ସୋସିଆଲ ମିଡିଆରେ ଚାକିରି ଅଫର ପାଉଛନ୍ତି କି ? ସାବଧାନ, ଆକାଉଣ୍ଟ ହୋଇଯିବ ସଫା…

1 min read

ମୁମ୍ବାଇ: ଆଜିକାଲି ସାଇବର କ୍ରାଇମ୍ ଓ ଅନଲାଇନ୍ ଫ୍ରଡ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ଦିନ ଖବର କାଗଜରେ ସାଇବର ଠକେଇ ବିଷୟରେ ଆପଣମାନେ ପଢୁଥିବେ ।  ଠିକ୍ ସେହିଭଳି ଏକ ଖବର ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଛାତ୍ରଙ୍କୁ ଚାକିରି ଦେବା ଆଳରେ ସାଇବର ଠକ ଠକିଛନ୍ତି ।  ମୁମ୍ବାଇର ଏକ ମହାବିଦ୍ୟାଳୟର ଜଣେ ଛାତ୍ର ସୋସିଆଲ ମିଡିଆରେ କୋକା କୋଲା କମ୍ପାନୀର ବିଜ୍ଞାପନ ଦେଖି ଅନଲାଇନରେ ଚାକିରି ପାଇଁ ଆବେଦନ କରିଥିଲେ । ଆବେଦନ କରିବାର କିଛି ସମୟ ମଧ୍ୟରେ ରାକେଶଙ୍କୁ କୋକା କୋଲା କମ୍ପାନୀ ତରଫରୁ ଜଣେ ଅଜ୍ଞାତ ବ୍ୟକ୍ତି ଏକ ଲିଙ୍କ ଏବଂ ଇମେଲ ପଠାଇଥିଲେ । ଆଉ ଲିଙ୍କ ଖୋଲିବା ପରେ ରାକେଶ ସବୁ ନିର୍ଦ୍ଦେଶ ଫଲୋ କରିଥିଲେ। ତେବେ ଲିଙ୍କରେ ରାକେଶଙ୍କୁ ନିଜର କିଛି ପର୍ସନାଲ ଡିଟେଲ୍ସ ମଧ୍ୟ ଦେବାକୁ କୁହାଯାଇଥିଲା । ଏହି ଗୋପନୀୟ ତଥ୍ୟ ସେୟାର କରିବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୦୦୦ ଟଙ୍କା କଟିଥିଲା । ତେବେ ଏଭଳି ଠକେଇ ଶୀକାର କେବଳ ରାକେଶ ହୋଇ ନାହାଁନ୍ତି ଠିକ୍ ଏହିଭଳି ଗରିମା ନାମକ ଆଉ ଜଣେ ଛାତ୍ରୀଙ୍କ ଆକାଉଣ୍ଟରୁ ମଧ୍ୟ ଯାଇଛି ୩୦୦୦ ଟଙ୍କା ।

ଏଭଳି ୬୦ରୁ ଅଧିକ ଅଭିଯୋଗ ମୁମ୍ବାଇ ସାଇବର ସେଲରେ ରୁଜୁ ହୋଇଛି । ଯେଉଁଥିରେ କୋକା କୋଲା କମ୍ପାନୀରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କଠୁ ଅନଲାଇନରେ ଟଙ୍କା ଆଦାୟ କରାଯାଇଥିବା ମଧ୍ୟ ଜଣାପଡ଼ିଛି । ଯଦିଓ ମୁମ୍ବାଇ ସାଇବର କ୍ରାଇମ୍ ବ୍ରାଞ୍ଚ ଡିସିପିଙ୍କ ଅନୁସାରେ କୋକା କୋଲା କମ୍ପାନୀ ପକ୍ଷରୁ ଏଭଳି କୌଣସି ବି ବିଜ୍ଞାପନ ଦିଆଯାଇ ନାହିଁ । କୋକାକୋଲା ଏକ ବ୍ରାଣ୍ଡେଡ୍ କମ୍ପାନୀ । ସେଥିପାଇଁ ଏହି କମ୍ପାନୀ ନାଁରେ ସାଇବର ଅପରାଧୀ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ସେହିପରି ଚାକିରୀ ଆଶାୟୀମାନଙ୍କୁ ନକଲି ଚାକିରି ଲିଙ୍କ, ନକଲି ଅଡିଓ, ଭିଡିଓ  କ୍ଲିପ୍ ତଥା ନକଲି ସାଇଟରୁ ଦୂରାଇ ରହିବାକୁ ଅନୁରୋଧ କରାଯାଇଛି।

