spot_img
Home Blog Page 5807

ନୂଆ ଆର୍ଥିକ ବର୍ଷରେ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ ‘କାଳିଆ’ରୁ କାମ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ରବି ଋତୁ ପାଇଁ ଜମା କରାଯାଇଛି । କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ପବିତ୍ର ଓଡ଼ିଶା ଦିବସ । ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ । ଏହି ଅବସରରେ ଆମର ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି ।

ଆଜି ଠାରୁ ମଧ୍ୟ ଆମର ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଛି । ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଚାଷୀଙ୍କ କଲ୍ୟାଣ କାର୍ଯ୍ୟକ୍ରମରୁ ହିଁ ମୁଁ ଆଜି ନୂଆ ଆର୍ଥିକ ବର୍ଷ ଆରମ୍ଭ କରୁଛି । କାଳିଆ ଯୋଜନା ଆମର ଏକ ଗୁରୁତ୍ବପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ । ଆଜି ଆମର ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନାରେ ୭୦୦ କୋଟି ଟଙ୍କା ଜମା କରାଗଲା । ସୂଚନା ଯୋଗ୍ୟ, କାଳିଆ ଯୋଜନାରେ ସରକାର ୩୭ ଲକ୍ଷ ଚାଷୀଙ୍କୁ ସାମିଲ୍ କରିଛନ୍ତି । ସେଥିରେ ୧୭ ଲକ୍ଷ ଭୂମିହୀନ ଗରିବ ଅଛନ୍ତି । ଦେଶର ଏକମାତ୍ର ଯୋଜନା ଭାବେ କାଳିଆ ଭୂମିହୀନ ଗରିବଙ୍କ ସହ ଚାଷୀଙ୍କୁ ସହାୟତା ପ୍ରଦାନ କରୁଛି ।

CM Naveen Patnaik Starts Work In New Financial Year by Providing Kalia Assistance To Farmer

ଚାଷୀର ତ୍ୟାଗ ଓ ସ୍ବାଭିମାନ ହିଁ ଆଜି ଓଡ଼ିଶାର ସ୍ବାଭିମାନ ବୃଦ୍ଧି କରିଛି । ଓଡ଼ିଶାର ଚାଷୀ ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି । କୃଷି କର୍ମଣ ପୁରସ୍କାର ପାଇ ଓଡ଼ିଶା ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୂନ ପ୍ରତିଶତ ସୁଧରେ ଚାଷୀଙ୍କୁ ଋଣ, ନୂଆ କୃଷି ନୀତି ଆଦି ଅନେକ କାର୍ଯ୍ୟକ୍ରମ ଆମର ଚାଷୀ ଭାଇଙ୍କୁ ଉତ୍ସାହିତ କରିଛି । ଆମ ଚାଷୀ ଭାଇଭଉଣୀଙ୍କ ପାଇଁ ମୁଁ ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀ ଆମ ଅର୍ଥନୀତିର ମହାଶକ୍ତି । କୋଭିଡ୍ ସମୟରେ ଚାଷୀ ଭାଇ ହିଁ ଆମର ଅର୍ଥନୀତିକୁ ରକ୍ଷା କରିଛି । ତେଣୁ ଚାଷୀକୁ ଅଣଦେଖା କରି ବିକାଶ କଥା ଚିନ୍ତା କରାଯାଇ ନ ପାରେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି- ମୁଁ ସବୁବେଳେ ଚାଷୀ ଭାଇଭଉଣୀ ମାନଙ୍କ ସହ ରହିଛି । ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି । ଦେଢ ଗୁଣ ଏମଏସପି କାହାର ଦୟା ନୁହେଁ । ଏହା ଚାଷୀର ହକ୍‌ । ଚାଷୀକୁ ତାର ହକ୍‌ ଦେବାପାଇଁ ଆମର ଲଢେଇ ଜାରି ରହିଛି । ସ୍ୱାମୀ ନାଥନ୍ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ଆମର ଦାବୀ ଜାରି ରହିବ। ସବୁ କଠିନ ପରିସ୍ଥିତିରେ ଚାଷୀ ଦେଶ ପ୍ରତି ତାର ଦାୟିତ୍ବ ନିଷ୍ଠାର ସହ କରିଚାଲିଛି । ଚାଷୀର ତ୍ୟାଗ ଓ ପରିଶ୍ରମକୁ ପ୍ରଣାମ ଜଣାଉଛି । ମାଟି ମା ପାଇଁ ଚାଷୀର ତ୍ୟାଗ ଅମୂଲ୍ୟ।  ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ  ଅରୁଣ ସାହୁ କାଳିଆ ଯୋଜନାକୁ ଦେଶ ପାଇଁ ଏକ ମଡେଲ ଭାବରେ ବର୍ଣ୍ଣନା କରି ଚାଷୀଙ୍କୁ ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ । କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା ସ୍ବାଗତ ଭାଷଣ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ପିପିଲି ନିର୍ବାଚନ ଯୋଗୁଁ ପୁରୀ ବ୍ୟତୀତ ସବୁ ଜିଲ୍ଲାର ଚାଷୀଙ୍କୁ ବର୍ତ୍ତମାନ କାଳିଆ ସହାୟତା ଦିଆଯାଇଛି ।

ପ୍ରତିଶ୍ରୁତି ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ରାଉରକେଲାବାସୀ

ରାଉରକେଲା: IGHକୁ ନେଇ ତେଜିଲା ଆନ୍ଦୋଳନ । ୬ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇ ପାଳନ କରି ନଥିବାରୁ ଚିଠି ଲେଖି ଅବଗତ କରାଇଛନ୍ତି ରାଉରକେଲାବାସୀ । ୨୦୧୫ ଏପ୍ରିଲ ପହିଲାରେ ସୁପରସ୍ପେଶିଆଲିଟି ହସ୍ପିଟାଲ ପାଇଁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ । ୬ ବର୍ଷ ବିତିଯାଇଥିଲେ ସୁଦ୍ଧା ପ୍ରତିଶ୍ରୁତି ପୂରଣ ହୋଇ ନଥିବାରୁ ହଜାର ହଜାର ପୋଷ୍ଟକାର୍ଡ ଲେଖି ଅବଗତ କରାଇଛି ରାଉରକେଲା ନାଗରିକ ମଞ୍ଚ ।

