spot_img
Home Blog Page 6082

ଅପହଞ୍ଚ ଇଲାକାରେ ପହଞ୍ଚିଲେ ବିଧାୟକ, ଦେଲେ ବିକାଶର ପ୍ରତିଶ୍ରୁତି

ଆଠମଲ୍ଲିକ: ନିଜ ଅଞ୍ଚଳ ପାଇଁ କିଛି କରି ଦେଖାଇବାର ସ୍ୱପ୍ନ ତାଙ୍କୁ ସଦାବେଳେ ଘାରୁଥିଲା । ଏପରିକି ୭ ବର୍ଷର ଚାକିରି ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାଇଥିଲେ । ଆଉ ବିଜେଡି ଟିକେଟରୁ ଲଢ଼ି ଆଠମଲ୍ଲିକର ବିଧାୟକ ହୋଇଛନ୍ତି ରମେଶ ଚନ୍ଦ୍ର ସାଏ । ଯିଏକି ଦିନେ ଓଡ଼ିଶା ସରକାରଙ୍କର ଆଦିବାସୀ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ ।

Athamallick MLA Ramesh Chandra Sai Visits Remote Area Tentuli Khol

ଲୋକଙ୍କ ସେବା ପାଇଁ ସେ ପ୍ରତ୍ୟେକ ଦିନ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଥାଆନ୍ତି । ଆଜି ଏମିତି ଏକ ଗାଁକୁ ଗସ୍ତ କରିଛନ୍ତି ବିଧାୟକ । ଯେଉଁ ଗାଁକୁ ଯିବା ଲାଗି ରାସ୍ତାଘାଟର ସୁବିଧା ନାହିଁ । ଚାରି ପାଖରେ ପାହାଡ଼ ଘେରି ରହିଥିବା ଏହି ତେନ୍ତୁଳି ଖୋଳ ଗାଁକୁ ଯିବା ଲାଗି ଏକମାତ୍ର ବିକଳ୍ପ ହେଉଛି ଚାଲି ଚାଲି ପାହାଡ଼ ଅତିକ୍ରମ କରିବା ।

Athamallick MLA Ramesh Chandra Sai Visits Remote Area Tentuli Khol

ଗାଁ ନା ଶୁଣିଲେ ନେତା ତ ଦୂରର କଥା ସାଧାରଣ ଲୋକମାନେ ମଧ୍ୟ ଯିବାକୁ ଅରାଜି ହୋଇଥାନ୍ତି । ଗାଁ ଠାରୁ ତଳକୁ ପାହାଡ଼ ଡେଇଁ ୫ କିଲୋମିଟର ଚାଲି ଚାଲି ଗଲା ପରେ ସାଇକେଲ ମାଧ୍ୟମରେ କଲେଜର ଯାଇଥାନ୍ତି ଛାତ୍ରଛାତ୍ରୀ । ଯିବା ଆସିବା ପରିଶ୍ରମ ଯେତେ ହେଉନା କାହିଁକି
ସେମାନଙ୍କ ମନୋବଳକୁ ଭାଙ୍ଗି ପାରିନି ଉଚ୍ଚଶିକ୍ଷିତ ହେବାର ଆଶା । ଗାଁକୁ ବିଧାୟକଙ୍କ ଗସ୍ତରେ ବେଶ୍ ଆନନ୍ଦିତ ଗ୍ରାମବାସୀ । ରାସ୍ତା ଏବଂ ପାଣି ସମସ୍ୟା ବିଧାୟକ ସୁଧାର ଆଣିବେ ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ଅଛି ।

Athamallick MLA Ramesh Chandra Sai Visits Remote Area Tentuli Khol

ବିଧାୟକ ରମେଶ ଚନ୍ଦ୍ର ସାଏ କହିଛନ୍ତି ଆମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅଛି ପ୍ରତ୍ୟେକ ଗାଁ କୁ ଯାଅ, ଲୋକଙ୍କ ସମସ୍ୟା ପୂରଣ କର । ମୁଁ ଏ ଦୁର୍ଗମ ଅଞ୍ଚଳ ଗସ୍ତ କରିଥିଲି, ଲୋକଙ୍କ ସହ ମିଶିଲି ଯଥାସମ୍ଭବ ଲୋକଙ୍କ ସମସ୍ୟା ପୂରଣ କରିବି ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ତେବେ, ଦେଖିବାର କଥା ସ୍ୱାଧୀନତାର ସାତ ଦଶନ୍ଧି ବିତିଥିବା ବେଳେ ତେନ୍ତୁଳି ଖୋଳ ଗ୍ରାମବାସୀଙ୍କୁ କେବେ ମିଳୁଛି ମୌଳିକ ସୁବିଧା ? ନା ପ୍ରତିଶ୍ରୁତି ଦେଇ ପୁଣି ଚୁପ୍ ବସି ପଡ଼ୁଛନ୍ତି ନେତା ଓ ପ୍ରଶାସନ ।

ସୁଶାନ୍ତଙ୍କ ଜନ୍ମଦିନରେ କଙ୍ଗନାଙ୍କ ଟୁଇଟ୍‌, କେବେ ଭୁଲନି, କ୍ଷମା ଦିଅନି

ମୁମ୍ବାଇ:   ଆଜି ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୂତଙ୍କ ୩୫ ତମ ଜନ୍ମ ବାର୍ଷିକୀ । ଜନ୍ମ ବାର୍ଷିକୀ ଉପଲକ୍ଷେ ସୁଶାନ୍ତଙ୍କ ପରିବାର, ପ୍ରଶଂସକ ଏବଂ ବଲିଉଡ ସେଲିବ୍ରିଟୀ ତାଙ୍କୁ ଖୁବ୍ ମନେ ପକାଉଛନ୍ତି । ସୁଶାନ୍ତଙ୍କ ଜନ୍ମଦିନରେ ବଲିଉଡ କୁଇନ୍ କଙ୍ଗନା ରନୌତ ଏକାଧିକ ଟ୍ୱିଟ କରିଥିଲେ । ଟ୍ୱିଟ୍ ଦ୍ୱାରା ସେ ସୁଶାନ୍ତଙ୍କୁ ମନେ ପକାଇବା ସହ ମୁଭି ମାଫିଆକୁ ବି କରିଥିଲେ ଟାର୍ଗେଟ୍ । କଙ୍ଗନାଙ୍କ ନିଶାନାରେ ଥିଲେ ୟଶରାଜ୍ ଫିଲ୍ମସଠାରୁ କରଣ ଜୋହର ।

କଙ୍ଗନା ତାଙ୍କ ପ୍ରଥମ ଟୁଇଟରେ ସୁଶାନ୍ତଙ୍କ ଫଟୋ ଶେୟାର କରି ଲେଖିଛନ୍ତି , ପ୍ରିୟ ସୁଶାନ୍ତ, ମୁଭି ମାଫିଆ ତୁମକୁ ବ୍ୟାନ କଲେ, ତୁମକୁ ସମସ୍ୟାରେ ପକାଇଲେ ଏବଂ ମାନସିକ ନିର୍ଯାତନା ଦେଲେ । ତୁମେ ଅଧିକାଂଶ ସମୟ ସୋଶଲ ମିଡିଆରେ ସାହାଯ୍ୟ ପାଇଁ କହିଲ, ମୁଁ ଅନୂତାପ କରୁଛିଯେ ମୁଁ ତୁମ ପାଇଁ କିଛି କରିପାରିଲିନି । ମୋତେ ଲାଗିଥିଲା ଯେ ତୁମେ ନିଜ ଦମରେ ମୁଭି ମାଫିଆକୁ ସାମ୍ନା କରିବାକୁ ସକ୍ଷମ ।

ଅନ୍ୟ ଏକ ଟୁଇଟରେ ସେ ଲେଖିଛନ୍ତି, କେବେ ମଧ୍ୟ ଏହା ଭୁଲିବା ନାହିଁ ଯେ ମୃତ୍ୟୁ ପୂର୍ବରୁ ସୁଶାନ୍ତ, ମୁଭି ମାଫିଆ ତାଙ୍କୁ ଇଣ୍ଡଷ୍ଟ୍ରିରୁ ବାହାର କରିଦେବାକୁ ଚାହୁଁଥିବା କଥା ଲେଖିଥିଲେ । ଏହା ସହିତ ନିଜ ଫିଲ୍ମକୁ ସଫଳ କରାଇବା ପାଇଁ ସେ ତାଙ୍କ ଫ୍ୟାନ୍ସଙ୍କୁ ସାହାଯ୍ୟ ମାଗିଥିଲେ । ସାକ୍ଷାତକାରରେ ସେ ନେପୋଟିଜମକୁ ବିରୋଧ କରୁଥିଲେ । ତାଙ୍କ ବ୍ଲକବଷ୍ଟର ଫିଲ୍ମକୁ ଫ୍ଲପ ବୋଲି ଘୋଷଣା କରାଗଲା ।

