spot_img
Home Blog Page 6107

ସିଲ୍‌ଭର ସିଟିରେ ପୁଣି ନକଲି ଗୁଟ୍‌ଖା କାରଖାନା ଠାବ

କଟକ: ସିଲ୍‌ଭର ସିଟିରେ ପୁଣି ନକଲି କାରଖାନା ଠାବ । ଘିଅ, ତେଲ, ସୋୟା ବଡ଼ି, ଲଙ୍କାଗୁଣ୍ଡ, ହଳଦି ଗୁଣ୍ଡ, ସିମେଣ୍ଟ ଆଦି ପରେ ଏବେ ପୁଣି ନକଲି ଗୁଟ୍‌ଖା କାରଖାନା ଠାବ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଗୁଟ୍‌ଖା କାରଖାନା ଉପରେ ଚଢ଼ଉ କରିଛି ।

ସଦର ଥାନା ସାଶୋଳରେ ଚାଲିଥିଲା ଏହି ଗୁଟ୍‌ଖା କମ୍ପାନୀ । କମିଶନରେଟ୍ ପୋଲିସ ପକ୍ଷରୁ କମ୍ପାନୀ ଉପରେ ଚଢ଼ାଉ କରାଯାଇଛି । ଅପମିଶ୍ରଣ କରି କମ୍ପାନୀ ‘ଚନ୍ଦ୍ରିକା’ ନାଁରେ ଗୁଟ୍‌ଖା, ଜର୍ଦ୍ଦା ବିକ୍ରି କରୁଥିଲା । ଲକ୍ଷାଧିକ ଟଙ୍କାର ଗୁଟ୍‌ଖା, ଜର୍ଦ୍ଦା ଜବତ କରାଯାଇଛି । ଏଥିସହ ବିପୁଳ ପରିମାଣର କେମିକାଲ ମଧ୍ୟ ଜବତ ହୋଇଛି । କୋଲକାତାରୁ ଏହି କେମିକାଲ ଆଣି ରଖାଯାଇଥିବା ସୂଚନା ମିଳିଛି । ତେବେ ସେହି କଟକରେ ପୂର୍ବରୁ ମଧ୍ୟ ଏଭଳି ଅନେକ ନକଲି ଗୁଟ୍‌ଖା କାରଖାନା ଉପରେ ଚଢ଼ଉ ହୋଇଛି ।

ଗତ କିଛି ଦିନ ପୂର୍ବରୁ ଭୁବନେଶ୍ୱରରେ ନକଲି ସାମଗ୍ରୀର କାରଖାନା ଠାବ କରାଯାଇଥିଲା । ଏଠାରେ ଭେଜାଲ ଘିଅ ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ାଯାଇଥିଲା । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ତ୍ରିଲୋଚନ ବିହାରରେ ଏୟାର ଫିଲ୍ଡ ଥାନା ପୋଲିସ ଓ କୁଇକ୍ ଆକ୍ସନ ଟିମ୍‌ ଚଢାଉ କରିଥିଲା । ଚଢ଼ାଉ ସମୟରେ ବିପୁଳ ପରିମାଣରେ ଭେଜାଲ ଘିଅ ଜବତ କରିଥିଲା ପୋଲିସ । ଫୁଡ୍‌ ସେଫ୍ଟି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷା ପାଇଁ ନମୂନା ସଂଗ୍ରହ କରିଛନ୍ତି । ତେବେ ଲୋଭର ଶୀକାର ହୋଇ ଅଳ୍ପ ଟଙ୍କା ଖର୍ଚ୍ଚ କରି ଅଧିକ ଟଙ୍କା ପାଇବା ଆଶାରେ ଏଭଳି ବେଆଇନ୍‌ କାମ କରୁଛନ୍ତି  କିଛି ବ୍ୟବସାୟୀ ବୋଲି କୁହଯାଉଛି ।

ସେନା ଦିବସରେ ଯବାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସେନା ଦିବସରେ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶର ସେବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀ ଯବାନଙ୍କୁ ଦେଶ ସର୍ବଦା ମନେ ରଖିବ । ସାହସୀ ଏବଂ ଦେଶର ବୀର ସୈନିକଙ୍କ ପ୍ରତି ଦେଶବାସୀ ସର୍ବଦା କୃତଜ୍ଞ ରହିବେ ବୋଲି ଯବାନଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି କହିଛନ୍ତି ।

ସେହିପରି ଯବାନ ଓ ତାଙ୍କ ପରିବାରକୁ ସେନା ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମ ଯବାନମାନେ ଦେଶକୁ ସବୁବେଳେ ଗର୍ବିତ କରିଛନ୍ତି ବୋଲି ଟୁଇଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସେହିଭଳି ସିଡିଏସ ବିପିନ୍ ରାଓ୍ୱତ ମଧ୍ୟ ଯବାନଙ୍କୁ ସେନା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଦେଶ ପ୍ରତି ଯବାନଙ୍କ ବୀରତ୍ୱ ଏବଂ କର୍ତ୍ତବ୍ୟର ବଳିଦାନ ଆମକୁ ନୂତନ ଶକ୍ତି ସହିତ ନିଜକୁ ପୁନଃ ନିର୍ମାଣ କରିବାକୁ ପ୍ରେରଣା ଦିଏ ବୋଲି ରାଓ୍ୱତ ଟୁଇଟ୍ କରି କହିଛନ୍ତି ।

ସେପଟେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତ ସବୁବେଳେ ଶାନ୍ତି ଚାହେଁ । ସାରା ବିଶ୍ୱକୁ ଭାରତ ନିଜର ପରିବାର ଭାବି ସମ୍ମାନ କରେ । ତେବେ ଯେଉଁ ମହାଶକ୍ତି ବି ହେଉନା କାହିଁକି ଯଦି ସେ ଭାରତର ଆତ୍ମ ସମ୍ମାନ ଉପରେ ଆଞ୍ଚ ଆଣେ, ତାକୁ ଉଚିତ୍ ଯବାବ ମିଳିବ । ଶତ୍ରୁ ରାଷ୍ଟ୍ରକୁ ଏଭଳି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ସୀମାରେ ପଡୋଶୀ ଦେଶ ସହ ସ୍ଥିତି ବିଗୁଡୁଥିବା ବେଳେ ରାଜନାଥଙ୍କ ଏଭଳି ବୟାନ ଅନେକ ଗୁରୁତ୍ୱ ବହନ କରୁଛି । ଭାରତ କୌଣସି ରାଷ୍ଟ୍ର ସହ ଶତ୍ରୁତା ଚାହେଁ ନାହିଁ । ଆମେ ସବୁବେଳେ ଶାନ୍ତି ଓ ମିତ୍ରତା ଉପରେ ବିଶ୍ୱସ କରୁ କାରଣ ଏହା ଆମର ପରମ୍ପରା ଅଟେ । ଆମର ବୀର ଯବାନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ସବୁ ସମୟରେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଦେଶର ଯବାନ ପ୍ରସ୍ତୁତ ବୋଲି କହିଛନ୍ତି ରାଜନାଥ ।

ସେପଟେ ବାୟୁସେନାର ଶକ୍ତି ବଢାଇବା ପାଇଁ ନିଷ୍ପତ୍ତି ନେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ୮୩ଟି ତେଜସ୍ ଲଢୁଆ ବିମାନ କିଣିବା ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଦ୍ୱାରା ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ହେବ ଦେଶର ବାୟୁସେନା ବୋଲି କହିଛନ୍ତି ରାଜନାଥ ।

ଶ୍ରମିକଙ୍କ ସହ ମିଶି ମାଟି ଖୋଳିଲେ ପ୍ରକଳ୍ପ ନିର୍ଦ୍ଦେଶକ

0

ଭଦ୍ରକ: ଶ୍ରମିକ ମାନଙ୍କ ସହ ମିଶି ନିଜେ ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ମଧୁସୂଦନ ଦାସ । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ବେଳେ ଏଭଳି ଏକ ଉଦାରପୂର୍ଣ୍ଣ କାର୍ଯ୍ୟ ଦେଖିବାକୁ ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଭିନ୍ନ ଜିଲ୍ଲାରେ ଉନ୍ନୟନ ମୂଳକ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରାଯାଉଛି । ଜିଲ୍ଲା ପ୍ରଶାସନକୁ ଏହି ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେବେ ଏହି କ୍ରମରେ ଭଦ୍ରକ ବ୍ଲକ୍‌ ପରସିଙ୍ଗା ପଞ୍ଚାୟତରେ ହେଉଥିବା ଉନ୍ନତିମୂଳକ କାର୍ଯ୍ୟର ତଦାରଖ ବେଳେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ନିଜେ ଶ୍ରମିକ ମାନଙ୍କ ସହ ମିଶି ମାଟି ଖୋଳିଛନ୍ତି । ଏହାଦେଖି ଶ୍ରମିକମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ଏଥିସହ ଉକ୍ତ ପଞ୍ଚାୟତର ଲୋକମାନଙ୍କ ସହ ସୁଖ ଦୁଃଖ ମଧ୍ୟ ବାଣ୍ଟିଥିଲେ ପ୍ରକଳ୍ପ ନିର୍ଦ୍ଦେଶକ ।

Bhadrak PD

ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ କିପରି ତ୍ୱରାନ୍ୱିତ କରାଯିବ ସେନେଇ ମଧ୍ୟ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ୟାମ ଭକ୍ତ ମିଶ୍ର, ବିଡ଼ିଓଙ୍କ ସହ ବହୁ ଅଧିକାରୀ ଏହିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଧେଶକଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ମୁଣ୍ଡ-ଗଣ୍ଡି-ହାତ ଅଲଗା କରି ଫିଙ୍ଗିଦେଲେ ପୋଖରୀରେ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭବାନୀପୁର ଅଞ୍ଚଳର ଏକ ପୋଖରୀରୁ ମୃତଦେହ ଉଦ୍ଧାର । ମୃତ ଦେହରେ ମୁଣ୍ଡ ନଥିବା ବେଳେ ଦୁଇଟି ହାତ ମଧ୍ୟ ନଥିଲା । କିଛି ସମୟ ପରେ ଗୋଟିଏ ହାତ ଉଦ୍ଧାର କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ ମୁଣ୍ଡ ଏବଂ ଆଉ ଗୋଟିଏ ହାତ ସେହି ପୋଖରୀରେ ହିଁ ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି । ତେଣୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ପ୍ରଥମେ ମୁଣ୍ଡ ହୀନ ଶରୀର ଓ ଗୋଟିଏ ହାତ ଆଗ୍ନିଶମ ହାତରେ ଲାଗିଥିଲା । ପୂର୍ବ ଶତ୍ରୁତା କାରଣରୁ ଏଭଳି ବିଭତ୍ସ ହତ୍ୟା କରାଯାଇଥିବ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ମୃତକ ଜଣକ ଭବାନୀପୁର ଅଞ୍ଚଳର ହୋଇଥିବା ସନ୍ଦେହ କରାଯାଉଛି । କଟା ମୁଣ୍ଡ ଉଦ୍ଧାର ହେଵା ପରେ ତାର ପରିଚୟ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି ।

