spot_img
Home Blog Page 637

ଐଶ୍ୱର୍ଯ୍ୟା- ଅଭିଷେକଙ୍କ ଛାଡ଼ପତ୍ର ! ଅଭିଷେକ କହିଲେ ମୋତେ ଫରକ୍ ପଡେ ନାହିଁ ..

ନନ୍ଦିଘୋଷ ବ୍ୟୁରୋ: ଛାଡପତ୍ର ଏବଂ ଆଫେୟାର ମଧ୍ୟରେ ମୁହଁ ଖୋଲିଛନ୍ତି ଅଭିଷେକ ବଚ୍ଚନ  । ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଛାଡ଼ପତ୍ର ନେଇ ଚାଲିଥିବା ଗୁଜବ ଉପରେ ଏକ ବଡ଼କଥା କହିଛନ୍ତି ।ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବ୍ୟକ୍ତିଗତ ଜୀବନ ଗତ ବର୍ଷ ଧରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସେମାନଙ୍କ ଛାଡପତ୍ର ଖବର ସିନେମା ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। ପରେ ଏହା ସମ୍ପୂର୍ଣ୍ଣ ଗୁଜବରେ ପରିଣତ ହୋଇଥିଲେ ମଧ୍ୟ ପ୍ରଶଂସକମାନେଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏବେବି ଲୋକମାନେ ବିଶ୍ୱାସ କରୁଛନ୍ତି ଯେ ଏହି ପରିବାରରେ ଫାଟ ଚାଲିଛି।

ଅଭିଷେକ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ସୋସିଆଲ ମିଡିଆରେ ହେଉଥିବା ଆଲୋଚନା ଦ୍ୱାରା ସେ ପ୍ରଭାବିତ ହୁଅନ୍ତି ନାହିଁ। ସେ ଏପରି ଗୁଜବକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଏକ ସାକ୍ଷାତକାର ସମୟରେ ଅଭିନେତା ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ପରିବାରରେ ଏକାଠି ରହିବା ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ସେ କହିଛନ୍ତି ଯେ ତାଙ୍କ ବିଷୟରେ ଚର୍ଚ୍ଚା ହେଉଥିବା କଥାକୁ ସେ ଗମ୍ଭୀରତାର ସହ ନିଅନ୍ତି ନାହିଁ।

ମୋତେ କୌଣସି ଫରକ ପଡ଼େ ନାହିଁ – ଅଭିଷେକ

ଏକ ସାକ୍ଷାତକାରରେ ଅଭିଷେକକହିଛନ୍ତି ଯେ, “ଆମେ ବହୁସମୟରେ କାମକୁ ନେଇ ଚର୍ଚ୍ଚା କରିଥାଉ କିନ୍ତୁ ତା ସହିତ ଅନ୍ୟାନ୍ୟ ଚର୍ଚ୍ଚା ମଧ୍ୟ ହୋଇଥାଏ । ମୁଁ ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ବଢ଼ିଛି, ତେଣୁ ମୁଁ ଜାଣେ କ’ଣ ଗମ୍ଭୀରତାର ସହ ନିଆଯିବ ଏବଂ କ’ଣ ନୁହେଁ। ସୋସିଆଲ ମିଡିଆରେ ଯାହା ଘଟୁଛି, ମୁଁ ଏଥିରୁ ପ୍ରଭାବିତ ହୁଏ ନାହିଁ।” ଅଭିନେତା ଆହୁରି ମଧ୍ୟ କହିଛନ୍ତି, “ହୁଏତ, ଅଗସ୍ତ୍ୟ ନନ୍ଦ ଯିଏ ଜଣେ ଅଭିନେତା ଭାବରେ କ୍ୟାରିୟର ଆରମ୍ଭ କରିଛନ୍ତି ସେ ପ୍ରଭାବିତ ହୋଇପାରନ୍ତି… କାରଣ ଏହି ପିଢ଼ି ଏପରି। କିନ୍ତୁ ସମୟ ସହିତ ଆମକୁ ବଢିବାକୁ ପଡ଼ିବ । ଆମକୁ ଜାଣିବାକୁ ପଡିବ ଯେ ଏହା ଜୀବନର ସର୍ବସ୍ୱ ନୁହେଁ।”

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଗୁଜବ

ଏହା କୌଣସି ନୂଆ କଥା ନୁହେଁ ଯେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବୈବାହିକ ଜୀବନରେ ଫାଟ ଗୁଜବ ବହୁତ ଦିନ ଧରି ଶିରୋନାମା ପାଲଟିଛି। ଏହା ସବୁ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଗତ ବର୍ଷ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ଉଭୟ ଗଣମାଧ୍ୟମ ସାମ୍ନାରେ ପୃଥକ ଭାବରେ ଦେଖା ଦେଇଥିଲେ। ଏହା ବ୍ୟତୀତ ଯେତେବେଳେ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାର ଜନ୍ମଦିନ ପାର୍ଟିର ଫଟୋ ସେୟାର କରିଥିଲେ, ସେତେବେଳେ ବଚ୍ଚନ ପରିବାରର କୌଣସି ସଦସ୍ୟ ସେଠାରେ ନଥିଲେ। ଅଭିଷେକ କାନ୍ସ ସମୟରେ ମଧ୍ୟ ଐଶ୍ୱର୍ଯ୍ୟାକୁ ଉତ୍ସାହିତ କରିନଥିଲେ।

ଆଫ୍ରିକୀୟ ରାଷ୍ଟ୍ର ମାଲିରେ ୩ ଭାରତୀୟଙ୍କୁ ଅପହରଣ ଘଟଣା ; ଅପହୃତଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ସୂଚନା

ବ୍ରହ୍ମପୁର : ଆଫ୍ରିକୀୟ ରାଷ୍ଟ୍ର ମାଲିର ଡାୟମଣ୍ଡ ସିମେଣ୍ଟ କାରଖାନାରୁ ୩ ଭାରତୀୟ ଅପହୃତ ଘଟଣା । ଅପହୃତଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ସୂଚନା ମିଳିଛି । ସେ ହେଉଛନ୍ତି ଗଞ୍ଜାମ ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ୨୮ ବର୍ଷ ବୟସ୍କ ପି. ଭେଙ୍କଟରମଣ। ପୁଅଙ୍କୁ ଅପହରଣ କରାଯାଇଥିବା ନେଇ ହିଞ୍ଜିଳି ଥାନାରେ ଗତକାଲି ଅଭିଯୋଗ କରିଛନ୍ତି ଭେଙ୍କଟରମଣଙ୍କ ମା । ମୁମ୍ବାଇର ବ୍ଲୁଷ୍ଟାର କମ୍ପାନୀ ପକ୍ଷରୁ ମାଲିର ଏକ ସିମେଣ୍ଟ କାରଖାନାକୁ ଯାଇ ସେଠାରେ କାମ କରୁଥିଲେ ଭେଙ୍କଟରମଣ।

ଗତ ୧ ତାରିଖରେ ନିଷିଦ୍ଧ ଘୋଷିତ ଆତଙ୍କୀ ସଂଗଠନ ଅଲକାଏଦାର ଏକ ସହଯୋଗୀ ସଂଗଠନ ସେମାନଙ୍କୁ ଅପହରଣ କରିଥିବା ସୂଚନା ମିଳିଛି । ପଶ୍ଚିମାଞ୍ଚଳ ମାଲି ଅନ୍ତର୍ଗତ କାୟେସସ୍ଥିତ ଡାୟମଣ୍ଡ ସିମେଣ୍ଟ କାରଖାନାରୁ ସେମାନଙ୍କୁ ଅପହରଣ କରାଯାଇଥିଲା । ଏହା ସହ ଚୀନର ଜଣେ ନାଗରିକଙ୍କୁ ମଧ୍ୟ ଅପହରଣ କରାଯାଇଥିଲା । ଏହି କାରଖାନା ଉପରେ ସଶସ୍ତ୍ର ଆତଙ୍କୀମାନେ ସମ୍ମିଳିତ ହମଲା କରିବା ପରେ ସେମାନଙ୍କୁ ଅପହରଣ କରାଯାଇଥିଲା । ଅଲକାଏଦା ସହ ଜଡ଼ିତ ଜମାତ ନୁସରତ ଅଲ-ଇସଲାମ ଓ୍ବାଲ ମୁସଲିମିନ ପକ୍ଷରୁ ଏହି ଅପହରଣ କରାଯାଇଥିଲା। ଅପହରଣ ଘଟଣାକୁ ତୀବ୍ର ନିନ୍ଦା କରିଥିଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।

ଅପହୃତ ଭାରତୀୟଙ୍କୁ ନିରାପଦରେ ଉଦ୍ଧାର ଲାଗି ମାଲି ସରକାରଙ୍କ ନିକଟରେ ଅନୁରୋଧ କରିଛି ମନ୍ତ୍ରାଳୟ । ସଶସ୍ତ୍ର ଆତଙ୍କୀ ପ୍ରଥମେ କାରଖାନାରେ ପ୍ରବେଶ କରିବା ପରେ ଭାରତୀୟଙ୍କୁ ଅପହରଣ କରିଥିଲେ । ବାମାକୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଘଟଣାକୁ ଗୁରୁତ୍ବର ସହ ନିଆଯାଇ ଭାରତୀୟଙ୍କ ଉଦ୍ଧାର ଲାଗି ପଦକ୍ଷେପ ନିଆଯାଇଛି । ମାଲିରେ ବସବାସ କରୁଥିବା ଭାରତୀୟମାନେ ସତର୍କ ରହିବା ଲାଗି ପରାମର୍ଶ ଦେଇଥିଲା ମନ୍ତ୍ରାଳୟ ।

ଆହୁରି ୨୪ ଘଣ୍ଟା ଜାରି ରହିବ ବର୍ଷା: ଏହିସବୁ ଜିଲ୍ଲାକୁ ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ବର : ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷିବ । ପ୍ରବଳ ଗୁଳୁଗୁଳିତିରୁ ଗତ କିଛିଦିନ ହେବ ମିଳିଛି ଆଶ୍ବସ୍ତି । ଏହାରି ଭିତରେ ବର୍ଷା ନେଇ ଏକ ବଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆହୁରି ୨୪ ଘଣ୍ଟା ବର୍ଷାର ସର୍ବାଧିକ ପ୍ରଭାବ ରହିବ । ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଝଡ଼ ପବନ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। । ସୁନ୍ଦରଗଡ଼, ଝାରସୁଗୁଡା , ସମ୍ବଲପୁର,ଦେଓଗଡ଼, ବୌଦ୍ଧ, ସୋନପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର,ବରଗଡ଼, ବାଲେଶ୍ଵର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଗତସିଂହପୁର,ଅନୁଗୁଳ,ଢେଙ୍କାନାଳ,କେଉଁଝର,ମୟୁରଭଞ୍ଜ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ଜିଲ୍ଲାମାନଙ୍କରେ ବିଜୁଳି, ଘଡ଼ଘଡ଼ି ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ୮ ତାରିଖ ଯାଏଁ ଲାଗି ରହିବ ବର୍ଷା । ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାରି ଦିନ ଯାଏ ବର୍ଷା ସମ୍ଭାବନା ରହିଛି।

ପବିତ୍ର ବାହୁଡା ଯାତ୍ରା: ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ଶ୍ରୀଜିଉ

ପୁରୀ: ଆଜି ପବିତ୍ର ବାହୁଡ଼ାଯାତ୍ରା । ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଆଜି ବାହୁଡ଼ିବେ ଦାରୁବ୍ରହ୍ମ। ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ଶରଧାବାଲିରେ ଥିବା ରଥ ଉପରେ ପହଣ୍ଡି ବିଜେ କରିବେ। ବଡ଼ଦାଣ୍ଡରେ ଘର ଘର ନାଦକରି ଶ୍ରୀମନ୍ଦିର ସିଂହଦ୍ବାର ଅଭିମୁଖେ ଗଡ଼ିବ ତିନିରଥ। ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ନବଦିନ ବ୍ୟାପୀ ଆଡ଼ପମଣ୍ଡପ ଲୀଳା ଶେଷକରି ବାହୁଡ଼ାଯାତ୍ରା କରିବେ ମହାପ୍ରଭୁ। ବିଶ୍ବବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା ପରଂବ୍ରହ୍ମ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଫେରିବା ବାଟକୁ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ରଥ, ପଥ ଓ ଭକ୍ତ। ଜନ୍ମବେଦୀ ଲୀଳା ସରିବା ପରେ ଆଡପ ମଣ୍ଡପ ଛାଡି ରଥାରୂଢ ହୋଇ ବାହୁଡ଼ିବେ ମହାବାହୁ । ଗତକାଲି ନବମୀ ସନ୍ଧ୍ୟା ଦର୍ଶନରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ଧନ୍ୟ ହୋଇଥିବା ବେଳେ ଗୁଣ୍ଡିଚା ମନ୍ଦିରରେ ରାତ୍ର ପହୁଡ଼ ନୀତି ସମ୍ପନ୍ନ ହୋଇଥିଲା। ପରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଖଣ୍ଡୁଆ ସମ୍ପନ୍ନ କରାଯାଇ ଭିତର ନୀତି କରାଯାଇଥିଲା। ରାତି ୧୨ଟା ସୁଦ୍ଧା କୋଠ ସୁଆଁସିଆ ସେବକମାନେ ଚାର ବନ୍ଧା ନୀତି ଶେଷ କରିବା ପରେ ଦଇତାପତି ସେବକ ପ୍ରବେଶ କରିଥିଲେ।

