spot_img
Home Blog Page 7

ରାଜଧାନୀରେ ବିଜେଡି ଯୁବ ଛାତ୍ର ସଂଗଠନର ଗର୍ଜନ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ବର : ଆଜି ସରୁଛି ବିଜେଡିର ଡେଡ୍ ଲାଇନ। ଏବେ ଆରମ୍ଭ ହୋଇଛି ଆନ୍ଦୋଳନ। ବହି ତ୍ରୁଟି ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଜୋରଦାର କରିଛି ବିଜେଡି। ଆଜିଠୁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ବିଜେଡି ଯୁବ ଛାତ୍ର ସଂଗଠନର ଅହୋରାତ୍ର ଧାରଣା ଆରମ୍ଭ ହୋଇଛି। ବିଧାନସଭା ବି ଘେରାଉ କରାଯିବ। ଏଥିରେ ବିଧାୟକ, ସାଂସଦଙ୍କ ସମେତ ବୁଦ୍ଧିଜୀବୀମାନେ ବି ସାମିଲ ହେବେ । ସ୍କୁଲ ବହିରେ ୧୬୭୮ରୁ ଅଧିକ ତ୍ରୁଟି ହୋଇଛି। ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ  ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଥିଲା ବିଜେଡି। ମନ୍ତ୍ରୀ କିନ୍ତୁ ପଦ ଛାଡି଼ନଥିବାରୁ ଆନ୍ଦୋଳନକୁ ଜୋରଦାର କରାଯାଇଛି। ବର୍ଷାରେ ଭିଜି ଭିଜି ଧାରଣା ଦେଇଛନ୍ତି ବିଜେଡି ଯୁବ ଓ ଛାତ୍ର ସଂଗଠନର କର୍ମୀ। ବିଜେଡି ବିଧାୟକମାନେ ବି ଏଥିରେ ସାମିଲ ହୋଇଛନ୍ତି।

ଘନଉଛି ବଲାଙ୍ଗୀର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ମୃତ୍ୟୁ ମାମଲା ।

ନନ୍ଦିଘୋଷ ବ୍ୟୁରୋ :  ଘନଉଛି ବଲାଙ୍ଗୀର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ମୃତ୍ୟୁ ମାମଲା । ୨୪ ଘଣ୍ଟା ପରେ ବି ରହସ୍ୟ ଉପୁରୁ ହଟିନି ପରଦା । ହତ୍ୟା ନା ଆତ୍ମହତ୍ୟା ? ପିସି ଟଙ୍କା ନାଁ ଧାରକରଜ ? କିଏ ପକାଉଥିଲେ ଚାପ ? ତାକୁ ନେଇ ପୋଲିସର ଖୋଳତାଡ଼ ।….  ଗୋଟିଏ ରେଞ୍ଜରେ ୨୦ ବର୍ଷ ଧରି ଚାକିରି। ଭଲ ଗୁଇନ୍ଦା ସୂଚନା ରଖୁଥିବାରୁ ଫରେଷ୍ଟର ବ୍ୟାସଦେବ ସାହୁଙ୍କୁ ଚଢାଉ ଟିମରେ ସାମିଲ କରାଯାଉଥିଲା I ବନ ବିଭାଗର ଦକ୍ଷ ଫରେଷ୍ଟର  ହୋଇଥିବାରୁ ଅନେକ ଥର ବନ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଥିଲେ ବ୍ୟାସ I ବିଭିନ୍ନ ସମୟରେ ଅନ୍ୟତ୍ର ବଦଳି ହୋଇ ପୁଣି ବଲାଙ୍ଗୀର ରେଞ୍ଜକୁ ଫେରି ଆସୁଥିଲେ ବ୍ୟାସଦେବ ସାହୁ । ହେଲେ ଗତକାଲି ଷ୍ଟାଫ କ୍ବାଟର୍ସରୁ ସନ୍ଦେହଜନକ ଭାବେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି I ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ବଲାଙ୍ଗୀର ପୋଲିସ I ଗତକାଲି ମଧ୍ୟାହ୍ନରେ ଅଫିସରୁ ଷ୍ଟାଫ୍ କ୍ୱାଟରକୁ ଯାଇଥିଲେ ବ୍ୟାସ  I ଆଉ ଅଫିସକୁ ନ ଫେରିବାରୁ ଅଫିସରେ ଡାଟା ଏଣ୍ଟ୍ରି କାମ କରୁଥିବା ସାନ ପୁଅ ସହ ରେଞ୍ଜର ଯାଇ ଡାକିଥିଲେ I ଭିତରୁ କୌଣସି ଉତ୍ତର ନ ଆସିବାରୁ ଅନ୍ୟ ବନବିଭାଗ ଷ୍ଟାଫ ଓ ପୋଲିସକୁ ଖବର ଦେଇଥିଲେ I ପୋଲିସ ଉପସ୍ଥିତରେ ଝୁଲନ୍ତା ଅବସ୍ଥାରେ ଫରେଷ୍ଟର ବ୍ୟାସଦେବ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା I ବ୍ୟାସଙ୍କ ମୃତ୍ୟୁ ପଛରେ ବିଭାଗୀୟ କାମର ୩୦ ପ୍ରତିଶତ ପିସି ବୋଲି ବ୍ୟାସଙ୍କ ପୂର୍ବତନ ସହକର୍ମୀ ଫରେଷ୍ଟର ଭାଗବତ ଦାସ ଖୋଲାଖୋଲି ଗୁରୁତର ଅଭିଯୋଗ ଆଣିବା ପରେ ବିଭାଗୀୟ ଅଧିକାରୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି । …

