spot_img
Home Blog Page 6

ଭକ୍ତଙ୍କ ସୁବିଧା ପାଇଁ ପୁଣିଥରେ ଆରମ୍ଭ ହେବ କି ଏସି ଟନେଲ ?

ପୁରୀ : ପୂର୍ବ ସରକାରଙ୍କ ଯୋଜନାକୁ ଅନୁକରଣ କରିବେ କି ସରକାର ? ଭକ୍ତଙ୍କ ସୁବିଧା ପାଇଁ ପୁଣିଥରେ ଆରମ୍ଭ ହେବ କି ଏସି ଟନେଲ ? ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ୬୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ଆଗମନ ହେଉଛି । କାଳିଆ ଦର୍ଶନ ପାଇଁ ଖରା ଓ ଗୁଳୁଗୁଳିରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଶ୍ରଦ୍ଧାଳୁ । ବ୍ୟାରିକେଡରେ ଠିଆ ହୋଇ ଅନେକ ସମୟରେ ଅସୁସ୍ଥ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବାହାରେ ପୂର୍ବଭଳି ଏସି ଟନେଲ ନିର୍ମାଣ ନେଇ ଚାଲିଛି ବିଚାରବିମର୍ଶ । ନିକଟରେ ଶ୍ରୀମନ୍ଦିର ଭିତରେ ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି । ଶ୍ରୀମନ୍ଦିର ବାହାରେ ଏସି ଟନେଲ ନିର୍ମାଣ ହେଲେ ବରିଷ୍ଠ ନାଗରିକ, ମହିଳା ଓ ଛୋଟପିଲା ମାନେ ବେଶ୍ ଉପକୃତ ହୋଇପାରିବେ । ତେଣୁ ଆଗାମୀ ପରିଚାଳନା କମିଟି ବୈଠକରେ ଏସି ଟନେଲ ଓ ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ନେଇ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବାକୁ ଯୋଜନା କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ପୂର୍ବ ସରକାର ସମୟରେ ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ବାହାରେ ଏସି ଟନେଲ ନିର୍ମାଣ କରାଯାଇଥିଲା । ତେବେ ବର୍ତ୍ତମାନ ପୁଣି ଥରେ ଏହି ଟନେଲ ନିର୍ମାଣକୁ ନେଇ ସ୍ୱାଗତ କରାଯାଇଛି । ସେହିପରି ଭକ୍ତମାନେ ସୁବିଧାରେ ମହାପ୍ରସାଦ ପାଇବା ନେଇ ଟୋକନ ବ୍ୟବସ୍ଥା ଉପରେ ବିଚାର କରାଯାଉଛି । ପୂର୍ବ ସରକାର ସମୟରେ ଭକ୍ତଙ୍କ ସୁବିଧା ନେଇ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାକୁ ହଠାତ ବନ୍ଦ କରି ଦିଆଯାଇଥିଲା । ଏବେ ଏହାକୁ ନେଇ ପୁଣି ବିଚାରବିମର୍ଶ କରାଯାଉଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଇଛି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏପରି ବ୍ୟବସ୍ଥାର ଆବଶ୍ୟକତା ଥିବାରୁ ଏହାର ରୂପରେଖ ଚୂଡାନ୍ତ ନେଇ ବିଚାରବିମର୍ଶ ଆରମ୍ଭ ହୋଇଛି ।

‘କାରଣ ନଜଣାଇ ଗିରଫ କରିବା ବେଆଇନ, ଦ୍ବିତୀୟ ଗିରଫଦାରୀ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ମଞ୍ଜୁରୀ ଜରୁରୀ’