ଟ୍ୱିଟ୍ ଥ୍ରେଡକୁ ଜାରି ରଖି କଙ୍ଗନା ଆଉ ଗୋଟିଏ ଟ୍ୱିଟ୍ କରିଥିଲେ । ଲେଖିଥିଲେ, କେବେ ମଧ୍ୟ ଭୁଲନ୍ତୁ ନାହିଁ ଯେ ୟଶରାଜ୍ ଫିଲ୍ମସ ତାଙ୍କୁ ବ୍ୟାନ କରିଥିବା କଥା ସୁଶାନ୍ତ ଲେଖିଥିଲେ । କରଣ ଜୋହର ତାଙ୍କୁ ବଡ଼ ସ୍ୱପ୍ନ ଦେଖାଇ ଠକିଛନ୍ତି । ଏହା ସହିତ ସୁଶାନ୍ତ ଜଣେ ଫ୍ଲପ ଆକ୍ଟର ବୋଲି କହି ବୁଲିଲେ । କେବେ ମଧ୍ୟ ଭୁଲନ୍ତୁନି ମହେଶ ଭଟ୍ଟଙ୍କ ସମସ୍ତ ପିଲା ଡିପ୍ରେସ୍ଡ । ସମସ୍ତେ ମିଶି ସୁଶାନ୍ତଙ୍କ ମାରି ଦେଇଛନ୍ତି । ସବୁକିଛି ସୁଶାନ୍ତ ମୃତ୍ୟୁ ପୂର୍ବରୁ ସୋଶଲ ମିଡିଆରେ ଲେଖିଥିଲେ । ଶେଷରେ କଙ୍ଗନା ସୁଶାନ୍ତ ଡେ’ ହ୍ୟାଶଟ୍ୟାଗ୍ ଦେଇଛନ୍ତି ।

କେବଳ କଙ୍ଗନା ନୁହଁନ୍ତି ବରଂ ସୁଶାନ୍ତଙ୍କ ଜନ୍ମଦିନ ପୂର୍ବରୁ ଏହି ଟ୍ରେଣ୍ଡ ଚାଲିଛି । ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ଲେଖିଛନ୍ତିଯେ, ଭାଇ ମୁଁ ତୁମକୁ ଭଲପାଏ, ତୁମେ ମୋର ଏକ ଅଂଶ ଏବଂ ସବୁବେଳେ ଏମିତି ରହିବ । ଏହା ସହିତ ସୁଶାନ୍ତ ଡେ’ର ହ୍ୟାଶଟ୍ୟାଗ୍ ଦେଇଛନ୍ତି ଶ୍ୱେତା ।

ସୋଶଲ ମିଡିଆରେ କଙ୍ଗନାଙ୍କ ଟୁଇଟ ଖୁବ୍ ଭାଇରାଲ ହେଉଛି ଏବଂ ରିଟୁଇଟ ମଧ୍ୟ ହେଉଛି । ଲୋକ ତାଙ୍କ ପ୍ରତିକ୍ରିୟାକୁ ଖୁବ ପସନ୍ଦ କରୁଛନ୍ତି ।

କିଏ ସେହି ଭାରତୀୟ, ଯିଏ ଲେଖିଥିଲେ ବାଇଡେନଙ୍କ ଭାଷଣ ?

ହାଇଦ୍ରାବାଦ: ଶପଥ ନେଇଥିଲେ ବିଶ୍ବର ସର୍ବଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ । ଶପଥ ସମାରୋହକୁ ଦେଖୁଥାଏ ବିଶ୍ୱ । ଉଦବୋଧନରେ କ’ଣ କହିବେ ବାଇଡେନ ? ଆମେରିକା ପାର୍ଲାମେଣ୍ଟରେ ଘଟିଥିବା ହିଂସାକାଣ୍ଡକୁ ମନେ ପକାଇବେ କି ? ବିବାଦୀୟ ପୂର୍ବତନ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କହିବେ କି ନବନିର୍ବାଚିତ ରାଷ୍ଟ୍ରପତି ? ଏହାରି ଭିତରେ ନିଜର ଅଭିବାଦନ ଆରମ୍ଭ କରିଥିଲେ ଜୋ ବାଇଡେନ । କିନ୍ତୁ ବାଇଡେନଙ୍କ ଅଭିବାଦନ ପଛରେ ରହିଥିଲା ଜଣେ ଭାରତୀୟଙ୍କ ହାତ । ଶବ୍ଦର ଚାତୁରୀରେ ସନ୍ଦେଶ ଦେଉଥିବା ବାଇଡେନଙ୍କ ଭାଷଣକୁ ଲେଖିଥିବା ବ୍ୟକ୍ତି ଥିଲେ ଜଣେ ଭାରତୀୟ ।

