spot_img
Home Blog Page 6214

କରୋନା ଟିକା ନେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଇସ୍ରାଏଲ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଲାଇଭ୍ ସୋରେ କରୋନା ଟିକା ନେଇଛନ୍ତି । ଇସ୍ରାଏଲର ପ୍ରଥମ ନାଗରିକ ଭାବେ ସେ ଏହି ଟିକା ନେଇଛନ୍ତି ।

ଦେଶବାସୀଙ୍କୁ ମନରେ ଜାଗ୍ରତ ଓ ସାହସିକତା ପାଇଁ ସିଧାପ୍ରସାରଣ କାର୍ଯ୍ୟକ୍ରମରେ ସେ ଟିକା ନେଇଛନ୍ତି । ଏଥି ସହ ସାରା ବିଶ୍ୱରେ ଯେଉଁ ବଡବଡ ନେତାମାନେ ଟିକା ନେବାକୁ ଯାଉଛନ୍ତି ସେମାନଙ୍କ ତାଲିକାରେ ସାମିଲ ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ।

ଫାଇଜର୍ ଓ ବାୟୋଏନଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକା ନେବାପରେ ସୁସ୍ଥ ଅଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍। ଟିକା ନେବାପରେ ନେତନ୍ୟାହୁ କହିଛନ୍ତି, ଆଜି ଇସ୍ରାଏଲ ପାଇଁ ଏକ ବଡ ଦିନ । ସାରା ଦେଶବାସୀ ଦୀର୍ଘ ଏକ ବର୍ଷ ଧରି କରୋନା ବିରୋଧରେ ଲଢେଇ ଜାରି ରଖିଥିଲେ । ଏବେ ଟିକା ନେବା ପରେ ଭୂତାଣୁର ଭୟ ଦୂର ହେବାରେ ଲାଗିଛି ।

ତେବେ ରବିବାର ଇସ୍ରାଏଲ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର ଲୋକଙ୍କୁ କରୋନା ଟିକା ମିଳିବ । ଇସ୍ରାଏଲ ସରକାର କରୋନାକୁ ମାତ ଦେବା ପାଇଁ ଲକ୍ଷ ଲକ୍ଷ ଡୋଜ୍ ମହଜୁଦ ରଖିଛନ୍ତି ।

ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ୧୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଅମଳ ନଷ୍ଟ

ନବରଙ୍ଗପୁର: ନିମିଷକେ ଧୂଳିସାତ୍ ହୋଇଗଲା ସ୍ୱପ୍ନ । ପାଉଁଶ ହୋଇଗଲା ବର୍ଷ ଯାକର ପରିଶ୍ରମ । ନିଆଁ ଆଁରେ ଜଳି ଯାଇଛି ଧାନ ଖଳାରେ ଥିବା ଏକର ଏକର ଫସଲ । ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଧାନ ଖଳାରେ ଲାଗିଥିବା ନିଆଁ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ରାବଣାଗୁଡ଼ା ଗାଁରେ ଘଟିଛି ନିଆଁ ଲାଗି ଜଳି ଯାଇଛି ଧାନ ଖଳା । ୧୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଧାନ ଗଦାରେ ନିଆଁ ଲାଗି ୮୦ ଏକରରୁ ଅଧିକ ଧାନ ଫସଲ ପୋଡ଼ି ଯାଇଛି ।

Massive Fire In Paddy Field Of Nabarangpur

ରାବଣାଗୁଡ଼ା ଗାଁର ଧାନ ଖଳାରେ ୧୦ରୁ ଅଧିକ ଚାଷୀଙ୍କ ପ୍ରାୟ ୮୦ ଏକରର ଧାନ ଗଦା ଏକାଠି ଥିଲା । ତେବେ କୌଣସି କାରଣରୁ ଅଚାନକ ଗୋଟିଏ ଧାନ ଗଦାରେ ନିଆଁ ଲାଗି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ହଠାତ୍ ନିଆଁ କରାଳ ରୂପ ଧାରଣ କରି ଗୋଟିଏ ପରେ ଗୋଟିଏ ଏଭଳି ପାଖାପାଖି ଥିବା ଧାନ ଗଦାକୁ କବଳିତ କରି ନେଇଥିଲା । ଗ୍ରାମବାସୀ ନିଜେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