ସେପଟେ ବିଭାଗୀୟ ଚାପ ଯୋଗୁ ବ୍ୟାସଦେବଙ୍କ ମୃତ୍ୟୁ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଅନ୍ୟପଟେ ସେ ମାର୍କେଟରୁ ଲକ୍ଷାଧିକ ଟଙ୍କାର ଧାର ଟଙ୍କା ଉଠାଇଥିଲେ I ଏହି ଟଙ୍କା କାହାକୁ ଦେଇଥିଲେ ?  ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭକରିଛି ।  ମୃତ ଫରେଷ୍ଟରଙ୍କ ମୋବାଇଲ ଜବତ କରି ପ୍ରାଥମିକ ତଦନ୍ତ ଜାରି ରଖିଛି ପୋଲିସ  I  ବଲାଙ୍ଗୀର ରେଞ୍ଜରେ ୨ ଦଶନ୍ଧି ଧରି କାର୍ଯ୍ୟ କରୁଥିବାରୁ ବନବିଭାଗ ସବୁ କାମ ଓ ନେଣଦେଣ ଜାଣିଥିଲେ ଫରେଷ୍ଟର ବ୍ୟାସଦେବ ସାହୁ I ନିଜ ନାଁରେ କାମ କରୁଥିବାରୁ ଅନେକ ଲୋକଙ୍କ ଠାରୁ ସେ ଟଙ୍କା ମଧ୍ୟ ନେଇଥିଲେ । ହେଲେ ସେ ଟଙ୍କା ଫେରାଇ ପାରୁନଥିବା ମଧ୍ୟ ଚର୍ଚ୍ଚା ହେଉଛି  I ବଲାଙ୍ଗୀର ସହର ତାଳପାଲିପଡାର ସୌମ୍ୟରଞ୍ଜନ ପଣ୍ଡା ଅଗଷ୍ଟ ୨୧ ତାରିଖରେ ଧାର ଦେଇଥିବା ୩ ଲକ୍ଷ ଟଙ୍କା ଫେରସ୍ତ ପାଇଁ ବ୍ୟାସଙ୍କୁ କରିଥିବା ଓକିଲ ନୋଟିସ ନନ୍ଦିଘୋଷ ଟିଭିର ହସ୍ତଗତ ହୋଇଛି  I

ପିସି ପାଇଁ ଡିଏଫଓ, ଏସିଏଫ, ରେଞ୍ଜରଙ୍କ ଚାପ ରହିଥିଲା ନା ଧାର କରିଥିବା ଲକ୍ଷାଧିକ ଟଙ୍କା ଫେରସ୍ତ କରିନପାରି ଚାପରେ ଫରେଷ୍ଟର ବ୍ୟାସ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅପରେସନ ‘ଦମନ’ ବନାମ ଅପରାଧୀଙ୍କ ଦମନଲୀଳା