ସେହିଭଳି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର କେ ବଲାଙ୍ଗ ଥାନା ଅନ୍ତର୍ଗତ ମହିଷଛାପଲ ଗ୍ରାମ ସଂଲଗ୍ନ ଏକ ଚାଷ ଜମିରୁ ଜଣେ ବ୍ୟକ୍ତିର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ସେହି ଗ୍ରାମର ବିଜୟ ଓରାମ୍ (୨୭) । ଗୁରୁବାର ସନ୍ଧ୍ୟାରେ ଏହି ମୃତଦେହ ଉଦ୍ଧାର ହୋଇଛି ।

ଦୁଇଦିନ ହେବ ଗ୍ରାମରେ ତାଙ୍କୁ କେହି ଦେଖିନଥିବା ନେଇ ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବା ପରେ ପରିବାର ଲୋକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ପାରିବାରିକ କଳହ ହତ୍ୟାକାଣ୍ଡର କାରଣ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ରାଉରକେଲାରୁ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ଲୋଡିଛି ।

ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ଗିରଫ, ଓଡ଼ିଶା ଦେଇ ଯାଉଥିଲା ବିହାର

କୋରାପୁଟ: କିଛି ଦିନର ବ୍ୟବଧାନ ପରେ ପୁଣି ବିପୁଳ ପରିମାଣରେ ଗଂଜେଇ ଜବତ । ଏକ ବୋଲେରୋ ଗାଡ଼ିରେ ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡିଛି ।

କୋରାପୁଟ ଜିଲ୍ଲା ଲମତାପୁଟ ଓ ମାଛକୁଣ୍ଡ ପୋଲିସ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ମାଛକୁଣ୍ଡ ଅଞ୍ଚଳରୁ ଏକ ବୋଲେର ଗାଡି ଦ୍ରୁତ ଗତିରେ ଆସୁଥିଲା । ପୋଲିସ ମନରେ ସନ୍ଦେହ ସୃଷ୍ଟି ହେବାରୁ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ତେବେ ପୋଲିସକୁ ଦେଖି ସେମାନେ ଗାଡ଼ିର ସ୍ପିଡ୍‌ ଅଧିକ ବଢ଼ାଇଥିଲେ ।

ତେବେ ଏଥିରେ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ଲମତାପୁଟ ପୋଲିସ ସନ୍ଦେହ କରିଥିଲା । ପରେ ଗାଡିକୁ କାବୁ କରିବା ପାଇଁ ଏହାର ପିଛା କରିଥିଲା । କନାଗାଁ ଛକ ନିକଟରେ ପୋଲିସ ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡି ସହ ୨ଜଣକୁ ଧରିବାରେ ସଫଳ ହୋଇଥିଲା । ପରେ ଜବତ ବୋଲେରୋ ଗାଡି ଓ ୨ଜଣକୁ ଲମତାପୁଟ ଥାନାରେ ଆଣି ପଚରା ଉଚରା କରିବା ସହ ବୋଲେର ଗାଡିରୁ ଯାଞ୍ଚ କରି ସେଥିରୁ ୧୩୪.୬୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା । ଗଞ୍ଜେଇ ମାଫିଆ ମାନେ ଏକ ଅଭିନବ ଉପାୟରେ ସିଟ୍‌ ତଳେ ଗଞ୍ଜେଇ ଭର୍ତ୍ତି କରି ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ସ୍ଥାନୀୟ ଅଞ୍ଚଳରେ ୪ଲକ୍ଷ ଟଙ୍କା ହେବ ।

ଏହି ଗଂଜେଇ ଆନ୍ଧ୍ରପ୍ରଦେଶରୁ ମାଛକୁଣ୍ଡ, ଲମତାପୁଟ ଓ ଜୟପୁର ରାସ୍ତା ଦେଇ ବିହାର ଚୋରା ଚାଲାଣ ହେଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ବିହାର ଅଞ୍ଚଳର ଚତୁରାମ ନାମକ ଜଣେ ବୋଲେର ଡ୍ରାଇଭର ଓ ଦିଲ୍ଲୀ ଅଞ୍ଚଳର ରାଜିଆପାସବାନ ନାମକ ଯୁବକକୁ ଲମତାପୁଟ ପୋଲିସ ଗିରଫ କରିଛି ।

ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା, ବ୍ୟାପକ ଧନ ଜୀବନ ନଷ୍ଟ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା । ୭ ସେକେଣ୍ଡର ଭୂକମ୍ପ ଝଟ୍‌କାରେ ଥରିଲା ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପପୁଞ୍ଜ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରହିଥିବା ଜଣାପଡ଼ିଛି । ଏଥିରେ ବହୁ ବଡ଼ବଡ଼ କୋଠା ଭୁଶୁଡ଼ି ପଡ଼ିଛି । ଏବେ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରୁ ସୂଚନା ମିଳିଛି ।