ଭୁବନେଶ୍ବର :କାରଣ ନଜଣାଇ ଗିରଫ କରିବା ବେଆଇନ । ଦ୍ବିତୀୟ ଗିରଫଦାରୀ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ମଞ୍ଜୁରୀ ଜରୁରୀ କାରଣ ନଜଣାଇ ଗିରଫ କରିବା ବେଆଇନ । ଦ୍ୱିତୀୟ ଗିରଫଦାରୀ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ମଞ୍ଜୁରୀ ଜରୁରୀ । ଆଉ ଚଳିବନି ତଦନ୍ତକାରୀ ସଂସ୍ଥାର ମନମାନି । ପୋଲିସର ଏକଚାଟିଆ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ । କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ବେଳେ ତାଙ୍କୁ ଗିରଫର କାରଣ ଲିଖିତ ଭାବରେ ଜଣାଇବା ବାଧ୍ୟତାମୂଳକ । ଏହାର ଉଲ୍ଲଂଘନ କରି ଗିରଫ କରୁଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ୍ ଉଜ୍ଜ୍ବଳ ଭୂୟାଁ ଏବଂ ଜଷ୍ଟିସ୍ ଅତୁଲ ଏସ୍. ଚନ୍ଦୁରକରଙ୍କ ଖଣ୍ଡପୀଠ କହିଛନ୍ତି, ଗିରଫର କାରଣ ସଂପୃକ୍ତ ବ୍ୟକ୍ତି ବୁଝୁଥିବା ଭାଷାରେ ଲିଖିତ ଭାବରେ ଦିଆଯିବ । ଯଥାଶୀଘ୍ର ଏହାର ଏକ ନକଲ ମଧ୍ୟ ତାଙ୍କୁ ପ୍ରଦାନ କରିବାକୁ ହେବ । କେବଳ ମୌଖିକ ଭାବରେ କାରଣ ଜଣାଇଦେବା ଯଥେଷ୍ଟ ନୁହେଁ । ସମ୍ବିଧାନର ଧାରା ୨୨(୧) କୁ ଉଲ୍ଲଂଘନ କରି ହୋଇଥିବା ଗିରଫ ଏବଂ ଏହା ପରର ରିମାଣ୍ଡ ବେଆଇନ ହେବ । ଏଭଳି ବେଆଇନ ଗିରଫ ପରେ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ଜାମିନରେ ଛଡ଼ାଯାଇଛି ବୋଲି କୁହାଯିବ ନାହିଁ । ବରଂ ତାଙ୍କୁ ବେଆଇନ ଓ ଅସାମ୍ବିଧାନିକ ଅଟକରୁ ମୁକ୍ତ କରାଯାଇଛି ବୋଲି ଧରାଯିବ । ଏଭଳି ନିର୍ଦ୍ଦେଶକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ପୁଣି ଗିରଫ କରିବାକୁ ଚାହିଁଲେ ପ୍ରଥମେ ଲିଖିତ କାରଣ ଦେବାକୁ ପଡ଼ିବ । ଏହା ପରେ ପୂର୍ବରୁ କାହିଁକି କାରଣ ଦିଆଯାଇ ନଥିଲା ଏବଂ ଏବେ କାହିଁକି ତାଙ୍କୁ ହେପାଜତରେ ନେବା ଜରୁରୀ ତାହା ଦର୍ଶାଇ ମ୍ୟାଜିଷ୍ଟ୍ରେଟଙ୍କ ନିକଟରେ ସାନି ଆବେଦନ କରିବାକୁ ପଡ଼ିବ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ମ୍ୟାଜିଷ୍ଟ୍ରେଟ୍ ଯଥାଶୀଘ୍ର ସମ୍ଭବ ହେଲେ ସପ୍ତାହକ ମଧ୍ୟରେ ଆବେଦନ ଉପରେ ନିଷ୍ପତ୍ତି ନେବେ । ପୂର୍ବରୁ ଲିଖିତ କାରଣ ନ ଦେବା ପଛରେ ବାସ୍ତବ ଓ ଯୁକ୍ତିସଙ୍ଗତ କାରଣ ଥିବ । ହେପାଜତ ଏବେ ମଧ୍ୟ ଜରୁରୀ ବୋଲି ସନ୍ତୁଷ୍ଟ ହେଲେ ହିଁ ମ୍ୟାଜିଷ୍ଟ୍ରେଟ୍ ପୁନଃ ଗିରଫ ପାଇଁ ଅନୁମତି ଦେଇପାରିବେ । ପ୍ରଥମେ ବେଆଇନ ଗିରଫ କରିଥିବା ଅଧିକାରୀଙ୍କ ଠାରୁ ତଦନ୍ତ ଦାୟିତ୍ବ ହଟାଇ ଅନ୍ୟ ଜଣେ ଅଧିକାରୀଙ୍କୁ ଦିଆଯିବ । ଏହାସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯିବ । ତଦନ୍ତରେ ଦୋଷ ପ୍ରମାଣିତ ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସଂପୃକ୍ତ ଅଧିକାରୀଙ୍କର ସର୍ଭିସ ବୁକରେ ମଧ୍ୟ ଏହା ଉଲ୍ଲେଖ କରାଯିବ । ପଞ୍ଜାବର ଯଶ କରଞ୍ଜିତ ସିଂଙ୍କ ଗିରଫ ସମ୍ପର୍କିତ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ରାୟର ନକଲ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମହାନିର୍ଦ୍ଦେଶକଙ୍କୁ ପଠାଇବାକୁ ମଧ୍ୟ କୋର୍ଟ କହିଛନ୍ତି ।