ନନ୍ଦିଘୋଷ ବ୍ୟୁରୋ :  ଅପରେସନ ‘ଦମନ’ ବନାମ ଅପରାଧୀଙ୍କ ଦମନଲୀଳା । ପୂଜା ପୂର୍ବରୁ ଆକ୍ସନ ମୋଡ଼ରେ ଓଡ଼ିଶା ପୋଲିସ । ହାର୍ଡକୋରଙ୍କୁ ଏନକାଉଣ୍ଟର, ସେପଟେ ରାଜଧାନୀରେ ଫୁଟିଲା ଗୁଳି । ….ସରିଛି ଗଣେଶ ପୂଜା । ଆଗକୁ ଦଶହରା। ପାର୍ବଣ ଋତୁ ପାଇଁ ପୋଲିସ ଅଣ୍ଟା ଭିଡୁଥିବା ବେଳେ ରାଜଧାନୀରେ ଫୁଟିଛି ଗୁଳି । ଫେସବୁକ ଲାଇଭରୁ ଘଟିଛି ତୁମୁଳକାଣ୍ଡ । ଭରତପୁର ଥାନା ଅନ୍ତର୍ଗତ ଘାଟିକିଆର ଏକ ଘରୋଇ ହସ୍ପିଟାଲ ନିକଟରେ ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ  ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁ ୫ ଜଣ ଆହତ ହୋଇଛନ୍ତି । ରାତି ପ୍ରାୟ ୨ ଟା ୪୫ ରେ ଏଭଳି ଘଟଣା ଘଟିଥିବା ବେଳେ ଆଜି ପୋଲିସ ଆରମ୍ଭ କରିଛି ସର୍ଜମିନ ଯାଞ୍ଚ । ଘଟଣାସ୍ଥଳରୁ ୨ ଟି ଖୋକା ଜବତ ହୋଇଛି । ଖବର ପାଇ ସାଇଣ୍ଟିଫିକ ଟିମ ମଧ୍ୟ କ୍ରାଇମ ସ୍ପଟରେ ପହଁଚି ଖୋଳତାଡ଼ ଆରମ୍ଭ କରିଛି । ଜବତ ସିସିଟିଭି ରୁ ପୋଲିସ କିଛି ସୁରାକ ପାଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାକୁ ଚଳାଇଛି ଚଢ଼ାଉ । ….

ସେପଟେ ଆଜିଠୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ ଆରମ୍ଭ ହୋଇଛି ।  ଏହି ଅଭିଯାନ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ । ଅଭିଯାନ ସମୟରେ ଅପରାଧୀ ଓ ଅସାମାଜିକଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯିବ । ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରିବା ସହ ପ୍ରତିଷେଧମୂଳକ ଆଇନଗତ ପଦକ୍ଷେପ ନିଆଯିବ । ବେଆଇନ ମଦ କାରବାର, ନିଶାଦ୍ରବ୍ୟ ଚାଲାଣ, ବେଆଇନ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ କାରବାର ଉପରେ ସ୍ୱତନ୍ତ୍ର ନଜର ରଖାଯିବ। ବଳପୂର୍ବକ ଚାନ୍ଦା ଆଦାୟ ଏବଂ ସଂଗଠିତ ଅପରାଧ ବିରୋଧରେ ମଧ୍ୟ କଡ଼ା ଆଇନଗତ ପଦକ୍ଷେପ ନିଆଯିବ । ଅପରାଧୀଙ୍କ ଗତିବିଧି ରୋକିବା ପାଇଁ ସୀମାନ୍ତ ଅଞ୍ଚଳରେ ବ୍ଲକିଂ ଓ ବର୍ଡର ସିଲିଂ କରାଯିବ। ଜିଲ୍ଲା ପୋଲିସ, ରେଳବାଇ ପୋଲିସ, କମିଶନରେଟ୍ ପୋଲିସ ଓ ସମ୍ପୃକ୍ତ ପୋଲିସ ୟୁନିଟ୍‌ଗୁଡ଼ିକ ପରସ୍ପର ସମନ୍ୱୟରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବେ।

ଆସନ୍ତାକାଲି ଠାରୁ ବିଧାନସଭା । ପୁରା ସହରରେ ପୋଲିସର କଡା ପ୍ରହରା। ଏସବୁକୁ ମାତ୍ ଦେଇ ରାଜଧାନୀରେ ଗୁଳି ଫୁଟିବା ଘଟଣା ପୋଲିସ ପାଇଁ ବଢ଼ାଇଛି ଟେନ୍ସନ