ଶ୍ରୀଜିଉମାନଙ୍କର ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ରୋଷ ହୋମ ଆଦି ନୀତି କରାଯାଇ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ଖେଚୁଡ଼ି ଭୋଗ ଅନୁଷ୍ଠିତ ହେବ। ଏହା ପରେ ମହାପ୍ରଭୁଙ୍କୁ ଧାଡି ପହଣ୍ଡିରେ ରଥ ଉପରକୁ ବିଜେ କରାଯିବ । ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ସେବକଙ୍କ ମେଳରେ ମିଳିତ ଘଣ୍ଟବାଦ୍ୟ, ବୀର କାହାଳୀ ଏବଂ ପଖଉଜ ବାଦ୍ୟ ସହ ତାଳମିଳାଇ ଝୁଲି ଝୁଲି ରଥ ଉପରେ ବିଜେ କରିବେ ମହାପ୍ରଭୁ।  ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ପରେ ମଦନ ମୋହନ, ରାମ ଓ କୃଷ୍ଣଙ୍କ ପହଣ୍ଡି କରାଯିବ। ପରେ ଗଜପତି ମହାରାଜା ଛେରା ପହଁରା ନୀତି ସମ୍ପାଦନ କରିବେ। ଛେରା ପହଁରା ନୀତି ପରେ ତିନି ରଥରୁ ଚାର ଖୋଲାଯାଇ ଘୋଡା ବନ୍ଧା ଯିବା ସହ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ଆଜି ସକାଳୁ ବାହୁଡା଼ ଯାତ୍ରା ପାଇଁ ଶରଧାବାଲିରେ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଛି।

ମଣିପୁରରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ; ଚଢାଉରୁ ରାଇଫଲ, ବନ୍ଧୁକ, ଗୁଳି ସହିତ ବିସ୍ଫୋରକ ଜବତ

ନନ୍ଦିଘୋଷ ବ୍ୟୁରୋ : ମଣିପୁରରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ। ପାର୍ବତ୍ୟାଞ୍ଚଳରେ ଥିବା ଜିଲ୍ଲାଗୁଡ଼ିକର ବିଭିନ୍ନ ସ୍ଥାନରେ ରେଡ୍ କରି ଏହି ଅସ୍ତ୍ରଶସ୍ତ୍ର ଜବତ କରିଛି ସେନା ଓ ଆସାମ ରାଇଫଲସର ମିଳିତ ଟିମ୍। ସାଧାରଣ ଲୋକଙ୍କ ପାଖରେ ଏହି ସବୁ ଅସ୍ତ୍ରଶସ୍ତ୍ର ଥିଲା। ସାଧାରଣ ବନ୍ଧୁକଠାରୁ ଆରମ୍ଭ କରି ବିଭିନ୍ନ ରାଇଫଲ, ଗୁଳି, ଗୋଳା, ହ୍ୟାଣ୍ଡ ଗ୍ରେନେଡ ଓ ନାନା ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସାଧାରଣ ଲୋକଙ୍କ ପାଖରେ ଏତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିବା ସୁରକ୍ଷା ସଂସ୍ଥାଗୁଡ଼ିକୁ ତାଜୁବ କରିଛି। ଦୁଇ ବର୍ଷରୁ ଅଧିକ ହେଲାଣି ମଣିପୁରରେ ଚାଲିଛି ଜାତିଆଣ ହିଂସା। ଏଥିରେ ବହୁ ଲୋକଙ୍କ ମୃତ୍ୟୁ ହେବା ସହିତ ହଜାର ହଜାର ବାସହରା ହୋଇ ଶରଣାର୍ଥୀ ଶିବିରରେ ରହୁଛନ୍ତି। ଲୋକଙ୍କ ପାଖରେ ଏମିତି ଅସ୍ତ୍ରଶସ୍ତ୍ର ଥିବାରୁ ହିଂସାକାଣ୍ଡ ଚାଲିଥିଲା। ଶାନ୍ତି ଫେରାଇ ଆଣିବା ଉଦ୍ଦେଶ୍ଯରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେନା ଏହି ସବୁ ଅସ୍ତ୍ରଶସ୍ତ୍ର ଜବତ କରିଛି।

