spot_img
Home Blog Page 596

ଜଗତସିଂହପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ନାବାଳିକା ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ବଢ଼ିବାରେ ଲାଗିଛି ନାରୀ ନିର୍ଯାତନା ଓ ମହିଳା ହିଂସା ମାମଲା। ଜଗତସିଂହପୁରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଗତକାଲି ସନ୍ଧ୍ୟାରେ ନାବାଳିକା ଜଣଙ୍କ ନିଜ ଦାଦାଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ବହୁ ସମୟଧରି ନାବାଳିକା ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ପରେ ସଂପୃକ୍ତ ନାବାଳିକାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାଁ ପାଖରୁ ଉଦ୍ଧାର କରିଥିଲେ ପରିବାର ଲୋକ। ପରେ ତାଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଭତ୍ତି କରାଯାଇଥିଲା। ପୀଡିତାଙ୍କ ବାପା ଏ ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ୨ ଜଣ ଯୁବକ ତାଙ୍କୁ ଉଠାଇନେଇ ଏଭଳି କାଣ୍ଡ ଭିଆଇଥିବା ପରିବାରଲୋକେ କହିଛନ୍ତି।

ଥାନାରେ ଏତଲା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇଥିଲା। ଗତକାଲି ରାତି ତମାମ ଖୋଜାଖୋଜି ଚାଲିଥିଲା। ଜଗତସିଂହପୁର ଏସସିଙ୍କ ସୂଚନା ମୁତାବକ ଅଭିଯୁକ୍ତଙ୍କୁ ଧରିବାକୁ ତିନୋଟି ଟିମ୍ ଗଠନ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନେର ଚଢ଼ାଉ କରାଯାଇଥିଲା। ଉଭୟଙ୍କୁ ଚିହ୍ନଟ କରାଯାଇଥିବା ଏସପି ସୂଚନା ଦେଇଥିବା ବେଳେ ଜଣଙ୍କୁ କଟକ ନିଆଳି କସର୍ଦ୍ଦା ଅଞ୍ଚଳକୁ କାବୁ କରାଯାଇଛି। ଖୁବଶୀଘ୍ର ଅନ୍ୟଜଣଙ୍କୁ ଧରାଯିବ। ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ସାଉଣ୍ଟିଫିକ୍ ଟିମ୍ ବହୁ ଗୁରୁତ୍ଵପୂର୍ଣ୍ଣ ସାମଗ୍ରୀ ଜବତ କରିଛି। ପୀଡ଼ିତା ଏବେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସିବିଏସଇ ସ୍କୁଲରେ ଲାଗିବ ସିସିଟିଭି କ୍ୟାମେରା

ନନ୍ଦିଘୋଷ ବ୍ୟୁରୋ : ସିବିଏସଇ ସ୍କୁଲରେ ଲାଗିବ ସିସିଟିଭି କ୍ୟାମେରା। ସିବିଏସଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଏହି ନିର୍ଦ୍ଦେଶ ଜାରି କରିଛି ସିବିଏସଇ। ସଂଶୋଧିତ ସୁରକ୍ଷା ମାନଦଣ୍ଡ ଅନୁଯାୟୀ CBSE ସମସ୍ତ ଅନୁବନ୍ଧିତ ସ୍କୁଲଗୁଡ଼ିକରେ ହାଇଟେକ୍ CCTV ସ୍ଥାପନକୁ ବାଧ୍ୟତାମୂଳକ କରିଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ NCPCRର ବିଦ୍ୟାଳୟରେ ଶିଶୁଙ୍କ ସୁରକ୍ଷା ଏବଂ ସୁରକ୍ଷା ଉପରେ ନିୟମର ଧାରା ।