People Of Rourkela Wrote Letter To PM Modi To Remind His Promise On IGH

ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲକୁ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ କରିବା ପାଇଁ ପ୍ରଧାନମନ୍ତ୍ରୀ ୨୦୧୫ ମସିହା ଏପ୍ରିଲ ଏକ ତାରିଖ ଦିନ ରାଉରକେଲା ଗସ୍ତରେ ଆସି ସହରଵାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହାରି ଭିତେର ୬ ବର୍ଷ ବିତିଛି । ହେଲେ କେବଳ କୋଠା ଉଦଘାଟନ କରିଛନ୍ତି ରାଷ୍ଟ୍ରପତି । ନା ଅଛନ୍ତି ବିଶେଷଜ୍ଞ ଡାକ୍ତର ନା ସ୍ପେଶିଆଲିଟି ସୁବିଧା । ତେଣୁ ହଜାର ହଜାର ସହରବାସୀ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତିକୁ ପାଳନ କରି ମେଡିକାଲ କଲେଜ ତୁରନ୍ତ କରିବା ପାଇଁ ଦାବି କରି ଚିଠି ଲେଖିଛନ୍ତି ।

People Of Rourkela Wrote Letter To PM Modi To Remind His Promise On IGH

ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୀତିକ ଦଳ, ଶ୍ରମିକ ସଂଗଠନ, ଗଣ ସଂଗଠନ, ସାମାଜିକ ସଂଗଠନ, ସାଂସ୍କୃତିକ ସଂଗଠନ, ଯୁବ ଓ ଛାତ୍ର ସଂଗଠନ ସହିତ ମହିଳା ସଂଗଠନର ସଦସ୍ୟମାନେ ଏକାଠି ହୋଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରି ଏମ୍ସକୁ ହସ୍ତାନ୍ତର କରିବା ପାଇଁ ଦାବି ହୋଇଛି ।

People Of Rourkela Wrote Letter To PM Modi To Remind His Promise On IGH

ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଦାବିରେ ଲକ୍ଷାଧିକ ସହରବାସୀ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇବେ ବୋଲି ନାଗରିକ ସୁରକ୍ଷା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

୪୦ ହଜାର ଟଙ୍କାରେ ବ୍ୟାଟେରୀ ବାଇକ୍, ୨ ଘଣ୍ଟା ଚାର୍ଜ କଲେ ଯିବ ୧୨୦ କିମି

ଗଜପତି: ଅତି କମ୍ ଖର୍ଚ୍ଚରେ ବାଇକ୍ ଚାଲିବ ମାଇଲ ମାଇଲ ବାଟ । ମାତ୍ର ଦୁଇ ଘଣ୍ଟା ଚାର୍ଜ କଲେ ୧୦୦ରୁ ୧୨୦ କିମି ଯାଇପାରିବ ବ୍ୟାଟେରୀ ଚାଳିତ ବାଇକ୍ । ୧୦୦ କିଲୋମିଟର ଯାତ୍ରା ପାଇଁ ଖର୍ଚ୍ଚ ମାତ୍ର ଏକ ଟଙ୍କା କୋଡ଼ିଏ ପଇସା । ଏପରି ଏକ ବ୍ୟାଟେରୀ ଚାଳିତ ବାଇକ ନିର୍ମାଣ କରିଛନ୍ତି ପାରଳାଖେମୁଣ୍ଡି ଖଞ୍ଜା ସାହିର ଯୁବକ ସାଗର ରେଡ୍ଡୀ ।

Youth Of Gajapati Made An Battery Bike

ମାତ୍ର ଏକ ଟଙ୍କା ୨୦ ପଇସାରେ ଆପଣ ଯାତ୍ରା କରିପାରିବେ ୧୦୦ କିଲୋମିଟର । ଭଙ୍ଗା ବାଇକ୍ ଗୁଡ଼ିକୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ୬ଟି ବ୍ୟାଟେରୀ ଲଗାଯାଇ ନିର୍ମାଣ ହୋଇଛି ଇ-ବାଇକ୍ । ମାତ୍ର ଦୁଇ ଘଣ୍ଟା ଚାର୍ଜ କରିବା ପରେ ୧୦୦ ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରୁଛି ଏହି ବାଇକ୍ ।

Youth Of Gajapati Made An Battery Bike

ପେଶାରେ ଜଣେ ମେକାନିକାଲ ଇଞ୍ଜିନିୟର ସହ ସାଉଣ୍ଡ ସିଷ୍ଟମ ଓ ବିଭିନ୍ନ ଗାଡ଼ି ମରାମତି କରିଥାନ୍ତି ସାଗର । କରୋନା ସଙ୍କଟ ସମୟରେ କାମଧନ୍ଦା ବନ୍ଦ ଥିବା ବେଳେ ନିଜ ଜ୍ଞାନ କୌଶଳରେ ନିର୍ମାଣ କରିଛନ୍ତି ବ୍ୟାଟେରୀ ବାଇକ୍ । ଏହା ନିର୍ମାଣ ପାଇଁ ୩୦ରୁ ୪୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ସାଗର । ତେବେ କମ୍ ଟଙ୍କାରେ ଏଭଳି ଅତ୍ୟାଧୁନିକ ବାଇକ ନିର୍ମାଣ କରିଥିବା ସାଗରଙ୍କୁ ଏବେ ସବୁ ଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ ।

