spot_img
Home Blog Page 6343

ଦୀପିକାଙ୍କ ସହ ନଜର ଆସିବେ ବିଗ୍‌ ବି, ପ୍ରଭାସ୍‌ କହିଲେ ‘ମୋ ସ୍ୱପ୍ନ ସାକାର ହେଲା’

ମୁମ୍ବାଇ: ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ଫିଲ୍ମରେ ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ସହ ଏବେ ବଲିଉଡ୍‌ ମେଗା ଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ । ଏନେଇ ଟ୍ରେଡ୍‌‌ ଆନାଲିଷ୍ଟ ତରଣ ଆଦର୍ଶ ସୂଚନା ଦେଇଛନ୍ତି ।

ତାରଣ ଆଦର୍ଶ ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଅମିତାଭ-ପ୍ରଭାସ-ଦୀପିକା ନାଗ ଅଶ୍ୱିନିଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ରରେ ଏକାଠି ନଜର ଆସିବେ । ଯହାର ଏବେ ସୁଦ୍ଧା ଟାଇଟଲ ସାମ୍ନାକୁ ଆସି ନାହିଁ । ଏହି ଚଳଚ୍ଚିତ୍ରକୁ ପ୍ରଜୋଜନା କରିଛି ବିଜୟନ୍ତୀ ମୁଭିଜ୍‌ । ୨୦୨୨ରେ ଏହା ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି । ଏହାସହ ତରଣ ଆଦର୍ଶ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ସେ ଏହି ଭିଡିଓରେ ଲେଖିଛନ୍ତି ଯେ, ଲିଜେଣ୍ଡଙ୍କ ବିନା କିଭଳି ଏକ ଲିଜେଣ୍ଡେରୀ ଫିଲ୍ମ ପ୍ରସ୍ତୁତ କରିବାକୁ ଚେଷ୍ଟା କରାଯାଇପାରିବ ? ତେଣୁ ନାଗ ଅଶ୍ୱିନଙ୍କ ଫିଲ୍ମରେ ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ ।

https://twitter.com/taran_adarsh/status/1314428664679866375

ଏହାସହ ଅଭିନେତା ପ୍ରଭାସ ମଧ୍ୟ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ‘ଶେଷରେ, ସ୍ୱପ୍ନ ସାକାର ହେବାକୁ ଯାଉଛି । ଲିଜେଣ୍ଡେର ଅଭିନେତା ଅମିତାଭ ବଚ୍ଚନଙ୍କ ସହ ମୁଁ ସ୍କ୍ରିନ୍ ସ୍ପେସ୍ କରିବାକୁ ଯାଉଛି ।’

https://www.instagram.com/p/CGHBUldJuqa/?utm_source=ig_embed

ଅମିତାଭଙ୍କ କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ସମୟରେ ତାଙ୍କ ପାଖରେ ଅନେକ ପ୍ରୋଜେକ୍ଟ ରହିିଛି । ଅମିତାଭ ଆୟାନ ମୁଖାର୍ଜୀଙ୍କ ସୁପର ନାଚୁରାଲ  ଥ୍ରୀଲର ଫିଲ୍ମ ବ୍ରହ୍ମାସ୍ତ୍ରରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ମୋନି ରୟ ନଜର ଆସିବେ । ଏହି ଚଳଚ୍ଚିତ୍ର ବ୍ୟତୀତ ଅମିତାଭ ନାଗରାଜ ମଞ୍ଜୁଲେଙ୍କ ଫିଲ୍ମ ଝୁଣ୍ଡରେ ମଧ୍ୟ କାମ କରୁଛନ୍ତି । ଏଥିରେ ଇମ୍ରାନ୍ ହାସ୍ମିମ୍‌ ମଧ୍ୟ ନଜର ଆସିବେ ।

ମନ୍ଦିର ଜମି ପାଇଁ ପେଟ୍ରୋଲ ଢାଳି ପୂଜାରୀଙ୍କୁ ଜିଅନ୍ତା ଜାଳିଦେଲେ, ଜଣେ ଗିରଫ

ଜୟପୁର: ଜମି ପାଇଁ ମନ୍ଦିର ପୂଜାରୀଙ୍କୁ ବୀଭତ୍ସ ହତ୍ୟା । ରାଜସ୍ଥାନର କରୌଲିରେ ଦୁଇଦିନ ତଳେ ବର୍ବର ହତ୍ୟାକାଣ୍ଡ ଘଟିଛି । ଜମି ବିବାଦକୁ ନେଇ ପୂଜାରୀଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ପୂଜାରୀଙ୍କୁ ଜୟପୁରର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପୂଜାରୀଙ୍କ ମୃତ୍ୟୁ ହୋଇଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ କୈଳାସ ମୀଣାଙ୍କୁ କରୌଲି ପୋଲିସ ଗିରଫ କରିଛି ।

Priest Murdered In Rajasthan Karauli For Temple Land

କରୌଲି ସପୋଟରା ଥାନା ବୁକନାରେ ଏହି ହତ୍ୟାକାଣ୍ଡ ଘଟିଛି । ଗାଁ ମନ୍ଦିରରେ ୫୦ ବର୍ଷିଅ ବାବୁଲାଲ ବୈଷ୍ଣବ ପୂଜା କରନ୍ତି । ଆଉ ମନ୍ଦିର ଜମିକୁ ସେ ଅକ୍ତିଆରରେ ରଖିଥିଲେ । କିନ୍ତୁ ଏହି ଜମି ଉପରେ ନଜର ରଖିଥିଲା ଗାଁର ଗୁଣ୍ଡା କୈଳାସ ମୀଣା । ଜମି କବଜା କରିବାକୁ ଅଭିଯୁକ୍ତ କୈଳାସ ପୂଜାରୀଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା ।

ଘଟଣା ପରେ ବିଜେପି ରାଜ୍ୟ ସଭାପତି ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନଘେରକୁ ଟାଣିଛନ୍ତି । ରାଜ୍ୟରେ ଆଇନ୍ ପ୍ରତି ଅପରାଧୀଙ୍କ ଭୟନଥିବା ସେ କହିଛନ୍ତି । ରାଜ୍ୟର ଲୋକ ଭୟଭୀତ, ଡରରେ ଅଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।

Priest Murdered In Rajasthan Karauli For Temple Landn Rajasthan Karauli For Temple

ପୂରା ମାମଲା କଣ ?

