ନନ୍ଦିଘୋଷ ବ୍ୟୁରୋ ; ପୁଣି ହର୍ମୁଜକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଦାଦାଗିରି। କହିଛନ୍ତି- ହର୍ମୁଜ ହେଉଛି ଆମେରିକାର। ଯଦି ଇରାନ ଉପରେ ଆମେରିକା ଅଧିକ କାର୍ଯ୍ୟାନୁଷ୍ଠାନ ନିଏ ତେବେ ଏହାର ପରିଣାମ ଭୟଙ୍କର ହେବ ବୋଲି ତେହରାନ କହିବା ପରେ ଏହା କହିଛନ୍ତି ଟ୍ରମ୍ପ। ହର୍ମୁଜକୁ ନେଇ ଇରାନ ଉପରେ ଅଧିକ ଚାପ ପ୍ରୟୋଗ କରିବା ପ୍ରୟାସକୁ ସମାଲୋଚନା କରିଛି ତେହରାନ। ସେପଟେ ଆସନ୍ତା ସୋମବାର ଇରାନ ଉପରେ ସାନି କଟକଣା ଜାରି କରାଯିବ ବୋଲି କହିଛନ୍ତି ଆମେରିକା ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ। ବେଳକୁ ବେଳ ଆମେରିକା-ଇରାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବାବେଳେ ବିବାଦ ଥମିବାର ନାଁ ନେଉନି। ସେପଟେ ଟ୍ରମ୍ପ କହିଛନ୍ତି- ଇରାନ କୌଣସି ପ୍ରକାର ବୁଝାମଣା ଲାଗି ପ୍ରସ୍ତୁତ ନୁହେଁ।
ହାଣ୍ଡିଆ ଦେଇ ଖୋଲୁଛନ୍ତି ମୁଲ୍ ଆକାଉଣ୍ଟ, ଠକଙ୍କ ଟଙ୍କା ଲେଣଦେଣ କରି ନେଉଛନ୍ତି ମୋଟା କମିଶନ
ନନ୍ଦିଘୋଷ ବ୍ୟୁରୋ ; ହାଣ୍ଡିଆ ଦେଇ ଖୋଲୁଥିଲେ ମୁଲ୍ ଆକାଉଣ୍ଟ, ଆଉ ସେହି ଆକାଉଣ୍ଟରେ ଆସୁଥିଲା ସାଇବର ଠକେଇ ଟଙ୍କା। ଠକେଇ ଟଙ୍କାର ଲେଣଦେଣରେ ସହଯୋଗ କରି ମୋଟା ଅଙ୍କର କମିଶନ ନେଉଥିଲେ ଠକଙ୍କ ସହଯୋଗୀ। ଏଭଳି ଏକ ବଡ଼ ସାଇବର ଠକେଇ ଚେନ୍ର ପର୍ଦ୍ଦାଫାସ କରୁଛି ସାଇବର ଥାନା ପୋଲିସ। ମୟୂରଭଞ୍ଜରୁ ମୁଲ୍ ଆକାଉଣ୍ଟ ଚଳାଉଥିବା ରାଜେନ୍ଦ୍ର ସିଂଙ୍କୁ ଗିରଫ କରିଛି ପୋଲିସ। ବାଲେଶ୍ୱର ଅଞ୍ଚଳରେ ମୁଲ୍ ଆକାଉଣ୍ଟ ଚଳାଇ ସାଇବର ଠକଙ୍କ ଠକେଇ ଟଙ୍କା ଲେଣଦେଣରେ ସହଯୋଗ କରୁଥିଲେ ଅଭିଯୁକ୍ତ। ୨୦୨୫ରେ ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଫୋନ୍ କରି ସାଇବର ଠକମାନେ ଠକିଥିଲେ। ପରେ ହ୍ୱାଟ୍ସଆପ୍ରେ ଏକ ଆପ୍ ପଠାଇ ପ୍ରାୟ ୯ ଲକ୍ଷ ଟଙ୍କା ହଡ଼ପ କରିଥିଲେ। ଏହି ଠକେଇ ଟଙ୍କା ମୁଲ୍ ଆକାଉଣ୍ଟ ଜରିଆରେ ଟ୍ରାନ୍ସଫର କରାଯାଇଥିଲା।
