ନନ୍ଦିଘୋଷ ବ୍ୟୁରୋ : ପିକ୍ ଟ୍ରାଫିକ ଆୱାର ବା ବ୍ୟସ୍ତବହୁଳ ସମୟ କାଳରେ ମୂଳ ଭଡ଼ାର ଦୁଇ ଗୁଣ ଚାର୍ଜ କରିପାରିବେ ପରିବହନକାରୀ ସଂସ୍ଥା। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ମୋଟର ଯାନ ଏଗ୍ରିଗେଟର ଗାଇଡଲାଇନ ଅନୁସାରେ ଏହି ଭଡ଼ା ଲାଗୁ କରାଯାଇପାରିବ। ଗତକାଲିଠାରୁ ଏହି ନିୟମ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ସୁଦ୍ଧା ଭଡ଼ାର ସର୍ବାଧିକ ସୀମା ଥିଲା ମୂଳ ଭଡ଼ାର ଦେଢ ଗୁଣ। ଆସନ୍ତା ୩ ମାସରେ ଏହି ଗାଇଡଲାଇନ କାର୍ଯ୍ଯକାରୀ କରିବା ଲାଗି ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ଯାତ୍ରୀ ପରିବହନକାରୀ ସଂସ୍ଥାର ଭଡ଼ା ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମଞ୍ଜୁରୀ ଆବଶ୍ଯକ ହୋଇଥାଏ। ଟ୍ରାଫିକ ଭିଡ଼, ଯାନ ସଂକ୍ରାନ୍ତ ପ୍ରଦୂଷଣ ଆଦିକୁ ଦୃଷ୍ଟିରେ ରଖି ସରକାର ଏହି ଗାଇଡଲାଇନ ସମ୍ପର୍କରେ ନିଷ୍ପତ୍ତି ନେବେ। ଗାଇଡଲାଇନର ଧାରା ୨୩ ଅନୁସାରେ ବିଭିନ୍ନ ଯାତ୍ରୀ ପରିବହନକାରୀ ଯାନ ଉପରେ ଦୈନିକ, ସାପ୍ତାହିକ କିମ୍ବା ପାକ୍ଷିକ ଲେଭି ଧାର୍ଯ୍ୟ କରିପାରିବେ। ନିୟମ ଅନୁସାରେ ସର୍ବନିମ୍ନ ୩ କିଲୋମିଟର ଲାଗି ଭଡ଼ା ଲାଗୁ ହେବ। ତେବେ ଆଦୌ ଯାତ୍ରା ନ କରିବା କ୍ଷେତ୍ରରେ ଅର୍ଥାତ ଡେଡ ମାଇଲେଜ କ୍ଷେତ୍ରରେ ଯାତ୍ରୀମାନଙ୍କୁ ତୌଣସି ଦେୟ ଦେବାକୁ ହେବ ନାହିଁ। ଏହା ସହ ଯାତ୍ରୀମାନଙ୍କ ଲାଗି ଯାତ୍ରୀପରିବହନକାରୀମାନେ ସର୍ବନିମ୍ନ ୫ ଲକ୍ଷ ଟଙ୍କାର ବୀମା କରିବାକୁ ହେବ।
ପୋଲିସ ମାଡ଼ରେ ଫାଟିଲା କାନ,ନ୍ୟାୟ ପାଇଁ SP ଙ୍କ ଦ୍ୱାରସ୍ଥ ହେଲେ ପୀଡିତ
ନନ୍ଦିଘୋଷ ବ୍ୟୁରୋ : ପୋଲିସ ମାଡ଼ରେ ଫାଟିଲା କାନ। ନ୍ୟାୟ ପାଇଁ SP ଙ୍କ ଦ୍ୱାରସ୍ଥ ହେଲେ ପୀଡିତ । ନୟାଗଡ ଜ଼ିଲ୍ଲା ଫତେଗଡ ଥାନାରେ ଘଟିଛି ଏହି ଘଟଣା। ଫତେଗଡ କାଳିକା ସାହିର ବନବାସ ସ୍ୱାଇଁଙ୍କ ୬ ବର୍ଷ ର ଝିଅ ଓ ଜଣେ ପଡ଼ୋଶୀଙ୍କ ପିଲା ମଧ୍ୟରେ ସାମାନ୍ଯ ଝଗଡ଼ା ହୋଇଥିଲା । ଏନେଇ ପଡୋଶୀ ଘର ଲୋକ ଫତେଗଡ଼ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ବନବାସ ଫତେଗଡ଼ ଥାନାକୁ ଯାଇଥିଲେ। ସେଠାରେ ASI ଅରୂପାନନ୍ଦ ନାୟକ ବନବାସଙ୍କ ଗାଲରେ ଚାପୁଡ଼ା ଉପରେ ଚାପୁଡ଼ା ମାରିଥିବା ଅଭିଯୋଗ କରିଛନ୍ତି ବନବାସ । ଏପରିକି ବିଧା ଗୋଇଠା ମାରି ଥାନାରେ ସଂଧ୍ୟା ଯାଏ ବସାଇଥିଲେ। ଅଭିଯୋଗକାରୀଙ୍କ ସହିତ ବୁଝାମଣା ହେବା ପରେ ଛାଡ଼ିଥିଲେ । କିନ୍ତୁ ବନବାସ ଘରକୁ ଫେରିବା ପରେ ଅନୁଭବ କଲେ ଯେ, ତାଙ୍କୁ କିଛି ଶୁଭୁ ନାହିଁ। ପରଦିନ ଖୋର୍ଦ୍ଧା ଓ ନୟାଗଡ଼ରେ ଡାକ୍ତରଙ୍କୁ ଦେଖାଇବା ଜଣାପଡ଼ିଲା ଯେ, କାନ ପରଦା ଫାଟି ଯାଇଛି । ଚିକିତ୍ସା ପରେ ବନବାସ ଫତେଗଡ଼ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏତଲା ରଖିନଥିବା ବନବାସ ଅଭିଯୋଗ କରିଛନ୍ତି । ଆଶ୍ଚର୍ଯ୍ୟର କଥା ଘଟଣା ଘଟିଥିବା ଦିନ ଅରୂପାନନ୍ଦ ନାୟକ ଫତେଗଡ ଥାନାରୁ ବଦଳି ହୋଇ ଜଟଣୀ ଥାନାରେ ଯୋଗ ଦେଇସାରିଥିଲେ । ସେ ଜଟଣୀ ଥାନା ଛାଡି ଫତେଗଡ଼ ଥାନା କାହିଁକି ଆସିଥିଲେ ବୋଲି ପ୍ରଶ୍ନ ଉଠିଛି । ଫତେଗଡ଼ ଥାନାରୁ ନ୍ୟାୟ ନପାଇବାରୁ ବନବାସ ନୟାଗଡ଼ଙ୍କ ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି। ତଦନ୍ତ ପାଇଁ ଅତିରିକ୍ତ ଏସପି ଖଣ୍ଡପଡ଼ା ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତେଲେଙ୍ଗାନା ବିସ୍ଫୋରଣ : ୪ ଓଡିଆ ମୃତ
ନନ୍ଦିଘୋଷ ବ୍ୟୁରୋ : ତେଲଙ୍ଗାନା ସଙ୍ଗାରେଡ୍ଡୀ ଫାର୍ମା ପ୍ଲାଣ୍ଟ ବିସ୍ଫୋରଣ ଘଟଣା। ଏଥିରେ ପ୍ରାଣ ହରାଇଛନ୍ତି ୪ ଓଡ଼ିଆ। ମୃତକମାନେ ହେଲେ ଗଞ୍ଜାମ, କଟକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାର। ମୃତକମାନେ ହେଲେ ଗଂଜାମର ଜଗନ ମୋହନ, କଟକ ତିଗିରିଆର ଲଗ୍ନଜିତ ଦୁଆରୀ, ବାଲେଶ୍ଵରର ମନୋଜ ରାଉତ, ଯାଜପୁରର ଦୋଳଗୋବିନ୍ଦ ସାହୁ। ଆହତମାନେ ହେଲେ ଗଞ୍ଜାମର ସମୀର ପାଢୀ, ଭଦ୍ରକର ଚନ୍ଦନ ନାୟକ, ନବରଙ୍ଗପୁରର ନୀଳାମ୍ବର ବାତ୍ରା। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର OSD ପ୍ରୀତିଶ ପଣ୍ଡା।
ବର୍ତ୍ତମାନ ସୁଦ୍ଧା ୩୬ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏବେ ବି ଅନେକ ଶ୍ରମିକ ନିଖୋଜ ରହିଛନ୍ତି। ମୃତକଙ୍କ ମଧ୍ୟରେ ବିହାର, ଓଡ଼ିଶା, ମଧ୍ୟପ୍ରଦେଶ ଓ ଆନ୍ଧ୍ର ପ୍ରଦେଶର ଶ୍ରମିକ ରହିଛନ୍ତି। ଘଟଣା ବେଳେ ପ୍ଲାଣ୍ଟରେ ମୋଟ ୧୪୩ ଜଣ ରହିଥିଲେ। ଉଦ୍ଧାରକାରୀ ଟିମ ବିସ୍ଫୋରଣ ସ୍ଥଳରେ ଧ୍ୱଂସାବଶେଷ ସଫା କରିବାରେ ଲାଗି ପଡ଼ିଛନ୍ତି। ବିସ୍ଫୋରଣ ଯୋଗୁ ୩ ମହଲା ବିଶିଷ୍ଟ ପ୍ଲାଣ୍ଟ ଭୁଶୁଡ଼ି ପଡ଼ିଥିଲା। ଏବେ ଧ୍ୱଂସାବଶେଷ ତଳୁ କର୍ମଚାରୀ ଓ ଶ୍ରମିକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେଭନ୍ଥ ରେଡ୍ଡୀ ଓ ଅନ୍ୟ କିଛି କ୍ୟାବିନେଟ ସଦସ୍ୟ ବିସ୍ଫୋରଣ ସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୧ କୋଟିର କ୍ଷତି ପୂରଣ ରାଶି ଘୋଷଣା କରିଥିବା ବେଳେ ଗୁରୁତର ଆହତଙ୍କ ପାଇଁ ୧୦ ଲକ୍ଷ ଓ କେବଳ ଆହତ ହୋଇଥିବା ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ମିଳିବ ବୋଲି କହିଛନ୍ତି । ସୋମବାର ସକାଳେ ପ୍ଲାଣ୍ଟର ରିଆକ୍ଟରରେ କେମିକାଲ ରିଆକ୍ସନ ଯୋଗୁ ବିସ୍ଫୋରଣ ହୋଇଥିବା ଆଶଙ୍କା କରାଯାଉଛି।
ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ବି ପ୍ରସବକାଳୀନ ଛୁଟି ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ
ନନ୍ଦିଘୋଷ ବ୍ୟୁରୋ : ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ପ୍ରସବ କାଳୀନ ଛୁଟି ପାଇବା ପାଇଁ ଯୋଗ୍ୟ। ଏହି ରାୟ ଦେଇଛନ୍ତି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ। ପୂର୍ବରୁ ଏକ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ ଅନୁରୂପ ରାୟ ଦେଇ ଚୁକ୍ତିଭିତ୍ତିକ ମହିଳାଙ୍କୁ ପ୍ରସବକାଳୀନ ଛୁଟିରୁ ବଞ୍ଚିତ କରିବା ଅମାନବୀୟ ବୋଲି କହିଥିଲେ। ଏହି ରାୟ ବିରୋଧରେ ରାଜ୍ଯ ସରକାର ଆବେଦନ କରିଥିଲେ। ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ପ୍ରସବ କାଳୀନ ଛୁଟି ପାଇବାକୁ ଯୋଗ୍ୟ । ପୂର୍ବ ଖଣ୍ଡପୀଠ ଦେଇଥିବା ରାୟକୁ ୮ ସପ୍ତାହ ମଧ୍ଯରେ କାର୍ଯ୍ୟକାରୀ କରି ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ କାର୍ଯ୍ୟରତ ଜଣେ ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ୧୭ ଅଗଷ୍ଟ ୨୦୧୬ରୁ ୨୦୧୭ ଫେବ୍ରୁଆରୀ ୧୨ ଯାଏ ପ୍ରସବକାଳୀନ ଛୁଟି ଆବେଦନ କରିଥିଲେ। ଏଭଳି ଛୁଟି ପାଇଁ ଚୁକ୍ତି ଅନୁଯାଇ ସେ ଯୋଗ୍ଯ ନୁହନ୍ତି ବୋଲି ଦର୍ଶାଇ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ ବିଭାଗୀୟ ଅଧିକାରୀ। କିନ୍ତୁ ମହିିଳାଙ୍କ ସପକ୍ଷରେ ରାୟ ଦେଇଛନ୍ତି ହାଇକୋର୍ଟ।
ଗଂଜାମରେ ବୁଲିଲା ଖଣ୍ଡା, ଆକ୍ରମଣରେ ୨ ଜଣ ଗୁରୁତର