Massive Fire In Paddy Field Of Nabarangpur

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଧାନ ସବୁ ପୋଡ଼ି ଯାଇଛି । ଗୁରୁବନ୍ଧୁ ଭତ୍ରା, ମାଧବ ଭତ୍ରା, ଚୈତନ୍ୟ ଭତ୍ରା, ଗଙ୍ଗାଧର ଭତ୍ରା, କୁମ ଭତ୍ରା, ମାନସିଂ ଭତ୍ରା, ବଂଶୀ ଭତ୍ରା , ବନସିଂ ଭତ୍ରା, ଉର୍ଭବ ଭତ୍ରା, ଖଗ ଗୌଡ଼, ସୁରେନ୍ଦ୍ରଭତ୍ରା, ମାଧବ ଗୌଡ଼, ମକରନ୍ଦ ଭତ୍ରା, ଭଗନୁ ଭତ୍ରା, ଘାସିରାମ ପୂଜାରୀ, ଚାଷୀଙ୍କ ଧାନ ଫସଲ ପୋଡି ଯାଇଥିବା ସୂଚନା ମିଳିଛି । ୧୪ ଚାଷୀ ଙ୍କ ପ୍ରାୟ ୧ ହଜାର କ୍ୱିଣ୍ଟାଲ ଧାନ ନଷ୍ଟ ହୋଇଥିବା ସୂଚନା ମିଳିଛି । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାରେ ସହଯୋଗ କରିଥିଲେ ।

ଆଉ ଏକ ଖୁଲାସା କଲେ ଓ୍ୱାଜିଦଙ୍କ ପତ୍ନୀ, ଧର୍ମ ପରିବର୍ତ୍ତନ କରିବା ଲାଗି ମିଳିଥିଲା ତଲାକ ଧମକ

ମୁମ୍ବାଇ: ବଲିଉଡର ଜଣାଶୁଣା କମ୍ପୋଜର ଓ୍ୱାଜିଦ୍ ଖାନଙ୍କ ନିଧନକୁ ୫ ମାସ ବିତିଗଲାଣି । ଏଭଳି ସମୟରେ ପତ୍ନୀ କମଲରୁଖ ଖାନ ସ୍ୱାମୀଙ୍କୁ ନେଇ ଆଉ ଏକ ଖୁଲାସା କରିଛନ୍ତି । ଏକଦା ଧର୍ମ ପରିବର୍ତ୍ତନ ନକଲେ ଓ୍ୱାଜିଦ ତାଙ୍କୁ ତଲାକ ଦେବେ ବୋଲି କହିଥିଲେ ।

ଏକ ସାକ୍ଷାତକାରରେ କମଲରୁଖ ପ୍ରକାଶ କରିଛନ୍ତି, ୱାଜିଦ୍ ଖାନ ତାଙ୍କ ଉପରେ ଧର୍ମ ପରିବର୍ତ୍ତନ ପାଇଁ  ଚାପ ପକାଉଥିଲେ।କେବଳ ଏତିକି ନୁହେଁ, ୱାଜିଦ୍ ଖାନ୍ ମଧ୍ୟ ଧର୍ମ ପରିବର୍ତ୍ତନ ନକଲେ ଛାଡପତ୍ର ହେବାର ଧମକ ଦେଇଥିଲେ। ଯେଉଁଥିପାଇଁ ସେ ପ୍ରାୟ ୬ ବର୍ଷ ଧରି ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ମଧ୍ୟ ରହିଥିଲେ।

ୱାଜିଦ୍ ୨୦୧୪ରେ କମଲରୁଖଙ୍କୁ ଛାଡପତ୍ର ଦେବା ପାଇଁ ଏକ ମାମଲା ମଧ୍ୟ ଦାଏର କରିଥିଲେ । ହେଲେ ତଲାକ ହୋଇପାରିନଥିଲା । କିନ୍ତୁ ପରେ ୱାଜିଦ୍ ତାଙ୍କର ଭୁଲ ବୁଝିପାରି କମଲରୁଖଙ୍କୁ କ୍ଷମା ମାଗିଥିଲେ ବୋଲି ସେ କହିଛନ୍ତି ।