X ଅନୁୟାଯୀ ବୋର୍ଡ ସ୍କୁଲଗୁଡ଼ିକୁ ହାଇ-ଡେଫିନେସନ୍ CCTV ସିଷ୍ଟମ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ବ୍ୟବସ୍ଥାରେ ଅଡିଓ-ଭିଜୁଆଲ୍ ରେକର୍ଡିଂ ଅନ୍ତର୍ଭୁକ୍ତ ରହିବ। ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ଲଗାଯିବ। ସମସ୍ତ ସ୍କୁଲର ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନ। କରିଡର ଏବଂ ସିଡ଼ିଷ ଶ୍ରେଣୀଗୃହ, ପାଠାଗାର ଏବଂ ପରୀକ୍ଷାଗାର, କ୍ୟାଣ୍ଟିନ୍, ଦୋକାନ ଏବଂ ଖେଳ ପଡ଼ିଆ ଭଳି ସାଧାରଣ ଅଞ୍ଚଳରେ ଲଗାଇବାକୁ ନିର୍ଦ୍ଦେଶ ହୋଇଛି।

ଏହି ନିରୀକ୍ଷଣରୁ ଶୌଚାଳୟଗୁଡ଼ିକୁ ବାଦ ଦିଆଯାଇଛି। CCTV ଫୁଟେଜ୍ ସର୍ବନିମ୍ନ ୧୫ଦିନ ପାଇଁ ସଂରକ୍ଷଣ କରାଯିବା ନେଇ ବ୍ୟାକଅପ୍ ବ୍ୟବସ୍ଥା ରହିବ। ଆବଶ୍ୟକ ହେଲେ ଏହି ତଥ୍ୟ ନିୟାମକ ସଂସ୍ଥାଗୁଡ଼ିକ ପାଖରେ ଦାଖଲ କରିବା ନେଇ ସ୍କୁଲ ଗୁଡିକ ନିଶ୍ଚିତ କରିବେ। ପିଲାମାନଙ୍କର ବୃଦ୍ଧି ଏବଂ ବିକାଶ ପାଇଁ ଏକ ସୁସ୍ଥ ଏବଂ ସହାୟକ ପରିବେଶ ଆବଶ୍ୟକ ବୋଲି କହିଛି ସିବିଏସଇ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ବିଦ୍ୟାଳୟର ସର୍ବୋତ୍ତମ ଦାୟିତ୍ୱ ମଧ୍ୟରୁ ଗୋଟିଏ। ସ୍କୁଲଗୁଡ଼ିକ କେବଳ ଶିକ୍ଷାର କେନ୍ଦ୍ର ଭାବରେ ନୁହେଁ ବରଂ ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ସୁରକ୍ଷିତ ସ୍ଥାନ ଭାବରେ ସ୍କୁଲ ଗୁଡିକୁ ଗଢିବାକୁ କାର୍ଯ୍ୟ କରିବେ ବୋଲି କହିଛି ସିବିଏସଇ।

ସଂସଦର ମୌସୁମୀ ଅଧିବେଶନର ଆଜି ଦ୍ଵିତୀୟ ଦିନ, ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ : ସଂସଦ ମୌସୁମୀ ଅଧିବେଶନର ଆଜି ଦ୍ଵିତୀୟ ଦିନ। ଆଜି ବି ଜୋରଦାର ହଙ୍ଗାମା ହେବା ସମ୍ଭାବନା ରହିଛି। ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ନେତା ରାହୁଲଙ୍କ ଗାନ୍ଧୀ କରିଥିଲେ ବୈଠକ। ଏଥିରେ କଂଗ୍ରେସର ବରିଷ୍ଠ ନେତା ଯୋଗ ଦେଇଥିଲେ। ଆଜି ପୁଣି ଗୃହ ସରଗରମ ହେବା ସମ୍ଭାବନା ରହିଛି। ଅପରେସନ ସିନ୍ଦୂର, ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ-ପାକିସ୍ତାନ ଯୁଦ୍ଧସ୍ଥିତିରେ ବୟାନ ପ୍ରସଙ୍ଗ ସହ ଉଠିପାରେ ବିହାର ପ୍ରସଙ୍ଗ। ଗତକାଲି ଏକାଧିକ ପ୍ରସଙ୍ଗ ନେଇ ସରକାରକୁ ଘେରିଥିଲେ ବିରୋଧୀ।