ତେଲେଙ୍ଗାନାରେ ଜନ୍ମିତ ସି. ବିନୟ ରେଡ୍ଡୀ । ଯିଏ ଲେଖିଥିଲେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ଭାଷଣ । ନିଜ ଲେଖାର ଯାଦୁରେ ବାଇଡେନଙ୍କ ପ୍ରିୟ ଭାଜନ ହୋଇଥିବା ବିନୟ, ନିଜର ଚତୁର ଶବ୍ଦରେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମଧ୍ୟ କରିଥିଲେ ଉଲ୍ଲେଖ । ଆଉ ବିନୟ ରେଡ୍ଡୀଙ୍କ ଏହି ହାତ ଲେଖାକୁ ହ୍ୱାଇଟହାଉସର ଶପଥ ସମାରୋହରେ ଅଭିବାଦନରେ ପରଶି ଥିଲେ ବାଇଡେନ ।

ବହୁ ପୂର୍ବରୁ ବାଇଡେନଙ୍କ ଟିମରେ ରହିଆସିଛନ୍ତି ସି ବିନୟ ରେଡ୍ଡୀ । ୨୦୧୩ ରୁ  ୨୦୧୭, ଯେବେ ବାଇଡେନ ଉପ-ରାଷ୍ଟ୍ରପତି ଥିଲେ ସେବେ ମଧ୍ୟ ସାଥିରେ ଥିଲେ ବିନୟ । ତେଣୁ ବାଇଡେନଙ୍କ ଟିମରେ ଭାଷଣ ଲେଖିବାର ନିର୍ଦ୍ଦେଶକ ଭାବେ କାର୍ଯ୍ୟକରୁଥିବା ସି. ବିନୟ ଆମେରିକାର 46 ତମ ରାଷ୍ଟ୍ରପତିଙ୍କ ପାଇଁ ଲେଖିଥିଲେ ଅଭିବାଦନ ।

ଅଭିଭାଷଣର ପ୍ରଥମ ବାକ୍ୟରେ ନୂଆ ଆମେରିକା ଗଠନର ଆହ୍ୱାନ ଦେଇଥିଲେ ବାଇଡେନ । ସେ କହିଥିଲେ ଏକତା ହିଁ ଆମର ଶକ୍ତି। ଏକତା ଯୋଗୁଁ ଆମେ କେବେ ପରାସ୍ତ ହୋଇନାହୁଁ। ତେଣୁ ଆଗାମୀ ଦିନରେ ମଧ୍ୟ ଆମେରିକାବାସୀଙ୍କୁ ଏକଜୁଟ୍ ରହିବାକୁ ପଡିବ। ଅତି ଯତ୍ନର ସହ ଶବ୍ଦ ଉପସ୍ଥାପନା କରୁଥିବା ନୂଆ ରାଷ୍ଟ୍ରପତି, ନିଜ ଅଭିଭାଷଣରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଭୁଲି ନଥିଲେ । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇବା ସହ ବାଇଡେନ କହିଥିଲେ, ଆମେରିକାର ସେବା କରିବାର ସୁଯୋଗ ପାଇଥିବା ସେହି ପୂର୍ବତନ ରାଷ୍ଟ୍ରପତି, ଯିଏ ଉତ୍ସବ ସ୍ଥଳରେ ଅନୁପସ୍ଥିତ ରହିଛନ୍ତି ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

ସେରମ୍ ଇନଷ୍ଟିଚ୍ୟୁଟର ଟର୍ମିନାଲ-୧ରେ ଭୟାବହ ଅଗ୍ନିକାଣ୍ଡ

ପୁଣେ: ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ବିଲ୍ଡିଂରେ ଗୁରୁବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହାର ଟର୍ମିନାଲ-୧ରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବାରେ ୧୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ତେବେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି । ଅପରପକ୍ଷରେ ଟିକା ପ୍ରସ୍ତୁତ କୋଠାରେ ନିଆଁ ଲାଗିନାହିଁ। ନିଆଁ ଲାଗିଥିବା ସ୍ଥାନରୁ ଟିକା ପ୍ରସ୍ତୁତ ସ୍ଥାନ ଦେଢ କିଲୋମିଟର ଦୂର ବୋଲି ସୂଚନା ମିଳିଛି।