ସାଇବର ଠକମାନେ ବିଶେଷ କରି ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଟାର୍ଗେଟ କରୁଥିଲେ। ଲୋଭନୀୟ ଅଫର ଓ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କୁ ଫସାଇବା ପରେ ସେମାନଙ୍କ ଆକାଉଣ୍ଟ ଖାଲି କରିଦେଉଥିଲେ। ଏହି ଠକେଇ ଚେନ୍ର ଲିଙ୍କ୍ ଓଡ଼ିଶା ସମେତ ଗୁଜରାଟ, ଆସାମ ଓ କୋଲକାତା ପର୍ଯ୍ୟନ୍ତ ରହିଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ବେଳେ ଏହି ବଡ଼ ନେଟୱର୍କର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ସାଇବର ପୋଲିସ। ରାଜେନ୍ଦ୍ର ସିଂଙ୍କ ଗିରଫ ପରେ ଏବେ ପୋଲିସର ଟାର୍ଗେଟରେ ଅନ୍ୟ ମୁଲ୍ ଆକାଉଣ୍ଟଧାରୀ ଓ ମାଷ୍ଟରମାଇଣ୍ଡ। ଏହି ସାଇବର ଠକେଇ ଚେନ୍ରେ ଆଉ କେତେ ଜଣ ସାମିଲ ଅଛନ୍ତି, ସେନେଇ ଖୋଳତାଡ଼ ଜାରି ରହିଛି।
ବାବା ରାମଦେବଙ୍କ ଉପରେ ବର୍ଷିଲେ ସାଂସଦ ବ୍ରିଜଭୂଷଣ ଶରଣ ସିଂହ !
ଯୋଗଗୁରୁ ବାବା ରାମଦେବଙ୍କ ଉପରେ ବର୍ଷିଲେ ପୂର୍ବତନ ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହ । ସେ କହିଥିଲେ, “ସ୍ୱଦେଶୀ ନାମରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ନକଲି ଉତ୍ପାଦ ଏବଂ ବିଦେଶୀ ସାମଗ୍ରୀକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିସ୍ତାରିତ ହୋଇଛି। ସେ ରାମଦେବଙ୍କୁ ପ୍ରତିବାଦ କରିବାକୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ଯଦି ଯୋଗଗୁରୁ ଏକ ଆନ୍ଦୋଳନ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ଏଥର ନିର୍ଣ୍ଣାୟକ ଭାବରେ ଲଢ଼ିବା ଉଚିତ୍ ଏବଂ ଜଣେ ପୁରୁଷ ପରି ତାହା କରିବା ଉଚିତ୍।
ଜିଲ୍ଲା ମୁଖ୍ୟାଳୟର ଏକ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାବା ରାମଦେବଙ୍କ ଆନ୍ଦୋଳନ ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେଇ ବ୍ରଜଭୂଷଣ କହିଥିଲେ,…
ସେ ପୂର୍ବରୁ ଉତ୍ପାଦଗୁଡ଼ିକ ବିରୁଦ୍ଧରେ ବୟାନ ଦେଇଛନ୍ତି। ୨୪ ନଭେମ୍ବର, ୨୦୨୨ ରେ, ସାଂସଦ ଥିବା ସମୟରେ, ବ୍ରଜଭୂଷଣ ବାରବାଙ୍କିରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ସମାନ ବୟାନ ଦେଇଥିଲେ। ସେ ଉତ୍ତମ ସ୍ୱାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତା ଏବଂ ଶୁଦ୍ଧ କ୍ଷୀର ଏବଂ ଘିଅର ବ୍ୟବହାର ପାଇଁ ଓକିଲାତି କରିଥିଲେ। ସେ ରାମଦେବଙ୍କ ଉତ୍ପାଦଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଥିଲେ, “ଗାଈ କିମ୍ବା ମଇଁଷି ପାଳନ କରିବାରେ ଅକ୍ଷମତା ହେତୁ, ଲୋକମାନେ ‘ରାମଦେବଙ୍କ ନକଲି ଘିଅ’ ଖାଇବାକୁ ବାଧ୍ୟ ହେଉଛନ୍ତି।” ସେହି ସମୟରେ, ପୂର୍ବତନ ବିଜେପି ସାଂସଦ ରାମଦେବ ଏବଂ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ବାଳକୃଷ୍ଣଙ୍କୁ ସେମାନଙ୍କ ବ୍ରାଣ୍ଡର “ନକଲି ଘିଅ” ପାଇଁ ଗିରଫ କରିବାକୁ ଦାବି କରିଥିଲେ।…
ପ୍ରେମ ପ୍ରତାରଣା ଅଭିଯୋଗରେ SI ଗିରଫ, ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଠକେଇ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ ; ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା। ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୋଲିସ ସବ୍ଇନ୍ସପେକ୍ଟର। ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାରେ କାର୍ଯ୍ୟରତ SI ପ୍ରଭାତ କୁମାର ନାୟକଙ୍କୁ ଗିରଫ କରିଛି ବାରିପଦା ଟାଉନ ଥାନା ପୋଲିସ। ଅଭିଯୋଗ ଅନୁସାରେ, ପୁରୀର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ SI ପ୍ରଭାତ କୁମାର ନାୟକ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପରେ ମନ୍ଦିରରେ ବିବାହ କରିଥିଲେ ମଧ୍ୟ ତାଙ୍କୁ ପ୍ରତାରଣା କରିଥିବା ଯୁବତୀ ଅଭିଯୋଗ କରିଛନ୍ତି।
ଏହାସହ ଲକ୍ଷାଧିକ ଟଙ୍କା ଠକେଇ ଏବଂ ସର୍ଭିସ୍ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିବା ନେଇ ମଧ୍ୟ ଯୁବତୀ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ଆଧାରରେ ବାରିପଦା ଟାଉନ ଥାନା ପୋଲିସ SI ପ୍ରଭାତ କୁମାର ନାୟକଙ୍କୁ ଗିରଫ କରିଛି। ତେବେ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ SI ପ୍ରଭାତ କୁମାର ନାୟକ ଖଣ୍ଡନ କରିଛନ୍ତି। ସେ ଯୁବତୀଙ୍କୁ ବିବାହ କରିଥିବା ଦାବି କରିଛନ୍ତି। ତେଣୁ ମାମଲାରେ ଉଭୟ ପକ୍ଷର ଭିନ୍ନ ଦାବି ସାମ୍ନାକୁ ଆସିଛି। ପୋଲିସର ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ। ଏହି ଘଟଣାକୁ ନେଇ ବାରିପଦାରେ ଚର୍ଚ୍ଚା ଜୋର ଧରିଛି।
ଆଜିଠାରୁ ବିଶ୍ୱ କଣ୍ଟିନେଣ୍ଟାଲ୍ ଟୁର୍ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ
ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ବିଶ୍ୱ କଣ୍ଟିନେଣ୍ଟାଲ୍ ଟୁର୍ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହେଉଛି। ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ମହାଦେଶୀୟ ଆଥଲେଟିକ୍ସ ପ୍ରତିଯୋଗିତା ଚାଲିବ, ଯେଉଁଥିରେ ୨୩ଟି ଦେଶରୁ ମୋଟ ୧୮୭ ଜଣ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ପୁରୁଷ ଓ ମହିଳା ବର୍ଗରେ ୯ଟି ଲେଖାଏଁ ମୋଟ ୧୮ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ।ଏହି ପ୍ରତିଯୋଗିତାରେ ଭାରତରୁ ୮୮ ଜଣ ଆଥଲେଟ୍ ଭାଗ ନେଉଛନ୍ତି। ଓଡ଼ିଶାରୁ ୬ ଜଣ ଆଥଲେଟ୍ ଶ୍ରାବଣୀ ନନ୍ଦ, କିଶୋର ଜେନା, ଅନିମେଷ କୁଜୁର, ବାପି ହାଁସଦା, ସ୍ୱାଧୀନ ମାଝୀ ଏବଂ ପ୍ରଜ୍ଞାପ୍ରଶାନ୍ତି ସାହୁ ଅଂଶଗ୍ରହଣ କରୁଛନ୍ତି। ଏହି ସ୍ଥାନୀୟ ଖେଳାଳିଙ୍କ ଉପରେ ସମସ୍ତ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି।
ମହାନଦୀ ଜଳ ବିବାଦ: ବୈଷୟିକ କମିଟି ଗଠନ କଲା CWC, ସେପ୍ଟେମ୍ବର ୧୭ରେ ପରବର୍ତ୍ତୀ ଶୁଣାଣି
ନନ୍ଦିଘୋଷ ବ୍ୟୁରୋ : ମହାନଦୀ ଜଳ ବଣ୍ଟନ ବିବାଦର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ରୀୟ ଜଳ ଆୟୋଗ (CWC) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ଏବଂ ଛତିଶଗଡ଼ ଦ୍ୱାରା ଦାଖଲ କରାଯାଇଥିବା ତଥ୍ୟଗୁଡ଼ିକର ଅନୁଧ୍ୟାନ ଓ ବିଶ୍ଳେଷଣ ପାଇଁ CWC ଏକ ବିଶେଷ ବୈଷୟିକ କମିଟି ଗଠନ କରିଛି।
ଓଡ଼ିଶା ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟଙ୍କ ସୂଚନା ଅନୁସାରେ, ଉଭୟ ରାଜ୍ୟନନ୍ଦିଘୋଷ ବ୍ୟୁରୋ ନିଜ ନିଜର ଜଳ ଆବଶ୍ୟକତା ଓ ଦାବି ସମ୍ପର୍କିତ ବିସ୍ତୃତ ତଥ୍ୟ CWC କୁ ପ୍ରଦାନ କରିଛନ୍ତି। ଏହି କମିଟି ସେହି ତଥ୍ୟଗୁଡ଼ିକର ନିରପେକ୍ଷ ବୈଷୟିକ ଯାଞ୍ଚ କରୁଛି।
ସେପ୍ଟେମ୍ବର ୧୭ ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ହେବାକୁ ଯାଉଛି। ଏହା ପୂର୍ବରୁ ବୈଷୟିକ କମିଟିର ଏହି ପଦକ୍ଷେପକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।
ଉଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଆଭିମୁଖ୍ୟ, ସାରଗର୍ଭକ ଆଲୋଚନା ଏବଂ ପାରସ୍ପରିକ ବୁଝାମଣା ମାଧ୍ୟମରେ ଏହି ବହୁଦିନର ବିବାଦର ସୁଫଳ ସମାଧାନ ବାହାରିପାରିବ ବୋଲି ଶ୍ରୀ ଆଚାର୍ଯ୍ୟ ଆଶା ପ୍ରକାଶ କରିଛନ୍ତି।
ସର୍କିଟ ହାଉସରେ ଅପରାଧୀଙ୍କୁ ଆଶ୍ରୟ ଅଭିଯୋଗ, ପ୍ରକାଶ ପାଶଓ୍ଵାନଙ୍କୁ ଧରିବାକୁ ଚଢ଼ାଉ ଜାରି
ନନ୍ଦିଘୋଷ ବ୍ୟୁରୋ : ରାଉରକେଲା ସର୍କିଟ ହାଉସରୁ ବନ୍ଧୁକ ସହ ଅପରାଧୀ ଗିରଫ ଘଟଣାରେ ତଦନ୍ତ ଜୋରଦାର ହୋଇଛି। ଅପରାଧୀଙ୍କୁ ସର୍କିଟ ହାଉସରେ ରହିବା ପାଇଁ ସହଯୋଗ କରିଥିବା ଅଭିଯୋଗରେ ନିଲମ୍ବିତ ବିଜେପି ଯୁବନେତା ପ୍ରକାଶ ପାଶଓ୍ଵାନଙ୍କୁ ଗିରଫ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପ୍ରକାଶ ପାଶଓ୍ଵାନ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନ ସମେତ ରାଜ୍ୟ ବାହାରେ ମଧ୍ୟ ୩ଟି ସ୍ୱତନ୍ତ୍ର ଟିମ୍ ଚଢ଼ାଉ ଜାରି ରଖିଛି। ଏପଟେ ପ୍ରକାଶ ପାଶଓ୍ଵାନଙ୍କ ଘରେ ପୋଲିସ ନୋଟିସ ଜାରି କରିଛି। ସୋମବାର ସୁଦ୍ଧା ଥାନାରେ ହାଜର ହେବାକୁ ନୋଟିସରେ କୁହାଯାଇଛି। ଯଦି ସେ ହାଜର ନହୁଅନ୍ତି, ତେବେ ତାଙ୍କ ବିରୋଧରେ NBW ଜାରି ପାଇଁ ପୋଲିସ କୋର୍ଟରେ ଆବେଦନ କରିପାରେ ବୋଲି ସୂଚନା ମିଳିଛି।
ଅନ୍ୟପଟେ, ଘଟଣାରେ ୪ଟି ବନ୍ଧୁକ ଓ ୧୧ଟି ଗୁଳି ଜବତ କରିବା ସହ ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସମସ୍ତ ୭ ଜଣ ବର୍ତ୍ତମାନ ଜେଲ୍ ହାଜତରେ ଅଛନ୍ତି। ଆଉ ଦୁଇଜଣ ଅଭିଯୁକ୍ତ ଆଦର୍ଶ ସାହୁ ଓ ସୁରଜ ଗୁପ୍ତାଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। ପଚରାଉଚରା ପରେ ଆଇନ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଗିରଫ ୭ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରିଥିଲା। ଏହି ପଚରାଉଚରାରୁ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ରହିଛି। ଏହାସହ ପ୍ରକାଶ ପାଶଓ୍ଵାନ ବ୍ୟବହାର କରୁଥିବା କାରକୁ ମଧ୍ୟ ପୋଲିସ ଜବତ କରିଛି। ଗିରଫ ଅପରାଧୀଙ୍କ ସହ ପ୍ରକାଶ ପାଶଓ୍ଵାନଙ୍କ ସମ୍ପର୍କ ଥିବା ଏବଂ ସେମାନଙ୍କୁ ସର୍କିଟ ହାଉସରେ ରହିବା ପାଇଁ ସହଯୋଗ କରିଥିବା ନେଇ ଅଭିଯୋଗ ହୋଇଛି। ଏବେ ପ୍ରକାଶ ପାଶଓ୍ଵାନଙ୍କ ଗିରଫକୁ ନେଇ ପୋଲିସର ତଦନ୍ତ ଓ ଚଢ଼ାଉ ଜାରି ରହିଛି।
