ଭୁବନେଶ୍ବର : ସକ୍ରିୟ ଘୁର୍ଣ୍ଣିବଳୟକୁ ନେଇ ଆହୁରି ୧୨ ଘଣ୍ଟା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୨ ଘଂଟାରେ କେନ୍ଦୁଝର ମୟୁରଭଞ୍ଜ ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡିର ସତର୍କତା ଜାରି କରିଛି ପାଣିପାଗ ବିଭାଗ I ଏହି ଜିଲ୍ଲା ମାନଙ୍କର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହିତ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବୋହିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯେଉଥିପାଇଁ ଏହି ସବୁ ଜିଲ୍ଲାକୁ ଏଲୋ ଆଲର୍ଟ ଜାରି କରିଛି ବିଭାଗ I ଏହାସହ ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପବନ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି I
୪୦ ଘଣ୍ଟା ପରେ ମିଳିଲା ଯୁବକଙ୍କ ମୃତଦେହ
ସୁନ୍ଦରଗଡ଼ : ୪୦ ଘଣ୍ଟା ପରେ ମିଳିଲା ଜଣେ ଯୁବକଙ୍କ ମୃତଦେହ। ସୁନ୍ଦରଗଡ଼ ସବଡେଗା ବ୍ଲକ ମୟାବାହାଲ ଡଙ୍ଗାଘାଟ ନିକଟରେ ପାଣି ଭିତରେ ଏକ ପଥରରେ ଫସିରହିଛି ମୃତଦେହ । ଉଦ୍ଧାର ପରେ ଯୁବକଙ୍କ ପରିଚୟ ଜଣାପଡ଼ିବ। ଅନ୍ୟ ଜଣେ ଯୁବକଙ୍କ ଏଯାଏଁ ପତ୍ତା ମିଳିନାହିଁ । ଗତ ବୁଧବାର ଇବ ନଦୀ କନାକୁଣ୍ଡ ଠାରେ ଭାସିଯାଇଥିଲେ ଦୁଇ ଯୁବକ । କନାକୁଣ୍ଡ ଠାରେ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ । ଦୁଇ ଯୁବକ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର ରୋଶନ ପାଶୱାନ ଏବଂ ଜୟନାରାୟଣ ପାତ୍ର । ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରଖିଛି ।
କଟକ-ଭୁବନେଶ୍ଵରରୁ କୋଟିଏ ଟଙ୍କାର କଫ୍ ସିରପ୍ ଜବତ
ଭୁବନେଶ୍ଵର : ଓଡ଼ିଶାର ସବୁଠୁ ବଡ଼ କଫ ସିରପ ରେଡ୍ । କଟକ-ଭୁବନେଶ୍ଵରରୁ କୋଟିଏ ଟଙ୍କାର କଫ୍ ସିରପ୍ ଜବତ ହୋଇଛି। ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଚାଲିଛି ଏହି ମାରାଥନ ରେଡ୍ । STF ଓ ଡ୍ରଗ୍ କଣ୍ଟ୍ରୋଲରଙ୍କ ମିଳିତ ସହଯୋଗରେ ଚାଲିଥିବା ଏହି ରେଡ଼ରେ କଟକରୁ ପ୍ରାୟ ୧୩ ହଜାର ୧୫୮ ବୋତଲ ଓ ଭୁବନେଶ୍ୱରରୁ ୧୩ ହଜାର ୫ ଶହ ବୋତଲ କଫ ସିରପ ଜବତ ହୋଇଛି । ଭୁବନେଶ୍ୱରରୁ ଜବତ କଫ ସିରପର ମୂଲ୍ୟ ପ୍ରାୟ ୫୨ ଲକ୍ଷ ୭୮ ହଜାରରୁ ଅଧିକ ହେବ ବୋଲି ଜଣାପଡିଛି । ହିମାଚଳ ପ୍ରଦେଶ ସ୍ଥିତ ଓ୍ବିନସେରେକ୍ସ କଫ ସିରପ ନାଁରେ କୋଡ଼ିନ ମିଶାଇ ଏହାକୁ ନିଶାଦ୍ରବ୍ୟ ଭାବେ ବ୍ୟବହାର କରାଯାଉଥିଲା । ପ୍ରତି ବୋତଲର ମୂଲ୍ୟ ୧୯୯ ଟଙ୍କା ଥିଲା । ଏକାଧିକ ଯୁବକଙ୍କୁ କାବୁ କରି ପଚରାଉଚରା ଜାରି ରହିଛି । NDPS ଆକ୍ଟ ୧୯୮୫ ଓ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ ୧୯୪୦ ମୁତାବକ କେସ ରୁଜୁ କରାଯାଇଛି । ନିଶା ବିରୋଧରେ ଜିରୋ ଟଲରାନ୍ସ ନୀତି ଅବଲମ୍ବନ ପାଇଁ ଏଭଳି ବଡ଼ ରେଡ୍ ହେଉଥିବା କହିଛି ଟିମ୍ ।
OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଗିରଫ
କଟକ : OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଗିରଫ। ଗିରଫ ଶିକ୍ଷକ ଜଣକ ହେଲେ କଳାହାଣ୍ଡି ଜିଲ୍ଳା ଭବାନୀପାଟଣାର ପ୍ରଶାନ୍ତ ଖମାରୀ । OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ସଂପୃକ୍ତ ରହିଥିବା ଅଭିଯୋଗରେ ତାଙ୍କୁ ଭବାନୀପାଟଣା ସଦର ଥାନା ପୋଲିସ ଗିରଫ କରି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି। ଏହା ଆଗରୁ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ମାଷ୍ଟରମାଇଣ୍ଡ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତେନ ମହାରଣାଙ୍କ ସମେତ ୬ ଜଣଙ୍କୁ ଆଗରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଅଭିଯୋଗ ଅନୁସାରେ ପ୍ରଥମେ ଜିତେନ ବୋର୍ଡର ଉପସଭାପତିଙ୍କ ଲ୍ୟାପଟପ୍ ରୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପେନଡ୍ରାଇଭରେ ନେଇ ଯାଇଥିଲେ । ପରେ ସେ ଏହାକୁ ଶିକ୍ଷକ ବିଜୟ ମିଶ୍ର, ସନାତନ ବିଶୋୟୀଙ୍କୁ ଦେଇଥିଲେ । ଏହାକୁ ସେମାନେ ଦଲାଲ ରାମଜୀ ପ୍ରସାଦ ଗୁପ୍ତାଙ୍କ ମାଧ୍ୟମରେ ଅଜୟ ସାହୁ, ଜୟନ୍ତ ରାଉତଙ୍କୁ ବିକ୍ରି କରିଥିଲେ। ଜିତେନଙ୍କ ବ୍ୟାଙ୍କ ଖାତାକୁ ୨ଲକ୍ଷ ୪୦ ହଜାର ଟଙ୍କା ଆସିଥିଲା ।
ମହାବତାର ନରସିହ୍ମା ଆଗରେ ଫିକା ପଡିଲା ଧଡକ ୨ ଓ ସନ୍ ଅଫ୍ ସର୍ଦ୍ଦାର ୨
ନନ୍ଦିଘୋଷ ବ୍ୟୁରୋ : ଅଗଷ୍ଟ ମାସ ଆରମ୍ଭରୁ ବକ୍ସ ଅଫିସରେ ଏକ ବଡ଼ ଟକ୍କର ଆରମ୍ଭ ହୋଇଛି। ଆମେ ଅଜୟ ଦେବଗନଙ୍କ ସନ୍ ଅଫ୍ ସର୍ଦ୍ଦାର ୨ ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଧଡକ୍ ୨ ମଧ୍ୟରେ ବକ୍ସ ଅଫିସ ଟକ୍କର ଆରମ୍ଭ ହୋଇଛି । ଏହି ଦୁଇଟି ଫିଲ୍ମ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଦର୍ଶକଙ୍କ ମଧ୍ୟରେ ସନ୍ ଅଫ୍ ସର୍ଦ୍ଦାର ୨ ଏବଂ ଧଡକ୍୨ ବିଷୟରେ ବହୁତ ଚର୍ଚ୍ଚା ଚାଲିଛି। ଉଭୟ ଫିଲ୍ମର ଆଡଭାନ୍ସ ବୁକିଂ ସଂଖ୍ୟା ମଧ୍ୟ ସାମ୍ନାକୁ ଆସିଛି। ତଥାପି, ‘ମହାବତାର ନରସିହ୍ମା ‘ ଆଡଭାନ୍ସ ବୁକିଂ ଦୌଡ଼ରେ ବହୁତ ଆଗରେ ଅଛି । ବର୍ତ୍ତମାନ ଆଡଭାନ୍ସ ବୁକିଂ ଦୃଷ୍ଟିରୁ ସନ୍ ଅଫ୍ ସର୍ଦ୍ଦାର ୨ ଓ ଧଡକ୍ ୨ଅପେକ୍ଷା ଆଗରେ ଅଛି। କିନ୍ତୁ ଉଭୟ ଫିଲ୍ମ ପାଇଁ ପ୍ରକୃତ ବିପଦ ହେଉଛି ପୁରୁଣା ରିଲିଜ୍ ହୋଇଥିବା ଫିଲ୍ମ। ‘ମହାବତାର ନରସିହ୍ମା ‘ କମ ଆୟ ସହିତ ଆରମ୍ଭ ହୋଇଥିଲା, କିନ୍ତୁ ସପ୍ତାହର ଦିନରେ ଫିଲ୍ମଟି ଭଲ ପ୍ରଦର୍ଶନ କରିଥିଲା। ଏବେ ଦ୍ୱିତୀୟ ଶୁକ୍ରବାର, ଏହି ଫିଲ୍ମ ନମ୍ବର ୱାନ୍ ପ୍ରମାଣିତ ହେବ, ‘ମହାବତାର ନରସିହ୍ମା ‘ ନୂଆ ମୁକ୍ତିଲାଭ କରିଥିବା ଦୁଇଟି ଫିଲ୍ମ ଅପେକ୍ଷା ଅଧିକ ରୋଜଗାର କରିବାକୁ ଯାଉଛି।
ପ୍ରଥମ ଦିନରେ ଧଡକ୍ ୨ ପ୍ରାୟ୫ କୋଟିର ନେଟ୍ କଲେକ୍ସନ ସହିତ ଆରମ୍ଭ ହେବା ଉଚିତ ଏବଂ ତା’ପରେ ୱାର୍ଡ ଅଫ୍ ମାଉଥ୍ ପବ୍ଲିସିଟି ଏହାକୁ ସପ୍ତାହାନ୍ତ ପର୍ଯ୍ୟନ୍ତ ନେଇପାରେ, କାରଣ ଫିଲ୍ମର ସମୀକ୍ଷା ଭଲ। ସନ୍ ଅଫ୍ ସର୍ଦ୍ଦାର ୨ପ୍ରାୟ ୬.୫୦ କୋଟିର ନେଟ୍ କଲେକ୍ସନ ସହିତ ଆରମ୍ଭ ହେବ। ବାକି ସବୁକିଛି ଫିଲ୍ମ ଭବିଷ୍ୟତରେ କିପରି ରୋଜଗାର କରିବ ତାହା ଉପରେ ନିର୍ଭର କରେ। କାରଣ ଅଜୟଙ୍କ ଫିଲ୍ମ ମିଶ୍ର ପ୍ରତିକ୍ରିୟା ପାଉଛି। ମହାବତାର ନରସିହ୍ମା ବିଷୟରେ କହିବାକୁ ଗଲେ, ଏହା ଦ୍ୱିତୀୟ ଶୁକ୍ରବାରରେ ୭କୋଟି ରୋଜଗାର କରିପାରିବ ଏବଂ ସାୟରା ମଧ୍ୟ ତୃତୀୟ ଶୁକ୍ରବାରରେ ୪ କୋଟିରୁ ଅଧିକ ରୋଜଗାର କରିବ।
ଆପଣଙ୍କୁ କହିରଖୁଛୁ ଯେ, ବିଜୟ କୁମାର ଆରୋରାଙ୍କ ନିର୍ଦ୍ଦେଶିତ ସନ୍ ଅଫ୍ ସର୍ଦ୍ଦାର ୨ ଏକ କମେଡି ଡ୍ରାମା। ଏହି ଫିଲ୍ମ ୨୦୧୨ର ଆକ୍ସନ୍ କମେଡି ସନ୍ ଅଫ୍ ସର୍ଦ୍ଦାରର ସିକ୍ୱେଲ୍। ଏହି ଫିଲ୍ମରେ ଅଜୟ ଦେବଗନ୍, ଜସ୍ସି ରନ୍ଧାୱା ଭୂମିକାରେ ଅଭିନୟ କରିଛନ୍ତି, ସନ୍ ଅଫ୍ ସର୍ଦ୍ଦାର ୨ରେ ମୃଣାଳ ଠାକୁର, ରବି କିଶନ, ମୁକୁଲ ଦେବ ଓ ସଞ୍ଜୟ ମିଶ୍ର ମଧ୍ୟ ଅଛନ୍ତି। ଅନ୍ୟପକ୍ଷରେ, ଧଡକ୍ ୨ ହେଉଛି ସାଜିଆ ଇକବାଲଙ୍କ ନିର୍ଦ୍ଦେଶିତ ଏକ ରୋମାଣ୍ଟିକ୍ ଡ୍ରାମା ଏବଂ ଏହା ଜାହ୍ନବୀ କପୁର ଏବଂ ଈଶାନ ଖଟ୍ଟରଙ୍କ ଅଭିନୀତ ଫିଲ୍ମ ଧଡକ୍ ର ସିକ୍ୱେଲ୍।