ଅପରେସନ ସିନ୍ଦୂରରେ ଭାରତ-ପାକିସ୍ତାନ ମଧ୍ୟରେ ଲାଗିଥିବା ଯୁଦ୍ଧସ୍ଥିତି ବନ୍ଦ ନେଇ ଟ୍ରମ୍ପଙ୍କ ବୟାନକୁ ନେଇ ଗୃହରେ ତୀବ୍ର ହଟ୍ଟଗୋଳ ଦେଖାଦେଇଥିଲା। ପହଲଗାଓଁ ହମଲା, ଅପରେସନ ସିନ୍ଦୂର ଏବଂ ବିହାରରେ ଭୋଟର ତାଲିକା ପୁନଃନିରୀକ୍ଷଣକୁ ନେଇ ସରକାରଙ୍କ ଉତ୍ତର ମାଗି ହୋହଲ୍ଲା କରିଥିଲେ ବିରୋଧୀ। ରାଜ୍ୟସଭାରେ ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କୁ ହଟାଇବାକୁ ମହାଭିଯୋଗ ପ୍ରସ୍ତାବ ଆସିଥିଲା। ରାଜ୍ୟସଭା ଅଧ୍ୟକ୍ଷ ମହାଭିଯୋଗ ପ୍ରସ୍ତାବରେ ୫୪ ସଦସ୍ୟଙ୍କ ସମର୍ଥିତ ହସ୍ତାକ୍ଷର ଥିବା ଏକ ନୋଟିସ ମିଳିଥିବା ସୂଚନା ଦେଇଥିଲେ। ଜୋରଦାର ହଙ୍ଗାମା ହେବାରୁ ଗୃହ ବାରମ୍ବାର ମୁଲତବି ହୋଇଥିଲା। ହୋହଲ୍ଲାରୁ ପୁରା ଗୃହ ମୁଲତବି ହୋଇଥିଲା। ଆସନ୍ତା ୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ ।

ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ

ନନ୍ଦିଘୋଷ ବ୍ୟୁରୋ: ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ । ରାଷ୍ଟ୍ରପତିଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ସ୍ବାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା । ସମ୍ବିଧାନର ଧାରା ୬୭-କ ଅନୁଯାୟୀ କଲେ ଇସ୍ତଫା ଘୋଷଣା । ସହଯୋଗ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ପାଇଁ ଜଣାଇଲେ ଧନ୍ୟବାଦ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦକୁ ଜଣାଇଲେ ଧନ୍ୟବାଦ ।

ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ମନା, ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା । ଯିଏ ବିକ୍ରି କରିବ ହେବ କଡା କାର୍ଯ୍ୟାନୁଷ୍ଠାନ । ସମସ୍ତ ଜିଲ୍ଲାପାଳଙ୍କୁ ଶକ୍ତ ନିର୍ଦ୍ଦେଶ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆସନ୍ତାକାଲିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପରେ ହେବ ଚଢାଉ । ଯିଏ ପେଟ୍ରୋଲ ନେବେ ସିଏ କାଚ ବୋତଲରେ କିମ୍ବା ଟିଣ ବୋତଲରେ ନେଇପାରିବେ । ନିୟମ ଅନୁଯାୟୀ ବିକ୍ରି ହେବ ପେଟ୍ରୋଲ ।

ଚାଷୀ , ବିଏମସି, ଗ୍ରାସ କଟର ଭଳି ମେସିନ ଲାଗି ଟିଣ କିମ୍ବା ଲୁହା, କାଚ, ଆଲୁମିନିୟମ ବୋତଲରେ ବିକ୍ରି ହୋଇପାରିବ ପେଟ୍ରୋଲ । ଯେଉଁମାନେ ବାହାରେ ପ୍ଲାଷ୍ଟିକ ବୋତଲରେ ବିକ୍ରି କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲୋକସେବା ଭବନରେ ପେଟ୍ରୋଲ ପମ୍ପ ମାଲିକ ସଙ୍ଘ, ପେଟ୍ରୋଲିୟମ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । ଯୋଗାଣ ବିଭାଗର ଅଧିକାରୀ ବୈଠକରେ ଉପସ୍ଥିତ ରହିଥିଲେ । ବାଲେଶ୍ୱର ଓ ବଳଙ୍ଗା ଅଘଟଣ ପରେ, ଆକ୍ସନ ମୋଡ଼ରେ ସରକାର ।

ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ପରେ ଜୋର ଧରିଲା ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା

ନନ୍ଦିଘୋଷ ବ୍ୟୁରୋ: ଜୋର ଧରିଲା ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଏଥିସହିତ ଗତ ୧୩ ମାସ ମଧ୍ୟରେ ରାଜ୍ୟରେ ବିଭିନ୍ନ ଘଟଣା ଦୁର୍ଘଟଣାକୁ ନେଇ ସରକାର ଯେଉଁ ଭଳି ବଦାନମ ହେଉଛନ୍ତି, ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିପାରନ୍ତି ବୋଲି ଗତ କିଛି ଦିନ ହେଲା ଆଲୋଚନା ହେଉଥିଲା । ହେଲେ ବଲେଶ୍ବର ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ବିଭିନ୍ନ ମହଲରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଇସ୍ତଫା ଦାବି ହେଉଛି ।

ସେହିଭଳି ପୂର୍ବରୁ ରାଜ୍ୟରେ ଆଳୁ ସଙ୍କଟ ସମୟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିଭ୍ରାନ୍ତିକର ବୟାନକୁ ନେଇ ମଧ୍ୟ ବିରୋଧୀ ତାଙ୍କ ଇସ୍ତଫା ଦାବି କରିଥିଲେ । ରଥଯାତ୍ରା ସମୟରେ ହୋଇଥିବା ବିଭ୍ରାଟ ପାଇଁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି ମଧ୍ୟ ଜୋର ଧରିଥିଲା । ଗୋପାଳପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମଠାରୁ ଆରମ୍ଭ କରି ଏବେ ବଳଙ୍ଗାରେ ନାବାଳିକାକୁ ପୋଡି ମାରି ଦେବାକୁ ଉଦ୍ୟମ ପର୍ଯ୍ୟନ୍ତ ସବୁଠି ଆଇନ ଶୃଙ୍ଖଳା ଓ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ବିଶ୍ବ ଦରବାରରେ ବି ଓଡିଶା ନିନ୍ଦିତ ହୋଇଛି ।  ନିଜ ଦଳରୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ବିରୋଧର ସମ୍ମୁଖୀନ ହେଉଛନ୍ତି । ତେଣୁ ସରକାର ନିଜ ଭାବମୂର୍ତ୍ତିର ସୁରକ୍ଷା ପାଇଁ ମନ୍ତ୍ରିମଣ୍ଡଳରେ ଅଦଳବଦଳ ସାଙ୍ଗକୁ ସମ୍ପ୍ରସାରଣ କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି ।

ଏମିତି ବି ଏବେ ବି ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ମନ୍ତ୍ରୀପଦ ଖାଲି ପଡିଛି । ନିଜେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଛଅ ଛଅଟି ବିଭାଗ ରହିଛି । ଜଣେ ମନ୍ତ୍ରୀଙ୍କ ପାଖରେ ୩/୪ଟି ଲେଖାଏଁ ବିଭାଗ ରହିଛି । ତେଣୁ କ୍ଷମତା ବିକେନ୍ଦ୍ରୀକରଣ ସାଙ୍ଗକୁ ବିଭିନ୍ନ ସ୍ତରରେ ସରକାରୀ ବିଫଳତାକୁ ଢାଙ୍କିବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଲୋଚନା ହେଉଛି ।