ଏନେଇ ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଆଦାର ପୁନାୱାଲା କହିଛନ୍ତି ଯେ ଏହି ଅଗ୍ନିକାଣ୍ଡରେ ବିଲ୍ଡିଂ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ହେଉଛି ଆମର ମୁଖ୍ୟ ଉଦେଶ୍ୟ। ଏଥିସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘଟଣା ସମ୍ପର୍କରେ ଖବର ନେବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ‘କୋଭିଶିଳ୍ହ’ ନାମକ କରୋନା ଟିକା ପ୍ରସ୍ତୁତ କରାଯାଉଛି। ଏହାକୁ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମିଳିତ ଭାବେ ତିଆରି କରୁଛନ୍ତି ।

ଭାରତ ସହ ସମ୍ପର୍କକୁ ନେଇ କ’ଣ କହିଲେ ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଆଷ୍ଟିନ୍ ?

ୱାଶିଂଟନ: ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତିରକ୍ଷା ସଚୀବ ଭାବେ ଅବସରପ୍ରାପ୍ତ ଜେନରାଲ ଲୟଡ ଆଷ୍ଟିନ ନାମ ଉପରେ ମୋହର ମାରିଛନ୍ତି । ତେବେ ଏହାପୂର୍ବରୁ  ମଙ୍ଗଳବାର ଦିନ ପ୍ରତିରକ୍ଷା ସଚିବ ଭାବେ ତାଙ୍କ ନାମାଙ୍କନକୁ ନେଇ ସିନେଟର ଏକ ସମିତି ସମ୍ମୁଖରେ ଶୁଣାଣି କାଳରେ ଆଷ୍ଟିନ ଭାରତ-ଆମେରିକା ସମ୍ପର୍କକୁ ନେଇ ବଡ କଥା କହିଛନ୍ତି । ସେ କହିଥିଲେ ଯେ, ଯଦି ମୁଁ ପ୍ରତିରକ୍ଷା ସଚିବ ଭାବେ ନିଯୁକ୍ତ ହୁଏ ତେବେ ଭାରତ ସହିତ ପ୍ରତିରକ୍ଷା ସମ୍ପର୍କ ମଜବୁତ କରିବା ମୋ ଲକ୍ଷ୍ୟ ହେବ । ଯଦ୍ୱାରା ଦୁଇ ଦେଶର ସାମରିକ ହିତ ସୁରକ୍ଷିତ ରହିବ ।

joe biden

କ୍ୱାଡ୍ ବାବଦରେ ଉଲ୍ଲେଖ

ଏହି ସମୟରେ ସେ କ୍ୱାଡ୍ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ସେ କହିଥିଲେ ଯେ, ଆମେ କ୍ୱାଡ ସୁରକ୍ଷା ଆଲୋଚନା ଓ ଅନ୍ୟ ଆଂଚଳିକ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ଓ ଆମେରିକା ମଧ୍ୟରେ ସାମରିକ ସହଯୋଗକୁ ଅଧିକ ଗଭୀର ଓ ବ୍ୟାପକ କରିବା ପାଇଁ ଉଦ୍ୟମ କରିବୁ ।

loyd austin

ପାକିସ୍ତାନକୁ ନେଇ ଏହା କହିଲେ ..

ଅଷ୍ଟିନ କହିଥିଲ ଯେ, ଯଦି ମୁଁ ପ୍ରତିରକ୍ଷା ସଚିବ ହୁଏ ତେବେ ପାକିସ୍ତାନକୁ ଆତଙ୍କବାଦୀଙ୍କ ପାଇଁ ଆଶ୍ରୟସ୍ଥଳି ନଦେବାକୁ କହିବି । ଆମେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପାକିସ୍ତାନ ସହିତ ସହଯୋଗକୁ ଜାରି ରଖିବୁ । ପାକ୍ ସେନା ସହିତ ମଧ୍ୟ ସମ୍ପର୍କକୁ ଭଲ ରଖିବାକୁ ଉଦ୍ୟମ କରିବୁ । ଆଫଗାନିସ୍ତାନରେ ଯେତେବେଳେ ମଧ୍ୟ କିଛି ରାଜନୈତିକ ସମାଧାନ ବାହାର କରିବା ପାଇଁ ଉଦ୍ୟମ ହେବ ସେତେବେଳେ ପାକିସ୍ତାନର ଭୂମିକ ଗୁରୁତ୍ୱପୂର୍ଣ୍ଣ ରହିବ । ଅଲକାଏଦାକୁ ପରାସ୍ତ କରିବାକୁ ଓ ଉକ୍ତ ଅଂଚଳରେ ସ୍ଥିରତା ପାଇଁ ପାକିସ୍ତାନ ସହ ମିଶିକରି କାମ କରିବାକୁ ପଡିବ ।

