spot_img
Home Blog Page 6120

୩ ଭରି ସୁନା ଲୁଟ୍ ପାଇଁ ବୃଦ୍ଧାଙ୍କ ତଣ୍ଟିଚିପି ହତ୍ୟା

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ପାତ୍ରପୁର-ଜରଡ଼ା ଥାନା ଆମ୍ବପୁର ପଞ୍ଚାୟତ ମହାଦେଇପୁରରେ ହତ୍ୟାକାଣ୍ଡ । ଦିନ ଦ୍ୱିପ୍ରହରରେ ବିଧବା ବୃଦ୍ଧାଙ୍କୁ ହତ୍ୟା କରି ସୁନାଗହଣା ଲୁଟ୍ କରାଯାଇଛି । ମୃତକ ୬୫ ବର୍ଷୀୟ ମୁକ୍ତା ପ୍ରଧାନ ବୋଲି ଜଣାପଡ଼ିଛି । ହତ୍ୟାକାଣ୍ଡର କାରଣ ଜଣାପଡ଼ିନଥିଲେ ମଧ୍ୟ ଲୁଟ୍ ଉଦ୍ଦେଶ୍ୟରେ ନିର୍ମମ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।

Miscreants Murder An 65 Old Woman For Loot In Ganjam

ମୃତ ମୁକ୍ତାଙ୍କ ସ୍ୱାମୀ ଦୀର୍ଘ ବର୍ଷ ହେଲା ମୃତ୍ୟୁବରଣ କରିଥିବା ବେଳେ ବଡ଼ପୁଅ ଗାଁର ଅନ୍ୟ ଘରେ ରହୁଛନ୍ତି । ସାନ ପୁଅ ସମ୍ବଲପୁରରେ ରୁହନ୍ତି । ବୋହୂ ଚାରିଦିନ ହେବ ନିଜ ବାପଘର ଯାଇଥିବା ବେଳେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ବୃଦ୍ଧାଙ୍କୁ ହତ୍ୟା କରି ଲୁଟ୍ କରିଛନ୍ତି । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇବା ପରେ ତଦନ୍ତ ଚଳାଇଛି ଜରଡ଼ା ପୋଲିସ ।

ଗିରଫ ଆଇଏଫଏସ୍‌ ଅଭୟକାନ୍ତଙ୍କ ଖୋଲିଲା ଆଉ ଏକ କାରନାମା

ବଲାଙ୍ଗିର: ଗିରଫ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ କଳା କାରନାମାର ଆଉ ଏକ ଫର୍ଦ୍ଦ । ବଲାଙ୍ଗିର କେନ୍ଦୁଲିଫ୍‌ ଡିଭିଜନର ସିସିଏଫ୍‌ ଥିବା ସମୟରେ ବିଡି କମ୍ପାନୀ ସହ ଚାଲିଥିଲା ମଧୁଚନ୍ଦ୍ରିକା । ଅହେତୁକ ଅନୁକମ୍ପା ପରବର୍ତ୍ତୀ ସମୟରେ ଧରା ମଧ୍ୟ ପଡ଼ିଥିଲା । ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତାଙ୍କୁ ରିପୋର୍ଟ ମାଗିଥିଲେ । କିନ୍ତୁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ଚିଠିକୁ ଅତି ଚତୁରତାର ସହ ଅଫିସରୁ ଗାଏବ କରିଦେଇଛନ୍ତି ପାଠକ । ଆରଟିଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୪-୧୫ ଗୋଟିଏ ସିଜିନରେ ୧୦କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି ।

Another Corruption Of Arrested IFS Abhaykant Pathak 

ବଲାଙ୍ଗିର କେନ୍ଦୁପତ୍ର ମଣ୍ଡଳ ଅଧିନରେ ରହିଛି ୮ଟି କେନ୍ଦୁପତ୍ର ଡିଭିଜନ, ୭୦ଟି ରେଞ୍ଜ ଅଫିସ । ନିୟମ କହୁଛି, ଗୋଟିଏ ବଣ୍ଡଲରେ ୫କିଲୋ କେନ୍ଦୁପତ୍ର ରହିଥାଏ । ୧୨ ବଣ୍ଡଲକୁ ନେଇ ଗୋଟିଏ ବସ୍ତା ଅର୍ଥାତ୍ ୬୦ କିଲୋ ହୋଇଥାଏ । ବସ୍ତାର ଓଜନକୁ ମିଶାଇ ଗୋଟିଏ ପ୍ୟାକେଟର ଓଜନ ୬୨ କିଲୋ ହେବା କଥା । କିନ୍ତୁ ୨୦୧୪ ଜୁନ୍ ୨୦ ତାରିଖରେ ୧୪୬୧(୮) ଚିଠିରେ ଡିଏଫ୍ଓ ସମ୍ମିଳନୀରେ ସମସ୍ତ ଡିଏଫଓଙ୍କୁ ଗୋଟିଏ ବସ୍ତାରେ ୬୪ କେଜିରୁ ଅଧିକ ଓଜନ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଅଭୟ ପାଠକ । କେନ୍ଦୁପତ୍ର ବଣ୍ଡଲର ଓଜନ ୫କିଲୋ ୨୦୦ ଗ୍ରାମ୍ ବଦଳରେ ୫କିଲୋ ୪୦୦ ଗ୍ରାମ କରି ଦେଇଥିଲେ । ସେହି ଚିଠି ଅନୁସାରରେ ୮ଟି ଡିଭିଜନର ଡିଏଫଓ ସେମାନଙ୍କ ରେଞ୍ଜର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଡି କମ୍ପାନୀଙ୍କୁ ଅହେତୁକ ଲାଭ ଦେବାକୁ ପ୍ରସ୍ତୁତ ହେଇଥିଲା ପୂରା ପ୍ଲାନ୍ । ଗୋଟିଏ ସିଜନରେ ୧୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