ଘଟଣା ସମ୍ପର୍କରେ ସପୋଟରା ଥାନା ଅଧିକାରୀ କହିଛନ୍ତି- ମନ୍ଦିରର ୫୦ ବର୍ଷିଅ ପୂଜକ ବାବୁଲାଲ ବୈଷ୍ଣବ ମନ୍ଦିର ଜମି ଅକ୍ତିଆର କରି ରଖିଥିଲେ । କିଛିଦିନ ଘର ନିର୍ମାଣ ପାଇଁ ସେ ମାଟି ପକାଇଥିଲେ । ଉକ୍ତ ଜମି ଉପରେ ନଜର ରଖିଥିବା ଗାଁର କୈଳାସ ପଥର ପକାଇବା ପରେ ପୂଜକ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହି କଥାକୁ ନେଇ କୈଳାସ ଜମି ଉପରେ ପୂଜାରୀଙ୍କୁ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲା । ଏଥିରେ ଗୁରୁତର ବୈଷ୍ଣବଙ୍କୁ ପ୍ରଥମ ସ୍ଥାନୀୟ ମେଡିକାଲ ପରେ ଜୟପୁର ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଛି ।

World Food Prgrammeକୁ ନୋବେଲ୍ ଶାନ୍ତି ପୁରସ୍କାର, ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ…

ଭୁବନେଶ୍ୱର: ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ବା ଓ୍ଵାର୍ଲଡ୍‌ ଫୁଡ ପ୍ରୋଗ୍ରାମକୁ ଚଳିତ ବର୍ଷର ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । କ୍ଷୁଧା ଓ ଖାଦ୍ୟ ସୁରକ୍ଷାକୁ ଗୁରୁତ୍ୱ ପାଇଁ ଡବ୍ଲୁଏଫପିକୁ ଏହି ପୁରସ୍କାର ପାଇଁ ବଛାଯାଇଛି । ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ପରିବେଶ କର୍ମୀ ଗ୍ରେଟା ଥନବର୍ଗ ଥିବାବେଳେ ସେମାନଙ୍କୁ ପଛରେ ପକାଇଦେଇଛି ଡବ୍ଲୁଏଫପି ।

ଏ ସମ୍ପର୍କରେ ଟ୍ଵିଟ୍‌ କରି ନୋବେଲ କମିଟି ପକ୍ଷରୁ କୁହାଯାଇଛି ଯେ, ବିଶ୍ୱରେ କ୍ଷୁଧା ବିରୋଧରେ ଲଢେଇ, ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଶାନ୍ତି ଆଣିବା ଦିଗରେ ପ୍ରୟାସ ଏବଂ ଯୁଦ୍ଧ କିମ୍ବା ବିବାଦ ଲାଗି କ୍ଷୁଧାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯିବାର ଅନେକ ଉଦାହରଣ ସାମ୍ନାକୁ ଆସିଛି । ଏଭଳି ହୀନ କାର୍ଯ୍ୟକଳାପକୁ ରୋକିବା ଦିଗରେ ଉଲ୍ଲେଖନୀୟ ଉଦ୍ୟମ କରି ଦି ଓ୍ଵାର୍ଲଡ୍‌ ଫୁଡ ପ୍ରୋଗ୍ରାମକୁ ନେବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ।ବିଶ୍ୱର କୋଣ ଅନୁକୋଣରେ କ୍ଷୁଧା ମେଣ୍ଟାଇବାରେ ଏହି ସଙ୍ଗଠନର ପ୍ରମୁଖ ଭୂମିକା ରହିଛି ।

ୟମନଠାରୁ ଆରମ୍ଭ କରି ଉତ୍ତରକୋରିଆ ଭଳି ଦେଶରେ ମଧ୍ୟ ଓ୍ୱାଲ୍ଡ ଫୁଡ୍ ପ୍ରୋଗ୍ରାମ କ୍ଷୁଧାର୍ଥଙ୍କୁ ଖାଦ୍ୟ ଯୋଗାଇଛି । ଅପହଞ୍ଚ ସ୍ଥାନରେ ପହଞ୍ଚିବା ପାଇଁ ସବୁ ପ୍ରକାର ଉଦ୍ୟମ କରି  ଏହି ସଙ୍ଗଠନ ସଫଳ ହୋଇଛି ।  ୧୯୬୧ ମସିହାରେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଗତ ବର୍ଷ ହିଁ ୯୭ ମିଲିୟନ ଲୋକଙ୍କୁ ସହଯୋଗର ହାତ ବଢାଇଛି । ମାଗଣା ଖାଦ୍ୟ ପହଞ୍ଚାଇଛି । ୮୮ ଦେଶରେ ୧୫ ବିଲିୟନ ଅର୍ଥ ବିନିମୟରେ ଖାଦ୍ୟ ଯୋଗାଇଛି । ଓ୍ୱାଲ୍ଡ ଫୁଡ୍ ପ୍ରୋଗ୍ରାମ ସଂଯୁକ୍ତ ରାଷ୍ଟ୍ରର ଏକ ଅଂଶ । ଏହାକୁ ମିଶାଇ ସଂଯୁକ୍ତ ରାଷ୍ଟ୍ର ସମୁଦାୟ ୧୨ଟି ନୋବେଲ ହାସଲ କରିଛି । ଯାହା ନୋବେଲ ବିଜେତାଙ୍କ ମଧ୍ୟରେ କୌଣସି ସଙ୍ଗଠନକୁ ମିଳିଥିବା ସର୍ବାଧିକ ପୁରସ୍କାର ।

ଡରିଗଲେ କି ଖିଲାଡ଼ି କୁମାର ? ଲକ୍ଷ୍ମୀ ବମ୍‌ର ଟ୍ରେଲରରୁ ହଟିଲା ଲାଇକ୍‌-ଡିସ୍‌ଲାଇକ୍‌ ଅପସନ୍‌ !