କଲେଜ କୋଠା ଉପରେ ଖସି ପଡ଼ିଲା ଫାଇଟର ଜେଟ୍, ଏକାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ନନ୍ଦିଘୋଷ ବ୍ୟୁରୋ: ଢାକାରେ ବାଂଲାଦେଶ ଏୟାରଫୋର୍ସର F-7 ଫାଇଟର ଜେଟ୍ କ୍ରାସ୍ । ଉଡ଼ାଣ ଭରିବାର କିଛି ସମୟ ପରେ ଏକ କଲେଜ ଛାତ ଉପରେ ଖସି ପଡ଼ିଲା ଜେଟ୍ । ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ଘଟିଛି । ସେପଟେ କିଛି ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ବିମାନଟିକୁ ଚୀନ ବାଂଲାଦେଶ ଏୟାରଫଷାର୍ସ ପାଇଁ ନିର୍ମାଣ କରିଥିଲା ।

ବାଂଲାଦେଶ ଗଣମାଧ୍ୟମ ଅନୁସାରେ କ୍ରାସ ହୋଇଥିବା ବିମାନଟି ବାୟୁସେନାର F-7 ପ୍ରଶିକ୍ଷଣ ବିମାନ । ରିପୋର୍ଟ ଅନୁସାରେ ଅପରାହ୍ନ ୧.୦୬ ମିନିଟରେ ବିମାନଟି ଉଡାଣ ଭରିଥିଲା । ୨୪ ମିନିଟ ପରେ ୧.୩୦ ମିନିଟରେ ବିମାନଟି କ୍ରାସ୍ ହୋଇଯାଇଥିଲା । ହଜରତ ଶାହଜହାଜ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟର ଜଣେ ବରିଷ୍ଠ ଅଧିକାରୀ ପ୍ଲେନ କ୍ରାସର ପୃଷ୍ଟି କରିଛନ୍ତି ।

ମାଇଲଷ୍ଟୋନ କଲେଜ ଉପରେ ଖସିଲା ବିମାନ

ଫାଇଟର ଜେଟଟି ଢାକା ସ୍ଥିତ ମାଇଲଷ୍ଟାନ କଲେଜ ପରିସରରେ କ୍ରାସ୍ ହୋଇଛି । ଦୁର୍ଘଟଣା ସମୟରେ ପିଲାମାନେ ପାଠ ପଢୁଥିଲେ । ଏମିତି ସ୍ଥିତିରେ କିଛି ଛାତ୍ରଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ଆଶଙ୍କା କରାଯାଉଛି । ତେବେ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସ୍ଥାନୀୟ ଲୋକଙ୍କ ଅନୁସାରେ ପ୍ଲେନ କ୍ରାସ୍ ପରେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ କର୍ମଚାରୀ ଏବଂ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଆହତ ଛାତ୍ରମାନଙ୍କୁ ରିକ୍ସା ଓ ଅନ୍ୟ ଗାଡ଼ିରେ ମେଡିକାଲ ପଠାଯାଇଥିଲା ।

ତିନି ମହଲା କୋଠାରେ ପିଟି ହେଲା ପ୍ଲେନ

ମାଇଲଷ୍ଟାନ କଲେଜର ଜଣେ ଅଧ୍ୟାପକ କହିଛନ୍ତି କଲେଜ ପରିସରରେ ନିର୍ମିତ ତିନି ମହଲା କୋଠାରେ ପ୍ଲେନଟି ଯାଇ ପିଟି ହୋଇଯାଇଥିଲା । ସେ ସମୟରେ କଲେଜ ପରିସରରେ ଥିବା ଅନ୍ୟ ଏକ ୧୦ ମହଲା କୋଠାରେ ସେ ଥାଇ ଏହା ଦେଖିଛନ୍ତି । ଏହାପରେ ଚାରିଆଡେ ଧାଁ ଦୌଡ଼ ଆରମ୍ଭ ହୋଇଯାଇଥିଲା । କଲେଜର ଶିକ୍ଷକ ଓ କର୍ମଚାରୀ ଫସି ଯାଇଥିବା ଛାତ୍ରଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ । କ୍ରାସର କିଛି ସମୟ ମଧ୍ୟରେ ସେନା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କିଛି ଛାତ୍ର ବହୁ ମାତ୍ରାରେ ଜଳି ଯାଇଥିବା ଅଧ୍ୟାପକ ଜଣଙ୍କ କହିଛନ୍ତି ।

