spot_img
Home Blog Page 6363

ଜାଣିଶୁଣି ଅବୁଝା ହେଲେ କିଏ ବୁଝେଇବ : ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର:  କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ସିଧାସଳଖ କରାଯାଉଛି । ଏହି ବ୍ୟବସ୍ଥା ହିଁ ତ ସ୍ୱାୟତ୍ତତାକୁ ନଷ୍ଟ କରୁଛି । ସେହିପରି ଗୁଜରାଟରେ ରାଜ୍ୟ ସରକାର ସିଧାସଳଖ ନିଯୁକ୍ତି ମାଧ୍ୟମରେ କୁଳପତିମାନଙ୍କୁ ଅବସ୍ଥାପିତ କରୁଛନ୍ତି । ସେଠାରେ କୁଳାଧିପତିଙ୍କ ଦସ୍ତଖତ ମଧ୍ୟ ଆବଶ୍ୟକତା ପଡୁନାହିଁ । ପଞ୍ଜାବରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ୫ଜଣଙ୍କ ନାଁ ସୁପାରିଶ କରୁଛି । ସେଥିରୁ ମାତ୍ର ଜଣଙ୍କ ନାଁ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ପଠାଉଛନ୍ତି । କର୍ନାଟକ ଏବଂ ତେଲେଙ୍ଗାନାରେ ରାଜ୍ୟ ସରକାର ୩ଟି ନାଁ ତାଙ୍କ ତରଫରୁ ଦେଉଛନ୍ତି । ପଶ୍ଚିମବଙ୍ଗରେ ତ ରାଜ୍ୟ ସରକାରଙ୍କ ସଙ୍ଗେ କଥାବାର୍ତ୍ତା ହୋଇ ରାଜ୍ୟପାଳଙ୍କୁ କୁଳପତି ନିଯୁକ୍ତି କରିବାକୁ ପଡୁଛି । ବିହାରରେ ମଧ୍ୟ ସରକାର କୁଳପତି ନିଯୁକ୍ତିରେ ସିଧାସଳଖ ହସ୍ତକ୍ଷେପ କରୁଛନ୍ତି ।

ଅପରପକ୍ଷରେ ଓଡ଼ିଶାରେ ସର୍ଚ୍ଚ କମିଟି ପକ୍ଷରୁ ୩ଟି ନାଁ ସୁପାରିଶ କରାଯିବ । ତନ୍ମଧ୍ୟରୁ ଜଣଙ୍କୁ ରାଜ୍ୟପାଳ ନିଜ ବିଚାର ଅନୁସାରେ ନିଯୁକ୍ତି କରିବେ । କାହାକୁ ନିଯୁକ୍ତି କରିବେ, ସେ କଥା ପଚାରିବାର ବି ଆବଶ୍ୟକତା ନାହିଁ । ଏହି ଉଦାହରଣରୁ ସ୍ପଷ୍ଟ ଯେ, ଓଡ଼ିଶାରେ କୁଳପତିମାନଙ୍କ କ୍ଷମତାକୁ ସଙ୍କୁଚିତ କରାଯାଉନାହିଁ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ-୨୦୨୦ ଗୃହୀତ ହେବା ପରେ ଏକ ବିତର୍କରେ ଭାଗ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଛନ୍ତି ।


ରାଜ୍ୟର ଉଚ୍ଚଶିକ୍ଷାର ରାଜନୀତିକରଣ ହେଉଥିବା କେତେକ ବିରୋଧୀ ଓ ବୁଦ୍ଧିଜୀବୀ ଆଶଙ୍କା କରୁଛନ୍ତି । ଏହି ପ୍ରଶ୍ନର ଉତ୍ତର ଦେଇ କହିଲେ । ପୂର୍ବରୁ କଲେଜ ଗଭର୍ଣ୍ଣିଂ ବଡିରେ ବିଧାୟକ ରହୁଥିଲେ । ଏହି ପଦ୍ଧତିରେ ତ ଶାସକ ଦଳର ଅଧିକ ବିଧାୟକ କଲେଜ ସହ ସଂପୃକ୍ତ ହେଉଥିଲେ । ଆମେ ତ ସେହି ବ୍ୟବସ୍ଥା ଉଚ୍ଛେଦ କଲୁ । ବିଧାୟକ ନୁହେଁ, ଶିକ୍ଷାବିତଙ୍କୁ ପ୍ରାଧାନ୍ୟ ଦେଲୁ । ଏହା କଣ ଶିକ୍ଷାର ଅଣରାଜନୀତିକରଣ ନୁହେଁ କି । ତେଣୁ କୌଣସି ପ୍ରସଙ୍ଗକୁ ନ ବୁଝି ବିରୋଧ କଲେ ତାଙ୍କୁ କିପରି ବୁଝାଯିବ ବୋଲି ଅରୁଣ କହିଛନ୍ତି । ୩୧ ପୂର୍ବେ ଯେଉଁ ଆଇନ ଥିଲା, ସେ ସମୟର ବିଶ୍ୱବିଦ୍ୟାଳୟର ସଂଖ୍ୟାକୁ ଦେଖିଲେ ଠିକ୍ ଥିଲା । ତିନି ଦଶନ୍ଧିରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଏହି ପରିବର୍ତ୍ତନ ସମୟର ଆବଶ୍ୟକତା । ଯେଉଁମାନେ ଭାବୁଛନ୍ତି ସ୍ୱାୟତ୍ତତା ଥିଲା, ତେବେ ସେମିଷ୍ଟାର ହେବା, ଖାତା ଦେଖା କାହିଁକି ବିଳମ୍ବ ହେଉଥିଲା । ତେଣୁ ଏହି ପରିବର୍ତ୍ତନ ଅଧିକ ସ୍ୱାୟତ୍ତତା ବୃଦ୍ଧି କରିବ ବୋଲି ମନ୍ତ୍ରୀ କହିଛନ୍ତି ।