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଲକ୍ଷ୍ମୀ ବମ୍‌ର ଟ୍ରେଲର ରିଲିଜ୍‌ ହୋଇଛି । ୩ ମିନିଟରୁ ଅଧିକ ଲମ୍ବା ଥିବା ଏହି ଟ୍ରେଲର ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି । ଟ୍ରେଲରଟି ଅନେକ ସାକାରାତ୍ମକ ପ୍ରତିକ୍ରିୟା ଗ୍ରହଣ କରିଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ ପ୍ରଥମଥର ପାଇଁ ଜଣେ କିନ୍ନର ଭୂମିକାରେ ନଜର ଆସିଛନ୍ତି । ଲକ୍ଷ୍ମୀ ବମ୍ ହେଉଛି ଏକ ହରର ସହ କମେଡି ମୁଭି । ଏହାପୂର୍ବରୁ ସ୍ତ୍ରୀ ଏବଂ ଭୁଲ୍ ଭୁଲେୟା ଭଳି ଚଳଚ୍ଚିତ୍ର ବଜାରକୁ ଆସିସାରିଛି ଏବଂ ଭଲ ବ୍ୟବସାୟ ମଧ୍ୟ କରିଛି ।

ତେଣୁ ଫିଲ୍ମର ନିର୍ମାତାମାନେ ଆଶା କରିଛନ୍ତି ଯେ, ଲକ୍ଷ୍ମୀ ବମ୍‌ ମଧ୍ୟ ଲୋକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇବ । ହେଲେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି ଯେ, ଫିଲ୍ମର ଟ୍ରେଲରରେ ଲାଇକ୍‌ ଏବଂ ଡିସ୍‌ ଲାଇକ୍‌ ଅପ୍‌ସନ୍ ଦେଖାଯାଉ‌ ନାହିଁ । ଟ୍ରେଲର ଦେଖିବା ପରେ, ଆପଣ ଏହାକୁ ଲାଇକ୍‌ ଏବଂ ଡିସ୍‌ଲାଇକ୍‌ କରିପାରିବେ ସତ କିନ୍ତୁ ଏହାର ମୋଟ୍‌ ସଂଖ୍ୟା  ଦେଖିପାରିବେ ନାହିଁ । ତେଣୁ ଏନେଇ ପ୍ରଶଂସକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଏହି ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ, ଏହାକୁ ବଏକଟ୍‌ କରିବା ପାଇଁ ଦାବି ଉଠିଥିଲା । ନିକଟରେ ଅକ୍ଷୟ କୁମାର ସୋସିଆଲ ମିଡିଆରେ ବଲିଉଡରେ ଡ୍ରଗ୍ସ କନେକ୍ସନ୍‌ ନେଇ ନିଜର ମନ୍ତବ୍ୟ ଦେଇଥିଲେ । ଅକ୍ଷୟ ସ୍ୱୀକାର କରିଥିଲେ ଯେ ବଲିଉଡ୍‌ରେ ଡ୍ରଗ୍ସ ସମସ୍ୟା ରହିଛି, କିନ୍ତୁ ସମସ୍ତଙ୍କୁ ଗୋଟିଏ ନଜରରେ ଦେଖିବା ଉଚିତ୍‌ ନୁହେଁ । ଅକ୍ଷୟଙ୍କ ଏହି ଭିଡିଓରେ ଅନେକ ପ୍ରଶଂସକ କହିଛନ୍ତି ଯେ ସେ ବଲିଉଡକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ।

ବୋଧହୁଏ ଏହି କାରଣରୁ ଟ୍ରେଲ୍‌ରରେ ଲାଇକ୍‌ ଏବଂ ଡିସ୍‌ ଲାଇକ୍‌ ଅପ୍‌ସନ୍‌ ରହିନାହିଁ । ଅକ୍ଷୟଙ୍କ ଲକ୍ଷ୍ମୀ ବମ୍‌ର ଯଦି ନେଗେଟିଭ୍‌ ପବ୍ଲିସିଟି ହେବ ତେବେ ଫିଲ୍‌ମରେ ନିଶ୍ଚିତ ରୂପେ ଖରାପ ପ୍ରଭାବ ପଡ଼ିବ ବୋଲି ଆଶଙ୍କା ରହିଛି । ତେଣୁ ଏଭଳି ନିଷ୍ପତି ନିଆଯାଇ ଥାଇପାରେ ।

‘ଧୀମା ଖେଳି ହାରିଲା ଚେନ୍ନାଇ, ଡ୍ୱେନ୍ ବ୍ରାଭୋଙ୍କ ପୂର୍ବରୁ କେଦାର ଆସିବା ନିଷ୍ପତ୍ତି ଭୁଲ୍’

ଭୁବନେଶ୍ୱର: ଚେନ୍ନାଇ ସୁପର କିଙ୍ଗ୍ସ ଦଳ କଲକୋତା ନାଇଟ ରାଇଡର୍ସ ବିପକ୍ଷରେ ଅଚାନକ ପରାଜୟ ସ୍ୱୀକାର କରିଛି । ଦଳର ଉପରକ୍ରମର ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ମଧ୍ୟ ଟିମ୍ ମ୍ୟାଚ ହାରିଛି । ଜାଡେଜା ଓ କେଦାର ଯାଦବ ଅଧିକ ଡଟ୍ ବଲ ଖେଳିବା କାରଣରୁ ଟିମ୍ ମ୍ୟାଚ ହାରିଲା । ଏଣୁ ସିଏସକେକୁ ବିଭିନ୍ନ ବର୍ଗରୁ ସମାଲୋଚନା କରାଯାଉଛି ।