ଲଣ୍ଡନରେ ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ ; ବ୍ରିଟେନରେ ଜଣେ ବ୍ରିଟିଶ ଶିଖ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଗତ ସପ୍ତାହରେ ଲଣ୍ଡନରେ ଜଣେ ବ୍ରିଟିଶ ଶିଖ ବ୍ୟକ୍ତିଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ଏହି ମାମଲାରେ ତଦନ୍ତ ଚାଲିଛି । ମୃତ ବ୍ୟକ୍ତି ଜଣଙ୍କ ୩୦ବର୍ଷୀୟ ଗୁରମୁଖ ସିଂହ ଓରଫ ଗ୍ୟାରି ବୋଲି ଜଣାପଡିଛି । ବୁଧବାର ଦିନ ପୂର୍ବ ଲଣ୍ଡନର ଇଲଫୋର୍ଡର ଫେଲବ୍ରିଜ୍ ରୋଡରେ ତାଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା।
ପୋଲିସର ସୂଚନା ଅନୁଯାୟୀ, ଅମରଦୀପ ସିଂହ ନାମକ ଜଣେ ୨୭ ବର୍ଷୀୟ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୁଦ୍ଧରେ ଆଉ ଏକ ହତ୍ୟା ଅଭିଯୋଗ ଆସିଛି ଓ ସେ ଜାନୁଆରୀ ୫, ୨୦୨୬ରେ ଲଣ୍ଡନର ଓଲ୍ଡ ବେଲିର ଏକ କୋର୍ଟରେ ବିଚାର ପାଇଁ ହାଜର ହେବେ। ସେ ପର୍ଯ୍ୟନ୍ତ ସେ ହେପାଜତରେ ରହିବେ।
ଅମରଦୀପଙ୍କ ବ୍ୟତୀତ, ଗ୍ୟାରିକୁ ଛୁରି ମାରିବା ମାମଲାରେ ଅନ୍ୟ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି । କିନ୍ତୁ ପୋଲିସ ଏବେ ବି ମାମଲାର ତଦନ୍ତ କରୁଛି, ତେଣୁ ସେମାନଙ୍କୁ ଅକ୍ଟୋବର ପର୍ଯ୍ୟନ୍ତ ଜାମିନରେ ମୁକ୍ତ କରାଯାଇଛି। ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ୨୯ବର୍ଷୀୟ ପୁରୁଷ ଅଛନ୍ତି। ତିନି ଜଣ ମହିଳା ମଧ୍ୟ ଅଛନ୍ତି। ତଥାପି, ସନ୍ଦେହଜନକ ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
୪୧%ରେ ପହଞ୍ଚିଲା ଟ୍ରମ୍ପଙ୍କ ଟାରିଫ୍, ଅନେକ ଦେଶର ହଜିଲା ନିଦ
ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଦେଶ ପାଇଁ ଏକ ନୂଆ ଟାରିଫ୍ ଲାଗୁ କରିଛନ୍ତି। ଭାରତ, ତାଇୱାନ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶରୁ ଆସୁଥିବା ସାମଗ୍ରୀ ଉପରେ ଭିନ୍ନ ଭିନ୍ନ ଟାରିଫ୍ ଘୋଷଣା କରାଯାଇଛି। ଭାରତ ଉପରେ ୨୫ପ୍ରତିଶତ ଓ ଦକ୍ଷିଣ ଆଫ୍ରିକା ଉପରେ ୨୦ ପ୍ରତିଶତ ଟାରିଫ୍ ଲାଗୁ କରାଯାଇଛି। ଏମିତିକି ଟ୍ରମ୍ପ ଅନେକ ଦେଶ ଉପରେ ୪୧ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଇଛନ୍ତି। ତଥାପି, ଏହି ନିଷ୍ପତ୍ତିକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି।
