ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଦୁଇ ରୋଗୀଙ୍କୁ ଦିଆଯାଉଛି ଅକ୍ସିଜେନ । ବ୍ରହ୍ମପୁର ଏମକେସିଜି ମେଡିକାଲର ଶିଶୁରୋଗ ବିଭାଗରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ଯ । ପାତ୍ରପୁର ବ୍ଲକ ଅଞ୍ଚଳର କୌଶଲ୍ୟା ସାହୁଙ୍କ ୮ ଦିନର ଶିଶୁ ଓ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ପଦପଦା ଗାଁର ପଦ୍ମାଳୟ ବେହେରାଙ୍କ ୧୪ ଦିନର ଶିଶୁକୁ ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଅକ୍ସିଜେନ ଦିଆଯାଉଥିଲା । ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଦୁଇ ଜଣ ଶିଶୁଙ୍କୁ ଅକ୍ସିଜେନ ଦେବା ଦ୍ଵାର ଶିଶୁଙ୍କ ସ୍ଵାସ୍ଥ୍ଯ ଖରାପ ହେବାର ସମ୍ଭାବନା ରହିଥାଏ । ତେବେ କାହିଁକି ଏଭଳି ଦୁଇ ଜଣ ଶିଶୁକୁ ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଅକ୍ସିଜେନ ଦିଆଯାଉଥିଲା ତାହା ଅସ୍ପଷ୍ଟ ରହିଛି ।
ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ହୋଇଛି। ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମଳିଛି। ମୃତ ମହିଳାଙ୍କ ନାଁ ରଶ୍ମିତା ସ୍ୱାଇଁ । ଘର ଯାଜପୁରର ବିଂଝାରପୁର ଅଞ୍ଚଳରେ ହୋଇଥିବା ସୂଚନା। ବରିମୁଣ୍ଡ ଗାଁର ବିଶ୍ୱନାଥ ସ୍ୱାଇଁଙ୍କୁ ୯ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଗତକାଲି ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ମିଳିଥିଲା । ସ୍ବାମୀ ଡେଲିଭରି ବୟ ଭାବେ କାମ କରନ୍ତି । ଝିଅର ମୃତ୍ୟୁ ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସେପଟେ ମଞ୍ଚେଶ୍ୱର ଥାନା ପୋଲିସ ଯୌତୁକ ଜନିତ ମୃତ୍ୟୁ ନେଇ ମାମଲା ରୁଜୁ କରିବା ସହ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ସମ୍ବଲପୁର ୟୁନିଭରସିଟିର ଲେଡିଜ୍ ହଷ୍ଟେଲରେ ରାଗିଂ ଅଭିଯୋଗ ପରେ ତନାଘନା
ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ୟୁନିଭରସିଟିର ଲେଡିଜ୍ ହଷ୍ଟେଲରେ ରାଗିଂ ଅଭିଯୋଗ ପରେ ତନାଘନା। ଆଣ୍ଟିରାଗିଂ ସେଲ୍ ର ବୈଠକ ବସିଛି। ଅଭିଯୋଗ ଅନୁସାରେ ସିନିଅର ଛାତ୍ରୀମାନେ ଜୁନିଅର ଛାତ୍ରୀଙ୍କୁ ରାଗିଂ କରିଛନ୍ତି। ଏହାକୁ ନେଇ ହୋଇଥିବା ବୈଠକରେ ଭିସି, ବହୁ ବରିଷ୍ଠ ଅଧିକାରୀ ଓ ଜୁନିଅର ସିନିୟର୍ ଛାତ୍ରୀ ଯୋଗ ଦେଇଥିଲେ। ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି ଭିସି ବିଧୁ ଭୂଷଣ ମିଶ୍ର। ପୁରା ଘଟଣାର ତଦନ୍ତ ପାଇଁ ଅଶୋକ କୁମାର ବେହେରାଙ୍କୁ ଦାୟିତ୍ଵ ଦିଆଯାଇଛି। ଛାତ୍ରୀମାନଙ୍କୁ ରାଗିଂ ନେଇ ସଚେତନ କରାଯାଇଛି।
ଅନ୍ତିମ ଟେଷ୍ଟରେ ଟିମ ଇଣ୍ଡିଆର ରୋମାଞ୍ଚକ ବିଜୟ
ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ବଡ଼ ବିଜୟ । ଅନ୍ତିମ ଟେଷ୍ଟରେ ରୋମାଞ୍ଚକ ବିଜୟ ହାସଲ କଲା ଭାରତ । ୬ ରନରେ ଘରୋଇ ଦଳ ଇଂଲଣ୍ଡକୁ ଅତି ସହଜରେ ପରାସ୍ତ କରିପାରିଛି । ତେବେ ଭାରତ ପକ୍ଷରୁ ଦ୍ବିତୀୟ ପାଳିରେ ସିରାଜ ୫ ଓ୍ବିକେଟ ଅକ୍ତିଆର କରିଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା ୪ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି । ଭାରତୀୟ ଦ୍ରୁତ ବୋଲରଙ୍କ ଆଗରେ ତିଷ୍ଟି ପାରିନଥିଲେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ । ଜୋ ରୁଟଙ୍କ ଲଢ଼ୁଆ ଶତକ ବଳରେ ମଧ୍ୟ ଦଳ ପରାଜୟକୁ ଏଡ଼ାଇ ପାରିନଥିଲା ।
ରାୟଗଡ଼ା ଜିଲ୍ଲାରେ ପୁଣି ଲଜ୍ଜା : ୧୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ରାୟଗଡ଼ା ଜିଲ୍ଲାରେ ପୁଣି ଲଜ୍ଜା । ୧୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଥାନାରେ ଏତଲା ପରେ ମଧ୍ଯ ପୋଲିସ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ ନକରିବାରୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପୀଡ଼ିତା।
ନ୍ଯାୟ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି। ଗତ ମାସ ୮ ତାରିଖରେ ଗୁଣପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଅଭିଯୁକ୍ତ ଚିନା ରାଓ ନାମକ ଜଣେ ଯୁବକ ନିଶା ଶୁଙ୍ଘାଇ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। ଏନେଇ ପୀଡ଼ିତା ନାବାଳିକା ପରିବାରକୁ ଜଣାଇବା ପରେ ପରିବାର ଲୋକେ ଗତ ୧୦ ତାରିଖରେ ଗୁଣପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା। ହେଲେ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ଦୁଷ୍କର୍ମକାରୀ ବିରୋଧରେ ପୋଲିସ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ଜୀବନ ପ୍ରତି ବିପଦ ଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ପୀଡିତା । ଗୁଣୁପୁର ଥାନାରୁ ନ୍ଯାୟ ନପାଇ ନିରାଶ ହେବା ପରେ ପୀଡିତା ଜିଲ୍ଲାପାଳଙ୍କୁ ନ୍ଯାୟ ଭିକ୍ଷା କରିଛନ୍ତି।
‘ଜଣେ ସଚ୍ଚୋଟ ଭାରତୀୟ ଏପରି କହିବ ନାହିଁ’ ; ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ଭାରତୀୟ ହୋଇ ଆପଣ ଏମିତି କେମିତି କହିପାରିଲେ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଅଭିଯୋଗ ହୋଇଥିଲା ଯେ, ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ କହିଥିଲେ ଚୀନର ସୈନ୍ୟମାନେ ଭାରତୀୟ ସୈନ୍ୟମାନଙ୍କୁ ମାଡ଼ ମାରୁଛନ୍ତି। ଭାରତର ୨ ହଜାର ବର୍ଗ କିଲୋମିଟର ଅଞ୍ଚଳ ନେଇଯାଇଛନ୍ତି ଚୀନ ସେନା। ଏଥିପାଇଁ ମୋଦି ଓ ଏନଡିଏ ସରକାରକୁ ଦାୟୀ କରିଥିଲେ ରାହୁଲ ଗାନ୍ଧୀ। ତାଙ୍କର ଏହି ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଥିଲା। ଏବେ କଂଗ୍ରେସ ନେତାଙ୍କୁ ଏହି ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଲକ୍ଷ୍ନୌ ଟ୍ରାଏଲ୍ କୋର୍ଟର ସମନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। କୋର୍ଟ ଏହି ମାମଲାରେ ଏକ ନୋଟିସ ଜାରି କରି ଜବାବ ମାଗିଛନ୍ତି। ରାହୁଲ ଗାନ୍ଧୀ ଡିସେମ୍ବର୨୦୨୨ ରେ ତାଙ୍କ ଭାରତ ଯୋଡୋ ଯାତ୍ରା ସମୟରେ ଭାରତୀୟ ସେନା ଉପରେ କଥିତ ମନ୍ତବ୍ୟ ଦେଇଥିଲେ । ଏହାର ଶୁଣାଣି କରି ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ ଆପଣ ସଂସଦରେ ଏହା କାହିଁକି କହି ନଥିଲେ ଏବଂ ସୋସିଆଲ ମିଡିଆରେ କାହିଁକି କହିଥିଲେ ? ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଆପଣ ଜଣେ ସଚ୍ଚା ଭାରତୀୟ ତେବେ ଆପଣଙ୍କୁ ଏହା କହିବା ଉଚିତ୍ ନଥିଲା ? ଆପଣଙ୍କର ଅଭିବ୍ୟକ୍ତିର ସ୍ୱାଧୀନତା ଥିଲେ ମଧ୍ୟ ଆପଣ ଏହା କାହିଁକି କହିଲେ। ? ଆପଣ ଜଣେ ଦାୟିତ୍ୱବାନ ନେତା । ଜଣେ ପ୍ରକୃତ ଭାରତୀୟ ଏହା କହିବେ ନାହିଁ । ଭାରତର ସୀମାକୁ ଚୀନ ଦଖଲ କରିଛି ବୋଲି ଆପଣ କେମିତି ଜାଣିଲେ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। କ’ଣ ପ୍ରମାଣ ଅଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।
ଡିସେମ୍ବର ୨୦୨୨ରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ-ଚୀନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଏହାକୁ ନେଇ ରାହୁଲ ଗାନ୍ଧୀ ଦେଇଥିଲେ ବିବାଦୀୟ ମନ୍ତବ୍ୟ। ତେବେ ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ ମଧ୍ୟ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଉପରେ ସ୍ଥଗିତାଦେଶ ଜାରିଛନ୍ତି।
କେବେ ପାଳିବେ ରାକ୍ଷୀ ପୂର୍ଣ୍ଣିମା, ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ କ’ଣ ?
ନନ୍ଦିଘୋଷ ବ୍ୟୁରୋ : ସ୍ନେହ, ଶ୍ରଦ୍ଧା, ସମ୍ମାନର ପ୍ରତୀକ ରକ୍ଷା ବନ୍ଧନ ସମଗ୍ର ଭାରତବର୍ଷର ଏକ ବଡ଼ ପର୍ବ। ଭାରତୀୟ ସଂସ୍କୃତିରେ ରକ୍ଷାବନ୍ଧନ ପର୍ବର ଗୁରୁତ୍ୱ ବେଶ୍ ପ୍ରଭାବଶାଳୀ। ଶ୍ରାବଣ ପୂର୍ଣ୍ଣିମାର ଶୁଭ ଅବସରରେ ପାଳିତ ହେଉଥିବା ଏହି ଉତ୍ସବଟି କେବଳ ଭାଇ-ଭଉଣୀର ପବିତ୍ର ସ୍ନେହର ବନ୍ଧନ ନୁହେଁ ବରଂ ଦୁଇଟି ଆତ୍ମା, ଦୁଇଟି ହୃଦୟ ଏବଂ ଦୁଇଟି ପ୍ରାଣ ମଧ୍ୟରେ ପରସ୍ପର ପ୍ରତି ଘନିଷ୍ଠତା ଆବେଗ ଓ ସମ୍ମାନର ପ୍ରତୀକ। ଆଉ କିଛି ଦିନ ପରେ ରକ୍ଷା ବନ୍ଧନ ପର୍ବ ଆସୁଛି, କିନ୍ତୁ ଏହାର ତାରିଖ ଦୁଇଟି ଦିନରେ ପଡୁଛି ଯାହା ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଲୋକମାନେ ଦ୍ବନ୍ଦରେ ଅଛନ୍ତି କି ଯେ ଏଥର ରକ୍ଷା ବନ୍ଧନ ଦୁଇ ଦିନ ପାଇଁ ପାଳନ କରାଯିବ କି ନାହିଁ । ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା କେବେ ରକ୍ଷା ବନ୍ଧନ ପାଳନ କରିବା ..