ଗବେଷଣାଗତ ଜ୍ଞାନ ବୃଦ୍ଧି ପାଇଁ ବିଶ୍ୱବିଦ୍ୟାଳୟଗୁଡିକର ପରିକଳ୍ପନା କରାଯାଇଥିଲା । ହେଲେ ବର୍ତ୍ତମାନ ବ୍ୟବସ୍ଥା ସେଥିରେ ଅନ୍ତରାୟ ସୃଷ୍ଟି କରୁଥିଲା । ପ୍ରଶିକ୍ଷକମାନେ ଅନ୍ୟ ଗୁଡିକ ପ୍ରଶାସନିକ କାର୍ଯ୍ୟ ଯଥା-ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ, ଚୟନ ଇତ୍ୟାଦିରେ ସମୟ ଅତିବାହିତ କରୁଥିଲେ । ବର୍ତ୍ତମାନ ଏକ ଉତ୍ତମ ସଂସ୍ଥା ସେ ଦାୟିତ୍ୱ ନେବ, ଏହା ଦ୍ୱାରା ସମୟ ବଞ୍ଚିବ । ସେମାନେ ଶିକ୍ଷାଦାନକୁ ଅଧିକ ଗୁରୁତ୍ୱ ଦେବେ ବୋଲି ମନ୍ତ୍ରୀ ଦୃଢ ଦାବି କରିଛନ୍ତି ।

ରି-ଆଡମିଶନ ଫି’ ହ୍ରାସ ଦାବିରେ ଆନ୍ଦୋଳନ

ବାରିପଦା: ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ରିଆଡ଼ମିଶନ ଫି’ ହ୍ରାସ ଦାବିରେ ଆନ୍ଦୋଳନ । ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକକୁ ତାଲା ପକାଇ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରା ଦେଉଛନ୍ତି ଛାତ୍ରଛାତ୍ରୀ । କରୋନା ମହାମାରୀ ସମୟରେ ଲୋକମାନଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇଛି । ଏହା ସହ ଶିକ୍ଷାବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଛି ।

ତେବେ ଦୀର୍ଘ ୭ ମାସରୁ ଉର୍ଦ୍ଧ୍ୱ ସମୟରେ ବିଶ୍ୱବିଦ୍ୟାଳୟରେ ପାଠ ପଢା ଚାଲିନଥିବା ବେଳେ ରିଆଡ଼ମିଶନ ଫି କିଭଳି ବୃଦ୍ଧି କରାଯାଇ ଛାତ୍ରଛାତ୍ରୀଙ୍କ ଠାରୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ଏହାସହ ମହାମାରୀ ବେଳେ ରାଜ୍ୟ ବାହାରୁ ଶତାଧିକ ଛାତ୍ରଛାତ୍ରୀ ଅଳ୍ପସମୟରେ ବିଶ୍ୱବିଦ୍ୟାଳୟରେ ଆସି କିଭଳି ଫି ଦାଖଲ କରିବେ ତାହା ମଧ୍ୟ ପ୍ରଶ୍ନ କରିଛନ୍ତି ।

ବାରମ୍ବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଯାଇଥିଲେ ମଧ୍ୟ କେହି ଶୁଣିବାକୁ ନାରାଜ ବୋଲି ଅଭିଯୋଗ ହୋଇଛି । ସେପଟେ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ମହାମାରୀ ସମୟରେ ପୂର୍ବରୁ କୌଣସି ସୂଚନା ନଦେଇ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି । ୯୮% ଛାତ୍ରଛାତ୍ରୀ ମାନେ ରିଆଡ଼ମିଶନ ଫି ଦାଖଲ କରିସାରିଥିବା ବେଳେ, ଶେଷ ୧୦ ତାରିଖକୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଥିବା କହିଛନ୍ତି ।