ମୁମ୍ବାଇ ବ୍ୟତୀତ ନୋଏଡା ସେକ୍ଟର- ୬୧ ରେ ରହୁଥିବା ଜଣେ ଇଞ୍ଜିନିୟର ମଧ୍ୟ ଠକେଇର ଶିକାର ହୋଇଛନ୍ତି । କାନାଡାର ଏକ କମ୍ପାନୀରେ ଚାକିରି ପାଇବା ନାଁରେ ସାଇବର ଅପରାଧୀମାନେ ପ୍ରାୟ ୧୦ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଇଞ୍ଜିନିୟରଙ୍କୁ ଦୁଇଟି ବ୍ୟାଙ୍କରେ ଟଙ୍କା ଟ୍ରାନ୍ସଫର କରିବାକୁ କହିଥିଲେ ଅଭିଯୁକ୍ତ ।  ଟଙ୍କା ଡିପୋଜିଟ୍ ହେବା ପରେ ରୋହିତଙ୍କ ସହ ଅଭିଯୁକ୍ତ କୌଣସି ଯୋଗାଯୋଗ କରିନଥିଲା ।

ତେବେ ଏଭଳି ଠକେଇରୁ ବଂଚିବା ପାଇଁ କ’ଣ କରିବାକୁ ହେବ ?

ପ୍ରଥମତଃ କୌଣସି ନାମି ଦାମୀ କମ୍ପାନୀ ଏମିତି ଇଣ୍ଟରଭ୍ୟୁ କରନ୍ତି ନାହିଁ

ଦ୍ୱିତୀୟରେ ବଡ ହେଉ କି ଛୋଟ କମ୍ପାନୀ ଚାକିରି ଦେବା ଆଗରୁ କେବେ ମଧ୍ୟ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ ମାଗନ୍ତି ନାହିଁ

ଅନଲାଇନରେ ଯଦି ଆପ୍ଲାଏ କରୁଛନ୍ତି ତେବେ କମ୍ପାନୀର ବ୍ୟାକଗ୍ରାଉଣ୍ଡ୍ ଚେକ୍ କରନ୍ତୁ

ନିଜ କେୱାସୀ କେବେ ମଧ୍ୟ ସେୟାର କରନ୍ତୁ ନାହିଁ

ଗୋଟିଏ କଥା ମନେ ରଖନ୍ତୁ କୌଣସି କମ୍ପାନୀ ଯଦି ଆପଣଙ୍କୁ ହାୟାର କରିବାକୁ ଚାହିଁବ ତେବେ ସେହି କମ୍ପାନୀର କର୍ତ୍ତୁପକ୍ଷ ଫିଜିକାଲ ଇଣ୍ଟରଭ୍ୟୁ ନେବେ

 ଯଦି ଫିଜିକାଲ ଇଣ୍ଟରଭ୍ୟୁ ସମ୍ଭବ ନୁହେଁ ତେବେ ସେମାନେ ଭିଡିଓ କଲିଂ ମାଧ୍ୟମରେ ସାକ୍ଷାତକାର ନିଅନ୍ତି

କିନ୍ତୁ କେବେ ମଧ୍ୟ ସେମାନେ ଆପଣଙ୍କୁ ଏଭଳି ଲିଙ୍କ୍ ଦେବେ ନାହିଁ ଯେଉଁଥିରେ ଆପଣଙ୍କ ବ୍ୟାଙ୍କ୍ ଡିଟେଲ ଲିକ ହେବାର ଆଶଙ୍କା ରହିଛି

ସବୁଠାରୁ ବଡକଥା ହେଲା ଆପଣ ଚାକିରି ପାଇବା ପରେ ହିଁ କମ୍ପାନୀ ସାଲେରି କ୍ରେଡିଟ୍ ପାଇଁ ଆପଣଙ୍କ ଆକାଉଣ୍ଟ୍ ନମ୍ବର ନେବ କିମ୍ବା ନୂଆ ଆକାଉଣ୍ଟ୍ ଖୋଲିବ। ଚାକିରି ନଦେଇ ଯଦି ଆରମ୍ଭରୁ କେହି ଆପଣଙ୍କୁ ବ୍ୟାଙ୍କ ଡିଟେଲ ମାଗୁଛି ତେବେ ସତର୍କ ହୋଇଯାଆନ୍ତୁ ।

Leave a Reply