Another Corruption Of Arrested IFS Abhaykant Pathak 

ବଲାଙ୍ଗିର କେନ୍ଦୁପତ୍ର ମଣ୍ଡଳର ମୁଖ୍ୟ ବନ ସଂରକ୍ଷକ ହେବା ପୂର୍ବରୁ ଅଭୟକାନ୍ତ ପାଠକ ଓଏଫଡିସିର ଜେନେରାଲ ମ୍ୟାନେଜର ଥିଲେ । ତେବେ କେନ୍ଦୁପତ୍ର ଡିଭିଜନରୁ କେନ୍ଦୁପତ୍ର ବିକ୍ରି ପାଇଁ ଓଏଫଡିସିକୁ ଯାଇଥାଏ । ତା’ପରେ ଓଏଫଡିସି, ବିଡି କମ୍ପାନୀ ଗୁଡ଼ିକୁ ପଠାଇଥାଏ । ଯେହେତୁ ଅଭୟକାନ୍ତ ପାଠକ ସବୁ ଜାଣିଥିଲେ ଓ ବିଡି କମ୍ପାନୀ ଗୁଡ଼ିକ ସହ ତାଙ୍କର ଭଲ ସମ୍ପର୍କ ଥିଲା । ସେଥିପାଇଁ ବଲାଙ୍ଗିର କେନ୍ଦୁପତ୍ର ମଣ୍ଡଳର ମୁଖ୍ୟ ବନ ସଂରକ୍ଷକ ଦାୟିତ୍ୱ ନେବା ପରେ ଏଭଳି ଚଞ୍ଚକତା କରିବାରେ ସମର୍ଥ ହୋଇଥିଲେ ।

Another Corruption Of Arrested IFS Abhaykant Pathak 

ପ୍ରତିବର୍ଷ ବଲାଙ୍ଗିର କେନ୍ଦୁପତ୍ର ମଣ୍ଡଳରୁ ଓଏଫଡିସି ଜରିଆରେ ବିଡି କମ୍ପାନୀକୁ ଶହ ଶହ ଟନ୍‌ କେନ୍ଦୁପତ୍ର ଚାଲଣ ହୋଇଥାଏ । ଗୋଟିଏ ଲଟ୍‌ରେ ୬୦କିଲୋ ବିଶିଷ୍ଟ ୧୦୦ ବସ୍ତା ଯାଇଥାଏ । ଗୋଟିଏ ଡିଭିଜନରୁ ୩୫ଲଟ୍ ଅର୍ଥାତ୍ ୮ଟନ୍ ଚାଲାଣ କରାଯାଏ । ତେବେ ନିୟମ ଅନୁସାରେ ଗ୍ରୀଷ୍ଣରେ ଗୋଟିଏ ବଣ୍ଡଲର ଓଜନ ୫ କିଲୋ ୩୦୦ଗ୍ରାମ, ବର୍ଷା ଋତୁରେ ୫କିଲୋ ୨୦୦ଗ୍ରାମ ଓ ଶୀତ ବେଳେ ୫କିଲୋ ୨୫୦ଗ୍ରାମ ହେବା କଥା । ପାଠକ ନିୟମକୁ ବେଖାତିର କରି ପ୍ରତି ବଣ୍ଡଲରେ ୫କିଲୋ ୪ଶହ ଗ୍ରାମ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ଫଳରେ ପ୍ରତି ବସ୍ତାରେ ୨ କିଲୋ ୫୦ଗ୍ରାମ ଅଧିକ କେନ୍ଦୁପତ୍ର ରହୁଥିଲା । ବିଡି କମ୍ପାନୀକୁ ଅଧିକ କେନ୍ଦୁପତ୍ର ଚାଲାଣ କରିବା ଫଳରେ ଗୋଟିଏ ଡିଭିଜନରୁ ବର୍ଷକୁ ୧କୋଟି ୭୫ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ସେହି ହାରରେ ଆଠଟି ଡିଭିଜନରୁ ପାଖାପାଖି ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦୁର୍ନୀତି କରିଛନ୍ତି ଅଭୟକାନ୍ତ ।

ବିଜୁ ବାବୁଙ୍କୁ ଇଣ୍ଡୋନେସିଆର ସମ୍ମାନ, ନୂଆଦିଲ୍ଲୀରେ ଭୂମିପୁତ୍ରଙ୍କ ନାମରେ କକ୍ଷ

ନୂଆଦିଲ୍ଲୀ: ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆର ସମ୍ମାନ । ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ରହିଥିବା ବିଜୁବାବୁଙ୍କ ଅବଦାନକୁ ପୁଣି ମନେପକାଇଛି ଦେଶ । ପାଇଲଟ ଚଳାଇ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରିବା ହେଉ, କିମ୍ବା ଅର୍ଥନିତୀ ସଂକଟ ସମୟରେ ଦେଶକୁ ଉଦ୍ଧାର କରିବା । ବିଦେଶ ମାଟିରେ ବିଜୁ ବାବୁଙ୍କ ନେତୃତ୍ୱ ଏବଂ ନିଷ୍ଠା ଆଜି ମଧ୍ୟ ଉଜ୍ଜିବୀତ । ଯାହାକୁ ନୂଆଦିଲ୍ଲୀରେ ପୁଣି ଥରେ ସ୍ମରଣ କରିଛି ଇଣ୍ଡୋନେସିଆ ।

ନୂଆଦିଲ୍ଲୀ ଦୂତାବାସର ଏକ କକ୍ଷକୁ ବିଜୁବାବୁଙ୍କ ନାମରେ ନାମିତ କରାଯାଇଛି । ଏହି କକ୍ଷରେ ରହିବ ବିଜୁବାବୁଙ୍କ ଫଟୋ ଓ ତାଙ୍କ ସମ୍ପର୍କିତ ତଥ୍ୟ । ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଅବଦାନକୁ ସମ୍ମାନ ଦିଆଯାଇଛି । ବିଜୁବାବୁଙ୍କ ଦ୍ବିତୀୟ ଘର ଇଣ୍ଡୋନେସିଆ ଥିଲା ବୋଲି ଦୂତାବାସ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି ।