ବଢ଼ୁଛି ସଂକ୍ରମଣ, ଏପ୍ରିଲରେ ସରକାରୀ ଛୁଟିଦିନରେ ବି ଦିଆଯିବ ଭ୍ୟାକ୍ସିନ୍

ନୂଆଦିଲ୍ଲୀ: କୋଭିଡ୍ ଟିକାକରଣ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ । କୋଭିଡର ଦ୍ୱିତୀୟ ଲହର ସଂକ୍ରମଣକୁ ଦେଖି ଏପ୍ରିଲ୍ ମାସର ସମସ୍ତ ଦିନ କୋଭିଡ୍ ଟିକାକରଣ ହେବ । ସରକାରୀ ସହ ଘରୋଇ କୋଭିଡ୍ ଭ୍ୟାକ୍ସିନେସନ୍ ସେଣ୍ଟରରେ ଟିକା ଦିଆଯିବ । ଏପରିକି ସରକାରୀ ଛୁଟି ଦିନରେ ଟିକା ଦିଆଯିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

 Vaccination to be offered on ALL DAYS of April month including gazetted holidays

ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଚିଠି ଲେଖି ଆବଶ୍ୟକୀୟ ପ୍ରସ୍ତୁତି ପାଇଁ କହିଛନ୍ତି । ରାଜ୍ୟ ସରକାର ମଧ୍ୟ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଓ ସିଡିଏମଙ୍କୁ ଏନେଇ ଚିଠି ଲେଖି ଜଣାଇଛନ୍ତି ।

 Vaccination to be offered on ALL DAYS of April month including gazetted holidays

ଜିଲ୍ଲାର ଟିକାକରଣ ଲକ୍ଷ ପୂରଣ ପାଇଁ ତଦନୁସାରେ କୋଭିଡ୍ ଭ୍ୟାକ୍ସିନେସନ୍ ସେଣ୍ଟର ବଢ଼ାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଛୁଟି ଦିନରେ ଟିକାକରଣ ଲାଗି ବ୍ଲକସ୍ତରର ଅଧିକାରୀ ଓ ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜିଠାରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କୋଭିଡ୍ ଟିକା ଦେବା ଆରମ୍ଭ ହୋଇଛି ।

ଆନ୍ଧ୍ର ରାଜନୀତିରେ ‘ଏପ୍ରିଲ୍ ଫୁଲ୍’, ଚିହିଁକି ଉଠିଲା ଟିଡିପି

ହାଇଦ୍ରାବାଦ: ଖବରକୁ ନେଇ ଆନ୍ଧ୍ରପ୍ରଦେଶ ରାଜନୀତିରେ ଝଡ଼ । ବିଜେପି ସହ ମିଶିଲା ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି । ବିନା ସର୍ତ୍ତରେ ବିଜେପି ସହ ଟିଡିପିର ବିଲୟ କରିଛନ୍ତି ନାଇଡୁ । ଏଭଳି ଏକ ‘ଏପ୍ରିଲ୍ ଫୁଲ୍‘ ଖବର ଖାଲି ଟିଡିପି ନୁହେଁ ବରଂ ଆନ୍ଧ୍ରର ରାଜନୀତିକୁ ଦୋହଲାଇ ଦେଇଛି । ଆନ୍ଧ୍ରର ମୁଖ୍ୟ ବିରୋଧୀ ଦଳ ଟିଡିପି ଏଭଳି ‘ଏପ୍ରିଲ୍ ଫୁଲ୍‘ ଖବରକୁ ମୁର୍ଖ ହିଁ ଲେଖିପାରନ୍ତି ବୋଲି କହିଛି ।

୧ ଏପ୍ରିଲ୍ ‘ଏପ୍ରିଲ୍ ଫୁଲ୍‘ ଡେରେ ଡେକ୍କାନ କ୍ରନିକାଲରେ ଏକ ଖବର ପ୍ରକାଶିତ ହୋଇଛି । ଯାହାର ଶୀଷର୍କ ରହିଛି ‘ଦଳର ଲୋକପ୍ରିୟତା ହ୍ରାସକୁ ନେଇ ଚିନ୍ତାରେ ଚନ୍ଦ୍ରବାବୁ ନାଇଡୁ, ବିଜେପିରେ ବିଲୟ ହେଲା ଟିଡିପି’ । ଏହି ଖବରରେ ଲେଖାଯାଇଛି ବୁଝାମଣା ଅନୁସାରେ, ନାଇଡୁ ବିନା ସର୍ତ୍ତରେ ନିଜ ଦଳକୁ ବିଜେପିରେ ମିଶାଇ ଦେଇ କେନ୍ଦ୍ର ରାଜନୀତିରେ ଯିବାକୁ ଯୋଜନା କରିଛନ୍ତି । ଚନ୍ଦ୍ରବାବୁ ନାଇଡୁଙ୍କୁ କେନ୍ଦ୍ର କ୍ୟାବିନେଟରେ ବଡ଼ ବିଭାଗ ମନ୍ତ୍ରୀ ପାଇଁ ଟିଡିପି ଦାବି କରିଥିବା ବେଳେ ବିଜେପି ମନା କରି ଦେଇଛି । କିନ୍ତୁ, ନାଇଡୁଙ୍କୁ ଶୀଘ୍ର କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିପାରେ । ଏମଏଲସି ତଥା ଟିଡିପି ସଚିବ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ଭବିଷ୍ୟତକୁ ନେଇ ମଧ୍ୟ ବିଜେପି କୌଣସି ପ୍ରତିଶ୍ରୁତି ଦେଇନାହିଁ ।