କେବେ ଖୋଲିବ କଟକ ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆହାର କେନ୍ଦ୍ର ଓ ମିଶନ ଶକ୍ତି କଫେ ?

କଟକ : ଲୋକଙ୍କୁ ମିଳୁନି ଆହାର । ଦୁଇବର୍ଷ ହେଲା ବନ୍ଦ ରହିଛି କଟକ ଚାଉଳିଆଗଞ୍ଜ ପରିସରରେ ଥିବା ଆହାର କେନ୍ଦ୍ର ଓ ମିଶନ ଶକ୍ତି କାଫେ । ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସୁବିଧାରେ ଖାଦ୍ଯ ଯୋଗାଇ ଦେବାକୁ ପୂର୍ବ ସରକାରଙ୍କ ସମୟରେ ନିର୍ମାଣ ହୋଇଥିଲା ଏହି ଆହାର କେନ୍ଦ୍ର । ୩ ଟଙ୍କାରେ ପେଟପୂରା ଆହାର ପାଉଥିଲେ ଲୋକେ । ପାଖାପାଖି ଦୁଇବର୍ଷ ହେବ ନିର୍ମାଣ ହୋଇ ଉଦଘାଟନ ହୋଇଥିଲେ ସୁଦ୍ଧା ସାଧାରଣ ଲୋକମାନଙ୍କ ପାଇଁ ଏହା ଖୋଲାଯାଇ ପାରୁନାହିଁ । ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ହୋଇଥିବା ଏହି ଆହାର କେନ୍ଦ୍ରର ଝରକାରେ ଗଛ ଲତା ମାଡ଼ିଥିବା ବେଳେ ମିଶନ ଶକ୍ତି କାଫେରେ ଝୁଲୁଛି ତାଲା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିଲା ଲୋକେ ଖାଦ୍ୟ ପାଇଁ ବାହାର ହୋଟେଲ ଉପରେ ନିର୍ଭର କରୁଛନ୍ତି ।
ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ନାରୀ ନେତ୍ରୀ ଅଂଶୁ ତ୍ରିପାଠୀ । ସରକାରୀ ଡାକ୍ତରଖାନାରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପୂର୍ବ ସରକାର ଅଣ୍ଟା ଭିଡ଼ିଥିଲେ । ଏଥିପାଇଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକର ଯୋଜନା ସହ ଅନୁଦାନ ପ୍ରଦାନ କରାଯାଇଥିଲା । ଏହି ଯୋଜନାରେ ଚାଉଳିଆଗଞ୍ଜରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସାମିଲ କରାଯାଇଥିଲା । ୨୦୨୩ରେ ଆମ ହସ୍ପିଟାଲ ଯୋଜନାରେ ଅନୁଦାନ ମିଳିବା ମିଳିବା ପରେ ୨୦୨୪ ଫେବୃଆରୀ ସୁଦ୍ଧା ନିର୍ମାଣ ଶେଷ ହୋଇଥିଲା । ଏଥିରେ ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଏବଂ ସାଧାରଣ ଲୋକମାନଙ୍କ ପାଇଁ ଏହି ଆହାର କେନ୍ଦ୍ର ଓ ମିଶନ ଶକ୍ତି କାଫେ ଖୋଲା ଯାଇଥିଲା । ମାତ୍ର ସରକାରଙ୍କ ଅପାରଗତାରୁ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ।ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସୁବିଧା ପାଇଁ ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆହାର କେନ୍ଦ୍ର ଓ ମିଶନ ଶକ୍ତି କାଫେ ଖୁବଶୀଘ୍ର ଖୋଲିବାକୁ ଦାବି ହୋଇଛି ।