ଭାଇରାଲ ବିଜ୍ଞାପନ: ପରିବାରର ଗୋଟିଏ ସର୍ତ୍ତ- ‘ଏମିତି ବୋହୂ ଦରକାର ଯାହାକୁ ସୋସିଆଲ ମିଡିଆ ନିଶା ନଥିବ’

ନୂଆଦିଲ୍ଲୀ: ଆଜିକାଲି ବିବାହ ପାଇଁ ବିଜ୍ଞାପନ ଦେବା କିଛି ନୂଆ କଥା ନୁହେଁ । ବିଭିନ୍ନ ମାଟ୍ରିମୋନିଆଲ ସାଇଟ ହେଉ କି ଖବରକାଗଜ, ଲୋକେ ନିଜ ମନ ପସନ୍ଦର ଜୀବନସାଥୀ ପାଇଁ ବିଜ୍ଞାପନ ଦେଇଥାନ୍ତି । ତେବେ ଏକ ପରିବାର ଏମିତି ବିଜ୍ଞାପନ ଦେଇଛନ୍ତି ଯାହା ସାଧାରଣରେ କୌତୁହଳ ସୃଷ୍ଟି କରିଛି । ବିଜ୍ଞାପନରେ ପରିବାର ଲେଖିଛନ୍ତି ଯେ, ବୋହୂର ସମସ୍ତ ଅଭ୍ୟାସ ସହ୍ୟ କରିପାରିବେ କିନ୍ତୁ ସୋସିଆଲ ମିଡିଆ ନିଶାକୁ ନୁହେଁ ।

ସାଧାରଣରେ ଯେତେବେଳେ ବିବାହ ପାଇଁ ବିଜ୍ଞାପନ ଦିଆହୁଏ ସେଥିରେ ବୋହୂ ଲମ୍ବା, ପତଳା, ଗୋରା ଆଦି ହୋଇଥିବା ଆବଶ୍ୟକ ବୋଲି ଲେଖାହୋଇଥାଏ । କିନ୍ତୁ ଲାଗୁଛି ଯେମିତି ଦୁନିଆ ବଦଳିବା ସହିତ ଯୋଗ୍ୟ ବୋହୂର ମାନଦଣ୍ଡ ମଧ୍ୟ ବଦଳିବାରେ ଲାଗିଛି ।

https://twitter.com/nitinsangwan/status/1312291041853280257

ଖବରକାଗଜରେ ଛପିଥିବା ଏକ ମାଟ୍ରିମୋନିଆଲ ଆଡର ଫଟୋ ନିତିନ ସାଙ୍ଗୱାନ ନାମକ ଜଣେ IAS ଅଧିକାରୀ ନିଜ ଟ୍ୱିଟରରେ ସେୟାର କରିଛନ୍ତି । ବିଜ୍ଞାପନରେ ଲେଖାହୋଇଛି ଯେ, ଆମର ବୋହୂ ସୂନ୍ଦର, ଡେଙ୍ଗା, ପତଳା ଥିବାଭଳି କୌଣସି ଦାବି ନାହିଁ କିନ୍ତୁ ବୋହୂକୁ ସୋସିଆଲ ମିଡିଆର ନିଶା ନଥିବା ଦରକାର  ।

 

ଏହି ବିଜ୍ଞାପନକୁ ସେୟାର କରି ଅଧିକାରୀ ଜଣଙ୍କ ଲେଖିଛନ୍ତି ଯେ, ଭାବି ବୋହୂ / ବର ମାନେ ଧ୍ୟାନ ଦିଅନ୍ତୁ । ବଦଳୁଛି ବିବାହର ମାନଦଣ୍ଡ । ଏହି ବିଜ୍ଞାପନ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଲୋକମାନେ ଫନି କମେଣ୍ଟ ମଧ୍ୟ ଦେଉଛନ୍ତି ।

OTV MDଙ୍କ ବିରୋଧରେ ବଢ଼ିଲା ଅଭିଯୋଗର ଫର୍ଦ୍ଦ, ରୁଜୁ ହେଲା SC/ST ମାମଲା

ଖୋର୍ଦ୍ଧା: ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ବିରୋଧରେ ବଢ଼ିଲା ଅଭିଯୋଗର ଫର୍ଦ୍ଦ । ବାଘମାରୀ ଥାନାରେ ଓଟିଭି ଏମଡିଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି । ଓଟିଭିର ଏକଛତ୍ରବାଦ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ସାରୁଅ ଓ ଲୋକନାଥପୁର ଗ୍ରାମବାସୀ । ଏତଲାରେ ଦର୍ଶାଇଯାଇଛି ଯେ, ଜଗିଙ୍କ ବାପା, ଭାଇ ଓ ପ୍ରୋଜେକ୍ଟ ଦାୟିତ୍ଧରେ ଥିବା ବ୍ୟକ୍ତି ବିଶେଷମାନେ ସ୍ଥାନୀୟ ଲୋକଙ୍କୁ ଧମକାଉଛନ୍ତି ।