ଏହି କ୍ରମରେ ଯୋଡି ହୋଇଛନ୍ତି ଭାରତର ପୂର୍ବତନ ବିସ୍ଫୋରକ ଓପନର ବିରେନ୍ଦ୍ର ସେହୱାଗ୍ ।ସେହଓ୍ୱାଗ୍ କ୍ରିକବଜକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ୧୬୮ ରନର ବିଜୟ ଲକ୍ଷ ହାସଲ କରିବା ସମ୍ଭବପର ଥିଲା । ସିଏସକେ ଓପନର ମାନେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ । ଏହା ସତ୍ତ୍ୱେ ଟିମ୍ ମ୍ୟାଚ ହାରିଲା ।

କେଦାର ଯାଦବ ଓ ରବିନ୍ଦ୍ରେ ଜାଡେଜା ଅଧିକ ଡଟ୍ ବଲ୍ ଖେଳିବା ହେତୁ ସିଏସକେ ଏକ ନିଶ୍ଚିତ ବିଜୟକୁ ହାତଛଡ଼ା କଲା । ମୋର ମନେ ହେଉଛି ଯେ କିଛି କ୍ରିକେଟର ଫ୍ରାଞ୍ଚାଇଜକୁ ସରକାରୀ ଚାକିରୀ ବୋଲି ଭାବି ନେଇଛନ୍ତି । ପ୍ରଦର୍ଶନ ଯାହା ବି ରହୁ, ଚୁକ୍ତି ଅନୁଯାୟୀ ବେତନ ମିଳିବ ।

ଓ୍ୱାଟସନ ଆଉଟ ହେବା ପରେ ୧୧ରୁ ୧୪ ତମ ଓଭର ମଧ୍ୟରେ ଦଳ ମାତ୍ର ୧୪ ରନ୍ ସଂଗ୍ରହ କଲା । ବ୍ୟାଟ୍ସମ୍ୟାନ ଅଧିକ ଡଟ୍ ବଲ୍ ଖେଳିଲେ । ସେହିଭଳି ଡ୍ୱେନ ବ୍ରାଭୋଙ୍କୁ ପୂର୍ବରୁ କେଦାର ଯାଦବଙ୍କୁ ବ୍ୟାଟିଂ ଦିଆଗଲା । ସେ ୧୨ଟି ବଲ୍ ବିନିମୟରେ ୭ ରନ୍ କଲେ । ପୁରା ମ୍ୟାଚକୁ ଅନୁଶୀଳନ କଲେ ଜଣାପଡୁଛି ଯେ ଧୀମା ଗତିରେ ବାଣ୍ଟି କରିବା ଯୋଗୁଁ ହିଁ ସିଏସକେ ମ୍ୟାଚ ହରାଇଲା ।

TRP Scam: ରିପବ୍ଲିକ ଦେଖିବାକୁ ମିଳୁଥିଲା ନିର୍ଦ୍ଦିଷ୍ଟ ରାଶି, ବିଶାଳ ଭଣ୍ଡାରୀଙ୍କ ଡାଏରୀରୁ ମିଳିଲା ପ୍ରମାଣ

ମୁମ୍ବାଇ: ଟିଆରପି ଠକେଇରେ ଖୋଲୁଛି ରିପବ୍ଲିକ ଟିଭିର ଗୁମର । ମୁମ୍ବାଇ ପୋଲିସ ତଦନ୍ତ ବେଳେ ହଂସା ରିସର୍ଚ୍ଚର ପୂର୍ବତନ କର୍ମଚାରୀ ବିଶାଳ ଭଣ୍ଡାରୀଙ୍କ ଡାଏରୀରୁ କେତକ ଖୁଲାସା କରିଛି । ଏହି ଡାଏରୀରେ କେତେଜଣଙ୍କ ନାଁ ଓ ଠିକଣା ଉଲ୍ଲେଖ ରହିଛି । ଡାଏରୀରେ ଉଲ୍ଲେଖ ବ୍ୟକ୍ତିଙ୍କୁ ପୋଲିସ ପଚାରଉଚରା କରିବା ପରେ ଜଣାପଡ଼ିଛି ରପବ୍ଲିକ ଟିଭି ଦେଖିବାକୁ ଲୋକଙ୍କୁ ମାସିକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଦିଆଯାଉଥିଲା ।

ମୁମ୍ବାଇ ପୋଲିସର ପଚରାଉଚରା ବେଳେ କେତକ ପରିବାର କହିଛନ୍ତି- ରିପବ୍ଲିକ ଟିଭି ଦେଖିବା ପାଇଁ ବିଶାଳ ଭଣ୍ଡାରୀ ଆମକୁ ମାସିକ ଟଙ୍କା ଦେଉଥିଲେ । ବିଶାଳ ଭଣ୍ଡାରୀ ଓ କିଛି ପରିବାର ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ମଧ୍ୟ ପୋଲିସ ହାତରେ ଲାଗିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଶାଳ ଭଣ୍ଡାରୀ ଯେଉଁ ପରିବାରକୁ ଟଙ୍କା ଦେଇଥିଲେ, ସେହି ଘରୁ ହିଁ ରିପବ୍ଲିକ ଟିଭିର ଟିଆରପି ଅଧିକ ରହିଛି ।

Fake TRP Scandal Mumbai Police Vishal Bhandari Diary Republic TV Households

ଟିଆରପି ସ୍କାମ୍ ମାମଲାରେ ଗିରଫ ହୋଇଥିବା ବିଶାଳ ଭଣ୍ଡାରୀ, ବୋମପଲ୍ଲୀ ରାଓ, ନାରାୟଣ ଶର୍ମା ଓ ଶୀର୍ଶ ସେଟ୍ଟୀ ଅକ୍ଟୋବର ୧୩ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ । ଏହି ୪ ଜଣଙ୍କୁ ମୁମ୍ବାଇ ପୋଲିସ ପଚରାଉଚରା କରିବ ।

କେମିତି ହେଲା ଖୁଲାସା ?