ଆଉ ଖବରର ଶେଷକୁ ଲେଖାଯାଇଛି ଏହା ‘ଏପ୍ରିଲ୍ ଫୁଲ୍’ ଜୋକ୍ ଅଟେ । ଏଭଳି ଖବରକୁ ଟିଡିପି ଜୋରଦାର୍ ବିରୋଧ କରିଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଆନ୍ଧ୍ରରେ ଶାସନ କରୁଥିବା ଟିଡିପି ୨୦୧୮ରେ ବିଜେପି ଠାରୁ ଅଲଗା ହୋଇଥିଲା । ଏହାପରେ ନାଇଡୁ ଅନେକ ବଡ଼ ନେତାଙ୍କ ସହ ମିଶି ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ ।

କିନ୍ତୁ ଗତ ନିର୍ବାଚନରେ ଟିଡିପିକୁ ବେଶ୍ କ୍ଷତି ସହିବାକୁ ପଡ଼ିଥିଲା । ଲୋକସଭା ଓ ବିଧାନସଭା ନିର୍ବାଚନରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଜଗନ ମୋହନ ରେଡ୍ଡୀଙ୍କ ଦଳଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଥିଲା ।

୩ ଦିନ ପାଇଁ କାଳବୈଶାଖୀ ଡର

ଭୁବନେଶ୍ୱର: ଡହ ଡହ ଖରାରେ ସିଝୁଛି ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ଖରା ହିଁ ଖରା । ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଆସନ୍ତାକାଲି ଠାରୁ ତାତିରୁ କିଛିଟା ଆଶ୍ୱସ୍ତି ମିଳିପାରେ । ୨ ତାରିଖରୁ ୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ଯୋଗୁ ବିଭିନ୍ନ ଜିଲ୍ଲାର ଦିନ ତାପମାତ୍ରା ହ୍ରାସ୍ ପାଇବ । ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି ।

କିନ୍ତୁ ହିଟ୍ ୱେଭରୁ ଆଜି ପାଇଁ ଆଶ୍ୱସ୍ତି ନାହିଁ । ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର, ନୂଆପଡ଼ା, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି ।

ଆସନ୍ତାକାଲି ଠାରୁ ପାରଦ ଖସିବ । ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ଖସିବ । ୨ ତାରିଖରେ କାଳବୈଶାଖୀ ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ । ଏନେଇ ଗ଼ଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି ୩ ତାରିଖରେ କାଳବୈଶାଖୀ ବର୍ଷା ନେଇ ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ଦିଆଯାଇଛି ୱେଲୋ ୱାର୍ଣ୍ଣିଂ ।

ସେହିଭଳି ୪ ତାରିଖରେ କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ପଶୁ ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ୪ ଗିରଫ, ୨ଟି ଦେଶୀ ବନ୍ଧୁକ ଜବତ

ବାଲୁଗାଁ: ତାପମାତ୍ରା ବଢ଼ୁଛି, ଜଙ୍ଗଲ ଜଳୁଛି । ରାଜ୍ୟର ବିଭିନ୍ନ ସ୍ଥାନର ଜଙ୍ଗଲରେ ନିଆଁ ଲାଗିବା ଖବର ଆସୁଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନଖଣ୍ଡ ଅଧିନ ଅରାଙ୍ଗ ସରଂକ୍ଷିତ ଜଙ୍ଗଲରେ ବି ନିଆଁ ଲାଗିଛି । ଚାରି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଶିକାର କରିବା ପାଇଁ ଉଦ୍ୟମ ବେଳେ ଧରାପଡ଼ିଛନ୍ତି । ଅରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଆଜି ୪ ଜଣ ଦୁର୍ବୃତ୍ତ ନିଆଁ ଲଗାଇଥିଲେ ।

Forest Employee Arrested Four Hunter During Forest Fire In Balugaon

ଶିକାର ପାଇଁ ନିଆଁ ଲଗାଇଥିବା ବେଳେ ଖବର ପାଇଥିଲେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି । ସଙ୍ଗେ ସଙ୍ଗ ବନ ବିଭାଗ କର୍ମଚାରୀ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ଦୁର୍ବୃତ୍ତମାନଙ୍କୁ କାବୁ କରି ଗିରଫ କରିବାରେ ସଫଳ ହୋଇଛନ୍ତି । କୃଷ୍ଣ ପ୍ରଧାନ(୨୪), ଆଲୋକ ସାହୁ(୩୫), ମିଥୁନ ନାୟକ(୨୪) ଏବଂ ଟୁଲୁ ବେହେରା(୪୨)ଙ୍କୁ ଗିରଫ କରିଛି ବନ ବିଭାଗ ।

Forest Employee Arrested Four Hunter During Forest Fire In Balugaon

ସେମାନଙ୍କ ନିକଟରୁ ଦୁଇ ଗୋଟି ଦେଶୀ ବନ୍ଧୁକ ଏବଂ ୫୦ ଗୋଟି ଗୁଳି ମଧ୍ୟ ବନ ବିଭାଗ ଜବତ କରିଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ବନାଞ୍ଚଳ ଆଇନ୍ ଅନୁଯାୟୀ କେସ୍ ନମ୍ବର ୩୩(ଖ) ୨୦/୨୧ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସୂଚନା ଦେଇଛନ୍ତି ।

ରଜନୀଙ୍କୁ ଦାଦା ସାହେବ ଫାଲକେ, ଟାଇମିଂକୁ ନେଇ ପ୍ରଶ୍ନ

ଘୋଷଣା ହୋଇଯାଇଛି ୫୧ତମ ଦାଦା ସାହେବ୍ ଫାଲକେ ପୁରସ୍କାର । ଏଥର ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦାସାହେବ ଫାଲକେ ସମ୍ମାନ । କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଗୁରୁବାର ଏହି ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରଜନୀକାନ୍ତ ଗତ ୫ ଦଶନ୍ଧି ଧରି ସିନେମା ଜଗତକୁ ଶାସନ କରିଆସୁଛନ୍ତି ଏବଂ ଲୋକଙ୍କୁ ମନୋରଞ୍ଜନ କରୁଛନ୍ତି। ତେଣୁ ଏଥର ଦାଦା ସାହେବ ଫାଲକେ ର ଜୁରୀ ରଜନୀକାନ୍ତଙ୍କୁ ଏହି ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛି।