ସମ୍ବଲପୁରର ମାଆ ସମଲେଶ୍ୱରୀଙ୍କ ହୁଣ୍ଡି ଟଙ୍କାକୁ ନେଇ ରାଜନୈତିକ ଝଡ଼

ନନ୍ଦିଘୋଷ ବ୍ୟୁରୋ :  ସମ୍ବଲପୁରର ମାଆ ସମଲେଶ୍ୱରୀଙ୍କ ହୁଣ୍ଡି ଟଙ୍କାକୁ ନେଇ ରାଜନୈତିକ ଝଡ଼ । ଦାନ ଅର୍ଥରେ ଅତିଥିଙ୍କ ପାଇଁ ନୂଆଁଖାଇ  ଭେଟଘାଟ କାର୍ଯ୍ୟକ୍ରମ ବୋଲି ଅଭିଯୋଗ । ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ରାଜନୈତିକ ବ୍ୟକ୍ତି ଏବଂ ରାଜ୍ୟ ବାହାରୁ ଆସିଥିବା ଅତିଥିଙ୍କ ପାଇଁ ସ୍ବତନ୍ତ୍ର ଅୟୋଜନ ହୋଇଥିବା ବିଜେଡି ଅଭିଯୋଗ କରିଛି । ବିଜେଡି ରାଜ୍ୟ ସମ୍ପାଦକ ସଞ୍ଜିତ ମହାନ୍ତି ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ନୂଆଁଖାଇରେ ଏ ପରମ୍ପରା ନଥିଲା ବୋଲି କହିଛନ୍ତି ସଞ୍ଜିତ ମହାନ୍ତି  । ସେପଟେ କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣିଛି ।

ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ମାଆ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ । ମା’ଙ୍କ ହୁଣ୍ଡିରୁ ଗୋଟିଏ ଟଙ୍କା ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହୋଇନାହିଁବୋଲି କହିଛି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ । ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। ନୂଆଁଖାଇ ଦିନ ଯେତେବେଳେ ସମଲେଶ୍ୱରୀ ମନ୍ଦିର ପରିସରରେ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ହୋଇଥିଲା ଏଥିରେ ରାଜ୍ୟ ର ବହୁ ବରିଷ୍ଠ ରାଜନେତା ଯୋଗ ଦେଇଥିଲେ । ସେହି କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଫଣ୍ଡରୁ ହିଁ ଖର୍ଚ୍ଚ କରାଯାଇଥିଲା ବୋଲି କହିଛନ୍ତି ଟ୍ରଷ୍ଟ ବୋର୍ଡ ସଭାପତି । …

ଯଦି ଏହି ଅଭିଯୋଗ ସତ ତେବେ ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଖେଳ ଖେଳାଯାଉଥିବା ମତପ୍ରକାଶ ପାଇଛି । …

ମୁରବିଶୂନ୍ୟ ବିଇଓ ଅଫିସ । ୩ ବର୍ଷ ହେଲା ଖାଲି ପଡ଼ିଛି ପଦବୀ

ନନ୍ଦିଘୋଷ ବ୍ୟୁରୋ :  ମୁରବିଶୂନ୍ୟ ବିଇଓ ଅଫିସ । ୩ ବର୍ଷ ହେଲା ଖାଲି ପଡ଼ିଛି ପଦବୀ । ମନଇଚ୍ଛା କାର୍ଯ୍ୟାଳୟକୁ ଆସୁଛନ୍ତି କର୍ମଚାରୀ । ସିଆରସିସି ଓ ଏବିଇଓଙ୍କ ଭରସାରେ ଚାଲିଛି କାମ ।… ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅବସ୍ଥା ନ କହିବା ଭଲ । ପରିସର ମଧ୍ୟରେ ଲତାବୁଦା ମାଡ଼ି ଗଲାଣି । ସ୍ଥାୟୀ ବିଇଓ ନଥିବାରୁ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକ, ଶିକ୍ଷକ, ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କ କାମ ହୋଇପାରୁନି । ଫଳରେ ସେମାନେ ନିରାଶ ହୋଇ ଫେରୁଛନ୍ତି । ଲାଞ୍ଚ ନ ଦେଲେ ବିଇଓଙ୍କ କାର୍ଯ୍ୟାଳୟରେ କାମ ହୁଏ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। …