ଶୋଚନୀୟ ହୋଇପଡ଼ିଛି ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ବଜାର ରୋଡ

ଚଣ୍ଡିଖୋଲ : ରାସ୍ତା ସାରା ବଡ଼ ବଡ଼ ଗର୍ତ୍ତ । ତା ଭିତରେ ଜମି ରହିଛି ପାଣି । ବିପଦ ମୁଣ୍ଡେଇ ଯାଆସ କରୁଛନ୍ତି ଲୋକେ । ଏ ହେଉଛି ଯାଜପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ସ୍ଥାନ ବାଲିଚନ୍ଦ୍ରପୁର ବଜାର । ବାଲିଚନ୍ଦ୍ରପୁର ବଜାର ଉପରେ ଯାଜପୁର, କଟକ, କେନ୍ଦ୍ରାପଡ଼ା ଭଳି ତିନୋଟି ଜିଲ୍ଲାର ଲୋକେ ନିର୍ଭର କରିଥାନ୍ତି । ହେଲେ ବଜାରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଫଳରେ ଅସରାଏ ବର୍ଷା ହେଲେ ରାସ୍ତାରେ ଯାଆସ କରିବା ମୁସ୍କିଲ ହୋଇ ପଡୁଛି । ବିଭିନ୍ନ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି ।

ଗୋଟିଏ ପଟେ ବାଲିଚନ୍ଦ୍ରପୁର ବଜାରକୁ ଏହି ରାସ୍ତାଟି ସଂଯୋଗ କରୁଥିବା ବେଳେ ଅନ୍ୟପଟେ ଚଣ୍ଡିଖୋଲ – ପାରାଦୀପ ଜାତୀୟ ରାଜପଥକୁ ସଂଯୋଗ କରୁଛି । ହେଲେ ରାସ୍ତାର ଦୁରାବସ୍ଥା ପାଇଁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ମରାମତି ପାଇଁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି ।

ପାଟପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ନିର୍ମାଣ ହୋଇଛି ଗ୍ରାମୀଣ ହାଟ, ସେଡ କରି ଟଙ୍କା ହଡ଼ପ…

ଗଞ୍ଜାମ : ଗ୍ରାମୀଣ ହାଟ ନାଁରେ ହରିଲୁଟ୍ । ବିନା ସୂଚନା ଫଳକରେ ଖେଳ ପଡ଼ିଆରେ ସେଡ କରି କରାଯାଇଛି ଟଙ୍କା ହଡ଼ପ । ବିଡିଓ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଅଭିଯୋଗ । ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ପାଟପୁର ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ନିର୍ମାଣ ହୋଇଛି ଗ୍ରାମୀଣ ହାଟ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିନା ଅନୁମତିରେ କାର୍ଯ୍ୟ କରାଯାଇଛି । ଦୁଇଟି ଛୋଟିଆ ଭେଣ୍ଡିଂ ଜୋନ ନିର୍ମାଣ କରି ୨୩ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ସଂପୃକ୍ତ ଠିକାଦାର ତରବରିଆ ଭାବେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରୁ ଅନୁମତି ପତ୍ର ଲେଖି ନେଇଥିଲେ । ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ପ୍ରଧାନ ଶିକ୍ଷୟିତ୍ରୀ ଉକ୍ତ ଅନୁମତି ପତ୍ରକୁ ବାତିଲ ପାଇଁ ସାନଖେମୁଣ୍ଡି ବିଡ଼ିଓଙ୍କୁ ଚିଠି ଲେଖିଥିଲ । ଏଠି ପ୍ରଶ୍ନ ଉଠୁଛି- କାହା ନିର୍ଦ୍ଦେଶରେ ବେଆଇନ ଭାବେ ନିର୍ମାଣ ହୋଇଛି ଗ୍ରାମୀଣ ହାଟ ? ଏଥିପାଇଁ ଦାୟୀ କିଏ ?