ମହିଳା ହକି ବିଶ୍ୱକପ: ନେଦରଲାଣ୍ଡସଠାରୁ ୦-୨ରେ ହାରିଲା ଭାରତ, ସେମିଫାଇନାଲ ଆଶା ଅଷ୍ଟ୍ରେଲିଆ ମ୍ୟାଚ୍ ଉପରେ
ନନ୍ଦିଘୋଷ ବ୍ୟୁରୋ : ମହିଳା ହକି ବିଶ୍ୱକପର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ରେ ଭାରତକୁ ୦-୨ ଗୋଲରେ ପରାସ୍ତ କରିଛି ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିଅନ୍ ନେଦରଲାଣ୍ଡସ। ଆରମ୍ଭରୁ ଡଚ୍ ଦଳ ଖେଳର ଗତି ଉପରେ ନିଜର ନିୟନ୍ତ୍ରଣ ରଖିଥିଲା। ଉଭୟ ହାଫରେ ଗୋଟିଏ ଲେଖାଏଁ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ କରି ନେଦରଲାଣ୍ଡସ ବିଜୟ ହାସଲ କରିଥିଲା।
ତେବେ ପରାଜୟ ସତ୍ତ୍ୱେ ବିଶ୍ୱର ନମ୍ବର-୧ ଦଳ ବିପକ୍ଷରେ ଭାରତୀୟ ଦଳର ପ୍ରତିରକ୍ଷା ବେଶ୍ ଶୃଙ୍ଖଳିତ ଓ ଦୃଢ଼ ରହିଥିଲା। ଭାରତୀୟ ଖେଳାଳିମାନେ ନେଦରଲାଣ୍ଡସର ଆକ୍ରମଣକୁ ରୋକିବା ପାଇଁ ସାହସିକ ପ୍ରୟାସ କରିଥିଲେ। ଏହି ପରାଜୟ ପରେ ଭାରତର ସେମିଫାଇନାଲ ଆଶା ଏବେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଉପରେ ନିର୍ଭର କରୁଛି। ସେମିଫାଇନାଲ ଆଶାକୁ ଜୀବନ୍ତ ରଖିବା ପାଇଁ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ନିଶ୍ଚିତ ଭାବେ ବିଜୟ ହାସଲ କରିବାକୁ ପଡ଼ିବ।
ସ୍ତ୍ରୀକୁ ଫେରାଇବାକୁ ନରବଳି! ତନ୍ତ୍ର ପୂଜା ପରେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ
ନନ୍ଦିଘୋଷ ବ୍ୟୁରୋ : ବଲାଙ୍ଗୀର ନରବଳି ଘଟଣାର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୋଲିସ। ସାମ୍ବାଦିକ ସମ୍ମିଳନୀରେ ଘଟଣାର ସବିଶେଷ ତଥ୍ୟ ଦେଇଛନ୍ତି ବଲାଙ୍ଗୀର ଏସ୍ପି ଅବିଳାଷ ଜୀ। ସ୍ତ୍ରୀଙ୍କୁ ବାପଘରୁ ଫେରାଇ ଆଣିବା ଆଶାରେ ଅଭିଯୁକ୍ତ ଶତ୍ରୁଘ୍ନ ସାହୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସନ୍ତୋଷ ଖର୍ସେଲଙ୍କୁ ନରବଳି ଦେଇଥିବା ପୋଲିସ ସ୍ପଷ୍ଟ କରିଛି। ଦେଓଗାଁ ଥାନା ଅନ୍ତର୍ଗତ ବଗଡ଼ା ଗାଁରେ ଘଟିଥିବା ଏହି ନାରକୀୟ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ମୃତ ସନ୍ତୋଷ ଜଣେ ମାନସିକ ଅନଗ୍ରସର ଯୁବକ ଥିଲେ।