ଗାଧୋଇବା ବେଳେ କୋଏଲ ନଦୀରେ ବୁଡ଼ିଗଲେ ୪ ଛାତ୍ର

ରାଉରକେଲା: ରାଉରକେଲା ସହର ନିକଟସ୍ଥ ଝିରପାଣୀ ଜମସେରା ଘାଟରେ ଅଘଟଣ । ଜାମସେରା ଘାଟରେ ଗାଧୋଇବା ସମୟରେ କୋଏଲ ନଦୀରେ ୪ ଜଣ ଛାତ୍ର ବୁଡ଼ି ଯାଇଥିଲେ । ସ୍ଥାନୀୟ ବାସିନ୍ଦା ଜଣେ ଛାତ୍ରଙ୍କୁ ତୁରନ୍ତ ଉଦ୍ଧାର କରିଥିବା ବେଳେ ଅନ୍ୟ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଚି ଅଗ୍ନିଶମ ବାହିନୀ । ତେବେ ଅନ୍ୟଜଣେ ନିଖୋଜ ଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

4 Students Drowned In Koel River Rourkela

ରାଉରକେଲା ସହରର ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୯ ଜଣ ଛାତ୍ର ବଣଭୋଜି କରିବା ପାଇଁ ଆସିଥିଲେ । କୋଏଲ ନଦୀ କୂଳରେ ବଲ୍ ଖେଳିବା ପରେ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରୁ ୪ ଜଣ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିଲେ ।

4 Students Drowned In Koel River Rourkela

ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ବିଶ୍ରା ଓ ନୂଆଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଅନ୍ଧାର ହୋଇଯାଇଥିବାରୁ ଆସନ୍ତାକାଲି ପୁଣି ଉଦ୍ଧାର କାର୍ଯ୍ୟ କରାଯିବ ।

ଛୁରୀ ଦେଖାଇ ଡରାଉଥିଲେ, ଗିରଫ ହେଲେ ୨ ’ଲେଡି ଡନ୍’

ଭୋପାଳ: ମଧ୍ୟପ୍ରଦେଶ ସ୍ଥିତ ଇନ୍ଦୋରର ମୁଖ୍ୟ ରାସ୍ତାରେ ପଥଚାରୀଙ୍କୁ ଛୁରୀ ଦେଖାଇ ଡରାଉଥିବା ଦୁଇ ଲେଡି ଡନଙ୍କୁ ଗିରଫ କରିଛି ପୋଲିସ । ନିକଟରେ ଏହି ଦୁଇ ଯୁବତୀ ତୁକୋଗଞ୍ଜ ଥାନା ଅନ୍ତର୍ଗତ ଏକ ଦୋକାନରେ ଅନ୍ୟ ଜଣେ ଯୁବତୀଙ୍କୁ ମାଡ ମାରିଥିଲେ ବୋଲି ସନ୍ଦେହ କରାଯାଉଛି ।

ରବିବାର ଦିନ ଏହି ଦୁଇ ଲେଡି ଡନ୍ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କୁ ଧକ୍କା ଦେବା ସହ ଛୁରୀ ଦେଖାଇ ଧମକାଇ ଥିଲେ । ଯାହା ପରେ ଘଟଣାସ୍ଥଳରେ ଭିଡ ଜମିଥିଲା । ହେଲେ ସେହି ଦୁଇ ଜଣ ଉପସ୍ଥିତ ଅନ୍ୟ ଲୋକମାନଙ୍କୁ ମଧ୍ୟ ଛୁରୀ ଦେଖାଇବାକୁ ପଛାଇନଥିଲେ ।

ପରେ ଖବର ପାଇ ସରାଫା ବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଦୁଇ ଜଣଙ୍କୁ ଧରି ଥାନା ନେଇଯାଇଥିଲା । ଏନେଇ ଏଏସପି ରାଜେଶ ବ୍ୟାସ୍ କହିଛନ୍ତି, ଯୁବତୀଙ୍କ ସମ୍ପର୍କରେ ଅଧିକ ଜାଣିବା ଲାଗି ଖୋଳତାଡ ଜାରି ରହିଛି । ଏଥିସହିତ ସେମାନେ ପୂର୍ବରୁ ଆଉ କେଉଁ ଅପରାଧିକ ମାମଲାରେ ଜଡିତ ସେନେଇ ମଧ୍ୟ ଯାଞ୍ଚ ଜାରି ରହିଛି ।