ତାମିଲନାଡ଼ୁରେ ଭୋଟ ହାତେଇବାକୁ ବିଜେପିର ଚାଲ୍:

ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ମିଳିବା ଖବର ପାଇବା ପରେ ଗୋଟେପଟେ ରଜନୀଙ୍କ ଫ୍ୟାନ୍ସ ଓ ତାମିଲନାଡ଼ୁ ବାସି ଖୁସି ହେଉଥିବାବେଳେ। ଅନ୍ୟପଟେ ଏହାକୁ ରାଜନୈତିକ ମୋଡ଼ ବି ଦିଆଯାଇଛି। କୁହାଯାଉଛି ଯେ ଆଗକୁ ତାମିଲନାଡ଼ୁରେ ନିର୍ବାଚନ ଥିବାରୁ ଏହା ମୋଦି ସରକାରଙ୍କ ଚାଲ୍ । ତାମିଲ ଭୋଟରଙ୍କ ଭୋଟ ହାତେଇବାକୁ ବିଜେପି ଖେଳିଛି ଟ୍ରମ୍ପ କାର୍ଡ଼। ଅନ୍ୟପଟେ ବିଜେପି କିନ୍ତୁ ଏହାକୁ ଖଣ୍ଡନ କରିଛି। ତେବେ ରଜନୀଙ୍କ ତାମିଲନାଡ଼ୁରେ ଦବଦବା ବେଶ ଅଧିକ । ଆଉ ତାଙ୍କ ପାଖରେ ସେ ପାୱାର ବି ଅଛି । ଯଦି ସେ ଚାହିଁ ବେ ତେବେ ଅତି ସହଜରେ ଭୋଟରଙ୍କ ନିଷ୍ପତ୍ତି ବଦଳେଇପାରିବେ।

ରାଜନୈତିକ ଇନିଂସ: ଗତ ଡିସେମ୍ବର ୩ରେ ରଜନୀକାନ୍ତ ଘୋଷଣା କରିଥିଲେ ଯେ ସେ ଜାନୁଆରୀ ମାସରୁ ଆରମ୍ଭ କରିବେ ନିଜର ରାଜନୈତିକ ଇନିଂସ୍। ଆଉ ୩୧ ତାରିଖରେ କରିବେ ନିଜର ନୂଆ ପାର୍ଟିର ଲୋକାର୍ପଣ। ହେଲେ ସେମିତି କିଛି ବି ହୋଇ ନଥିଲା। ନା ସେ ନିଜ ପାର୍ଟି ଲୋକାର୍ପଣ କଲେ ନା ରାନୀତିରେ ପ୍ରବେଶ କଲେ। ତାଙ୍କ ଘୋଷଣା କେବଳ ଘୋଷଣାରେ ହିଁ ରହିଗଲା।

 ରଜନୀଙ୍କ ଜୀବନ: ବହୁତ ସମସ୍ୟା ଭିତରେରେ କଟିଥିଲା ଥଲାଇଭାଙ୍କ ପିଲାଦିନ। ଆର୍ଥିକ ସଙ୍କଟର ଯୋଗୁ ତାଙ୍କୁ କରିବା ପଡ଼ିଥିଲା ଅନେକ ସଂଘର୍ଷ । ରଜନୀଙ୍କ ପ୍ରକୃତ ନା ଥିଲା ଶିବାଜୀ ରାଓ ଗାଇକ୍ୱାଡ। ଯାହାକୁ ପରିବର୍ତ୍ତ କରି ସେ ହୋଇଥିଲେ ରଜନୀକାନ୍ତ। ରଜନୀଙ୍କୁ ପାଞ୍ଚ ବର୍ଷ ହୋଇଥିଲା ଯେତେବେଳେ ତାଙ୍କ ମାଙ୍କର ଦେହାନ୍ତ ହୋଇଥିଲା। ମା’ଙ୍କ ଦେହାନ୍ତ ପରେ ପରିବାରର ଦାୟିତ୍ୱ ତାଙ୍କ କାନ୍ଧରେ ପଡ଼ିଲା। ଏପରିକି ଘର ଚଳାଇବା ପାଇଁ ସେ କୁଲି ଭାବେ ମଧ୍ୟ କାମ କରିଥିଲେ। ଫିଲ୍ମ ପରଦାକୁ ଆସିବା ପୂର୍ବରୁ ସେ ବସ କଣ୍ଡକ୍ଟର ଭାବେ ମଧ୍ୟ କାମ କରିଛନ୍ତି ।