କୃଷ୍ଣପ୍ରସାଦ ବିଇଓ ପଦବୀ ଖାଲି ପଡ଼ିଥିବା ବେଳେ କଣାସ ବିଇଓଙ୍କୁ ଏହାର ଅସ୍ଥାୟୀ ଦାୟିତ୍ଵ ମିଳିଛି । ହେଲେ ୩ ମାସ ହେବ ସେ କାର୍ଯ୍ୟାଳୟକୁ ଆସୁନାହାନ୍ତି । ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ାର ମାନ ଯାଞ୍ଚ କରିବା ପାଇଁ ନିଯୁକ୍ତ CRCC ମାନଙ୍କ କାର୍ଯ୍ୟକାଳ ୫ ବର୍ଷ ରହିଛି । ହେଲେ କୃଷ୍ଣପ୍ରସାଦ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କିଛି ସିଆରସିସି ୧୦ ବର୍ଷ ଧରି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ସେହିପରି ବିଇଓଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କୁ ହାତବାରିସି କରି କିଛି ଶିକ୍ଷକ ବିଦ୍ୟାଳୟରେ ପାଠପଢ଼ାକୁ ଗୁରୁତ୍ୱ ଦେବା ବଦଳରେ କୋଚିଙ୍ଗ ସେଣ୍ଟରରେ ଶିକ୍ଷାଦାନ କରୁଥିବା ଅଭିଯୋଗ ହୋଇଛି। …

କେବେ କୃଷ୍ଣପ୍ରସାଦ ବ୍ଲକରେ ସ୍ଥାୟୀ ବିଇଓ ନିଯୁକ୍ତ ହେବେ ? କେବେ ସେଠାରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ? ତା ଉପରେ ରହିଛି ସମସ୍ତଙ୍କ ନଜର ।

ପର୍ଯ୍ୟଟକଙ୍କ ଜୀବନ ସହ ଖେଳ

ନନ୍ଦିଘୋଷ ବ୍ୟୁରୋ :  ପର୍ଯ୍ୟଟକଙ୍କ ଜୀବନ ସହ ଖେଳ । କୋଣାର୍କରୁ ଅସ୍ତରଙ୍ଗ- କାକଟପୁର ଯାଏଁ ଗଢ଼ି ଉଠିଛି ମାଳମାଳ ବେଆଇନ ହୋଟେଲ, ଲଜ୍, ଗେଷ୍ଟ ହାଉସ ଓ ମଣ୍ଡପ । ନା ଅଛି ଅଗ୍ନି ନିରାପତ୍ତା, ନା NOC । ଲଜରେ ଅନୈତିକ କାର୍ଯ୍ୟ ସାଙ୍ଗକୁ ନିଶା କାରବାର ହେଉଥିବା ଅଭିଯୋଗ ହେଉଛି । ହେଲେ ପୋଲିସ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉନି।… କୋଣାର୍କ ସୂର୍ଯ୍ୟ ମନ୍ଦିର, ଅସ୍ତରଙ୍ଗ ଦେବୀ ମୁହାଁଣ, କାକଟପୁରର ମାଆ ମଙ୍ଗଳାଙ୍କୁ ପୀଠକୁ ରାଜ୍ୟର କୋଣ ଅନୁକୋଣରୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଭିଡ଼କୁ ଦୃଷ୍ଟିରେ ରଖି କେବଳ କୋଣାର୍କରେ ୮୦ରୁ ଅଧିକ ହୋଟେଲ ବା ଲଜ୍ ନିର୍ମାଣ ହୋଇଛି । କାକଟପୁର, ଅସ୍ତରଙ୍ଗ ଓ ଚନ୍ଦ୍ରଭାଗାକୁ ମିଶାଇଲେ ସଂଖ୍ୟା ୩ ଶହ ପାର କରିବ । ଏଥିରୁ ୯୦ ପ୍ରତିଶତ ହୋଟେଲ ବେଆଇନ ଭାବେ ନିର୍ମାଣ ହୋଇଛି । …