ପାଟପୁର ପାଣ୍ଡା ଛକ ମୁଖ୍ୟ ରାସ୍ତାରେ ଅନେକ ବେପାରୀ ପରିବା ବ୍ୟବସାୟ କରୁଛନ୍ତି । ଫଳରେ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଛି । ଦୁର୍ଘଟଣା ବି ଘଟୁଛି । ଯାହାକୁ ଦୃଷ୍ଟିରେ ରଖି ରାଧାଦେଇପୁର ସରପଞ୍ଚ ପଞ୍ଚାୟତର ସଂରକ୍ଷିତ ସରକାରୀ ଜାଗାରେ ଗ୍ରାମୀଣ ହାଟ ନିର୍ମାଣ ପାଇଁ ବ୍ଲକ ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ । ପ୍ରଶାସନ ପକ୍ଷରୁ ଜି.ଆଇ.ଏ ଓ ବିଜିବିଓ ପାଣ୍ଠିରୁ ରାଧାଦେଇପୁର ପଞ୍ଚାୟତରେ ରୁରାଲ ହାଟ ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ମାର୍କେଟ ସେଡ ପାଇଁ ୩ ଲକ୍ଷ ଓ ପାଟପୁର ପଞ୍ଚାୟତ ଅଧୀନରେ ରୁରାଲ ହାଟ ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ପାଟପୁର, ରାଧାଦେଇପୁର ପଞ୍ଚାୟତରେ ପର୍ଯ୍ୟାପ୍ତ ସରକାରୀ ଜାଗା ଅଛି । ହେଲେ ତରବରିଆ ଭାବେ ସ୍କୁଲ ପଡ଼ିଆରେ କାହିଁକି ନିର୍ମାଣ କରାଗଲା ହାଟ ? ଏହାର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ ।

ପଟାଙ୍ଗୀରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ

ପଟାଙ୍ଗୀ : ଯୁଆଡ଼େ ଦେଖିବେ ସିଆଡ଼େ ଅଳିଆ । ମୁକୁଳା ପଡ଼ିଛି ଡ୍ରେନ । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ଏ ହେଉଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ସଦର ମହକୁମା ଜନଗହଳିପୂର୍ଣ୍ଣ ଅଞ୍ଚଳର ଦୃଶ୍ୟ । ବସଷ୍ଟାଣ୍ଡ ଠାରୁ ତହସିଲ ଅଫିସ ଆଗ ପର୍ଯ୍ୟନ୍ତ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ି ରହିଛି । ଡ୍ରେନରେ ଜମି ରହିଛି ଦୂଷିତ ପାଣି । ହେଲେ ଦୀର୍ଘ ଦିନ ଧରି ସଫେଇ ହେଉନଥିବା ଅଭିଯୋଗ ହୋଇଛି । ଡ୍ରେନେଜ ପାଣି ଜମି ରହିବାରୁ ମଶାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ଲୋକେ ।

ପ୍ରତିଦିନ ଏହି ରାସ୍ତା ଦେଇ ଯାଆସ କରୁଛନ୍ତି ଶହ ଶହ ଲୋକ । ନିକଟରେ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବସଷ୍ଟାଣ୍ଡ ରହିଛି । ହେଲେ ଏଠାରୁ ଅଳିଆ ହଟୁନି । ଯାହା ପରିମଳ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶୀଘ୍ର ଅଞ୍ଚଳରୁ ଅଳିଆ ହଟାଯାଉ, ଡ୍ରେନ ସଫା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । କେବେ ପ୍ରଶାସନର ନିଦ ଭାଙ୍ଗିବ ? କେବେ ପଟାଙ୍ଗୀରୁ ହଟିବ ଅଳିଆ ? କେବେ ସଫା ହେବ ଡ୍ରେନ ? ଏହା କଣ ସ୍ଵଚ୍ଛ ଭାରତ ଅଭିଯାନକୁ ଉପହାସ କରୁନି କି ?