ରଜନୀଙ୍କ ଫିଲ୍ମି ସଫର୍: ୧୯୭୫ରେ ବାଲାଚନ୍ଦ୍ରଙ୍କ ଚଳଚ୍ଚିତ୍ର ‘ଆପୂର୍ଭା ରାଗଙ୍ଗଲ୍’ ସହିତ ତାମିଲ ଫିଲ୍ମ ଇଣ୍ଡଷ୍ଟରି ଡେବ୍ୟୁ କରିଥିଲେ ରଜନୀ । ଏଥିରେ ସେ ଏକ ବହୁତ ଛୋଟ ନେଗେଟିଭ ରୋଲ କରିଥିଲେ । ଏହି ଚଳଚ୍ଚିତ୍ରରେ କମଲ ହାସନ ଏବଂ ଶ୍ରୀବିଡ଼ିଆ ମଧ୍ୟ ଅଭିନୟ କରିଥିଲେ। ପାଖାପାଖି ୧୫ ଟି ଫିଲ୍ମରେ ନେଗେଟିଭ୍ ରୋଲରେ ରଜନୀକାନ୍ତ ପ୍ରଥମେ ଅନେକ ନକାରାତ୍ମକ ଭୂମିକାରେ ଅଭିନୟ କରିବା ପରେ ସେ ୧୯୭୭ରେ ‘ଏସପି ମୁଥୁରାମନ’ଙ୍କ ଫିଲ୍ମ ‘ଭୁବନା ଓରୁ କେଲଭିକୁରୀ’ରେ ହିରୋ ଭାବରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ବେଶ୍ ହିଟ୍ ହୋଇଥିଲା। ରଜନୀ ୧୯୮୩ରେ ‘ଅନ୍ଧାକାନୁନ୍’ ଫିଲ୍ମ ଜରିଆରେ ବଲିଉଡରେ କରିଥିଲେ ଏଣ୍ଟ୍ରି। ଏହି ଫିଲ୍ମଟୁ ସୁପର ହିଟ୍ ହୋଇଥିଲା । ଏହାପରେ ସେ ଆଉ ଅଟକି ନଥିଲେ। ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଦେଇଚାଲିଥିଲେ। ଆଉ ପାଲଟିଥିଲେ ଦକ୍ଷିଣ ଭାରତର ସବୁଠୁ ବଡ଼ ସୁପରଷ୍ଟାର । ତାଙ୍କ ଲୋକପ୍ରିୟତା ଏତେ ବଢ଼ିଗଲା ଯେ ଦକ୍ଷିଣ ଭାରତରେ ତାଙ୍କୁ ଲୋକମାନେ ଭଗବାନ ବି ମାନନ୍ତି। ତାଙ୍କ ଫିଲ୍ମ ଭୋର୍ ୩ଟାରୁ ରିଲିଜ ହୁଏ । ଆଉ ଫିଲ୍ମ ରିଲିଜର ଦିନ ତାଙ୍କ ପ୍ରସଂଶକଙ୍କ ପାଇଁ ଦୀପବଳୀ ସଦୃଶ । ବାଣ ଫୁଟାଇ ନାଚି ଗାଇ ରଜନୀଙ୍କ ଫିଲ୍ମର ସ୍ୱାଗତ କରନ୍ତି ଫ୍ୟାନ୍ସ।

ଜାପାନରେ ବି ସୁପରଷ୍ଟାର ରଜନୀ:

ଯଦି ଆପଣ ଭାବୁଛନ୍ତି ଯେ ରଜନୀକାନ୍ତଙ୍କ ପ୍ରଶଂସକ କେବଳ ଭାରତରେ ଅଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । ଜାପାନରେ ବି ରଜନୀକାନ୍ତଙ୍କର ସେତିକି ଲୋକପ୍ରିୟତା ଯେତିକି ଏକ ଦେଶର ସୁପରଷ୍ଟାରଙ୍କର ରହିଥାଏ । ଭାରତ ଭଳି ଜାପାନରେ ମଧ୍ଯ ଫିଲ୍ମରେ ତାଙ୍କ ଏଣ୍ଟରିରେ ଜୋର୍ ସୋର୍ରେ ସିଟି ଓ ତାଳି ବାଜେ । ଏପରିକି ତାଙ୍କ ଗୀତ ବାଜିଲେ ସେଠିକାର ଲୋକ ନାଚିବାକୁ ମଧ୍ୟ ଲାଗନ୍ତି।

 

ପଶ୍ଚିମବଙ୍ଗ ନିର୍ବାଚନ: ଚରମସୀମାରେ ରାଜନୈତିକ ହିଂସା, ଶୁଭେନ୍ଦୁଙ୍କ ଗାଡ଼ି ଉପରେ ଆକ୍ରମଣ ଅଭିଯୋଗ

କୋଲକାତା: ଭୋଟ ଦେଉଛି ପଶ୍ଚିମବଙ୍ଗ । ୩୦ଟି ଆସନରେ ହେଉଛି ଭୋଟିଂ । ହେଲେ ସଭିଙ୍କ ନଜର ରହିଛି ନନ୍ଦିଗ୍ରାମ ଉପରେ । ଏହି ହାଇଭୋଲଟେଜ୍ ଆସନରେ ମୁହାଁମୁହିଁ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ତାଙ୍କ ବିରୋଧରେ ଅଛନ୍ତି ବିଜେପିର ହେଭିୱେଟ ଶୁଭେନ୍ଦୁ ଅଧିକାରୀ । ବାଜିରେ ଲାଗିଛି ଦୁଇ ବରିଷ୍ଠ ନେତାଙ୍କ ରାଜନୈତିକ ଭାଗ୍ୟ ଭବିଷ୍ୟତ ।

କୁହାଯାଉଛି ଯିଏ ବି ଏହି ନିର୍ବାଚନରେ ବାଜିମାତ୍ କରିବା ସେ ଆଗାମି ଦିନରେ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଏକ ବଡ ଫ୍ୟାକ୍ଟ୍ରର ହେବ । ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଟିଏମସିର ସବୁଠୁ ବଡ ଚେହେରା ଭାବେ ଉଭା ହୋଇଛନ୍ତି । ଯଦି ମମତା ବାନାର୍ଜୀ ଏ ନିର୍ବାଚନରେ ପରାଜୟ ହୁଅନ୍ତି, ତେବେ ତାଙ୍କର ରାଜନୈତିକ ଗୋଟିଚାଳନା ଉପରେ ଉଠିବ ଅନେକ ପ୍ରଶ୍ନ ।