ଏପରିକି ଓଟିଭି ଓ ତରଙ୍ଗ ଚ୍ୟାନେଲ ଦ୍ୱାରା ଗାଁ ପୋଖରୀ ଜବରଦଖଲ ସହ ପାଚେରୀକୁ ବିରୋଧ ନକରିବାକୁ ଧମକ ଦେଉଛନ୍ତି ଜଗିଙ୍କ ପରିବାର । ଅନୁସୂଚିତ ଜାତି ଜନଜାତି ଶ୍ରେଣୀର ହୋଇଥିବାରୁ ଧମକାଉଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ । ଏନେଇ SC/ST ଆଇନର ଧାରା ୩(୧) ଓ ଧାରା ୨(ଭିଏ)ରେ ମାମଲା ରୁଜୁ ହୋଇଛି । ସେହିପରି ଆଇପିସି ଧାରା ୪୪୭, ୫୦୬ ଓ ୩୪ରେ ମାମଲା ରୁଜୁ ହୋଇଛି । ସେହିପରି ପାଚେରୀ ତିଆରି କରିଥିବା ୪ ଠିକାଦାରଙ୍କ ସହ ପୋଲିସର ପଚରାଉଚରା କରିଥିବା ସୂଚନା ମିଳିଛି ।

ଅନ୍ୟପଟେ ଜମି କିଣା ଆଳରେ ଗାଁଟା ଯାକର ଜମି ମାଡ଼ି ବସିବାକୁ ରଚିଛନ୍ତି ଚକ୍ରବ୍ୟୂହ । ଏମିତି ବାଗରେ ଜମି କିଣାଯାଇଛି ଯେ ବାକି ଜମି ଯେମିତି ଆପେ ଆପେ ଗୋଡ଼ତଳକୁ ଆସିବ । ନିଜର ଜମି ହରାଇବା ଆଶଂକାରେ ଚିନ୍ତିତ ଗାଁଲୋକ ଜିଲ୍ଲାପାଳଙ୍କୁ ଅଭିଯୋଗ କଲାପରେ ମାପଚୁପ ଜାରି ରହିଛି । ଆଜି ଚତୁର୍ଥ ଥର ପାଇଁ ଖୋର୍ଦ୍ଧା ପ୍ରଶାସନର ୭ ଜଣିଆ ଟିମ ପୋଲିସ ଉପସ୍ଥିତିରେ ସାରୁଅ ଯାଇ ମାପଚୁପ କରିଛି । ତେବେ ଏହି ଟିମ୍‌ରୁ ବାଦ ପଡ଼ିଛନ୍ତି ବିବାଦୀୟ ବେଗୁନିଆ ତହସିଲଦାର । ପୂର୍ବରୁ ଏହି ତଦସିଲଦାର ଜଣଙ୍କ ବିରୋଧରେ ଓଟିଭି କର୍ତ୍ତୃପକ୍ଷଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିଥିଲେ । ତାଙ୍କ ବିରୋଧରେ ସ୍ଥାନୀୟ ଲୋକ ଅଭିଯୋଗ କରିବା ପରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ରାଜସ୍ୱ ବିଭାଗକୁ ସୁପାରିସ କରିଥିଲେ ।

ଏହି ବ୍ୟକ୍ତିଙ୍କୁ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲ

ମୁମ୍ବାଇ: ଚର୍ଚ୍ଚିତ ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲଙ୍କ ବିବାହକୁ ନେଇ ତାଙ୍କ ପ୍ରଶଂସକ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ବେଳେ ହଠାତ୍ ନିଜ ବିବାହ କଥା ଘୋଷଣା କରିଛନ୍ତି ଏହି ଅଭିନେତ୍ରୀ । ଚଳିତ ମାସ ୩୦ ଅକ୍ଟୋବରକୁ ଗୌତମ କିଚଲୁଙ୍କୁ ବିବାହ କରିବେ କାଜଲ । ବଲିଉଡ ଏବଂ ଟଲିଉଡରେ ଅଭିନୟର ଜଲଓ୍ୱା ଦେଖାଇଥିବା କାଜଲଙ୍କ ବିଷୟରେ ଯଦିଓ ତାଙ୍କ ପ୍ରଶଂସକ ବହୁତ କିଛି ଜାଣିଛନ୍ତି କିନ୍ତୁ ତାଙ୍କ ଭାବି ସ୍ୱାମୀଙ୍କ ବିଷୟରେ ବୋଧହୁଏ କେହି କିଛି ଜାଣିନଥିବେ ।