ଭାରତ-ପାକିସ୍ତାନ ମ୍ୟାଚ ବାତିଲ ପରେ ରାଗିଗଲେ ଶାହିଦ ଆଫ୍ରିଦି

ନନ୍ଦିଘୋଷ ବ୍ୟୁରୋ : ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ ପରେ ରାଗିଗଲେ ଶାହିଦ ଆଫ୍ରିଦି । ସେ ତାଙ୍କ ରାଗରୁ କ୍ୟାମେରା ଆଗରେ  ଚାପି ପାରିଲେ ନାହିଁ । ଯେଉଁଥିରୁ ଲାଗୁଛି ସେ ତାଙ୍କ ହୃଦୟକୁ ଗଭୀର ଆଘାତ ଲାଗିଛି। ୨୦ ଜୁଲାଇରେ ବିଶ୍ୱ ଚାମ୍ପିଅନସିପ୍ ଲିଗ୍ ୨୦୨୫ରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ ହୋଇଗଲା?  ହୁଏତ ଶାହିଦ ଆଫ୍ରିଦିଙ୍କ ପାଇଁ ଏହା ହଜମ କରିବା କଷ୍ଟକର ଯେ ଭାରତୀୟ ଖେଳାଳିମାନେ ତାଙ୍କ ସହିତ, ପାକିସ୍ତାନ ସହିତ ଖେଳିବାକୁ ମନା କରିଦେଲେ। ସେଥିପାଇଁ ସେ WCLରେ ଖେଳୁଥିବା ଟିମ୍ ଇଣ୍ଡିଆ ଚାମ୍ପିଅନ୍ସର ଖେଳାଳିମାନଙ୍କୁ ସମାଲୋଚନା କରୁଛନ୍ତି।

ଖବର ଆସିଥିଲା ଯେ ଇଣ୍ଡିଆ ଚାମ୍ପିଅନ୍ସର ଖେଳାଳିମାନେ ଯେପରିକି ହରଭଜନ ସିଂହ, ଇରଫାନ ପଠାନ, ୟୁସୁଫ ପଠାନ, ଶିଖର ଧାୱନ, ସୁରେଶ ରାଇନା ଓ ଯୁବରାଜ ସିଂହ WCL 2025 ରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଓହରି ଯାଇଛନ୍ତି। ଅର୍ଥାତ୍ ସେମାନେ ଖେଳିବାକୁ ମନା କରିଦେଇଥିଲେ। ଏବେ ଯଦି ୧୫ ଜଣ ଖେଳାଳିଙ୍କ ମଧ୍ୟରୁ ୫-୬ ଜଣ ଖେଳାଳି ଖେଳନ୍ତି ନାହିଁ, ତେବେ ପ୍ଲେଇଂ ଇଲେଭେନ କିପରି ଗଠନ ହେବ? ଫଳସ୍ୱରୂପ, ଆୟୋଜକମାନଙ୍କୁ ମ୍ୟାଚ୍ ବାତିଲ କରିବାକୁ ପଡିଲା। ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ ହେବା ପରେ, ପାକିସ୍ତାନ ଚାମ୍ପିଅନ୍ସ ଅଧିନାୟକ ଶାହିଦ ଆଫ୍ରିଦି ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଶେଷ ମୁହୂର୍ତ୍ତରେ ମ୍ୟାଚ୍ ବାତିଲକୁ ଶାହିଦ ଆଫ୍ରିଦି ନିନ୍ଦା କରିଥିଲେ। ଏହି ସମୟରେ ସେ ଯାହା କହିଥିଲେ ତାହା ସୂଚାଇ ଦେଉଥିଲା ଯେ ଭାରତୀୟ ଖେଳାଳିମାନେ ତାଙ୍କ ବିପକ୍ଷରେ ଖେଳିବାକୁ ମନା କରିବାରୁ ସେ ଗଭୀର ଭାବରେ ମର୍ମାହତ। ଶାହିଦ ଆଫ୍ରିଦି କହିଥିଲେ ଯେ ଆମେ WCLରେ କ୍ରିକେଟ୍ ଖେଳିବାକୁ ଆସିଛୁ। ଯଦି ଭାରତ ଆମ ବିପକ୍ଷରେ ଖେଳିବାକୁ ଚାହୁଁନଥିଲା, ତେବେ ଏଠାକୁ ଆସିବା ପୂର୍ବରୁ ମନା କରିବା ଉଚିତ ଥିଲା। କିନ୍ତୁ, ଭାରତୀୟ ଖେଳାଳିମାନେ କେବଳ ଆସିଲେ ନାହିଁ, ବରଂ ଅଭ୍ୟାସ ମଧ୍ୟ କଲେ ଏବଂ ହଠାତ୍ ଖେଳିବାକୁ ମନା କରିଦେଲେ । ସେ କହିଥିଲେ ଯେ କ୍ରିକେଟକୁ ରାଜନୀତିରୁ ଦୂରରେ ରଖିବା ଉଚିତ।