ପ୍ରଥମେ କାଳି, ତାପରେ ଜେଲ: ୟୁପିରେ ଜାନୁଆରୀ ୧୩ ଯାଏଁ ଜେଲରେ ରହିବେ ସୋମନାଥ ଭାରତୀ

ରାୟବରେଲୀ: ଦିଲ୍ଲୀର କେଜ୍ରିୱାଲ ସରକାରଙ୍କ ପୂର୍ବ ଆଇନ ମନ୍ତ୍ରୀ ସୋମନାଥ ଭାରତୀ ନିକଟରେ ମନ୍ତବ୍ୟ ଦେଇଥିଲେ ଯେ, ଉତ୍ତର ପ୍ରଦେଶର ଡାକ୍ତରଖାନାରେ ଛୁଆ ତ ଜନ୍ମ ହେଉଛନ୍ତି, କିନ୍ତୁ କୁକୁର ଛୁଆ ଜନ୍ମ ହେଉଛନ୍ତି । ଏହି ମନ୍ତବ୍ୟ ପରେ ସୋମବାର ଭାରତୀ ବିରୋଧରେ ଜଗଧିଶପୁର ଥାନାରେ ମାମଲା ଦାଖଲ କରାଯାଇଛି । ଏହି ମନ୍ତବ୍ୟ ପାଇଁ ଲୋକମାନଙ୍କ ମଧ୍ୟରେ ଏତେ ମାତ୍ରାରେ ଆକ୍ରୋଶ ଭରି ହୋଇରହିଥିଲା ଯେ, ସୋମନାଥ ଭାରତୀଙ୍କ ଉପରକୁ କାଳି ଫିଙ୍ଗାଯାଇଥିଲା । ଏନେଇ ସୋମନାଥ ଭାରତୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବିବାଦ ଭିତରେ ସୋମନାଥ ଭାରତୀଙ୍କୁ ଗିରଫ କରାଯାଇଛି । ଏହାସହିତ ତାଙ୍କୁ ନ୍ୟାୟିକ ହେପାଜତରେ ପଠାଯାଇଛି ।

ସୋମନାଥ ଭାରତୀ ଟ୍ୱିଟ କରି କହିଛନ୍ତି ଯେ, ‘ ମିଥ୍ୟା ମାମଲା, ପୋଲିସ ଏବଂ ଭଡ଼ାର ଗୁଣ୍ଡାର ଭୟ ନା ମତେ ପୂର୍ବରୁ ଥିଲା ନା ଆଗକୁ ରହିବ । ଯୋଗୀ ସରକାର ଯଦି ଆପଣ କେଜ୍ରୱାଲ ସରକାରଙ୍କ ଭଳି କାର୍ଯ୍ୟ କରିଥାନ୍ତେ ତେବେ ଆପଣଙ୍କୁ ଆଜି ଏମିତି କରିବାକୁ ପଡ଼ିନଥାନ୍ତା । ଆପଣଙ୍କ ରାଜନୈତିକ ଅନ୍ତ ସୁନିଶ୍ଚିତ । ପ୍ରଥମେ କାଳି ଫିଙ୍ଗି ପୋଲିସର ଉପସ୍ଥିତିରେ ଅକ୍ରମଣ କରାଅ ଆଉ ତାପରେ ମାମଲା ଦାଖଲ କର ।’

କାହିଁକି ଦେଇଥିଲେ ଏମିତି ମନ୍ତବ୍ୟ ?

ସୋମନାଥ ଭାରତୀ କହିଥିଲେ ଯେ, ‘ ଆମେ କେଜ୍ରିୱାଲ ମଡେଲ ନେଇ ଆସିଛୁ, କିନ୍ତୁ ଏଠିକାର ସ୍କୁଲ ଘର ଅତ୍ୟନ୍ତ ଖରାପ ପରିସ୍ଥିତିରେ ରହିଛି । ଡାକ୍ତରଖାନାରେ ଶିଶୁ ତ ଜନ୍ମ ଗ୍ରହଣ ହେଉଛନ୍ତି କିନ୍ତୁ କୁକୁର ଛୁଆ ଜନ୍ମ ହେଉଛନ୍ତି । ’ ସୂଚନା ଅନୁଯାୟୀ ସୋମନାଥ ଭାରତା ଏଭଳି ମନ୍ତବ୍ୟ ଏଥିପାଇଁ ଦେଲେ, କାରଣ ସେ ଯେତେବେଳେ ପ୍ରୟାଗରାଜର ସରକାରୀ ଡାକ୍ତରଖାନାକୁ ଯାଇଥିଲେ ସେଠାରେ କୁକୁର ଛୁଆ ବୁଲୁଥିବାର ଦେଖିଥିଲେ ।