ଅକ୍ଟୋବର ୫ରେ ଟିଆରପି ରାକେଟ ନେଇ ମୁମ୍ବାଇ ପୋଲିସରେ ଅଭିଯୋଗ ହୋଇଥିଲା । ଅଭିଯୋଗରେ ଦର୍ଶାଯାଇଥିଲା ବିଶାଳ ଭଣ୍ଡାରୀ ଓ ସଞ୍ଜୀବ ରାଓ ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ ଦେଖିବା ପାଇଁ ଟଙ୍କା ଦେଉଛନ୍ତି । ଏପିଆଇ ସଚିନ ବେଜଙ୍କୁ ମଧ୍ୟ କିଛି ଟଙ୍କା ମିଳିଥିଲା । ଏହା ପରେ ମୁମ୍ବାଇ ପୋଲିସ ୫ ଓ ୬ ଅକ୍ଟୋବର ରାତିରେ ବିଶାଳ ଭଣ୍ଡାରୀଙ୍କୁ ଅଟକ ରଖି ଜେରା କରିଥିଲା ।

Fake TRP Scandal Mumbai Police Vishal Bhandari Diary Republic TV Households

ବିଶାଳ ଭଣ୍ଡାରୀ ମୁମ୍ବାଇ ପୋଲିସକୁ କହିଛି- ତା’ ବିରୋଧରେ ତଦନ୍ତ ଚାଲିଥିବାରୁ ସେ ହଂସା ରିସର୍ଚ୍ଚ ଗ୍ରୁପ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଛାଡ଼ି ଦେଇଛି । ହଂସା ହେଉଛି ବାର୍କ (BARC)ର ଏକ ସହଯୋଗୀ କମ୍ପାନୀ । ତାପରେ ପୋଲିସ ହଂସା କମ୍ପାନୀ ସହ କଥା ହୋଇଥିଲା ।

ଏହି ମାମଲାରେ ଖୋଦ୍ ହଂସା କମ୍ପାନୀ ତଦନ୍ତ କରିଥିଲା । ଯେଉଁଥିରେ ୫ଟି ପରିବାର ସହ କମ୍ପାନୀ କଥା ହୋଇଥିବା ବେଳେ ୪ଟି ପରିବାର ସବୁ କଥାକୁ ଅସ୍ୱୀକାର କରିଥିଲେ । ଆଉ ଗୋଟିଏ ପରିବାର କହିଥିଲା- ଚ୍ୟାନେଲ ଦେଖିବାକୁ ଟଙ୍କା ଦିଆଯାଉଛି । ଟଙ୍କା ମିଳୁଥିବା ମାନିଥିବା ମହିଳାଙ୍କ ଘରେ ଏୟାରଟେଲ୍ ଡିଟୁଏଚ୍ କନେକ୍ସନ ରହିଛି ।

କଣ କହିଲେ ସାକ୍ଷୀ

ତଦନ୍ତ ବେଳେ ଜଣେ ସାକ୍ଷୀ କହିଥିଲେ- ତାଙ୍କ ଘରେ ଏକ ବୈରୋମିଟର ଲାଗିଛି । ଯେଁଉଥିପାଇଁ ତାଙ୍କୁ ପ୍ରତି ମାସରେ ୪୮୩ ଟଙ୍କା ମିଳୁଛି । ସାକ୍ଷୀଙ୍କ ବୟାନ ମୁତାବକ- ୨୦୨୦ ଜାନୁଆରୀରେ ଅଭିଯୁକ୍ତ ବିଶାଲ ଓ ଦିନେଶ ବିଶ୍ୱକର୍ମା ଘରକୁ ଆସିଥିଲେ । ଉଭୟ ମୋତେ ପଚାରିଥିଲେ ରିପବ୍ଲିକ ଟିଭି ଦେଖୁଛ କି ? ମୋତେ ରିପବ୍ଲିକ ଟିଭି ପସନ୍ଦ ନୁହେଁ ବୋଲି କହିଥିଲି । ତାପରେ ଦୁହେଁ କହିଥିଲେ ରପବ୍ଲିକ ଟିଭି ଦେଖିଲେ ଓ ଲଗାଇ ରଖିଲେ ତାଙ୍କୁ ମାସିକ ୪୮୩ ଟଙ୍କା ଦିଆଯିବ ।

Fake TRP Scandal Mumbai Police Vishal Bhandari Diary Republic TV Households

ରିପବ୍ଲିକ ଟିଭିର ସ୍ପଷ୍ଟୀକରଣ

ଅଭିଯୋଗକୁ ମିଥ୍ୟା କହିବା ସହ ରିପବ୍ଲିକ ଟିଭି କହିଛି ମୁମ୍ବାଇ ପୋଲିସ କମିଶନରଙ୍କ ବିରୋଧରେ ମାନହାନି ମକଦ୍ଦମା କରାଯିବ । ରିପବ୍ଲିକ ଅନୁଯାୟୀ- ପାଲଘର ଓ ସୁଶାନ୍ତ ସିଂହ ରାଜପୁତ ମାମଲାରେ ଚ୍ୟାନେଲ କରିଥିବା ପ୍ରସାରଣ ବିରୋଧରେ ଏଭଳି ଅଭିଯୋଗ କରାଯାଉଛି । ଚ୍ୟାନେଲ ମୁତାବକ ବାର୍କ ଅଭିଯୋଗରେ ରିପବ୍ଲିକ ଟିଭିର ନାମ ହିଁ ନାହିଁ ।