ବିଭିନ୍ନ ଦେଶରୁ ଆମେରିକାକୁ ଆମଦାନୀ ଉପରେ ୧୦% ରୁ ୪୧% ପର୍ଯ୍ୟନ୍ତ ଟାରିଫ୍ ଲାଗୁ କରାଯାଇଛି। ନୂତନ ହାରରେ ଭାରତରୁ ରପ୍ତାନି ଉପରେ ୨୫%, ତାଇୱାନରୁ ରପ୍ତାନି ଉପରେ ୨୦% ଏବଂ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ସାମଗ୍ରୀ ଉପରେ ୩୦% ଟାରିଫ୍ ଲାଗୁ କରାଯାଇଛି। ଏହା ବ୍ୟତୀତ, ସିରିଆ ଉପରେ ଏପର୍ଯ୍ୟନ୍ତ ସର୍ବାଧିକ ୪୧% ଟାରିଫ୍ ଲାଗୁ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରାଯାଇଛି।ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଛି ଯେ ଦେଶଗୁଡ଼ିକ ଉପରେ ଘୋଷଣା କରାଯାଇଥିବା ଟାରିଫ୍ ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ ହେବ। ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ଅନେକ ଦେଶର ନିଦ ହଜାଇ ଦେଇଛି।
ଟ୍ରମ୍ପ ସିରିଆ ଉପରେ ସର୍ବାଧିକ ୪୧ ପ୍ରତିଶତ ଟାରିଫ୍ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଲାଓସ ଓ ମିଆଁମାର ଉପରେ ୪୦ ପ୍ରତିଶତ, ସ୍ୱିଜରଲ୍ୟାଣ୍ଡ ଉପରେ ୩୯ ପ୍ରତିଶତ, ସର୍ବିଆ ଏବଂ ଇରାକ ଉପରେ ୩୫ ପ୍ରତିଶତ, ଦକ୍ଷିଣ ଆଫ୍ରିକା, ଆଲଜେରିଆ ଏବଂ ଲିବିଆ ଉପରେ ୩୦ ପ୍ରତିଶତ ଟାରିଫ୍ ଲଗାଯାଇଛି। ଟ୍ରମ୍ପ ପ୍ରଶାସନ ଦ୍ୱାରା ଏହି ଦେଶଗୁଡ଼ିକ ଉପରେ ସର୍ବାଧିକ ଟାରିଫ୍ ଲଗାଯାଇଛି। ଏହା ବ୍ୟତୀତ କାନାଡା ଉପରେ ପୂର୍ବରୁ ୨୫ ପ୍ରତିଶତ ଟାରିଫ୍ ଲଗାଯାଉଥିବା ଟାରିଫ୍ କୁ ମଧ୍ୟ ୩୫ ପ୍ରତିଶତକୁ ବୃଦ୍ଧି କରାଯାଇଛି।
୬୮ଦେଶ ଓ ୨୭ ସଦସ୍ୟ ବିଶିଷ୍ଟ ୟୁରୋପୀୟ ସଂଘ ପାଇଁ ଏକ ଟାରିଫ୍ ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଯେଉଁ ଦେଶମାନଙ୍କର ନାମ ଅନ୍ତର୍ଭୁକ୍ତ ନୁହେଁ ସେମାନଙ୍କ ଉପରେ ୧୦ ପ୍ରତିଶତ ଟାରିଫ୍ ଲାଗୁ କରାଯିବ। ତଥାପି, ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ନିର୍ଦ୍ଦେଶ ପ୍ରକାଶ ପରେ, ଆମେରିକା ସହିତ ବ୍ୟବସାୟ କରୁଥିବା ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ଲାଓସ୍, ମିଆଁମାର, ସିରିଆ ଭଳି ଦେଶଗୁଡ଼ିକ ଉପରେ ସର୍ବାଧିକ ୪୦% କିମ୍ବା ତା’ଠାରୁ ଅଧିକ ଟାରିଫ୍ ଲାଗୁ କରାଯାଇଛି।
ଆରମ୍ଭରୁ କାନାଡା ପ୍ରତି ଟ୍ରମ୍ପଙ୍କ ମନୋଭାବ ବହୁତ ଭଲ ରହିନାହିଁ। ଏହି କାରଣରୁ ତାଙ୍କୁ ଅନେକ ଥର କାନାଡାକୁ ଆମେରିକା ସହିତ ମିଶ୍ରଣ କରିବା ବିଷୟରେ କଥା ହେଉଥିବାର ଦେଖାଯାଇଛି। ଏସବୁ ମଧ୍ୟରେ, କାନାଡା ଏବଂ ଆମେରିକା ମଧ୍ୟରେ ଫେଣ୍ଟାନିଲକୁ ନେଇ ବିବାଦର ସମାଧାନ ହୋଇପାରିନାହିଁ। ଏହି କାରଣରୁ ଟ୍ରମ୍ପ କାନାଡା ଉପରେ ଆମଦାନୀ ଶୁଳ୍କକୁ ୨୫% ରୁ ୩୫% ବୃଦ୍ଧି କରିଛନ୍ତି। ଏଥିରେ, ଫେଣ୍ଟାନିଲ ସହ ଜଡିତ ଜିନିଷଗୁଡ଼ିକୁ ବିଶେଷ ଭାବରେ ଟାର୍ଗେଟ କରାଯାଇଛି।
ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଆଜିଠୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବେ ଛାତ୍ରଛାତ୍ରୀ
ଭୁବନେଶ୍ବର : ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଛାତ୍ରୀ ଓ ନାରୀ ଅସୁରକ୍ଷିତ। ପ୍ରତିବାଦରେ ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ କରିବେ ଛାତ୍ରଛାତ୍ରୀ। ଏଥିରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଅଞ୍ଚଳର ଥାନା ଓ ଏସପିଙ୍କୁ ଭେଟି ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରଦାନ ସମ୍ବନ୍ଧରେ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବେ। ସେହିପରି ଅଗଷ୍ଟ ୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟକୁ ଖୋଲା ଚିଠି ପଠାଇବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲକ୍ଷାଧିକ ଚିଠି ପଠାଯିବ। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବିଶେଷକରି ଛାତ୍ରୀ ଓ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ବୋଲି ଅଭିଯୋଗ କରି ବିଜେଡି ଆନ୍ଦୋଳନ କରି ଆସୁଥିବା ବେଳେ, ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ଦ୍ଵିତୀୟ ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ ହେବ। ବିଭିନ୍ନ ଛାତ୍ରୀ ନିବାସରେ ନାବାଳିକା ମାନେ ଗର୍ଭବତୀ ହେଉଛନ୍ତି। ଛାତ୍ରୀ ଓ ନାରୀ ମାନେ ଅସୁରକ୍ଷିତ ହୋଇ ପଡିଥିଲା ବେଳେ, ରାଜ୍ୟ ସରକାର ନିଘୋଡ଼ ନିଦରେ ଶୋଇଛନ୍ତି। ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣା ଓ ବଳଙ୍ଗା ନାବାଳିକା ପୋଡି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ କ୍ୟାମ୍ପସ ଆନ୍ଦୋଳନ କରିଥିଲା। ବିଜୁ ଜନତା ଦଳ ତରଫରୁ ବାଲେଶ୍ୱର ବନ୍ଦ, ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମ ସହିତ ୩ ଆରଡିସି ଅଫିସ ଘେରାଉ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଆଜିଠୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