ମାମଲା ଦାଖଲ କରି ଆରମ୍ଭ ହେଲା ତଦନ୍ତ

ସୂଚନା ଅନୁଯାୟୀ ଯେତେବେଳେ ପୂର୍ବତନ ମନ୍ତ୍ରୀ ସୋମନାଥ ଭାରତୀଙ୍କ ବିବାଦୀୟ ମନ୍ତବ୍ୟ ଗଣମାଧ୍ୟମର ମୁଖ୍ୟ ଖବର ପାଲଟିଲା, ସେତେବେଳେ ୟୁପି ସରକାର କ୍ରୋଧିତ ହେବାକୁ ଲାଗିଲେ । ଏହି କାରଣରୁ ରବିବାର ବିଳମ୍ବିତ ରାତିରେ ଜଗଦୀଶପୁରର ହରପାଲପୁର ନିବାସୀ ଶୋଭନାଥ ସାହୁ ସୋମନାଥ ଭାରତୀଙ୍କ ବିରୋଧରେ ମାମଲା ଦାଖଲ କରିଥିଲେ । ଥାନା ଅଧ୍ୟକ୍ଷ ରାଜେଷ ସିଂହଙ୍କ ସୂଚନା ଅନୁଯାୟୀ କ୍ରାଇମ ନମ୍ବର ୧୪/୨୦ ଧାରା ୫୦୫/୧୫୩ ଅଧିନରେ ସମାମଲା ଦାଖଲ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ମଙ୍ଗଳବାର ଠାରୁ ଭ୍ୟାକ୍ସିନ୍ ପରିବହନ, ଜାଣନ୍ତୁ କେମିତି ହୋଇଛି ପ୍ରସ୍ତୁତି…

ନୂଆଦିଲ୍ଲୀ: ଭ୍ୟାକ୍ସିନ୍ ପାଇଁ ପ୍ରସ୍ତୁତ ଅଛି ଭାରତ । ସରିଛି ଡ୍ରାଏ୍ ରନ୍ । ଦେଶରେ କୋଭିଡ୍ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି କୋଭିସିଲ୍ଡ ଏବଂ କୋଭାକ୍ସିନକୁ ପୂର୍ବରୁ ଡିସିଜିଆଇ ଅନୁମତି ଦେଇଥିଲା । ଏବେ ଭ୍ୟାକ୍ସିନ୍ ଡୋଜ୍ ପାଇଁ ସରକାର ଅର୍ଡର ଦେଇଛନ୍ତି । କେନ୍ଦ୍ର ସରକାର ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଠାରୁ ୧୧ ମିଲିୟନ୍ ଅକ୍ସଫୋର୍ଡ ଭ୍ୟାକ୍ସିନ୍ (କୋଭିସିଲ୍ଡ) କିଣିବାକୁ ଅର୍ଡର ଦେଇଛନ୍ତି । ସୋମବାର ସନ୍ଧ୍ୟାରେ ସରକାର ସିରମକୁ ଭ୍ୟାକ୍ସିନ୍ କ୍ରୟ ପାଇଁ ଅର୍ଡର ଦେଇଥିବା ବେଳେ ପୁନେରୁ ମଙ୍ଗଳବାର ସକାଳ ୪ଟା ୩୦ରୁ ଆରମ୍ଭ ହେବ ଟିକା ପରିବହନ ।

Pune Firm Ready For Transport Covid-19 vaccine Covishield

ସିରମର କୋଭିସିଲ୍ଡ ଟିକା ପରିବହନ ଲାଗି ପୁନେର ଲଜିଷ୍ଟିକ୍ ଫାର୍ମ କୁଲ୍-ଏକ୍ସ କୋଲ୍ଡ ଚେନ୍ ପ୍ରସ୍ତୁତ ରହିଛି । କୁଲ୍-ଏକ୍ସ ପୁନେରୁ କୋଭିସିଲ୍ଡ ଟିକାକୁ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇବ । କୁଲ୍-ଏକ୍ସର ଏମଡି ରାହୁଲ ଅଗ୍ରୱାଲ୍ କହିଛନ୍ତି- ଟିକା ପରିବହନ ପାଇଁ ମାସକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପରିବହନ ପାଇଁ ୩୦୦ରୁ ୩୫୦ଟି ଗାଡ଼ି ପ୍ରସ୍ତୁତ ରହିଛି । ଏଥିସହ ବ୍ୟାକଅପରେ ୫୦୦ରୁ ୬୦୦ ଗାଡ଼ି ରଖାଯାଇଥିବା କହିଛନ୍ତି କୁଲ୍-ଏକ୍ସର ଏମଡି ।

Pune Firm Ready For Transport Covid-19 vaccine Covishield

ଟିକା ପରିବହନ ଏକ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି । ଏଥିସହ ଟିକା ପରିବହନ ବେଳେ ସୁରକ୍ଷା ପ୍ରସଙ୍ଗ ଉଠାଇଛନ୍ତି । ଟିକା ପରିବହନ ଗାଡ଼ିରେ ବିଯୁକ୍ତ ୨୫ ଡିଗ୍ରୀରୁ ସଂଯୁକ୍ତ ୨୫ ଡିଗ୍ରୀ ତାପମାତ୍ରା ବ୍ୟବସ୍ଥା ହୋଇପାରିବ । ପ୍ରତିଟି ଟ୍ରକ୍ ଟେକ୍ନୋଲୋଜିରେ ପରିପୂର୍ଣ୍ଣ । ଟିକା ପରିବହନ ପାଇଁ ବିଭିନ୍ନ ରାଜ୍ୟର ସରକାର ସୁରକ୍ଷା ଦୃଷ୍ଟିରୁ ଭ୍ୟାକ୍ସିନ୍ ଗାଡ଼କୁ ପୋଲିସ ଏସକର୍ଟ ଯୋଗାଇ ଦେବେ ବୋଲି କୁନାଲ ଅଗ୍ରୱାଲ୍ କହିଛନ୍ତି ।