ଭାଇ ଭଉଣୀଙ୍କ ମଧ୍ୟରେ ପ୍ରେମ ଏବଂ ଅତୁଟ ବନ୍ଧନର ପ୍ରତୀକ ରକ୍ଷାବନ୍ଧନ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ପାଳନ କରାଯାଏ। ଏଥର ଶ୍ରାବଣ ପୂର୍ଣ୍ଣିମା ତିଥି ଦୁଇଟି ଦିନରେ ପଡୁଛି, ଯାହା ଫଳରେ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି ଯେ ଏହି ପର୍ବ କେବଳ ଦୁଇ ଦିନ ପାଇଁ ପାଳନ କରାଯିବ କି ଏବଂ ରାଖୀ ବାନ୍ଧିବା ପାଇଁ କେଉଁ ଦିନ ସଠିକ୍ ହେବ । ପଞ୍ଚାଙ୍ଗ ଅନୁସାରେ, ଶ୍ରାବଣ ମାସର ଅଗଷ୍ଟ 8 ତାରିଖ ଦିନ ଅପରାହ୍ନ ୨.୧୨ ରେ ଆରମ୍ଭ ହେବ ଏବଂ ପରଦିନ ଅର୍ଥାତ୍ ଅଗଷ୍ଟ ୯ ତାରିଖ ଦିନ ଅପରାହ୍ନ ୧.୨୪ ରେ ଶେଷ ହେବ।

ଏପରି ପରିସ୍ଥିତିରେ, ୮ ଅଗଷ୍ଟରେ ଉଦୟ ତିଥି ଏବଂ ଭାଦ୍ରବ ଛାୟା ହେତୁ, ୯ ଅଗଷ୍ଟରେ ରକ୍ଷା ବନ୍ଧନ ପାଳନ କରିବା ଶୁଭ ହେବ। ଯଦି ଆପଣ ୮ ତାରିଖରେ ରକ୍ଷା ବନ୍ଧନ ପାଳନ କରନ୍ତି, ତେବେ ଏପରି କରିବା ଉଚିତ୍ ନୁହେଁ କାରଣ ଭାଦ୍ର କାଳ ସମୟରେ ରାଖୀ ବାନ୍ଧିବା ଶୁଭ ନୁହେଁ। ରକ୍ଷାବନ୍ଧନ ୯ ଅଗଷ୍ଟରେ ପାଳନ କରାଯିବ ଏବଂ ତେଣୁ ଏହି ଦିନ ରାକ୍ଷୀ ବାନ୍ଧିବା ସମୟରେ ଭାଦ୍ରବର ଛାଇ ରହିବ ନାହିଁ, କାରଣ ଭାଦ୍ର କାଳ ୮ ଅଗଷ୍ଟ ଅପରାହ୍ନ ୨:୧୨ ରୁ ୯ ଅଗଷ୍ଟ ସକାଳ ୧:୫୨ ପର୍ଯ୍ୟନ୍ତ ରହିବ। ଏପରି ପରିସ୍ଥିତିରେ, ୯ ଅଗଷ୍ଟର ସମ୍ପୂର୍ଣ୍ଣ ଦିନଟି ରାକ୍ଷୀ ବାନ୍ଧିବା ପାଇଁ ଶୁଭ ହେବାକୁ ଯାଉଛି। ପଞ୍ଚାଙ୍ଗ ଅନୁସାରେ, ୯ ଅଗଷ୍ଟରେ ରାକ୍ଷୀ ବାନ୍ଧିବାର ଶୁଭ ସମୟ ହେଉଛି ସକାଳ ୫:୨୧ ରୁ ଅପରାହ୍ନ ୧:୨୪ ପର୍ଯ୍ୟନ୍ତ। ତଥାପି, ଭଉଣୀମାନେ ୯ ଅଗଷ୍ଟ ଦିନ ସାରା ଦିନ ସେମାନଙ୍କ ଭାଇମାନଙ୍କୁ ରାକ୍ଷୀ ବାନ୍ଧିପାରିବେ। ଏହା ପରେ, ଭାଦ୍ରପଦ ମାସ ଆରମ୍ଭ ହେବ।
ଭାରତକୁ ଆମେରିକାର ଧମକ; ରୁଷିଆରୁ ତେଲ ଆମଦାନୀ ପୂରାପୂରି ବନ୍ଦ କର
ନନ୍ଦିଘୋଷ ବ୍ୟୁରୋ; ଭାରତକୁ ଟ୍ରମ୍ପ ପ୍ରଶାସନର ଖୋଲାଖୋଲି ଧମକ। ରୁଷିଆଠାରୁ ତେଲ ଆମଦାନୀ ପୁରା ବନ୍ଦ କର । ୟୁକ୍ରେନ ଯୁଦ୍ଧ ପାଇଁ ଅର୍ଥ ଦିଅନି । ନହେଲେ ଏହାକୁ ଆମେରିକାର ବରଦାସ୍ତ କରିବନି । ଏହା କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଷ୍ଟିଫେନ ମିଲର୍। ସେ କହିଛନ୍ତି, ଯଦିଓ ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ରହିଛି, ତଥାପି ରୁଷିଆରୁ ଭାରତ ପେଟ୍ରୋଲିୟମ କିଣୁ, ଏହା ଟ୍ରମ୍ପ ବିଲକୁଲ ଚାହାନ୍ତି ନାହିଁ। ୟୁକ୍ରେନ ଯୁଦ୍ଧକୁ ଭାରତ ଫାଇନାନ୍ସ ନକରୁ। ଭାରତ-ଆମେରିକା ମଧ୍ୟରେ ଉତ୍ତମ ସଂପର୍କ ଅଛି। କିନ୍ତୁ ରୁଷିଆରୁ ଭାରତ ତେଲ କିଣିବା ଠିକ୍ ନୁହେଁ।
ଆମେରିକା ଏହା ବରଦାସ୍ତ କରିବ ନାହିଁ। ଆଗରୁ ମଧ୍ୟ ଟ୍ରମ୍ପ ଭାରତକୁ ଧମକାଇଥିଲେ। ରୁଷିଆରୁ ତେଲ ନକିଣିବାକୁ କହିଥିଲେ। ନହେଲେ ଶହେ ପ୍ରତିଶତ ଟାରିଫ ଲଗାଇବାକୁ ଧମକ ଦେଇଥିଲେ । ଏହା ସତ୍ତ୍ଵେ ଭାରତ ନିଜର ଷ୍ଟ୍ରାଟେଜିକ୍ ଆବଶ୍ୟକତା ଦୃଷ୍ଟିରୁ ରୁଷରୁ ତେଲ ଆଣୁଛି । ଆମଦାନୀ ବନ୍ଦ କରିବାକୁ ତେଲ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇନି । ତେବେ ରୁଷ ଡିସକାଉଣ୍ଟ ହ୍ରାସ କରିଥିବାରୁ ଆମଦାନୀ ଟିକେ କମିଥିବା କୁହାଯାଉଛି । ଭାରତର ସାମଗ୍ରୀ ଉପରେ ଆମେରିକା ୨୫ ପ୍ରତିଶତ ଟାରିଫ ଲଗାଇଛି ।
ସନାତନ ଧର୍ମ ଭାରତକୁ ଧ୍ବଂସ ବିଧ୍ବଂସ୍ତ କରିଦେଇଛି, ଏନସିପି ନେତାଙ୍କ ବୟାନ ପରେ ହଙ୍ଗାମା
ନନ୍ଦିଘୋଷ ବ୍ୟୁରୋ: ‘ସନାତନ ଧର୍ମ ଦେଶକୁ କରିଛି ଧ୍ବଂସ ବିଧ୍ବଂସ୍ତ’; ଏନସିପି ବିଧାୟକଙ୍କ ଏହି ବୟାନ ପରେ ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇଯାଇଛି । ଶରଦ ପାୱାରଙ୍କ ଏନସିପି ନେତା ଜିତେନ୍ଦ୍ର ଆହ୍ବାଦଙ୍କ ଏହି ବୟାନକୁ ନେଇ ଏକ ନୂତନ ବିବାଦ ଦେଖାଦେଇଛି । ତାଙ୍କର ଏହି ବୟାନବାଜି ପରେ ରାଜନୀତିରେ ଝଡ ସୃଷ୍ଟି ହୋଇଛି । ବିଧାୟକ ଜିତେନ୍ଦ୍ର ଆହ୍ବାଦ କହିଛନ୍ତି ଯେ, ସନାତନ ଧର୍ମ ଭାରତକୁ ନଷ୍ଟ କରିଛି। ସନାତନ ଧର୍ମ ନାମରେ କୌଣସି ଧର୍ମ କେବେ ନଥିଲା । ସନାତନ ଧର୍ମର ଆଦର୍ଶ ବିକୃତ ଏବଂ ଏହା ମହାରାଜା ଶିବାଜୀ ଓ ସମ୍ଭାଜୀ ମହାରାଜାଙ୍କୁ ବଦନାମ କରିଛି । ତାଙ୍କର ଏହି ବୟାନକୁ ବିଜେପି ଏବଂ ସିନ୍ଦେ ସେନା ତୀବ୍ର ନିନ୍ଦା କରିଥିବା ବେଳେ ଜିତେନ୍ଦ୍ର ଆହ୍ବାଦ ଏବଂ ତାଙ୍କ ଦଳ ଅନେକ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତି ଉଷ୍ମ ହୋଇଯାଇଛି।
ଜିତେନ୍ଦ୍ର ଆହ୍ବାଦ କଣ କହିଥିଲେ ?