C- FORM ନିୟମ ଅନୁଯାୟୀ ବିଦେଶୀ ପର୍ଯ୍ୟଟକ ଓ ଦେଶ ତଥା ରାଜ୍ୟର ଅତିଥିଙ୍କ ସଂପୂର୍ଣ୍ଣ ଡାଟା ପ୍ରତିଦିନ ଥାନାରେ ଦାଖଲ କରିବା ବାଧ୍ୟତାମୂଳକ । ହେଲେ ଏଠି ତାହାର ବ୍ୟତିକ୍ରମ ଦେଖାଦେଇଛି । ବିନା ଆଧାରରେ, ବିନା ବୟସ ଯାଞ୍ଚରେ ଛୋଟ ପିଲାଙ୍କୁ ରୁମ୍ ଦିଆଯାଉଛି । ଅନେକ ମହିଳା ରାତିରେ ଲଜରେ ରହୁଛନ୍ତି  । ଅତିଥି ରେଜିଷ୍ଟର କେବଳ କାଗଜ ପତ୍ରରେ ଚାଲିଛି, ବାସ୍ତବରେ ସବୁ ଫାଙ୍କା । ଯଦି କୌଣସି ଅପରାଧୀ ଲୁଚି ରହେ ତାହେଲେ ଟ୍ରେସ କରିବ କିଏ ? ଗୋଟିଏ ନିଆଁ, ଗୋଟିଏ ଅଘଟଣ ଶହ ଶହ ଜୀବନ ନେଇପାରେ । କିନ୍ତୁ ପୋଲିସ ଓ ପୁରୀ ଜିଲ୍ଲା ପ୍ରଶାସନ କାହିଁକି ଚୁପ୍ ? ଘଟଣା ପଛରେ ମୋଟା ଅଙ୍କର ଟଙ୍କା କାରବାର ନାହିଁ ତ ?

କେବେ ପ୍ରଶାସନର ନିଦ ଭାଙ୍ଗୁଛି ? କେବେ ବେଆଇନ ସାମ୍ରାଜ୍ୟ ଉପରେ ଚାଲିବ ବୁଲଡୋଜର ? ତାହା ଦେଖିବାକୁ ବାକି ରହିଲା ।

ମା’ ତାରିଣୀଙ୍କ ପୀଠରେ ଅଳିଆର ପାହାଡ଼!

ନନ୍ଦିଘୋଷ ବ୍ୟୁରୋ :  ରାସ୍ତା କଡ଼ରେ ପଡ଼ିଛି କୁଢ଼କୁଢ଼ ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ଏ ହେଉଛି ଘଟଗାଁ ମା’ ତାରିଣୀଙ୍କ ପୀଠ ନିକଟ ବଜାରର ଦୃଶ୍ୟ । ଯୁଆଡ଼େ ଚାହିଁବେ ସିଆଡ଼େ ପଡିରହିଛି ଅଳିଆ । ମନ୍ଦିର ଚାରିପଟର ସ୍ଥିତି ମଧ୍ୟ ସମାନ । ପ୍ରତିଦିନ ଘଟଗାଁକୁ ରାଜ୍ୟ ସମେତ ବାହାର ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଆସୁଛନ୍ତି । କିନ୍ତୁ ବଜାର ଭିତରକୁ ପ୍ରବେଶ କରିବା ମାତ୍ରେ ଅଳିଆ ଆବର୍ଜନାର ଦୃଶ୍ୟ ଭକ୍ତଙ୍କୁ ନିରାଶ କରୁଛି ।…

ମନ୍ଦିର ପକ୍ଷରୁ ୧୦ ଜଣ ଏବଂ ରାଜ୍ୟ ଟୁରିଜିମ ବିଭାଗ ବଜାରର ସଫେଇ ପାଇଁ L&K ଠିକା ସଂସ୍ଥାକୁ ୩ ମାସ ହେବ ଟେଣ୍ଡର ଦେଇଛି । ଯେଉଁଥିରେ ୪୫ ଜଣ ସଫେଇ କର୍ମୀ ନିୟୋଜିତ ଅଛନ୍ତି । ଅର୍ଥାତ ମୋଟ ୫୫ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ତଥାପି ବଜାରରୁ ଅଳିଆ ହଟୁନାହିଁ କାହିଁକି ? ୫୫ ଜଣ ସଫେଇ କର୍ମଚାରୀ କରୁଛନ୍ତି କଣ ? ଅନ୍ୟପଟେ ଆମକୁ ସଫେଇ ଉପକରଣ ମିଳିନି ବୋଲି କହିଛନ୍ତି ହାଉସସ୍କିପିଂ ସୁପରଭାଇଜର ।…

ତୁରନ୍ତ ଅଳିଆ ଆବର୍ଜନା ହଟାଇବା ସହ ଅଞ୍ଚଳରେ ନିୟମିତ ସଫେଇ କରିବାକୁ ଦାବି ହେଉଛି ।

 

ନନ୍ଦନକାନନରେ ପୁଣି ପ୍ରାଣୀ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ :  ନନ୍ଦନକାନନରେ ପୁଣି ମୃତ୍ୟୁ । ପ୍ରାଣୀ ଉଦ୍ୟାନକୁ ମାତ୍ର କିଛିଦିନ ତଳେ ଗୁଜରାଟର ଭାନତାରୁ ୧୪ ପ୍ରଜାତିର ୫୮ଟି ନୂଆ ବିଦେଶୀ ପ୍ରାଣୀ ଆସିଥିଲେ । ହେଲେ କ୍ୱାରେଣ୍ଟାଇନ ସମୟ ନସରୁଣୁ ସାମ୍ନାକୁ ଆସିଲା ଦୁଃଖଦ ଖବର । ନୂଆ ଆସିଥିବା ମିରକାଟ୍ ମଧ୍ୟରୁ ଦୁଇଟିର ମୃତ୍ୟୁ ହୋଇଛି । କେବଳ ସେତିକି ନୁହେଁ, ଆଉ ଗୋଟିଏ ମିରକାଟ୍ ଅସୁସ୍ଥ ଥିବା ଜଣାପଡିଛି । ଗତ ସେପ୍ଟେମ୍ବର ୧୨ ତାରିଖରେ ନନ୍ଦନକାନନକୁ ଗୁଜରାଟର ରାଧାକୃଷ୍ଣ ଟେମ୍ପଲ ଏଲିଫାଣ୍ଟ ୱେଲଫେୟାର ଟ୍ରଷ୍ଟ  ଭାନତାରାରୁ ୫୮ଟି ନୂଆ ପ୍ରାଣୀ ଆସିଥିଲେ । ଏଥିରେ ଜେବ୍ରା, କଙ୍ଗାରୁ, ମିରକାଟ୍, ବ୍ଲୁ-ୱାଇଲ୍ଡବିଷ୍ଟ, ମାକାଓ ଭଳି ୧୪ ପ୍ରଜାତିର ବିରଳ ପ୍ରାଣୀ ସାମିଲ ଥିଲେ । ସମସ୍ତଙ୍କୁ କ୍ୱାରଣ୍ଟାଇନରେ ରଖାଯାଇଥିଲା । ହେଲେ କ୍ୱାରଣ୍ଟାଇନରେ ଦୁଇଟି ପ୍ରାଣୀଙ୍କ ମୃତ୍ୟୁ ହୋଇଛି । ଏନେଇ କାରଣ ସ୍ପଷ୍ଟ ହୋଇ ନଥିବାବେଳେ ପୋଷ୍ଟମର୍ଟମ ପରେ ଜଣାପଡିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ ଆସିଥିବା ମାଈ ଜେବ୍ରାର ବେକରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଖୁଆଡ଼ରେ ବାଡ଼ରେ ପିଟି ହୋଇ ଆଘାତ ଲାଗିଛି ନା ଅନ୍ୟ କୌଣସି କାରଣ ରହିଛି, ତାକୁ ନେଇ ସନ୍ଦେହ ବଢ଼ିଛି । ଜେବ୍ରାର ଚିକିତ୍ସା ଜାରି ରହିଛି । ଏତେ ବଡ଼ ସଂଖ୍ୟାରେ ନୂଆ ପ୍ରାଣୀ ଆସିବା ପରେ ପୁଣି ଏଭଳି ମୃତ୍ୟୁ ଖବର ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପରିଚାଳନା ଓ ଯତ୍ନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।….

ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ନଜର । ଆଜିଠୁ ରାଜ୍ୟବ୍ୟାପୀ ଦମନ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ :  ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ନଜର । ଆଜିଠୁ ରାଜ୍ୟବ୍ୟାପୀ ଦମନ ଅଭିଯାନ । ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ପଦକ୍ଷେପ ନେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଦମନ’ଆରମ୍ଭ କରାଯାଉଛି । ଏହି ଅଭିଯାନ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ। ଅଭିଯାନ ସମୟରେ ଅପରାଧୀ ଓ ଅସାମାଜିକଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯିବ । ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରିବା ସହ ଆଇନଗତ ପଦକ୍ଷେପ ନିଆଯିବ । ବେଆଇନ କାର୍ଯ୍ୟକଳାପ ବିରୋଧରେ ଚଢ଼ାଉ ଓ ଗିରଫଦାରୀକୁ ମଧ୍ୟ ଗୁରୁତ୍ୱ ଦିଆଯିବ ।