Pune Firm Ready For Transport Covid-19 vaccine Covishield

ଦେଶବ୍ୟାପୀ ଆସନ୍ତା ୧୬ ତାରିଖରୁ କୋଭିଡ୍ ଟିକାକରଣ ଆରମ୍ଭ ହେବ । ଶନିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କୋଭିଡ୍ ବୈଠକରେ ଏନେଇ ମୋଦି ବିଭିନ୍ନ ରାଜ୍ୟ ସହ ଆଲୋଚନା କରିଥିଲେ । ଜାନୁଆରୀ ପ୍ରଥମ ସପ୍ତାହରେ ଡିସିଜିଆଇ କୋଭିସିଲ୍ଡ ଏବଂ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଥିଲେ । ସରକାର କୋଭିସିଲ୍ଡର ୧୧ ମିଲିୟନ୍ ଡୋଜ୍ କିଣିବାକୁ ଅର୍ଡର ଦେଇଛନ୍ତି । ପ୍ରତିଟି ଡୋଜର ମୂଲ୍ୟ ୨୦୦ ଟଙ୍କା ରହିଛି । ଖୁବଶୀଘ୍ର କୋଭାକ୍ସିନକୁ ମଧ୍ୟ ସରକାର ଭ୍ୟାକ୍ସିନ୍ ପାଇଁ ଅର୍ଡର ଦେବେ ବୋଲି ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ- କରୋନା ଟିକାକରଣକୁ ନେଇ ଆପଣଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ପଢ଼ନ୍ତୁ…

Love Horoscope: ୨୦୨୧ ମସିହାରେ ପ୍ରେମ ବ୍ୟାପାରରେ ସଫଳ ହେବେ ଏହି ୭ ରାଶିର ବ୍ୟକ୍ତି ବିଶେଷ

Love Horoscope 2021: ଶୁକ୍ର ଗ୍ରହକୁ ପ୍ରେମର କାରକ ବୋଲି କୁହାଯାଏ । ଜ୍ୟୋତିଷଙ୍କ କହିବା ଅନୁଯାୟୀ ରାଶିରେ ଶୁକ୍ରର ଅବସ୍ଥିତି ରହିବା ଦ୍ୱାରା ପ୍ରେମ ବ୍ୟାପାରରେ ସଫଳତା ବା ବିଫଳତା ମିଳିଥାଏ । ତେବେ ୨୦୨୧ ମସିହାରେ ୭ଟି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଶୁକ୍ରଙ୍କ କୃପା ଦୃଷ୍ଟି ରହିବ । ଚଳିତ ବର୍ଷ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ତାଙ୍କ ଜୀବନର ପ୍ରକୃତ ପ୍ରେମ ମିଳିବାକୁ ଯାଉଛି । ଅନ୍ୟପଟେ କିଛି ବ୍ୟକ୍ତି ଚଳିତ ବର୍ଷ ପ୍ରେମ ବିବାହ କରିପାରନ୍ତି । ତେବେ ଆସନ୍ତୁ ଜାଣିବା ୨୦୨୧ ମସିହାରେ ପ୍ରେମ ବ୍ୟାପାରରେ (Love Horoscope 2021) କେଉଁ କେଉଁ ରାଶିର ବ୍ୟକ୍ତି ମାନେ ଭାଗ୍ୟବାନ ସାବ୍ୟସ୍ତ ହେବେ ।

ମେଷରାଶି- ସିଙ୍ଗଲ ଥିବା ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଚଳିତ ବର୍ଷ କେହି ଖାସ ବ୍ୟକ୍ତି ମିଳିପାରନ୍ତି । ଚଳିତ ବର୍ଷ ଆପଣଙ୍କ ପ୍ରେମ ସମ୍ବନ୍ଧ ଆଗକୁ ବଢ଼ିପାରେ । ତେବେ ଯେଉଁମାନେ ପୂର୍ବରୁ ରିଲେସନସିପରେ ଅଛନ୍ତି ସେମାନଙ୍କ ସମ୍ପର୍କ ଆହୁରି ନିବିଡ଼ ହେବାକୁ ଯାଉଛି । ସାଥିଙ୍କ ସହିତ କୌଣସି ପ୍ରକାର ନକାରାତ୍ମକ କଥାବର୍ତ୍ତା କରିବାରୁ ବଞ୍ଚିତ ରୁହନ୍ତୁ । ଚଳିତ ବର୍ଷ ଆପଣଙ୍କ ସାଥି ନିଜ ମନର ଭାବନାକୁ ଖୋଲାଖୋଲି ପ୍ରକାଶ କରିବ । ଅଗଷ୍ଟ ମାସ ପରେ ଗ୍ରହର ଅବସ୍ଥିତି ଉଭୟଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ ।

ବୃଷରାଶି- ୨୦୨୧ ମସିହା ବୃଷରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ ଭଲପାଇବା ଏବଂ ଉତ୍ସାହ ନେଇ ଆସିବ । ସିଙ୍ଗଲ ଥିବା ବ୍ୟକ୍ତିଙ୍କ ଜୀବନରେ କେହି ଜଣେ ଖାସ ଆସିବାକୁ ଯାଉଛନ୍ତି । ଆପଣ ଚଳିତ ବର୍ଷ ଆପଣ ନୂତନ ବନ୍ଧୁଙ୍କ ସହ ମିଶିବେ, ଏବଂ ସେଥିମଧ୍ୟରୁ ଜଣେ ଆଗାମୀ ଦିନରେ ଆପଣଙ୍କ ଜୀବନସାଥି ମଧ୍ୟ ହୋଇପାରନ୍ତି । ଫେବୃଆରୀରୁ ସେପ୍ଟେମ୍ବର ମାସ ମଧ୍ୟରେ ଆପଣଙ୍କୁ ଆପଣଙ୍କର ପ୍ରକୃତ ପ୍ରେମ ମିଳିପାରେ । ମାର୍ଚ୍ଚ ଏବଂ ଅପ୍ରେଲ ମାସରେ ବୃଷରାଶିର ବ୍ୟକ୍ତିଙ୍କୁ ପ୍ରେମ ଓ ସଂପର୍କରେ ଦୃଢ଼ତା ମିଳିବ ।