ସୂଚନା ମୁତାବକ କିଚଲୁ ଜଣେ Enterprenure And Discern Living Design Shopର ଫାଉଣ୍ଡର । ଘର ଡିଜାଇନ ବ୍ୟତୀତ କିଚଲୁଙ୍କ କମ୍ପାନୀ ଫର୍ଣ୍ଣିଚର,ଡେକୋର ଆଇଟମ୍ସ, ପେଣ୍ଟିଂସ ଏବଂ ଅନ୍ୟ ହାଉସହୋଲ୍ଡ ଉପକରଣ ବିକ୍ରି କରନ୍ତି । ସୂଚନାଯୋଗ୍ୟ ପୂର୍ବରୁ କାଜଲଙ୍କ ସହିତ ତାଙ୍କର କୌଣସି ଫଟୋ ସାମ୍ନାକୁ ଆସିନାହିଁ । କିନ୍ତୁ ଯଦି ଗୌତମଙ୍କ ଇଂଷ୍ଟାଗ୍ରାମ ଉପରେ ନଜର ପକାଇବା ତେବେ ଜାଣିପାରିବେ କି ୨୦୧୬ରେ କାଜଲ ତାଙ୍କ ଅଫିସିଆଲ ଆକାଉଣ୍ଟରୁ ଗୌତମଙ୍କ ଏକ ପୋଷ୍ଟରେ ରିଆକ୍ଟ କରିଛନ୍ତି । ତେବେ ବିବାହ କଥା ଘୋଷଣା ହେବାପରେ ଦୁଇଜଣଙ୍କର କିଛି ପୁରୁଣା ଫଟୋ ଭାଇରାଲ ହେଉଛି ।


ସୂଚନାଯୋଗ୍ୟ ୧୬ ବର୍ଷ ହେବ ଇଣ୍ଡଷ୍ଟ୍ରିରେ କାମ କରୁଥିବା କାଜୋଲ ‘କ୍ୟୋଁ ହୋ ଗୟା ନା’ରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ତାଙ୍କୁ ସାଉଥ ଫିଲ୍ମରେ ଅଫର ଆସିବା ଆରମ୍ଭ ହେଲା । ଏବେ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ତେବେ କେବଳ ଦକ୍ଷିଣ ଭାରତୀୟ ଫିଲ୍ମ ନୁହେଁ ବରଂ ହିନ୍ଦୀ ଫିଲ୍ମରେ ମଧ୍ୟ ତାଙ୍କ ନିଖୁଣ ଅଭିନୟର ଛାପ ନଜର ଆସିଛି ।

ରାଜ୍ୟରେ ଆଉ ୩୮୧୭ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୩୮୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ସୁସ୍ଥଙ୍କୁ ଘରକୁ ଫେରିବା ପାଇଁ ଅନୁମତି ଦିଆଯାଇଛି । ଏହି ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ଦୁଇ ଲକ୍ଷ ଦଶ ହଜାର ୨୧୭ ଜଣ ସୁସ୍ଥ ହୋଇସାରିଛନ୍ତି ।

ତେବେ ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ଦ୍ୱିତୀୟ ସର୍ବାଧିକ ୩୮୬ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି  ବରଗଡରୁ ୧୫୧, ବାଲେଶ୍ୱରରୁ ୧୪୬, ନୁଆପଡ଼ାରୁ ୧୩୫, ଜଗତ୍‌ସିଂହପୁରରୁ ୧୨୪, ଅନୁଗୁଳରୁ ୧୨୨, ସମ୍ବଲପୁରରୁ ୧୧୮, ସୁନ୍ଦରଗଡ଼ରୁ ୧୧୦, କେନ୍ଦ୍ରାପଡ଼ାରୁ ୧୦୬, ବଲାଙ୍ଗିରରୁ ୯୩, ଯାଜାପୁରରୁ ୯୧, ମୟୂରଭଞ୍ଜରୁ ୮୮, ପୁରୀରୁ ୮୮, କନ୍ଧମାଳରୁ ୮୬, କେନ୍ଦୁଝରରୁ ୮୬, ସୋନପୁରରୁ ୮୩, ଭଦ୍ରକରୁ ୮୨, ନୟାଗଡ଼ରୁ ୭୧, କାଳାହାଣ୍ଡିରୁ ୬୯, ଝାରସୁଗୁଡ଼ାରୁ ୬୮, ନବରଙ୍ଗପୁରରୁ ୬୬, କୋରାପୁଟରୁ ୬୨, ଗଞ୍ଜାମରୁ ୫୬, ରାୟାଗଡାରୁ ୫୦, ଢ଼େଙ୍କାନାଳରୁ ୪୮, ବୌଦ୍ଧରୁ ୪୫, ମାଲକାନଗିରିରୁ ୩୪, ଗଜପତିରୁ ୨୪, ଦେଓଗଡ଼ରୁ ୧୪ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସେହିଭଳି ୧୬୪ ଜଣ ଷ୍ଟେଟ୍‌ ପୁଲରୁ ମଧ୍ୟ ସୁସ୍ଥ ହୋଇଥିବା ସୂଚନା ରହିଛି ।

ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନଙ୍କ ପରଲୋକ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଭାଇଙ୍କ ମୃତ୍ୟୁ ଘଟିଛି । ଅଭିନେତାଙ୍କ ଭାଇ ଅନିଲ ଦେବଗନଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଜୟ ଦେବଗନ ସୋସିଆଲ ମିଡିଆରେ ଏକ ଦୁଃଖଦ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି ।