ପେଶାରେ ଇଞ୍ଜିନିୟର ନିଶାରେ ଡ୍ୟାନସର୍: ଚର୍ଚ୍ଚାରେ ଯୁବ ଇଞ୍ଜିନିୟର ଦେବାଶିଷ

ଭୁବନେଶ୍ୱର: ପେଶାରେ ଇଞ୍ଜିନିୟର ନିଶାରେ କଳାକାର। ଭୁବନେଶ୍ୱରର ଯୁବ ଇଞ୍ଜିନିୟର ଦେବାଶିଷ ସାହୁ ଡିଜିଟାଲ୍ ଦୁନିଆରେ ସେ ଓଡ଼ିଆ ସଂସ୍କୃତି ଓ ଐତିହକୁ ସରକ୍ଷଣ କରୁଛନ୍ତି।  ଆଜି ଯେଉଁଠି ଯୁବପିଢ଼ି IIM କିମ୍ବା IITରେ ପଢ଼ିବା ପାଇଁ ଦିନରାତି ଚେଷ୍ଟା କରୁଛନ୍ତି ଏବଂ ନିଜର ପ୍ରିତିଭା ଓ ନିଶାକୁ ଏଡ଼ାଇଦେଇ କେବଳ ଚାକିରୀ ପଛରେ ଧାଉଁଛନ୍ତି ସେଇଠି ଦେବାଶିଷ କିନ୍ତୁ ବାଛିଛନ୍ତି ଏକ ଭିନ୍ନ ବାଟ। ୟୁଟ୍ୟୁବ ଚ୍ୟାନେଲ କରି ଏକ ଭିନ୍ନ ଡ୍ୟାନ୍ସ ଶୈଳୀ ପ୍ରଦର୍ଶନ କରି ଲୋକଙ୍କ ମନ ଜିଣୁଛନ୍ତି।

ଦେବାଶିଷ ନିଜେ ଜଣେ ଡ୍ୟାନସର୍। କାମର ବ୍ୟସ୍ତତା ଭିତରେ ବି ସେ ନିଜ ପ୍ୟାଶନକୁ ଛାଡ଼ି ନାହାଁନ୍ତି। ଦେବାଶିଷଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଅଛି। ଏହି ଚ୍ୟାନେଲରେ ସେ ନିଜର ବିଭିନ୍ନ ପ୍ରକାରର ଡ୍ୟାନ୍ସ ଭିଡିଓ ସବୁ ଅପଲୋଡ କରୁଛନ୍ତି। ସବୁଠୁ ଭଲ କଥା ହେଉଛି, ଓଡ଼ିଆ ସଂସ୍କୃତି ଧୀରେ ଧୀରେ ଲୋପ ପାଉଥିବା ବେଳେ ସେ ଓଡ଼ିଆର ବିଭିନ୍ନ ଗୀତ ପୂରୁଣା ଗୀତ ଓ ଭଜନରେ ଡ୍ୟାନ୍ସ କରି ଭିଡିଓ ଅପଲୋଡ କରୁଛନ୍ତି।

ଏସବୁ ବ୍ୟତୀତ ସେ ନିଜ ଚ୍ୟାନେଲରେ ଏକ ନିଆରା ଡ୍ୟାନ୍ସ ଶୈଳୀ ‘ଷ୍ଟପ ମୋଶନ କ୍ରିଏଟିଭ ଡ୍ୟାନ୍ସ’ ଭିଡିଓ କରିବା ମଧ୍ୟ ଆରମ୍ଭ କରିଛନ୍ତି। ଏହି ଶୈଳୀରେ ତାଙ୍କର ପ୍ରଥମ ଭିଡିଓକୁ ପାଖାପାଖି ୫ ଲକ୍ଷରୁ ଅଧିକ ଲୋକ ଦେଖିଥିଲେ ଏହା ବେଶ୍ ଭାଇରାଲ ହୋଇଥିଲା। ଦେବାଷିଶଙ୍କ ଏହି ଭିଡିଓ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ଏହା ଏକ ଏପରି ଡ୍ୟାନ୍ସ ଶୈଳୀ ଯେଉଁଥିରେ ବିଭିନ୍ନ ଫଟୋକୁ ସଂଗ୍ରହ କରି ଆନିମେଶନ ମାଧ୍ୟମରେ ପ୍ରସ୍ତୁତ କରାଯାଏ। ଆଜି ଯାଏ ଓଡ଼ିଆ ଗୀତରେ ଏପରି ଭିଡିଓ ତିଆରି ହୋଇନି। ଦେବାଶିଷ କିନ୍ତୁ ଆଗକୁ ଏହା କରିବାକୁ ଲକ୍ଷ ରଖିଛନ୍ତି।