ମିଥୁନରାଶି- ପ୍ରେମ ବ୍ୟାପାର ଦୃଷ୍ଟିରୁ, ୨୦୨୧ ବର୍ଷ ମିଥୁନରାଶିଙ୍କ ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଚଳିତ ବର୍ଷ, ସିଙ୍ଗିଲ ଲୋକଙ୍କ ଜୀବନରେ ପ୍ରେମ ଆଗମନର ଦୃଢ଼ ସମ୍ଭାବନା ରହିଛି । ସାଥୀ ପ୍ରେମ ସହିତ ଜୀବନ ସୁଖରେ ପରିପୂର୍ଣ୍ଣ ହେବ । ଆପଣଙ୍କ ସାଥୀଙ୍କ ସହ ସମ୍ପର୍କ ଏତେ ଶକ୍ତିଶାଳୀ ହେବ ଯେ ଆପଣ ଏହି ବର୍ଷ ସହଜରେ ପ୍ରତ୍ୟେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ସମର୍ଥ ହେବେ । ମିଥୁନ ରାଶିର ଅନେକ ବ୍ୟକ୍ତି ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବେ ।

କନ୍ୟାରାଶି- କନ୍ୟାରାଶିର ବ୍ୟକ୍ତି ଯେଉଁ ମାନେ ପୂର୍ବରୁ ସିଲେସନସିପରେ ଅଛନ୍ତି, ସେମାନଙ୍କ ନିଜ ସାଥିଙ୍କ ସହ ବୁଝାବଣା ଆହୁରି ସୁଦୃଢ଼ ହେବ । ସିଙ୍ଗିଲ ଥିବା ବ୍ୟକ୍ତିଙ୍କ ଜୀବନରେ ଚଳିତ ବର୍ଷ କେହି ଖାସ ବ୍ୟକ୍ତି ଆସିବାକୁ ଯାଉଛନ୍ତି । ପ୍ରେମ ବ୍ୟପାରରେ ଆପଣ ଚଳିତ ବର୍ଷ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଅନେକ ବ୍ୟକ୍ତିଙ୍କ ଚଳିତ ବର୍ଷ ବିବାହ ହୋଇପାରେ ଏବଂ ସନ୍ତାନ ପ୍ରାପ୍ତର ମଧ୍ୟ ଯୋଗ ରହିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଆପଣଙ୍କୁ ଆପଣଙ୍କ ମନର ମଣିଷ ମିଳିବାର ସମ୍ଭାବନା ରହିଛି ।

ବିଛାରାଶି- ପ୍ରେମ ବ୍ୟାପାରରେ ୨୦୨୧ ମସିହା ବିଛାରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ ଅନୁକୂଳ ରହିବ । ଶୁକ୍ର ଏବଂ ବୃହସ୍ପତିକ ପ୍ରଭାବରେ ଚଳିତ ବର୍ଷ ଆପଣଙ୍କୁ ନୂତନ ପ୍ରେମ ସନ୍ଧାନରେ ସାହାଯ୍ୟ ମିଳିବ । ଯେଉଁମାନେ ପୂର୍ବରୁ ପ୍ରେମ ସମ୍ବନ୍ଧରେ ଅଛନ୍ତି ସେମାନେ ଖୁବ ଆନନ୍ଦରେ ସମୟ ବିତାଇବେ । କିଛି ବ୍ୟକ୍ତି ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧିହେବେ । ପ୍ରେମ ବ୍ୟାପାରରେ ଗ୍ରହ ନକ୍ଷତ୍ର ଚଳିତ ବର୍ଷ ଆପଣଙ୍କୁ ଖୁବ ଲାଭ ଦେବ ।

ମକରରାଶି- ସିଙ୍ଗିଲ ଥିବା ମକର ରାଶିର ବ୍ୟକ୍ତି ବିଶେଷମାନେ ଚଳିତ ବର୍ଷ ନିଜ ପାଇଁ ଉପଯୁକ୍ତ ସାଥି ଖୋଜିପାଇବେ । ଚଳିତ ବର୍ଷ ଆପଣ ଅଜାଣତରେ ଏମିତି ଜଣେ ବ୍ୟକ୍ତିତ୍ୱଙ୍କ ସହ ଦେଖାହେବେ ଯିଏକି ପରବର୍ତ୍ତୀ ସମୟରେ ଆପଣଙ୍କ ସାଥି ହୋଇପାରନ୍ତି । ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କ କଲେଜର ପୁରୁଣା ବନ୍ଧୁ ବା ଅଫିସର କେଉଁ ସହଯୋଗୀ ହୋଇଥାଇପାରନ୍ତି ।  ଏହି ଖାସ ବ୍ୟକ୍ତିଙ୍କ ପାଇଁ ଆପଣଙ୍କ ଭାବନା ଗଭୀର ଭାବରେ ବଢ଼ିପାରେ  । ଚଳିତ ବର୍ଷ ଆପଣଙ୍କ ପ୍ରେମ ଜୀବନରେ ଏକ ଅଦ୍ଭୁତ ଅନୁଭବ ନେଇ ଆସିବ ।

କୁମ୍ଭରାଶି- ଚଳିତ ବର୍ଷ ଅପ୍ରେଲ ୨୦ ତାରିଖ ବୃହସ୍ପତି ଗୋଚର କୁମ୍ଭ ରାଶିର ସିଙ୍ଗଲ ବ୍ୟକ୍ତିଙ୍କ ପାଇଁ ଖୁବ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇପାରେ । ଚଳିତ ବର୍ଷ ଆପଣଙ୍କ ନିଜ ଜୀବନ ସାଥି ସହ ଦେଖାହୋଇପାରନ୍ତି, ଏବଂ ଏହି କାରଣରୁ ଆପଣଙ୍କ ଭାଗ୍ୟ ମଧ୍ୟ ଉଦୟ ହେବାର ସମ୍ଭାବନା ରହିଛି । ପ୍ରେମ ବ୍ୟାପାର ପାଇଁ ଅପ୍ରେଲ, ମଇ, ଅଗଷ୍ଟ, ସେପ୍ଟେମ୍ବର ଏବଂ ଡିସେମ୍ବର ମାସ ଖୁବ ଭାଗ୍ୟଶାଳୀ ହେବାକୁ ଯାଉଛି । ଅନେକ ବ୍ୟକ୍ତି ବିବାହ ବନ୍ଧନରେ ବାନ୍ଧି ହେବେ ।