ସେପଟେ ନନ୍ଦିଗ୍ରାମର ଭୁମିପୁତ୍ର କୁହାଯାଉଥିବା ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ଏହି ନିର୍ବାଚନ । ନନ୍ଦିଗ୍ରାମର ଘରେ ଘରେ ପରିତିତ ଶୁଭେନ୍ଦୁ ଯଦି ଏହି ନିର୍ବାଚନ ହାରନ୍ତି, ତେବେ ଆଗାମି ଦିନରେ କଣ ରହିବ ତାଙ୍କର ରାଜନୈତିକ ଭବିଷ୍ୟତ ତାକୁ ନେଇ ଉଠିବ ପ୍ରଶ୍ନ । ଏଭଳି ସମୟରେ ଉଭୟ ଉଭୟଙ୍କୁ ମାତ୍ ଦେବା ପାଇଁ ପଣ ଖାଇଛନ୍ତି । ଆଜି ନନ୍ଦିଗ୍ରାମରେ ଭୋଟ ହେଉଥିବାବେଳେ ନିଜର ମତଦାନ ସାବ୍ୟସ୍ତ କରିଥିଲେ ଶୁଭେନ୍ଦୁ ଅଧିକାରୀ । ବିପୁଳ ଭୋଟରେ ବିଜୟୀ ହେବା ନେଇ ଦମ୍ଭ ଦେଖାଇଥିଲେ ଶୁଭେନ୍ଦୁ ।

ଅନ୍ୟପଟେ ନିର୍ବାଚନରେ ଦେଖାଦେଇଛି ରାଜନୈତିକ ହିଂସା । ପଶ୍ଚିମ ମେଦିନିପୁରର କେଶପୁରରେ ବିଜେପି ଏଜେଣ୍ଟଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଟିଏମସି କର୍ମୀମାନେ ଏହି ହିଂସାକାଣ୍ଡ ଘଟାଇଥିବା ଅଭିଯୋଗ କରିଛି ବିଜେପି । ସେହିଭଳି ବିଜେପି ପ୍ରାର୍ଥୀ ଭାରତି ଘୋଷ ଟିଏମସି ଉପରେ ଗୁଣ୍ଡାଗର୍ଦି କରିବାର ଅଭିଯୋଗ ଆଣିଛନ୍ତି । ଏ ନେଇ ସେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ବାହିନୀ ସହ ପଶ୍ଚିମବଙ୍ଗ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି ।

ଟିକା ପରେ କରୋନା ? କାହିଁକି ଡରିବାର କିଛି ନାହିଁ, ଜାଣନ୍ତୁ…

ନୂଆଦିଲ୍ଲୀ: ମାର୍ଚ୍ଚ ୧୮ ତାରିଖ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଚୀନର କମ୍ପାନୀ ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ କରୋନୋଭାଇରସ ଟିକା ଗ୍ରହଣ କରିଥିଲେ । କିନ୍ତୁ ୨୦ ତାରିଖ ହୋଇଥିବା ଯାଞ୍ଚରେ ଇମରାନଙ୍କ କରୋନା ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଥିଲା । ଏହାପରେ ଚୀନ ଭ୍ୟାକସିନକୁ ନେଇ ଅନେକ ଆଶଙ୍କା ପ୍ରକାଶ ପାଇବା ସହ ସମାଲୋଚକମାନଙ୍କୁ ଉତ୍ସବ ପାଳନ କରିବା ପାଇଁ ଆଉ ଏକ ସୁଯୋଗ ମିଳିଥିଲା । ଅବଶ୍ୟ ଏହି ମାମଲାରେ ଉଭୟ ଭୁଲ ପ୍ରମାଣିତ ହୋଇଥିଲେ । ଏହି ଟିକା ଏକ ପ୍ରଶିକ୍ଷକ ପରି । ଟିକା ନେବା ପରେ ଆପଣଙ୍କ ଶରୀରରେ ଥିବା ଜୀବାଣୁ ସହିତ ଲଢ଼ିବା ପାଇଁ ଆପଣଙ୍କ ଇମ୍ୟୁନ ସିଷ୍ଟମକୁ ଟ୍ରେଣ୍ଡ କରିବାକୁ ଅନେକ ସପ୍ତାହ ଲାଗିଥାଏ ।

ଭ୍ୟାକସିନ ନେବା ପରେ ମଧ୍ୟ ହୋଇପାରେ କରୋନା

ଇମରାନ ଖାନଙ୍କ ଶରୀରରେ କରୋନା ଟିକାକୁ କାମ କରିବାକୁ ଅତି କମରେ ୨ ଦିନ ମିଳିଥିଲା । ସମ୍ଭବତଃ ଇମରାନ ଟିକା ନେବା ପୂର୍ବରୁ ହିଁ ତାଙ୍କ ଶରୀରରେ କରୋନା ଭାଇରସ ଉପସ୍ଥିତ ଥିଲା । ଏଭଳି ପରିସ୍ଥିତରେ ଇମରାନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାର ଅର୍ଥ ଏହା ନୁହେଁ ଯେ, ଭ୍ୟାକସିନ ସଠିକ ଭାବରେ କାମ କରିନଥିଲା । କିନ୍ତୁ କଣ ଏମିତି ଅନ୍ୟ ମାମଲା ରହିଛି ଯେଉଁଠି କରୋନା ଭ୍ୟାକସିନ କାମ କରିବାରେ ଅସଫଳ ହୋଇଛି ? ଏମିତିରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, କରୋନା ଭ୍ୟାକସିନ ନେବା ପରେ ମଧ୍ୟ ଆପଣଙ୍କୁ କରୋନା ହେବାର ସମ୍ଭାବନା ରହିଛି କି ?