ଏସବୁ କରିବା ପାଇଁ ଦେବାଶିଷଙ୍କୁ କିନ୍ତୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ୁଛି। ସେ ୱାନମ୍ୟାନ୍ ଆର୍ମି ଭଳି କାମ କରୁଛନ୍ତି। ଅର୍ଥାତ ନିଜେ ଡ୍ୟାନସ କରୁଛନ୍ତି ନିଜେ ଶୁଟିଂ କରୁଛନ୍ତି ପୁଣି ନି ଏଡିଟିଂ ମଧ୍ୟ କରୁଛନ୍ତି। ସେ ପ୍ରତିଦିନ ଭୋର୍ ୪ରୁ ଉଠି ନାଚ ଅଭ୍ୟାସ କରନ୍ତି ଓ ପରେ ଶୁଟିଂ କରନ୍ତି। ଏହାପରେ ସକାଳ ୯ଟାରୁ ସେ ଅଫିସ୍ ପାଇଁ ବାହାରିଯାଆନ୍ତି। ପୁଣି ରାତି ୯ଟା ପରେ ଅଫିସରୁ ଫେରି ସକାଳେ ଶୁଟିଂ କରିଥିବା ଭିଡିଓକୁ ଏଡିଟିଂ କରି ଅପଲୋଡ କରିଥାନ୍ତି। ତେବେ ଏହି ପରିଶ୍ରମର ଫଳ ସେ ନିଶ୍ଚିତ ପାଇବେ ବୋଲି ଆଶା କରାଯାଉଛି।

 

ଏସଆଇଟି କବଜାରେ ପରୀ ହତ୍ୟା ଅଭିଯୁକ୍ତ

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଜଣେ ଗିରଫ । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ (ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ) ଏସଆଇଟି ସ୍ପଷ୍ଟ କରିଛି । ତେବେ ଏସଆଇଟି ଅଭିଯୁକ୍ତର ନାଁ ପ୍ରକାଶ କରିନାହିଁ । ଆସନ୍ତାକାଲି ପକସୋ କୋର୍ଟରେ ଅଭିଯୁକ୍ତକୁ ହାଜର କରାଯିବ । ଅଭିଯୁକ୍ତ ନାଁରେ ସଙ୍ଗୀନ ଦଫା ଲାଗିଛି । IPCର ଧାରା ୩୭୬-ଏ/୩୭୬-ଏବି/୩୬୪/୩୦୨/୨୦୧ ଦଫା ଲାଗିଛି ଅଭିଯୁକ୍ତ ବିରୋଧରେ ।

SIT Arrested One Accused  In Pari Murder Case

ଗତକାଲି ଏସଆଇଟି ଯଦୁପୁର ଗାଁର ସରୋଜ ସେଠୀଙ୍କୁ ଉଠାଇ ଆଣି ଜେରା କରିଥିଲା । ପଲିଗ୍ରାଫ ଟେଷ୍ଟ ପରେ ସରୋଜଙ୍କୁ ଅଟକ ରଖାଯାଇଥିଲା । ପୂର୍ବରୁ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କହିଥିଲା ଏସଆଇଟି । ଏନେଇ ଏସଆଇଟି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ।