ରାଜନଗର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତ ରହିଛି। କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସଧରି ବନ୍ଦ ରହିଥିଲା ଭିତରକନିକା । ଭିତରକନିକାରେ ପର୍ଯ୍ୟଟକମାନେ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବା ସହିତ ନୈାବିହାର ଓ ସ୍କାଏ ଓ୍ଵାକରେ ଜଙ୍ଗଲ ଉପରେ ଚାଲିଚାଲି ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ଭିତରକନିକା ଖୋଲିଥିବାରୁ ପର୍ଯ୍ୟଟକଙ୍କ ସହ ଭିତରକନିକା ଉପରେ ନିର୍ଭର କରୁଥିବା ବୋଟ , ହୋଟେଲ , ଟ୍ରାଭେଲ୍ ଏଜେନ୍ସି, ଛୋଟ ବ୍ୟବସାୟ , ଟୁରିଷ୍ଟି ଗାଇଡ଼ ମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି ।
ଆଜିଠୁ ୟୁପିଆଇରେ ବଡ଼ ପରିବର୍ତ୍ତନ : ବାଲାନ୍ସ ଚେକଠାରୁ ଟାଞ୍ଜାକସନ ଷ୍ଟାଟସ ଯାଏଁ ପରିବର୍ତ୍ତନ
ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା ୟୁପିଆଇରେ ହେବ ବ୍ୟାପକ ପରିବର୍ତ୍ତନ। ଏନେଇ ନିଷ୍ପତ୍ତି ନେଇଛି ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ ଇଣ୍ଡିଆ ବା ଏନପିସିଆଇ। ନୂଆ ନିୟମ ମଧ୍ୟରେ ରହିଛି ବାଲାନ୍ସ ଚେକଠାରୁ ଆରମ୍ଭ କରି ଟାଞ୍ଜାକସନ ଷ୍ଟାଟସ ଯାଏଁ । ପରଫର୍ମାନ୍ସ ବୃଦ୍ଧି ଲାଗି ଏହି ବ୍ୟବସ୍ଥା କାର୍ଯ୍ଯକାରୀ କରାଯାଉଥିବା ଗତ ଏପ୍ରିଲ ୨୬ରେ ସୂଚନା ଦେଇଥିଲା ଏନପିସିଆଇ। ଏହି ପଦକ୍ଷେପ ଯୋଗୁ ବ୍ୟାଙ୍କ, ପେମେଣ୍ଟ ସର୍ଭିସ ପ୍ରୋଭାଇଡର ବା ପିଏସପି ଯଥା ଫୋନ ପେ, ଗୁଗଲ ପେ, ପେଟିଏମ ଆଦି ଉପକୃତ ହେବେ। ନୂଆ ନିୟମ ଯୋଗୁ ଜଣେ ୟୁଜର ୟୁପିଆଇ ଆପରେ ଦୈନିକ ୫୦ ଥର ବାଲାନ୍ସ ଚେକ୍ କରିପାରିବେ। ଅନ୍ୟ ଆପ୍ ବ୍ୟବହାର କରୁଥିଲେ ସେ ଅଧିକ ଥର ଚେକ କରିପାରିବେ। ଏକ ପେଣ୍ଡିଂ ଟ୍ରାଞ୍ଜାକସନ କ୍ଷେତ୍ରରେ ତିନିଥର ଷ୍ଟାଟସ ଚେକ୍ କରାଯାଇପାରିବ। ପ୍ରତି ଚେକର ୯୦ ସେକଣ୍ଡ ପରେ ହିଁ ଚେକ କରାଯାଇପାରିବ। ସକାଳ ୧୦ଟାରୁ ଅପରାହ୍ଣ ଗୋଟାଏ ଏବଂ ସନ୍ଧ୍ୟା ୫ଟାରୁ ରାତି ସାଢେ ୯ଟା ଯାଏ ଅଟୋ ପେ ଟ୍ରାଞ୍ଜାକସନ ହୋଇପାରିବ। ଜଣେ ୟୁଜର ଦୈନିକ ୨୫ଥର ସେମାନଙ୍କର ଲିଙ୍କଡ୍ ବ୍ୟାଙ୍କ ଆକାଉଣ୍ଟ ଦେଖିପାରିବେ। ୩୦ ଦିନରେ ଜଣେ ୟୁଜର ସର୍ବାଧିକ ୧୦ଟି ପେମେଣ୍ଟ ରିଭର୍ସାଲ ରିକୁଏଷ୍ଟ କରିପାରିବେ। ପେମେଣ୍ଟ ହେବା ପୂର୍ବରୁ ପ୍ରାପକଙ୍କ ପଞ୍ଜିକୃତ ବ୍ୟାଙ୍କ ନାମ ପ୍ରଦର୍ଶିତ ହେବ।