ପୁଣି ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍‌, ‘ମୋଦି ବୁଝୁ ନାହାନ୍ତି ବୋଲି ପାଖ ଲୋକ କହିବାକୁ ସାହାସ କରୁ ନାହାନ୍ତି’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । କରୋନା ଭାଇରସ୍‌, ଭାରତ-ଚୀନ୍ ସୀମା ବିବାଦ, ବେକାରୀ ସମସ୍ୟ ଏବଂ ନିକଟରେ ବିମାନ କିଣା ଘଟଣା ପରେ, ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ ସେୟାର କରି ତାଙ୍କୁ ଟାର୍ଗେଟ କରିଛନ୍ତି । ଶୁକ୍ରବାର ରାହୁଲ ଟ୍ୱିଟ୍‌ କରି କହିଛନ୍ତି ଯେ, ‘ଭାରତ ପାଇଁ ଏହା ବିପଦ ନୁହେଁ, କି ପ୍ରଧାନମନ୍ତ୍ରୀଙ୍କ କିଛି ବୁଝନ୍ତି ନାହିଁ । ପ୍ରକୃତ କଥା ହେଉଛି, ତାଙ୍କ ଆଖପାଖରେ ଥିବା କୌଣସି ବ୍ୟକ୍ତିଙ୍କର ଏହା କହିବାକୁ ସାହସ ନାହିଁ ।’

ରାହୁଲଙ୍କ ଏଭଳି ଟ୍ୱିଟ୍‌ର ଜବବା ରଖିଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋୟଲ । ସେହି ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, ରାହୁଲ ଗାନ୍ଧି କିଛି ବୁଝିପାରନ୍ତି ନାହିଁ ବୋଲି କହିବାକୁ ତାଙ୍କ ଚାରିପାଖରେ ଥିବା କୌଣସି ବ୍ୟକ୍ତି ପାଖରେ ଶକ୍ତି ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯେଉଁ ସବୁ ବିଚାରକୁ ରାହୁଲ ଉପହାସ କରୁଛନ୍ତି, ସେହି ବିଚାରକୁ ବିଶ୍ୱର ଅଗ୍ରଣୀ କମ୍ପାନୀର ସିଇଓ ସମର୍ଥନ କରୁଛନ୍ତି ।

ୱାୟାନାଡ ସାଂସଦ ଯେଉଁ ଭିଡିଓଟି ଟ୍ୱିଟ୍ କରିଛନ୍ତି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମ୍ଳଜାନକୁ ବାୟୁରୁ ଅଲଗା କରିବା ସହ ବାୟୁର ଜଳ ବହାର କରିବା କଥା କହୁଛନ୍ତି । ସେ କହିଛନ୍ତି ଦେଶରେ ଆର୍ଦ୍ରତା ଅଧିକ ରହିଛି ତେଣୁ ଟରବାଇନ୍‌ ମାଧ୍ୟମରେ ଏଭଳି କରାଯାଇପାରିବ ।

ସେହିଭଳି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ରାହୁଲଙ୍କ ସେହି ଟ୍ୱିଟ୍‌ରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ରାହୁଲଙ୍କୁ ତାତ୍ସଲ୍ୟ କରି ଲେଖିଛନ୍ତି ଯେ, ‘ମୋ ଟ୍ୱିଟ୍‌ରେ ଯେଉଁ ଦୁଇଟି ଫାଇଲ୍‌ ଆଟାଚ୍‌ ରହିଛି ସେହି ଦୁଇଟିକୁ ରାହୁଲ ସକାଳୁ ଉଠି ମୁହଁ ଧୋଇ ପଢ଼ନ୍ତୁ ଏବଂ ତାଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର କରନ୍ତୁ’ । ଏହି ଟ୍ୱିଟ୍‌ରେ ସମ୍ବିତ ଆହୁରି ମଧ୍ୟ କହିଛନ୍ତି ଯେ, ‘ତାଙ୍କର ବିଶ୍ୱାସ ରହିଛି ଯେ ରାହୁଲ ଏହା ପଢ଼ିବା ପରେ ମଧ୍ୟ ସେ ମର୍ମ ବୁଝିପାରିବେ ନାହିଁ ।’

ପ୍ରଧାନମନ୍ତ୍ରୀ କାହା ସହିତ କଥା ହୋଇଥିଲେ ?

ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭେଷ୍ଟାସ୍ ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେନ୍‌ରିଚ୍ ଆଣ୍ଡରସନ୍‌ଙ୍କ ସହ ପବନ ଉର୍ଜା କ୍ଷେତ୍ର ବିଷୟରେ ଆଲୋଚନା କରିଛନ୍ତି । ଏହାକୁ ନେଇ ସେ ଟ୍ୱିଟ୍ କରିଛନ୍ତି ଯେ, ‘ଭେଷ୍ଟାସ୍ ସଭାପତି ତଥା ସିଇଓ ହେନ୍‌ରିକ୍ ଆଣ୍ଡରସନଙ୍କ ସହ ବ୍ୟବହାରିକ ଆଲୋଚନା ହୋଇଛି । ପବନ ଉର୍ଜା କ୍ଷେତ୍ର ସହ ଜଡିତ ଅନେକ ବିଷୟ ଉପରେ ଆଲୋଚନା କରିଛୁ । ଆଗାମୀ ପିଢ଼ିର ସ୍ୱଚ୍ଛ ଭବିଷ୍ୟତ ପାଇଁ ଭାରତର ଏହା ଏକ ବଡ଼ ଯୋଜନା । ଉର୍ଜା କ୍ଷେତ୍ରରେ ଭେଷ୍ଟାସ୍‌ ହେଉଛି ବିଶ୍ୱର ଅଗ୍ରଣୀ କମ୍ପାନୀ ।

ପୁଣି ନିୟମ ଭାଙ୍ଗିଲେ ଅପରାଜିତା: କେନ୍ଦ୍ରର ଦୃଷ୍ଟି ଆକର୍ଷଣ ଲାଗି ଚିଠି ଲେଖିଲେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର

ଭୁବନେଶ୍ୱର: ପୁଣି କୋଭିଡ ନିୟମର ଉଲ୍ଲଘଂନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଜନ୍ମଦିନ ପାଳନ ବେଳେ ସାମାଜିକ ଦୂରତ୍ୱର ଉଲ୍ଲଂଘନ କରିଛନ୍ତି ସାଂସଦ । ଏ ନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର  । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ଏ ନେଇ ଅବଗତ କରାଇଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର । ସେ ଲେଖିଛନ୍ତି ଅପରାଜିତା ଏଭଳି ବାରମ୍ବାର କୋଭିଡ ନିୟମ ଉଲ୍ଲଂଘନ କରୁଛନ୍ତି ।  ସାଂସଦଙ୍କ ଏଭଳି ଆଚରଣ କୋଭିଡ ଯୋଦ୍ଧାଙ୍କୁ ହତୋତ୍ସାହିତ କରିବା ସହ ଯେଉଁ ମାନଙ୍କ ଦେହାନ୍ତ ହୋଇଛି ସେମାନଙ୍କ ପ୍ରତି ଅସମ୍ମାନ । ପ୍ରଧାନମନ୍ତ୍ରୀ ବାରମ୍ବାର ସାମାଜିକ ଦୂରତା କଥା କହୁଛନ୍ତି । କିନ୍ତୁ ଅପରାଜିତା ଷଡ଼ଙ୍ଗୀ ବାରମ୍ବାର ନିୟମ ଭାଙ୍ଗୁଛନ୍ତି । ତାଙ୍କ ଜନ୍ମଦିନରେ ଶତାଧିକ ମହିଳା ଯୋଗଦେଇଥିଲେ । ଯେଉଁଥିରେ ଜଣଙ୍କ ବ୍ୟତୀତ ଅନ୍ୟ କେହିଁ ବି ମୁହଁରେ ମାସ୍କ ପିନ୍ଧିନଥିଲେ । ସାମାଜିକ ଦୂରତ୍ୱ ଜମାରୁ ନଥିଲା । ଏବଂ ସମସ୍ତେ ମିଶି ନାଚଗୀତ କରୁଥିଲେ ।

ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରର ଲୋକସଭା ସାଂସଦ  । ଏଠାରେ ୧୦୯ ଜଣ କରୋନାରେ ପ୍ରାଣ ହରାଇଲେଣି ଏବଂ ୫ ଜଣ କୋଭିଡ ଯୋଦ୍ଧାଙ୍କ ମଧ୍ୟ ଜୀବନ ଯାଇଛି । ଏଭଳିସ୍ଥିତିରେ ସାଂସଦ ନିୟମ ଭାଙ୍ଗି ସହଯୋଗୀଙ୍କ ସହ ନାଚିଛନ୍ତି । କୋଭିଡ ଯୋଦ୍ଧା ଓ ସାଧାରଣଲୋକଙ୍କ ପାଇଁ ଏହା ତାତ୍ସଲ୍ୟ । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାର ବିପରୀତ ବାର୍ତ୍ତା ଦେଉଛନ୍ତି ଅପରାଜିତା । ଅପରପକ୍ଷରେରାଜଧାନୀ ଛାତି ଉପରେ ନକଟରେ ଭୟଙ୍କର ପେଟ୍ରୋଲ ପମ୍ପ ବିସ୍ଫୋରଣ ବଡ଼ କ୍ଷତ ଛାଡ଼ି ଯାଇଥିବା ବେଳେ ସାଂସଦଙ୍କର ଏଭଳି ଜନ୍ମଦିନ ସେଲିବ୍ରେସନ୍ ପ୍ରଶ୍ନ ସୃଷ୍ଟି କରିଛି । ଅପରାଜିତା ଷଡ଼ଙ୍ଗୀଙ୍କ ଜନ୍ମଦିନରେ ନାଚଗୀତର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ।

ଅମାନିଆ ଅପରାଜିତା: କୋଭିଡ଼ ନିୟମ ଉଲ୍ଲଂଘନ କରି ନାଚୁଥିବାର ଭିଡ଼ିଓ ହେଲା ଭାଇରାଲ

ରିସର୍ଚ୍ଚରଙ୍କ ମତ: କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ମାସ ମାସ ଧରି ଲକ୍ଷଣ ଦେଖାଯାଇପାରେ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ମହାମାରୀ କବଳରେ ଛନ୍ଦି ହୋଇ ରହିଛି । ଏଭଳି ପରିସ୍ଥିତିରେ ରିସର୍ଚ୍ଚରମାନେ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆଣୁଛନ୍ତି । ଯାହାକି ସଭିଙ୍କୁ ଚକିତ କରୁଛି । ଏବେ ଫ୍ରାନ୍ସ ରିସର୍ଚ୍ଚରମାନଙ୍କ ଦ୍ୱାରା ସାମ୍ନାକୁ ଆସିଥିବା ନୂଆ ତଥ୍ୟ ହେଉଛି ଯେ, କରୋନାର ସାଧାରଣ ଲକ୍ଷଣ ମଧ୍ୟ ମାସ ମାସ ଧରି ଲୋକଙ୍କୁ ରୋଗାକ୍ରାନ୍ତ କରି ରଖିପାରେ ।

୬୦ ଦିନ ପର୍ଯ୍ୟନ୍ତ ଲକ୍ଷଣ

ରିସର୍ଚ୍ଚରଙ୍କ କହିବାନୁଯାୟୀ ଯେଉଁ ରୋଗୀଙ୍କ ନିକଟରେ ସାଧାରଣରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଇଥାଏ, ସେମାନେ ସୁସ୍ଥ ହେବା ପରେ ମଧ୍ୟ ପାଖାପାଖି ୬୦ ଦିନ ପର୍ଯ୍ୟନ୍ତ ଲକ୍ଷଣଯୁକ୍ତ ରହିବାର ସମ୍ଭାବନା ରହିଥାଏ । ଏକ ତୃତିୟାଂଶରୁ ଅଧିକ ରୋଗୀଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖାଯାଉଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ଟୁର୍‌ ୟୁନିଭର୍ସିଟି ହସ୍ପିଟାଲର ଜଣେ ଷ୍ଟାଫ୍‌, ଯିଏ କି ମାର୍ଚ୍ଚରୁ ଜୁନ୍‌ ମାସ ପର୍ଯ୍ୟନ୍ତ ପ୍ରାୟ ୧୫୦ ନନ୍‌—କ୍ରିଟିକାଲ ରୋଗୀଙ୍କ ଉପରେ ନଜର ରଖିଥିଲେ । ସେମାନଙ୍କ ମଧ୍ୟରୁ ୪୦ ରୁ ୬୦ ବର୍ଷ ବୟସର ବ୍ୟକ୍ତି ଏବଂ ଯେଉଁମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ଆବଶ୍ୟକ ଥିଲା, ସେମାନଙ୍କ ନିକଟରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଲକ୍ଷଣ ଦେଖାଯାଇଥିଲା ।