Indonesia Earth quake

ଅନ୍ୟପଟେ ଏବେ ବି ମାଟି ତଳେ ଚାପି ହୋଇ ଶତାଧିକ ଲୋକ ନିଖୋଜ ଥିବା ଅନୁମାନ କରାଯାଉଛି । ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେହିଭଳି ମାଜେନ ସହରଠାରୁ ୬ କମି ଦୂରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ମାଜେନ ସହରର ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୩୭ ଜଣ ଆହତ ହୋଇଛନ୍ତି । ମାମୁଜୁରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ସେଥିରେ ଜଣଙ୍କ ମୃତ୍ୟୁ ହୋଇଛି । ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଭାରତର ଆତ୍ମ ସମ୍ମାନ ଉପରେ ଆଞ୍ଚ ଆଣିଲେ, ଉଚିତ୍‌ ଯବାବ ଦିଆଯିବ: ରାଜନାଥ

ନୂଆଦିଲ୍ଲୀ: ଭାରତ ସବୁବେଳେ ଶାନ୍ତି ଚାହେଁ । ସାରା ବିଶ୍ୱକୁ ଭାରତ ନିଜର ପରିବାର ଭାବି ସମ୍ମାନ କରେ । ତେବେ ଯେଉଁ ମହାଶକ୍ତି ବି ହେଉନା କାହିଁକି ଯଦି ସେ ଭାରତର ଆତ୍ମ ସମ୍ମାନ ଉପରେ ଆଞ୍ଚ ଆଣେ, ତାକୁ ଉଚିତ୍ ଯବାବ ମିଳିବ । ଶତ୍ରୁ ରାଷ୍ଟ୍ରକୁ ଏଭଳି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ସୀମାରେ ପଡୋଶୀ ଦେଶ ସହ ସ୍ଥିତି ବିଗୁଡୁଥିବା ବେଳେ ରାଜନାଥଙ୍କ ଏଭଳି ବୟାନ ଅନେକ ଗୁରୁତ୍ୱ ବହନ କରୁଛି । ଭାରତ କୌଣସି ରାଷ୍ଟ୍ର ସହ ଶତ୍ରୁତା ଚାହେଁ ନାହିଁ । ଆମେ ସବୁବେଳେ ଶାନ୍ତି ଓ ମିତ୍ରତା ଉପରେ ବିଶ୍ୱସ କରୁ କାରଣ ଏହା ଆମର ପରମ୍ପରା ଅଟେ । ଆମର ବୀର ଯବାନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ସବୁ ସମୟରେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଦେଶର ଯବାନ ପ୍ରସ୍ତୁତ ବୋଲି କହିଛନ୍ତି ରାଜନାଥ ।

ସେପଟେ ବାୟୁସେନାର ଶକ୍ତି ବଢାଇବା ପାଇଁ ନିଷ୍ପତ୍ତି ନେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ୮୩ଟି ତେଜସ୍ ଲଢୁଆ ବିମାନ କିଣିବା ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଦ୍ୱାରା ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ହେବ ଦେଶର ବାୟୁସେନା ବୋଲି କହିଛନ୍ତି ରାଜନାଥ ।

୫୧ ଦିନରେ ଚାଷୀ ଆନ୍ଦୋଳନ, ପୁଣି ବସିବ ବୈଠକ

ନୂଆଦିଲ୍ଲୀ: ନୂଆ ଆଇନକୁ ନେଇ ଆର୍ ୟା ପାର ଲଢେଇ ଲଢୁଛନ୍ତି ଚାଷୀ । ୫୧ ଦିନ ଧରି ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ବାହାରି ପାରୁନି ସମାଧାନର ବାଟ । ସମସ୍ୟାର ସମାଧାନ ପାଇଁ ଆଜି ପୁଣି ଥରେ କେନ୍ଦ୍ର ସରକାର ଓ ଚାଷୀ ନେତାଙ୍କ ମଧ୍ୟରେ ବସିବ ବୈଠକ । ଦିଲ୍ଲୀର ବିଜ୍ଞାନ ଭବନରେ ଅପରାହ୍ନ ୧୨ଟାରେ ହେବ ବୈଠକ ।

ପୂର୍ବ ନିର୍ଧାରିତ ସୂଚି ଅନୁଯାୟୀ ବୈଠକରେ ଆଲୋଚନା ହେବ । ବୈଠକରେ ସମସ୍ୟାର ସମାଧାନ ନେଇ ବାଟ ବାହାରିପାରେ ବୋଲି ଆଶା କରାଯାଉଛି । ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା ଅନେକ ଚାଷୀଙ୍କ ଜୀବନ ଯାଇଥିବା ବେଳେ, ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସୁପ୍ରିମକୋର୍ଟ । ତେଣୁ ଆଜି କିଛି ବଡ ନିଷ୍ପତ୍ତି କେନ୍ଦ୍ର ସରକାର ନେଇପାରନ୍ତି ବୋଲି କୁହାଯାଉଛି ।