ରାସ୍ତା କଡ଼ରେ ପଡ଼ିଛି ସରକାରୀ ଔଷଧ

ଜଳେଶ୍ବର : ରାସ୍ତା କଡ଼ରେ ପଡ଼ିଛି ସରକାରୀ ଔଷଧ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସୁନାସିର ନଗର ରାସ୍ତା କଡ଼ରେ ପଡ଼ିଛି କୁଢକୁଢ ମେଡିସିନ । କଫ୍ ସିରପ୍, ଗର୍ଭଧାରଣ ପରୀକ୍ଷା କିଟ୍, ଇଞ୍ଜେକସନ, ଭିଟାମିନ, ସମେତ ବିଭିନ୍ନ ପ୍ରକାରର ଔଷଧ ପଡ଼ିଛି । ସବୁଠୁ ବଡ଼ କଥା ହେଲା କେତେକ ମେଡିସିନର ଏକ୍ସପାଏରୀ ସରିଥିବା ବେଳେ କେତେକର ଏବେବି ରହିଛି । ଏଠି ପ୍ରଶ୍ନ ଉଠୁଛି- ସରକାରୀ ମେଡିସିନ ଗୁଡିକ ରାସ୍ତା କଡ଼କୁ ଗଲା କେମିତି ? କିଏ ଓ କାହିଁକି ଆଣିଲା ? ଅନ୍ୟପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ । ଯଦି କୌଣସି ଅବହେଳା କିମ୍ବା ଅନିୟମିତତା ହୋଇଥିବା ଜଣାପଡ଼େ । ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଦାଇତ୍ୱରେ ଥିବା ସିଡିଏମଓ ।

UNSCରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରୟାସକୁ ବଡ଼ ସମର୍ଥନ

ନନ୍ଦିଘୋଷ ବ୍ୟୁରୋ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବା UNSCରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରୟାସକୁ ବଡ଼ ସମର୍ଥନ। ମଧ୍ୟ-ୟୁରୋପୀୟ ଦେଶଗୁଡ଼ିକର ଭିସେଗ୍ରାଡ୍ ଗ୍ରୁପ୍ ଯଥା-ପୋଲାଣ୍ଡ, ହଙ୍ଗେରୀ, ସ୍ଲୋଭାକିଆ ଏବଂ ଚେକ୍ ଗଣରାଜ୍ୟ ପକ୍ଷରୁ ଆନୁଷ୍ଠାନିକ ଓ ସାମୂହିକ ସମର୍ଥନ ମିଳିଛି। ମିଳିତ ଜାତିସଂଘ ସାଧାରଣ ସଭା ଅଧିବେଶନ ସମୟରେ ଅନୁଷ୍ଠିତ ପ୍ରଥମ V4-ଭାରତ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ସମର୍ଥନ ପ୍ରକାଶ ପାଇଥିଲା। ସ୍ଲୋଭାକିଆର ବୈଦେଶିକ ମନ୍ତ୍ରୀ ଜୁରାଜ୍ ବ୍ଲାନାର୍ ଭାରତକୁ ଏକ ଉଦୀୟମାନ ମହାଶକ୍ତି ଭାବରେ ବର୍ଣ୍ଣନା କରିଥିଲେ। ଏଥିସହିତ, ଏହି ଗୋଷ୍ଠୀ ୧୯୪୫ ପରବର୍ତ୍ତୀ ସମୟରେ ଗଠିତ ଏହି ସଂସ୍ଥାର ସଂସ୍କାର ପାଇଁ ଭାରତର ଦାବିକୁ ଦୃଢ଼ ସମର୍ଥନ ଜଣାଇବା ସହ ବ୍ୟାପକ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବାକୁ ସହମତି ପ୍ରକାଶ କରିଥିଲେ। ଯଦିଓ ଏହା ଭାରତର ସମର୍ଥକ ଗୋଷ୍ଠୀକୁ ମଜବୁତ କରୁଛି, ତଥାପି ସ୍ଥାୟୀ ସଦସ୍ୟତା ପାଇଁ UNGAର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ଅନୁମୋଦନ ଏବଂ P5 ବା ପାଞ୍ଚଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କ ସହମତି ଆବଶ୍ୟକ।