କରୋନା ଟିକା ନେଇ ତେଲେଙ୍ଗାନାରେ ଡ୍ରାଇଭର ମୃତ, ପଞ୍ଜାବରେ ଆଶାକର୍ମୀ ଗୁରୁତର

ଚଣ୍ଡିଗଡ/ହାଇଦ୍ରାବାଦ: ଦେଶବ୍ୟାପୀ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଧିରେଧିରେ ସାଇଡ୍ ଇଫେକ୍ଟ ଖବର ମିଳିବାରେ ଲାଗିଛି ।

ସୂଚନା ଅନୁଯାୟୀ ତେଲେଙ୍ଗାନାରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର କରୋନା ଟିକା ନେବା ପରେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ଟିକା ନେଇ ପଞ୍ଜାବର ଫିରୋଜପୁରରେ ଜଣେ ଆଶା କର୍ମୀଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଛି । ହେଲେ ଟିକାର ସାଇଡ୍ ଇଫେକ୍ଟ ପାଇଁ ଏଭଳି ଘଟିଥିବା ନେଇ ଡାକ୍ତର ମାନେ ଏଯାବତ୍ ସ୍ପଷ୍ଟ କରିନାହାଁନ୍ତି ।

ଫିରୋଜପୁରର ୩୫ ବର୍ଷୀୟ ଆଶା କର୍ମୀ ବିନ୍ଦିଆ ଟିକା ଡୋଜ୍ ନେବାର ଠିକ୍ ପରେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରେ ତାଙ୍କୁ ଫିରୋଜପୁରର ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେହିପରି ତେଲେଙ୍ଗାନାର ନିର୍ମଳ ଜିଲ୍ଲାରେ କରୋନା ଭ୍ୟାକ୍ସିନ୍ ଡୋଜ୍ ନେଇ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଖବର ଅନୁଯାୟୀ ବିଠଲ୍ ନାମ ଏହି ବ୍ୟକ୍ତି ଜଣକ ଜାନୁଆରି ୧୯ ତାରିଖରେ ଟିକା ନେଇଥିଲେ । ହେଲେ ରାତି ହେବା ବେଳକୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲା ବେଳେ ୨୦ ତାରିଖ ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ଟିକା ନେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ବୋଲି ପରିବାର ପକ୍ଷରୁ ସନ୍ଦେହ କରାଯାଇଛି । ହେଲେ ପ୍ରାରମ୍ଭିକ ତଦନ୍ତରୁ ଟିକାକରଣ ସହ ଏହାର କୗେଣସି ସମ୍ପର୍କ ନାହିଁ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମାନେ କହିଛନ୍ତି ।

ଅପରପକ୍ଷରେ ଏନେଇ ଜିଲ୍ଲା ଏଇଏଫଆଇ ସମିତି ଏହାର ଯାଞ୍ଚ କରୁଛି ଏବଂ ତଦନ୍ତ ପରେ ରିପୋର୍ଟ ରାଜ୍ୟ ଏଇଏଫଆଇ ସମିତିକୁ ହସ୍ତାନ୍ତର କରିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଅର୍କ କୁମାର ଦାସ ମହାପାତ୍ର ହେଲେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି

ଭୁବନେଶ୍ବର: ଅର୍କ କୁମାର ଦାସ ମହାପାତ୍ର ହେଲେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ନୂତନ କୁଳପତି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜିନେସ୍‌ ଆଡମିନିଷ୍ଟ୍ରେସନ ରହିଥିବା ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ନୂତନ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ରାଜ୍ୟପାଳ ଗଣେଶୀ ଲାଲ।

ଓଡିଶା ଷ୍ଟେଟ୍ ଓପନ୍ ୟୁନିଭରସିଟି ଆକ୍ଟ, 2014 (ଓଡିଶା ଆକ୍ଟ ଅଫ୍ 2015) ର ସବ୍ ସେକ୍ସନ୍ (5) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟପାଳ ଗଣେଣୀ ଲାଲ କୁଳପତି ପ୍ରଫେସର ଅର୍କା କୁମାରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ଦାଶ ମହାପାତ୍ର ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟଭାର ଗ୍ରହଣ କରିବେ ନେଇ ଉଲ୍ଲେଖ ରହିଛି ।