ଅନ୍ୟପଟେ ଯେ ପର୍ଯ୍ୟନ୍ତ ଆଇନ୍ ପ୍ରତ୍ୟାହାର ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଚାଷୀ ସେମାନଙ୍କ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ରଣନୀତି ଆରମ୍ଭ କରିଛନ୍ତି । ଯଦି ଆଜିର ବୈଠକରେ ସରକାର ଚାଷୀଙ୍କ ଦାବି ନ ମାନନ୍ତି, ତେବେ ଆସନ୍ତା ୧୮ ତାରିଖରେ ମହିଳା କିଷାନ ଦିବସ ପାଳିବେ ଆନ୍ଦୋଳନକାରୀ ଚାଷୀ । ସେହିଭଳି ୨୫ ଓ ୨୬ ତାରିଖରେ ଟ୍ରାକ୍ଟର ପରେଡ୍ କରିବା ପାଇଁ ଚାଷୀମାନେ ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟରେ ପୁଣି ବଢିବ ଶୀତ

ଭୁବନେଶ୍ୱର: ଓଡିଶାରେ ପୁଣି ଅନୁଭୂତ ହେବ ଶୀତ । ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶାକୁ ଆସୁଥିବା ଥଣ୍ଡା ପବନ ପ୍ରଭାବରେ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଘନ କୁହୁଡି ସାଙ୍ଗକୁ ଶୀତରେ ଥରିବ ଆଭ୍ୟନ୍ତରୀଣ ଓଡ଼ିଶା। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବ । ବିଶେଷ କରି ସୁନ୍ଦରଗଡ ଏବଂ ଝାରସୁଗୁଡାରେ ଦୁଇଦିନ ପର୍ଯ୍ୟନ୍ତ ଶୀତଲହରୀ ବା କୋଲ୍ଡ ଓ୍ୱେଭ୍ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଦୁଇ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିବ। ସାରା ରାଜ୍ୟରେ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବା ସହ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ଭୁବନେଶ୍ୱରରେ ଆକାଶ ମେଘମୁକ୍ତ ରହିବା ସହ କୁହୁଡି ଦେଖାଦେବ । ଉପକୂଳ ଓଡ଼ିଶାରେ ଏବେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଥିବା ବେଳେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ କମିବ ।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅନୁଗୁଳ, ବୌଦ୍ଧ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ ଏବଂ କନ୍ଧମାଳରେ ଘନ କୁହୁଡି ଦୃଶ୍ୟମାନ ହେବ । ଏହି ସ୍ଥାନଗୁଡିକରେ ଦୃଶ୍ୟମାନ ୨ଶହ ମିଟରରୁ କମ୍ ରହିବ । ଏହାସହ ଉପକୂଳ ଓଡ଼ିଶାରେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ।

ଆଜି ଆପଣଙ୍କ ରାଶି ପାଇଁ କେଉଁ ରଙ୍ଗ ଶୁଭ, ଜାଣନ୍ତୁ…

ଆଜିର ପଞ୍ଚାଙ୍ଗ: ୧୫/୦୧/୨୦୨୧ ଶୁକ୍ରବାର, ମକର ୨ଦିନ, ପୌଷ ଶୁକ୍ଲ ୨ୟା ଦିବା ୦୮:୦୫ ଗତେ ୩ୟା, ୧୪୨୮ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍,

– ମକର ସଂଧ୍ୟା ୦୫:୦୫ ଗତେ କୁମ୍ଭ

– ଧନିଷ୍ଠା ନକ୍ଷତ୍ର ନିଶାନ୍ତ ୦୫:୧୬ ପର୍ଯ୍ୟନ୍ତ

– ଘାତ ଚନ୍ଦ୍ର – ସିଂହ ର ସଂଧ୍ୟା ୦୫:୦୫ ଗତେ ମିଥୁନ ଓ ମୀନ ର

– ଘାତ ବାର – ବିଛା ଧନୁ ଓ ମୀନ ରାଶିର

– ଯୋଗିନି – ଉତ୍ତରେ ଦିବା ୦୮:୦୫ ଗତେ ଆଗ୍ନୟେ

– ପୁଷ୍କର ଦୋଷ – ୧ପାଦ ଦିବା ୦୮:୦୫ ପର୍ଯ୍ୟନ୍ତ

– ନିଷିଦ୍ଧ ଖାଦ୍ୟ – ପୋଟଳ

 – ଶୁଭ ସମୟ –

ପ୍ରାତଃ ୦୭:୫୫ ରୁ ୦୯:୧୨

ଦିବା ୧୨:୧୮ ରୁ ୦୨:୨୯

ଦିବା ୦୩:୫୬ ରୁ ୦୫:୨୪

ରାତ୍ର ୦୭:୦୮ ରୁ ୦୮:୪୦

ଅଶୁଭ ସମୟ –

ଦିବା ୦୯:୧୨ ରୁ ୧୧:୫୬

ରାତ୍ର ୦୮:୪୦ ରୁ ୧୦:୧୮

ମହାଉପାୟ ଶୁକ୍ରବାର :

ଶୁକ୍ରଗ୍ରହ ଙ୍କର ଅଧିପତି – ଦେବୀ ଲକ୍ଷ୍ମୀ

ଶୁକ୍ରବାରରେ କରନ୍ତୁ ଏହିସବୁ ମହାଉପାୟ ଏବଂ ପ୍ରାପ୍ତ ହୁଅନ୍ତୁ ଦେବୀ ଲକ୍ଷ୍ମୀଙ୍କର ଆଶିବାଦ

– ଦାନ କରନ୍ତୁ – ରଙ୍ଗିନ ବସ୍ତ୍ର, ବାସନା ଅତର(ପଫ୍ୟୁମ), ଶ୍ରୀଙ୍ଗାର ଚୁଡି ଏବଂ ମହିଳାମାନଙ୍କର ସଜବାଜ ଦ୍ରବ୍ୟ,ଖାଇବା ତେଲ, ଘିଅ,ଚିନି ଏବଂ ଚନ୍ଦନକାଠି