ଆସନ୍ତାକାଲିଠାରୁ ବନ୍ଦ ରହିବ ଇରାନର ସମସ୍ତ ଏୟାରଲାଇନ୍ସ

ନନ୍ଦିଘୋଷ ବ୍ୟୁରୋ ; ଆସନ୍ତାକାଲିଠାରୁ ବନ୍ଦ ରହିବ ଇରାନର ସମସ୍ତ ଏୟାରଲାଇନ୍ସ। ଇରାନ ବିରୋଧରେ ଅର୍ଥନୈତିକ ଚାପ ସୃଷ୍ଟି ଉଦ୍ଦେଶ୍ୟରେ ବିଶ୍ବବ୍ୟାପୀ ଇରାନ ଏୟାରଲାଇନ୍ସର ସମସ୍ତ ବିମାନର ଚଳାଚଳ ଉପରେ ଆସନ୍ତାକାଲିଠାରୁ କଟକଣା ଜାରି କରିବ ଆମେରିକା। ଇରାନର ବିମାନଗୁଡିକର ଯାତାୟାତ ଲାଗି ଯଦି କୌଣସି ରାଷ୍ଟ୍ର ସହାୟତା କରିବ ତେବେ ସେହି ରାଷ୍ଟ୍ରଗୁଡିକ ବିରୋଧରେ କଟକଣା ଜାରି କରାଯିବ ବୋଲି କହିଛି ଆମେରିକା। ଆମେରିକା ଟ୍ରେଜେରୀ ସଚିବ ସ୍କଟ ବେସେଣ୍ଟ କହିଛନ୍ତି- ସାରା ବିଶ୍ବରେ ଇରାନ ଉପରେ ବିମାନ ସଂକ୍ରାନ୍ତ କଟକଣା ଜାରି କରାଯିବ। ବିଦେଶୀ ବିମାନ ବନ୍ଦର, ଇନ୍ଧନ ଯୋଗାଣକାରୀ, ଟିକେଟ କମ୍ପାନି ଓ ଅନ୍ୟାନ୍ୟ ବ୍ୟାବସାୟିକ ସହଯୋଗୀଙ୍କୁ ଏନେଇ ଚେତାବନୀ ଦିଆଯାଇଛି। ଯଦି ସେମାନେ ଇରାନ ଏୟାରଲାଇନ୍ସକୁ କୌଣସି ସହଯୋଗ କରିବେ ତେବେ ସେମାନଙ୍କ ବିରୋଧରେ କଟକଣା ଲାଗୁ ହେବ। ଇପାନପ ଶକ୍ତି, ଜାହାଜ ଚଳାଚଳ ଓ ପ୍ରଯୁକ୍ତି କ୍ଷେତ୍ର ଉପରେ ଚାପ ସୃଷ୍ଟି କରିବା ଲାଗି ଆମେରିକା ଏହି କଟକଣା ଜାରି କରିଛି। କିଛିଦିନ ଧରି ଆମେରିକାର କଟକଣାର ଶିକାର ହେବା ଯୋଗୁ ଇରାନ ଗଭୀର ଅର୍ଥନୈତିକ କ୍ଷତିର ସମ୍ମୁଖୀନ ହୋଇଛି।