ହିମାଚଳ ଓ ଉତ୍ତରାଖଣ୍ଡରେ ବନ୍ୟା ବିଭୀଷିକା ; ୬୯ ଜଣଙ୍କ ମୃତ୍ୟୁ, ଅନେକ ନିଖୋଜ

ନନ୍ଦିଘୋଷ ବ୍ୟୁରୋ : ହିମାଚଳ ଓ ଉତ୍ତରାଖଣ୍ଡରେ ବନ୍ୟା ବିଭୀଷିକା। ହିମାଚଳ ପ୍ରଦେଶରେ ତାଣ୍ଡବ ରଚିଛି ବାଦଲଫଟା ବର୍ଷା। ବର୍ତ୍ତମାନ ସୁଦ୍ଧା ହିମାଚଳପ୍ରଦେଶରେ ୬୯ ଜଣଙ୍କ ମୃତ୍ୟୁ ହୋଇଛି। ୩୭ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସିମଲା, ମଣ୍ଡି ଓ ସିରମୁର ଉପତ୍ୟକାରେ ପ୍ରବଳ କ୍ଷତି ଘଟିଛି। ଆସନ୍ତା ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବର୍ଷାର ତାଣ୍ଡବ। ଗତ ଜୁନ୍ ୨୦ରୁ ଜୁଲାଇ ୩ ମଧ୍ୟରେ ୬୯ ଲୋକ ପ୍ରାଣ ହରାଛନ୍ତି। ପଚ୍ଛଦ ଅଞ୍ଚଳରେ ୧୩୩ ମିମି ବର୍ଷା ରେକର୍ଡ କରାଯାଇଛି। ବରସାରରେ ୯୨ ମିମି ବର୍ଷା ରେକର୍ଡ ହୋଇଛି। ସକ୍ରିୟ ମୌସୁମୀ ଓ ବାଦଲ ଫଟା ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି।

ଭୀଷଣ ବର୍ଷାରେ ବେହାଲ୍ ହୋଇପଡିଛି ହିମାଚଳ ପ୍ରଦେଶର ବିଭିନ୍ନ ସହର। ହିମାଚଳରେ ୭ଶହ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଥିବା ସେଠାକାର ସରକାର କହିଛନ୍ତି। ମଣ୍ଡିର ଥୁନାଗ, ବାଗସାୟେଦ ଅଂଚଳରେ ବ୍ୟାପକ ପ୍ରଭାବିତ ହୋଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ହିମାଚଳ ପ୍ରଦେଶକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ବିଳାସପୁର, ହମୀରପୁର, କିନ୍ନାଉର, କୁଲ୍ଲୁ, ଲାହୌଲ ସ୍ପୀତି, ସିରମୌର, ସୋଲନ ଓ ଉନା ଜିଲ୍ଲାରେ ମଧ୍ୟ ଜୀବନହାନି ଘଟିଛି। ବର୍ଷା ବିତ୍ପାତ ଯୋଗୁ ରାଜ୍ୟରେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୧୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଥିବା ବେଳେ ୧୪ଟି ବ୍ରିଜ୍ ଭାସିଯାଇଛି। ୩୦୦ ଗୃହପାଳିତ ପଶୁ ମରିଛନ୍ତି। ପୂରା ରାଜ୍ୟରେ ୫୦୦ଟି ରାସ୍ତା ବନ୍ଦ ହୋଇଯାଇଛି।

ବିଜେଡି ନେତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ବିଜେପିର ନୀଳଗିରି ବିଧାୟକ