SIT Arrested One Accused  In Pari Murder Case

ପରୀ ହତ୍ୟା ମାମଲାର ତଦନ୍ତ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ଜଣିଆ ଏସଆଇଟି ଟିମ୍‌ କରୁଛନ୍ତି । ଗତ ଜୁଲାଇ ୨୩ରେ ନୟାଗଡ଼ ଜିଲ୍ଲା ଯଦୁପୁରର ପରୀକୁ ରହସ୍ୟଜନକ ଭାବେ ହତ୍ୟା କରାଯାଇଥିଲା । ପରୀକୁ ପରେ ଘର ବାରିପଟେ ଅସ୍ତି କଙ୍କାଳକୁ ଫିଙ୍ଗି ଦିଆଯାଇଥିଲା । ରାଜ୍ୟ ସରକାର ପରୀ ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଡିସେମ୍ବର ପହିଲାରୁ ଏସଆଇଟି ଆରମ୍ଭ କରିଥିଲା ତଦନ୍ତ ।

ଭାଙ୍ଗିଲା ନେପାଳ ସଂସଦ, ଆସନ୍ତା ବର୍ଷ ଏପ୍ରିଲ୍-ମେ’ରେ ନିର୍ବାଚନ

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ  ସଂସଦ ଭଙ୍ଗ ସୁପାରିଶକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ । ଯାହାଫଳରେ ଭାଙ୍ଗିଯାଇଛି ନେପାଳ ପାର୍ଲିଆମେଣ୍ଟ ।

ସଂସଦ ଭଙ୍ଗ କରିବା ପରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ରାଷ୍ଟ୍ରପତି। ନେପାଳରେ ଆସନ୍ତାବର୍ଷ ତଥା ୨୦୨୧ ମସିହା ଏପ୍ରିଲ-ମେ ରେ ନିର୍ବାଚନ ଅନୁଷ୍ଠିତ ହେବ ।

ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୦୨୧ ମସିହା ଏପ୍ରିଲ୍ ୩୦ ରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୧୦ରେ ଅନୁଷ୍ଠିତ ହେବ । ଯାହା  ପରେ ସେଠାରେ ଏକ ନୂତନ ସରକାର ଗଠନ ହେବ।

ରବିବାର ସକାଳେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ସଂସଦ ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସବୁଠାରୁ ବଡ଼ କଥା ହେଉଛି ନେପାଳର ସମ୍ବିଧାନରେ ସଂସଦ ଭଙ୍ଗ କରିବାକୁ କୌଣସି ପ୍ରାବଧାନ ନାହିଁ। ଏହାସତ୍ତ୍ୱେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସୁପାରିଶ ଦେବା ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

ସାମ୍ବିଧାନିକ ପରିଷଦ ଅଧିନିୟମ ପରିବର୍ତ୍ତନକୁ ନେଇ ଏକ ଅଧ୍ୟାଦେଶକୁ ପ୍ରତ୍ୟାହାର କରିବାକୁ ସରକାରଙ୍କ ଉପରେ ପ୍ରବଳ ଚାପ ରହିଥିଲା। ଏଥିରୁ ବର୍ତ୍ତିବାକୁ ଚଳିତ ଅଧିବେଶନକୁ ଭାଙ୍ଗିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଆଜି ସକାଳ ୧୦ଟା ବେଳେ ଆପାତକାଳୀନ ସ୍ଥିତିରେ କ୍ୟାବିନେଟ ବୈଠକ ଡକାଯାଇଥିଲା। ଏଥିରେ ସଂସଦର ଚଳିତ ଅଧିବେଶନ ଭାଙ୍ଗିବା ପାଇଁ ସୁପାରିଶ କରିବା ନେଇ ଆଲୋଚନା ହୋଇଥିଲା। ତେବେ ଏଭଳି ଅସାମ୍ବିଧାନିକ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିଜ ଦଳ ଭିତରୁ ହିଁ ବିରୋଧର ସାମ୍ନା କରିବାକୁ ପଡ଼ିଛି।

ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଲା, ୫ ଗିରଫ

ରାଉରକେଲା: ରାସ୍ତାକୁ ଗାଡ଼ି ଧରି ଓହ୍ଲାଉଥିଲେ ସାବଧାନ ! ଛକ ଛକରେ ଛକିଛନ୍ତି ଆରଟିଓ କର୍ମଚାରୀ । ଟ୍ରାଫିକ ନିୟମର ଅବମାନନା କଲେ ଗିରଫ ହେବେ ଜେଲ୍ ଯିବେ । ତା ସହିତ ରଦ୍ଦ ହୋଇଯିବ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ । ପରିବହନ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଚାଲିଛି ଚେକିଂ । ରାସ୍ତାରେ ମଦ ପିଇ ଗାଡ଼ି ଚାଳନା କରୁଥିବା ଏକାଧିକ ଚାଳକଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ତିନିମାସ ଲାଗି ରଦ୍ଦ କରାଯାଇଛି ।