ଅଜୟ ଦେବଗନ ନିଜ ଭାଇ ଅନିଲ ଦେବଗନଙ୍କ ଏକ ଫଟୋ ସେୟାର କରି ତାଙ୍କ ମୃତ୍ୟୁ ବିଷୟରେ ସୂଚାଇଛନ୍ତି । ସେ ଲେଖିଛନ୍ତି ଯେ, ‘କାଲି ରାତିରେ ମୁଁ ମୋ ଭାଇଙ୍କୁ ହରାଇଛି । ହଠାତ ତାଙ୍କ ମୃତ୍ୟୁରେ ପୁରା ପରିବାର ସ୍ତବ୍ଧ । ଖାସ କରି ମୁଁ ତାଙ୍କ ଅନୁପସ୍ଥିତିକୁ ଖୁବ ମିସ୍ କରିବି । ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରନ୍ତୁ । କୋଭିଡ ମହାମାରୀ ହେତୁ ଆମେ ବ୍ୟକ୍ତିଗତ ପ୍ରାର୍ଥନା ସଭା ରଖୁନାହୁଁ ।’

ସନ ଅଫ୍ ସରଦାରରେ ଥିଲେ କ୍ରିଏଟିଭ ଡାଇରେକ୍ଟର

ସୂଚନା ଅନୁଯାୟୀ ଅନିଲ ଦେବଗନ ଅଜୟ ଦେବଗନଙ୍କ ଦାଦାଙ୍କ ପୁଅ ଥିଲେ । ସେ ଜଣେ ଚଳଚିତ୍ର ନିର୍ଦ୍ଦେଶକ ଥିଲେ । ସେ ଅନେକ ଚଳଚିତ୍ରରେ ନିର୍ଦ୍ଦେଶକ ଏବଂ ସହ- ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଏହା ବ୍ୟତୀତ ସେ ଚଳଚିତ୍ର ସନ ଅଫ ସରଦାରରେ କ୍ରିଏଟିଭ ଡାଇରେକ୍ଟର ଭାବେ ନଜର ଆସିଥିଲେ । ଏହା ସହିତ ଜୀତ୍, ଜାନ୍, ଇତିହାସ, ପ୍ୟାର ତୋ ହୋନା ହି ଥା, ଏବଂ ହିନ୍ଦୁସ୍ତାନ କି କସମ ଭଳି ଚଳଚିତ୍ରରେ ସହ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ସେ ଅଧିକାଂଶ ଫିଲ୍ମ ନିଜ ଭାଇ ଅଜୟ ଦେବଗନଙ୍କ ସହ ହିଁ କରିଥିଲେ ।

କେବଳ ଲକ୍ଷଣ ଥିବା ବ୍ୟକ୍ତି ହିଁ ଖାଇବେ ଫାଭିପିରାଭିର୍…

ଭୁବନେଶ୍ୱର: କେବଳ ଳକ୍ଷଣ ଥିବା ବ୍ୟକ୍ତିଙ୍କୁ ହିଁ ଫାଭିପିରାଭିର୍‌ ଦିଆଯିବ । କରୋନା ପଜିଟିଭ୍‌ ଥିବା ସହ ଲକ୍ଷଣ ଦେଖାଯାଉଥିଲେ ଏବଂ ସ୍ପେସାଲିଷ୍ଟଙ୍କ  ଅନୁମତି ଥିଲେ ହିଁ ଫାଭିପିରାଭିର୍‌ ଦିଆଯିବ । ଖାଲି ସେତିକି ନୁହେଁ ଫାଭିପିରାଭିର୍‌ ଦେବା ପୂର୍ବରୁ ରାଗୀଙ୍କ ଅନୁମତି ମଧ୍ୟ ନିଆଯିବ । ଯଦି ଜଣେ ବ୍ୟକ୍ତି କୋଭିଡ୍‌ ପଜିଟିଭ୍‌ ଓ ଲକ୍ଷଣ ହୀନ, କିନ୍ତୁ ହୋମ୍‌ ଆଇସୋଲେସନ୍‌ରେ ରହିବାର କିଛିଦିନ ପରେ ଲକ୍ଷଣ ଦେଖାଯାଏ ତେବେ ସ୍ପେସାଲିଷ୍ଟଙ୍କ ଅନୁମତି କ୍ରମେ ତାଙ୍କୁ ଫାଭିପିରାଭିର୍‌ ଯୋଗାଇଦିଆଯିବ ।

  