ଶରଦ ପାୱାରଙ୍କ ଦଳର ବିଧାୟକ ଜିତେନ୍ଦ୍ର ଆହ୍ବାଦ କହିଛନ୍ତି ଯେ ଆମେ ହିନ୍ଦୁ ଧର୍ମର ଅନୁଗାମୀ। ଏହି ତଥାକଥିତ ସନାତନ ଧର୍ମ ଆମର ଛତ୍ରପତି ଶିବାଜୀ ମହାରାଜଙ୍କୁ ରାଜ୍ୟାଭିଷେକରୁ ବଞ୍ଚିତ କରିଥିଲା। ଏହି ସନାତନ ଧର୍ମ ଆମର ଛତ୍ରପତି ଶିବାଜୀ ମହାରାଜଙ୍କୁ ବଦନାମ କରିଥିଲା। ଏହି ସନାତନ ଧର୍ମର ଅନୁଗାମୀମାନେ ଜ୍ୟୋତିରାଓ ଫୁଲେଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ସେମାନେ ସାବିତ୍ରୀବାଇ ଫୁଲେଙ୍କ ଉପରେ ଗୋବର ଏବଂ ମାଟି ଫିଙ୍ଗିଥିଲେ। ଏହି ସନାତନ ଧର୍ମ ଶାହୁ ମହାରାଜଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା। ଗୌତମ ବୁଦ୍ଧ ପ୍ରଥମ ପଦକ୍ଷେପ କାହା ବିରୁଦ୍ଧରେ ନେଇଥିଲେ ? ସେ ସେହି ସମୟରେ ପ୍ରଚଳିତ ବ୍ୟବସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ସମାଜରେ ପକ୍ଷପାତ ଚରମ ସୀମାରେ ଥିବାରୁ ସେ ଏହା କରିଥିଲେ। ବୁଦ୍ଧଙ୍କ ଶିଷ୍ୟମାନଙ୍କୁ କିଏ ହତ୍ୟା କରିଥିଲା? ସନ୍ଥ ତୁକାରାମଙ୍କୁ କିଏ ନିର୍ଯାତନା ଦେଇଥିଲା? ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକକୁ ତାଙ୍କ ଜାତି ଆଧାରରେ କିଏ ରୋକିଥିଲା ? ସମ୍ଭାଜୀ ମହାରାଜଙ୍କ ସହ କିଏ ବିଶ୍ୱାସଘାତ କରିଥିଲା ? ସମସ୍ତେ ସନାତନୀ ଥିଲେ।
ହିନ୍ଦୁମାନଙ୍କୁ ବଦନାମ କରାଯାଉଛି
ଏନସିପି ବିଧାୟକଙ୍କ ଏହି ବୟାନ ପରେ ଶିବସେନା ନେତା ମନୀଷା କାୟଣ୍ଡେ କହିଛନ୍ତି ଯେ ଜିତେନ୍ଦ୍ର ଆହ୍ବାଦଙ୍କ ଏକମାତ୍ର କାମ ହେଉଛି ହିନ୍ଦୁମାନଙ୍କୁ ବଦନାମ କରିବା ଏବଂ ମୁସଲମାନମାନଙ୍କୁ ସନ୍ତୁଷ୍ଟ କରିବା। ସେ କହିଛନ୍ତି ଯେ ଜିତେନ୍ଦ୍ର ଆହ୍ବାଦ ସବୁବେଳେ ଦେଶର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ଯାହାଦ୍ଵାରା ସେ ରାଜନୈତିକ ଲାଭ ପାଇପାରିବେ। ଏହାସହିତ ନୀତେଶ ରାଣେ କହିଛନ୍ତି, ‘ସନାତନୀ ଆତଙ୍କବାଦଙ୍କ ଶବ୍ଦ ବ୍ୟବହାର କରିବା ଆମ ଇତିହାସ, ହିନ୍ଦୁ ପରମ୍ପରାକୁ ଉପହାସ କରିବା ପରି। ଏଠାକାର ହିନ୍ଦୁ ସମାଜ କେବେବି ତୁମର ଚିନ୍ତାଧାରାକୁ ସମର୍ଥନ କରିବନାହିଁ । କେବଳ ତୁମର ଗୋଟିଏ ନିର୍ବାଚନମଣ୍ଡଳୀକୁ ସୁରକ୍ଷିତ ରଖିବା ପାଇଁ ସମଗ୍ର ମହାରାଷ୍ଟ୍ରକୁ ନଷ୍ଟ କରନାହିଁ। ଶିବସେନା ନେତା ସଞ୍ଜୟ ନିରୁପମ ମଧ୍ୟ ଜିତେନ୍ଦ୍ର ଆହ୍ବାଦଙ୍କୁ ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି ଯେ ଜିତେନ୍ଦ୍ର ଆହ୍ବାଦ ସନାତନ ଧର୍ମକୁ ବଦନାମ କରିବା ପାଇଁ ଅନେକ ମିଥ୍ୟା କାହାଣୀ କହିଛନ୍ତି। ସେ କହିବାକୁ ଭୁଲିଯାଇଛନ୍ତି ଯେ ଯଦି ସନାତନ ଧର୍ମ ନଥାନ୍ତା, ତେବେ ସେ ଏବେ ସୁଦ୍ଧା ପ୍ରକୃତରେ ଜିତୁଦ୍ଦିନ ହୋଇଯାଇଥାନ୍ତେ। ସନାତନର ସବୁଠାରୁ ବଡ଼ ଉପକାର ହେଉଛି ଯେ ଭାରତର ସଭ୍ୟତା, ସଂସ୍କୃତି ଏବଂ ପରମ୍ପରାକୁ ରକ୍ଷା କରିଛନ୍ତି । ସେ କହିଛନ୍ତି ଯେ ଯଦି ସନାତନ ନଥାନ୍ତେ ତେବେ ଏହି ଦେଶ ବହୁ ପୂର୍ବରୁ ସାଉଦି ଆରବ ହୋଇଯାଇଥାନ୍ତା । ଜିତେନ୍ଦ୍ର ଆହ୍ବାଦଙ୍କ ପରି ୨୦୨୩ରେ ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ମଧ୍ୟ ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଦେଇଥିଲେ । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ଓ ପରେ ପିଟିସନ୍ ପ୍ରତ୍ୟାହାର କରାଯାଇଥିଲା । ।
ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ ; ସମୂହ ନମାଜ ପାଠ ପରେ ଦିଆଗଲା କବର
ପୁରୀ: ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ। ସମୂହ ନମାଜ ପାଠ ପରେ ଦିଆଗଲା କବର। ପୀଡ଼ିତାଙ୍କ ଘର ପାଖ ମସଜିଦ ନିକଟରେ ଥିବା ପ୍ରାର୍ଥନାସ୍ଥଳୀରେ ସମସ୍ତେ ଏକତ୍ର ହୋଇ ନମାଜ ପାଠ ପଢିଥିଲେ। ପରେ ପୀଡ଼ିତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଘରପଛ ପଟରେ କବର ଦିଆଯାଇଥିଲା । ଏଥିଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଅନ୍ତିମ ସଂସ୍କାର ପୀଡ଼ିତାଙ୍କ ବନ୍ଧୁ ପରିଜନ ସାମିଲ ହୋଇଥିଲେ । ଗତକାଲି ରାତିରେ ପୀଡ଼ିତାଙ୍କ ମୃତଦେହ ଦିଲ୍ଲୀରୁ ଆସି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ଗାଁକୁ ଅଣାଯାଇଥିଲା। ଦିଲ୍ଲୀ ଏମସରେ ପୋଷ୍ଟମର୍ଟମ ସରିବା ପରେ ମରଶରୀରକୁ ବିମାନ ଯୋଗେ ଅଣାଯାଇଥିଲା ଭୁବନେଶ୍ବର । ସେଠାରୁ ପୋଲିସ ସୁରକ୍ଷାରେ ଜନ୍ମମାଟିକୁ ନିଆଯାଇଥିଲା ମୃତଦେହ । ରାତି ପ୍ରାୟ ୧୧ଟାରେ ମର ଶରୀର ପହଞ୍ଚିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ବିଭିନ୍ନ ଦଳର ନେତାମାନେ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି।
ସେଠାରୁ ଭୁବନେଶ୍ବର ପୋଲିସ କାରକେଡରେ ତାଙ୍କ ମୃତଦେହ ନିଆଯାଇଥିଲା ଉତ୍ତରା ଛକ ଯାଏ। ସେଠାରୁ ପୁରୀ ପୋଲିସର କାରକେଡ ନେଇଥିଲା ବଳଙ୍ଗା। ମରଶରୀର ଗାଁରେ ପହଞ୍ଚିବା ପରେ ସେଠାରେ ସମ୍ପର୍କୀୟ, ବିଭିନ୍ନ ଦଳର ନେତା, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ। ମରଶରୀର ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ଶେଷରେ ଆଜି ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