WCL 2025 ରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ମ୍ୟାଚ୍ ୨୦ ଜୁଲାଇରେ ବର୍ମିଂହାମରେ ଅନୁଷ୍ଠିତ ହେବାର ଥିଲା। କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାରତୀୟ ଖେଳାଳିମାନେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିବାର କାରଣ ମଧ୍ୟ ଶାହିଦ ଆଫ୍ରିଦି ଥିଲେ। କାରଣ ପହଲଗାମ ଆକ୍ରମଣ ସମୟରେ ଏହି ପାକିସ୍ତାନୀ କ୍ରିକେଟର ତାଙ୍କର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଥିଲେ।

ଭାରତ ସହିତ ମ୍ୟାଚ୍ ବାତିଲ ହେବା ପରେ, ପାକିସ୍ତାନ ଚାମ୍ପିଅନ୍ସ ଦଳର ମାଲିକ କହିଥିଲେ ଯେ ସେ ଖୁସି ଯେ ସେ ବଦଳରେ ସମ୍ପୂର୍ଣ୍ଣ ୨ ପଏଣ୍ଟ ପାଇଲେ, ଯାହା ତାଙ୍କ ପାଇଁ ଯୋଗ୍ୟ ଥିଲା। ସେ କହିଥିଲେ ଯେ ଭବିଷ୍ୟତର ମ୍ୟାଚ୍ ଗୁଡ଼ିକ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବ। ନକଆଉଟ୍ ରାଉଣ୍ଡରେ, ଆମେ ଭାରତ ଏବଂ ପାକିସ୍ତାନ ଯେପରି ମୁହାଁମୁହିଁ ନହୁଏ ତାହା ନିଶ୍ଚିତ କରିବାକୁ ଚେଷ୍ଟା କରିବୁ। ଏହି ଦୁଇ ଦଳ ଫାଇନାଲରେ ପହଞ୍ଚିବେ କି ନାହିଁ ସେ ବିଷୟରେ ନିଷ୍ପତ୍ତି ସେହି ସମୟରେ ନିଆଯିବ।

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କୁ ଭେଟିଛନ୍ତି ବିଜେଡିର ୪ ସାଂସଦ