ନନ୍ଦିଘୋଷ ବ୍ୟୁରୋ : ଗଂଜାମ ଥାନା ତେଲୁଗୁ ନୂଆଗାଁ ନିକଟରେ ଦୁଇ ଜଣକୁ ଖଣ୍ଡାରେ ଆକ୍ରମଣ । ଗୁରୁତର ଅବସ୍ଥାରେ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଆହତ ହେଲେ ରିଙ୍କି ବେହେରା ଓ ଭୀମ ତରେଇ । ଗତ ବିଳମ୍ଵିତ ରାତିରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ଭୀମଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ଅନୁସାରେ ରିଙ୍କି ବେହେରାଙ୍କର କିଛି ପିଲାଙ୍କ ସହ ଝଗଡା ହୋଇଥିଲା। ଏହାକୁ ନେଇ ରିଙ୍କି ଗଞ୍ଜାମ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ । ସେଠାରୁ ଭୀମଙ୍କ ସହ ଫେରୁଥିବା ବେଳେ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ କିଛି ଯୁବକ। ଗଞ୍ଜାମ ପୋଲିସ ତଦନ୍ତ କରୁଛି, ଏଯାଏ କାହାକୁ ଧରି ପାରିନାହିଁ ।
ଆଜିଠୁ ବର୍ମିଂହାମ୍ରେ ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ
ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ । ବର୍ମିଂହାମରେ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଶୃଙ୍ଖଳାର ଦ୍ବିତୀୟ ମ୍ଯାଚ ଖେଳାଯିବ । ପ୍ରଥମ ଟେଷ୍ଟ ମ୍ୟାଚ ୱିକେଟରେ ହାରିଥିବାରୁ ଚାପରେ ଶୁବମନ ଗିଲଙ୍କ ଯୁବ ବାହିନୀ । ବର୍ମିଂହାମରେ ଭାରତ ଇଂଲଣ୍ଡ ବିରୋଧରେ କେବେ ବିଜୟୀ ହୋଇ ଥିବାବେଳେ ଦଳପାଇଁ ଏବେ ବୋଲିଂ ମୁଖ୍ୟ ସମସ୍ୟା ପାଲଟିଛି । ଭାରତର ପ୍ରମୁଖ ପେସ୍ ବୋଲର ଯଶପ୍ରିତ ବୁମରା ନ ଖେଳିବା ଚର୍ଚ୍ଚା ହେଉଛି । ଲିଡସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଯଶପ୍ରିତଙ୍କ ବୋଲିଂ କାରଣରୁ ପ୍ରଥମ ପାଳିରେ ୬ ରନରେ ଆଗୁଆ ଥିଲା ଭାରତ । କିନ୍ତୁ ଦ୍ବିତୀୟ ପାଳିରେ ବୋଲର ପ୍ରଭାଭଶୂନ୍ଯ ରହିବା କାରଣରୁ ସୁଯୋଗ ହାତଛଡ଼ା କରିଥିଲା ଟିମ୍ ଇଣ୍ଡିଆ । ବର୍ମିଂହାମରେ ବୁମରାଙ୍କ ସ୍ଥାନ ନେଇପାରନ୍ତି ବାମହାତୀ ଅର୍ଶଦୀପ ସିଂ । ବର୍ମିଂହାମରେ ୧୯୬୭ରୁ ଆରମ୍ଭ କରି ୮ଟି ଟେଷ୍ଟ ଖେଳିଛି ଭାରତ । ୭ଟିରେ ପରାସ୍ତ ହୋଇଥିବାବେଳେ ଗୋଟିଏ ଡ୍ର ରହିଛି । ତେଣୁ ଏଠାରେ ଗିଲ ବାହିନୀ ବିଜୟୀ ହୋଇ ଭାରତର ୫୮ ବର୍ଷର ପରାଜୟ ଧାରା ଭାଙ୍ଗିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।
ଆଜି ଅନୁଷ୍ଠିତ ହେବ ତିନି ରଥର ଦକ୍ଷିଣମୋଡ