ତେବେ ଏହାର ଉତ୍ତର ହେଉଛି… ହଁ, ଠିକ ଭାବରେ ଭ୍ୟାକସିନ ନେବା ପରେ ମଧ୍ୟ ମନୁଷ୍ୟ ଶରୀରର ଏକ ଛୋଟ ଅଂଶରେ କରୋନା ଭାଇରସ ହେବାର ସମ୍ଭାବନା ରହିଛି । ବିଶ୍ୱବ୍ୟାପି ଅନେକ ଲୋକଙ୍କୁ କରୋନା ଭ୍ୟାକସିନ ଦେବା ପରେ ଏଭଳି ମାମଲା ସାମ୍ନାକୁ ଆସିବା ସ୍ୱାଭାବିକ କଥା ଅଟେ । ତେବେ ଏଭଳି କାହିଁକି ହୋଇଥାଏ, ଏହାକୁ ଭ୍ୟାକସିନର ଅସଫଳତା ଦର୍ଶାଇବା ଠିକ୍ ଅଟେ କି ?

ଜାଣନ୍ତୁ କଣ ଏହି ‘ବ୍ରେକ ଥ୍ରୁ’ ମାମଲା

କରୋନା ଭ୍ୟାକସିନ ନେବା ପରେ ଯେଉଁ କରୋନା ଇନଫେକସନ ମାମଲା ସାମ୍ନାକୁ ଆସୁଛି ତାକୁ ‘ବ୍ରେକ ଥ୍ରୁ’ କେସ କୁହାଯାଏ । କିନ୍ତୁ ଏଥିରେ ମଧ୍ୟ ଏକ ସର୍ତ୍ତ ରହିଛି, କରୋନା ଭାକସିନର ଦୁଇଟି ଯାକ ଡୋଜ ନେବାର ୧୪ ଦିନ ପରେ ଯଦି ଆପଣ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ତେବେ ତାହାକୁ ‘ବ୍ରେକ୍ ଥ୍ରୁ’ ମାମଲା କୁହାଯିବ ।

ଆଣ୍ଟିବଡ଼ୀ ପ୍ରସ୍ତୁତ ହେବା ପାଇଁ ସମୟ ଆବଶ୍ୟକ

Johns Hopkins Center for Health Security ର ଅମେଶ-ଏ-ଅଦଲଜାଙ୍କ ସୂଚନା ଅନୁଯାୟୀ ଭ୍ୟାକସିନ ପାଇଁ ସମୟ ସୀମା ଆବଶ୍ୟକ, କାହିଁକି ନା ଆପଣଙ୍କ ଶରୀରରେ SARS-CoV-2 (କରୋନା ଭାଇରସ) କୁ ରୋକିବା ପାଇଁ ଆଣ୍ଟିବଡ଼ୀ ପ୍ରସ୍ତୁତ ହେବା ପାଇଁ ପର୍ଯ୍ୟପ୍ତ ସମୟ ମିଳିବା ନିହାତି ଆବଶ୍ୟକ । ଫୋର୍ବସରେ ପ୍ରକାଶିତ ଏକ କଲମରେ ବୈଜ୍ଞାନିକ ହୈସେଲ୍ଟାଇନ ଇସରାଏଲର ରିସର୍ଚ୍ଚ ବିଷୟରେ ଉଲ୍ଲେଖ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଭ୍ୟାକସିନର ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିମାନଙ୍କୁ ପ୍ରଥମ ୧୨ ଦିନରେ କରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି । ଏମିତିକି ୧୭ ଦିନ ପରେ ମଧ୍ୟ ଭ୍ୟାକସିନ ନେଇଥିବା ୬୦ରୁ ୮୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି ।

କୌଣସି ଭ୍ୟାକସିନ ଶତ ପ୍ରତିଶତ କାର୍ଯ୍ୟ କରିନଥାଏ

ବ୍ଲୁମବର୍ଗର ଫାର୍ମା ଇଣ୍ଡଷ୍ଟ୍ରୀ ଏନାଲିଷ୍ଟ ସାମ ଫାଜଲୀଙ୍କ କହିବା ଅନୁଯାୟୀ, ଏମିତି ଏକ ଭ୍ୟାକସିନ ଥିଲା ଯାହା ଶତ ପ୍ରତିଶତ ଇମ୍ୟୁନିଟି ପ୍ରସ୍ତୁତ କରୁଥିଲା । ତାହା ଏତେ ପ୍ରଭାବୀ ଥିଲା ଯେ, ଚେଚକ ନାମକ ଏକ ଭାଇରସକୁ ସମୂଳେ ନାଶ କରିଥିଲା । କିନ୍ତୁ ଏମିତି ଷ୍ଟରଲାଇଜିଙ୍ଗ ଇମ୍ୟୁନିଟି ମିଳିବା ଦୁର୍ଲଭ, ଯାହା ରୋଗ ସହ ସଂକ୍ରମଣକୁ ମଧ୍ୟ ପୁରାପୂରି ରୋକି ପାରିବ ।

କରୋନା ଭାଇରସକୁ ନେଇ ବୈଜ୍ଞାନିକ ମାନେ ୫୦ ପ୍ରତିଶତ ଆଶାବାଦୀ ଥିଲେ । ସୌଭାଗ୍ୟବଶତଃ ସମସ୍ତ ସ୍ୱୀକୃତିପ୍ରାପ୍ତ ଭ୍ୟାକସିନର ପ୍ରଭାବିକତା ହାର ୯୫ ପ୍ରତିଶତ ରହିଛି । ତଥାପି ସବୁଠୁ ଉନ୍ନତ ମାନର ଭ୍ୟାକସିନ ମଧ୍ୟ ଆପଣଙ୍କୁ ଶତ ପ୍ରତିଶତ ସୁସ୍ଥତାର ଗ୍ୟାରେଣ୍ଟି ଦେଇପାରିବ ନାହିଁ ।