ପ୍ରଥମ ଦିନରେ ଫାଭିପିରାଭିର୍‌ର ହାଇପାଓ୍ୱାର ଡୋଜ୍‌ ଦିଆଯାଇଥାଏ । କାରଣ କରୋନା ଭୂତାଣୁକୁ ହ୍ରାସ କରିବାରେ ଏଭଳି ଡୋଜ୍‌ ଅତ୍ୟନ୍ତ ସହାୟକ ହୋଇଥାଏ । ପରେ ଦ୍ୱିତୀୟ ଦିନରୁ ସାଧାରଣ ଭାବେ ଡୋଜ୍‌ ଦିଆଯାଏ । ତେବେ ଫାଭିପିରାଭିର ସେବନ ଦ୍ୱାରା କିଛି ଲୋକଙ୍କ କ୍ଷେତ୍ରରେ ମୁଣ୍ଡବିନ୍ଧା, ପେଟ ବଥା ଆଦି ଦେଖାଯାଇଥାଏ । କିନ୍ତୁ ଅଧିକାଂଶ କ୍ଷେତ୍ରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ନାହିଁ ।

Favipiravir

ସେହିଭଳି ଫାଭିପିରାଭିର୍‌ ଓଷଧ ସାଧାରଣ କୋଭିଡ୍‌ କିଟ୍‌ରେ ଦିଆଯିବ ନାହିଁ । ସ୍ୱତନ୍ତ୍ର ଅନୁମତି ପରେ କୋଭିଡ୍‌ ଆକ୍ରାନ୍ତଙ୍କୁ ହୋମ୍‌ଆଇସୋଲେସନ୍‌ ସମୟରେ ଯୋଗାଇଦିଆଯିବ । ସ୍ପେସାଲିଷ୍ଟଙ୍କ ଅନୁମତି ମିଳିବା ପରେ ଏହି ଫାଭିପିରାଭିର ଔଷଧ ସରକାରଙ୍କ ପକ୍ଷରୁ ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯିବ । ପ୍ରଥମ ଦିନ ଔଷଧ ଖାଇବା ପରେ ଯଦି ଲକ୍ଷଣ ମୁକ୍ତ ହୋଇଥାଏ ରୋଗୀ ତେବେ ବି ପୁରା ହୋଜ୍‌ ଶେଷ କରିବା ଆବଶ୍ୟକ । ନଚେତ୍‌ ସେ ପୁଣି ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ।

https://www.facebook.com/NandighoshaTV/videos/1606106726236264/

ପୂର୍ବରୁ ଯଦି କୌଣସି ରୋଗ ଥାଏ ତେବେ ଫାଭିପିରାଭିର୍‌ ନେବା ଆଗରୁ ଡାକ୍ତରଙ୍କୁ ତାହା ଜଣାଇଦେବା ଆବଶ୍ୟକ । ତେବେ ମନଇଚ୍ଛା ବଜାରରୁ ଏହି ଔଷଧ କିଣି ଖାଆନ୍ତୁ ନାହିଁ । ଡାକ୍ତର ଯେତିକି ଏବଂ ଯାହାକୁ ପ୍ରେସ୍‌କ୍ରାଇବ୍‌ କରିବେ ସେ ହିଁ ଔଷଧ ଖାଇବା ଆବଶ୍ୟକ । ପରିବାର ଜଣକୁ ଫାଭିପିରାଭିର୍‌ ଦିଆଯାଇଥିଲେ ଅନ୍ୟ ମାନେ ତାହା ଖାଆନ୍ତୁ ନାହିଁ । ଯାହାକୁ ଦିଆଯାଇଛି ସେ ହିଁ ଏହି ଔଷଧ ସେବନ କରିବା ଉଚିତ୍‌ । ଫାଭିପିରାଭିର୍‌ ଖାଇବା ଦ୍ୱାରା ଯଦି କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ଔଷଧ ନେଉଥିବା ବ୍ୟକ୍ତି ପ୍ରଚୁର ପାଣି ପଇବା ଉଚିତ୍‌ ।

କିଛି ସମୟ ମଧ୍ୟରେ ନୋଏଡାରେ ଝଲସିବ ମ୍ୟୁଜିକାଲ ଫାଉଣ୍ଟେନ୍

ନୋଏଡ଼ା: ନୋଏଡ଼ାରେ ଖୋଲିଲା ପ୍ରଥମ ମ୍ୟଜିକାଲ ଫାଉଣ୍ଟେନ । ସେକ୍ଟର ୯୧ରେ ଖୋଲିଥିବା ଏହି ମ୍ୟୁଜିକାଲ ପାର୍କକୁ ଆଜିଠୁ ପ୍ରବେଶ କରିପାରିବେ ସାଧାରଣ ଲୋକ । ସବୁଠାରୁ ଖାସ କଥା ହେଉଛି, ଏଠାକୁ ପ୍ରବେଶ କରିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ସେକ୍ଟର ୩୭ ଏବଂ ସେକ୍ଟର ୧୮ରୁ ମାତ୍ର ୧୫ ମିନିଟ ବ୍ୟବଧାନରେ ନିର୍ମାଣ ହୋଇଛି ଏହି ଫାଉଣ୍ଟେନ । ଯଦିଓ ଏଠାକୁ ଯିବାପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ତଥାପି ଏହା ମଧ୍ୟକୁ ସୀମିତ ପର୍ଯ୍ୟଟକ ପ୍ରବେଶ କରିପାରିବେ । କୋଭିଡ ୧୯ ପାଇଁ ଏହି କଟକଣା ଲାଗୁ କରାଯାଇଛି । ପରିସ୍ଥିତିରେ ସୁଧାରବସ୍ଥା ଆସିଲେ, ଏହି ନିୟମରେ ପରିବର୍ତ୍ତନ କରାଯିବ ।