– ପ୍ରତି ଶୁକ୍ରବାର ଜଳରେ ହଳଦି ଚନ୍ଦନ ଏବଂ ଦହି ମିଶାଇ ସ୍ନାନ କରିବେ

– କଳା ପିମ୍ପୁଡିଙ୍କୁ ମିଠା ଖାଇବାକୁ ଦେବେ

– କୌଣସି କଣା ବା ଆଖି ଖରାପଥିବା ବ୍ୟକ୍ତିଙ୍କୁ ଧଳାବସ୍ତ୍ର ଏବଂ ଧଳା ମିଠା ଦାନ କରିବେ

– ପ୍ରତି ଶୁକ୍ରବାର ଲକ୍ଷ୍ମୀଙ୍କର ବ୍ରତ ସହିତ ସ୍ତୁତି ପାଠ କରିବେ

– ଶୁକ୍ରବାର ଦିନ ମିଠାଇ ଏବଂ କ୍ଷିରି ଭୋକିଲାଙ୍କୁ ଖାଇବାକୁ ଦେବେ

– ନିଜ ଖାଇବା ଖାଦ୍ୟରୁ କିଛିଅଂଶ ବାହାର କରି ଗୁଡ ମିଶାଇ ଗାଇଙ୍କୁ ଖାଇବାକୁ ଦେବେ

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ ।

ଦ୍ୱିଜା ନକ୍ଷତ୍ର – ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ହନୁମାନଙ୍କ ନିମନ୍ତେ ଗୃହରେ ରାଶିତେଲର ଦ୍ୱୀପ ଦିଅନ୍ତୁ ଶୁଭଫଳ ପ୍ରାପ୍ତ ହେବ ।

କୃତ୍ତିକା ନକ୍ଷତ୍ର – ଯଥାସାଧ୍ୟ ଅର୍ଥ ପ୍ରାପ୍ତି ହେବ ଏବଂ ଆଶାଜନକ ପରିବେଷ ପରିସ୍ଥିତି ରହିବ,

ନିଜ ଖାଇବା ଖାଦ୍ୟରୁ କିଛିଖାଦ୍ୟ କାଉଙ୍କୁ ଦିଅନ୍ତୁ ଶୁଭତ୍ୱ ବୃଦ୍ଧି ହେବ ।

ଶୁଭ ରଙ୍ଗ – ସବୁଜ

ଆଜି ସ୍ନାନସାରି – ଓଁ ଅଙ୍ଗାରକାୟ ନମଃ ୨୧ ଜପ କରନ୍ତୁ କଲ୍ୟାଣ ହେବ॥

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଶୁଭଦିନ ରହିବ ତେଣୁ ଟଙ୍କପଇସାକୁ ନେଇ ଚିନ୍ତା କମିବ, ଲୋକସମ୍ପରର୍କ ବଢିବ ଏବଂ କର୍ମକ୍ଷେତ୍ରରେ ଆଶାଜନକ ସ୍ଥିତି ରହିବ ।

ରୋହିଣି ନକ୍ଷତ୍ର – ଆଜି ସକାଳୁ ସ୍ନାନସାରି ଭଗବାନ ଶିବଙ୍କୁ ଦର୍ଶନକରି ଆର୍ଶିବାଦ ନିଆନ୍ତୁ ଶୁଭରେ ଶୁଭରେ ଦିନ କଟିବ ।

ମୃଗଶିରା ନକ୍ଷତ୍ର – ଅଶାଜନକ ପରିବେଷ ପରିସ୍ଥିତି ରହିବ, ସୁଖଶାନ୍ତିରେ ସମୟ କଟିବ ମାତ୍ର ଅଯଥା ଖର୍ଚ୍ଚ ବଢିବ ତେଣୁ ମନ ବିଚଳିତ ରହିବ ।

ଶୁଭ ରଙ୍ଗ – ନୀଳ

ରକ୍ତଦାନ କରନ୍ତୁ ଏବଂ ଦେବୀ ମଙ୍ଗଳାଙ୍କର ସ୍ତୁତି ପଢନ୍ତୁ କଲ୍ୟାଣ ହେବ ।

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ଚାକିରି ହେଉ କିମ୍ବା ବ୍ୟବସାୟ କିଛି କିଛି ବାଧାବିଘ୍ନ ରହିବ, ପରିବାରରେ ଭୁଲବୁଝାବଣା ରହିବ ।

ଆର୍ଦ୍ରା ନକ୍ଷତ୍ର – ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ଏବଂ ମନେ ମନେ ଓଁ ନମଃ ଶିବାୟ ଜପକରୁଥିବେ ।

ପୂନର୍ବସୁ ନକ୍ଷତ୍ର – ଆଜି ପରିଶ୍ରମ ମୁତାବକ ଫଳ ପାଇବେ ନାହିଁ ଓ ମନ ବିଚଳିତ ରହିବ, ନିଜର ବାକ୍ୟ ସାମ୍ମା ବ୍ୟକ୍ତିକୁ ଖରାପ ଲାଗିବ ।