ନନ୍ଦିଘୋଷ ବ୍ୟୁରୋ : ଅଡୁଆରେ ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ। ନୀଳଗିରିରୁ ଭୁବନେଶ୍ବର ଯାଏଁ ସରଗରମ ରାଜନୀତି। ସନ୍ତୋଷଙ୍କ ବିରୋଧ ବଢିଚାଲିଛି ଅସନ୍ତୋଷ । ବିଭିନ୍ନ ଥାନାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ । ବ୍ୟକ୍ତିଗତ ପ୍ରସଙ୍ଗ କହି ଦୂରେଇଗଲେ ନଗର ଉନ୍ନୟନ ମନ୍ତ୍ରୀ । ବିଜେଡିର ଜୋରଦାର ପ୍ରତିବାଦ। ବିଜେଡି ବାଲେଶ୍ୱର ସାଂସଦ ପାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ନୀଳଗିରି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶତାଧିକ ମହିଳା ନୀଳଗିରି ଥାନାରେ ତିନୋଟି ପୃଥକ ପୃଥକ ଅଭିଯୋଗ କରିଛନ୍ତି। ସନ୍ତୋଷଙ୍କ ନାମରେ ହାତୀ ଦାନ୍ତ ଚାଲାଣକାରୀଙ୍କୁ ସୁରକ୍ଷା ଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ଜବାବରେ ବିଧାୟକ ଖରାପ ଭାଷାରେ ଲେଖାଶ୍ରୀଙ୍କୁ ଇଙ୍ଗିତ କରିଥିଲେ । ଏହାର ପ୍ରତିବାଦରେ ବାଲେଶ୍ବର ବିଜୁ ମହିଳା ଜନତା ଦଳ ଏତଲା ଦେଇଥିବା ବେଳେ ଭୁବନେଶ୍ବର ମହିଳା ଥାନାରେ ବି ଏତଲା ଦାୟର କରିଛି ବିଜେଡି ।

ବିଧାୟକ ସନ୍ତୋଷ ଖଟୁଆଙ୍କ ଏପରି ଆଚରଣ ଓ ଉଚ୍ଚାରଣକୁ ସବୁଠି ନାପସନ୍ଦ କରାଯାଇଛି। ବିଭିନ୍ନ ଅଞ୍ଚଳରେ ଉଠୁଛି କାର୍ଯ୍ୟାନୁଷ୍ଠାନର ଦାବି। ରାଜନୀତିରେ ବ୍ୟକ୍ତିଗତ ଆକ୍ଷେପକୁ ଜୋରଦାର ସମାଲୋଚନା। କେବଳ ବିଜେଡି ନୁହେଁ, ନିଜ ଦଳର ନେତ୍ରୀ ମଧ୍ୟ ବିଧାୟକଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାଲେଶ୍ବର ଜିଲ୍ଲା ପରିଷଦ ସଭ୍ୟ ଉଷାରାଣୀ ରାଉଳ କହିଛନ୍ତି, ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ମନ୍ତବ୍ୟ ନାରୀ ସମାଜ ପ୍ରତି ଅସମ୍ମାନ । ସେପଟେ ନଗର ଉନ୍ନୟନ ମନ୍ତ୍ରୀ ସନ୍ତୋଷଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ ପ୍ରସଙ୍ଗ କହି ଏଡ଼ାଇଯିବାକୁ ଚେଷ୍ଟା କରିଛନ୍ତି।

ସରକାର ଫେରାଇବେ କି ଚିଟଫଣ୍ଡ ଟଙ୍କା? ନା କେବଳ ତୁଚ୍ଛା ଘୋଷଣା

ନନ୍ଦିଘୋଷ ବ୍ୟୁରୋ : ସରକାର ଫେରାଇବେ କି ଚିଟଫଣ୍ଡ ଟଙ୍କା ? ନା କେବଳ ଘୋଷଣା ଆଉ ଘୋଷଣା ? ନିର୍ବାଚନ ବେଳେ ବିଜେପି ପ୍ରତିଶୃତି ଦେଇଥିଲା ଯେ, ସରକାର ଗଠନର ୨୪ ଘଣ୍ଟା ଭିତରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଅର୍ଡିନାନ୍ସ ଆଣି ଟଙ୍କା ଫେରସ୍ତ କରିବ। ଏହାରି ଭିତରେ ୧୩ ମାସ ବିତି ଗଲାଣି। ହେଲେ ସରକାର କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ସରକାର ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ମିଛ ପରେ ମିଛ କହୁଛନ୍ତି। ବିଜେଡି ସରକାରରେ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେଣୁ ଏବେର ସରକାର ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରନ୍ତୁ। କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ କହିବା କଥା, ରାଜ୍ୟ ସରକାର କେତେ ଟଙ୍କା କ୍ଷତିଗ୍ରସ୍ତଙ୍କୁ ଫେରାଇଛନ୍ତି ତାହାର ହିସାବ ଦିଅନ୍ତୁ। ଶ୍ବେତପତ୍ର ଜାରି କରି ସରକାର ଓଡ଼ିଶାବାସୀଙ୍କ ପାଖରେ ଟଙ୍କା ଫେରାଇଥିବା ତଥ୍ୟ ରଖିବାକୁ ଦାବି କରିଛି କଂଗ୍ରେସ।

ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୁକ୍ତି ବାଢିଛନ୍ତି ଯେ, ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ନିର୍ବାଚନ ପୂର୍ବରୁ ଘୋଷଣା ହୋଇଥିଲା। ୧ ଲକ୍ଷ ୨୬ ହଜାର ୧୩୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ ହୋଇଛି। ଆସନ୍ତା ୫ ମାସ ମଧ୍ୟରେ ୫ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି ମନମୋହନ ସାମଲ।  ପୁଣି ଥରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ବର୍ଷ ବର୍ଷ ଧରି ଜମାକାରୀମାନେ ଆନ୍ଦୋଳନ କଲେ। କିନ୍ତୁ ଏବେ ସରକାରଙ୍କ ଘୋଷଣା କାର୍ଯ୍ୟକାରୀ ହେବ ନା ଘୋଷଣାରେ ରହିଯିବ ତାକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ।

ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ନେଇ ବଡ଼ ଖୁଲାସା, ଇଞ୍ଜିନ ବଦଳାଇବା ନଁରେ କରିଥିଲା ହେରାଫେରି

ନନ୍ଦିଘୋଷ ବ୍ୟୁରୋ ପୁଣି ବିବାଦ ଘେରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ । ୟୁରୋପୀୟ ସଂଘର ବିମାନ ସୁରକ୍ଷା ସଂସ୍ଥାର ନିର୍ଦ୍ଦେଶ ସତ୍ତ୍ୱେ ଟାଟା ଗ୍ରୁପର ଏହି ବିମାନ କମ୍ପାନୀ ଏହାର ଏୟାରବେସ୍ A320 ବିମାନର ଇଞ୍ଜିନର ଆବଶ୍ୟକୀୟ ଅଂଶ ଗୁଡିକୁ ସମୟ ମଧ୍ୟରେ ବଦଳାଇ ନଥିଲା । କେବଳ ଏତିକି ନୁହେଁ, ବିମାନ କମ୍ପାନୀ ମରାମତି କାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ ହୋଇଛି ବୋଲି ରେକର୍ଡ ଗୁଡିକୁ ଜାଲିଆତି କରି ଦେଖାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।

ଏକ ରିପୋର୍ଟ ଅନୁଯାୟୀ, ଏକ ଗୋପନୀୟ ସରକାରୀ ମେମୋ ଅନୁଯାୟୀ, ବିମାନ ଚଳାଚଳ ନିୟାମକ DGCA ମାର୍ଚ୍ଚ ମାସରେ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ କଡ଼ା ସମାଲୋଚନା କରିଥିଲେ । ଯାଞ୍ଚରୁ ଜଣାପଡିଛି ଯେ ଏୟାରବେସ୍ A320ର ଇଜଞ୍ଜିନରେ ବାଧ୍ୟତାମୂଳକ ଅଂଶଗୁଡିକୁ ସମୟ ମଧ୍ୟରେ ବଦଳାଯାଇ ନଥିଲା । DGCA ଅନୁଯାୟ, ମରାମତି ହୋଇଥିବା ଦର୍ଶାଇବା ପାଇଁ ବିମାନ କମ୍ପାନୀ ଜାଣିଶୁଣି AMOS ସିଷ୍ଟମରେ ରେକର୍ଡ ପରିବର୍ତ୍ତନ କରାଯାଇଥିଲା ।

ଏବେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ନିଜର ଭୁଲ ସ୍ୱୀକାର କରିଛି  ଏବଂ କହିଛି ଯେ, ରେକର୍ଡ ପରିବର୍ତ୍ତନ କରିବା ସମୟରେ ଭୁଲ୍ ହୋଇଥିଲା କିନ୍ତୁ ପରେ ଏହାକୁ ସଂଶୋଧନ କରାଯାଇଥିଲା । ତଥାପି, କମ୍ପାନୀ ମରାମତି କେଉଁ ତାରିଖରେ କରାଯାଇଥିଲା ତାହା ସ୍ପଷ୍ଟ କରିନାହିଁ  ଏବଂ ନକଲି ରେକର୍ଡ ଅଭିଯୋଗର କୌଣସି ସିଧାସଳଖ ଉତ୍ତର ଦେଇନାହିଁ । ମାର୍ଚ୍ଚ ମାସରେ ଦିଆଯାଇଥିବା ଚେତାବନୀ ପରେ , ଏୟାରଲାଇନ୍ସ କ୍ୱାଲିଟି ମ୍ୟାନେଜର  ଏବଂ ଏୟାରଓ୍ୱାର୍ଥିନେସ୍ ମ୍ୟାନେଜର ଙ୍କୁ ପଦବୀରୁ ହଟାଇ ଦିଆଯାଇଥିବା ଜଣାପଡିଛି ।