ବନ୍ଦେ ମାତରଂ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ :  ବନ୍ଦେ ମାତରଂ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି। ବନ୍ଦେ ମାତରଂର ସମସ୍ତ ପଦଗୁଡ଼ିକୁ ଯଦି ଜଣେ ବ୍ୟକ୍ତି ଗାନ କରନ୍ତି ନାହିଁ ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ଦୟର ହେବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୨ ସପ୍ତାହ ମଧ୍ୟରେ କର୍ଣ୍ଣାଟ ସଂଗୀତଜ୍ଞ ଟିଏମ କ୍ରିଷ୍ଣାଙ୍କ ପିଟିସନର ଉତ୍ତର ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜାତୀୟ ସମ୍ମାନ ଅପମାନ ନିବାରଣ (ସଂଶୋଧନ) ଆଇନର ସାମ୍ବିଧାନିକ ବୈଧତା ପ୍ରସଙ୍ଗକୁ ଚାଲେଞ୍ଜ କରି ଦାୟର ଏକ ପିଟିସନର ଉତ୍ତର ଦାଖଲ ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଆଇନରେ ଜାତୀୟ ସମ୍ମାନ ପ୍ରତି ଅବମାନନା ବିରୋଧରେ ୩ ବର୍ଷ ଯାଏ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ ମତ ଦେଇଛନ୍ତି- ଯେଉଁ ବ୍ୟକ୍ତିମାନେ ଧାର୍ମିକ କିମ୍ବା ବିବେକଗତ ବିଶ୍ୱାସ କାରଣରୁ ‘ବନ୍ଦେ ମାତରମ୍’ର ସମସ୍ତ ପଦ ଗାନ ନ କରିବାକୁ ନିଷ୍ପତ୍ତି ନିଅନ୍ତି, ସେମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯିବା ଉଚିତ୍ ନୁହେଁ। ଏନେଇ ଟି.ଏମ୍. କ୍ରିଷ୍ଣା ଏକ ‘ଜନସ୍ୱାର୍ଥ ମାମଲା’ ଦାଖଲ କରିଥିଲେ। ଏଥିରେ ସେ ‘ବନ୍ଦେ ମାତରମ୍’ର ସମସ୍ତ ଛଅଟି ପଦ ଗାନ କରିବାକୁ ବାଧ୍ୟତାମୂଳକ କରୁଥିବା ନିୟମ ଏବଂ ଏଥିପାଇଁ ଅପରାଧିକ ଦଣ୍ଡବିଧାନର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଥିଲେ। କୋର୍ଟ ଏଠାରେ ନିଜର ୧୯୮୬ ମସିହାର ଏକ ପ୍ରସିଦ୍ଧ ରାୟ ବିଜୋ ଇମାନୁଏଲ୍ ବନାମ କେରଳ ରାଜ୍ୟର ଉଲ୍ଲେଖ କରିଥିଲେ। ଏହି ରାୟରେ ସେହି ବ୍ୟକ୍ତିମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା ଯେଉଁମାନେ ଜାତୀୟ ସଙ୍ଗୀତ କିମ୍ବା ଜାତୀୟ ଗୀତ ସମୟରେ ସମ୍ମାନର ସହ ଛିଡ଼ା ହୁଅନ୍ତି, କିନ୍ତୁ ନିଜର ବ୍ୟକ୍ତିଗତ କିମ୍ବା ଧାର୍ମିକ ବିଶ୍ୱାସ ଯୋଗୁଁ ନିରବ ରୁହନ୍ତି। ଜାତୀୟ ସମ୍ମାନ ଅପମାନ ନିବାରଣ (ସଂଶୋଧନ) ଆଇନ, ୨୦୨୬’ ଅନୁଯାୟୀ, ଜାତୀୟ ଗୀତ ଗାନକୁ ଜାଣିଶୁଣି ବନ୍ଦ କରିବା କିମ୍ବା ବାଧା ସୃଷ୍ଟି କରିବା ପାଇଁ ଅପରାଧିକ ଦଣ୍ଡ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ଜରିମାନା ବ୍ୟବସ୍ଥା ଲାଗୁ କରାଯିବା ପରେ ଏହି ଆଇନଗତ ବିବାଦ ଉପୁଜିଥିଲା।