ଶୁଭ ରଙ୍ଗ – ଲାଲ

ଦହି ଖାଆନ୍ତୁ ଏବଂ ଧଳାଗାଇକୁ ଖୁଆନ୍ତୁ ମନ ଶାନ୍ତ ରହିବ ।

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – ମାନ ସମ୍ମାନ, ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ପ୍ରକାର କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ ।

ପୂଷ୍ୟା ନକ୍ଷତ୍ର – ଆୟ ମନମୁତାବକ ହେବ, କିଛି ଯୋଜନାରେ ସଫଳ ହେବେ ଚେଷ୍ଟା କାରି ରଖନ୍ତୁ ଓ ବିବାହଯୋଗ୍ୟ ପିଲାଙ୍କର ସମ୍ଭାବନା ସୃଷ୍ଟି ହେବ।

ଅଶ୍ଲେଷା ନକ୍ଷତ୍ର – ଆଜି ସକାଳୁ ସ୍ନାନ ସାରି ହନୁମାନଙ୍କର  ଚାଳିଷା ପାଠକରି ଦିନ ଆରମ୍ଭ କରନ୍ତୁ ସମସ୍ତ ଯୋଜନାରେ ସଫଳ ହେବେ ।

ଶୁଭ ରଙ୍ଗ – ଧଳା

ଆଜି ମନର ଇଷ୍ଟଦେବଙ୍କୁ ସ୍ମରଣ ସହିତ ଲବଙ୍ଗ ଖାଇ ଦିନ ଆରମ୍ଭ କରିବେ ।

ସିଂହ ରାଶି

ମଘା ନକ୍ଷତ୍ର – କୌଣସି ଅତିତର ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଷ ଭଲ ରହିବ ।

ପୂର୍ବାଫାଲଗୁନି ନକ୍ଷତ୍ର – ଅଜି ପରିଶ୍ରମ ମୁତାବକ ଫଳ ମିଳିବ, କିନ୍ତୁ ମନ ବିଚଳିତ ରହିବ ତେଣୁ ଜଳରେ ହଳଦି ମିଶାଇ ସ୍ନାନ କରିବେ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – କୌଣସି ପ୍ରକାରର ଆଶା ପୁରଣ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ମିଳିବା ସହିତ ଆତ୍ମବଳ ବଢିବ ।

ଶୁଭରଙ୍ଗ – ଆକାଶିଆ

ଦେବଦାରୁ ବୃକ୍ଷମୂଳରେ ଜଳ ଦିଅନ୍ତୁ ଏବଂ ଚେର ପାଖରେ ରଖନ୍ତୁ ।

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ସ୍ନାନପରେ ମହୁଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କମିବ ।

ହସ୍ତା ନକ୍ଷତ୍ର – କର୍ମସ୍ଥଳରେ ଆଶାଜନକ ପରିସ୍ଥିତି ରହିବ, ଜାଗାବାଡି ଏବଂ ନୁତନ ଯାନବାହାନ କ୍ରୟ ନିମନ୍ତେ ସୁଯୋଗ ସୃଷ୍ଟି ହେବ ।

ଚିତ୍ରା ନକ୍ଷତ୍ର – ମନ ଏବଂ ସ୍ବାସ୍ଥ୍ୟ ଦୁର୍ବଳ ରହିବ ଓ ଛାତ୍ରଛାତ୍ରୀଙ୍କର  ପାଠପ୍ରତି ଆଗ୍ରହ କମ ରହିବ ।

ଶୁଭ ରଙ୍ଗ – ସୁନେଲି ଓ କମଳା

ସବୁଜ ପରିବା ଏବଂ ଶାଗ ଗାଇକୁ ନିଜ ହାତରେ ଖୁଆନ୍ତୁ ଆଶିବାଦ ମିଳିବ ।

ତୁଳା ରାଶି

ଚିତ୍ରା ନକ୍ଷତ୍ର – କୌଣସି ଚିନ୍ତା ମନକୁ ଦୁବଳ କରିଦେବ, ଆମିଷ ଖାଇବେ ନାହିଁ ଏବଂ ଲକ୍ଷ୍ମୀଙ୍କର ସ୍ତୁତି ପଢନ୍ତୁ କିମ୍ବା ଶୁଣନ୍ତୁ ।

ସ୍ୱାତୀ ନକ୍ଷତ୍ର – ଆଜି ସମୟ ସାଥ ଦେବ ନାହିଁ ତେଣୁ ନିଜର ପ୍ରିୟ ଭଗବାନଙ୍କୁ ଦର୍ଶନକରି ଆଦାଖଣ୍ଡେ ପାଟିରେ ରଖି ଦିନ କାଟନ୍ତୁ ।

ବିଶାଖା ନକ୍ଷତ୍ର – ମନର ଆଶା ପୁରଣ ହେବ, ସହଜରେ ଦିନ କଟିବ, ପିଲାମାନଙ୍କର ଭବିଷ୍ୟତ ନିମନ୍ତେ ଶୁଭ ଖବର ମିଳିବ ।