ଘର କାମ ପାଇଁ ଆସିଥିବା ବାଲି ବସ୍ତାରୁ ବାହାରିଲା ୩୩ଟି ନାଗ ମୂର୍ତ୍ତି

ଭଦ୍ରକ: ଅଳାଉତି ଗାଁରେ ଆଧ୍ୟାତ୍ମିକ ପରିବେଶ । ନାଗରାଜଙ୍କ ଦର୍ଶନ ଲାଗି ଜମୁଛି ଭିଡ଼ । ଆଜି ସୋମବାର, ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା । ଅନ୍ୟପଟେ ଭଦ୍ରକର ଅଳାଉତି ଗାଁରେ ବି ସମାନ ଭିଡ଼ । ଏକାଠି ମିଳିଛି ୩୩ରୁ ଅଧିକ ନାଗ ମୂର୍ତ୍ତି । ଏହି ନାଗ ମୂର୍ତ୍ତିକୁ ଦେଖିବା ଓ ପୂଜାର୍ଚ୍ଚନା ଲାଗି ଗାଁରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

33 Copper Snake Idols Rescued From Sand Bag Bhadrak

ସୂଚନା ଅନୁସାରେ ଅଳାଉତି ଗାଁର ନିରଞ୍ଜନ ଭୂୟାଁ ଘର କାମ ପାଇଁ ହାଇୱା ଟ୍ରକରେ ବାଲି ଆଣଥିଲେ । ତେବେ, ଘର ନିକଟକୁ ଟ୍ରକ୍ ଯିବାକୁ ରାସ୍ତା ନଥିବାରୁ ଗାଁ ମୁଣ୍ଡରେ ବାଲି ଖାଲି କରି ଟ୍ରାକ୍ଟର ଯୋଗେ ଘରକୁ ନେଉଥିଲେ । ଟ୍ରାକ୍ଟରରେ ବାଲି ଲୋଡିଂ ବେଳେ ଏକ ପ୍ଲାଷ୍ଟିକ ଅଖା ମିଳିଥିଲା । ଆଉ ପ୍ଲାଷ୍ଟିକ୍ ବସ୍ତା ଖୋଲିବା ପରେ ସମସ୍ତେ ତାଜୁବ୍ ହୋଇ ଯାଇଥିଲେ ।

33 Copper Snake Idols Rescued From Sand Bag Bhadrak

ବସ୍ତା ଭିତରୁ ୩୩ରୁ ଅଧିକ ନାଗ ମୂର୍ତ୍ତି ବାହାରିଥିଲା । ଯାହାକୁ ଦେଖିବାକୁ ଗାଁ ଲୋକଙ୍କ ଭିଡ଼ ବଢ଼ିଥିବା ବେଳେ ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ବାଲି ଆଣିଥିବା ନିରଞ୍ଜନ ଭୂୟାଁ ବ୍ରାହ୍ମଣ ସମାଜ ସହ ଯୋଗାଯୋଗ କରିଛନ୍ତି । ଆବଶ୍ୟକୀୟ ପରାମର୍ଶ ପରେ ପରବର୍ତ୍ତୀ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି । ତେବେ ବାଲି କେଉଁ ସ୍ଥାନରୁ ଆସୁଥିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଓଡିଆ ପୁଅ ସୁବ୍ରତ ସାହୁ ହେଲେ ଛତିଶଗଡର ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଛତିଶଗଡର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ଓଡିଆ ପୁଅ । ୧୯୯୨ ମସିହା ବ୍ୟାଚର ଆଇ.ଏ.ଏସ. ଅଧିକାରୀ ସୁବ୍ରତ ସାହୁ ଅତିରିକ୍ତ ଭାବେ ଛତିଶଗଡ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ମୁଖ୍ୟ ଶାସନ ସଚ୍ଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟ ଗତ କାରଣରୁ ଛୁଟିରେ ଯାଇଛନ୍ତି । ତେଣୁ ତାଙ୍କ ସ୍ଥାନରେ ସୁବ୍ରତ ସାହୁଙ୍କୁ ନିଯୁକ୍ତ କରାଯାଇଥିବା ସାଧାରଣ ପ୍ରଶାସନ ବିଭାଗର ସରକାରୀ ବିଜ୍ଞପ୍ତି ନାମାରେ ପ୍ରକାଶ ପାଇଛି |

ସୁବ୍ରତ ସାହୁ ଏବେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ କାର୍ଯ୍ୟାଳୟର ଦାୟିତ୍ୱ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୃହ ଓ ଜେଲ ପ୍ରଶାସନ, ଶକ୍ତି, ଇଲେକ୍ଟ୍ରୋନିକ୍ସ, ଆଇ.ଟି,ବାଣିଜ୍ୟ ଏବଂ ଶିଳ୍ପ ଆଦି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଉଛନ୍ତି । ଏହା ପୂର୍ବରୁ ସେ ଛତିଶଗଡର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଦକ୍ଷତା ଓ ସ୍ୱଚ୍ଛତାର ସହିତ ନିର୍ବାଚନ ପରିଚାଳନା କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପୁରଷ୍କୃତ ହୋଇଛନ୍ତି ।

ନିଜର ଅନନ୍ୟ ପାରଦର୍ଶିତା ଓ ଉଚ୍ଚକୋଟୀର କାର୍ଯ୍ୟକୁଶଳତା ପାଇଁ ସୁବ୍ରତ ପ୍ରଶାସନିକ ମହଲରେ ବେଶ ସୁନାମ ଅର୍ଜନ କରିଛନ୍ତି । ଓଡିଶାରେ ଜନ୍ମଗ୍ରହଣ କରିଥିବା ସୁବ୍ରତ ଛତିଶଗଡର ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ସେ ପୂର୍ବତନ ମୁଖ୍ୟ ଶାସନ ସଚ୍ଚିବ ସହଦେବ ସାହୁଙ୍କର ସୁପୁତ୍ର ଅଟନ୍ତି ।