ନୂଆଦିଲ୍ଲୀ :  ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କୁ ଭେଟିଛନ୍ତି ବିଜେଡିର ୪ ଜଣ ରାଜ୍ୟସଭା ସାଂସଦ । ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର, ସୁଲତା ଦେଓ ଓ ନିରଞ୍ଜନ ବିଶି ଏମ୍ସ ଯାଇ ପୀଡିତାଙ୍କୁ ଦେଖିଛନ୍ତି।  ସେଠାରେ ପୀଡିତାଙ୍କ ଦାଦାଙ୍କ ସହ ଆଲୋଚନା କରିବା ସଙ୍ଗେ ସଙ୍ଗେ ଡାକ୍ତରଙ୍କଠା ପୀଡିତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅବଗତ ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ସାଂସଦମାନେ ପୀଡିତାଙ୍କୁ  ଦେଖିବା ସହ ଚିକିତ୍ସା ପାଇଁ ଯାହା ଆବଶ୍ୟକ ସମସ୍ତ ସହଯୋଗ କରିବାକୁ ଆଶ୍ବାସନା ଦେଇଛନ୍ତି । ଗତ ଶନିବାର ଦିନ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବଳଙ୍ଗା ଥାନା ଅର୍ନ୍ତଗତ ଗୋପିନାଥପୁର ପଞ୍ଚାୟତର ବାଇବର ନୂଆ ଗୋପାଳପୁର ଗାଁରେ ଜଣେ ୧୫ ବର୍ଷ ବୟସ୍କା ନାବାଳିକାଙ୍କୁ ୩ ଜଣ ଦୁର୍ବୃତ୍ତ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ତୁରନ୍ତ ଭୁବନେଶ୍ବର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପୀଡିତାଙ୍କ ଶରୀର ୭୫ ଭାଗ ଜଳିଯାଇଥିବା ଡାକ୍ତର କହିଥିଲେ । ତେବେ ଅଧିକ  ଚିକିତ୍ସା ପାଇଁ ରବିବାର ଦିନ ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା । ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଚିକିତ୍ସା ଜାରି ରହିଛି । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ଗତକାଲି ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଥିଲା । ଆଜି ବିଜେଡି ସାଂସଦମାନେ ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଦାଦାଙ୍କୁ ଭେଟି ତାଙ୍କୁ ଆଶ୍ବାସନା ପ୍ରଦାନ କରିଛନ୍ତି । ପୀଡିତା ଖୁବ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା କରିଛନ୍ତି ।

ପାଟନା ଏମ୍ସରେ ଓଡ଼ିଆ ଡାକ୍ତରୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ : ବିହାର ପାଟନା ଏମ୍ସରେ ଓଡ଼ିଆ ଡାକ୍ତରୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ ହେଲେ ଢେଙ୍କାନାଳର ଯାଦବେନ୍ଦ୍ର ସାହୁ। ସେ ପାଟନା ଏମ୍ସରେ ପିଜି କରୁଥିଲେ। ଶନିବାର ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ପରିବାର ଲୋକେ ଅଭିଯୋଗ କରିଛନ୍ତି, ରାଗିଂ କରି ପୁଅକୁ ମାରି ଦିଆଯାଇଛି। ନିଶା ଇଞ୍ଜେକସନ ଦେଇ ତାଙ୍କୁ ମାରି ଦିଆଯାଇଥିବାର ଅଭିଯୋଗ କରିଛନ୍ତି ମାଆ । ରାଗିଂ କରାଯାଉଥିବାରୁ ଆଗରୁ ପୁଅ ଜଣାଇଥିବା ସେ କହିଛନ୍ତି। ଗତକାଲି ସକାଳେ ପାଟନା ଏମ୍ସ  କର୍ତ୍ତୃପକ୍ଷ ଯାଦବେନ୍ଦ୍ରଙ୍କ ମୃତ୍ୟୁ ଖବର ଜାଣିବା ପରେ ପରିବାର ଲୋକଙ୍କୁ ଜଣାଇଥିଲା। ସେଠାରେ ପହଞ୍ଚିଛନ୍ତି ମାଆ ଓ ପରିବାର ଅନ୍ୟ ସଦସ୍ୟ। ପୁଅର ମୃତଦେହ ଓଡ଼ିଆ ଆଣିବାକୁ ସେମାନେ ଚେଷ୍ଟା କରୁଛନ୍ତି। କିନ୍ତୁ କର୍ତ୍ତୃପକ୍ଷ କିଛି ସାହାଯ୍ୟ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଢେଙ୍କାନାଳ ଗଁଦିଆ ବ୍ଲକ ବୈଦକାଟେଣୀ ଗାଁ ହେଉଛନ୍ତି ଯାଦବେନ୍ଦ୍ର ସାହୁ। ସେ ପାଟନା ଏମ୍ସରେ ପିଜି ପ୍ରଥମ ବର୍ଷର ଛାତ୍ର ଥିଲେ। ଏ ନେଇ ପୂର୍ବତନ ବିଧାୟକ ନବୀନ ନନ୍ଦ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।