ଶୁଭ ରଙ୍ଗ – ଆକାଶିଆ

ଲୁଣପାଣି ଘରର ମୁଖ୍ୟଦ୍ବାରରେ ଛିଞ୍ଚନ୍ତୁ ଏବଂ କାଉକୁ ଖାଇବାକୁ ଦିଅନ୍ତୁ ।

ବିଛା ରାଶି

ବିଶାଖା ନକ୍ଷତ୍ର – ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ ।

ଅନୁରାଧା ନକ୍ଷତ୍ର – ଚାକିରିରେ ଶୁଭତ୍ୱ ଏବଂ ବ୍ୟବସାୟରେ ଲାଭ ବଢିବ, ପୁରୁଣା ରୋଗରୁ ଆଶ୍ୱସ୍ତି ମିଳିବ ।

ଜ୍ୟେଷ୍ଠା ନକ୍ଷତ୍ର – ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ଆତ୍ମବଳ ଅଧିକ ରହିବ ।

ଶୁଭ ରଙ୍ଗ – ଧଳା

ସ୍ନାନସାରି ହନୁମାନଚାଳିଷା ପାଠ କରି ଦିନ ଆରମ୍ଭ କରିବେ ।

ଧନୁ ରାଶି  

ମୂଳା ନକ୍ଷତ୍ର – ଆଜି ପରିବାର ସହିତ ସମୟ କାଟନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଆତ୍ମଶାନ୍ତି ମିଳିବ ।

ପୂର୍ବଷାଢା ନକ୍ଷତ୍ର – ଆଜି ଶୁଭ ଦିନ ରହିଛି ତଥାପି କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ ମନର ଆଶା ପୁରଣ ହେବ ।

ଉତ୍ତରାଷାଢା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ ।

ଶୁଭ ରଙ୍ଗ – ହଳଦିଆ

ସ୍ନାନପରେ ଠାକୁର ଗୃହରେ ଘିଅଦ୍ବିପ ଲଗାଇ ଗଣେଷଙ୍କର ଵାଳିଷା ପାଠ କରନ୍ତୁ କଲ୍ୟାଣ ହେବ ।

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – କୌଣସି ପ୍ରକାରର ଚେଷ୍ଟା କରୁଥିବା କାମ ହେଇଯିବ, ବକେୟା ଅର୍ଥ ଏବଂ ଅଟକିଥିବା କାମ ପ୍ରାପ୍ତ ହେବ ।

ଶ୍ରବଣା ନକ୍ଷତ୍ର – ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ପ୍ରିୟ ଠାକୁରଙ୍କୁ ଘୃତଦ୍ବୀପ ଦେଇ ମନକଥା ଜଣାନ୍ତୁ କଲ୍ୟାଣ ହେବ ।

ଧନିଷ୍ଠା ନକ୍ଷତ୍ର – ଅନୁକୁଳ ସମୟ ରହିବ, ମନର ଆଶା ପୁରଣ ହେବ, ଆଜି ଧଳାବସ୍ତ୍ର ବ୍ୟବହାର କରନ୍ତୁ ଅଧିକ ଶୁଭ ।

ଶୁଭ ରଙ୍ଗ – ସବୁଜ

ହଳଦି ଅକ୍ଷତ ଓ ଚନ୍ଦନ ମଥାରେ ଟିକା ଲଗାନ୍ତୁ, ଗୁରୁଜନଙ୍କର ଆର୍ଶିବାଦ ନିଅନ୍ତୁ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ମନର ଆଶା ପୁରଣ ହେବ ନାହିଁ ତେଣୁ ମାନସିକ ଶାନ୍ତି ବୃଦ୍ଧି ହେବ, କିଛି ବିରିଡାଲି ପକ୍ଷିଙ୍କୁ ଖୁଆଇବେ କଲ୍ୟାଣ ହେବ  ।

ଶତଭିଷା ନକ୍ଷତ୍ର – ଆଜି ବାଧାବିଘ୍ନ ରହିବ ତେଣୁ କିଛି ଚାଉଳ ଏବଂ ଗହମ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୂରଣ ହେବ ।

ପୂର୍ବଭାଦ୍ର ନକ୍ଷତ୍ର – ପିଲାମନଙ୍କର ଭବିଷ୍ୟତର ପାଠପଢା ଏବଂ କର୍ମନିଯିକ୍ତିକୁ ନେଈ ଚିନ୍ତିତ ରହିବେ, ଯାନ୍ତ୍ରିକ ଜିନିଷ ଖରାପ ହୋଇ ଅଯଥା ଖର୍ଚ୍ଚାନ୍ତ ହେବେ ।

ଶୁଭ ରଙ୍ଗ – ଆକାଶିଆ

କାଉ ଓ କୁକୁରଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ ।

ମୀନ ରାଶି  

ପୂର୍ବଭାଦ୍ର ନକ୍ଷତ୍ର – ପାରିବାରିକ ଏବଂ କାଯ୍ୟସ୍ଥଳ ପରିବେଷରେ ମନ ଆନନ୍ଦ ରହିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ ।

ଉତ୍ତରଭାଦ୍ର ନକ୍ଷତ୍ର – କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, କୌଣସି କ୍ଷେତ୍ରରୁ ସହାୟତା ମିଳିବ ।

ରେବତୀ ନକ୍ଷତ୍ର – ପରିବାରରେ ଦାୟିତ୍ୱ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ, କର୍ମଜୀବି ମହିଳା ଅଧିକ ଶୁଭଫଳ ପାଇବେ ।

ଶୁଭ ରଙ୍ଗ – ହଳଦିଆ

ବିଷ୍ଣୁ ଭଗବାନଙ୍କୁ ଦର୍ଶନ କରନ୍ତୁ କଲ୍ୟାଣ ହେବ ।

 

ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