ଜର୍ଣ୍ଣାଲ କ୍ଲିନିକାଲ ମାଇକ୍ରୋବାୟୋଲୋଜି ଆଣ୍ଡ ଇନ୍‌ଫେକ୍ସନ ନାମକ ଏକ ପତ୍ରିକାରେ ସୋମବାର ପ୍ରକାଶ ପାଇଥିଲା ଯେ, ବିଶ୍ୱରେ SARS-CoV-2 ଭାଇସ୍‌ରେ ସଂକ୍ରମିତ ପ୍ରାୟ ୩୫ ମିଲିୟନ୍‌ ଲୋକଙ୍କ ଠାରେ ସପ୍ତାହରୁ ଅଧିକ ତଥା ମାସେ ପର୍ଯ୍ୟନ୍ତ ସେମାନଙ୍କ ନିକଟରେ ଲକ୍ଷଣ ଦେଖାଯାଇଥିବ । ଅନ୍ୟପଟେ କ୍ଲାଉଦୁଆ କାର୍‌ଭାଲହୋ ସ୍ଚନିଡର ଓ ତାଙ୍କ ସହଯୋଗୀ କହିଛନ୍ତି ଯେ, ରୋଗ ଭଲ ହେବା ପରେ ମଧ୍ୟ ଲମ୍ବା ସମୟ ପର୍ଯ୍ୟନ୍ତ ଶରୀର ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ସାଇକେଲରେ ଆସି ଦରଜି କଲେ ନାମାଙ୍କନ, କହିଲେ- ବିଧାୟକ ହେଲେ ପ୍ରଥମେ କରିବି ନିଜ ବିକାଶ

ପାଟଣା: ବିଧାୟକ ହେଲେ ଲୋକଙ୍କ ବିକାଶ କରିବି । ଏହି କଥା ଆପଣ ନେତାଙ୍କ ମୁହଁରୁ ନାମାଙ୍କନ ଭରିବା ପରେ ଅଧିକାଂଶ ସମୟ ଶୁଣିଥିବେ । କିନ୍ତୁ, ଶେଖପୁରାର ବରବିଘା ଆସନରୁ ନାମାଙ୍କନ କରିବା ପରେ ଜଣେ ପ୍ରାର୍ଥୀ ଯାହା କହିଛନ୍ତି ଜାଣିଲେ ଆପଣ ବି ଚମକି ପଡ଼ିବେ । ପେସାରେ ଦରଜି ଥିବା ବ୍ୟକ୍ତି ସାଇକେଲରେ ଆସି ନାମାଙ୍କନ କରିଥିଲେ । କହିଥିଲେ- ଯଦି ବିଧାୟକ ହେବି ତ ପ୍ରଥମେ ନିଜ ବିକାଶ କରିବି, ପରେ ଜନତାଙ୍କୁ ଦେଖିବି ।

ଶଖପୁରା ଜିଲ୍ଲା ବିରବିଘା ବିଧାନସଭା ପୁରନକାମ ଗାଁର ରାଜେନ୍ଦ୍ର ପ୍ରସାଦ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପେସାରେ ଦରଜି ଥିବା ରାଜେନ୍ଦ୍ର ପ୍ରସାଦ ଘରୁ ସାଇକେଲରେ ବାହାରି ନାମାଙ୍କନ ପାଇଁ ପହଞ୍ଚି ଥିଲେ । ନାମାଙ୍କନ ପରେ ସେ କହିଛନ୍ତି- ଗଣତନ୍ତ୍ରକୁ ମଜଭୁତ୍ କରିବାକୁ ମୁଁ ପ୍ରାର୍ଥିପତ୍ର ଭରିଛି ।

Tailor Cycle File Nomination From Barbigha Assembly Sheikhpura

ଗଣମାଧ୍ୟମ ସହ କଥାହେବା ବେଳେ ରାଜେନ୍ଦ୍ର ସିଧା ସିଧା କହିଛନ୍ତି- ନିର୍ବାଚନ ପରେ ଯଦି ସେ ବିଧାୟକ ହୁଅନ୍ତି । ତ ପ୍ରଥମେ ନିଜର ବିକାଶ କରିବେ । ସେ ଆହୁରି କହିଛନ୍ତି- ବିଧାୟକ ହେବା ପରେ ଲୋକ ଦିଲ୍ଲୀ, ମୁମ୍ବାଇରେ ଫ୍ଲାଟ କିଣୁଛନ୍ତି, ଧନ ସମ୍ପତ୍ତି ବଢ଼ାଉଛନ୍ତି ।

ମୁଁ ଦୀର୍ଘ ବର୍ଷ ଧରି ପରିଶ୍ରମ କରି ଆସୁଛି । କିନ୍ତୁ, ମୋ ପାଖେ ଏବେ କିଛି ନାହିଁ । ତାଙ୍କ କହିବାର ଉଦ୍ଦେଶ୍ୟ- ବିଧାୟକ ହେବା ପରେ ସେ ଘର ତିଆରି କରିପାରିବେ, ନିଜ ପରିବାରର ବିକାଶ କରିପାରିବେ । ଏହି ଉଦ୍ଦେଶ୍ୟ ନେଇ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତାଙ୍କ ପ୍ରାର୍ଥିପତ୍ର ଦାଖଲକୁ ନେଇ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି ।

ଚୋକରଙ୍କ ବାବାଙ୍କ ଟିକେଟ୍ କଟିଲା, ଆଜୀବନ କରିବେ ଫଳାହାର