କୋଲକାତା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା : ୪ ଅଭିଯୁକ୍ତଙ୍କୁ ସିନ୍ ରିକ୍ରିଏସନ କରାଇଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ : କୋଲକାତା ଆଇନ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା। ୪ ଅଭିଯୁକ୍ତଙ୍କୁ କ୍ରାଇମସ୍ପଟକୁ ନେଇ କୋଲକାତା ପୋଲିସର ସିନ ରିକ୍ରିଏସନ। ଗିରଫଙ୍କ ମଧ୍ୟରେ ଅଛନ୍ତି ୩ ମୁଖ୍ୟ ଅଭିଯୁକ୍ତ ଛାତ୍ରଙ୍କ ସହ ଜଣେ ଚୁକ୍ତିଭିତ୍ତିକ ଗାର୍ଡ। ଭୋର ସାଢେ ୪ଟାରୁ ସମସ୍ତଙ୍କୁ ନେଇ କୋଲକାଲା ପୋଲିସ ସିନ ରିକ୍ରିଏସନ କରିଛି। ଦୀର୍ଘ ୪ ଘଣ୍ଟା ଧରି ଚାଲିଥିଲା ଏ ପ୍ରକ୍ରିୟା। ଆଜି ସରୁଛି ଚତୁର୍ଥ ଅଭିଯୁକ୍ତ ଗାର୍ଡର ରିମାଣ୍ଡ ଅବଧି।

ଅଭିଯୁକ୍ତ ସୁରକ୍ଷାକର୍ମୀ ପିନାକୀ ବାନାର୍ଜୀକୁ ଆଜି କୋର୍ଟ ଚାଲାଣ କରାଯିବ। ସେପଟେ ଅଭିଯୁକ୍ତ ଛାତ୍ର ପ୍ରମିତ ମୁଖାର୍ଜୀ, ମନୋଜିତ ମିଶ୍ର ଏବଂ ଜାଇବ ଅହମ୍ମଦକୁ କ୍ରାଇମ ସ୍ପଟକୁ ନେଇ ସିନ ରିକ୍ରିଏସନ କରିଛି କୋଲକାତା ପୋଲିସ। ଅପରାଧ ଦୃଶ୍ୟର ପୁନଃନିର୍ମାଣ ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆଉ ସିନ ରିକ୍ରିଏସନ ପୋଲିସ ସମାପ୍ତ କରିଥିବା କହିଛି ପୋଲିସ। ସିନ ରିକ୍ରିଏସନ କରିବା ପରେ ପୁଣି ଅଭିଯୁକ୍ତଙ୍କୁ ଥାନାକୁ ନିଆଯାଇଥିଲା। ଏହି ତଥ୍ୟକୁ ନେଇ ଅଭିଯୋଗ କରିଥିବା ପୀଡ଼ିତାଙ୍କ ତଥ୍ୟ ସହ ଯାଞ୍ଚ କରାଯିବ।

ଗତ ଜୁନ୍ ୨୫ ତାରିଖ ସନ୍ଧ୍ୟାରେ ଘଟିଥିଲା ଏ ଲଜ୍ଜାଜନକ ଘଟଣା। ପୀଡିତା ପୋଲିସରେ କରିଥିବା ଅଭିଯୋଗରେ ଅନୁସାରେ କ୍ୟାମ୍ପସ ଭିତରେ ଥିବା ଗାର୍ଡଙ୍କ ରୁମ ସମେତ ବିଭିନ୍ନ ସ୍ଥାନରେ ତିନି ଘଣ୍ଟାରୁ ଅଧିକ ସମୟ ଧରି ଅପରାଧ ଘଟିଥିଲା।ତଦନ୍ତ ବର୍ତ୍ତମାନ କୋଲକାତା ପୋଲିସର ଡିଟେକ୍ଟିଭ୍ ବିଭାଗ ଦ୍ୱାରା କରାଯାଉଛି।ଡାକ୍ତରୀ ପରୀକ୍ଷା, ଏବଂ ପାରିପାର୍ଶ୍ୱିକ ସ୍ଥିତିରୁ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ପ୍ରମାଣ ମିଳିଛି।