ପୋଲିସର ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୮ ତାରିଖରେ ଶତ୍ରୁଘ୍ନ ଭୋଜି କରିବାର ଲୋଭ ଦେଖାଇ ସନ୍ତୋଷଙ୍କୁ ନିଜ ଗାଁକୁ ନେଇଥିଲେ। ପ୍ରଥମେ ତାଙ୍କୁ ଗାଁର ମଶାଣିକୁ ନେଇ ସେଠାରେ ପ୍ରେତ ପୂଜା କରିଥିଲେ। ପରେ ରାତିରେ ସନ୍ତୋଷଙ୍କୁ ନିଜ ଘରକୁ ନେଇଯାଇଥିଲେ।
ବିଳମ୍ବିତ ରାତିରେ ତନ୍ତ୍ର ପୂଜା ପରେ ଶତ୍ରୁଘ୍ନ କଟୁରୀରେ ସନ୍ତୋଷଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ମୁଣ୍ଡବିହୀନ ମୃତଦେହକୁ ଗାଁ ନିକଟ ଏକ ଗାଡ଼ିଆରେ ଫୋପାଡ଼ି ଦେଇଥିଲେ। ଏହାପରେ କଟାମୁଣ୍ଡକୁ ନିଜ ପୂଜାଘରେ ମାଟି ଖୋଳି ପୋତି ଦେଇଥିଲେ। ତା’ ଉପରେ ସିନ୍ଦୂର, ଫୁଲ ଓ ବେଲପତ୍ର ଦେଇ ପୂଜା କରିଥିବା ତଦନ୍ତରୁ ଜଣାପଡ଼ିଛି।
ପ୍ରାୟ ୧୦ ବର୍ଷ ପୂର୍ବରୁ ଶତ୍ରୁଘ୍ନଙ୍କ ଆଚରଣ ଓ ପାଗଳାମି ଯୋଗୁଁ ତାଙ୍କ ସ୍ତ୍ରୀ ବାପଘରକୁ ଚାଲିଯାଇଥିଲେ। ନରବଳି ଦେଲେ ସ୍ତ୍ରୀ ପୁଣି ତାଙ୍କ ପାଖକୁ ଫେରିଆସିବେ ବୋଲି ଶତ୍ରୁଘ୍ନ ବିଶ୍ୱାସ କରୁଥିବା ପୋଲିସ କହିଛି। ଘଟଣାର ତଦନ୍ତ ବେଳେ ପୋଲିସ ଅଭିଯୁକ୍ତଙ୍କ ପୂଜାଘରୁ ହତ୍ୟାରେ ବ୍ୟବହୃତ କଟୁରୀ ଜବତ କରିଛି। ଘଟଣା ସମ୍ପର୍କରେ ପୋଲିସର ତଦନ୍ତ ଜାରି ରହିଛି।
ଲତା-ଆଶାଙ୍କ ଅମର ସଙ୍ଗୀତକୁ ଶ୍ରଦ୍ଧାଞ୍ଜଳି, ଜୟଦେବ ଭବନରେ ‘ଦ ମିରର୍’ ସଙ୍ଗୀତ ସନ୍ଧ୍ୟା
ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱରର ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ ‘ଦ ମିରର୍’। ମୂର୍ଚ୍ଛନା ମ୍ୟୁଜିକାଲ୍ ଗ୍ରୁପ୍ ପକ୍ଷରୁ ଆୟୋଜିତ ଏହି ସଙ୍ଗୀତ ସନ୍ଧ୍ୟା ଭାରତୀୟ ସଙ୍ଗୀତ ଜଗତର ଦୁଇ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକର ଓ ଆଶା ଭୋସଲେଙ୍କ ଅମର ସଙ୍ଗୀତକୁ ଉତ୍ସର୍ଗ କରାଯାଇଥିଲା।
ଲତା ଓ ଆଶାଙ୍କ ଅଗଣିତ ଲୋକପ୍ରିୟ ଗୀତକୁ ନେଇ ଆୟୋଜିତ ଏହି ସଙ୍ଗୀତ ସନ୍ଧ୍ୟା ଦର୍ଶକଙ୍କୁ ଏକ ଭାବପୂର୍ଣ୍ଣ ଓ ସ୍ମରଣୀୟ ସଙ୍ଗୀତ ଯାତ୍ରାର ଅନୁଭୂତି ଦେଇଥିଲା। କଣ୍ଠଶିଳ୍ପୀମାନେ ନିଜ ନିଜ ସୁମଧୁର କଣ୍ଠରେ ଦୁଇ ମହାନ ଗାୟିକାଙ୍କ ଅମର ସ୍ୱରର ସ୍ମୃତିକୁ ଜୀବନ୍ତ କରିଥିଲେ। କାର୍ଯ୍ୟକ୍ରମରେ ଲତା ମଙ୍ଗେଶକର ଓ ଆଶା ଭୋସଲେଙ୍କ ସଙ୍ଗୀତ ଜୀବନ ଏବଂ ସେମାନଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା। ସଙ୍ଗୀତ ପ୍ରେମୀ ଦର୍ଶକମାନେ ଏହି ମନୋରମ ସଙ୍ଗୀତ ସନ୍ଧ୍ୟାକୁ ଭରପୂର ଉପଭୋଗ କରିଥିଲେ।