ବେଆଇନ ମଦ କାରବାର, ନିଶାଦ୍ରବ୍ୟ ଚାଲାଣ, ବେଆଇନ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ କାରବାର ଉପରେ ସ୍ୱତନ୍ତ୍ର ନଜର ରଖାଯିବ । ବଳପୂର୍ବକ ଚାନ୍ଦା ଆଦାୟ ଏବଂ ସଂଗଠିତ ଅପରାଧ ବିରୋଧରେ ମଧ୍ୟ କଡ଼ା ଆଇନଗତ ପଦକ୍ଷେପ ନିଆଯିବ । ଅପରାଧୀଙ୍କ ଗତିବିଧି ରୋକିବା ପାଇଁ ସୀମାନ୍ତ ଅଞ୍ଚଳରେ ବ୍ଲକିଂ ଓ ବର୍ଡର ସିଲିଂ କରାଯିବ । ଜିଲ୍ଲା ପୋଲିସ, ରେଳବାଇ ପୋଲିସ, କମିଶନରେଟ୍ ପୋଲିସ ଓ ସମ୍ପୃକ୍ତ ପୋଲିସ ୟୁନିଟ୍‌ଗୁଡ଼ିକ ପରସ୍ପର ସମନ୍ୱୟରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବେ ।…..

ଶିକ୍ଷାବର୍ଷର ୫ ମାସ ପୁରିଗଲା । ହେଲେ ଏଯାଏଁ ସୁଧୁରିଲାନି ପାଠ୍ୟ ପୁସ୍ତକ ବିଭ୍ରାଟ

ନନ୍ଦିଘୋଷ ବ୍ୟୁରୋ :  ଶିକ୍ଷାବର୍ଷର ୫ ମାସ ପୁରିଗଲା । ହେଲେ ଏଯାଏଁ ସୁଧୁରିଲାନି ପାଠ୍ୟ ପୁସ୍ତକ ବିଭ୍ରାଟ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଓ କାକଟପୁର ବ୍ଲକର ଶତାଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏବେ ପିଲାଙ୍କ ହାତରେ ଭୁଲ ବହି, ଶିକ୍ଷକଙ୍କ ହାତରେ ମୋବାଇଲ PDF । କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି -2020 ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ନୂଆ ପାଠ୍ୟକ୍ରମ ଅନୁଯାୟୀ ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ନୂଆ ବହି ଛପା ହୋଇଥିଲା । ହେଲେ ଛପା ପରେ ଜଣାପଡିଲା ବହିରେ ହଜାର ହଜାର ବନାନ ଭୁଲ । ଅଭିଯୋଗ ହେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରବରିଆ ଭାବେ ୧୨୨ ପୃଷ୍ଠାର ସଂଶୋଧନ PDF ଜାରି କଲା । ହେଲେ ଏହା ସମସ୍ୟା ସମାଧାନ ବଦଳରେ ବଢାଇ ଦେଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଭଳି ଗ୍ରାମାଞ୍ଚଳରେ ଅନେକ ସ୍କୁଲରେ ଇଣ୍ଟରନେଟ କି ପ୍ରିଣ୍ଟର ନାହିଁ । ଅନେକ ବୟସ୍କ ଶିକ୍ଷକ PDF ଖୋଲି ପଢାଇ ପାରୁନାହାନ୍ତି । ଡାଉନଲୋଡ୍ କରିବା ଜାଣନ୍ତିନି । ଯେଉଁ ଶିକ୍ଷକ ପଢାଉଛନ୍ତି, ସେମାନେ ମୋବାଇଲ ସ୍କ୍ରିନ ଦେଖି ବ୍ଲାକବୋର୍ଡରେ ଲେଖୁଛନ୍ତି । ପିଲା ଘରକୁ ଯାଇ ପୁଣି ଭୁଲ ବହି ପଢୁଛି । ଆଉ ମାତ୍ର କିଛି ଦିନ ପରେ ଅର୍ଦ୍ଧ ବାର୍ଷିକ ପରୀକ୍ଷା, ଦଶହରା ପରେ ବାର୍ଷିକ ପରୀକ୍ଷା । ଏବେ ପ୍ରଶ୍ନ, ପ୍ରଶ୍ନପତ୍ର ଭୁଲ ବହି ଅନୁଯାୟୀ ଆସିବ ନା ସଂଶୋଧିତ PDF ଅନୁଯାୟୀ ? ଏହାକୁ ନେଇ ଶିକ୍ଷକ, ଅଭିଭାବକ ସମସ୍ତେ ଚିନ୍ତାରେ । ତୁରନ୍ତ ସଂଶୋଧିତ ଛପା ବହି ନ ଆସିଲେ ହଜାର ହଜାର ପିଲାଙ୍କ ଶିକ୍ଷା ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯିବ ।….