ଦୁର୍ନୀତି ଖୋରଙ୍କୁ ବିଦା କଲେ ସରକାର, ପ୍ରଂଶସା କଲେ ପ୍ରଦୀପ ମାଝୀ

ନବରଙ୍ଗପୁର: ଝରିଗାଁ ବ୍ଲକ ଏବଂ ଚିତ୍ରକୋଣ୍ଡା ବ୍ଲକରେ ସ୍ୱଛ ଭାରତ ଯୋଜନାରେ ହୋଇଛି ମହାଦୁର୍ନୀତି । ଅଭିଯୋଗ ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ବିଦା ହୋଇଛନ୍ତି ଦୁଇ ବ୍ଲକର BDO । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ।

ଏଭଳି ମହାଦୁର୍ନିତୀର ଅଭିଯୋଗ ପରେ ଘର ଘର ବୁଲି ଦଦନ୍ତ କରିଥିଲେ ଦାୟିତ୍ୱରେ ଥିବା ଅଧିକାରୀ । ପ୍ରଦୀପ ମାଝୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିବା ସହିତ ଦୀର୍ଘ ଦିନ ଧରି ସମସ୍ତ ହିତାଧିକାରୀଙ୍କ ଘର ଘର ବୁଲି ତଦନ୍ତ କରିଥିବାରୁ ଏହି ତଦନ୍ତ କୁ ଐତିହାସିକ ତଦନ୍ତ ବୋଲି କହିଛନ୍ତି । ସେହିପରି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି ରାଜ୍ୟ କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।

ଏବେ ରେଷ୍ଟୁରାଣ୍ଟରେ ଲଗାଇବାକୁ ପଡିବ ବୋର୍ଡ, ନନଭେଜ୍ ‘ହଲାଲ୍’ କି ‘ଝଟକା’

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଆମିଷ ରେଷ୍ଟୁରାଣ୍ଟରେ ବିକ୍ରି ହେଉଥିବା ନନଭେଜ୍ ଖାଦ୍ୟ ଗୁଡିକ ‘ହଲାଲ୍’ କି ‘ଝଟକା’ ସେନେଇ ବୋର୍ଡ ଲଗାଯିବ । ଏସମ୍ପର୍କରେ ଏକ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ଦକ୍ଷିଣ ଦିଲ୍ଲୀ ନଗର ନିଗମ (ଏମସିଡି) ।

ନଗର ନିଗମର କହିବାନୁଯାୟୀ ତାଙ୍କ ଅଧିନରେ ଥିବା ୪ଟି ଜୋନର ପ୍ରାୟ ୧୦୪ଟି ୱାର୍ଡରେ ହଜାରରୁ ଅଧିକ ରେଷ୍ଟୁରାଣ୍ଟ ରହିଛି । ଯେଉଁଥିରୁ କେବଳ ୧୦ ପ୍ରତିଶତ ରେଷ୍ଟୁରାଣ୍ଟରେ ନିରାମିଷ ଖାଦ୍ୟ ମିଳୁଥିବା ବେଳେ ବାକି ୯୦ ପ୍ରତିଶତ ନନଭେଜ ଖାଦ୍ୟ ପରଷି ଥାଆନ୍ତି ।

ହେଲେ ଏସବୁ ସ୍ଥାନରେ ନନଭେଜ୍ ଖାଦ୍ୟ ଗୁଡିକ ‘ହଲାଲ୍’ କି ‘ଝଟକା’ ସେ ସମ୍ପର୍କରେ ପ୍ରକାଶ କରାଯାଇ  ନଥାଏ । ବିଶେଷତଃ ହିନ୍ଦୁ ଓ ଶିଖ୍ ଧର୍ମରେ ‘ହଲାଲ୍’ ମାଂସ ଖାଇବା ବର୍ଜନୀୟ। ଆଉ ଏହାକୁ ଧର୍ମ ବିରୋଧି ବୋଲି ମଧ୍ୟ କୁହାଯାଇଥାଏ । ଯେଉଁଥିପାଇଁ ଦୋକାନ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ କେଉଁ ମାଂସକୁ ଖାଦ୍ୟ ରୂପ ପରଷୁଛନ୍ତି ସେନେଇ ସୂଚନା ଦେବେ ।