ଆଜି ସଂନ୍ଧ୍ୟା ୭ଟାରୁ ଫାଉଣ୍ଟେନ ଖୋଲିବା ନେଇ ସୂଚନା ଦେଇଛନ୍ତି ନୋଏଡ଼ାର କର୍ତ୍ତୃପକ୍ଷ ରିତୁ ମହେଶ୍ୱରୀ । ଫାଷ୍ଟ ମ୍ୟୁଜିକାଲ ଫାଉଣ୍ଟେନ ଶୋରେ ଯୋଗ ଦେଇଥିବା ନୋଏଡ଼ାର ବିଧାୟକ ପଙ୍କଜ ସିଂ କହିଛନ୍ତି ଯେ, ଏହି ଫାଉଣ୍ଟେନ ହେବ ନୋଏଡ଼ାର ପରିଚୟ । ଏହା ସହିତ ଏହି ଫାଉଣ୍ଟେନ ନୋଏଡ଼ାର ମଡେଲ ପ୍ରୋଜେକ୍ଟ ହେବ ବୋଲି ଆଶାବାଦୀ ଅଛନ୍ତି ପଙ୍କଜ ସିଂ ।

ଭାଜପାକୁ ତିର୍ତ୍ତୋଲ ଝଟକା, ଦଳ ଛାଡିଲେ ପୂର୍ବ ବିଧାୟକ ପ୍ରାର୍ଥୀ ରମାକାନ୍ତ

ଭୁବନେଶ୍ୱର : ଜଗତସିଂହପୁର ଜିଲା ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ । ଆସନ୍ତା ନଭେମ୍ବର ୩ରେ ଉପ ନିର୍ବାଚନ ହେବାକୁ ଯାଉଛି । ହେଲେ ଘରେ ନ ପସୁଣୁ ଚାଳ ବାଜିବା ପରି ବିଜେପିକୁ ଗୋଟେ ବଡ଼ ଝଟକା ଲାଗିଛି । ୨୦୧୯ରେ ଦଳରୁ ବିଧାୟକ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ମଙ୍ଗଳବାର ଗୈରିକ ଦଳକୁ ଗୁଡ୍ ବାୟ କହିଛନ୍ତି । କେବଳ ରମାକାନ୍ତ ନୁହେଁ, ତାଙ୍କ ସହ ଭାଜପା ପାଇଁ ତୃଣମୂଳରେ କାର୍ଯ୍ୟ କରୁଥିବା ମଣ୍ଡଳ ସଭାପତି ତରୁଣ କୁମାର ଦାସ, ଉପ ସଭାପତି ଅସିତ ରଞ୍ଜନ ବେହେରା ମଧ୍ୟ ଦଳ ଛାଡିଛନ୍ତି ।

ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ଦଳ ବଦଳର ଏହା ତୃତୀୟ ପର୍ବ ଦେଖିବାକୁ ମିଳିଛି । ପ୍ରଥମେ ରାଜକିଶୋର ବେହେରା କଂଗ୍ରେସ ଛାଡି ଭାଜପା ହାତ ଧରିଥିଲେ । ଏହା ପରେ କଂଗ୍ରେସ ନେତା କୃଷଚନ୍ଦ୍ର ମଲିକ ହାତ ଛାଡି ବିଜେଡି ଦଳକୁ ଆସିଥିଲେ । ଶେଷରେ ଭାଜପା ପ୍ରାର୍ଥୀ ୨ ମଣ୍ଡଳସ୍ତରୀୟ ସଙ୍ଗଠକଙ୍କ ସହ ଦଳ ଛାଡିଛନ୍ତି । ଆଗାମୀ ଦିନରେ ରମାକାନ୍ତଙ୍କ ପଦକ୍ଷେପ କଣ ରହୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ । ବିଜେପି ଦଳ  ତାଙ୍କୁ ଅଣଦେଖା କରିଥିବାରୁ ସେ ଦଳ ଛାଡିଛନ୍ତି ବୋଲି କହିଛନ୍ତି ରମାକାନ୍ତ ଭୋଇ । ସେହିପରି ଆପର ବିଧାୟିକା ପ୍ରାର୍ଥୀ ହୋଇଥିବା ପ୍ରମୋଦିନୀ ସେଠୀ ମଧ୍ୟ ଦଳ ଛାଡିଛନ୍ତି ।