ଭାଜପାକୁ ତିର୍ତ୍ତୋଲ ଝଟକା, ଦଳ ଛାଡିଲେ ପୂର୍ବ ବିଧାୟକ ପ୍ରାର୍ଥୀ ରମାକାନ୍ତ

ଭୁବନେଶ୍ୱର : ଜଗତସିଂହପୁର ଜିଲା ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ । ଆସନ୍ତା ନଭେମ୍ବର ୩ରେ ଉପ ନିର୍ବାଚନ ହେବାକୁ ଯାଉଛି । ହେଲେ ଘରେ ନ ପସୁଣୁ ଚାଳ ବାଜିବା ପରି ବିଜେପିକୁ ଗୋଟେ ବଡ଼ ଝଟକା ଲାଗିଛି । ୨୦୧୯ରେ ଦଳରୁ ବିଧାୟକ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ମଙ୍ଗଳବାର ଗୈରିକ ଦଳକୁ ଗୁଡ୍ ବାୟ କହିଛନ୍ତି । କେବଳ ରମାକାନ୍ତ ନୁହେଁ, ତାଙ୍କ ସହ ଭାଜପା ପାଇଁ ତୃଣମୂଳରେ କାର୍ଯ୍ୟ କରୁଥିବା ମଣ୍ଡଳ ସଭାପତି ତରୁଣ କୁମାର ଦାସ, ଉପ ସଭାପତି ଅସିତ ରଞ୍ଜନ ବେହେରା ମଧ୍ୟ ଦଳ ଛାଡିଛନ୍ତି ।

ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ଦଳ ବଦଳର ଏହା ତୃତୀୟ ପର୍ବ ଦେଖିବାକୁ ମିଳିଛି । ପ୍ରଥମେ ରାଜକିଶୋର ବେହେରା କଂଗ୍ରେସ ଛାଡି ଭାଜପା ହାତ ଧରିଥିଲେ । ଏହା ପରେ କଂଗ୍ରେସ ନେତା କୃଷଚନ୍ଦ୍ର ମଲିକ ହାତ ଛାଡି ବିଜେଡି ଦଳକୁ ଆସିଥିଲେ । ଶେଷରେ ଭାଜପା ପ୍ରାର୍ଥୀ ୨ ମଣ୍ଡଳସ୍ତରୀୟ ସଙ୍ଗଠକଙ୍କ ସହ ଦଳ ଛାଡିଛନ୍ତି । ଆଗାମୀ ଦିନରେ ରମାକାନ୍ତଙ୍କ ପଦକ୍ଷେପ କଣ ରହୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ । ବିଜେପି ଦଳ  ତାଙ୍କୁ ଅଣଦେଖା କରିଥିବାରୁ ସେ ଦଳ ଛାଡିଛନ୍ତି ବୋଲି କହିଛନ୍ତି ରମାକାନ୍ତ ଭୋଇ । ସେହିପରି ଆପର ବିଧାୟିକା ପ୍ରାର୍ଥୀ ହୋଇଥିବା ପ୍ରମୋଦିନୀ ସେଠୀ ମଧ୍ୟ ଦଳ ଛାଡିଛନ୍ତି ।

Leave a Reply