ସେହିପରି ସାଉଥ୍ ଏମଡିଏମସିର ନେତା ନରେନ୍ଦ୍ର ଚାୱଲା କହିଛନ୍ତି ଯେ ଯଦି କେହି ଏହି ଆଦେଶର ଉଲ୍ଲଂଘନ କରନ୍ତି ତାହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜନସାଧାରଣ ଯେଉଁ ଧର୍ମର ହୁଅନ୍ତୁ କିନାହିଁ ସେମାନେ କେଉଁ ମାଂସ ଖାଉଛନ୍ତି ତାହା ଜାଣିବା ତାଙ୍କର ଏକ ଅଧିକାର ।

କାହିଁକିନା ଆହାରକୁ ନେଇ କିଛିଟା ନିର୍ଦ୍ଧାରିତ ନିୟମ ଓ ପରମ୍ପରା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ମିଳିବ ଟେଷ୍ଟପେପର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦେବେ ଟେଷ୍ଟପେପର । ୬ ଲକ୍ଷ  ୨୦ ହଜାର ୫୦୮ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର ପ୍ରଦାନ କରିବେ ସରକାର । ଏନେଇ ସୁଚନା ଦେଇଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

କୋଭିଡ ଯୋଗୁଁ ପାଠ ପଢାରେ ସୃଷ୍ଟି ହୋଇଥିଲା ବ୍ୟାଘାତ । ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ବିଦ୍ୟାଳୟ । ସେପଟେ ବର୍ତ୍ତମାନ ସ୍କୁଲ ଖୋଲିଛି ଏବଂ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କ ହାତରେ ଖୁବ କମ ସମୟ ରହିଛି । ଏପରିସ୍ଥଳେ ପିଲାଙ୍କୁ ୭୦୦ ପୃଷ୍ଠାର ଟେଷ୍ଟପେପର ମାଗଣା ଦେବେ ରାଜ୍ୟ ସରକାର ।

ଏହାର ନାମ `ପରୀକ୍ଷା ଦର୍ପଣ’ ରହିଥିବାବେଳେ ଟେଷ୍ଟପେପରକୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପ୍ରଦାନ କରାଯିବ । ଟେଷ୍ଟପେପରରେ ପ୍ରଶ୍ନ ସହ ଉତ୍ତର ରହିବ । ପିଲାଙ୍କୁ ଚାପମୁକ୍ତ ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା କୁହାଯାଇଛି । ସେପଟେ ପୂର୍ବରୁ ମାଟ୍ରିକ ପରୀକ୍ଷା ଫି ଛାଡ଼ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମାଟ୍ରିକ ପରୀକ୍ଷା ପାଇଁ ୩୦ ପ୍ରତିଶତ ସିଲାବସ କମା ଯାଇଛି । ଅନଲାଇନ, ଟିଭି, ରେଡ଼ିଓ ର ବ୍ୟବସ୍ଥା କରି ମଧ୍ୟ ଛାତ୍ର ଛାତ୍ରୀ ଠିକ ସେ ପଢ଼ି ପରିନାହାଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ପରୀକ୍ଷା ଦର୍ପଣ ନାମକ ଏକ ଟେଷ୍ଟ ପେପର ଛାତ୍ର ଛାତ୍ରୀଙ୍କୁ ଦିଆଯିବ। ଏଥିରେ ସମ୍ଭାଵ୍ୟ ୭୦୦ ପେଜ୍ ର ବହି ଦେବାକୁ ପ୍ରସ୍ତୁତି ହେଉଛି ବିଭାଗ । ମେ ୩ ରେ ପରୀକ୍ଷା ହେବ । ତେଣୁ ପରିକ୍ଷାର ଯଥେଷ୍ଟ ପୂର୍ବରୁ ପିଲାଙ୍କ ପାଖରେ ବହି ପହଁଚାଇ ଦିଆଯିବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ।

୩,୩୦,୩୩୯ ସରକାରୀ ସ୍କୁଲ ସହ ୨୭୦୨୬ ଆବାସିକ ଆଦିବାସୀ ସ୍କୁଲ ଏବଂ ୩୬୫୭୯ ଘରୋଇ ସ୍କୁଲ, ୨୫୯୩୯ ଏକ୍ସ ରେଗୁଲାର ଛାତ୍ର ଛାତ୍ରୀ ସହ୧୬୨୪ ଭୋକେସନାଲ ଛାତ୍ରଛାତ୍ରୀଙ୍କୁ ଏହି ବହି ଦିଆଯିବ । ପରୀକ୍ଷା ପାଇଁ ଏହା ସାହାଯ୍ୟ କରିବ । ପ୍ରତିଶତ ସିଲାବସକୁ ନେଇ ପରୀକ୍ଷା ଦର୍ପଣ ବହି ଛପା ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।