ନନ୍ଦିଘୋଷ ବ୍ୟୁରୋ : ଅନୁଷ୍ଠିତ ହୋଇଛି ହେରା ପଞ୍ଚମୀ ନୀତି। କେବଳ ଭାଇ ଭଉଣୀଙ୍କୁ ନେଇ ଶ୍ରୀଜଗନ୍ନାଥ ଜନ୍ମବେଦୀକୁ ଆସିଥିବାରୁ ମହାଲକ୍ଷ୍ମୀ ଅଭିମାନ କରିଥିଲେ। ସେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଫେରିବା ବେଳେ ରାଗରେ ନନ୍ଦିଘୋଷ ରଥର ନାକଚଣା ବି ଭାଙ୍ଗି ଦେଇଛନ୍ତି। ଏହା ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବାର ମନସ୍ଥ କରିଛନ୍ତି। ସେଥିପାଇଁ ଆଜି ଅନୁଷ୍ଠିତ ହେବ ତିନି ରଥର ଦକ୍ଷିଣମୋଡ । ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ସରିବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥ ନିକଟକୁ ବିଜେ କରିବ । ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରୁ ନାକଚଣା ଦ୍ଵାରକୁ ଅଣାଯିବ।ଏଥିସହ ଆରମ୍ଭ ହେବ ବାହୁଡା ଯାତ୍ରାର ପ୍ରସ୍ତୁତି । ଗତକାଲି ହୋଇଥିଲା ହେରା ପଞ୍ଚମୀ ନୀତି। ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ମହାଲକ୍ଷ୍ମୀ ଅଭିମାନରେ ଫେରିଥିବାରୁ ପ୍ରଭୁଙ୍କ ନିର୍ଦେଶରେ ବାହୁଡା ଯାତ୍ରା ପାଇଁ ତିନି ରଥର ଦକ୍ଷିଣମୋଡ କରାଯାଇଥାଏ । ରଥର ମୁଖ୍ୟ ମହାରଣା,ଭୋଇ ସେବକଙ୍କ ଉପସ୍ଥିତିରେ ରଥ ତଦାରଖ କମିଟି,ଶ୍ରୀମନ୍ଦିର ପ୍ରଶାସନର ଯନ୍ତ୍ରୀ,ପୂର୍ତ୍ତବିଭାଗର ଯନ୍ତ୍ରୀ ମିଳିତ ଭାବେ ତିନ ରଥର ଯାଞ୍ଚ କରିଥିଲେ । ଆବଶ୍ୟକ ଛୋଟ ମୋଟ ମରାମତି ମଧ୍ୟ କରାଯାଇଛି ।
ଆଜି ସରୁଛି କଣ୍ଟ, ଦୃଢ ପଦକ୍ଷେପ ନେଇପାରନ୍ତି ରାଜ୍ୟ ଓଏଏସ୍ ସଂଘ
ନନ୍ଦିଘୋଷ ବ୍ୟୁରୋ : ଆଜି ସରୁଛି କଣ୍ଟ । ଦୃଢ ପଦକ୍ଷେପ ନେଇପାରନ୍ତି ରାଜ୍ୟ ଓଏଏସ୍ ସଂଘ । ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ମାଷ୍ଟରମାଇଣ୍ଡକୁ ଗିରଫ କରିବାକୁ ଦାବି କରିଛି ସଂଘ । ଗତକାଲିଠୁ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ସମୁହ ଛୁଟିରେ ଓଏଏସ୍ ଅଧିକାରୀ । ସେପଟେ ଓଏଏସ ଅଧିକାରୀଙ୍କ ଅନୁପସ୍ଥିତିରେ ରଥଯାତ୍ରା ଓ ପ୍ରଶାସନ କାର୍ଯ୍ୟ ଚାଲିବାରେ ବାଧାସୃଷ୍ଟି ହେବା ନେଇ ଆଶଙ୍କା ଉପୁଜିଛି । ଏପରିକି ଜିଲ୍ଲା ସ୍ରତରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ଟ୍ରେଜେରି କାର୍ଯ୍ୟ, ସରକାରଙ୍କ ରାଜସ୍ବ ସଂଗ୍ରହ ନେଇ ଅଚଳାବସ୍ତା ସୃଷ୍ଟି ହୋଇପାରେ । ଗତକାଲି ସୁଦ୍ଧା ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି । ହେଲେ ମୁଖ୍ୟ ଷଡଯନ୍ତ୍ରକାରୀ ଯେଉଁ ପର୍ଯ୍ୟନ୍ତ ଗିରଫ ନହୋଇଛନ୍ତି, ସେ ପର୍ଯ୍ୟନ୍ତ ଦାବିରୁ ଓହରିବେ ନାହିଁ ବୋଲି ସଂଘ ସ୍ପଷ୍ଟ କରିଛି ।