 RTO Rourkela and Police arrest five drunken drivers DL

ରାଉରକେଲା ସହରରେ ଚେକିଂ କଡ଼ାକଡ଼ି କରାଯାଇଛି । ଆରଟିଓ ରାଉରକେଲା ଓ ପୋଲିସର ମିଳିତ ଉଦ୍ୟମରେ ଯାଞ୍ଚ ବେଳେ ଧରାପଡ଼ିଛନ୍ତି ୫ ଜଣ ମଦ୍ୟପ ଟ୍ରକ୍ ଡ୍ରାଇଭର । ପରିବହନ ବିଭାଗ ସମସ୍ତ ନିଶାସକ୍ତ ଟ୍ରକ୍ ଡ୍ରାଇଭରଙ୍କ ଗାଡ଼ି ଜବତ କରିବା ସହ ଡ୍ରାଇଭିଂ ଲାଇସେନ୍ସକୁ ୩ ମାସ ପାଇଁ ରଦ୍ଦ କରି ଦେଇଛି । ଏଥିସହ ରାଉରକେଲା ଲାଠିକଠା ପୋଲିସ ମଦ ପିଇ ଗାଡ଼ି ଚଳାଉଥିବା ୫ ଜଣଙ୍କୁ ଗିରଫ କରିଛି ।

 RTO Rourkela and Police arrest five drunken drivers DL

ସେହିଭଳି ଗତକାଲି ଧରପଗଡ଼ ବେଳେ ମୟୂରଭଞ୍ଜ ଆରଟିଓ ଓ ପୋଲିସ ୪ ଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରିଥିଲା । ସେମାନଙ୍କ ଗାଡ଼ି ଜବତ କରାଯିବା ସହ ଡିଏଲକୁ ତିନିମାସ ଲାଗି ରଦ୍ଦ କରି ଦିଆଯାଇଛି । ମୟୂରଭଞ୍ଜ ଆରଟିଓ ଓ ପୋଲିସ ପକ୍ଷରୁ ରାଇରଙ୍ଗପୁର ଏବଂ ବାରିପଦା ଟାଉନରେ ଯାଞ୍ଚ ବେଳେ ନିଶାସକ୍ତ ଡ୍ରାଇଭର ଧରାପଡ଼ିଥିଲେ ।

କେଉଁ କ୍ଷେତ୍ରରେ ରଦ୍ଦ ହୋଇପାରେ ଡିଏଲ୍ ?

୧) ଧାର୍ଯ୍ୟ ଗତିଠାରୁ ଅଧିକ ସ୍ପିଡରେ ଗାଡ଼ି ଚଳାଇବା, ଟ୍ରାଫିକରେ ନାଲିବତି ଡେଇଁବା

୨) ମାଲ ପରିବହନ ଗାଡ଼ିରେ ଓଭରଲୋଡିଂ ଏବଂ ଲୋକଙ୍କୁ ପରିବହନ

୩) ମଦ କିମ୍ବା ଅନ୍ୟ ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଇବା

୪) ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନର ବ୍ୟବହାର କରିବା

୫) ବିନା ହେଲମେଟରେ ଦୁଇ ଚକିଆ ଯାନ ଚଳାଇବା

ତିନିଦିନ ଥରିବ ଓଡ଼ିଶା, ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଏଭଳି ହାଡ଼ଭଙ୍ଗା ଜାଡ଼ ଆହୁରି ତିନିଦିନ ଜାରି ରହିବ । ୨୩ ତାରିଖ ସକାଳ ଯାଏଁ ରାଜ୍ୟରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମକୁ ଚିଠି ଲେଖି ସତର୍କ କରାଇଛନ୍ତି ।

Severe Cold Wave Conditions Very Likely to Prevail Over The Districts Interior of Odisha

