୁଡ଼ି ଗାଁର । ବନ୍ୟା ଛାଡିବା ପରେ ଏଠାରେ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । କେଉଁଠି ଘର ମାଟି ମିଶି ଯାଇଛି ତ କେଉଁଠି କାନ୍ଥ ଭଙ୍ଗି ନଇଁ ପଡିଛି ଚାଳ ଘର । ଏହାରି ଭିତରେ ନିଜର ଭଙ୍ଗା କୁଡିଆକୁ ସଜାଡିବା ଲାଗି ପଡିଛନ୍ତି ବନ୍ୟା ପୀଡିତ । ଆଉ କିଏ ଭାଙ୍ଗା କାନ୍ଥ ପୁଣି ଥରେ ସଳଖେଇବାକୁ ଚେଷ୍ଟା କରୁଛି ତ କିଏ କୌଣସି ଉପାୟ ନପାଇ ଭଙ୍ଗା ନୁଆଣିଆ ଘରେ ସାହାରା ନେଉଛି ।

କେବଳ ଏତିକି ନୁହେଁ ବନ୍ୟା ଯୋଗୁଁ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି । ଏକର ଏକର ଚାଷ ଜମିରେ ବନ୍ୟା ପାଣି ପଶିବା ଯୋଗୁଁ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଛି । ଫଳରେ ଚାଷୀର ଦୁଃଖ ଦ୍ୱିଗୁଣିତ ହୋଇଛି । ଏସବୁ ଭିତରେ ପାଣି ଛାଡ଼ିବା ପରେ ବର୍ଷକର ଆହର ପାଇଁ ଜମିରେ ପୁଣି ଥରେ ବେଉସଣ ଆରମ୍ଭ କରିଛି ଚାଷୀ । ଏପଟେ ବନ୍ୟା ପୀଡିତଙ୍କୁ କୌଣସି ରିଲିଫ ସାମଗ୍ରୀ କି ଚାଷୀଙ୍କୁ ସରକାରୀ ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ତେବେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଦର୍ପଣ ଅତିରିକ୍ତ ତହସିଲଦାର ।  ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ସହାୟତା ଦେବା ଜରୁରୀ ହୋଇ ପଡିଛି ।

Leave a Reply