୮ ବର୍ଷ କାର୍ଯ୍ୟ କଲେ SIରୁ ଇନ୍ସପେକ୍ଟର ପଦକୁ ମିଳିବ ପଦୋନ୍ନତି

ଭୁବନେଶ୍ୱର: ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର । ପୋଲିସ ମାନୁଆଲରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୋଲିସ୍ ମାନୁଆଲ୍ ଆଇନର ଧାରା ୬୫୦ (ii) ଅନୁସାରେ ସବ୍ ଇନ୍ସପେକ୍ଟର ପଦରୁ ଇନ୍ସପେକ୍ଟର ପଦକୁ ପଦୋନ୍ନତି ପାଇଁ ଯୋଗ୍ୟତା ମାନଦଣ୍ଡରେ କୋହଳ କରାଯାଇଛି ।

Home Dept. Relaxed Eligibility Criteria Of SI Promotion  

ପୂର୍ବରୁ ଏସ୍ଆଇ ଭାବେ ୧୦ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିଲେ ଇନ୍ସପେକ୍ଟର ପଦକୁ ପଦୋନ୍ନତି ମିଳୁଥିଲା । ପୋଲିସ ମାନୁଆଲରେ ସଂଶୋଧନ ଅନୁସାରେ ୮ ବର୍ଷରେ କାର୍ଯ୍ୟ ଅଭିଜ୍ଞତା ଥିଲେ ପଦୋନ୍ନତ ମିଳିବ । ତେବେ, ଏଥିପାଇଁ ଏସଆଇ ଟ୍ରେନିଂ ସମ୍ପୂର୍ଣ୍ଣ ସହ ପରୀକ୍ଷାରେ ସଫଳତା ମିଳିଥିବା ଆବଶ୍ୟକ । ଏହି ସଂଶୋଧନ ୨୦୨୧ ବର୍ଷ ଲାଗି ତୁରନ୍ତ ଲାଗୁ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଥିସହ ପଢ଼ନ୍ତୁ- ASI କରିବେ ମାମଲାର ଅନୁସନ୍ଧାନ ଓ ତଦନ୍ତ

କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ୯୨.୩୭ କୋଟି ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି । ତନ୍ମଧ୍ୟରୁ କେବଳ ବୋନସର ପରିମାଣ ୫୯.୭୮ କୋଟି ଟଙ୍କା । ଏହା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତାକୁ ମଧ୍ୟ  ମୁଖ୍ୟମନ୍ତ୍ରୀ ଏକ ଲକ୍ଷ ଟଙ୍କାରୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଆଜି କେନ୍ଦୁପତ୍ର କଲ୍ୟାଣ ବୋର୍ଡ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଭିଡିଓ କନଫରେନ୍ସି ଜରିଆରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ ।

Naveen Declared 92.37 Core Assistance For Kendu Leaf Bonus And Others

କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ଚଳିତ ବର୍ଷ ବୋନସ୍‌, ଅନ୍ୟାନ୍ୟ ସହାୟତା ଓ ଭିତ୍ତିଭୁମି ବିକାଶ ଉଦ୍ଦେଶ୍ୟରେ ୯୨.୩୭ କୋଟି ଟଙ୍କା ବୋର୍ଡ ମଞ୍ଜୁର କରିଛି । କେନ୍ଦୁପତ୍ର ସଂଗ୍ରହ, ବନ୍ଧେଇ ଓ ପ୍ରକ୍ରିୟାକରଣ କାର୍ଯ୍ୟରେ ସାଧାରଣତଃ ଗରିବ ଲୋକମାନେ ନିୟୋଜିତ ହୋଇଥାନ୍ତି । ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି । ୨୦୧୪ ମସିହାରେ ଏକ ଐତିହାସିକ ନିଷ୍ପତ୍ତି ନେଇ ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟରୁ ପାଉଥିବା ଲାଭାଂଶରେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ସାମିଲ କରିଛନ୍ତି ।

Naveen Declared 92.37 Core Assistance For Kendu Leaf Bonus And Others

କୋଭିଡ୍‌ ମହାମାରୀ ସମୟରେ ବିଭାଗ ୬୦ ଲକ୍ଷରୁ ଅଧିକ କର୍ମ ଦିବସ ସୃଷ୍ଟି କରିପାରିଥିଲା । ଏହା ଦ୍ୱାରା ୭ ଲକ୍ଷ ୫୪ ହଜାର ୬୩୧ କେନ୍ଦୁପତ୍ର ତୋଳାଳୀ, ୧୮୨୨୩ ବନ୍ଧେଇ ଶ୍ରମିକ ଏବଂ ୧୬୫୩୩ ଜଣ ସାମୟିକ କର୍ମଚାରୀ ଉପକୃତ ହୋଇଛନ୍ତି । ୨୦୨୦ ଶସ୍ୟ ବର୍ଷରେ ଏ ବାବଦରେ ୨୫୦ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ DBT  ଜରିଆରେ ପଇଠ କରାଯାଇଛି ।

Naveen Declared 92.37 Core Assistance For Kendu Leaf Bonus And Others

ଏହି ବୈଠକରେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଇସ୍ପାତ ଓ ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ସେମାନଙ୍କର ମତାମତ ରଖିଥିଲେ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ପ୍ରଭାକର ବେହେରା ବୋର୍ଡର କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା ରଖିଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ଡ. ମୋନା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ  । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଭି.କେ. ପାଣ୍ଡିଆନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।