୨୧ ଓ ୨୨ ତାରିଖ ପାଇଁ ଅତ୍ୟଧିକ ଥଣ୍ଡା ନେଇ ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୧ଟି ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ୨୧ରେ ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଲି କୋରାପୁଟ, କନ୍ଧମାଳ, ବାଲେଶ୍ୱର, କେନ୍ଦୁଝର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡ଼ା, ଢେଙ୍କାନାଳ, କଟକ ଓ ଦେବଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

Severe Cold Wave Conditions Very Likely to Prevail Over The Districts Interior of Odisha

ସେହିଭଳି ୨୩ ତାରିଖ ସକାଳ ଯାଏ ଥଣ୍ଡା ନେଇ କୋରାପୁଟ, କନ୍ଧମାଳ, ଢେଙ୍କାନାଳ, ବାଲେଶ୍ୱର, କେନ୍ଦୁଝର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡ଼ା, ଢେଙ୍କାନାଳ ଓ ଦେବଗଡ଼କୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ । ଏହି ସମୟରେ ଅତ୍ୟଧିକ ଥଣ୍ଡା ପ୍ରବାହ ହେବାକୁ ଥିବାରୁ ସମସ୍ତଙ୍କୁ ରାତ୍ରୀ ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଗୃହପାଳିତ ପଶୁମାନଙ୍କୁ ଆବଦ୍ଧ କୋଠରୀରେ ରଖିବା ସହ ଘୋଡ଼ାଇବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

Severe Cold Wave Conditions Very Likely to Prevail Over The Districts Interior of Odisha

ରାତିରେ ଦୁଇ ଚକିଆ ଯାନ କିମ୍ବା ଖୋଲାକାରରେ ନବୁଲିବା ଲାଗି ପରାମର୍ଶ ଦିଆଯାଇଛି । ଏଥିସହ ବୈଦ୍ୟୁତିକ୍ ଉପକରଣ ଓ ତାପମାତ୍ରା ନିୟନ୍ତ୍ରଣ ପାଇଁ ନିଆଁ ବ୍ୟବହାର ବେଳେ ସୁରକ୍ଷା ଉପକରଣ ବ୍ୟବହାର ପାଇଁ କୁହାଯାଇଛି । ପୂର୍ବରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଅସହାୟ ଓ ବାସଗୃହ ନଥିବା ଲୋକଙ୍କ ଲାଗି ବିଦ୍ୟାଳୟ କୋଠା, ଗୋଷ୍ଠୀ କେନ୍ଦ୍ର ଓ ଅନ୍ୟ କୋଠାରେ ଆଶ୍ରୟସ୍ଥଳ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Severe Cold Wave Conditions Very Likely to Prevail Over The Districts Interior of Odisha

ଗତ ୨୪ ଘଣ୍ଟାରେ ୧୧ଡ଼ିଗ୍ରୀ ତଳେ ୧୧ସହରରେ ପାରଦ ରେକର୍ଡ କରାଯାଇଛି । ୫.୫ ଡିଗ୍ରୀ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ହେଉଛି ଫୁଲବାଣୀ । ସେହିଭଳି ଝାରସୁଗୁଡାରେ ପାରଦ ୭.୬ ଡିଗ୍ରୀ, ଅନୁଗୁଳରେ ୮.୬ ଡିଗ୍ରୀ, ଦାରିଙ୍ଗବାଡ଼ି ୯ ଡିଗ୍ରୀ, ବାରିପଦାରେ ୮.୫ ଡିଗ୍ରୀ, କୋରାପୁଟରେ ୮.୬ ଡିଗ୍ରୀ, ଭବାନୀପାଟଣାରେ ୯.୨ ଡିଗ୍ରୀ, ବଲାଙ୍ଗୀରରେ ୯.୪ ଡିଗ୍ରୀ, କେନ୍ଦୁଝରରେ ୯.୫ ଡିଗ୍ରୀ, ବୌଦ୍ଧରେ ୧୦.୫ ଡିଗ୍ରୀ, ତାଳଚେରରେ ୧୦.୬ ଡିଗ୍ରୀ ରେକର୍ଡ ହୋଇଛି । କଟକରେ ତାପମାତ୍ରା ୧୧ ଡିଗ୍ରୀ ଏବଂ ଭୁବନେଶ୍ୱରରେ ପାରଦ ୧୩.୯ ଡିଗ୍ରୀ ରହିଛି ।